Unknown

 

 

 

 

 

 

 

 

 

 

 

 

ରାଜା ରାମମୋହନ ରାୟ

ସତ୍ୟନାରାୟଣ ମହାପାତ୍ର

 

 

 

 

 

 

କଲ୍ୟାଣୀୟା

ପ୍ରେମ, ମିନି ଓ ଶାନ୍ତି–

ତମେ ଯେଉଁମାନେ

ମୋର ପ୍ରକାଶିତ ପୁସ୍ତକଟିଏ ଦେଖିଲେ

ସବୁଠାରୁ ବେଶୀ ଖୁସି ହୁଅ;

ତମରିମାନଙ୍କ ହାତରେ– ।

 

ମୋ କଥା

 

ରାଜା ରାମମୋହନ ରାୟଙ୍କୁ ଭାରତୀୟ ନବଜାଗରଣର ଜନକ ରୂପେ ଗ୍ରହଣ କରାଯିବାରେ ବୋଧହୁଏ କାହାରି ଦ୍ୱିଧାନାହିଁ । ପୃଥିବୀରେ ବିଭିନ୍ନ ବିଶିଷ୍ଟ ଚିନ୍ତାନାୟକଗଣ ରାଜାଙ୍କୁ ନିଜ ନିଜର ଦୃଷ୍ଟିକୋଣରୁ ଜଣେ ଦିଗ୍‍ଦର୍ଶକ ହିସାବରେ ଗ୍ରହଣ କରିବାର ଅର୍ଥ ସେ ପ୍ରକୄତରେ ଥିଲେ ଜଣେ ସମାଜସଂସ୍କାରକ, ସାମ୍ବାଦିକ ତଥା ଦଳିତ, ପତିତ ଓ ଅବହେଳିତ ସାମାଜିକ ସଂପ୍ରଦାୟ ଲାଗି ଏକ ବିଚଳିତ ପ୍ରାଣ । ଅଥଚ ଓଡ଼ିଆ ଭାଷାରେ ସେଭଳି ଜଣେ ବ୍ୟକ୍ତିର ଜୀବନ ତଥା କାର୍ଯ୍ୟକଳାପ ନେଇ କୌଣସି ଉତ୍କୃଷ୍ଟ ଧରଣର ପୁସ୍ତକ ମୋ ଦୁଷ୍ଟିକୁ ଏପର୍ଯ୍ୟନ୍ତ ଆସିନାହିଁ । ସେଇଥିପାଇଁ ମୋର ଏଇ ପ୍ରଚେଷ୍ଟା । ୟା’ର ତର୍ଜମା ଏପରି ଭାବରେ କରାଯାଇ ନ ପାରେ ଯେ ମୋର ଏହି ରଚନା ସେଭଳି ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଶ୍ରେଷ୍ଠ ପରିଚୟ ପ୍ରଦାନ କରିବାକୁ ହିଁ ସମର୍ଥ । ମୁଁ କେବଳ ଚେଷ୍ଟା କରିଛି ଜଣେ ସର୍ବ ଭାରତୀୟ କାହିଁକି, ସମଗ୍ର ପୃଥିବୀର ସ୍ମରଣୀୟ ଜନନାୟକଙ୍କୁ ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ ।

 

ମୋର ଏଇ ଉଦ୍ୟମର ସଫଳ ରୂପାୟନ ପାଇଁ ଯେଉଁମାନେ ଆନ୍ତାରିକ ସାହାଯ୍ୟ କରିଛନ୍ତି, ସେମାନଙ୍କ ମଧ୍ୟରୁ ଓଡ଼ିଆ ଭାଷାରେ ଅନ୍ୟତମ ବିଶିଷ୍ଟ ଜୀବନ ଲେଖକ ଶ୍ରୀ ସୂର୍ଯ୍ୟନାରାୟଣ ଦାସ ତଥା ବନ୍ଧୁ ଶ୍ରୀ ନିରଞ୍ଜନ ପାତ୍ର ଓ ଅମ୍ବିକା ଗଚ୍ଛାୟତଙ୍କୁ ଭୁଲିବାର ନୁହଁ ।

 

କଟକ

 

୧୨ ମଇ ୧୯୭୮ ।

–ସତ୍ୟନାରାୟଣ ମହାପାତ୍ର

Image

 

ଏଇ ଲେଖକଙ୍କ ଆଉ କେତୋଟି ଜୀବନୀ ଗ୍ରନ୍ଥ

 

୧.

ଉତ୍କଳମଣି ଗୋପବନ୍ଧୁ

୨.

ପ୍ରିୟଦର୍ଶିନୀ ଇନ୍ଦିରା

୩.

ପଣ୍ଡିତ ଗୋଦାବରୀଶ

୪.

ସାମ୍ବାଦିକ ଶଶିଭୂଷଣ

୫.

ନାରୀନେତ୍ରୀ ସରୋଜିନୀ

୬.

କବିଗୁରୁ ରବୀନ୍ଦ୍ର

୭.

ଦେଶସେବକ ଲକ୍ଷ୍ମୀନାରାୟଣ

୮.

ବ୍ୟାସକବି ଫକୀରମୋହନ

୯.

କବିସୂର୍ଯ୍ୟ ବଳଦେବ

୧୦.

ସଂସ୍କାରକ ଶ୍ରୀବତ୍ସ ପଣ୍ଡା

୧୧.

ପଲ୍ଲୀକବି ନନ୍ଦକିଶୋର

୧୨.

କବିବର ରାଧାନାଥ

୧୩.

ନେତାଜୀ ସୁଭାଷଚନ୍ଦ୍ର

Image

 

ବିଷୟ ସୂଚନା

 

ଏକ

ଏକ ଫୁଟିଲା ଫୁଲର ମହକ

ଦୁଇ

ପୃଥିବୀର ପ୍ରଥମ କିରଣ

ତିନି

ଦେଶ ବିଦେଶରେ ବେଦାନ୍ତ

ଚାରି

ରଙ୍ଗପୁରରେ ଦେବାନ

ପାଞ୍ଚ

ମୁକାବିଲା ଓ ମୁକାବିଲା

ଛଅ

ଶିକ୍ଷାଦିଗରେ ଦିଗ୍‍ଦର୍ଶନ

ସାତ

କୁସଂସ୍କାରର କୁହେଳିକା

ଆଠ

ସତୀଦାହର ଶେଷଶିଖା

ନଅ

ଭାରତର ବ୍ରାହ୍ମସମାଜ

ଦଶ

ବ୍ରାହ୍ମସମାଜ: ବିଶ୍ୱଭ୍ରାତୃତ୍ଵ

ଏଗାର

ଧର୍ମସଭା ଓ ବ୍ରହ୍ମସଭା

ବାର

ସମ୍ବାଦପତ୍ରର ସ୍ଵାଧୀନତା

ତେର

ଭାରତର ରାଷ୍ଟ୍ରଦୂତ

ଚଉଦ

ଜଳଜାହାଜରେ ଯାତ୍ରା

ପନ୍ଦର

ଇଂଲଣ୍ଡରେ ଶେଷ ଦିନ

Image

 

ଏକ

ଏକ ଫୁଟିଲା ଫୁଲର ମହକ

 

ଆଧୁନିକ ଭାରତର ନବଜାଗରଣର ଇତିହାସ ପର୍ଯ୍ୟାଲୋଚନା କରାଗଲେ ରାଜା ରାମମୋହନ ରାୟଙ୍କୁ ଜଣେ ପ୍ରଧାନ ଦିଗ୍‍ଦର୍ଶକ ହିସାବରେ ଗ୍ରହଣ କରିବାରେ ବୋଧହୁଏ କାହାରି ଦ୍ଵିଧା ରହିବ ନାହିଁ । କେବଳ ଧର୍ମ ବା ସମାଜ ସଂସ୍କାର ପାଇଁ ଯେ ଉଦ୍ୟମ କରି ସଫଳ ହୋଇଥିଲେ ତା ନୁହେଁ, ସେ ଏକାଧାରରେ ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ନିଜର ସ୍ୱାକ୍ଷର ଅଲିଭା ରଖିଦେଇ ଯାଇଛନ୍ତି ଭାରତରେ ଉତ୍ତରପୁରୁଷମାନଙ୍କ ପାଇଁ । ସମାଜରେ ମଣିଷକୁ ମଣିଷର ଉପଯୁକ୍ତ ଆସନ ଦେଇ ଉଚିତ୍ ବ୍ୟବହାର କରାଯିବ ଆବଶ୍ୟକ ବୋଲି ତାଙ୍କର ସ୍ପଷ୍ଟ ମତ ଥିଲା । ଭାରତୀୟ ନିମ୍ନବିତ୍ତ ଶ୍ରେଣୀୟ ସାଧାରଣ ଜନଜୀବନ ସହିତ ନିଜକୁ ବ୍ୟକ୍ତିଗତଭାବେ ମିଳାଇ ଦେଇ ନ ଥିଲେ ମଧ୍ୟ, ନିଜର ଦୈନନ୍ଦିନ କାର୍ଯ୍ୟକଳାପର ପରିସରକୁ ମୁଖ୍ୟତଃ ସେମାନଙ୍କ ନିକଟକୁ ଲମ୍ବାଇ ଦେଇ ନଥିଲେ ମଧ୍ୟ, ବିଶେଷ କରି ସେଇମାନଙ୍କ ପାଇଁ, ସେଇମାନଙ୍କ ଜୀବନ ଯାତ୍ରାର ସ୍ତର ଉନ୍ନୀତ କରିବା ପାଇଁ, ଭାରତୀୟ ନାରୀ ଜାତିର ଉନ୍ନତି ପାଇଁ ଓ ମାନବିକ ଦୃଷ୍ଟିକୋଣରୁ ଦେଶରୁ ଅଜ୍ଞାନ ଅନ୍ଧକାର ଦୂରୀକରଣ ପାଇଁ ତାଙ୍କର ଉଦ୍ୟମ ଚିର ଭାସ୍ୱର ହୋଇ ରହିବ ଆଧୁନିକ ଭାରତର ଇତିହାସରେ ।

 

ସାଧାରଣ ଜନତାଙ୍କ ନିକଟରେ ରାଜା ରାମମୋହନ ଅତି ପରିଚିତ ହୋଇ ନ ପରିବାର ପ୍ରଧାନ କାରଣ ଥିଲା, ସେ ତାଙ୍କର ସସସ୍ତ ଉଦ୍ୟମ କରିଥିଲେ ଦେଶର ଶିକ୍ଷିତ ଜନଗଣଙ୍କୁ ନିଜର ଚିନ୍ତାଧାରାରେ ପ୍ରଥମେ ପ୍ରଭାବିତ କରାଇବେ ଏବଂ ତାର ପରିଣାମ ହେବ ଦେଶର ଅନ୍ୟ ଅଧିକାଂଶ ଅଶିକ୍ଷିତ ଜନତାଙ୍କ ସଫଳ ନେତୃତ୍ୱ ନେବା ପାଇଁ ସେମାନଙ୍କୁ ସମର୍ଥ କରାଇ ପାରିବେ ଓ ଦେଶର ସାମାଜିକ ଅବସ୍ଥାର ପରିବର୍ତ୍ତନ କରାଇ ପାରିବେ । ଏହାହିଁ ନିରାଶାର ଘନ ଅନ୍ଧକାର ଭିତରେ ଆଶାର ପ୍ରଦୀପ ଧରି ସମସ୍ତ ଦୃଢ଼ତାର ସହିତ ନିଜ ଅଭିଳଷିତ ରାସ୍ତା ଖୋଜି ବାହାର କରିବା ଲାଗି ସଂଗ୍ରାମରତ ଏକ ଜୀବନର କାହାଣୀ ।

 

ରାମମୋହନଙ୍କର ଜନ୍ମ ବେଳକୁ ଭାରତରେ ହିନ୍ଦୁ ମୁସଲମାନ ଓ ଖ୍ରୀଷ୍ଟିୟାନ୍ ସଂପ୍ରଦାୟ ନିଜ ଜିନ ଧର୍ମ ବ୍ୟତୀତ ଅନ୍ୟ କର୍ମକୁ କେବଳ ଯେ ଘୃଣା କରୁଥଲେ ତା ନୁହେଁ, ସାଂପ୍ରଦାୟିକ କନ୍ଦଳ ମଧ୍ୟ ସୃଷ୍ଟି କରୁଥିଲେ ଅଧିକାଂଶ ସମୟରେ । ଗୋଟିଏ ସୁସ୍ଥ ସଭ୍ୟତା ପାଇଁ ନିତାନ୍ତ ଦରକାର ଜନଗଣଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ । ରାଜା ଆନ୍ତରିକ ଉଦ୍ୟମ କରିଥିଲେ ସବୁ ଧର୍ମ ସଂପ୍ରଦାୟ ଭିତରୁ ତିକ୍ତତା ପରିହାସ କରି ଉଚିତ୍ ମାନବିକ ବୁଝାମଣା ଲାଗି, ଭାତୃତ୍ୱର ବନ୍ଧନରେ ବାନ୍ଧି ହେବା ଲାଗି ସମସ୍ତେ ନିଜ ନିଜର ଜନ୍ମଭୂମିକୁ ନିଜର କରିବା ପାଇଁ ଆନ୍ତରିକ ଉଦ୍ୟମ କରିବା ଲାଗି ।

 

ସୁଦୂର ଅତୀତର, ବିଗତ ପଂଚଦଶ ଶତାବ୍ଦୀରେ ସେଇଭଳି ସାମାଜିକ ପରିବେଶ ଭିତରେ ସେଇ ବଙ୍ଗଳାରେ ଜନ୍ମଗ୍ରହଣ କରିଥିଲେ ଚୈତନ୍ୟ । ଚୈତନ୍ୟଙ୍କ ନିଃସ୍ଵାର୍ଥପର ଚେଷ୍ଟା ଫଳରେ ଦେଶରୁ ଅନେକାଂଶରେ ହିନ୍ଦୁ-ମୁସଲମାନ୍‍, ବ୍ରାହ୍ମଣ-ଅବ୍ରାହ୍ମଣର ଭେଦଭାବ ଲୋପ ପାଇ ପାରିଥିଲା । କିନ୍ତୁ ତାଙ୍କର ମୃତ୍ୟୁ ପରେ ପରେ ଅବସ୍ଥା ପୁଣି ପୂର୍ବାବସ୍ଥାକୁ ଫେରି ଯାଇଥିଲା ରଥଚକ ଭଳି ଓ ତାପରେ ତାହା ସ୍ଥିର ହୋଇ ରହିଯାଇଥିଲା ଉପଯୁକ୍ତ ଶକ୍ତିର ଅଭାବରୁ । ଇତ୍ୟବସରରେ ଇଂରେଜମାନେ ବାଣିଜ୍ୟ ବ୍ୟବସାୟ ନାମରେ ଏ ଦେଶକୁ ଆସି ଶାସନ ଡୋରିକୁ ନିଜ ଅନ୍ତିଆରକୁ ନେଇପାରିବ ପାଇଁ ସମର୍ଥ ହୋଇଥିଲେ ।

 

ଭାରତକୁ ଶାସନ କରିବା ପାଇଁ ସହାୟକ ହେଉଥିବା କର୍ମଚାରୀ ନିଯୁକ୍ତି ଆଖି ଆଗରେ ରଖି ଇଂରେଜମାନେ କଲିକତାଠାରେ ଗୋଟିଏ କଲେଜ ପ୍ରତିଷ୍ଠା କରିଥିଲେ, ଭାରତର ତତକାଳୀନ ସଂସ୍କୃତ ପଣ୍ଡିତମାନଙ୍କ ନେତୃତ୍ୱକୁ ସ୍ଵୀକାର କରି ଓ ସେଇମାନଙ୍କ ନିର୍ଦ୍ଦେଶରେ ପ୍ରାୟ, ସ୍ଵାଭାବିକ ସାମାଜିକ ଚଳଣିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରି । ପରିଣାମତଃ ସେମାନେ କେବଳ ମନେ କରୁଥିଲେ ଯେ ପ୍ରକୃତରେ ସମାଜର ଉଚ୍ଚତମ ବୁଦ୍ଧିଜୀବୀ ଗୋଷ୍ଠୀ ହିସାବରେ ସରକାର ସେମାନଙ୍କୁ ଗ୍ରହଣ କରିଥିବା ଦୃଷ୍ଟିରୁ ସେଇମାନେହିଁ ସମାଜର ବଡ଼ ପଣ୍ଡା । ଫଳତଃ ଦେଶରେ ଶାସନ କରୁଥିବା ଇଂରେଜ ଲୋକଙ୍କ ସମକକ୍ଷ ବୋଲି ନିଜକୁ ମନେ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହୋଇ ଯାଇଥିଲା । ସେଇମାନଙ୍କ ମଧ୍ୟରୁ ଯେଉଁମାନେ ଇଂରେଜମାନଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ ସେମାନେ ମଧ୍ୟ ନିଜ ବୁଦ୍ଧି ଓ ବିବେକର ଧାରା ପୂର୍ବସୂରାମାନଙ୍କ ଦ୍ଵାରା ପ୍ରଚଳିତ ସାମାଜିକ ନିୟମ କାନୁନ୍ ଗଣ୍ଡି ମଧ୍ୟରୁ ଅଲଗା କରିପାରୁ ନ ଥିଲେ । କାର୍ଯ୍ୟାଳୟରେ ଓ ବାହାରେ ସରକାରୀ ହାକିମମାନଙ୍କ ବୁଦ୍ଧି, ବିବେକ, ଜ୍ଞାନ ପ୍ରଭୃତିର ଭୂୟସୀ ପ୍ରଶଂସା କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକେ ଦିନର କାର୍ଯ୍ୟ ଶେଷ କରି ହିଁ ଘର ଭିତରକୁ ଯାଉଥିଲେ । କାରଣ ଥିଲା, ଖ୍ରୀଷ୍ଟିୟାନମାନଙ୍କୁ ଛୁଇଁବା ଧର୍ମ ଦୃଷ୍ଟିରୁ ଏକ ପାପ କାର୍ଯ୍ୟ ବୋଲି ବିବେଚନା କରାଯାଉଥିଲା-। ବ୍ରାହ୍ମଣ/ଦେବପୁଜକମାନଙ୍କୁ ସାମାନ୍ୟ ଦକ୍ଷିଣା ଦେଇ ନିଜକୁ କୃତ ସମସ୍ତ ପାପରୁ ମୁକ୍ତିଲାଭ କରିପାରୁଥିଲେ ସେମାନେ ।

 

ଅପର ପକ୍ଷରେ ଇଷ୍ଟଇଣ୍ଡିଆ କମ୍ପାନୀ ସରକାର ମନେ କରୁଥିଲେ ଭାରତୀୟ ସାମାଜିକ ଚଳଣିରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବା ମାନେଇ ନିଜ ପ୍ରତି ବିପଦ ।

 

ସେଇଭଳି ଏକ ଘଡ଼ିସନ୍ଧି ବେଳରେ ହିଁ ରାମମୋହନ ଉଭୟ ଗୋଷ୍ଠୀ ମଧ୍ୟରେ ଛିଡ଼ା ହୋଇଥିଲେ । ଅନ୍ଧ ଭାବରେ କଂପାନୀ ସରକାରଙ୍କୁ ସମର୍ଥନ କରିପାରି ନଥିଲେ ସେ, କିମ୍ଵା ବ୍ରାହ୍ମଣ ପଣ୍ଡିତମାନଙ୍କୁ ସମାଜର ବଡ଼ପଣ୍ଡା ଭାବରେ ଗ୍ରହଣ କରିପାରି ନ ଥିଲେ । ଯେତେବେଳେ ରାମମୋହନ ନିଜର ସମାଜ-ସଂସ୍କାରମୂଳକ ମତ ସର୍ବସାଧାରଣରେ ପ୍ରଚାର ପାଇଁ ପ୍ରକାଶ କରିଥିଲେ, ସେ କଠୋର ଭାବରେ ସମାଲୋଚିତ ହୋଇଥିଲେ ଉଭୟ ଗୋଷ୍ଠୀଙ୍କ ଦ୍ଵାରା । ତଥାପି ସେ ଥିଲେ ଅବିଚଳିତ । ଏବଂ ସେଇଥିପାଇଁ ହିଁ ସେ ବିଜୟ ମାଲ୍ୟାର୍ପିତ ହୋଇଥିଲେ ପରିଶେଷରେ-

 

୧୭୯୩ ମସିହାରେ ରାମମୋହନଙ୍କ ଜନ୍ମସ୍ଥାନ ବଙ୍ଗଳାରେ ହୋଇଥିବା ଚିରସ୍ଥାୟୀ ବନ୍ଦୋବସ୍ତର ପରିଣାମ ନିମ୍ନବିତ୍ତ ଶ୍ରେଣୀୟ ଲୋକଙ୍କ ପାଇଁ ନିଶ୍ଚିତଭାବେ ଥିଲା ଏକ ଚରଣ ଅଭିଶାପ । କେବଳ ହିନ୍ଦୁ କାହିଁକି, ମୁସଲମାନ ସଂପ୍ରଦାୟର ଚାଷୀମାନେ ମଧ୍ୟ ଦାରିଦ୍ର୍ୟର ନିଷ୍ଠୁର ଅଭିଶାପଗ୍ରସ୍ତ ହୋଇଥିଲେ । ସବୁଠାରୁ ବିଶେଷଭାବେ କଷ୍ଟ ପାଇଥିଲେ ଜମିହୀନ କୃଷି ମଜୁରିଆମାନେ । ଅପରପକ୍ଷରେ ସମାଜର ମୁଷ୍ଟିମେୟ ଧନୀକ ଗୋଷ୍ଠୀର କେତେକ ଲୋକ ଓ ସଂସ୍କୃତ ପଣ୍ଡିତମାନେ ସମସ୍ତ ସୁବିଧା ସୁଯୋଗ ପାଇଥିଲେ କମ୍ପାନୀ ସରକାରଙ୍କଠାରୁ । ଏପରିକି ସେମାନଙ୍କ ସନ୍ତାନ ସନ୍ତତିମାନେ ମଧ୍ୟ ଶିକ୍ଷା ଲାଭ କରିବାର ଅଧିକାର ହାସଲ କରୁଥିଲେ । ସେମାନେ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ଯେମିତି ଏକମାତ୍ର ଅଧିକାରୀ ଥିଲେ ।

 

ସାଧାରଣ ଜନତା ନିଜର ବ୍ୟକ୍ତିତ୍ଵ ରକ୍ଷା କରିପାରିବାର ସାମର୍ଥ୍ୟ ହାସଲ କରିପାରି ନ ଥିଲା ଏବଂ ସାମାଜିକ ନ୍ୟାୟ ପାଇବାରୁ ବଞ୍ଚିତ ଥିଲେ ସେମାନେ । ଦେଶର ଅବ୍ରାହ୍ମଣମାନଙ୍କର ମଧ୍ୟ ପ୍ରାୟ ସମଦଶା । ଜମିଦାରମାନଙ୍କ ଦ୍ଵାରା ଅତ୍ୟାଚାରିତ ହୋଇ କୁଲି ମଜୁରିଆ ଶ୍ରେଣୀର ଲୋକମାନେ ଭବିଷ୍ୟତର ଅନିଶ୍ଚିତତା ସତ୍ତ୍ଵେ କଲିକତାର ଆଖପାଖ ଅଞ୍ଚଳକୁ ଚାଲି ଆସୁଥିଲେ ନିଜ ନିଜର ଜନ୍ମମାଟିର ମମତାକୁ ପଛରେ ପକାଇ ଦେଇ । କୌଣସିମତେ ଜୀବନଯାପନ କରିବେ ତ ?

 

ଜମିଦାରମାନେ ମଧ୍ୟ ନିଜ ନିଜର ବିକାଶ ପାଇଁ କଲିକତା ନଗରୀରେ ନିଜ ନିଜର ପ୍ରାସାଦ ନିର୍ମାଣ କରୁଥିଲେ । କ୍ରମଶଃ ଇଂରେଜମାନଙ୍କଠାରୁ ଦେଖି ଶିଖି ତାଙ୍କରି ଢାଞ୍ଚାରେ ବାହ୍ୟାଡ଼ମ୍ବର ଦେଖାଇବା ପାଇଁ ଆଗେଇ ଆସୁଥିଲେ । କିନ୍ତୁ ରକ୍ଷଣଶୀଳ ତଥାକଥିତ ଶିକ୍ଷିତ ଓ ବୁଦ୍ଧିଜୀବୀ ଗୋଷ୍ଠୀ ସେମାନଙ୍କ ବିଚାରଧାରା ବା ଜ୍ଞାନର ପରିସର ବୃଦ୍ଧି ପାଇଁ ଇଂରେଜମାନଙ୍କ ଭାଷା ଶିକ୍ଷା କରିବା କିମ୍ଵା ଉନ୍ନତ ବିଜ୍ଞାନ ଶିକ୍ଷା କରିବା କିମ୍ଵା ଆଉ ସେଭଳି କିଛି କାର୍ଯ୍ୟକଳାପ ଦ୍ଵାରା ନିଜ ନିଜର ଜ୍ଞାନ ବୃଦ୍ଧି କରିବା ପାଇଁ ଆଦୌ ଆଗ୍ରହାନ୍ଵିତ ନ ଥିଲେ । କେବଳ ପାଥବ ପୃଥିବୀରେ ଜୀବନ ଧାରଣ ପାଇଁ ବିଳାସ ବ୍ୟସନ ହିଁ ଏକମାତ୍ର ଅନୁକରଣୀୟ ଥିଲା ଯେମିତି ସେମାନଙ୍କ ପାଇଁ । ତା ବ୍ୟତୀତ ଅନ୍ୟ ସବୁ କଥା ଥିଲା ବିଧର୍ମୀ କାର୍ଯ୍ୟ । ନିଜ ନିଜର ବ୍ୟକ୍ତିଗତ ସ୍ଵାର୍ଥ ହିଁ ସେମାନଙ୍କ ପାଇଁ ଥିଲା ପ୍ରଧାନ ସମ୍ବଳ । କେଉଁ ଗୋଷ୍ଠୀର ଅନ୍ୟ ଗୋଷ୍ଠୀ ସହିତ ସହଯୋଗ ନଥିଲା । ନିମ୍ନବିତ୍ତ ଶ୍ରେଣୀୟ ଲୋକେ ଅତ୍ୟାଚାରୀ ଜମିଦାରମାନଙ୍କୁ ବିଶ୍ୱାସ କରିବା ପ୍ରଶ୍ନ ତ ନ ଥିଲା, ଇଂରେଜମାନଙ୍କୁ ମଧ୍ୟ ଆପଣାର ମନେ କରିପାରୁ ନଥିଲେ ।

 

ଦେଶର ସେଭଳି ଏକ ସଂକଟମୟ ସମୟରେ ରାଜା ରାମମୋହନଙ୍କ ଜନ୍ମ ଦେଶ ପାଇଁ ନିଶ୍ଚିତଭାବେ ଥିଲା ଶୁଭଙ୍କର ।

 

ରାମମୋହନଙ୍କ ପିତା ନିଜର ମୃତ୍ୟୁବେଳେ ଯେଉଁ ଅର୍ଥ ତାହାଙ୍କ ପାଇଁ ଛାଡ଼ି ଯାଇଥିଲେ, ଇଚ୍ଛା କରିଥିଲେ ଅନ୍ୟାନ୍ୟ ଜମିଦାରଙ୍କ ଭଳି ସେ ମଧ୍ୟ କିଛି କିଛି ବ୍ୟବସାୟ କରି ସୁନ୍ଦର ଓ ବିଳାସପୂର୍ଣ୍ଣ ଭାବରେ ଜୀବନ ଯାପନ କରିପାରିଥାନ୍ତେ । ଅନ୍ତତଃ ଦୁଇଜଣ ଇଂରେଜ ଲୋକ ତାହାଙ୍କୁ ଖୁବ୍ ଭଲ ପାଉଥିଲେ ପ୍ରାରମ୍ଭିକ ଅବସ୍ଥାରୁ ଓ ଟଙ୍କା ମଧ୍ୟ କରଜ ନେଉଥିଲେ । ଟଙ୍କା ଧାର କରିବା କେବଳ ସେମାନଙ୍କ ପାଇଁ ସର୍ବସ୍ଵ ନ ଥିଲା-ରାଜାଙ୍କ ବ୍ୟକ୍ତିତ୍ଵରେ ସମ୍ମୋହିତ ହୋଇ ଉଠିଥିଲେ ସେମାନେ । ପରେ ପରେ ଫୋର୍ଟ ଉଇଲିୟମ୍ କଲେଜ ମାଧ୍ୟମରେ ୟେଟ୍‍ସ, କାରେ, ୱାର୍ଡ଼ ପ୍ରମୁଖଙ୍କ ସହ ରାମମୋହନ କାର୍ଯ୍ୟ କରିଥିଲେ ଏକାଠି ।

 

କଲିକତା ନିକଟବର୍ତ୍ତୀ ମାଣିକତୋଳାଠାରେ ଥିବା ତାଙ୍କ ନିଜ କୁଟୀରରେ ବିଶ୍ୱ ସୃଷ୍ଟି ବିଜ୍ଞାନ ତଥା ସ୍ରଷ୍ଟାଙ୍କ ସମ୍ପର୍କରେ ଆଲୋଚନା ବହୁବେଳ ହେଉଥିଲା । ରାଜାଙ୍କ ସେହି ଗୃହ ଥିଲା ଦେଶ ତଥା ବିଦେଶାଗତ ବହୁ ବିଜ୍ଞ ବ୍ୟକ୍ତିଙ୍କ ମିଳନ ପୀଠ । ରାମମୋହନ ସେଇମାନଙ୍କ ସଂସ୍ପର୍ଶରେ ଆସିବା ପରେ ପରେ ବିଦେଶୀ ଭାଷା ଶିକ୍ଷା କରିବା ତଥା ବିଦେଶର ସାହିତ୍ୟ ଓ ରାଜନୀତି ପ୍ରତି ଅଧିକ ପରିମାଣରେ ଆଗ୍ରହାନ୍ୱିତ ହୋଇ ଉଠିଥିଲେ ।

 

ଜନ୍ ଦିଗବୀଙ୍କ ଅଧୀନରେ ସହକାରୀ ରେଭିନ୍ୟୁ ଅଫିସର ଭାବରେ ନିଯୁକ୍ତି ପାଇବା ପରେ ପରେ ଇଂରାଜୀ ଭାଷା ଶିକ୍ଷା କରିବା ପାଇଁ ସେ ଯେଉଁ ଅପୂର୍ବ ସୁଯୋଗ ପାଇଥିଲେ ତାର ପୂର୍ଣ୍ଣ ଉପଯୋଗ କରିଥିଲେ ସେ । ଇଉରୋପୀୟ ଦେଶଗୁଡ଼ିକରେ ଘଟିଯାଉଥିବା ଘଟଣାବଳୀ ସମ୍ପର୍କରେ ପତ୍ରପତ୍ରିକାରୁ ଅବହିତ ହେବା ସଙ୍ଗେ ସଙ୍ଗେ ସେ ପଢ଼ିଥିଲେ ଫରାସୀ ରାଷ୍ଟ୍ରବିପ୍ଲବର କାହାଣୀ, ଆମେରିକୀୟ ସ୍ଵାଧୀନତା ଆନ୍ଦୋଳନ, ଇଂଲଣ୍ଡର ରାଜନୈତିକ କାର୍ଯ୍ୟକଳାପର ବିବରଣୀ ଇତ୍ୟାଦି । ଯେ କୌଣସି ଦେଶର ସ୍ୱାଧୀନତା ଆନ୍ଦୋଳନ ପ୍ରତି ବିଶେଷ ଭାବରେ ଆଗ୍ରହୀ ହୋଇ ଉଠୁଥିଲେ ସେ ଏବଂ ସେ ଚାହୁଁଥିଲେ ସମଗ୍ର ବିଶ୍ୱର ମାନବ ନିଷ୍ପେଷଣରୁ ମୁକ୍ତି ପାଉ । ତେଣୁ ସଦାସର୍ବଦା ମୁକ୍ତିକାମୀ ଜନଗଣଙ୍କ ସପକ୍ଷରେ ନିଜର ମତ ବ୍ୟକ୍ତ କରୁଥିଲେ । କୌଣସି ଦେଶରେ ପରାଧୀନତାର ଶୃଙ୍ଖଳ ସତେ ଯେମିତି ରାମମୋହନଙ୍କ ହାତରେ ହାତକଡ଼ି ପକାଇ ଦେଉଥିଲା । ଜଣେ ଇଂରେଜ ବିଜ୍ଞ ବ୍ୟକ୍ତି ସେଥିପାଇଁ ବୋଧହୁଏ ରାମମୋହନଙ୍କ ସମ୍ପର୍କରେ ଲେଖିଥିଲେ “The lively interest he took in the progress of South American emancipation eminently marks the greatness and benevolence of his mind” *

 

* Edinburgh Magazine-1823.

 

ରାମମୋହନଙ୍କ ଏ ପ୍ରକାର ମତିଗତି ସହିତ ତାଙ୍କର ଧର୍ମଗତ ସମାଜର ପରିବର୍ତ୍ତନ ସହିତ ପ୍ରଚଳିତ ପରଂପରା ତଥା ଧର୍ମଧାରଣା ଗୁଡ଼ିକର ଆବଶ୍ୟକୀୟ ପରିବର୍ତ୍ତନ ମଧ୍ୟ କରାଯାଇପାରେ କିମ୍ବା ଦରକାର ହେଲେ ପରିହାର ମଧ୍ୟ କରାଯାଇପାରେ-ତାହାଙ୍କୁ ସମ୍ପୂର୍ଣ୍ଣ ଧର୍ମ ଓ ସମାଜବିରୋଧୀ କରାଇଦେଇଥିଲା । ରକ୍ଷଣଶୀଳ ପଣ୍ଡିତମାନଙ୍କ ମତ ଥିଲା ପୂର୍ବପୁରୁଷମାନଙ୍କ ଦ୍ୱାରା ପ୍ରଚଳିତ ପରଂପରାଗୁଡ଼ିକର କୌଣସି ପରିସ୍ଥିତିରେ କୌଣସି ପ୍ରକାରର ପରିବର୍ତ୍ତନ ସମ୍ଭବ ନୁହେଁ; ଯେଭଳି ଭାବରେ ସମାଜ ପରିବର୍ତ୍ତିତ ହେଉ ପଛେ । ହିନ୍ଦୁଧର୍ମ ଓ ହିନ୍ଦୁ ସମାଜ ବ୍ୟତୀତ ପୃଥିବୀର ଅନ୍ୟ କୌଣସି ଧର୍ମାନୁଷ୍ଠାନ ସହିତ ସମ୍ପର୍କ ମଧ୍ୟ ଅସାମାଜିକ ଓ ବିଧର୍ମୀ କାର୍ଯ୍ୟ ରୂପେ ପରିଗଣିତ ହେଉଥିଲା ।

 

ସମାଜର ତଥାକଥିତ ଉଚ୍ଚ ଶ୍ରେଣୀୟ ଧନିକ ତଥା ସଂଭ୍ରାନ୍ତ ଯୁବକମାନେ ଅଫିମ ଖାଇବା, ଘୁଡ଼ି ଉଡ଼ାଇବା କିମ୍ବା ଜୀବନରେ ଯୌବନକୁ ତିଳତିଳ କରି ଉପଭୋଗ କରିବାରେ ହିଁ ସମୟ ଅତିବାହିତ କରୁଥିଲେ । ପ୍ରଚୁର ଗଞ୍ଜା କିମ୍ବା ଅଫିମ ଖାଇବା ସଙ୍ଗେ ସଙ୍ଗେ ଏକାଧିକ ନାରୀ ଉପଭୋଗ କରିବା ସାମାଜିକ ଅପରାଧ ସ୍ୱରୂପ ପରିଗଣିତ ହେଉ ନଥିଲା ସେତିକିବେଳେ । ସାମାଜିକ ନ୍ୟାୟ ନାରୀ ସମାଜ ପାଇଁ ତ ଥିଲା ଦୂରର କଥା । ତେଣୁ ଯେତେବେଳେ ନାରୀଶିକ୍ଷା ପାଇଁ ରାମମୋହନ ଯୁକ୍ତି କରିଥିଲେ, ଅଜ୍ଞାନ ଅନ୍ଧକାରଚ୍ଛନ୍ନ ସମାଜ ସେତେବେଳେ ଖଡ଼୍‍ଗହସ୍ତ ନ ହୋଇଥାନ୍ତା ବା କେମିତି ?

 

ରାମମୋହନ ଯେତେବେଳେ ଅନୁଭବ କରିଥିଲେ ଯେ ବଙ୍ଗଳା ପ୍ରକୃତରେ ଅପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ସଜ୍ଜିତ କରି ରଖିଛି, ସେ ଆନ୍ତରିକ ଭାବେ ଚାହିଁଥିଲେ ସେ ଅପ୍ରାକୃତିକତାକୁ କୌଣସି ମତେ ଦୂର କରିବେ; ଧାର୍ମିକ, ସାମାଜିକ ତଥା ଅର୍ଥନୈତିକ ସମସ୍ୟାବଳୀରୁ ଜନଗଣଙ୍କୁ ମୁକ୍ତ କରିବାପାଇଁ ଉଦ୍ୟମ କରିବେ । ଏବଂ ଠିକ୍ ସେତିକିବେଳେ ସେ ଆଉ ଜଣେ ଶିକ୍ଷିତ, ଧନାଢ଼୍ୟ, ପ୍ରଭାବଶାଳୀ ତଥା ସମଚିନ୍ତାଧାରାସମ୍ପନ୍ନ ବ୍ୟକ୍ତିର ଆନ୍ତରିକ ସହଯୋଗ ଲାଭ କରିଥିଲେ-। ସେ ଥିଲେ ବିଶ୍ୱକବିଙ୍କ ଜଣେ ପୂର୍ବପୁରୁଷ-ଦ୍ଵାରିକାନାଥ ଠାକୁର ।

 

ବୌଦ୍ଧିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଭାରତକୁ ନୂତନ କରି ଗଢ଼ି ତୋଳିବା ପାଇଁ ନିଜକୁ ସଂପୂର୍ଣ୍ଣରୂପେ ଉତ୍ସର୍ଗୀକୃତ କରିଦେଇଥିଲେ ରାମମୋହନ । ଅଜ୍ଞ ଜନଗଣଙ୍କ ପାଇଁ ସେ ଯେତିକି ସହାନୁଭୂତିଶୀଳ ହୋଇ ଉଠୁଥିଲେ ସେତିକି ପରିମାଣରେ ନିଜକୁ ପ୍ରସ୍ତୁତ କରିଥିଲେ ସେହିଭଳି ଅଜ୍ଞତାର ଅନ୍ଧକାର ଭିତରେ ରଖାଇଥିବା ତଥାକଥିତ ନେତୃବୃନ୍ଦଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ । ଜ୍ଞାନଲିପ୍‍ସୁ ମନ ତାଙ୍କର ସେଇଥିପାଇଁ ସବୁବେଳେ ବ୍ୟଗ୍ର ଥିଲା ଚିରନ୍ତନ ସତ୍ୟର ଉଦ୍‍ଘାଟନ ପାଇଁ ଏବଂ ତାର ପରିପ୍ରଚାର ପାଇଁ । ସେଇଥିପାଇଁ ହିଁ ସେ ଚାହିଁଥିଲେ ସବୁ ଧର୍ମର ମୂଳଗ୍ରନ୍ଥ ଓ ମୌଳିକ ରଚନାଗୁଡ଼ିକୁ ଅଧ୍ୟୟନ କରିବାପାଇଁ । ରାମମୋହନ ଆରବୀ ଭାଷା ଶିକ୍ଷା କରିଥିଲେ କୋରାନ୍‍ ଅଧ୍ୟୟନ ପାଇଁ ଓ ସେଇମିତି ବେଦ ଓ ଉପନିଷେଦ ପାଠ କରିବାପାଇଁ ସଂସ୍କୃତ, ଖ୍ରୀଷ୍ଟିୟାନ୍ ଧର୍ମଗ୍ରନ୍ଥ ପୁରାତନ ଟେଷ୍ଟାମେଣ୍ଟ ଏବଂ ତାଲ୍‌ମୁଡ୍ (Talmud) ଅଧ୍ୟୟନ ଲାଗି ହିବୃ ଏବଂ ନୂତନ ଟେଷ୍ଟାମେଣ୍ଟ ଅଧ୍ୟୟନ ପାଇଁ ଗ୍ରୀକ୍ ଭାଷା ଶିକ୍ଷା କରିଥିଲେ ।

 

ବିଭିନ୍ନ ଭାଷା ମାଧ୍ୟମରେ ବିଭିନ୍ନ ଧର୍ମଗ୍ରନ୍ଥର ମୂଳ ମୌଳିକ ରଚନା ସବୁ ପାଠକରି ସରିବା ପରେ ଭାରତୀୟ ଜୀବନଧାରାର ପ୍ରଚଳିତ ପରମ୍ପରାରୁ ଶିକ୍ଷଣୀୟ ତଥା ଆବଶ୍ୟକୀୟ ନୀତିଗୁଡ଼ିକୁ ଗ୍ରହଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ହୋଇଥିଲେ ସେ । ମାନବିକ ସଂସ୍କୃତିକୁ ନିଜର କରିବା ପାଇଁ ସେ ଥିଲେ ଅଗ୍ରଣୀ ଏବଂ ସେଇ ଦୃଷ୍ଟିରୁ ଭାରତର ତଥା ପୃଥିବୀର ଅନ୍ୟ ପ୍ରାନ୍ତୀୟ ଚଳଣିଗୁଡ଼ିକୁ ବହୁଳ ଭାବର ପ୍ରଚାର ତଥା ପ୍ରସାର କରିବା ପାଇଁ ଆଗ୍ରହୀ ହୋଇ ଉଠିଥିଲେ । ପ୍ରକୃତରେ ସେ ଥିଲେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତା ତଥା ସଂସ୍କୃତିର ସେତୁବଦ୍ଧ । ଏବଂ ସେ ସବୁ ସତ୍ତ୍ୱେ ନିଜ ଦେଶର ପରମ୍ପରା, ଗର୍ବ ଓ ଗୌରବକୁ ବଜାୟ ରଖିବା ଲାଗି ସେ ଥିଲେ ସର୍ବଦା ସଚେତନ ।

 

ରାମମୋହନଙ୍କ ସ୍ପଷ୍ଟ ମତ ଥିଲା, ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା ଏକ ବ୍ୟତୀତ ଦ୍ଵିତୀୟ ହୋଇ ନ ପାରନ୍ତି । ସେଇ କାରଣରୁ ସମଗ୍ର ବିଶ୍ଵର ଜନସମାଜ ଭ୍ରାତୃତ୍ଵର ବନ୍ଧନରେ ବାନ୍ଧିହେବା ଅସମ୍ଭବ ନୁହେଁ ବୋଲି ମତ ପୋଷଣ କରୁଥଲେ ସେ । ତେଣୁ ଦେଶ ଦେଶ ମଧ୍ୟରେ ସମସ୍ତ ପ୍ରକାର କନ୍ଦଳକୁ ପାରସ୍ପରିକ ସୂତ୍ରରେ ଦୂର କରାଯାଇପାରିବ ବୋଲି ସେ ବିଶ୍ୱାସ କରୁଥଲେ । ଫ୍ରାନ୍‍ସକୁ ଯିବାପାଇଁ ହେଲେ ପାସପୋର୍ଟର ଆବଶ୍ୟକତା ନେଇ ୧୮୩୧ ମସିହା ଡିସେମ୍ବର ୨୬ ତାରିଖରେ ପ୍ରିନସ୍ ଟାଲେରେଣ୍ଡ (Prince Talleyrend)ଙ୍କ ନିକଟକୁ ଲେଖିଥିବା ପତ୍ର ସେ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ । ସେଥିରେ ସେ ଆଶାପୋଷଣ କରିଥିଲେ-ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବାକୁ ହେଲେ ଜନଗଣଙ୍କୁ ଅନେକ କ୍ଷେତ୍ରରେ ସ୍ଵାଧୀନତା ମିଳିବା ଆବଶ୍ୟକ । ପରସ୍ପରର ସହଯୋଗ ବିନା କୌଣସି କ୍ଷେତ୍ରରେ ଭ୍ରାତୃତ୍ୱ ସମ୍ଭବ ନୁହେଁ । ଯେହେତୁ ସମଗ୍ର ବିଶ୍ଵ ଏକମାତ୍ର ସ୍ରଷ୍ଟାଙ୍କ ଦ୍ଵାରା ସୃଷ୍ଟ, ତେଣୁ ପରସ୍ପରର ସହଯୋଗ ପାଇବା ଆଦୌ କଷ୍ଟକର ବ୍ୟାପାର ନୁହେଁ । ସେଥିପାଇଁ ପ୍ରବଳ ଆବଶ୍ୟକତା ଉଦ୍ୟମ ଏବଂ ଠିକ୍‍ ସେହିଭଳି ଆନ୍ତର୍ଜାତିକ ସହଯୋଗ ଆବଶ୍ୟକ ପୃଥିବୀର ସାମୂହିକ ସମୃଦ୍ଧି ପାଇଁ । ସମୟେ ସମୟେ ରାଜନୈତିକ ଏବଂ ବାଣିଜ୍ୟିକବିବାଦ ତ ଉପୁଜିବ ନିଶ୍ଚୟ; ତେବେ ସେଭଳି ବିବାଦସବୁ ଉଭୟ ଦେଶର ପ୍ରତିନିଧିମାନଙ୍କୁ ନେଇ ପାରସ୍ପରିକ ବୁଝାମଣା ଭିତ୍ତିରେ ସମାଧାନ ହେବା ଆବଶ୍ୟକ । ତାଙ୍କ ନିଜ ଭାଷାରେ “By such a Congress all matters of difference whether political or commercial...might be settled amicably and justly to the satisfaction of the both” ଦୂରଦ୍ରଷ୍ଟା ରାମମୋହନଙ୍କ ସେତେବେଳର ସେଇ ଚିନ୍ତା ବର୍ତ୍ତମାନ ଅଶାନ୍ତ ପୃଥିବୀର ପ୍ରଧାନ ସମସ୍ୟା । ସମଗ୍ର ପୃଥିବୀରେ ବର୍ତ୍ତମାନ କିପରି ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ, ଭ୍ରାତୃତ୍ୱର ବନ୍ଧନକୁ କିପରି ସୁଦୃଢ଼ କରାଯାଇ ପାରିବ, ତାହାହିଁ ବର୍ତ୍ତମାନ ପ୍ରକୃତରେ ଶାନ୍ତିକାମୀ ଦେଶର ନେତୃବୃନ୍ଦଙ୍କ ପ୍ରଧାନ ଚିନ୍ତା । ସେଇ ଚିନ୍ତା ଅନେକ ବର୍ଷ ତଳେ ରାମମୋହନଙ୍କ ଚିନ୍ତାଧାରାରେ ପରିସରଭୁକ୍ତ ଥିଲା ।

 

ତଥାପି ରକ୍ଷଣଶୀଳ ହିନ୍ଦୁମାନେ ରାଜାଙ୍କୁ ହିନ୍ଦୁଧର୍ମର ବିରୋଧୀ ବୋଲି ଆଖ୍ୟାୟିତ କରିବାପାଇଁ ତତ୍ପର ହୋଇ ଉଠିଥିଲେ; ଖଡ଼୍‍ଗହସ୍ତ ହୋଇଥିଲେ ଯେତେବେଳେ “ସତୀ” ହେବା କୌଣସି ଧର୍ମସମ୍ମତ ନୁହେଁ ବୋଲି ଅକାଟ୍ୟ ଯୁକ୍ତି ଦର୍ଶାଇଥିଲେ ସେ । କଠ ଉପନିଷଦ ଉଦ୍ଧାର କରି ସେ ଦର୍ଶାଇ ଦେଇଥିଲେ ଯେ ରକ୍ଷଣଶୀଳ ହିନ୍ଦୁ ସମାଜ ନାରୀଜାତିକୁ ଏଭଳି ଭାବରେ ଅବହେଳିତ କରି ରଖିବାପାଇଁ କୌଣସି ଧାର୍ମିକ ନିର୍ଦ୍ଦେଶ ନ ଥିଲା । ବରଂ ସମାଜରେ ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ତଥା ସୁଯୋଗ ଦେବାପାଇଁ ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ଯଥେଷ୍ଟ ସୂଚନା ଥିଲା । ବିଧବା ନାରୀ ସମ୍ମାନନୀୟ ସନ୍ନ୍ୟାସ ଜୀବନଯାପନ କରିବାପାଇଁ ଯଥେଷ୍ଟ ସୂଚନା ଧର୍ମଗ୍ରନ୍ଥମାନଙ୍କରେ ମିଳୁଥିବା ସ୍ଥଳେ ଓ ତାର ଅନ୍ୟାନ୍ୟ ଅନେକ ଅଧିକାର ପୁରୁଷମାନଙ୍କ ସହିତ ସମାନ ଭାବରେ ଉପଭୋଗ କରିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ, ରକ୍ଷଣଶୀଳ ହିନ୍ଦୁ ପଣ୍ଡିତମାନେ ହିଁ ସେମାନଙ୍କୁ ସେ ସବୁଥିରୁ ବଞ୍ଚିତ କରାଇବା ଚକ୍ରାନ୍ତ କରୁଥିଲେ ବୋଲି ଅକାଟ୍ୟ ଯୁକ୍ତି ଦେଖାଇଥିଲେ ରାମମୋହନ । ସେ ସବୁରି ମୂଳରେ ଥିଲା ଶିକ୍ଷାର ଅଭାବ । ସେ ସମାଜକୁ ଦେଖାଇ ଦେଇଥିଲେ ଯେ; କୌଣସି ଶାସ୍ତ୍ର କୌଣସି ସ୍ଥାନରେ ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ଶିକ୍ଷା ଲାଭ କରିବାପାଇଁ ବିରୋଧ କରି ନ ଥିଲା । ତା ହୋଇଥିଲେ ଅତୀତ ଭାରତରେ ଲୀଳାବତୀ, ଭାନୁମତି, ମୈତ୍ରେୟୀ ପ୍ରମୁଖଙ୍କ ଭଳି ବିଦୁଷୀମାନେ ନିଜ ନିଜକୁ ଉପଯୁକ୍ତ ଭାବେ ଗଢ଼ିତୋଳି ପାରି ନ ଥାନ୍ତେ ବରଂ ଅସାମାଜିକ ହୋଇଥାନ୍ତେ । ସେତେବେଳ ସମାଜରେ ନାରୀ-ସେ ମା ହେଉ, କନ୍ୟା ହେଉ ବା ସ୍ତ୍ରୀ ହେଉ ବା ଉଚ୍ଚ ଶିକ୍ଷିତ ହେଉ, କାହାରିବି ତିଳେ ମାତ୍ର ସମ୍ମାନ ନ ଥିଲା ।

 

ସାମାଜିକ ଜୀବନର ପ୍ରାରମ୍ଭରୁହିଁ ରାଜା ମମତାମୟ ହୋଇ ଉଠିଥିଲେ ଭାରତୀୟ ନାରୀ ସମାଜ ପ୍ରତି ।

 

ସେଇ ନାରୀ ପରିଶେଷରେ ଖଣ୍ଡିଏ ଶୁଖିଲା କାଠ ଭଳି ସ୍ୱାମୀର ଚିତାଗ୍ନିରେ ଜଳିବାପାଇଁ ବାଧ୍ୟ ହେଉଥିଲା ସତୀ ହେବା ନାଆଁରେ ।

 

ଏହି ଅମାନୁଷିକ, ନୃଶଂସ ଓ ପାଶବିକ ସାମାଜିକ ପ୍ରଥା ରାମମୋହନଙ୍କ ଅନ୍ତରତଳେ ସୃଷ୍ଟି କରିଥିଲା ଏକ ଗାଢ଼ ଦାଗ । ତାହାକୁ କୌଣସି ମତେ ବନ୍ଦ କରିବା ପାଇଁ ସେ ବଦ୍ଧପରିକର ହୋଇ ଉଠିଥିଲେ । ଦେଶର ପଣ୍ଡିତମାନଙ୍କ ମଧ୍ୟରୁ ବା ଇଂରେଜ ଶାସକମାନେ ସେଭଳି ଏକ ଅମାନୁଷିକ ଅସାମାଜିକ ପ୍ରଥା କୌଣସି ଧର୍ମଶାସ୍ତ୍ରସମ୍ମତ ନୁହେଁ ବୋଲି ସେ ଜାଣି ନ ଥିଲେ ତା’ ନୁହଁ, ସେମାନଙ୍କ ମଧ୍ୟରୁ କାହାରିବି ଆନ୍ତରିକ ଉଦ୍ୟମ ନଥିଲା ସେଭଳି କୁପ୍ରଥା ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ । ପୁନଶ୍ଚ ଇଂରେଜ ଶାସକମାନେ ନିଜ ନିଜର ସ୍ଥିତି ଦେଶରେ ବଜାୟ ରଖିବା ଲାଗି ବ୍ୟାକୁଳ ଥିବାରୁ ସେଭଳି ବହୁ ପ୍ରଚଳିତ ଓ ସମାଜ ସମର୍ଥିତ ପ୍ରଥାର ଅସାରତା ସତ୍ତ୍ଵେ ସେ ଭଳି ପରମ୍ପରାକୁ ବ୍ୟାହତ କରିବା ପାଇଁ ଇଚ୍ଛା କରୁ ନ ଥିଲେ । ଗଭର୍ଣ୍ଣର ଜେନେରାଲମାନଙ୍କ ଦୃଷ୍ଟି ସେ ଦିଗରେ ଆକର୍ଷିତ ହୋଇଥିଲେ ମଧ୍ୟ ଜନସମର୍ଥନର ଅଭାବ ହିଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ସାହସ ଯୋଗାଇ ପାରୁ ନ ଥିଲା, ବରଂ କୌଣସି ପଦକ୍ଷେପ ସେ ଦିଗରେ ନେବା ପାଇଁ ଉତ୍ସାହିତ କରୁ ନଥିଲା ।

 

ଯେତେବେଳେ ଲର୍ଡ଼ ବେଣ୍ଟିକ୍ ଭାରତର ଗଭର୍ଣ୍ଣର ଜେନେରାଲ ହୋଇ ଆସିଥିଲେ, ସେ ଚାହିଁଥିଲି ଅଜ୍ଞାନ ଅନ୍ଧକାର ଭିତରେ ବୁଡ଼ି ରହିଥିବା ଭାରତବାସୀଙ୍କୁ ସାମାନ୍ୟ ହେଲେ ମଧ୍ୟ ଆଲୋକର ରେଖା ଦେଖାଇବା ପାଇଁ । ସେ ଚାହିଁଥିଲେ ଭାରତର ଜନଗଣଙ୍କ ମଧ୍ୟରେ ରହିଥିବା ଅସଂଖ୍ୟ କୁସଂସ୍କାର ଦୂର କରିବା ପାଇଁ । ରାମମୋହନ, ଦ୍ଵାରକାନାଥ ଓ ବ୍ରାହ୍ମ ସମାଜର ସାମାଜିକ ଓ ସଂସ୍କାରମୂଳକ କାର୍ଯ୍ୟକଳାପ ଗଭର୍ଣ୍ଣର ଜେନେରାଲଙ୍କୁ ଆକୃଷ୍ଟ କରିପାରିଥିଲା । ସେ ଅନୁଭବ କରିଥିଲେ ସମସ୍ତ ବିଶ୍ୱାସ ଓ ଦୃଢ଼ତାର ସହିତ ସେମାନେ ଆନ୍ତରିକ ଉଦ୍ୟମ କରୁଥିଲେ ଦେଶର ସାମାଜିକ ସଂସ୍କାର ପାଇଁ, ଜନଗଣଙ୍କ ସାମାଜିକ, ଅର୍ଥନୈତିକ ତଥା ନୈତିକ ଉନ୍ନତି ପାଇଁ । ବେଣ୍ଟିକ୍ ଯଥାର୍ଥରେ ଲକ୍ଷ୍ୟ କରିଥିଲେ ସେମାନଙ୍କ ସେଭଳି କାର୍ଯ୍ୟକଳାପ ମୂଳରେ କୌଣସି ବ୍ୟକ୍ତିଗତ ସ୍ଵାର୍ଥ ନଥିଲା ।

 

ଅପର ପକ୍ଷରେ ଭାରତର ଗଭର୍ଣ୍ଣର ଜେନେରାଲଙ୍କ ସକ୍ରୀୟ ସହଯୋଗ ରାମମୋହନଙ୍କୁ ଯେତିକି ନୈତିକ ସାହସ ଦେଇଥିଲା, ସମାଜର ବିଭିନ୍ନ ସଂସ୍କାର ପାଇଁ ଜନମତ ସୃଷ୍ଟି କରିବା ଲାଗି ଓ ସେ ସବୁ ବିରୁଦ୍ଧରେ ସଂଗ୍ରାମରତ ରହିବା ପାଇଁ; ଠିକ୍ ସେତିକି ରାମମୋହନ ଓ ତାଙ୍କ ସମର୍ଥକମାନଙ୍କ ସରକାରଙ୍କ ନିକଟରେ ଦାବୀ ତଥା ସେଇଭଳି ଜନହିତକର ସରକାରୀ କାର୍ଯ୍ୟର ସମର୍ଥନ ଲର୍ଡ଼ ବେଣ୍ଟିକଙ୍କୁ ମଧ୍ୟ ସାହସ ଯୋଗାଇ ଦେଇଥିଲା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସରକାରୀ ଭାବରେ ଗ୍ରହଣ କରିବା ପାଇଁ । ତେଣୁ ରକ୍ଷଣଶୀଳ ହିନ୍ଦୁମାନଙ୍କ ସମସ୍ତ ବିରୋଧ ସତ୍ତ୍ୱେ “ସତୀ” ହେବା ଭଳି ଏକ ଅମାନୁଷିକ ପ୍ରଥାର ଉଚ୍ଛେଦ କରାଯାଇ ପାରିଥିଲା ଭାରତରୁ ।

 

ରାଜା ରାମମୋହନ ଯଥାର୍ଥରେ ଲକ୍ଷ୍ୟ କରିଥିଲେ ଭାରତୀୟ ସାମାଜିକ ଜୀବନରୁ ଅଜ୍ଞତାକୁ ଦୂର କରିବା ପାଇଁ ପ୍ରଥମ ଆବଶ୍ୟକତା ଉପଯୁକ୍ତ ଶିକ୍ଷା ଏବଂ ସେ ଶିକ୍ଷା କେବଳ ପ୍ରଚଳିତ ଶିକ୍ଷାପଦ୍ଧତି ସହ ଠିକ୍ ତାଳ ଦେଇ ଚାଲିଲେ ପ୍ରଚଳିତ ପରମ୍ପରାର ଚକ୍ର ଭିତରୁ ଭାରତୀୟଙ୍କ ଜ୍ଞାନର ପରିସୀମା କୌଣସି ମତେ ବୃଦ୍ଧି ପାଇ ପାରିବ ନାହିଁ । ତେଣୁ ସେ ଚାହିଁଥିଲେ ଭାରତୀୟ ପ୍ରାଚୀନ ପରଂପରା ଅନୁଯାୟୀ ଉପଯୁକ୍ତ ଭାବରେ ଓ ଉତ୍ତମ ଭାବରେ ସଂସ୍କୃତ ଶିକ୍ଷା ପାଇବା ସଙ୍ଗେ ସଙ୍ଗେ ଏ ଦେଶର ନବଯୁବକମାନେ ବିଜ୍ଞାନ, ଭୂଗୋଳ, ଶରୀରତତ୍ତ୍ୱ ପ୍ରଭୃତି ବିଷୟରେ ଶିକ୍ଷା କରିବାକୁ ହିଁ ହେବ । ତେଣୁ ସେ ବେଦାନ୍ତ କଲେଜର ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ତାଙ୍କରି ଦ୍ୱାରା ପ୍ରତିଷ୍ଠିତ ଆଂଗ୍ଳୋ ହିନ୍ଦୁ ସ୍କୁଲରେ ବଙ୍ଗଳା ଭାଷା ମାଧ୍ୟମରେ ବିଜ୍ଞାନ ପଢ଼ିବାର ବ୍ୟବସ୍ଥା ମଧ୍ୟ କରିଥିଲେ । ଯେଉଁ ପିତାମାତାମାନେ ଚାହୁଁଥିଲେ ସେମାନଙ୍କ ସନ୍ତାନମାନେ ଉଚ୍ଚଶିକ୍ଷିତ ହୁଅନ୍ତୁ, ସେମାନେ ଆଂଗ୍ଳୋ ହିନ୍ଦୁ ସ୍କୁଲକୁ ବାଛି ନେଉଥିଲେ ସେମାନଙ୍କ ଶିକ୍ଷାନୁଷ୍ଠାନ ରୂପେ ଏବଂ ଯେଉଁମାନେ ରାମମୋହନଙ୍କ ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷା ଲାଭ କରୁଥିଲେ, ସେମାନଙ୍କ ଉପରେ ନିଶ୍ଚିତ ପ୍ରଭାବ ପଡ଼ୁଥିଲା ସେଇ ଚିନ୍ତାଧାରାର, ସାମାଜିକ ଅବସ୍ଥାର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଗୋଟିଏ ଜୀବନାଦର୍ଶର ।

 

ସେଇଭଳି ଜଣେ ଥିଲେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ।

 

ରାମମୋହନଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଯୋଗଦେଲେ କାଳେ ସେ ବିଧର୍ମୀ ହୋଇଯିବ, ସେଇ ଆଶଙ୍କାରେ ଅଭିଭାବକମାନେ ତାହାଙ୍କୁ ସେ ଶିକ୍ଷାନୁଷ୍ଠାନଗୁଡ଼ିକ ସଂସ୍ପର୍ଶରୁ ଦୂରରେ ରଖିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିଥିଲେ ମଧ୍ୟ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରିଥିଲେ ମଧ୍ୟ, ସ୍କୁଲ କାର୍ଯ୍ୟନିର୍ଘଣ୍ଟ ବହିର୍ଭୂତ ସମୟରେ ରାମମୋହନଙ୍କ ପ୍ରଭାବରେ ପ୍ରଭାବିତ ଛାତ୍ରମାନଙ୍କର ବିଭିନ୍ନ ଆଲୋଚନା ବିଦ୍ୟସାଗରଙ୍କୁ ଆକୃଷ୍ଟ କରିପାରୁଥିଲା ଏବଂ ପରିଶେଷରେ ସେଇ ଆଦର୍ଶରେ ହିଁ ସେ ଅନୁପ୍ରାଣିତ ହୋଇଥିଲେ ।

 

ରାମମୋହନଙ୍କ ପ୍ରଭାବରେ ଠିକ୍ ତାଙ୍କରି ଶକ୍ତି ନେଇ, ଭାରତୀୟ ନାରୀ ସମାଜର ସ୍ୱାର୍ଥ ରକ୍ଷା ପାଇଁ ଆଉ ଯେଉଁମାନେ ତାଙ୍କ ପରେ ସାମାଜିକ ସଂସ୍କାର ପାଇଁ ଉଦ୍ୟମ କରିଥିଲେ, ସେମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟସାଗର ଥିଲେ ଅନ୍ୟତମ । ହିନ୍ଦୁ ସମାଜରେ ନାରୀ ତାର ସ୍ୱାମୀର ମୁଖଦର୍ଶନ ନ କରି ମଧ୍ୟ ବୈଧବ୍ୟ ଜୀବନଯାପନ କରିବାର ଦୃଷ୍ଟାନ୍ତ ବିରଳ ନଥିଲା ବାଲ୍ୟ ବିବାହର ପ୍ରଚଳନ ଯୋଗୁଁ । ନାରୀ ଜାତିର ସ୍ୱାର୍ଥରକ୍ଷା ପାଇଁ ବିଦ୍ୟସାଗର ସମାଜରେ ବିଧବା ବିବାହର ପ୍ରଚଳନ ଯେ ଏକାନ୍ତ ଆବଶ୍ୟକ ସେଥିରେ କୌଣସି ସନ୍ଦେହ କରି ନଥିଲେ ଏବଂ ସେଇଥିପାଇଁ ରାମମୋହନଙ୍କ ଭଳି ଆନ୍ତରିକ ଉଦ୍ୟମ କରିଥିଲେ ମଧ୍ୟ । ବିଦ୍ୟସାଗରଙ୍କ ଜଣେ ଜୀବନୀକାର ବିଜୟ ଘୋଷଙ୍କ ଭାଷାରେ “The religious ideal of Rammohan was truely realised and practised in life by Vidyasagar” *

* Iswar Chandra Vidyasagar-129.

ତାଙ୍କ ପିତା ଚାହିଁଥିଲେ ଈଶ୍ୱର ହିନ୍ଦୁ କଲେଜକୁ ନ ଯିବାପାଇଁ । ସେ ସଂସ୍କୃତ କଲେଜରେ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଥିଲେ ମଧ୍ୟ କଲେଜର ନିର୍ଦ୍ଧାରିତ କାର୍ଯ୍ୟନିର୍ଘଣ୍ଟ ପରେ ପରେ ହିନ୍ଦୁ କଲେଜ ପିଲାଙ୍କ ମଧ୍ୟରେ ଯେଉଁ ସବୁ ସମାଜ ସଂସ୍କାରମୂଳକ ଆଲୋଚନା ହେଉଥିଲା, ସେଥିରେ ସେ ଖୁବ୍ ଆଗ୍ରହାନିତ୍ଵ ଥିଲେ ଏବଂ ଅଂଶ ଗ୍ରହଣ କରୁଥିଲେ ମଧ୍ୟ । ପରିଣାମତଃ କ୍ରମଶଃ ତତକାଳୀନ ସାମାଜିକ ପରିବେଶ ଓ ରକ୍ଷଣଶୀଳ ଗୋଷ୍ଠୀ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ତାଙ୍କ ମନ ଭିତରେ । ତାହାହିଁ ଥିଲା ଏକମାତ୍ର ପରିବେଶ, ଯେଉଁଠାରୁ ସେ ସମାଜ ସଂସ୍କାରକ ରୂପେ ନିଜକୁ ଗଢ଼ି ତୋଳିବା ପାଇଁ ଅନୁପ୍ରେରିତ ହୋଇଥିଲେ । ରାମମୋହନ ଥିଲେ ଜଣେ ମାତ୍ର ବ୍ୟକ୍ତି, ଯିଏ ତାହାଙ୍କ ଜୀବନରେ ବିଶେଷ ପ୍ରଭାବ ପକାଇ ପାରିଥିଲେ ନିଜ ଆଦର୍ଶ ଅନୁଯାୟୀ ।

ଓଡ଼ିଶାର ଦିନ ଦଳିତର ବନ୍ଧୁ ଗୋପବନ୍ଧୁ ଓ ରାଜା ରାମମୋହନଙ୍କ ଜୀବନାଦର୍ଶ ଭିତରେ ତଫାତ୍ ସେମିତି ବିଶେଷ କିଛି ନଥିଲା; ଯଦିଓ ଉଭୟଙ୍କ ସମସାମୟିକ ପରିବେଶ ଓ ପରିସ୍ଥିତି ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଥିଲା । ଯଦିଓ ଉଭୟଙ୍କ ଜନ୍ମ ସମୟ ମଧ୍ୟରେ ପ୍ରାୟ ଏକ ଶତାବ୍ଦୀର ବ୍ୟବଧାନ ଥିଲା; ତଥାପି ଉଭୟଙ୍କ ଜୀବନାଦର୍ଶ ଥିଲା ମାନବିକତା । ପ୍ରାୟ ସମସ୍ତ କାର୍ଯ୍ୟକଳାପ ମୂଳରେ ଗୋଟାଏ ନୀତି ଦୃଢ଼ ଥିଲା, ଗୋଟିଏ ଆଦର୍ଶ ଅନୁସରିତ ହେଉଥିଲା ଓ ଗୋଟିଏ ଭବଧାରାର ଅନୁପ୍ରେରଣାରେ ଅନୁପ୍ରେରିତ ହୋଇଥିଲେ ଉଭୟେ । ତାହା ଥିଲା ମାନବିକତା । ଉଭୟେ ଭିନ୍ନ ଭିନ୍ନ ପରିସ୍ଥିତିରେ ହେଲେ ମଧ୍ୟ ସେଇ ଗୋଟିଏ ପ୍ରକାର ଉପଲବ୍‍ଧି କରିପାରିଥିଲେ ଏବଂ ସେ ଉପଲବ୍‍ଧି ଥିଲା ଉଭୟଙ୍କ ପାଇଁ ମୌଳିକ ।

ସେ ଧାର୍ମିକ ହେଉ, ରାଜନୈତିକ ହେଉ ବା ହେଉ ଅର୍ଥନୈତିକ-ସମସ୍ତ ପ୍ରକାର କାର୍ଯ୍ୟକଳାପର ମାନଦଣ୍ଡ ରୂପେ ମାନବିକତାକୁ ହିଁ ବିଚାର କରୁଥିଲେ ରାମମୋହନ । ସମସ୍ତ ସାମାଜିକ ପ୍ରଥା, ଧର୍ମଧାରଣା ଏବଂ ପ୍ରଚଳିତ ପରମ୍ପରା ସମାଜର ଜନଗଣଙ୍କର ମଙ୍ଗଳକର କି ନୁହଁ, ସେ ପ୍ରଥମେ ବିଚାର କରୁଥିଲେ । ଯେଉଁଗୁଡ଼ିକ ଜନହିତକର ନୁହେଁ ବୋଲି ସେ ବିଚାର କରୁଥିଲେ, ସେ ସବୁକୁ ତ ସେ ଗ୍ରହଣ କରୁ ନ ଥିଲେ, ସମାଜକୁ ଆହ୍ଵାନ ଦେଉଥିଲେ ସେ ସବୁର ପରିହାର ପାଇଁ ।

ରାଜା ରାମମୋହନଙ୍କ ଦ୍ଵାରା ପ୍ରତିଷ୍ଠିତ ବ୍ରାହ୍ମ ସମାଜର ପ୍ରଧାନ ନୀତି ବିଶ୍ଵ ମାନବିକତା ଓ ବ୍ରାହ୍ମସମାଜ କ୍ରମଶଃ ଦିଗନ୍ତ ବିସ୍ତାରୀ ହୋଇ ପାରିଥିଲା ସମୟକ୍ରମେ । ରାମମୋହନଙ୍କ ମୃତ୍ୟୁ ପରେ ପରେ ଦେବେନ୍ଦ୍ର ନାଥ ଠାକୁର, କେଶବ ଚନ୍ଦ୍ର ସେନ୍, ଶିବନାଥ ଶାସ୍ତ୍ରୀ, ଆନନ୍ଦମୋହନ ବସୁଙ୍କ ସମେତ ଅନେକ ଚିନ୍ତାଶୀଳ ଜନନାୟକ ବ୍ରାହ୍ମ ସମାଜକୁ ବିସ୍ତାରିତ କରିବାପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିଲେ । ସେଇ ଆଦର୍ଶରେ ପ୍ରତିଷ୍ଠିତ ହୋଇଥିଲା ଦେବେନ୍ଦ୍ର ନାଥ (ଓ ପରେ ପରେ ରବୀନ୍ଦ୍ର ନାଥ)ଙ୍କ ଶାନ୍ତି ନିକେତନ । ଆଉ ଯେଉଁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସେଇ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ, ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ପ୍ରାର୍ଥନା ସମାଜ, ଦକ୍ଷିଣ ଭାରତରେ ପିଠାପୁରମର ରାଜା, ଉତ୍ତର ଭାରତରେ ଦୟାଲ ସିଂ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ-। ଏପରି କି ବିଦେଶରେ ମଧ୍ୟ ସେଇ ଆଦର୍ଶ ଓ ଲକ୍ଷ୍ୟ ରଖି ଏକ ଡର୍ଜନରୁ ଅଧିକ ଅନୁଷ୍ଠାନ ଗଢ଼ିଉଠିଥିଲା ବିଭିନ୍ନ ନାମରେ ।

ଦେବେନ୍ଦ୍ରନାଥଙ୍କ ଶାନ୍ତିରେ ନିବାସ ଶାନ୍ତି ନିକେତନର ବାର୍ଷିକ ଉତ୍ସବଗୁଡ଼ିକରେ ଯେତେବେଳେ ବିଶ୍ୱକବି ରବୀନ୍ଦ୍ରନାଥ ବେଦ ଓ ଉପନିଷଦର ମନ୍ତ୍ର ସବୁ ଉଚ୍ଚାରଣ କରୁଥିଲେ, ସେଠାରେ ଉପସ୍ଥିତ କେବଳ ଦେଶବିଦେଶର ବ୍ୟକ୍ତିବୃନ୍ଦ ନୁହନ୍ତି, ବିଭିନ୍ନ ଧର୍ମାବଲମ୍ବୀମାନେ ମଧ୍ୟ ଅନ୍ତତଃ ମୁହୂର୍ତ୍ତକ ପାଇଁ ଅନୁଭବ କରୁଥିଲେ ସେମାନେ ସମସ୍ତେ ଭାଇ ଭାଇ, ବିଶ୍ଵସ୍ରଷ୍ଟାଙ୍କର ସୃଷ୍ଟି ସମସ୍ତେ, ସେ ଯେଉଁ ଧର୍ମର ହୁଅନ୍ତୁ ବା ପୃଥିବୀର ଯେ କୌଣସି ଭୌଗୋଳିକ ଅଂଶର ହୁଅନ୍ତୁ ପଛକେ । ବିଶ୍ଵକବିଙ୍କ ସେଇ ବିଶ୍ଵଭ୍ରାତୃତ୍ଵର ଚିନ୍ତାଧାରା ରାଜା ରାମମୋହନଙ୍କ ଅବଦାନ ।

ରାମମୋହନଙ୍କ ଚିନ୍ତାଧାରାର ସଂପ୍ରସାରଣ ପାଇଁ ପ୍ରଧାନ ସହାୟକ ହୋଇଥିଲା ଅଧ୍ୟୟନର ଅଧିକାର ଓ ସ୍ଵାଧୀନତା । ରକ୍ଷଣଶୀଳମାନଙ୍କ ଚିନ୍ତାଧାରାର ପ୍ରତିକୂଳାଚରଣ କରିବା ଉଦ୍ଦେଶ୍ୟରେ ନୁହଁ, ଜଣେ ଜ୍ଞାନଲିପ୍‍ସୁର ଅନୁସନ୍ଧିତ୍ସା ନେଇ ରାଜା ପୃଥିବୀର ଜନନାୟକମାନଙ୍କୁ ଅଧ୍ୟୟନ କରିଥିଲେ । ସେ ଯେତେବେଳେ ରଙ୍ଗପୁରରେ ଦେବାନ୍ ଥିଲେ ଓ ଯେତେବେଳେ ଆସୀୟ ସଭାର ଆଲୋଚନାମାନ ତାଙ୍କରି ଘରେ ଯୋରସୋରରେ ଚାଲିଥିଲା, ସେତିକିବେଳୁ ହିଁ ସେ ବେକନ୍, ଲକ୍, ନିଉଟନଙ୍କୁ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଗିବନ୍, ଭୋଲଟାୟାର୍, ଭୋଲନେ ଏବଂ ପେଇନେଙ୍କ ଚିନ୍ତାଧାରା ସହିତ ପରିଚିତ ହେବାପାଇଁ ଆଗ୍ରହାନ୍ୱିତ ହୋଇ ଉଠିଥିଲେ । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିନ୍ତାନାୟକମାନଙ୍କ ଚିନ୍ତାଧାରା ସବୁ ନିଜର ନିର୍ଦ୍ଦିଷ୍ଟ ମତ ଗଠନ କରିବାରେ ଅନେକ ସାହାଯ୍ୟ କରିଥିଲା ନିଶ୍ଚୟ । ବେନ୍‍ଥମ୍ ଏବଂ ମିଲ୍ ରାଜାଙ୍କ ଉପରେ ଗଭୀର ପ୍ରଭାବ ପକାଇ ପାରିଥିଲେ ।

ଗ୍ରୀକ୍ ଏବଂ ହିବ୍ରୁ ଭାଷା ଶିକ୍ଷା କରି ଖ୍ରୀଷ୍ଟଧର୍ମର ମୂଳଗ୍ରନ୍ଥ ସବୁ ପୁଂଖାନୁପୁଂଖ ଭାବେ ଅଧ୍ୟୟନ କରିଥିଲେ ଏବଂ ଯୀଶୁଙ୍କୁ ଜଣେ ଅତି ବିଜ୍ଞ ତଥା ଅତିମାନବବାଦୀ ହିସାବରେ କେବଳ ଗ୍ରହଣ କରି ନ ଥିଲେ, ଆନ୍ତରିକତାର ସହିତ ଅତି ଭଲପାଇ ବସିଥିଲେ ମଧ୍ୟ । ଖ୍ରୀଷ୍ଟିୟାନ୍ ଚର୍ଚମାନଙ୍କରେ ବୋଲା ଯାଉଥିବା ପ୍ରାର୍ଥନା ସଙ୍ଗୀତାବଳୀ ତାହାଙ୍କୁ ଖୁବ୍ ଆକୃଷ୍ଟ କରିପାରିଥିଲା । ଅନେକ ସମୟରେ ସେ ଚର୍ଚକୁ ଯାଉଥିଲେ ଆଲୋଚନା ଶୁଣିବା ପାଇଁ । ସେଇଥିଲାଗି ଅନେକ ରକ୍ଷଣଶୀଳ ହିନ୍ଦୁ ଆକ୍ଷେପ କରିଥିଲେ, ସେ ହିନ୍ଦୁଧର୍ମ ତ୍ୟାଗ କରି ଖ୍ରୀଷ୍ଟିୟାନ୍ ପାଲଟି ଯାଇଥିଲେ ବୋଲି ।

ବିଶେଷ କରି ରାଜା ଥିଲେ ଜଣେ ଜ୍ଞାନଲିପ୍ସୁ ଅସାଧାରଣ ପାଠକ ।

ସମାଜର ବିଭିନ୍ନ କ୍ଷେତ୍ରରେ ରହିଥିବା କୁସଂସ୍କାରଗୁଡ଼ିକ ପଛରେ ଯେ କୌଣସି ପ୍ରକାର ଧାର୍ମିକ ସ୍ୱୀକୃତି ନଥିଲା, ସେଥିରେ ନିଜର ମତ ଦୃଢ଼ କରିବା ପାଇଁ ରାମମୋହନ ନିଜକୁ ସମର୍ଥ ମନେ କରିଥିଲେ ବିଭିନ୍ନ ଧର୍ମଗ୍ରନ୍ଥଗୁଡ଼ିକର ମୂଳ ରଚନା ସବୁ ଅଧ୍ୟୟନ କରିବା ଫଳରେ । ସେ ନିଷ୍ଠାର ସହିତ ସ୍ମୃତି, ଦର୍ଶନ, ମୀମାଂସା, ବ୍ରାହ୍ମଣ, ଉପନିଷଦ, ପୁରାଣ ଏବଂ ତନ୍ତ୍ରଶାସ୍ତ୍ର ପ୍ରଭୃତି ଅଧ୍ୟୟନ କରିଥିଲେ । ବିଭିନ୍ନ ଧର୍ମଶାସ୍ତ୍ର ମଧ୍ୟରୁ ଜୈନ ଏବଂ ବୌଦ୍ଧମାନଙ୍କ ଧର୍ମଗ୍ରନ୍ଥ, କବୀର ପନ୍ଥୀ, ଦାଦୁ ପନ୍ଥୀ ଓ ନାନକ ପନ୍ଥୀ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିବା ପାଇଁ ପଶ୍ଚାତପଦ ହୋଇ ନ ଥିଲେ । ଆରବୀ ଭାଷାରେ ସେ ଅଧ୍ୟୟନ କରିଥିବା ଅରିଷ୍ଟୋଟଲ୍ ଏବଂ ଇଉକ୍ଳିଏଡ଼ଙ୍କ ଜୀବନ ଦର୍ଶନରେ ସେ ମୁଗ୍‍ଧ ହୋଇଥିଲେ ମଧ୍ୟ । ବେଦାନ୍ତ ଉପରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ରାମମୋହନଙ୍କ ପାଇଁ ପ୍ରେରଣାଦାୟକ ଥିଲା । ତେବେ ସବୁରି ଭିତରେ ସେ ଦେଖିବାକୁ ପାଇଥିଲେ ମାନବିକ ମୂଲ୍ୟବୋଧର ଜୟଗାନ–ମଣିଷକୁ ମଣିଷ ଭଳି ଦେଖିବା ପାଇଁ ପ୍ରେରଣା ।

ସେଇ ପ୍ରେରଣା ହିଁ ହୋଇଥିଲା ତାଙ୍କ ଜୀବନାଦର୍ଶ ।

ସେଇଥିପାଇଁ ସେ ସ୍ୱପ୍ନ ଦେଖିଥିଲେ ସମଗ୍ର ବିଶ୍ୱର ଜନସମାଜ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧିହୋଇ ରହୁ । ସେଇଥିପାଇଁ ସେ ଉଦ୍ୟମ କରିଥିଲେ ଭାରତୀୟ ନାରୀ ସମାଜ ମଣିଷ ଭଳି ସମାନ ମାନବିକ ଅଧିକାର ହାସଲ କରୁ । ସଦ୍ୟ ବିଧବା ନାରୀ ସ୍ୱାମୀର ଚିତାଗ୍ନିରେ ଝାସ ଦେବା କିମ୍ବା ଝାସ ଦେବା ପାଇଁ ଅନ୍ୟମାନଙ୍କଦ୍ୱାରା ବାଧ୍ୟ ହେବା ଭଳି କାର୍ଯ୍ୟରୁ ନିବୃତ୍ତ ରହୁ । ସେଇଥିପାଇଁ ସେ ଚାହିଁଥିଲେ ଭାରତୀୟ ଯୁବସମାଜ କେବଳ ସଂସ୍କୃତ ଭାଷା ଶିକ୍ଷା ନୁହେଁ, ତା ସହିତ ଉପଯୁକ୍ତ ବୈଷୟିକ ଶିକ୍ଷା ହାସଲ କରି ଦେଶରୁ ଅଜ୍ଞାନ ଅନ୍ଧକାରକୁ ଦୂର କରିବା ସଙ୍ଗେ ସଙ୍ଗେ ପୃଥିବୀର ଅନ୍ୟ ସଭ୍ୟ ଦେଶର ଜନଗଣଙ୍କ ସହିତ ଠିକ୍ ଭାବରେ ପାଦମିଳାଇ ଚାଲୁ । ଜୀବନର ଯାତ୍ରାପଥରେ ବାରମ୍ବାର ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ନିଜ ସମାଜରେ ଦ୍ରୋହୀ ଭାବେ ସମାଲୋଚିତ ହେଉଥିବା ସତ୍ତ୍ୱେ ସାରା ଜୀବନ ସଂଗ୍ରାମରତ ଥିଲେ ରାମମୋହନ କେବଳ ତାଙ୍କ ନିଜ ଦେଶବାସୀଙ୍କ ଉପକାର ପାଇଁ ନୁହଁ, ସମଗ୍ର ବିଶ୍ୱବାସୀଙ୍କ ପାଇଁ । ଖ୍ରୀଷ୍ଟୀୟମାନଙ୍କ ପାଇଁ ପ୍ରଥମ ଇସ୍ତାହାରରେ ନିଜ ମତ ଦେଇ ଲେଖିଥିଲେ “May God render religion destructive of differences and dislikes between men and men, and conducive to the peace and union of menkind”

ଏହାହିଁ ଥିଲା ତାଙ୍କ ଅନ୍ତରର ଅନ୍ତରତମ ପ୍ରଦେଶ କଥା ।

Image

 

ଦୁଇ

ପୃଥିବୀର ପ୍ରଥମ କିରଣ

 

ସବୁଦିନ ଭଳି ୧୮୭୨ ମସିହା ମଇମାସ ୨୨ ତାରିଖ ଦିନ ସକାଳୁ ପୂର୍ବାକାଶ ଲାଲ୍ ହୋଇ ଉଠିଥିଲା । ସବୁଦିନ ଭଳି ସେଦିନ ମଧ୍ୟ ତେଜୋଦୀପ୍ତ ବାଳସୂର୍ଯ୍ୟ ସିନ୍ଦୂରା ଫଟାଇ ନୀଳ ଆକାଶର ବୁକୁ ଉପରକୁ ଲମ୍ପ ପ୍ରଦାନ କରିଥିଲେ ।

 

ସେଇଦିନ ଭାରତ ଭୁଇଁରେ ଯେତେ ଜଣଙ୍କ ଜନ୍ମଜାତକ ତୟାର ହୋଇଥିଲା, ସେମାନଙ୍କ ମଧ୍ୟରୁ ଗୋଟିଏ ଥିଲା ରାଜା ରାମମୋହନ ରାୟଙ୍କର ।

 

ରମାକାନ୍ତ ରାୟ ଥିଲେ ରାଜା ରାମମୋହନଙ୍କ ଜନ୍ମଦାତା ପିତା ଓ ମାତାଙ୍କ ନାମ ଥିଲା ତାରିଣୀ ଦେବୀ । ଜନ୍ମସ୍ଥାନ ବଙ୍ଗଳାର ରାଧାନଗର ।

 

ରମାକାନ୍ତ ରାୟ ବୈଷ୍ଣବ ଧର୍ମାବଲମ୍ବୀ । କିନ୍ତୁ ତାଙ୍କ ସ୍ତ୍ରୀ ତାରିଣୀ ଦେବୀ ଶାକ୍ତ ବଂଶର କନ୍ୟା । ତଥାପି ରମାକାନ୍ତଙ୍କ ପରିବାରର ଜଣେ ଗୁରୁତ୍ଵପୂର୍ଣ୍ଣ ସଭ୍ୟା ଭାବରେ ପରିଗଣିତ ହେବା ପରେ ପରେ ସ୍ଵାମୀଙ୍କ ପଥାନୁସରଣ କରିବାଲାଗି ସେ ତିଳେମାତ୍ର କୁଣ୍ଠାବୋଧ କରି ନ ଥିଲେ । ସମ୍ପୂର୍ଣ୍ଣ ଏକ ରକ୍ଷଣଶୀଳ ପରିବାରର ଜଣେ ହୋଇ ସେମାନଙ୍କ ରୀତିନୀତି ସହ ଖାପ ଖୁଆଇ ନେଇଥିଲେ ନିଜକୁ । ପାରମ୍ପରିକ ନିୟମ ତଥା ଅନ୍ଧବିଶ୍ୱାସରେ ପରିପୂର୍ଣ୍ଣ ଠାକୁର ପ୍ରତିମାମାନଙ୍କୁ ପୂଜା ଅର୍ଚ୍ଚନା ରାୟ ପରିବାରର ଏକ ଅତି ସାଧାରଣ କଥା ଥିଲା । ବିଭିନ୍ନ ଚଳଣି ଅନୁସାରେ ବିଭିନ୍ନ ପୂଜା ପାଳନ କରାଯାଉଥିଲା । ସଂଖ୍ୟାହୀନ ଠାକୁରଙ୍କ ଆରାଧନା କରାଯାଉଥିଲା ।

 

ତାରିଣୀ ଦେବୀ ଥିଲେ ଜଣେ ବ୍ୟକ୍ତିତ୍ୱସମ୍ପନ୍ନା ନାରୀ । ସେ ବେଶୀ ପରିଚିତ ଥିଲେ ଫୁଲ ଠାକୁରାଣୀ ହିସାବରେ । ତାଙ୍କର ସନ୍ତାନମାନଙ୍କୁ କଠୋର ଶୃଙ୍ଖଳା ଭିତରେ ଜୀବନଯାପନ କରିବା ପାଇଁ ଶିକ୍ଷା ଦେଉଥିଲେ ସେ । ତେଣୁ ତାଙ୍କର ବାଲ୍ୟାବସ୍ଥାରେ ରାମମୋହନ ରୀତିମତ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । ଠାକୁର ପ୍ରାର୍ଥନା ଏକମାତ୍ର ପବିତ୍ରତମ କାର୍ଯ୍ୟ ବୋଲି ତାଙ୍କର ଦୃଢ଼ ପ୍ରତ୍ୟୟ ହୋଇଥିଲା ସେଇ ବୟସରେ । ଭଗବାନଙ୍କ ନାମ ନେଇ ବା ଦ୍ୱାହୀ ଦେଇ ତାହାଙ୍କୁ ଯାହାସବୁ କୁହାଯାଉଥିଲା ସେସବୁ କାର୍ଯ୍ୟରୁ ଯେପରି କୌଣସିଥିରେ ସାମାନ୍ୟତମ ବ୍ୟତିକ୍ରମ ନ ହୁଏ ସେଥିପ୍ରତି ରାମମୋହନ ଅତ୍ୟନ୍ତ ସଚେତନ ରହୁଥିଲେ ।

 

ବାଲ୍ୟ ବୟସରେ ରାମମୋହନଙ୍କ ମନ ଭିତରେ ଧର୍ମଭାବ ଏକ ସୁଦୃଢ଼ ଆସନ ବିସ୍ତାର ଲାଭ କରି ସାରିଥିଲା । ସେ କ୍ଷେତ୍ରରେ ତାହାଙ୍କ ମାତା ତାରିଣୀ ଦେବୀଙ୍କ ପ୍ରଭାବ ସୁସ୍ପଷ୍ଟ । ବେଳେବେଳେ ଗ୍ରାମରେ ଯାତ୍ରା ବା ସୁଆଙ୍ଗ ଅନୁଷ୍ଠିତ ହେଲେ ସେଗୁଡ଼ିକ ଦେଖିବା ଲାଗି ସେ ଆଗ୍ରହ ପ୍ରକାଶ କରୁଥିଲେ । ବିଶେଷ ଭାବେ ଆଗ୍ରହାନ୍ଵିତ ଥିଲେ ପୌରାଣିକ କାହାଣୀଗୁଡ଼ିକ ଉପରେ ଆଧାରିତ ବିଷୟବସ୍ତୁ ନେଇ ପ୍ରଦର୍ଶିତ ହେଉଥିବା ଯାତ୍ରା ବା ସୁଆଙ୍ଗ ଦେଖିବା ପାଇଁ । ଯେତେବେଳେ ଯାତ୍ରାରେ ବିୟୋଗାନ୍ତକ ଦୃଶ୍ୟ ବା କରୁଣ ଦୃଶ୍ୟ ଅଭିନୀତ ହେଉଥିଲା, କିଶୋର ରାମମୋହନ ଅଧିକାଂଶ ସମୟରେ ଭାବବିହ୍ୱଳିତ ହୋଇ ଉଠୁଥିଲେ । ଲୋମକୂପ ସବୁ ଟାଙ୍କୁରି ଉଠୁଥିଲା । ଅନେକ ସମୟରେ ସେ କାନ୍ଦି ପକାଉଥିଲେ ମଧ୍ୟ ।

 

କେବଳ ରମାକାନ୍ତ ନୁହନ୍ତି, ତାଙ୍କର ତିନି ପୁରୁଷ ଧରି ରାଜ୍ୟରେ ରାଜତ୍ୱ କରୁଥିବା ଯବନ ରାଜାମାନଙ୍କ ଅଧୀନରେ ଦାୟିତ୍ୱପୂର୍ଣ୍ଣ ଚାକିରି କରି ଆସୁଥିଲେ । ମୁର୍ଶିଦାବାଦ ସେମାନଙ୍କ କାର୍ଯ୍ୟାଳୟ ଥିଲା । ରମାକାନ୍ତ ଲୋକ ହିସାବରେ ଜଣେ ଶାନ୍ତ ଓ ସରଳ ପ୍ରକୃତିର ଥିଲେ ମଧ୍ୟ ତାଙ୍କର ପୂର୍ବପୁରୁଷମାନଙ୍କ ଭଳି ସରକାରୀ କାର୍ଯ୍ୟକଳାପରେ ସେ ଥିଲେ ଅତ୍ୟନ୍ତ ସଚେତନଶୀଳ ଓ ନିଷ୍ଠାବାନ୍ । ସେଇ ନିଷ୍ଠା ଯୋଗୁଁ ତାଙ୍କର ପୂର୍ବପୁରୁଷମାନେ ଗୋଟିଏ ଜମିଦାରୀ ଉପହାରସ୍ୱରୂପ ପାଇଥିଲେ । ସେଇ ଜମିଦାରୀ ଖଣ୍ଡିକ ବ୍ୟତୀତ ରମାକାନ୍ତ ରାୟ ବର୍ଦ୍ଧମାନ ମହାରାଜାଙ୍କ ଅଧୀନରେ ଥିବା କେତୋଟି ଗ୍ରାମ ମଧ୍ୟ ଖରିଦ କରିଥିଲେ । କିନ୍ତୁ ସେହି ଗ୍ରାମଗୁଡ଼ିକୁ କେନ୍ଦ୍ର କରି ମହାରାଜାଙ୍କ ସହ ତାଙ୍କର ମନୋମାଳିନ୍ୟ ହୋଇଥିଲା ଓ ପରିଣାମତଃ ସେଇ ସମସ୍ୟା ଏତେ ବ୍ୟାପକ ହୋଇ ଉଠିଲା ଯେ, ରମାକାନ୍ତଙ୍କ ଶେଷ ଜୀବନ ଏକ ଅତ୍ୟନ୍ତ ବିଷାଦମୟ ପରିବେଶ ଭିତରେ ହିଁ ଅତିବାହିତ ହୋଇଥିଲା । ସେ ସମସ୍ତ ପାର୍ଥିବ ଜଞ୍ଜାଳ, ଜୀବନର ଯନ୍ତ୍ରଣାଠାରୁ ଦୂରେଇ ରହିବା ଲାଗି ସ୍ଥିର କରି ପ୍ରାୟତଃ ସନ୍ନ୍ୟାସୀ ଜୀବନ ଯାପନ କରିବା ପାଇଁ ଶ୍ରେୟସ୍କର ମନେ କରିଥିଲେ । ପ୍ରତିଦିନ ନାମ ସଂକୀର୍ତ୍ତନ କରିବା, ଭଗବାନଙ୍କୁ ଭଜନ କରିବା କିମ୍ବା ସେଭଳି କିଛି କାର୍ଯ୍ୟ କରି ସମୟ ଅତିବାହିତ କରିବା ଲାଗି ସେ ସ୍ଥିର କରି ନେଇଥିଲେ ।

 

ତଥାପି ବର୍ଦ୍ଧମାନ ରାଜାଙ୍କ ବିଷଦୃଷ୍ଟି ରାୟ ପରିବାର ଉପରୁ କମ୍ ହୋଇ ନ ଥିଲା । ରମାକାନ୍ତ ରାୟଙ୍କର ମୃତ୍ୟୁ ପରେ ମଧ୍ୟ ସେଇ ମାମଲା ନେଇ, କର ଅନାଦାୟର ମିଥ୍ୟା ଆଳ ନେଇ ମହାରାଜା କୋର୍ଟରେ ମକଦ୍ଦମା ଦାୟର କରିଥିଲେ । ପରିଣାମତଃ ରାମମୋହନଙ୍କୁ ମଧ୍ୟ କଚେରୀ ଦରଜା ମାଡ଼ିବାକୁ ପଡ଼ିଥିଲା ।

 

ନିଜ ପୁତ୍ରର ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ରମାକାନ୍ତ ପୃଥିବୀର ସବୁ ପିତାଙ୍କ ଭଳି । ବିଶେଷ କରି ରାମମୋହନ ମନଧ୍ୟାନ ଦେଇ ବିଦ୍ୟାଧ୍ୟୟନ କରୁଥିଲେ । ଘରୋଇ ଶିକ୍ଷା ପରେ ପରେ ବାଲ୍ୟ ବୟସରେ ହିଁ ନିଜ ମାତୃଭାଷା ବଙ୍ଗଳା ଓ ସେତେବେଳର ଅନ୍ୟ ଏକ ପ୍ରତିଷ୍ଠିତ ଅନ୍ତର୍ଦେଶୀୟ ଭାଷା ସଂସ୍କୃତକୁ ବାଦଦେଇ ପାର୍ଶୀଭାଷା ଶିକ୍ଷା କରିଥିଲେ ନିଜ ଗ୍ରାମ ଚାଟଶାଳୀରେ ।

 

ରାମମୋହନ ଯେଉଁ ପାଠଶାଳାରେ ଯୋଗ ଦେଇଥିଲେ ତତକାଳୀନ ରୀତି ଅନୁଯାୟୀ ସେଠାରେ କିଛି କିଛି ପାଟିଗଣିତ ଓ ପତ୍ରଲିଖନ ହିଁ ଶିକ୍ଷା ପାଇଥିଲେ । ପ୍ରାରମ୍ଭିକ ବିଦ୍ୟାଶିକ୍ଷାର ଅର୍ଥ ସେତେବେଳେ ତାହା ହିଁ ଥିଲା ସେଠାରେ । ସେତିକିବେଳର ଭାରତୀୟ ଉଚ୍ଚଶ୍ରେଣୀୟ ଲୋକଙ୍କ ସନ୍ତାନମାନଙ୍କ ପାଇଁ ତାହାହିଁ ଥିଲା ଉପଯୁକ୍ତ ଶିକ୍ଷା । ରାମମୋହନଙ୍କ ବାଲ୍ୟଶିକ୍ଷା ନେଇ ଶ୍ରୀ କିଶୋରିଚାନ୍ଦ ମିତ୍ର ମତବ୍ୟକ୍ତ କରିଥିଲେ, “Rammohan received the first elements of native education at home in accordance with the system, which obtains universally among the upper classes of the native society, initiating the children into the mysteries of Subhankar.”

 

ସେ ଧରଣର ଶିକ୍ଷା ସମାଜର ଉଚ୍ଚ ଶ୍ରେଣୀୟ ସନ୍ତାନମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ଓ ରାମମୋହନ ସେଇ ଶିକ୍ଷା ପାଇଥିଲେ ମଧ୍ୟ, ସେଥିରେ ସେ ସନ୍ତୁଷ୍ଟ ହୋଇପାରି ନ ଥିଲେ ଏବଂ ରମାକାନ୍ତ ମଧ୍ୟ ତାହା ଅନୁଭବ କରି ପାରିଥିଲେ । ପୁଅର ବୟସ ତୁଳନାରେ ଧୀଶକ୍ତି ଯେ ନିଶ୍ଚିତ ଭାବେ ଅଧିକ, ସେକଥା ଠିକ୍ ଭାବରେ ଅନୁମାନ କରି ପାରିଥିଲେ ସେ । ରାମମୋହନଙ୍କ ସ୍ମରଣ ଶକ୍ତି ଥିଲା ତାଙ୍କ ବୟସର ଅନ୍ୟାନ୍ୟ ଛାତ୍ରମାନଙ୍କଠାରୁ ବହୁ ଗୁଣରେ ଅଧିକ-ଅସାଧାରଣ କୁହାଯାଇପାରେ ।

 

ପୁଅର ଅଧିକରୁ ଅଧିକ ଜ୍ଞାନ ପ୍ରାପ୍ତିର ସ୍ପୃହା ଦେଖି ରମାକାନ୍ତ ତାହାଙ୍କୁ ପାଟଣା ପଠାଇଥିଲେ ପାଶୀ ଏବଂ ଆରବୀ ଭାଷା ଶିକ୍ଷା କରିବା ପାଇଁ । ସେତେବେଳକୁ ତାଙ୍କର ବୟସ ମାତ୍ର ନଅ । ଏତେ କମ୍ ବୟସରେ ପୁଅକୁ ବିଦ୍ୟା ଶିକ୍ଷା କରିବାପାଇଁ ବହୁତ ଦୂରକୁ ଏକାକୀ ପଠାଇ ଦେଇଥିବା ଯୋଗୁଁ ଖୁବ୍ ସମାଲୋଚିତ ହୋଇଥିଲେ ରମାକାନ୍ତ । କାରଣ ଶିକ୍ଷାର ଆଦର ସେତେବେଳର ସମାଜରେ ସେତେଟା ଅଧିକ ନ ଥିଲା । ତେଣୁ କେବଳ ଶିକ୍ଷା ପାଇଁ ସନ୍ତାନକୁ ନିଜ ପରିବାର ନିକଟରୁ କିଶୋର ବୟସରେ ଦୂରକୁ ଦୁରେଇ ଦେବା ଏକ ଅଯଥାର୍ଥ କାର୍ଯ୍ୟ ଓ ଅବିବେକିତାର କାର୍ଯ୍ୟ ବୋଲି ସାମାଜିକ ସ୍ତରରେ ନିନ୍ଦିତ ହୋଇଥିଲେ ସେ । କିନ୍ତୁ ସେଇଥିଯୋଗୁଁ ଯେ ରାମମୋହନ ଆଧୁନିକ ଭାରତର ଗଠନ ପଥରେ ସହାୟକ ହୋଇ ପାରିଥିଲେ ଓ ଭାରତୀୟମାନଙ୍କ ଚିନ୍ତାରାଜ୍ୟରେ ତୁମୁଳ ଆଲୋଡ଼ନ ସୃଷ୍ଟି କରି ପାରିଥିଲେ ତାହା ଅନୁଭବ କରିଥିଲେ ସେ ସମାଜର ଉତ୍ତରାଧିକାରୀମାନେ । ରମାକାନ୍ତ ହୁଏ ତ ଠିକ୍ ଅନୁମାନ କରିପାରିଥିଲେ ଯେ, ତାଙ୍କ ପୁଅ ଦିନେ ଜଣେ ମହାନ୍ ବ୍ୟକ୍ତି ହେବ ଏବଂ ସେଥିପାଇଁ କିଶୋର ବୟସରେ ବିଦ୍ୟା ଶିକ୍ଷାପାଇଁ ଦୂରକୁ ପଠାଇ ଦେଇଥିବା ଅଭିଯୋଗକୁ ଖାତିର୍ କରି ନ ଥିଲେ କିମ୍ବା ବିଚଳିତ ମଧ୍ୟ ହୋଇ ନ ଥିଲେ । ପ୍ରକୃତରେ ପାଟଣାରେ ରହଣି କାଳ ମଧ୍ୟରେ ଅନେକ ଜ୍ଞାନ ଆହରଣ କରିବାର ଅଭିପ୍‍ସା ସେଠାକାର ଅନେକ ଅଭିଜ୍ଞ ଶିକ୍ଷକଙ୍କୁ ତାହାଙ୍କର ନିକଟତମ କରାଇ ପାରିଥିଲା ।

 

ପାଟଣାରେ ଅଧ୍ୟୟନ କାଳରେ ମୁସଲମାନମାନଙ୍କର ଧର୍ମଗ୍ରନ୍ଥ କୋରାନ୍ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଆହରଣ କରିଥିଲେ ରାମମୋହନ । ସେ ଯେତେବେଳେ ଥିଲେ ଅସାଧାରଣ ଧୀଶକ୍ତିସମ୍ପନ୍ନ ଛାତ୍ର ଏବଂ ସେଠାକାର ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକ ପଢ଼ାଇବାରେ ବିଶେଷ ଧ୍ୟାନ ନ ଦେଇ, କଣ କଲେ ଓ କିଭଳି ଭାବରେ ଶିକ୍ଷାଦେଲେ ଦେଶର ଭବିଷ୍ୟତ ନାଗରିକମାନଙ୍କ ମୌଳିକ ଚିନ୍ତାର ବିକାଶ ଘଟାଇ ପାରିବେ, ସେଥିପ୍ରତି ଅଧିକ ଧ୍ୟାନ ଦେଉଥିଲେ । ପାର୍ଶିମାନଙ୍କ ଦର୍ଶନତତ୍ତ୍ଵ Mystic poetry ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ରାମମୋହନ ପ୍ରାୟ ସେଇ ସମୟରେ ।

 

ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକ ଅଧ୍ୟୟନ ଓ ଅନୁଧ୍ୟାନ କରିବା ଭିତରେ ଏକେଶ୍ୱରବାଦର ମୂଳତତ୍ତ୍ୱ କ୍ରମେ କ୍ରମେ ରାମମୋହନଙ୍କ ଚିନ୍ତା ଭିତରକୁ ଟାଣିହୋଇ ଆସିଥିଲା । ହିନ୍ଦୁ ସମାଜରେ ବିଭିନ୍ନ ଦେବଦେବୀଙ୍କ ପୂଜା ତାଙ୍କୁ ଏକ ପ୍ରକାର ପ୍ରହସନ ଭଳି ମନେ ହୋଇଥିଲା । ପୃଥିବୀର ସ୍ରଷ୍ଟା ଇଶ୍ଵର ଗୋଟିଏ ନ ହୋଇ କିପରି ଭାବରେ କୋଟି କୋଟି ସଂଖ୍ୟାରେ ହୋଇପାରିବେ, ତାହା ତାଙ୍କର ବିଶ୍ଵାସବହିର୍ଭୁତ ଥିଲା । ତେଣୁ ତତକାଳୀନ ସମାଜରେ ପ୍ରଚଳିତ ଥିବା ହିନ୍ଦୁଧର୍ମର ପରମ୍ପରାଗୁଡ଼ିକ ପ୍ରତି ଏକ ପ୍ରକାର ସନ୍ଦେହ ଜାତ ହୋଇଥିଲା ତାଙ୍କ ମନ ଭିତରେ । ସେଇ ଅବସ୍ଥାରେ ପାଟଣାରେ ଶିକ୍ଷା ତାଙ୍କର ଶେଷ ହୋଇଥିଲା ।

 

ଏକେଶ୍ୱରବାଦ ପ୍ରତି ଗଭୀର ଅନୁରକ୍ତ ନେଇ ରାମମୋହନ ପାଟଣାରୁ ଘରକୁ ଫେରିଥିଲେ ।

 

ଠାକୁରମାନଙ୍କ ପ୍ରତି ଗଭୀର ଆସ୍ଥା ଥିବା ଭଳି ଏକ ପରିବାରର ପୁତ୍ର ରାମମୋହନଙ୍କର ଇଶ୍ୱରଙ୍କ ପ୍ରତି କ୍ରମବର୍ଦ୍ଧମାନ ଭକ୍ତିଭାବ ଦେଖି ପିତା ରମାକାନ୍ତ ଏକାନ୍ତ ପ୍ରୀତ ହୋଇ ଉଠିଥିଲା । କିନ୍ତୁ ସେତେବେଳେ ସେ ନିର୍ଦ୍ଦିଷ୍ଟ ଭାବେ ଉପଲବ୍‍ଧି କରିଥିଲେ ଯେ ପୁଅର ଭଗବତ୍ ଭକ୍ତିଭାବର ଧାରା ଏକାବେଳେକେ ଅଲଗା, ସେତେବେଳେ ସେ ବିଚଳିତ ହୋଇ ପଡ଼ିଥିଲେ ।

 

ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ରାମମୋହନ ତାଙ୍କ ପରିବାରରେ ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଅନେକ ଧର୍ମାନୁଷ୍ଠାନକୁ ପସନ୍ଦ କରିପାରି ନଥିଲେ ଓ ସହଜ ଭାବରେ ଗ୍ରହଣ କରିପାରି ନ ଥିଲେ । ବରଂ ସେଗୁଡ଼ିକର ବିରୋଧ କରିଥିଲେ । ତାହାଙ୍କ ମନ ଭିତରର ଦ୍ଵନ୍ଦ-ସେ ସବୁକୁ କିପରି ଗ୍ରହଣ କରାଯାଇପାରିବ-ତାକୁ ସହଜରେ ସମାଧାନ କରିପାରି ନଥିଲେ । ସେଇ ପରିପ୍ରେକ୍ଷିରେ ତାଙ୍କ ପରିବାରର ଇଷ୍ଟ ଦେବତାଙ୍କୁ ଆରାଧନା କରିବାପାଇଁ ନିଜର ଅନିଚ୍ଛା ପ୍ରକାଶ କରିବା ସଙ୍ଗେ ସଙ୍ଗେ ପ୍ରତିମା ପୂଜା ବିରୁଦ୍ଧରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ ପ୍ରକାର ଅନାସ୍ଥାଭାବ ନିଜ ପୁତ୍ରଠାରେ ଦେଖିବାକୁ ପାଇବେ ବୋଲି ସମ୍ପୂର୍ଣ୍ଣ ଭାଗବତ୍ ବିଶ୍ଵାସୀ ରମାକାନ୍ତ ଓ ତାଙ୍କ ସ୍ତ୍ରୀ କସ୍ମିନ୍‍କାଳେ ସ୍ୱପ୍ନ ମଧ୍ୟ ଦେଖି ନ ଥିଲେ । ସେଭଳି ଧାରଣା ତାଙ୍କର ଚିନ୍ତାଶକ୍ତିର ବାହାରେ ଥିଲା । ସେମାନେ ଆଶା କରି ନ ଥିଲେ କିଶୋର ରାମମୋହନ ଅତି ଅସଂଯତ ଭାଷାରେ, କେଉଁ ଅଜଣା ପିତୃ ପୁରୁଷଙ୍କ ଅମଳରୁ ଚଳି ଆସୁଥିବା, ଧର୍ମାନୁଷ୍ଠାନଗୁଡ଼ିକର ଯଥାର୍ଥତା ସମ୍ପର୍କରେ ଦିନେ ପ୍ରଶ୍ନ କରିବେ ।

 

ସେଇ କାରଣରୁ ପିତାମାତା ଏକ ପ୍ରକାର ନିର୍ଦ୍ଦୟ ହୋଇ ଉଠିଥିଲେ ରାମମୋହନଙ୍କ ପ୍ରତି ।

 

ଅପର ପକ୍ଷରେ କୌଣସିମତେ ରାମମୋହନ ପ୍ରତିମାଗୁଡ଼ିକୁ ଭଗବାନଙ୍କ ବିଭିନ୍ନ ଅବତାର ବୋଲି ଗ୍ରହଣ କରିବାକୁ ଆଦୌ ପ୍ରସ୍ତୁତ ହୋଇପାରୁ ନ ଥିଲେ ମାନସିକ ସ୍ତରରେ । ତେଣୁ ଜମିଦାର ତଥା ତାଙ୍କରିଭଳି ରକ୍ଷଣଶୀଳ ପଡ଼ୋଶୀ ହିନ୍ଦୁମାନେ ଏକପ୍ରକାର ବିପଦର ଆଶଙ୍କା କରିଥିଲେ ବାଳକର ଅନିଶ୍ଚିତ ଭବିଷ୍ୟତ ପାଇଁ । ଯେତେବେଳେ କିଶୋର ରାମମୋହନ ବିଭିନ୍ନ ଦେବଦେବୀଙ୍କ ପ୍ରତିମାକୁ ପୂଜା କରିବା ସହିତ ହିନ୍ଦୁ ଧର୍ମର କୌଣସି ସଂପର୍କ ନାହିଁ ବୋଲି ନିଜର ମତ ପ୍ରକାଶ କରି ପବିତ୍ର ହିନ୍ଦୁ ଧର୍ମ ଓ ବିଭିନ୍ନ ଦେବଦେବୀଙ୍କ କାଳ୍ପନିକ ମୂର୍ତ୍ତି ସଂପର୍କ ନେଇ କି ତତ୍ତ୍ୱ କେଉଁଠି ଅଛି ଦେଖାଇ ଦେବାପାଇଁ ପ୍ରଶ୍ନ କରିଥିଲେ, ଉପହାର ପାଇଥିଲେ କେବଳ ଗୁଡ଼ିଏ ଭର୍ଚ୍ଛନା । ସେ ନେଇ କୌଣସି ପ୍ରକାରର ଆଲୋଚନା ତଥା ହିନ୍ଦୁ ଧର୍ମ ତତ୍ତ୍ୱ ନେଇ ତାଙ୍କ ସହିତ ମତ ବିନିମୟ କରିବା କୌଣସି ସୁସ୍ଥ ମସ୍ତିଷ୍କର କାର୍ଯ୍ୟ ନୁହେଁ ବୋଲି ବିଚାର କରାଯାଇଥିଲା ଓ ଅନେକ ବିଚାର କରିଥିଲେ ପ୍ରକୃତରେ ସେ ପାଗଳ ହୋଇଯାଇଛନ୍ତି । କିନ୍ତୁ ସମସ୍ତ ପାରିବାରିକ ଓ ତତକାଳୀନ ସାମାଜିକ ବିରୋଧ ସତ୍ତ୍ୱେ ରାମମୋହନ ବିଭିନ୍ନ ଦେବଦେବୀଙ୍କ ପ୍ରତିମା ପୂଜା କରାଯିବା ହୁଏତ ଠିକ୍ ହୋଇଥିବ ବୋଲି ମଧ୍ୟ ଗ୍ରହଣ କରିପାରୁ ନ ଥିଲେ । ସେଥିପାଇଁ ପାରିବାରିକ ତଥା ସାମାଜିକ ପୂଜା ପାର୍ବଣ ଓ ଉତ୍ସବ-ମଉତ୍ସବ-ମାନଙ୍କରେ ସେ ଯୋଗ ଦେଉ ନ ଥିଲେ । ସେ ମନେକରିଥିଲେ ସେ ସବୁ ମୂଳରେ କୌଣସି ମୌଳିକ ସତ୍ୟ ନାହିଁ । ଯାହା ଉଚିତ ବୋଲି ସେ ମନେ କରୁଥିଲେ ତାହାକୁ ଜନମାନସ ନିକଟରେ ପହଞ୍ଚାଇ ଦେଉଥିଲେ ମଧ୍ୟ-ସେ ମତକୁ, ତାଙ୍କର ଚିନ୍ତାଧାରାକୁ କେହି ସମ୍ମାନ ଦେଉ ବା ନ ଦେଉ । ଏକ ପାଗଳର ପାଗଳାମି, ଏକ ବାଳକର ଧର୍ମ ସମ୍ବନ୍ଧରେ ବାଚାଳତା ବୋଲି ଅନେକେ ତାଙ୍କରି ମତକୁ ଉପେକ୍ଷା କରିବା ଲାଗି କୁଣ୍ଠା ବୋଧ କରୁ ନ ଥିଲେ ।

 

ରାମମୋହନଙ୍କ ସମ୍ପର୍କରେ ତାଙ୍କ ପିତାମାତାଙ୍କ ଭାବୀ ଆଶା ସମ୍ପୂର୍ଣ୍ଣ ପରାହତ ହୋଇଥିଲା । ସନ୍ତାନବତ୍ସଳ ରମାକାନ୍ତ ବେଳେବେଳେ ଆଲୋଚନା ପ୍ରସଙ୍ଗରେ ରାମମୋହନଙ୍କୁ ନିଜର ଚିନ୍ତାଧାରା ସହ ତାହାଙ୍କ ଚିନ୍ତାଧାରା ମିଳାଇବାଲାଗି ଉଦ୍ୟମ କରି ବିଫଳ ହୋଇଥିଲେ । ଧର୍ମ ସମ୍ବନ୍ଧୀୟ ଆଲୋଚନା ବେଳେ ସେ ବହୁଥର ଅନେକ ଅକାଟ୍ୟ ଯୁକ୍ତି କରୁଥିଲେ ନିଜର ମତ ସପକ୍ଷରେ ।

 

ପରିଣାମତଃ କ୍ରମଶଃ ପରିବାରର ସମସ୍ତେ ବିମୁଖ ହୋଇ ଉଠିଥିଲେ ରାମମୋହନଙ୍କ ପ୍ରତି । ବିଭିନ୍ନ ପାରିବାରିକ ପ୍ରତିବନ୍ଧକ ସତ୍ୱେ, ରାମମୋହନଙ୍କ ଉଛୁଳା ନଈଧାରାର ମନ ନିଜର ଗତିପଥରେ ଆଗେଇ ଚାଲିଥିଲା ସମସ୍ତ ପ୍ରତିବନ୍ଧକକୁ ଛିନ୍ନ କରି । ନିଜ ଚିନ୍ତାଧାରାର ସାମାନ୍ୟତମ ପରିବର୍ତ୍ତନ ହୋଇ ନ ଥିଲା ତାଙ୍କର ।

 

କୌଳିକ ପ୍ରଥା ଅନୁଯାୟୀ ରାମମୋହନ ବାଲ୍ୟ ବିବାହ କରିଥିଲେ । କିନ୍ତୁ ଅତି କମ୍ ବୟସରେ ତାଙ୍କର ପ୍ରଥମା ପତ୍ନୀଙ୍କର ବିୟୋଗ ଘଟିଥିଲା । ତେଣୁ ରମାକାନ୍ତ ଜଣେ ପିତାର ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ତାହାଙ୍କୁ ପୁଣି ଥରେ ବିବାହ କରାଇ ଦେଇଥିଲେ । ହିନ୍ଦୁଧର୍ମର ସଂସ୍କାରପ୍ରୟାସୀ ରାମମୋହନଙ୍କ ଯୁବକ ମନରେ ଜୀବନକୁ ଉପଭୋଗ କରିବା ପିପାସା ବଳବତ୍ତର ହୋଇଉଠିଥିଲା-। ମଧୁମୟ ବୟସର ପ୍ରଭାବରେ ପ୍ରଭାବିତ ହୋଇ ପଡ଼ିଥିଲେ ସେ । ଦୁର୍ବାର ମନର କରାଳ କବଳରୁ ମୁକ୍ତି ନଥିଲା । ସେ ଚାହିଁଥିଲେ ଜୀବନକୁ ମଧୁମୟ ଝଙ୍କାରରେ ଝଙ୍କୃତ କରିବା ପାଇଁ ।

 

ତେଣୁ ଦ୍ଵିତୀୟ ବିବାହର ପ୍ରଥମ ବାର୍ଷିକୀ ପାଳନ ହେବା ପୂର୍ବରୁ ପୁଣି ଥରେ ବିବାହ କରିଥିଲେ । ଦୁଇଜଣ ପତ୍ନୀଙ୍କ ସହିତ ଯୌବନର ଉଜ୍ଜଳ ତରଙ୍ଗ କିପରି ଲହଡ଼ା ଭାଙ୍ଗେ ତାହା ଉପଭୋଗ କରିଥିଲେ ସେ ।

 

ରକ୍ଷଣଶୀଳ ପିତାମାତା ସେଥିପାଇଁ କୌଣସି ପ୍ରକାର ବିରୋଧ କରି ନ ଥିଲେ । କାରଣ ତତକାଳୀନ ସମାଜରେ ବ୍ରାହ୍ମଣମାନେ ଏକାଧିକବାର ବିବାହ କରି ପାରୁଥିଲେ । ଏକା ସାଙ୍ଗରେ ଏକାଧିକ ସ୍ତ୍ରୀ ନିଜ ନିକଟରେ ରଖିପାରୁଥିଲେ । ତେଣୁ ପାରମ୍ପରିକ ରୀତିରେ ତାହା ଥିଲା ଏକ ସାଧାରଣ ସାମାଜିକ ବ୍ୟବସ୍ଥା ।

 

ହିନ୍ଦୁ ସମାଜରେ ବିଭିନ୍ନ ଦେବଦେବୀ ପୂଜା ବା ପ୍ରତିମା ପୂଜା ମୂଳରେ କି ପ୍ରକାର ସବୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ରହିଛି ସେ ସମ୍ପର୍କରେ ଏକ ପ୍ରବନ୍ଧ ଲେଖିଥିଲେ ରାମମୋହନ । ସେତେବେଳକୁ ତାହାଙ୍କ ବୟସ ମାତ୍ର ଷୋହଳ ବର୍ଷ । ଠାକୁରମାନଙ୍କ ବିରୁଦ୍ଧରେ ତାଙ୍କର ସେଭଳି କଟୁ ମନ୍ତବ୍ୟ ରମାକାନ୍ତ ଓ ତାରିଣୀ ଦେବୀଙ୍କୁ ସମ୍ପୂର୍ଣ୍ଣ ବ୍ୟସ୍ତ ଓ ବିଚଳିତ କରି ପକାଇଥିଲା । ଏପରିକି ନିଜ ଇଷ୍ଟଦେବୀଙ୍କୁ ସମାଲୋଚନା କରିବା ଲାଗି ରାମମୋହନ ପଶ୍ଚାତ୍‍ପଦ ହୋଇ ନ ଥିବା ଯୋଗୁଁ ସେଭଳି କୁଳାଙ୍ଗାର ପୁତ୍ରର ମୁଁହ ନ ଦେଖିବା ଉଚିତ ବୋଲି ମନେ କରିଥିଲେ ନିଜ ଜନ୍ମଦାତ୍ରୀ ମାତା ତାରିଣୀ ଦେବୀ । ରମାକାନ୍ତଙ୍କ ଅଭିଯୋଗ ଥିଲା ଆହୁରି ଅଧିକ ଶ୍ରୁତିକଟୁ । ସେ ମତବ୍ୟକ୍ତ କରିଥିଲେ ଏବଂ ସ୍ତିର ମଧ୍ୟ କରିଥିଲେ, ନିଜ ଧର୍ମ ପ୍ରତି ଯାହାର ଅନୁରକ୍ତି ନାହିଁ, ନିଜ ପାରିବାରିକ ପରମ୍ପରା ପ୍ରତି ଯାହାର ବିଶ୍ୱାସ ନାହିଁ, ନିଜ ଇଷ୍ଟଦେବତାଙ୍କ ପ୍ରତି ଯାହାର ଭକ୍ତି ନାହିଁ, ସେଭଳି ବ୍ୟକ୍ତିମାନଙ୍କ ସହିତ ସେ ଏକାଠି ରହିବା ଆଦୌ ସମ୍ଭବ ନୁହେଁ-ସେ ନିଜର ପୁଅ ହୁଅନ୍ତୁ ପଛେ- ।

 

ସମୟର ନିଷ୍ଟୁର ଚାପରେ ପିତା ଓ ପୁତ୍ରଙ୍କ ମଧ୍ୟରେ ମନୋମାଳିନ୍ୟ ଏତେଦୂର ବଢ଼ିଯାଇଥିଲା ଯେ ରାମମୋହନ ବାଧ୍ୟ ହୋଇ ଗୃହତ୍ୟାଗ କରିଥିଲେ । ପିତାମାତାଙ୍କ ବ୍ୟବହାରରେ ସେ ଏତେ ଉତ୍‍ପୀଡ଼ିତ ମନେକରିଥିଲେ ଯେ ମହାମେରୁ ହିମାଳୟ ପାଦରେ ଚାଲି ଚାଲି ଅତିକ୍ରମ କରିବା ତାଠାରୁ ଅଧିକ କଷ୍ଟକର ହେବ ବୋଲି ତାଙ୍କର ମନହୋଇ ନ ଥିଲା । ଶେଷରେ ତାହାହିଁ କରିଥିଲେ ଏବଂ ପାଦରେ ବଙ୍ଗଳାରୁ ସୁଦୂର ତିବ୍ଦତ ପର୍ଯ୍ୟନ୍ତ ଚାଲିଯାଇଥିଲେ ସେ ।

 

ତିବ୍ଦତରେ ପହଞ୍ଚିବା ପରେ ପରେ ସେଠାକାର ଅଧିବାସୀମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ । କୌତୂହଳବଶତଃ ସେଠାର ମନ୍ଦିର ପରିଦର୍ଶନ କରିଥିଲେ ସେ । କ୍ରମଶଃ ମନ୍ଦିରର ପୂଜକ “ଲାମା” ମାନଙ୍କ ନିବିଡ଼ ସାନ୍ନିଧ୍ୟ ମଧ୍ୟ ଲାଭ କରିଥିଲେ । ପୁରାତନପନ୍ଥୀ ଓ ରକ୍ଷଣଶୀଳ ଲାମାମାନଙ୍କ ପୂଜା ପଦ୍ଧତି ରାମମୋହନଙ୍କୁ ଆକର୍ଷିତ କରିବା ତ ଦୂରର କଥା ବରଂ ଘୃଣା କରିବା ଲାଗି ଅନେକ ଖୋରାକ ଯୋଗାଇଥିଲା । ସେମାନେ ଯେଭଳି ଭାବରେ ଆରାଧନା ଓ ପୂଜା କରୁଥିଲେ ତାହା ରାମମୋହନଙ୍କ ହୃଦୟରେ ଗଭୀର ବିରକ୍ତି ଭାବ ଉଦ୍ରେକ କରାଇଥିଲା ସେଇ ପୂଜକମାନଙ୍କ ପ୍ରତି । କେବଳ ଯେ ବୌଦ୍ଧ ପୂଜକମାନଙ୍କ ପ୍ରତି ସେ ଘୃଣା ଭାବ ଆରମ୍ଭ କରିଥିଲେ ତା ନୁହେଁ, ଅନ୍ଧ ଭାବରେ ଯେଉଁ ବୌଦ୍ଧଧର୍ମାବଲମ୍ବୀ ଓ ବୌଦ୍ଧ ଭିକ୍ଷୁମାନେ ସେ ପ୍ରକାର ପୁରାତନ ପରମ୍ପରାକୁ ରକ୍ଷା କରିବାକୁ ଯାଇ ଯେଉଁସବୁ ପୂଜା ପଦ୍ଧତି ଅନୁସରଣ କରୁଥିଲେ ଓ ଲାମାମାନଙ୍କ କାର୍ଯ୍ୟକଳାପକୁ ସମ୍ମାନ ପ୍ରଦର୍ଶନ କରୁଥିଲେ, ସେ ସମସ୍ତଙ୍କୁ ମଧ୍ୟ । ମୋଟ ଉପରେ ବୌଦ୍ଧ ଭିକ୍ଷୁମାନଙ୍କ ପ୍ରତି ଏକ ପ୍ରକାର ଘୃଣାଭାବ ଉଦ୍ରେକ ହୋଇଥିଲା ତାଙ୍କ ମନଭିତରେ । ସେଠାରେ ସେ ଯେଉଁ ଦୁଇତିନି ବର୍ଷ ରହିଥିଲେ, ଲାମାମାନଙ୍କ ସହ ନିଜର ଧର୍ମମତ ନେଇ ପ୍ରାୟ ପ୍ରତିଦିନ ଯୁକ୍ତିତର୍କ କରୁଥିଲେ ସେ । ସୌମ୍ୟେନ୍ଦ୍ରନାଥ ଠାକୁରଙ୍କ ଭାଷାରେ “in Tibet, he spent two or three years disputing daily with the worshippers of the Living Lama”

 

ଯେଉଁ ବାଳକ ନିଜର ପିତମାତାଙ୍କୁ ସେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଯୋଗୁଁ କଠୋର ସମାଲୋଚନା କରି ନିଜ ପରିବାରରୁ ଏକା ପ୍ରକାର ନିର୍ବାସିତ ହୋଇଥିଲା କହିଲେ ଚଳେ, ସେଇ ଯୁବକ ଠିକ୍ ସେଇମିତି ଅନ୍ଧବିଶ୍ୱାସ ଉପରେ ପ୍ରତିଷ୍ଠିତ ଆଚରଣଙ୍କୁ ସମାଲୋଚନା ନ କରି ସ୍ଥିରହୋଇ ରହିପାରନ୍ତା କେମିତି ? ବୌଦ୍ଧଧର୍ମ ବିରୁଦ୍ଧରେ ସେଇ ତିବ୍ଦତରେ ରାମମୋହନ ସମାଲୋଚନା ଆରମ୍ଭ କରି ଦେଇଥିଲେ କଠୋର ଭାବେ । ପରମ୍ପରା ଓ ଅନ୍ଧବିଶ୍ୱାସର ଦ୍ୱାହୀ ଦେଇ କିପରି ଭାବରେ ସମାଜର ଅନ୍ୟାୟ ଓ ଅତ୍ୟାଚାର ଚାଲିଥିଲା, ତାର ମୁଖା ଖୋଲିଦେବାପାଇଁ ଉଦ୍ୟମ କରିଥିଲେ ସେଠାରେ ମଧ୍ୟ । କିନ୍ତୁ ତାର ପରିଣାମ ଭୟାବହ ହୋଇ ଉଠିଥିଲା । ସେଠିକାର ବୌଦ୍ଧ ଭିକ୍ଷୁ ଓ ଲାମାମାନେ ମିଳିତ ଭାବରେ ସେମାନଙ୍କ ଧର୍ମବିଦ୍ୱେଷୀ ରାମମୋହନଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ କରିଥିଲେ ।

 

ଯିଏ ହିନ୍ଦୁ ଧର୍ମରେ ସଂସ୍କାର ଆଣିବାଲାଗି ତଥା ଭାରତରେ ଏକ ନୂତନ ଶିହରଣ ସୃଷ୍ଟି କରିବା ଲାଗି ଜନ୍ମ ନେଇଥିଲା ତାର ଏତେଶୀଘ୍ର ମୃତ୍ୟୁ ସମ୍ଭବ ହୋଇଥାନ୍ତା କିପରି ? ସେଠିକାର କେତେଜଣ ଦୟାଶୀଳ ମହିଳାଙ୍କ ସହୃଦୟତାରୁ ବଞ୍ଚି ଯାଇଥିଲେ ସେ । ବୌଦ୍ଧଧର୍ମାବଲମ୍ବୀମାନଙ୍କ ଉଦ୍ୟମ ସଫଳ ହୋଇପାରି ନ ଥିଲା ।

 

ଯେଉଁ ମହୀୟସୀ ମହିଳାମାନେ ସେତେବେଳେ ତାହାଙ୍କ ଜୀବନ ରକ୍ଷା କରିଥିଲେ, ରାମମୋହନ ତାହାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କୁ ମନେ ରଖିଥିଲେ ।

 

ରାମମୋହନ ତିବ୍ଦତ ଯାତ୍ରା ପୂର୍ବରୁ ହିନ୍ଦୁ ଧର୍ମ ସହିତ ଜଡ଼ିତ ଥିବା ଅନେକଗୁଡ଼ିଏ କୁସଂସ୍କାର ସହିତ ପରିଚିତ ଥିଲେ । ସେହିଭଳି ସେଠାରେ ସେ ଦେଖିବାକୁ ପାଇଥିଲେ ବୌଦ୍ଧଧର୍ମରେ ଅନେକଗୁଡ଼ିଏ ଅନ୍ଧ ଧର୍ମ ଧାରଣା । ଉଭୟ ଧର୍ମର ଅନେକଗୁଡ଼ିଏ କୁସଂସ୍କାର ତାହାଙ୍କ ଲାଗି ଏକ ନୂତନ ଦିଗନ୍ତର ସନ୍ଧାନ ଦେଇଥିଲା ।

 

ସେ ସବୁକୁ ବାଦ୍ ଦେଇ ମଧ୍ୟ ରାମମୋହନ ତାଙ୍କର ପଦଯାତ୍ରାବେଳେ ଅନେକ ସାଧୁ ସନ୍ନ୍ୟାସୀଙ୍କ ସହିତ ପରିଚିତ ହୋଇଥିଲେ । ସେମାନଙ୍କ ନିକଟରୁ ସେ ଜାଣିବାକୁ ପାଇଥିଲେ ଯେ ସେମାନେ ମଧ୍ୟ ଅନେକ ବାଧା ବନ୍ଧନ ଅତିକ୍ରମ କରି ସନ୍ଧାନ ନେଉଥିଲେ ଚିରନ୍ତନ ସତ୍ୟର-ସେମାନେ କରୁଥିଲେ ସୃଷ୍ଟିକର୍ତ୍ତାଙ୍କର । ସେମାନେ ଆରାଧନା କରୁଥିଲେ ଏକମାତ୍ର ବିଶ୍ୱର ସୃଷ୍ଟିକର୍ତ୍ତା ଓ ଅଦୃଶ୍ୟ ବିଶ୍ୱ ନିୟନ୍ତା ଭଗବାନଙ୍କର । ତାହାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ପ୍ରଣାମ ସାଧୁମାନେ ଜଣାଇବା ସେ ଦେଖିଥିଲେ । ସେଭଳି ସାଧୁମାନଙ୍କ ନିକଟତମ ସଂସ୍ପର୍ଶରେ ଆସିବା ପରେ ରାମମୋହନଙ୍କ ଧାରଣା ଦୃଢ଼ୀଭୂତ ହୋଇଥିଲା ଯେ ଭଗବାନ ଏକ । ସେହି ଏ ସୃଷ୍ଟିର କର୍ତ୍ତା । ସେହି ଏ ବିଶ୍ୱର ନିୟନ୍ତ୍ରଣ କର୍ତ୍ତା । ତେଣୁ ତାହାଙ୍କୁ ବୁଝିବାକୁ ହେଲେ ହିନ୍ଦୁଧର୍ମର ମୂଳତତ୍ତ୍ଵଗୁଡ଼ିକୁ ଖୋଜି ବାହାର କରିବାକୁ ହେବ ।

 

ସେହି ଉଦ୍ଦେଶ୍ୟରେ ସେ ଯାତ୍ରା କରିଥିଲେ ବନାରସ । ସେତେବେଳେ ବନାରସ ଥିଲା ପ୍ରସିଦ୍ଧ, ପ୍ରସିଦ୍ଧ ଶାସ୍ତ୍ରଜ୍ଞ ହିନ୍ଦୁ ପଣ୍ଡିତମାନଙ୍କର କେନ୍ଦ୍ରସ୍ଥଳ । ଏଥର ସେ ଆଉ ଏକା ଏକା ଯାତ୍ରା କରି ନ ଥିଲେ । ତାଙ୍କ ସହିତ ଥିଲେ ତାଙ୍କର ଉଭୟ ସ୍ତ୍ରୀ । ସେଠାରେ ସାମୟିକ ଭାବେ ଚାକିରି କରି ପଇସା ରୋଜଗାର କରିବା ଲାଗି ପନ୍ଥା ଗ୍ରହଣ କରିବାପାଇଁ ସେ ବାଧ୍ୟ ହୋଇଥିଲେ ପରିବାରର ଭରଣପୋଷଣ ପାଇଁ । କିନ୍ତୁ ତଥାପି ସେଠାକୁ ଯିବାର ପ୍ରଧାନ ଉଦ୍ଦେଶ୍ୟ ଥିଲା ପଣ୍ଡିତମାନଙ୍କ ନିକଟରୁ ହିନ୍ଦୁଧର୍ମର ମୂଳତତ୍ତ୍ଵଗୁଡ଼ିକ ସଂପର୍କରେ ଅନୁସନ୍ଧାନ ଓ ଅନୁଧ୍ୟାନ ।

 

ବିଦ୍ୟାନଗରୀ ବନାରସରେ ୧୮୦୦ ମସିହାରେ ରାମମୋହନଙ୍କ ପ୍ରଥମ ସନ୍ତାନ ରାଧାପ୍ରାସାଦ ଜନ୍ମ ଗ୍ରହଣ କରିଥିଲା ।

 

ବନାରସଠାରେ ବିଦ୍ୱାନ ପଣ୍ଡିତମାନଙ୍କ ତତ୍ତ୍ଵାବଧାନରେ ହିନ୍ଦୁ ଧର୍ମର ପବିତ୍ର ମୂଳ ଗ୍ରନ୍ଥସବୁ ସଂସ୍କୃତ ଭାଷାରେ ଅଧ୍ୟୟନ କରିଥିଲେ ରାମମୋହନ । ଧର୍ମଗ୍ରନ୍ଥ ସବୁକୁ ଆମୂଳଚୂଳ ଜାଣିବା ପାଇଁ ତାହାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ସେଥିପାଇଁ ତାଙ୍କର ଖାତିର୍ ନ ଥିଲା-। କାରଣ ବାସ୍ତବିକ୍ ସେଇଗୁଡ଼ିକ ହିଁ ତାଙ୍କର ସମସ୍ତ ଦ୍ୱନ୍ଦ୍ୱ, ସମସ୍ତ ଭ୍ରାନ୍ତ ଧାରଣା ଦୂରୀଭୂତ କରାଇ ଦେଇଥିଲା ।

 

ଉପନିଷଦଗୁଡ଼ିକ ସଂସ୍କୃତରେ ପଢ଼ି ସବୁଠାରୁ ଅଧିକ ଅଭିଭୂତ ହୋଇ ପଡ଼ିଥିଲେ ସେ । ସେଥିରେ ଏକେଶ୍ୱରବାଦ ସଂପର୍କୀୟ ବିଷୟଗୁଡ଼ିକ ହିଁ ତାହାଙ୍କୁ ଅଧିକ ଆକୃଷ୍ଟ କରି ପାରିଥିଲା । ପୃଥିବୀର ପ୍ରତ୍ୟେକ ଧର୍ମ ମୂଳରେ ଯେ ଏକ ନିରାକାର ଭଗବାନଙ୍କ ଆରାଧନା, ଏ ସୃଷ୍ଟିର ସୃଷ୍ଟିକର୍ତ୍ତାଙ୍କ ପାଇଁ ଅନୁରାଗ ଯେ ନିହିତ ଅଛି, ସେଇ ଧାରଣା ତାଙ୍କ ମନ ଭିତରେ ଦୃଢ଼ ହୋଇଥିଲା ଉପନିଷଦରୁ ।

 

ଉପନିଷଦ ପଢ଼ି ତାଙ୍କର ଆତ୍ମବିଶ୍ୱାସ ହୋଇଥିଲା ଯେ, ପୃଥିବୀରେ ଭ୍ରାତୃଭାବ ପ୍ରତିଷ୍ଠା ନିଶ୍ଚିତ ଭାବେ ସମ୍ଭବ, କାରଣ ସମଗ୍ର ପୃଥିବୀର ସୃଷ୍ଟିର ଉତ୍ସ ସେଇ ମାତ୍ର ଗୋଟିଏ । ସେହି ଦୃଷ୍ଟିରୁ ସେ ହିନ୍ଦୁ ହେଉ, ମୁସଲିମ୍ ହେଉ, ବୌଦ୍ଧ ଧର୍ମାବଲମ୍ବୀ ହେଉ ବା ଖ୍ରୀଷ୍ଟିୟାନ୍ ହେଉ, ପ୍ରତ୍ୟେକ ଧର୍ମ ମୂଳରେ ଗୋଟିଏ ମାତ୍ର ଚିରନ୍ତନ ସତ୍ୟ ସୃଷ୍ଟିକର୍ତ୍ତାଙ୍କ ସମ୍ପର୍କରେ-ସେଇ ଏକମାତ୍ର ଈଶ୍ୱରଙ୍କ ଅର୍ଚ୍ଚନା କରିବା । ଏବଂ ସେ ଈଶ୍ୱର ନିରାକାର-ସେ ଈଶ୍ୱର ସମଗ୍ର ବିଶ୍ୱର ସ୍ରଷ୍ଟା, ପ୍ରତି ମଣିଷ ଦେହରେ ସେ ଈଶ୍ୱର ବିଦ୍ୟାମାନ ।

Image

 

ତିନି

ଦେଶ ବିଦେଶରେ ବେଦାନ୍ତ

 

ରାମମୋହନଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ୧୮୦୩ ମସିହାରେ ତା ପରେ ପରେ ସେ ମୁର୍ଶିଦାବାଦ୍ ଚାଲିଯାଇଥିଲେ ଓ ସେଠାରେ ଇଷ୍ଟ ଇଣ୍ଡିଆ କଂପାନୀ ସରକାରଙ୍କ ଅଧୀନରେ ଗୋଟିଏ ଚାକିରି ମଧ୍ୟ ପାଇଥିଲେ । ସେଠାରେ ଥିବା ସମୟରେ ଏକେଶ୍ଵରବାଦ ସପକ୍ଷରେ ଯେଉଁ ପୁସ୍ତିକା ଲେଖିଥିଲେ ତାହା ତତକାଳୀନ ସମାଜର ସବୁ ଧର୍ମ ସଂପ୍ରଦାୟ ମଧ୍ୟରେ ଏକ ପ୍ରକାର ତଡ଼ିତ୍ ସୃଷ୍ଟି କରିଥିଲା । କାରଣ ତାହା ଥିଲା ପ୍ରାୟ ପ୍ରତ୍ୟେକ ଧର୍ମର ପାରମ୍ପରିକ, ପ୍ରତିଷ୍ଠିତ, ପ୍ରଚଳିତ ପ୍ରଥାଗୁଡ଼ିକ ପାଇଁ ଏକ ପ୍ରକାଶ୍ୟ ଚାଲେଞ୍ଜ୍ । ଧର୍ମର ଆଭରଣ ଭିତରେ ଯେଉଁ କୁସଂସ୍କାର ଓ ବ୍ୟଭିଚାରର ସୁଅ ଛୁଟି ଚାଲିଥିଲା ତାର ନଗ୍ନ ପ୍ରକାଶ ଘଟିଥିଲା ସେଠାରେ । କେବଳ ସେତିକି ନୁହେଁ, ରାମମୋହନଙ୍କ ନିଜସ୍ଵ ଚିନ୍ତାଧାରା ‘ଏକେଶ୍ୱରବାଦ’ ସପକ୍ଷରେ ମଧ୍ୟ ଅକାଟ୍ୟ ଯୁକ୍ତି ପ୍ରକାଶିତ ହୋଇଥିଲା ସେଥିରେ ।

 

୧୮୦୦ ମସିହାରେ ଯେତେବେଳେ ଫୋର୍ଟ ଉଇଲିୟମ୍ କଲେଜ ପ୍ରତିଷ୍ଠିତ ହୋଇଥିଲା, ଭାରତୀୟ ତଥା ବିଦେଶୀ ଶିକ୍ଷିତ ବ୍ୟକ୍ତିମାନଙ୍କ ମିଳନ ପୀଠ ରୂପେ ତାହା ପରିଗଣିତ ହୋଇଥିଲା । ରାମମୋହନଙ୍କ ପାଇଁ ତାହା ପ୍ରକୃତରେ ଆଣି ଦେଇଥିଲା ଅପୂର୍ବ ସୁଯୋଗ । କାରଣ ସେ ସବୁବେଳେ ଚାହୁଁଥିଲେ ନିଜ ଜ୍ଞାନର ପରିସର ବୃଦ୍ଧି କରିବା ପାଇଁ । ସେ ଚାହୁଁଥିଲେ ବିଦ୍ଵାନମାନଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ–ସେ ବିଦେଶୀ ହୁଅନ୍ତୁ ପଛକେ । ସେଭଳି ଭାବରେ ଜନ୍ ଦିଗବୀଙ୍କ ସହିତ ତାଙ୍କର ପ୍ରଥମ ପରିଚୟ ହୋଇଥିଲା ସେଇ କଲେଜ ପରିସର ଭିତରେ, ପ୍ରାୟ ୧୮୦୧ ମସିହାରେ । ରାଜାଙ୍କ ଉପରେ ଗଭୀର ପ୍ରଭାବ ପକାଇ ପାରିଥିଲେ । ସେତେବେଳେ ସେଇମିତି ଥୋମାସ୍ ଫୋର୍ଡ଼ଙ୍କ ସହ ମଧ୍ୟ ରାମମୋହନଙ୍କ ପରିଚୟ ହୋଇଥିଲା ।

 

ତାଙ୍କ ପିତାଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ରାମମୋହନ ଇଷ୍ଟ ଇଣ୍ଡିଆ କଂପାନୀ ଅଧୀନରେ ଚାକିରି ଆରମ୍ଭ କରିଥିଲେ । କର୍ମସ୍ଥଳୀ ଥିଲା ମୁର୍ଶିଦାବାଦ ଓ ତାଙ୍କର ଉପରିସ୍ଥ ହାକିମ ଥିଲେ ଥୋମାସ୍ ଉଡ଼୍ ଫୋଡ଼ ।

 

ସେତେବେଳର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା-ସେହି ବର୍ଷ ରାଜା ରାମମୋହନଙ୍କ ନିର୍ଦ୍ଦିଷ୍ଟ ଧର୍ମମତବାଦର ସ୍ଵାକ୍ଷର ବହନ କରି ପ୍ରଥମ ଗୁରୁତ୍ଵପୂର୍ଣ୍ଣ ପୁସ୍ତିକା ପ୍ରକାଶ । ତାହା ଥିଲା ଏକେଶ୍ଵରବାଦ ଉପରେ ଆସ୍ଥାବାନ୍ ଜନଗଣଙ୍କ ପାଇଁ ଉପହାର । ଉକ୍ତ ଉପହାରର ମୁଖବନ୍ଧ ଆରବୀ ଭାଷାରେ ଲେଖାଯାଇଥିବା ବେଳେ ବିଷୟବସ୍ତୁ ଲିଖିତ ହୋଇଥିଲା ପାର୍ଶି ଭାଷାରେ I

 

ଉକ୍ତ ପ୍ରକାଶନରେ ରାମମୋହନଙ୍କ ସ୍ପଷ୍ଟ ମତ ପ୍ରକାଶ ପାଇଥିଲା ସେ, ସମଗ୍ର ମାନବ ଜାତିର ସ୍ରଷ୍ଟା ଭଗବାନଙ୍କ ଉପରେ ସମସ୍ତେ ଆସ୍ଥାବାନ୍ ହେବା ଉଚିତ୍ । ଧର୍ମକୁ ଭୁଲ ଭାବରେ ଗ୍ରହଣ କରିବା ଫଳରେ ହିଁ ମାନବ ଜାତି ମଧ୍ୟରେ ସୃଷ୍ଟି ହୁଏ ବିଭିନ୍ନ ଗୋଷ୍ଠୀ । ସେହିଭଳି ବିଭିନ୍ନ ଗୋଷ୍ଠୀର ସୃଷ୍ଟି ବିଶ୍ୱସ୍ରଷ୍ଟାଙ୍କ ଅବମାନନା ବ୍ୟତୀତ ଆଉ କିଛି ନୁହେଁ ।

 

ଅତୀତରେ ନିଜ ଭ୍ରମଣକାଳର ଅଭିଜ୍ଞତା ବର୍ଣ୍ଣନା କରି ସେ ସେଥିରେ ଲେଖିଥିଲେ ଯେ, ଭାରତର ବିଭିନ୍ନ ଅଞ୍ଚଳ ଏପରିକି ପାର୍ବତ୍ୟ ଅଞ୍ଚଳର ଅନେକ ଲୋକଙ୍କ ବିଶ୍ୱାସ ଏ ସମଗ୍ର ବିଶ୍ଵର ସୃଷ୍ଟିକର୍ତ୍ତା ଜଣେ ଏବଂ ସେ’ହିଁ ସୃଷ୍ଟିର ପାଳନକର୍ତ୍ତା । କିନ୍ତୁ ସମାଜରେ ପୂର୍ବପୁରୁଷମାନଙ୍କ ତୃଟି ଯୋଗୁଁ ବିଭିନ୍ନ ସାମାଜିକ ଗୋଷ୍ଠୀ ସୃଷ୍ଟିହେବା ପରେ ପରେ ପ୍ରତ୍ୟେକ ଗୋଷ୍ଠୀ ବିଭିନ୍ନ ଦେବଦେବୀଙ୍କ ପୂଜା ଆରାଧନାରେ ରତ । ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀର ଦେବଦେବୀଙ୍କୁ ସ୍ୱୀକାର କରିବାକୁ ରାଜି ନୁହନ୍ତି । ଏପରିକି ଗୋଟିଏ ଧର୍ମର ବିଭିନ୍ନ ଗୋଷ୍ଠୀ ସେମାନଙ୍କର ପୂର୍ବପୁରୁଷମାନଙ୍କ ପନ୍ଥାନୁସରଣ କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରିବା ଧର୍ମ ବିରୁଦ୍ଧ ବୋଲି ମନେକରି ଥାନ୍ତି । ପ୍ରଚଳିତ ଧର୍ମର ନୀତି ନିୟମ ଗୁଡ଼ିକରେ କେତେଦୂର ପ୍ରାଣପ୍ରାଚୁର୍ଯ୍ୟ ରହିଛି, ତାହା ପ୍ରକୃତରେ ଜନସମାଜର ହିତକର କି ନୁହେଁ, କିମ୍ବା କିଭଳି ଭାବରେ ଓ କାହା ଦ୍ଵାରା ସେ ସବୁ ନୀତିନିୟମ ସମାଜରେ ପ୍ରଚଳିତ ହୋଇଥିଲା ତାହାର ସତ୍ୟାସତ୍ୟ ନିରୂପଣ ପାଇଁ ଜନସାଧାରଣ ପ୍ରସ୍ତୁତ ନୁହନ୍ତି । ରାମମୋହନ ସେଥିରେ ଲେଖିଥିଲେ-ତାହାର ପରିଣାମତଃ ଅନ୍ଧବିଶ୍ୱାସ ସମାଜରେ ଏଭଳି ଭାବରେ ପ୍ରସାରିତ ଯେ, କାର୍ଯ୍ୟ ଓ କାରଣ ମଧ୍ୟରେ ତଫାତ୍ ଏତେ ଅଧିକ ଯେ, ସାଧାରଣତଃ ଗୋଟିଏ ଗଛକୁ ଦେବତା ମନି ପୂଜା କରିବା, କୌଣସି ନଈରେ ଗାଧୋଇ ପାପ ପ୍ରକ୍ଷାଳନ କରିବା କିମ୍ବା କୌଣସି ଦେବପୂଜକଠାରୁ ଆଶିଷ ପାଇ ଜୀବନରୁ ପାପମୋକ୍ଷ ହେବା ଭଳି ସାମାଜିକ ନିୟମ ବିଭିନ୍ନ ଧର୍ମାନୁମୋଦିତ । ଜନଗଣଙ୍କ ଧାରଣା ପ୍ରକୃତରେ ସେସବୁ ନଦୀ, ଗଛ କିମ୍ବା ଦେବପୂଜକମାନଙ୍କ ଆଲୌକିକତା କିନ୍ତୁ ରାମମୋହନଙ୍କ ଯୁକ୍ତି ଥିଲା ଯେହେତୁ ପୃଥିବୀର ଅନ୍ୟାନ୍ୟ ଦେଶର ଓ ଅନ୍ୟାନ୍ୟ ଜାତିର ମଣିଷମାନେ ସେଭଳି ବିଶ୍ଵାସର ପକ୍ଷପାତି ନ ଥିଲେ, ବରଂ ବିରୋଧି ଥିଲେ, ସେମାନଙ୍କର କୌଣସି କ୍ଷତି କିପରି ହେଉ ନ ଥିଲା । ବିଶ୍ୱାସରେ ଭଗବାନ ପ୍ରତିଷ୍ଠିତ ବୋଲି ଯେଉଁ ଯୁକ୍ତି ଉଠୁଥିଲା, ସେମାନଙ୍କ ପାଇଁ ରାମମୋହନଙ୍କ ଉତ୍ତର ଥିଲା, ଯଦି ବିଷକୁ ସମସ୍ତ ନିଷ୍ଠା ଓ ବିଶ୍ଵାସର ସହିତ ଏକ ସୁଖାଦ୍ୟ ବୋଲି ଗ୍ରହଣ କରାଯାଏ ତାହାର କେବଳ ମୃତ୍ୟୁ ହିଁ ଅନିବାର୍ଯ୍ୟ ହେବ ।

 

ରାମମୋହନ ସେଥିରେ ଯୁକ୍ତି କରିଥିଲେ ଯେ, ଯଦି ଜଣେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ଅଧିକ ଦୁର୍ବଳତା ନ ଦେଖାଇ ପୃଥିବୀର ସମସ୍ତ ଧର୍ମର ନୀତିଗୁଡ଼ିକୁ ଗଭୀର ଭାବରେ ଅନୁଧ୍ୟାନ କରେ, ସେ ନିଶ୍ଚୟ ଚିରନ୍ତନ ସତ୍ୟର ଆବିଷ୍କାର କରିପାରିବ ଏବଂ ପରିଣାମତଃ ଏ ସୃଷ୍ଟିର ଏକମାତ୍ର ସ୍ରଷ୍ଟାଙ୍କ ମହିମାକୁ ସ୍ଵୀକାର କରିବାକୁ କୁଣ୍ଠାବୋଧ କରିବ ନାହିଁ । ଜଣେ ନିଶ୍ଚୟ ଶେଷ ସିଦ୍ଧାନ୍ତରେ ଉପନୀତ ହେବ ଯେ ସ୍ରଷ୍ଟା କେବେହେଁ ବିଭିନ୍ନ ଅବତାର ନେଇ ପୃଥିବୀର ଜନ୍ମଗ୍ରହଣ କରନ୍ତି ନାହିଁ ଏବଂ ସେହି କାରଣରୁ କେହି ଭଗବାନଙ୍କ ଅବତାର ହୋଇ ନ ପାରନ୍ତି । କେବଳ ନିଜ ନିଜର ସ୍ଵାର୍ଥ ଦୃଷ୍ଟିରୁ ଦେବପୂଜକମାନେ ବା ଧର୍ମର ବଡ଼ପଣ୍ଡା ଭାବେ ନିଜକୁ ପରିଚିତ କରାଇଥିବା ସ୍ୱାର୍ଥାନ୍ଧ ପୁରୁଷମାନେ ଭଗବାନଙ୍କ ଅବତାର ରୂପେ ସମାଜରେ ଜାହିର କରାଇବା ଚେଷ୍ଟାକରି ଧାର୍ମିକ ରୋଗାକ୍ରାନ୍ତ ସମାଜରେ ଅନେକ ସ୍ଥାନରେ ସଫଳ ଅଭିନୟ କରିଥାଆନ୍ତି । ସମାଜ ଅନ୍ଧ ଭାବରେ ଧର୍ମର ଦ୍ୱାହୀ ଦେଇ ସେମାନଙ୍କୁ ଗ୍ରହଣ କରି ନେଇଥାଏ । ଅପରନ୍ତୁ ସେଇମାନେହେଁ ପ୍ରଚାର କରାଇଥାନ୍ତି ଯେ, ସବୁ ଭଲ ଭଳି ସବୁ ମନ୍ଦ ମଧ୍ୟ ସେଇ ଭଗବାନଙ୍କ ସୃଷ୍ଟି । ରାମମୋହନ ସେଥିରେ ସ୍ପଷ୍ଟ ମତ ଦେଇଥିଲେ-

 

“Some people argue in this way that the Almighty Creator has opened the way of guidance to mortal beings through the mediums of prophets or leaders of religions. This is evidently futile; because the same people believed that the existence of all things in Creation, whether good or bad, is connected with the Great Creator without any intermediary agency and that the secondary causes are all the medium and conditions of their existence. Hence it is to be seen whether sending of prophets and revelation to them from God are immediately from God or through intermediate agency.”

 

ରାମମୋହନଙ୍କ ଧାର୍ମିକ ତଥା ଦାର୍ଶନିକ ଚିନ୍ତାଧାରା ସେତେବେଳକୁ ଯେ ଏକ ନିର୍ଦ୍ଦିଷ୍ଟ ରୂପରେଖ ନେଇ ସାରିଥିଲା ତାହାର ପ୍ରକୃଷ୍ଟ ପ୍ରତିଫଳନ ଥିଲା ଏକେଶ୍ୱରବାଦୀମାନଙ୍କ ପାଇଁ ଉପହାର “ତୁଫାତ୍-ଉଲ୍-ମୁୱାହିଦ୍ଦିନ” । ଉକ୍ତ ପ୍ରକାଶନ ଧାର୍ମିକ ଜଗତରେ ଏକ ନୂତନ ଯୁଗର ଆବାହନ ଶୁଣାଇ ଦେଇଥିଲା ।

 

ଉକ୍ତ ପ୍ରକାଶନର କମ୍ ଦିନ ପରେ ପରେ ରାମମୋହନଙ୍କ ମୁର୍ଶିଦାବାଦ ରହଣି ଶେଷ ହୋଇଥିଲା । ୧୯୦୫ ମସିହାରେ ଜନ୍ ଉଡ଼ଫୋର୍ଡ଼ ଚାକିରିରୁ ଇସ୍ତଫା ଦେଇଥିଲେ । ଏବଂ ସେଇ ବର୍ଷ ରାମମୋହନ ଜନ୍ ଦିଗବୀଙ୍କ ଅଧୀନରେ ମୁନସି ରୂପେ ଯୋଗ ଦେଇଥିଲେ ରାମଗଡ଼ରେ । ସେଠାରୁ ପୁଣି ବଦଳି ହୋଇଥିଲା ବର୍ତ୍ତମାନ ବଙ୍ଗଳା ଦେଶସ୍ଥ ଦେଶୁରକୁ । ବର୍ତ୍ତମାନର ଭାରତ, ପାକିସ୍ଥାନ ଓ ବଙ୍ଗଳାଦେଶ ସେତେବେଳର ଥିଲା ଅବିଭକ୍ତ ଭାରତ । ସେଠାରୁ ପୁଣି ଭାଗଲପୁର ପ୍ରଭୃତି ଅଞ୍ଚଳକୁ ବଦଳି ହୋଇଥିଲେ ମି: ଦିଗବୀଙ୍କ ସହିତ । ଯେତେବେଳେ ମି.ଜନ୍ ଦିଗବୀ ରଙ୍ଗପୁର ଜିଲ୍ଲାର କଲେକ୍ଟର ହୋଇ ଆସିଥିଲେ ୧୯୦୯ ମସିହାରେ, ତାଙ୍କର ଦେବାନ୍ ରୂପେ ଯୋଗ ଦେଇଥିଲେ ରାମମୋହନ । ସେଠାରେ ଉଭୟେ କାର୍ଯ୍ୟ କରିଥିଲେ ୧୯୧୪ ମସିହା ପର୍ଯ୍ୟନ୍ତ ।

 

ସେଇ ସମୟ ଭିତରେ ରାମମୋହନ କେବଳ ଇଂରାଜୀ ଭାଷା ତ ଶିକ୍ଷା କରି ନ ଥିଲେ, ବରଂ ଦିଗବୀଙ୍କ ପ୍ରେରଣା ଓ ଉତ୍ସାହ ପାଇ ଇଂରେଜୀ ଭାଷା ଓ ଇଂରେଜ ଲୋକଙ୍କ ସମ୍ପର୍କରେ ଅନେକ କିଛି ଅଧ୍ୟୟନ କରିଥିଲେ । ସେତେବେଳକୁ ତାଙ୍କର ବୟସ ଥିଲା ୨୨ ବର୍ଷ । ପ୍ରାଣରେ ଉନ୍ମାଦନା କିଛି କମ୍ ନ ଥିଲା । ପୁଣି ଦିଗବୀଙ୍କ ଉତ୍ସାହ ସେସବୁ ଦିଗରେ ଥିଲା ସବୁଠାରୁ ଅଧିକ । ଜୀବନର ସେଇ ସମୟତକ, ୧୯୦୫ ରୁ ୧୯୧୪ ପର୍ଯ୍ୟନ୍ତ ପ୍ରାୟ ୯ ବର୍ଷ, ତାଙ୍କରି ପ୍ରଭାବରେ ପ୍ରଭାବିତ ହୋଇ ପଡ଼ିଥିଲେ ସେ । ଇଂରେଜୀ ଭାଷା ପ୍ରତି ମମତା, ରାଜନୈତିକ ଚିନ୍ତାଧାରା ସହିତ ପରିଚିତ, ଆମେରିକା ଓ ଇଉରୋପୀୟ ଦେଶଗୁଡ଼ିକର ଅର୍ଥନୈତିକ ପ୍ରଗତିର ବିକାଶଧାରା ପ୍ରଭୃତିକୁ ଗଭୀର ଭାବରେ ଅନୁଧ୍ୟାନ କରିବା ପ୍ରେରଣା ସେ ଲାଭ କରିଥିଲେ ଜନ୍ ଦିଗବୀଙ୍କଠାରୁ । “After he joined Digby, Rammohan applied his undoubted linguistic talents to the mastery of English. It should be said to the eternal credit of Digby that, himself an educated person, he treated Rammohan not as a sub-ordinate but an equal and afforded him every oppertunity not only to study English but also the Political and Economic developments of Europe and America of the time.” *

 

* Saumendra Nath Tagore-Raja Rammohan Roy–

 

ସରକାରୀ କାର୍ଯ୍ୟର ବହୁଳତା ସତ୍ତ୍ୱେ ସେ ବାହାରର ଅନେକଙ୍କ ସହିତ ଧର୍ମ ସମ୍ବନ୍ଧୀୟ ମତ ବିନିମୟ କରିବା ସୁଯୋଗ ପାଉଥିଲେ ଓ ସେଭଳି ସୁଯୋଗଗୁଡ଼ିକର ସଦବିନିଯୋଗ ମଧ୍ୟ କରୁଥିଲେ । ପ୍ରାୟ ସବୁ ଧର୍ମର ଲୋକ ସେତେବେଳେ ବସବାସ କରୁଥିଲେ ରଙ୍ଗପୁର ସହରରେ । ହିନ୍ଦୁ ଧର୍ମର ଲୋକଙ୍କଠାରୁ ଆରମ୍ଭ କରି ଖ୍ରୀଷ୍ଟିୟାନ, ମୁସଲମାନ ଓ ଜୈନଧର୍ମର ଲୋକ ମଧ୍ୟ ସେଠାରେ ବାସ କରୁଥିଲେ । ତେଣୁ ରାମମୋହନ ଜୈନପଣ୍ଡିତମାନଙ୍କ ସାହାଯ୍ୟ ନେଇ “କଳ୍ପସୂତ୍ର” ଅଧ୍ୟୟନ କରିଥିଲେ । ସେଠାରେ ତାଙ୍କର ଅବସ୍ଥାନ କାଳରେ ବିଖ୍ୟାତ ତନ୍ତ୍ରଶାସ୍ତ୍ରଜ୍ଞ ଶ୍ରୀ ହରିହର ନନ୍ଦ ତୀର୍ଥସ୍ୱାମୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ଥିଲେ ରାମମୋହନଙ୍କ ବାଲ୍ୟବନ୍ଧୁ । ସାଧୁସନ୍ଥମାନଙ୍କ ଜୀବନଯାପନ ପନ୍ଥା ପ୍ରତି କୈଶୋର ଜୀବନରୁ ଆକୃଷ୍ଟ ହୋଇ ପଡ଼ିଥିଲେ ସେ । ତେଣୁ ଶେଷରେ ସେହିଭଳି ଜୀବନକୁ ଆଦରି ନେଇଥିଲେ ଆପେ ଆପେ । ତାହାଙ୍କ ସଂସ୍ପର୍ଶରେ ଆସିବା ପରେ ପରେ ରାମମୋହନ ତନ୍ତ୍ରଶାସ୍ତ୍ର ଅନୁଧ୍ୟାନ କରିବା ଲାଗି ମନ ବଳାଇଥିଲେ ।

 

ରାମମୋହନଙ୍କ ନିର୍ଭୀକ ମତାମତ ତତକାଳୀନ ପୁରାତନପନ୍ଥୀ ପଣ୍ଡିତମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିପାରିଥିଲା । ପ୍ରଚଳିତ ପରମ୍ପରାରେ କୌଣସି ସଂସ୍କାର ସେମାନେ ଚାହୁଁ ନ ଥିଲେ । ତେଣୁ ସେମାନେ ତାହାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ । ସେମାନଙ୍କର ନେତୃତ୍ୱ ନେଇଥିଲେ ସେଠିକାର ଜଣେ ବିଶିଷ୍ଟ ସଂସ୍କୃତ ପଣ୍ଡିତ ଗୌରୀକାନ୍ତ ଭଟ୍ଟାଚାର୍ଯ୍ୟ । ଶ୍ରୀ ଭଟ୍ଟାଚାର୍ଯ୍ୟ ରଙ୍ଗପୁର ଜଜ କୋର୍ଟର ଦେବାନ୍ ରୂପେ କାର୍ଯ୍ୟ କରୁଥିଲେ । ଅନେକ ରକ୍ଷଣଶୀଳ ଲୋକ ପଣ୍ଡିତ ଭଟ୍ଟାଚାର୍ଯ୍ୟ ସମଲୋଚନାର ଧାରା ସହିତ ଏକମତ ହୋଇଥିଲେ ଓ ରାମମୋହନ ତତକାଳୀନ ରଙ୍ଗପୁରର ଶିକ୍ଷିତ ଗୋଷ୍ଠୀ ଭିତରୁ ବାଦ ଦେବାପାଇଁ ଅନେକ ଅପଚେଷ୍ଟା କରିଥିଲେ । ପ୍ରାୟ ସେହି ସମୟ ଜ୍ଞାନଞ୍ଚନ ନାମକ ପୁସ୍ତକ କଲିକତାରୁ ପ୍ରକାଶ ପାଇଥିଲା ଏବଂ ସେଥିରେ ରାମମୋହନଙ୍କୁ ପ୍ରକାଶ୍ୟ ଭାବେ କଠୋର ସମାଲୋଚନା କରିବା ଲାଗି ପଣ୍ଡିତ ମହୋଦୟ ଥିଲେ ଅଗ୍ରଣୀ ।

 

ସେତିକିବେଳେ ସାମାଜିକ ଅବସ୍ଥା ଯେଭଳି ଅବସ୍ଥାରେ ଥିଲା, ଜନଗଣ ଯେଭଳି ଅଜ୍ଞାନ ଅନ୍ଧକାର ଭିତରେ ବୁଡ଼ି ରହିଥିଲେ, ଧର୍ମ ନାମ ପ୍ରତି ଜନତାର ଯେଭଳି ବିଶ୍ୱାସ ଥିଲା, ସେ ପରିସ୍ଥିତିରେ ପଣ୍ଡିତ ଭଟ୍ଟାଚାର୍ଯ୍ୟଙ୍କ ସପକ୍ଷରେ ଅଧିକ ଲୋକମତ ମିଳିବାରେ କୈଣସି ଅସୁବିଧା ନ ଥିଲା । ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ଯେତେବେଳେ ଶାସ୍ତ୍ରର ଓ ଧର୍ମର ବିରୁଦ୍ଧାଚରଣ କରୁଛନ୍ତି ବୋଲି ପ୍ରକାଶ୍ୟରେ ପ୍ରଚାର କରୁଥିଲେ, ଅଜ୍ଞ ଓ ଅଶିକ୍ଷିତ ଲୋକେ ତାହାଙ୍କୁ ଅବିଶ୍ୱାସ କରିବେ କେଉଁ କାରଣରୁ ? ଏଣେ ରାମମୋହନ ନିଜ ପରିବାର କଥା ବାଦ୍ ଦେଇ ତାଙ୍କ ନିଜର ଆତ୍ମୀୟସ୍ୱଜନମାନେ ମଧ୍ୟ ତାହାଙ୍କୁ ଭଲ ପାଉ ନ ଥିଲେ ସେଇ ଧାରଣାର ବଶବର୍ତ୍ତୀ ହୋଇ ।

 

କିନ୍ତୁ ତଥାପି ତାଙ୍କ ମତକୁ ବୁଝିବା ପାଇଁ ସେ କେହି ନ ଥିଲେ, ତାହା ନୁହଁ । ଦଳେ ଶିକ୍ଷିତ ଲୋକ ତାହାଙ୍କୁ ସମର୍ଥନ କରୁଥିଲେ । ସେମାନେ ଚାହୁଁଥିଲେ ସମାଜରେ ପରିବର୍ତ୍ତନ । ସେମାନେ ଆଶା-କରୁଥିଲେ କିଛି ନା କିଛି ନୂତନତା । ସମାଜରୁ ଅନ୍ଧବିଶ୍ୱାସ ଦୂର ହେଲେ ନିଶ୍ଚୟ ମଙ୍ଗଳକର ହେବ ବୋଲି ମନେ କରୁଥିଲେ ସେମାନେ । ସମାଜରେ ଅନେକଟା କୁସଂସ୍କାର ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ଜନ-ମାନସରେ ଦୃଢ଼ ଆସନ ଜମାଇ ରହିଛି ବୋଲି ସେମାନେ ଅନୁଭବ କରିଥିଲେ ଓ ଅନୁଭବ କରିଥିଲେ ଜନମାନସରୁ ସେ ଅଜ୍ଞତାକୁ ଯେତେଶୀଘ୍ର ଦୂର କରାଯାଇପାରିବ, ସମାଜର ସେତିକି ମଙ୍ଗଳ ହେବ ଓ ଦେଶର ପ୍ରଗତି ସେତିକି ତ୍ଵରାନ୍ଵିତ ହୋଇ ପାରିବ ।

 

ରାମମୋହନଙ୍କ ସେଇ ସଂସ୍କାରମୂଳକ ଚିନ୍ତାଧାରା ହିଁ ତାଙ୍କ ପାରିବାରିକ ସମ୍ପତ୍ତିରୁ ଅଂଶ ପାଇବାରେ ଏକ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଯଦିଓ ରମାକାନ୍ତ ତାଙ୍କ ପୁତ୍ରମାନଙ୍କ ମଧ୍ୟରେ ନିଜର ସମସ୍ତ ସ୍ଥାବର ସମ୍ପତ୍ତି ଯଥାର୍ଥ ଭାବରେ ବାଣ୍ଟି ଦେଇଥିଲେ, ତଥାପି ତାଙ୍କ ମୃତ୍ୟୁ ପରେ ତାରିଣୀ ଦେବୀ ରାମମୋହନଙ୍କ ଅଂଶ ତାହାଙ୍କୁ ନ ଦେବା ପାଇଁ ସମସ୍ତ ପ୍ରକାର କୌଶଳ କରିଥିଲେ-। ତାର ପ୍ରଧାନ ତଥା ଏକମାତ୍ର କାରଣ ଥିଲା, ସେ ପ୍ରତିଷ୍ଠିତ ପରମ୍ପରାର ବିରୋଧ ଓ ଏକେଶ୍ୱରବାଦୀ l ତାରିଣୀ ଦେବୀ ତାହାଙ୍କ ବନ୍ଧୁବାନ୍ଧବମାନଙ୍କ ସହାୟତାରେ ତାଙ୍କ ପୁତ୍ର ରାମମୋହନଙ୍କ ବିରୁଦ୍ଧରେ ଏପରିକି କରେରୀରେ ମକଦ୍ଦମା କରିବା ପର୍ଯ୍ୟନ୍ତ ଯାଇଥିଲେ । କିନ୍ତୁ ସେତେବେଳେ ଆର୍ଥିକ ଅଭାବ ନ ଥିଲା ତାଙ୍କ ନିଜ ପରିବାରର ଭରଣ ପୋଷଣ କରିବା ପାଇଁ । ତେଣୁ ଅଯଥା କୋର୍ଟ କଚେରୀରେ ଛିଡ଼ା ହେବା ଲାଗି ମନ ବଳାଇ ନ ଥିଲେ ସେ ।

 

କିନ୍ତୁ ସେ କଥା ସେତିକିରେ ଶେଷ ହୋଇ ନ ଥିଲ ।

 

ରାମମୋହନଙ୍କ ମାତା ତାରିଣୀ ଦେବୀ ତାହାଙ୍କ ଉପରେ ଏତେ ଅସନ୍ତୋଷ ପ୍ରକାଶ କରିଥିଲେ ଯେ ତାହାଙ୍କୁ ବଦନାମ କରିବା ସଙ୍ଗେ ସଙ୍ଗେ ତାହାଙ୍କୁ ଆନ୍ତରିକ ଭାବେ ଘୃଣା ମଧ୍ୟ କରୁଥିଲେ । ଏମିତି ସମୟ ଆସିଥିଲା ଯେ କେବଳ ମା’ଙ୍କ ଘୃଣାକୁ ସମ୍ୱଳ କରି ରାମମୋହନଙ୍କୁ ତାଙ୍କ ପିତ୍ରାର୍ଜିତ ଗୃହ ତ୍ୟାଗ କରି ଦିନେ ଚାଲିଯିବାକୁ ପଡ଼ିଥିଲା ।

 

ତାପରେ ରଘୁନାଥପୁର ଶ୍ମଶାନରେ ନିଜ ପାଇଁ ଗୋଟିଏ ଘର ତୟାର କରି ସପରିବାରେ ସେଠାରେ ବାସ କରିବାକୁ ପସନ୍ଦ କରିଥିଲେ ସେ । ତେବେ ସମୟ ସମୟରେ ଏକାକୀତ୍ଵ ମଧ୍ୟ ବୋଧ କରୁଥିଲେ । ସେ ଏକାକୀତ୍ଵ ସାମାଜିକ ପରିପ୍ରେକ୍ଷୀରେ ନୁହେଁ-ଚିନ୍ତାଗତ, ଆଦର୍ଶଗତ । ତାଙ୍କ ନିଜ ଜ୍ଞାତି ପରିଜନମାନେ ତାହାଙ୍କୁ ପରିତ୍ୟାଗ କରି ଦେଇଥିଲେ କହିଲେ ଚଳେ । ମାଆଙ୍କ କଥାତ ସେଇଆ । ଭାଇ-ବରଂ ନିଜର ହକ୍ ସମ୍ପତ୍ତି ସହିତ ତାଙ୍କର ସମ୍ପତ୍ତି ମଧ୍ୟ ଉପଭୋଗ କରିବା ପାଇଁ ଲାଳାୟିତ ଥିଲେ । ଶେଷରେ ପିତୃପୁରୁଷାର୍ଜିତ ଗୃହ ତ୍ୟାଗ କରିବାକୁ ମଧ୍ୟ ହୋଇଥିଲା-ବରଂ ଏକ ପ୍ରକାର ବାଧ୍ୟ ହୋଇଥିଲେ । ତଥାପି ଧର୍ମ ସଂସ୍କାର ସଂପର୍କରେ ସେ ଯେଉଁ ଧାରଣା ପୋଷଣ କରିଥିଲେ ସେଥିରେ ତିଳେମାତ୍ର ପରିବର୍ତ୍ତନ ହୋଇ ନ ଥିଲା । ବରଂ ତାହା କ୍ରମେ କ୍ରମେ ସ୍ପଷ୍ଟ ରୂପ ଗ୍ରହଣ କରୁଥିଲା ତାଙ୍କ ମନ ଭିତରେ । ତାର ପରିଣାମ ହୋଇଥିଲା ଭାରତୀୟ ସାଧାରଣ ଜନଜୀବନରେ ଆସ୍ଥା ଜମେଇ ବସିଥିବା ଅନେକଗୁଡ଼ିଏ କୁସଂସ୍କାରର ଅପସାରଣ ।

 

ସରକାରୀ କାର୍ଯ୍ୟକ୍ଷେତ୍ରରେ ରାମମୋହନ ପାରଙ୍ଗମ ଥିଲେ ଓ ସେଇଥିପାଇଁ ସେ କାର୍ଯ୍ୟାଳୟରେ ଯଥେଷ୍ଟ ସମ୍ମାନ ଲାଭ କରୁଥିଲେ । କାର୍ଯ୍ୟାଳୟ ପରିଚାଳନା କରିବାଠାରୁ ଆରମ୍ଭ କରି ଆୟବ୍ୟୟ ହିସାବ ତଥା ଜମିଜମା ମାପ ଇତ୍ୟାଦି କାର୍ଯ୍ୟରେ ମଧ୍ୟ ସେ ଥିଲେ ଦକ୍ଷ । ତଦ୍‍ବ୍ୟତୀତ ଜମିଜମା ସ୍ୱତ୍ତ୍ଵ ସମ୍ପର୍କରେ ମୌଳିକ ଚିନ୍ତା ଓ ପ୍ରସ୍ତାବଗୁଡ଼ିକ ଅତ୍ୟନ୍ତ ଉପଯୋଗୀ ମନେ ହୋଇଥିଲା ଉପରିସ୍ଥ ହାକିମମାନଙ୍କ ପାଇଁ ।

 

ଜମିଜମା ସର୍ଭେ କାର୍ଯ୍ୟରୁ ଆରମ୍ଭ କରି ଜମିଦାରୀ ହିସାବକିତାବ ଦିଗରେ ତାଙ୍କର ଦକ୍ଷତା ଥିବାହେତୁ ଅମିନମାନେ ତାହାଙ୍କ ନିକଟରେ କୌଣସି ପ୍ରକାର ଅବହେଳା କରିପାରୁ ନ ଥିଲେ । କାରଣ ସେ ପ୍ରକାର ପ୍ରଚେଷ୍ଟା ହିଁ ସେମାନଙ୍କୁ ଦେବାନଙ୍କ ନିକଟରେ ଧରା ପକାଇ ଦେଉଥିଲା । “His proficiency in Zamidary accounts and land surveying, his acquaintances with all the cunning and dishonest devices of Amins and Amlaho in furnishing flase accounts and statements”–ତାହଙ୍କୁ କର୍ମକ୍ଷେତ୍ରରେ ପ୍ରତିଷ୍ଠା କରିବାପାଇଁ ଯଥାର୍ଥ ସୁଯୋଗ ଦେଇଥିଲା । କଠିନ ପରିଶ୍ରମ ଓ କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ହିଁ ଥିଲା ସେ ସବୁର ମୂଳମନ୍ତ୍ର । “...The practical reforms he suggested regarding the ascertaining of rightful ownership and descriptions of land-ଜଣେ ରାଜସ୍ୱ ବିଭାଗର କର୍ମଚାରୀ ହିସାବରେ ରାମମୋହନଙ୍କ ନିଷ୍ଠାର ସ୍ପଷ୍ଟ ପରିଚୟ ।

 

ସେଇଥିପାଇଁ ମି: ଦିଗବୀ ମଧ୍ୟ ରାମମୋହନଙ୍କୁ ଖୁବ୍ ଭଲ ପାଉଥିଲେ । ଏବଂ ସେଇଥିପାଇଁ ହିଁ ବୋଧହୁଏ ଜଣେ ତଳିଆ କର୍ମଚାରୀଙ୍କ ଭଳି ବ୍ୟବହାର ନ ପାଇ ବରଂ ଜଣେ ସହକର୍ମୀ ହିସାବରେ ସମ୍ମାନ ପାଉଥିଲେ ସେ-ଜଣେ ଇଂରେଜ ସରକାରୀ ହାକିମଙ୍କଠାରୁ ।

 

କଚେରୀରେ ଦୀର୍ଘ ସମୟ ଏବଂ କଠିନ ପରିଶ୍ରମ କରୁଥିଲେ ମଧ୍ୟ ବିଦେଶରେ, ବିଶେଷକରି ଇଂଲଣ୍ଡ ଓ ଫ୍ରାନସରେ ଘଟିଯାଉଥିବା ରାଜନୈତିକ ଘଟଣାଗୁଡ଼ିକର ବିବରଣୀ ରଖୁଥିଲେ ପତ୍ରପତ୍ରିକାଗୁଡ଼ିକରୁ । ଅନେକଗୁଡ଼ିଏ ପତ୍ରପତ୍ରିକା ମିଷ୍ଟର ଦିଗବୀ ପାଉଥିଲେ ସୁଦୂର ବିଦେଶରୁ ରୀତିମତଭାବେ । ସେ ସବୁ ପତ୍ରପତ୍ରିକାଗୁଡ଼ିକର ଜଣେ ସଚେତନ ପାଠକ ଥିଲେ ରାମମୋହନ । ବିଶେଷକରି ସେଥିର ରାଜନୈତିକ ସମ୍ବାଦଗୁଡ଼ିକ ତାହାଙ୍କୁ ଯଥେଷ୍ଟ ଆକୃଷ୍ଟ କରି ପାରୁଥିଲା ।

 

ହୁଏତ ପ୍ରଥମେ ପ୍ରଥମେ ଇଉରୋପର ତତକାଳୀନ ରାଜନୈତିକ ସମ୍ବାଦ ପାଠ, ରାମମୋହନଙ୍କୁ ରାଜନୀତି ସମ୍ପର୍କିତ ପୁସ୍ତକ ପଢ଼ିବା ଲାଗି ଆଗ୍ରହାନ୍ୱିତ କରାଇ ପାରିଥିଲା । ସେତେବେଳେ ସେ କେବଳ ରାଜନୈତିକ ସମ୍ବାଦ ହିଁ ପାଠ କରୁ ନ ଥିଲେ, ତତ୍ ସଙ୍ଗେ ସଙ୍ଗେ ସେହି ଧରଣର ବିଭିନ୍ନ ପ୍ରବନ୍ଧ ମଧ୍ୟ ତାହାଙ୍କୁ କ୍ରମେ କ୍ରମେ ଆକୃଷ୍ଟ କରି ପାରିଥିଲା । ତା ପରେ ପରେ ପୃଥିବୀର ବିଶିଷ୍ଟ ରାଜନୀତିଜ୍ଞମାନଙ୍କ ମତ ସମ୍ବଳିତ ରଚନାବଳୀ ପ୍ରତି ସେ ଆଗ୍ରହୀ ହୋଇ ଉଠିଥିଲେ । ମଣ୍ଟେସ୍କୁ, ବ୍ଲାକଷ୍ଟୋନ୍, ବେନ୍ଥମ୍, ଟମ୍ ପେଇନେ ପ୍ରମୁଖଙ୍କ ସମେତ ଭୋଲଟାୟାର୍, ଭୋଲନେ, ଗିବନ୍, ହ୍ୟୁମ୍ ପ୍ରମୁଖଙ୍କ ଚିନ୍ତାଧାରା ସହିତ ପରିଚିତ ହୋଇଥିଲେ ସେଇ ସମୟରେ ।

 

ରଙ୍ଗପୁରରେ ଅବସ୍ଥାନ କାଳରେ ଧର୍ମଦର୍ଶନ ଆଲୋଚନା କରିବାପାଇଁ ଗୋଟିଏ ଛୋଟ ଅଣଆନୁଷ୍ଠାନିକ ଦଳ ଗଠନ କରିଥିଲେ । ସେଠାରେ ଯେଉଁମାନେ ଯୋଗ ଦେଉଥିଲେ ସେମାନଙ୍କ ମଧ୍ୟରୁ ସମସ୍ତେ ପ୍ରାୟ ଶିକ୍ଷିତ ଥିଲେ ଏବଂ କୌଣସି ପ୍ରକାର ଧର୍ମ ସେମାନଙ୍କ ମିଳନ ଓ ଆଲୋଚନାରେ ଅନ୍ତରାୟ ସୃଷ୍ଟି କରୁ ନ ଥିବା ହେତୁ ବିଭିନ୍ନ ଧର୍ମାବଲମ୍ବୀମାନେ ସଂଧ୍ୟାରେ ସମବେତ ହେଉଥିଲେ ରାମମୋହନଙ୍କ ବସାଘରେ । ସବୁ ଧର୍ମର କୁସଂସ୍କାରମୂଳକ ସାମାଜିକ ଚଳଣି ସମ୍ପର୍କରେ ପ୍ରାୟତଃ ଆଲୋଚନା ହେଉଥିଲା ସେଠାରେ । ପ୍ରକୃତରେ ସେହି ଆଲୋଚନାଗୁଡ଼ିକ ହିଁ ବ୍ରାହ୍ମ ସମାଜ ଗଠନର ପ୍ରଥମ ପାହାଚ ।

 

ବେଦ-ବେଦାନ୍ତଗୁଡ଼ିକୁ ବିଶଦ ଭାବରେ ବର୍ଣ୍ଣନା କରିବା ଓ ବହୁଳ ଭାବରେ ପ୍ରଚାର କରାଇବା ଲାଗି ରାମମୋହନ ସେଇ ରଙ୍ଗପୁର ଅବସ୍ଥାନ କାଳରେ ହିଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

Image

 

ଚାରି

ରଙ୍ଗପୁରରେ ଦେବାନ

 

୧୯୧୪ ମସିହାରେ ମି.ଜନ୍ ଦିଗବୀ ଭାରତ ଛାଡ଼ି ନିଜ ଦେଶକୁ ଚାଲିଯିବା ପରେ ରାମମୋହନ ମଧ୍ୟ ଇଷ୍ଟ ଇଣ୍ଡିଆ କଂପାନୀରୁ ଚାକିରୀ ତ୍ୟାଗ କରିବା ପାଇଁ ସ୍ଥିର କରିଥିଲେ । ଚାକିରି ଛାଡ଼ି କଲିକତା ନଗରୀରେ ହିଁ ସ୍ଥାୟୀ ଭାବରେ ବସବାସ କରିବା ସଙ୍ଗେ ସଙ୍ଗେ ସେ ତାଙ୍କର ପ୍ରକୃତ କର୍ମମୟ ଜୀବନ ଆରମ୍ଭ କରିବା ଲାଗି ମାନସିକ ପ୍ରସ୍ତୁତ କରି ସାରିଥିଲେ ପ୍ରାୟ । ସେ ସଂକଳ୍ପ କରିଥିଲେ କମ୍ପାନୀ ତ୍ୟାଗ କରିବା ପରେ ପରେ ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବେ ଏବଂ ସେ ସ୍ଥିର କରିଥିଲେ ସେତେବେଳେ ସମାଜ ଯେଉଁସବୁ ସମସାମୟିକ ସମସ୍ୟାରେ ଭାରାକ୍ରାନ୍ତ ହୋଇ ଉଠିଥିଲା, ତାଙ୍କର ବ୍ୟକ୍ତିଗତ ଉଦ୍ୟମରେ ସେଥିରୁ ଯେତିକି ସମ୍ଭବ ସେ ସବୁଥିରୁ ଜନସାଧାରଣଙ୍କୁ ମୁକ୍ତ କରିବା ।

 

ସେତେବେଳେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ କାହିଁକି, ସମଗ୍ର ଭାରତର ଛତ୍ରେଛତ୍ରେ ଅନ୍ଧବିଶ୍ୱାସ ଭରି ରହିଥିଲା । ଜନସାଧାଣ ଅସମ୍ଭବ ଧରଣର ପଛରେ ପଡ଼ି ରହିଥିଲେ ଶିକ୍ଷା କ୍ଷେତ୍ରରେ । ଶିକ୍ଷାଲାଭ କରିବା ପାଇଁ ଆବଶ୍ୟକୀୟ ବହିପତ୍ର ପ୍ରକାଶନ, ଯଥେଷ୍ଟ ପରିମାଣରେ କାହିଁକି, ତ ଆଦୌ ହେଉ ନ ଥିଲା କହିଲେ ଚାଲେ । ତେଣୁ ଗୁଣାତ୍ମକ ଦୃଷ୍ଟିରୁ ଆଦୌ ବିଚାର କରାଯାଇ ନ ପାରେ, ପରିମାଣାତ୍ମକ କ୍ଷେତ୍ରରେ ମଧ୍ୟ ପ୍ରକାଶିତ ପୁସ୍ତକର ସଂଖ୍ୟା ଥିଲା ନଗଣ୍ୟ । ପତ୍ରପତ୍ରିକାର ପ୍ରଶ୍ନ ତ ନ ଥିଲା । ଭାରତର ଜନସାଧାରଣ ପ୍ରତିମା ପୂଜାକୁ ଏକାନ୍ତ ନିଜର କରି ନେଇଥିଲେ । ତାହା ହିନ୍ଦୁଧର୍ମର ଏକ ପ୍ରଧାନ ଅଙ୍ଗ ରୂପେ ଗୃହୀତ ହୋଇ ସାରିଥିଲା । ଜନସାଧାରଣ ନିଜର ଅଜ୍ଞତା ହେତୁ ହେଉ ବା ଧର୍ମର ଦ୍ଵାହୀ ଦେଇ ହେଉ ପ୍ରତିମାପୂଜା ପ୍ରଥା ସେତେବେଳର ସଭ୍ୟ ସମାଜର ଏକ ପ୍ରଧାନ ଅଂଗ ସ୍ୱରୂପ ଗୃହୀତ ହୋଇ ସାରିଥିଲା । ତତକାଳୀନ ସମାଜରେ ବିଶେଷ କରି ବଙ୍ଗଳାରେ ବହୁ ନାରୀଭୋଗ ପ୍ରଥା ପ୍ରଚଳିତ ଥିଲା । ଜଣେ ଜଣେ ପୁରୁଷ ଏକାଧିକ ନାରୀର ସାନ୍ନିଧ୍ୟ ଲାଭ କରିବାର ଅଧିକାର ଥିଲା ଶାସ୍ତ୍ରାନୁମୋଦିତ । ନାରୀ ସମାଜ ନିଷ୍ପେଷିତ ଓ ଅବହେଳିତ ଅବସ୍ଥାରେ ଥିଲା । ପୁନଶ୍ଚ “ସତୀ” ହେବା ଥିଲା ଧର୍ମାନ୍ଧ ହିନ୍ଦୁ ଜନସମାଜ ପାଇଁ ଏକ ପ୍ରହସନ । ଖୋଦ୍ କଲିକତା ଓ ତାର ଆଖପାଖ ଅଞ୍ଚଳରେ ହିନ୍ଦୁ ନାରୀ ତାର ସ୍ୱାମୀର ଚିତାଗ୍ନିରେ ଆପଣାଛାଏଁ ଝାସ ଦେବା ପରିବର୍ତ୍ତେ ତାହାକୁ ଏକ ପ୍ରକାର ବାଧ୍ୟ କରି ଜୀବନ୍ତ ଦାହ କରାଯାଉଥିଲା କହିଲେ ଚଳେ । ନିଜର ଭବିଷ୍ୟତ ଆଶଙ୍କାରେ କେତେ ନାରୀ ନିଜର ଅନିଚ୍ଛା ସତ୍ଵେ ବି ସ୍ୱାମୀର ଚିତାଗ୍ନିରେ ଝାସ ଦେଉଥିଲେ ।

 

ସେ ପ୍ରକାର ଏକ ଅସ୍ଵସ୍ତିକର ସାମାଜିକ ପରିବେଶ ଭିତରେ ରାମମୋହନ ସମାଜରୁ ଅଜ୍ଞାନ ଅନ୍ଧକାର ଦୂର କରିବା ଲାଗି ସଂକଳ୍ପବଦ୍ଧ ହୋଇଥିଲେ । ସେ ତାଙ୍କର କାର୍ଯ୍ୟକଳାପ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଓ ନିର୍ଦ୍ଦିଷ୍ଟ ଦିଗରେ ସୀମାବଦ୍ଧ କରିବା ପାଇଁ ଚାହିଁ ନ ଥିଲେ । ସେ ଚାହିଁଥିଲେ ସମାଜର ପ୍ରତି ଛତ୍ରରେ, ଜନମାନସର କୁସଂସ୍କାର ଆଚ୍ଛାଦିତ ଭ୍ରାନ୍ତ ଧାରଣାକୁ ସାମୂହିକ ଭାବରେ ଦୂର କରିବାକୁ ଚେଷ୍ଟା କରିବେ, ଆପ୍ରାଣ ଉଦ୍ୟମ କରିବେ । ସେଥିପାଇଁ ତାଙ୍କର କାର୍ଯ୍ୟକଳାପ ସମାଜ ସଂସ୍କାର ଠାରୁ ଆରମ୍ଭ କରି ଧର୍ମ, ରାଜନୀତି, ସାହିତ୍ୟ, ଅର୍ଥନୀତି ତଥା ଜୀବନ ଦର୍ଶନ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ।

 

କିନ୍ତୁ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯେତେବେଳେ ରାମମୋହନ ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକର ସାରାଂଶ ପ୍ରକାଶ କରିଥିଲେ, ବରଂ ପ୍ରଚାର କରିଥିଲେ, ଜନସାଧାରଣ ପ୍ରଥମେ ସେଗୁଡ଼ିକୁ ସବୁ ଭୁଲ୍ ବୁଝିଥିଲେ । ସେସବୁ ଭୁଲ ବୁଝାମଣାର କାରଣ ଥିଲା ମୁଖ୍ୟତଃ ଗୋଟିଏ । ରାମମୋହନ କୌଣସି ଶାସ୍ତ୍ର ବା ଧର୍ମକୁ ଅସ୍ଵୀକାର କରୁ ନ ଥିଲେ । କିନ୍ତୁ ତାଙ୍କର ମତ ଥିଲା, କୌଣସି ଶାସ୍ତ୍ରକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରାଯିବା ଉଚିତ ନୁହେଁ ବରଂ ସେହି ସବୁ ଶାସ୍ତ୍ର ସହ ନିଜର ସାଧାରଣ ଜ୍ଞାନ ଯୋଗ କରି ତାହାର ଉପଯୋଗୀତା ନିର୍ଦ୍ଧାରଣ କରାଯିବା ଉଚିତ । ଏକ ନିର୍ଦ୍ଦିଷ୍ଟ ସତ୍ୟରେ ପହଞ୍ଚିବା ପାଇଁ ମିମାଂସା ପଦ୍ଧତିର ଅନୁସରଣ ଥିଲା ତାଙ୍କର ମତ ।

 

ନିଜ ମତ ଉପରେ ଦୃଢ଼ ଆସ୍ଥା ସ୍ଥାପନ କରିଥିଲେ ରାମମୋହନ । ତାହା ଥିଲା ସ୍ଵାଭାବିକ ମଧ୍ୟ । ହିନ୍ଦୁଧର୍ମର ବିଶିଷ୍ଟ ବିଶିଷ୍ଟ ଗ୍ରନ୍ଥଗୁଡ଼ିକ କିପରିଭାବରେ ପ୍ରସାର ଲାଭ କରିବ ସେଥିପାଇଁ ସେ ଚେଷ୍ଟା ଚଳାଇଥିଲେ । ସାଧାରଣ ଜନତା ସେସବୁ ସମ୍ପର୍କରେ ଅବଗତ ହେବାଲାଗି ସେଗୁଡ଼ିକ ସହଜ ଇଂରାଜୀ ଓ ବଙ୍ଗଳା ଭାଷାରେ ରଚନା କରିବା ଦିଗରେ ନିଜକୁ ନିୟୋଜିତ କରିଥିଲେ । ୧୮୧୫ ମସିହାରେ ବେଦାନ୍ତ ସୂତ୍ର ଓ ୧୮୧୬ ମସିହାରେ ବେଦାନ୍ତ ସାରକୁ ବଙ୍ଗଳା ଭାଷାରେ ରଚନା କରିଥିଲେ ସେ । ସେଇ ୧୮୧୬ ମସିହାରେ ବେଦାନ୍ତକୁ ଇଂରାଜୀ ଭାଷାରେ ରଚନା କରିବା ସଙ୍ଗେ ସଙ୍ଗେ ଇଷ ଓ କେନ ଉପନିଷଦକୁ ମଧ୍ୟ ଇଂରାଜୀରେ ଉପସ୍ଥାପନ କରିଥିଲେ । ତାର ପର ବର୍ଷ କଠ ଓ ମଣ୍ଡୁକ ଉପନିଷଦକୁ ବଙ୍ଗଳା ଭାଷାରେ ରଚନା କରିଥିଲେ । ବେଦ ବେଦାନ୍ତ ଓ ଉପନିଷଦଗୁଡ଼ିକୁ ନିଜ ମାତୃଭାଷା ସଙ୍ଗେ ସଙ୍ଗେ ଇଂରାଜୀ ଭାଷାରେ ରଚନା କରିବା ଫଳରେ ସର୍ବସାଧାରଣ ଧର୍ମ ସଂବନ୍ଧରେ ଧାରଣା କରିପାରିବା ସହଜସାଧ୍ୟ ହୋଇ ପଡ଼ିଥିଲା । ହିନ୍ଦୁ ଶାସ୍ତ୍ରଗୁଡ଼ିକୁ କ୍ଷୁଦ୍ରତର ପରିବେଷ୍ଟନୀ ଭିତରୁ ମୁକ୍ତ କରିବାର ତାହା ହିଁ ଥିଲା ପ୍ରଥମ ପ୍ରଚେଷ୍ଟା । କିନ୍ତୁ ରାମମୋହନଙ୍କ ସେ ପ୍ରକାର ପଦକ୍ଷେପ, ହିନ୍ଦୁ ଶାସ୍ତ୍ରଗୁଡ଼ିକୁ ଜନମାନସକୁ ଅଣାଇବାର ଉଦ୍ୟମ, ତାହାଙ୍କ ପାଇଁ ପ୍ରଶଂସା ଆଣିବା ତ ଦୂରର କଥା ବରଂ ବଦନାମର ମାତ୍ରା ବଢ଼ାଇ ଦେଇଥିଲା ।

 

ସେତେବେଳର ତଥାକଥିତ ଶିକ୍ଷିତ ସମାଜ ଦ୍ୱାରା ରାଜା ରାମମୋହନ ନିନ୍ଦିତ ହେବାର ଏକମାତ୍ର କାରଣ ଥିଲା-ସେ ହିନ୍ଦୁ-ଧର୍ମର ଶ୍ରେଷ୍ଠ ଗ୍ରନ୍ଥଗୁଡ଼ିକ ଯେଭଳି ଭାବରେ ସେ ପର୍ଯ୍ୟନ୍ତ ଚଳିଆସୁଥିଲା ସେଭଳି ଭାବରେ ଗ୍ରହଣ ନ କରି ଯଥାଯଥ ଭାବେ ବିଚାର କରୁଥିଲେ ।

 

ସେତେବେଳର ତଥାକଥିତ ବୁଦ୍ଧିଜୀବୀ ଶାସ୍ତ୍ରଜ୍ଞ ପଣ୍ଡିତମାନେ ଓ ବ୍ରାହ୍ମଣ ଦେବପୂଜକମାନେ ଅତିମାତ୍ରାରେ ରକ୍ଷଣଶୀଳ ଥିଲେ । ହିନ୍ଦୁ ଶାସ୍ତ୍ରଗୁଡ଼ିକର ଦ୍ୱାହି ଦେଇ ପ୍ରଚଳିତ ପରମ୍ପରାଗୁଡ଼ିକଠାରୁ ସାମାନ୍ୟତମ ବିଚ୍ୟୁତି ମଧ୍ୟ ଚାହୁଁ ନ ଥିଲେ । ସେମାନଙ୍କ ବଦ୍ଧମୂଳ ଧାରଣା ଥିଲା ଯେ ସେମାନେ ଯାହାସବୁ ବୁଝିଛନ୍ତି, ସମାଜରେ ହିନ୍ଦୁଧର୍ମର ନିମୟଗୁଡ଼ିକ ଯେଉଁ ପରମ୍ପରା କ୍ରମରେ ପ୍ରଚଳିତ ହୋଇ ଆସୁଛି, ସେଥିରୁ ବିଚ୍ୟୁତ ହେବା ଆଦୌ ସ୍ପୃହଣୀୟ ନୁହେଁ । ସେସବୁ ଭଗବାନଙ୍କ ଇଚ୍ଛା ଏବଂ ସୃଷ୍ଟିର ନିୟମ ହୋଇଥିବା ଯୋଗୁଁ, ଜନ ସମାଜର ମଙ୍ଗଳ ପାଇଁ ହିଁ ଉଦ୍ଦିଷ୍ଟ-। ସେସବୁର ବିରୁଦ୍ଧାଚରଣ କରାଯିବାର ଅର୍ଥ ଅନ୍ୟାୟ କରିବା, ଠାକୁରମାନଙ୍କ ପ୍ରତି ଅବମାନନା କରିବା ଓ ଧର୍ମର ବିରୁଦ୍ଧାଚରଣ କରିବା । କିନ୍ତୁ ରାମମୋହନଙ୍କ ମତ ଥିଲା ଧର୍ମକୁ ଯଥାଯଥ ଭାବେ ଗ୍ରହଣ କରାଯିବା ଉଚିତ-ପ୍ରଚଳିତ ସମସ୍ତ ପରମ୍ପରାକୁ ନୁହଁ । ହିନ୍ଦୁ ଧର୍ମର ଅର୍ଥ ପ୍ରଚଳିତ ପରମ୍ପରାଗୁଡ଼ିକ ନୁହେଁ । ହିନ୍ଦୁଧର୍ମ ଭିତରୁ, ଧର୍ମ ଶାସ୍ତ୍ରଗୁଡ଼ିକ ଭିତରୁ ଚିରନ୍ତନ ସତ୍ୟକୁ ଖୋଜି ବାହାର କରିବାକୁ ପଡ଼ିବ ଏବଂ ସେ ସତ୍ୟକୁ ସମାଜର ହିତପାଇଁ, ସମାଜ ଜୀବନର ମଙ୍ଗଳ ପାଇଁ ଠିକ୍ ଭାବରେ ଉପଲବ୍‍ଧି କରିବାକୁ ପଡ଼ିବ ଏବଂ ପରିଣାମତଃ ସାମାଜିକ ଜୀବନସ୍ତରର ନିଶ୍ଚିତ ଉନ୍ନତି ହେବ ।

 

କିନ୍ତୁ ରକ୍ଷଣଶୀଳ ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କର ଧର୍ମଶାସ୍ତ୍ରଗୁଡ଼ିକ ଭିତରୁ ସତ୍ୟାନୁସନ୍ଧିତ୍ସା ଥିଲା ଖୁବ୍ କମ୍ ।

 

ଅପର ପକ୍ଷରେ ରାମମୋହନ ଉପରଠାଉରିଆ ଭାବେ ପଣ୍ଡିତମାନଙ୍କ ଚିନ୍ତାଧାରାକୁ ଗ୍ରହଣ କରିବା ଲାଗି ନିଜକୁ ସାମାନ୍ୟତମ ଭାବେ ମଧ୍ୟ ପ୍ରସ୍ତୁତ କରିପାରୁ ନ ଥିଲେ । ତେଣୁ ରାମମୋହନ ଓ ପଣ୍ଡିତମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ସୃଷ୍ଟି ହେବା ଥିଲା ଅତ୍ୟନ୍ତ ସ୍ଵାଭାବିକ । ହୁଏତ ସେଇ ମତ ପାର୍ଥକ୍ୟ ହିଁ ହିନ୍ଦୁଧର୍ମର ମୂଳଗ୍ରନ୍ଥଗୁଡ଼ିକୁ ସାଧାରଣ ଜନତାର ନିକଟତମ କରାଇବା ଲାଗି ରାମମୋହନଙ୍କୁ ପ୍ରେରଣା ଯୋଗାଇଥିଲା ।

 

ଧର୍ମଗ୍ରନ୍ଥଗୁଡ଼ିକୁ ଗଭୀର ଅଧ୍ୟୟନ ଓ ଅନୁଧ୍ୟାନ କରି, ନିଜର ବିଚାର ଓ ଦୃଷ୍ଟିକୋଣରୁ ସେଗୁଡ଼ିକୁ ତର୍ଜମା କରିବା ପରେ ଓ ସେଥିମଧ୍ୟରୁ ଚିରନ୍ତର ସତ୍ୟ ଜିଜ୍ଞାସାର ପରିଣାମ ସ୍ୱରୂପ ଯେଉଁ ପଣ୍ଡିତମାନେ ତାହାଙ୍କ ସହ ବିରୁଦ୍ଧମତ ପୋଷଣ କରିଥିଲେ ସେମାନଙ୍କ ମଧ୍ୟରୁ ଦଳେ ତାଙ୍କ ସହ ଧର୍ମମତ ସମ୍ବନ୍ଧରେ ତର୍କ ବିତର୍କ କରିବା ଲାଗି ପ୍ରସ୍ତୁତ ମଧ୍ୟ ହୋଇପଡ଼ିଥିଲେ । କିନ୍ତୁ ରାମମୋହନ ସେମାନଙ୍କ ସହ ଅଯଥା ଯୁକ୍ତିତର୍କ କରିବା ଲାଗି ଇଚ୍ଛା କରି ନ ଥିଲେ । କାରଣ ତାଙ୍କର ଉଦ୍ଦେଶ୍ୟ ନ ଥିଲା କାହାକୁ ଭୁଲ ପ୍ରମାଣିତ କରିବା କିମ୍ବା ଅଯଥା ବଦନାମ କରିବା । ତାଙ୍କର ଉଦ୍ଦେଶ୍ୟ ଥିଲା, ପ୍ରକୃତରେ ଯେଉଁମାନଙ୍କ ପାଇଁ ଧର୍ମଗ୍ରନ୍ଥଗୁଡ଼ିକର ସରଳ ତର୍ଜମା କରାଯାଇଥିଲା, କୌଣସିମତେ ସେମାନଙ୍କ ନିକଟରେ ତାହା ପହଞ୍ଚିବା ଆବଶ୍ୟକ ଏବଂ ଏହାମଧ୍ୟ ସେ ଠିକ୍ ରୂପେ ବିବେଚନା କରିଥିଲେ ଯେ ଉକ୍ତ ଧର୍ମଗ୍ରନ୍ଥଗୁଡ଼ିକ ଜନସାଧାରଣ ନିଜ ବ୍ୟକ୍ତିଗତ ଅର୍ଥ ବ୍ୟୟ କରି କସ୍ମିନ୍ କାଳେ କ୍ରୟ କରିବେ ନାହିଁ । ତେଣୁ ସେ ସ୍ଥିର କରିଥିଲେ ନିଜଦ୍ଵାରା ଅନୁଦିତ ଓ ସରଳୀକୃତ ଧର୍ମଗ୍ରନ୍ଥ ସବୁକୁ ଜନଗଣଙ୍କ ମଧ୍ୟରେ ମାଗଣା ବଣ୍ଟନ କରିବା ଆବଶ୍ୟକ । ତାହା ହିଁ ସେ କରିଥିଲେ । ସେ ଆଶା କରିଥିଲେ ଧର୍ମଗ୍ରନ୍ଥ ଗୁଡ଼ିକର ମର୍ମାନୁବାଦଗୁଡ଼ିକ ସହ ସେ ଯେଉଁ ମତାମତ ଦେଇଥିଲେ ତଥା ପ୍ରତ୍ୟେକ ପୁସ୍ତକର ମୁଖବନ୍ଧ ଲେଖିଥିଲେ ସେଗୁଡ଼ିକ ପଢ଼ିବାର ଫଳରେ ଅନ୍ତତଃ ଜନସାଧାରଣ, ଯେଉଁମାନେ ଧର୍ମଗ୍ରନ୍ଥ ପଢ଼ିବାର ସୁଯୋଗ ପାଆନ୍ତି ନାହିଁ ବା ପଢ଼ିପାରନ୍ତି ନାହିଁ, ଧର୍ମଗ୍ରନ୍ଥଗୁଡ଼ିକର ମୂଳ ସୂତ୍ର ସବୁ ଜାଣିବା ସଙ୍ଗେ ସଙ୍ଗେ ଦେଶର ତଥାକଥିତ ନେତୃବୃନ୍ଦ ସମାଜ ସଂସ୍କାର ଦିଗରେ ସାମାନ୍ୟତମ ହେଲେ ମଧ୍ୟ ସଚେତନ ହୋଇ ଉଠିବେ । ପୁସ୍ତକର ମୁଖବନ୍ଧଗୁଡ଼ିକରେ ଗଣଶିକ୍ଷାର ଆବଶ୍ୟକତା ନେଇ ସେ ଲେଖୁଥିଲେ ଏବଂ ସେ ମନେ କରିଥିଲେ, ଗଣଶିକ୍ଷାର ପ୍ରସାର ହେବା ଫଳରେ ସମାଜରୁ ଅଜ୍ଞାନ ଅନ୍ଧକାର ଦୂର ହେବା ସଙ୍ଗେ ସଙ୍ଗେ ସାଧାରଣ ଜନତା ଉପଲବ୍‍ଧି କରିବେ ଯେ ବିଭିନ୍ନ ପ୍ରକାରର ପ୍ରତିମା ପୂଜାକୁ ଧର୍ମଶାସ୍ତ୍ର ସମର୍ଥନ କରେନା । ବିଭିନ୍ନ ଠାକୁର ମୂର୍ତ୍ତିକୁ ମଣିଷ ରୂପ ଦେଇ, ସେମାନଙ୍କୁ ସାଧାରଣ ମଣିଷମାନଙ୍କ ଭଳି ବସ୍ତ୍ର ପରିଧାନ କରାଇ ଓ ପୂଜା ଅର୍ଚ୍ଚନାର ଦ୍ଵାହୀ ଦେଇ ଖାଦ୍ୟ ଖାଇବାକୁ ଦିଆଯିବା ଫଳରେ ଜନମାନସର ସ୍ତର ଉନ୍ନୀତ ହୋଇପାରିବ ନାହିଁ । ବିଶ୍ଵ ସ୍ରଷ୍ଟାଙ୍କୁ ପାର୍ଥିବ କାମନାଗୁଡ଼ିକୁ ହିନ୍ଦୁ ଧର୍ମର ବଡ଼ପଣ୍ଡାମାନେ ଯେପରି ଭାବେ ପ୍ରଚଳନ କରାଉଥିଲେ ତାର ତୀବ୍ର ବିରୋଧାଭାସ ପ୍ରକାଶ ପାଇଥିଲା ରାୟମୋହନଙ୍କଠାରେ-

 

ରାୟମୋହନଙ୍କ ଧର୍ମମତ, ଯେତେବେଳେ ସମାଜର ଶାସ୍ତ୍ରଜ୍ଞ ପଣ୍ଡିତ ମହଲରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି କରିଥିଲା, ଯେତେବେଳେ ବ୍ରାହ୍ମଣ ତଥା ଦେବପୂଜକମାନଙ୍କ ସମସ୍ତ ପ୍ରକାରର ଛଳନାକୁ, ସମସ୍ତେ ପ୍ରବଞ୍ଚନାକୁ ଉଜ୍ଜଳ ଆଲୋକରେ ପ୍ରକାଶିତ କରିବାର ପ୍ରଥମ ପର୍ବ ଆରମ୍ଭ କରିଥିଲେ, ସେତେବେଳେ ରୟମୋହନଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ତ ନିଶ୍ଚିତ ଭାବେ ସଂଖ୍ୟାଧିକ ଥିଲା, ତଥାପି ତାଙ୍କର ସେ ସେ ଧର୍ମମତରେ ସମର୍ଥନ ମଧ୍ୟ କରିଥିଲେ କେତେଜଣ । ତାର ଏକମାତ୍ର କାରଣ ଥିଲା, ତାଙ୍କର ଚିନ୍ତାଧାରାରେ ରାମମୋହନ ଥିଲେ ହିମାଳୟପରି ସ୍ଥିର, ନିଜ ମତ ନେଇ ସେ ଥିଲେ ଅବିଚଳିତ । ତାଙ୍କର ସେଇ ସ୍ଥିରତା, ସେଇ ଅଚଳତାହିଁ ଆଉ କେତେଜଣ ଉଚ୍ଚଶିକ୍ଷିତ ତଥା ସାମାଜିକ ପରିବର୍ତ୍ତନ ଚାହୁଁଥିବା ବ୍ୟକ୍ତିଙ୍କୁ ତାଙ୍କ ସହ ମତ ବିନିମୟ କରିବା ଲାଗି ରାସ୍ତା ଉନ୍ମୁକ୍ତ କରି ଦେଇଥିଲେ । ସେମାନେ ଆଗ୍ରହୀ ହୋଇ ଉଠିଥିଲେ ସମାଜ ସଂସ୍କାର ପାଇଁ ବ୍ୟାକୁଳ ଥିବା, ହିନ୍ଦୁଧର୍ମର ମୂଳଗ୍ରନ୍ଥଗୁଡ଼ିକ ସହିତ ଘନିଷ୍ଠଭାବେ ପରିଚିତ ଜଣେ ବିଦ୍ଵାନ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିବା ପାଇଁ ।

 

ସେହି ଅବସରରେ ରାୟମୋହନ ଗଠନ କରିଥିଲେ ଆତ୍ମୀୟ ସଭା । ସେଇ ଛୋଟିଆ ଅନୁଷ୍ଠାନଟି ଆରମ୍ଭ ହୋଇଥିଲା ୧୮୧୫ ମସିହାରେ । ସେ ପ୍ରକାର ସଂଗଠନର ଉଦ୍ଦେଶ୍ୟ ଥିଲା- ଭାଗବତ୍ ତତ୍ତ୍ଵ ଆଲୋଚନା କରିବା ଓ ବିଶ୍ଵ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା । ଭଗବାନଙ୍କ ସୃଷ୍ଟି ଏଇ ପୃଥିବୀ ଓ ମଣିଷମାନଙ୍କ ସହ ସ୍ୱୟଂ ଭଗବାନଙ୍କ ସମ୍ପର୍କ ପରିସରଗୁଡ଼ିକରେ ଆଲୋଚିତ ହେବା ଥିଲା ଏକାନ୍ତ ସ୍ଵାଭାବିକ ।

 

ସେ ପ୍ରକାର ଆଲୋଚନା ସଭାଗୁଡ଼ିକରେ ଅଂଶ ଗ୍ରହଣ କରିବା ପାଇଁ ଯେଉଁମାନେ ଆଗ୍ରହୀ ହୋଇ ଉଠିଥିଲେ ସେମାନଙ୍କ ସଂଖ୍ୟା ଥିଲା ଅତ୍ୟନ୍ତ ସୀମିତ । ପୁନଶ୍ଚ, ରାୟମୋହନ ସେତେବେଳର ରକ୍ଷଣଶୀଳ ସମାଜରେ ଅନେକଙ୍କ ପାଇଁ ଅବାଞ୍ଛିତ ଅଥଚ ବିଜ୍ଞ ବ୍ୟକ୍ତି ଥିଲେ । ତେଣୁ ସମାଜର ତତକାଳୀନ ବୁଦ୍ଧିଜୀବୀ ମଣ୍ଡଳୀଦ୍ୱାରା ସମାଲୋଚିତ ହେବାକୁ ଭୟ ଅନେକ ଆଗ୍ରହୀ ବ୍ୟକ୍ତିଙ୍କୁ ମଧ୍ୟ ସେ ସଙ୍ଗଠନ ପ୍ରତି ବିତୃଷ୍ଣା ଅଣାଇ ଥିଲା । ସମାଲୋଚନାର ଭୟକୁ ଯେଉଁମାନେ ଉଜେଇଁ ଦେଉଥିଲେ ସେମାନଙ୍କ ମଧ୍ୟରେ ଥିଲେ ଦ୍ଵାରିକାନାଥ ଠାକୁର, ବ୍ରଜମୋହନ ମଜୁମ୍‍ଦାର, ବୃନ୍ଦାବନ ମିତ୍ର, ନିଳରତନ ହାଲଦାର, ଗୋପୀମୋହନ ଠାକୁର, ହଳଧର ବୋଷ, ନନ୍ଦକିଶୋର ବୋଷ, ରାଜନାରାୟଣ ସେନ ପ୍ରମୁଖ ଓ ଅନ୍ୟମାନେ । ଅନୁଷ୍ଠାନ ସଙ୍ଗଠନର ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ସହଯୋଗ ନିଶ୍ଚିତଭାବେ ରାୟମୋହନଙ୍କୁ ଅଧିକ ପ୍ରେରଣା ଯୋଗାଇଥିଲେ । ତାଙ୍କର ଜଣେ ବାଲ୍ୟବନ୍ଧୁ ଶ୍ରୀ ହରିହର ନନ୍ଦ ତୀର୍ଥସ୍ଵାମୀ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । ସନ୍ନ୍ୟାସ ଜୀବନ ପ୍ରତି ତାଙ୍କର ଅଧିକ ଆଗ୍ରହ ଥିଲେ ମଧ୍ୟ ଓ ରାୟମୋହନ ସମସ୍ତ ଚିନ୍ତାଧାରା ସହିତ ତାଙ୍କର ମତର ମିଳନ ହେଉ ନ ଥିଲେ ମଧ୍ୟ, ଧର୍ମ-ସଂସ୍କାର ନେଇ ଉଭୟଙ୍କ ମତ ଅନେକାଂଶରେ ଏକ ଥିଲା । ରାୟମୋହନଙ୍କ ରଙ୍ଗପୁରରେ ଅବସ୍ଥାନ ଉଭୟଙ୍କ ମଧ୍ୟରେ ସମ୍ପର୍କ ପୁନଃପ୍ରତିଷ୍ଠା କରିପାରିଥିଲା ଓ କଲିକତାରେ ରାୟମୋହନଙ୍କ ଆତ୍ମୀୟ ସଭାର ବୈଠକମାନଙ୍କରେ ଅନେକବେଳେ ସେ ଯୋଗ ଦେଉଥିଲେ । ସାମାଜିକ ସଂସ୍କାର ନେଇ ରାୟମୋହନଙ୍କ ପ୍ରଗତିଶୀଳ ଚିନ୍ତାଧାରା ଓ ସତ୍ୟବାଦୀ ଭଳି କୁସଂସ୍କାରର କୁହେଳିକାରୁ ଜନଗଣଙ୍କୁ ମୁକ୍ତ କରିବା ପାଇଁ ଉଦ୍ୟମକୁ ଉତ୍ସାହିତ ଓ ଅନୁପ୍ରାଣୀତ କରୁଥଲେ ସେ । ରାୟମୋହନଙ୍କ ଜଣେ ଜୀବନୀକାର ଯମୁନା ନାଗଙ୍କ ଭାଷାରେ “His progressive views with regard to social reforms inspired Ram-mohan a great deal specially when he was campaigning against Sattee” *

 

* Jamuna Nag-Raja Rammohan Roy

 

ରାମମୋହନଙ୍କ ସେ ଅନୁଷ୍ଠାନ ବିଦେଶୀୟମାନଙ୍କ ମଧ୍ୟରୁ କେତେକଙ୍କୁ ମଧ୍ୟ ନିଜର କରିପାରିଥିଲା । ଆଂଗ୍ଲୋହିନ୍ଦୁ ସ୍କୁଲର ଶିକ୍ଷକ ଡେଭିଡ଼୍ ହରେ (David Hare) ଆତ୍ମୀୟ ସଭାର ସଭ୍ୟ ଶ୍ରେଣୀଭୁକ୍ତ ହୋଇଥିଲେ । ରାମମୋହନଙ୍କ ସହିତ ଖୁବ୍ ନିକଟତମ ସମ୍ପର୍କ ରକ୍ଷା କରିଥିଲେ ସେ ପରଜୀବନରେ ମଧ୍ୟ । ସତୀଦାହ ଭଳି ନୃଶଂସ ପ୍ରଥାର ବିଲୋପ ସାଧନ ପାଇଁ ରାମମୋହନଙ୍କ ସହ ସେ ହାତମିଳାଇ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସାର୍ ଏଡ଼ଓ୍ୱାର୍ଡ଼ ହାଇଡ଼୍ ଇଷ୍ଟଙ୍କ ସହଯୋଗରେ ୧୮୧୭ ମସିହାରେ ହିନ୍ଦୁ କଲେଜ ପ୍ରତିଷ୍ଠା କରିବା ଲାଗି ରାମମୋହନଙ୍କ ଉଦ୍ୟମକୁ ପ୍ରାଣବନ୍ତ କରିଥିଲେ ମଧ୍ୟ ।

 

ଆତ୍ମୀୟ ସଭାର ସାଧାରଣ ବୈଠକଗୁଡ଼ିକ ପ୍ରାୟ ପ୍ରତି ସପ୍ତାହରେ ଥରେ ଅନୁଷ୍ଠିତ ହେଉଥିଲା । ହୁଏତ ସଭ୍ୟ ସଂଖ୍ୟା ସୀମିତ ଥିବା ଦୃଷ୍ଟିରୁ ଉକ୍ତ ବୈଠକଗୁଡ଼ିକ ସାଧାରଣ ସ୍ଥାନମାନଙ୍କରେ ହେଉ ନ ଥିଲା ହେଉଥିଲା ଘରୋଇ ଭାବରେ । ସେଥିରେ ହିନ୍ଦୁଧର୍ମର ଶ୍ରେଷ୍ଠ ଧର୍ମ ଗ୍ରନ୍ଥଗୁଡ଼ିକ ଆବୃତ୍ତି କରାଯାଉଥିଲା ଓ ଆଲୋଚନା ମଧ୍ୟ କରାଯାଉଥିଲା । ବୈଠକଗୁଡ଼ିକରେ ବିଶ୍ଵସ୍ରଷ୍ଟାଙ୍କ ଲାଗି ପ୍ରାର୍ଥନା ସଙ୍ଗୀତ ଗାନ କରାଯାଉଥିଲା ମଧ୍ୟ । ପ୍ରଥମେ ପ୍ରଥମେ ଉକ୍ତ ଉକ୍ତି ତଥା ପ୍ରାର୍ଥନା ସଙ୍ଗୀତଗୁଡ଼ିକ ରାମମୋହନ ନିଜେ ରଚନା କରୁଥିଲେ । କିନ୍ତୁ କ୍ରମଶଃ ଅନ୍ୟମାନେ ମଧ୍ୟ ସେଭଳି କେତୋଟି ସଙ୍ଗୀତ ରଚନା କରିଥିଲେ ।

 

ଆତ୍ମୀୟ ସଭା ଗଠନର ପ୍ରଥମ ଦିନଗୁଡ଼ିକରେ ଶିବପ୍ରସାଦ ମିଶ୍ର ଧର୍ମଗ୍ରନ୍ଥ ସବୁ ପାଠ କରୁଥିଲେ ଏବଂ ସଙ୍ଗୀତ ଗାନ କରୁଥିଲେ ଗୋବିନ୍ଦ ମଲ୍ଲ ।

 

ସମଗ୍ର ବିଶ୍ଵ ଏକମାତ୍ର ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ସୃଷ୍ଟି ଏବଂ ତାଙ୍କରି ଦ୍ୱାରା ହିଁ ନିୟନ୍ତ୍ରିତ-ଏଇ ଦର୍ଶନ ଉପରେ ଏକାନ୍ତ ଭାବେ ଅବସ୍ଥାନ୍ ଥିଲେ ଆତ୍ମୀୟ ସଭାର ସଦସ୍ୟବୃନ୍ଦ ।

 

ଇତି ମଧ୍ୟରେ ଜନ୍ ଦିଗବୀ ଭାରତ ଛାଡ଼ି ଚାଲିଯାଇଥିଲେ ମଧ୍ୟ ରାମମୋହନଙ୍କ ସହିତ ସେ ନିଜ ଦେଶରୁ ରୀତିମତ ପତ୍ରାଳାପ କରୁଥିଲେ । କାରଣ ଥିଲା ଉଭୟଙ୍କ ମଧ୍ୟରେ ସ୍ନେହାନୁବନ୍ଧନ-। ଦିଗବୀ ରାମମୋହନଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ତାଙ୍କ ସମାଜ ସଂସ୍କାରମୂଳକ ମତାମତ ଗୁଡ଼ିକ ସହ ଅଧିକାଂଶ କ୍ଷେତ୍ରରେ ଥିଲେ ଏକମତ । ବରଂ ସୃଷ୍ଟି ଓ ସ୍ରଷ୍ଟାର ସମ୍ପର୍କ ତଥା ହିନ୍ଦୁଧର୍ମର ପବିତ୍ର ଧର୍ମଗ୍ରନ୍ଥଗୁଡ଼ିକ ରାମମୋହନଙ୍କ ଦ୍ଵାରା ସରଳୀକୃତ ହୋଇ ପ୍ରକାଶ ପାଇବା ପରେ ଭଗବତ ତତ୍ତ୍ଵ ନେଇ ସେ ଅନେକ କଥା ଜାଣିବାର ସୁଯୋଗ ପାଇପାରିଥିଲେ । ସେସବୁ ବିଷୟ ତାହାଙ୍କ ମନକୁ ଛୁଇଁ ପାରିଥିଲା । ତେଣୁ ୧୮୧୭ ମସିହାରେ ସେ ତାଙ୍କ ନିଜ ଦେଶରେ ରାମମୋହନଙ୍କ ଦ୍ଵାରା ରଚିତ ଦୁଇଖଣ୍ଡ ଇଂରାଜୀ ପୁସ୍ତକର ପୁନଃ ମୁଦ୍ରଣ କରାଇବା ପାଇଁ ସଫଳ ଚେଷ୍ଟା କରାଇଥିଲେ । ଉକ୍ତ ଗ୍ରନ୍ଥ ଦୁଇଟି ଥିଲା କେନ ଉପନିଷଦ ଓ ବେଦାନ୍ତର କ୍ଷୁଦ୍ର ସଂସ୍କରଣ । ଉଭୟ ପୁସ୍ତକର ନାମକରଣ କରିଥିଲେ “The abridgement of the Vedanta and Kena Upanishad.”

 

ରାମମୋହନଙ୍କ ଇଂରାଜୀ ଭାଷାରେ ଦକ୍ଷତା ଦେଖି ଦିଗବୀ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ । କାରଣ ତାହା ଥିଲା ତାଙ୍କର ନିଜର ଭାଷା ଓ ସେଇ ଭାଷା ଶିକ୍ଷା କରିବା ଦିଗରେ ଦିଗବୀଙ୍କ ଉତ୍ସାହ ଓ ପ୍ରେରଣା କମ୍ ନ ଥିଲା । ରାମମୋହନଙ୍କୁ ସବୁବେଳେ ସବୁପ୍ରକାର ସୁଯୋଗ ସେ ଦେଇ ଆସିଥିଲେ ଇଂରାଜୀ ଭାଷା ଶିକ୍ଷା କରିବା ଦିଗରେ । ଇଂରେଜ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା, ପତ୍ରାଳାପ କରିବା ଫଳରେ ତଥା ନିଜର ବ୍ୟକ୍ତିଗତ ନିଷ୍ଠା ଓ ଉଦ୍ୟମର ପରିଣାମତଃ ଉକ୍ତ ବିଦେଶୀ ଭାଷାରେ ନିଜକୁ ଦକ୍ଷ କରିପାରିଥିଲେ । ଜନ୍ ଦିଗବୀ ରାମମୋହନଙ୍କ ପୁସ୍ତକ ଦୁଇଟି ପ୍ରକାଶ କରିବା ଅବସରରେ ତାର ପୃଷ୍ଠବନ୍ଧରେ ଲେଖିଥିଲେ “By pursuning all my public correspodence with diligence and attention as well as by corresponding and conversing with European gentlemen, he acquired so correct a knowledge of the English language to able to write and speak it with considerable accuracy.” ରାମମୋହନଙ୍କ ପାଇଁ ଦିଗବୀ ଯେତିକି ଗର୍ବ କରୁଥିଲେ ସେତିକି ସମ୍ମାନ ମଧ୍ୟ କରୁଥିଲେ ତାଙ୍କୁ ତାଙ୍କର ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ମତବାଦ ଯୋଗୁଁ । ସମାଜରେ ଭରି ରହିଥିବା ନିବିଡ଼ ଅନ୍ଧାର ଦୂର କରିବା ପାଇଁ, ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିପାରିବା ଭଳି ଦୃଢ଼ ପଦକ୍ଷେପ ନେବାପାଇଁ ସାହସ ସଂଗ୍ରହ କରିପାରିଥିବା ଯୋଗୁଁ ।

 

ସୁଦୂର ବିଦେଶରେ ଥିବା ଜନ୍ ଦିଗବୀଙ୍କ ନିକଟକୁ ଗୋଟିଏ ପତ୍ରରେ ରାମମୋହନ ଲେଖିଥିଲେ, କେବଳ ବର୍ତ୍ତମାନ ପାଇଁ ନୁହେଁ, ପରବର୍ତ୍ତୀ ସମୟରେ ମଧ୍ୟ ହିନ୍ଦୁମାନଙ୍କ ସମୟକୁ ସୁଖମୟ କରିବା ପାଇଁ, ଦେଶରେ ବହୁଳ ଭାବରେ ପ୍ରଚଳିତ ଶହସ୍ର ସଂଖ୍ୟାରେ ପ୍ରତିମା ପୂଜା ପ୍ରଥାର ଅସାରତା ନେଇ ଦେଶବାସୀଙ୍କୁ ସଚେତନ କରାଇବା ଲାଗି ସେ ଯତ୍ନବାନ୍ । ସେଇଥିପାଇଁ ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥଗୁଡ଼ିକ ସମେତ ବେଦ ଓ ବେଦାନ୍ତର ଅନେକ ଗୁଡ଼ିଏ ପରିଚ୍ଛେଦକୁ ବଙ୍ଗଳା ତଥା ହିନ୍ଦୁସ୍ଥାନୀ ଭାଷାରେ ଅନୁବାଦ କରି ଜନସମାଜ ନିକଟରେ ଉପସ୍ଥାପିତ କରିବା ପ୍ରୟାସ କରିଛନ୍ତି । ସେଭଳି ରଚନାତ୍ମକ କାର୍ଯ୍ୟକଳାପରେ ସେ ଦେଖାଇ ଦେବାକୁ ପ୍ରୟାସ କରିଛନ୍ତି ଯେ, ବିଭିନ୍ନ ପ୍ରତିମା ପୂଜା ସହ ଧର୍ମଗ୍ରନ୍ଥଗୁଡ଼ିକର କୌଣସି ସମ୍ପର୍କ ନାହିଁ କିମ୍ବା ତାହା ହିନ୍ଦୁଧର୍ମର ଅଂଶ ବିଶେଷ ନୁହେଁ । ତା ସଙ୍ଗେ ସଙ୍ଗେ ଏକମାତ୍ର ବିଶ୍ୱସ୍ରଷ୍ଟାଙ୍କ ମହିମାମୟ ସୃଷ୍ଟି ଓ ସ୍ରଷ୍ଟାଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ମତ ଯେ ଏକାନ୍ତଭାବେ ଶାସ୍ତ୍ରସମ୍ମତ ତାହାର ପ୍ରମାଣ ପାଇଁହିଁ ସେ ବେଦ ବେଦାନ୍ତର ଆବଶ୍ୟକୀୟ ଅଂଶ ବିଶେଷ ଜନମାନସ ସମ୍ମୁଖରେ ଉପସ୍ଥାପିତ କରିବାକୁ ପ୍ରୟାସ କରିଛନ୍ତି । ତାଙ୍କ ନିଜ ଭାଷାରେ “I, therefore with a view of making them (Hindus) happy and comfortable both here and hereafter, not only employed verbal arguments against the absurdities of the idolatry practised by them, but also translated their most revered theological work, namely Vedanta into Bengali and Hindusthani and also several chapters of Veda inorder to convince them that the unity of God and absurdity of idolatry are evidently pointed out by their own scriptures.”*

 

* Miss Sophia Dobson Collet-Life and letters of Rammohan Roy

 

ରାମମୋହନ ତାଙ୍କ ରଚନାତ୍ମକ କାର୍ଯ୍ୟକଳାପର ଉଦ୍ଦେଶ୍ୟ ରଖିଥିଲେ, ଯେଉଁ ପଣ୍ଡିତମାନେ ଶାସ୍ତ୍ର ବା ଧର୍ମର ଦ୍ୱାହି ଦେଇ ପରମ୍ପରା କ୍ରମେ ଅନେକଗୁଡ଼ିଏ ଅଦରକାରୀ ପ୍ରଥା ସମାଜରେ ପ୍ରଚଳିତ କରାଇ ଆସୁଥିଲେ କେବଳ ନିଜ ନିଜର ବା ସେଇମାନଙ୍କ ଗୋଷ୍ଠୀର ସ୍ୱାର୍ଥ ସାଧନ ପାଇଁ, ପବିତ୍ର ଧର୍ମଗ୍ରନ୍ଥଗୁଡ଼ିକ ଅଧ୍ୟୟନ କରିବା କେବଳ ନିଜର ଏକଚାଟିଆ ଅଧିକାରଭୁକ୍ତ ବୋଲି ପ୍ରଚାର କରିଆସୁଥିଲେ, ହୁଏତ ମୂଳ ଧର୍ମଗ୍ରନ୍ଥ ସହିତ ପରିଚିତ ହେବା ପରେ ସାଧାରଣ ଜନତାଙ୍କ ଭ୍ରାନ୍ତ ଧାରଣାର ପରିବର୍ତ୍ତନ ସମ୍ଭବ ହେବ । ସେମାନେ ଆପେ ଆପେ ହୁଏତ ଅନୁଭବ କରିପାରିବେ ଯେ ଧର୍ମ ସହିତ ପ୍ରଚଳିତ ପ୍ରଥା ଗୁଡ଼ିକ ସହ ଅନେକଙ୍କର ଆଦୌ ସମ୍ପର୍କ ନଥିଲା । ତାହା ଥିଲା କେବଳ ତଥାକଥିତ ନେତୃବୃନ୍ଦଙ୍କ ଦ୍ଵାରା ପ୍ରଚଳିତ ଓ ସେମାନଙ୍କ ସ୍ୱାର୍ଥବିଜଡ଼ିତ ।

 

ସାଧାରଣ ଜନତା କିପରି ଭାବରେ ଏକ ସୁଖୀ ଜୀବନ ଯାପନ କରିପାରିବେ, ତାହା ଥିଲା ରାମମୋହନଙ୍କ ଏକମାତ୍ର କାମନା । ଜନସମାଜରୁ କିପରି ଅନ୍ଧବିଶ୍ୱାସ ଦୂର କରାଯାଇ ପାରିବ, ସେଥିପାଇଁ ତାଙ୍କ ଉଦ୍ୟମ ଥିଲା ଅବିରତ ।

Image

 

ପାଞ୍ଚ

ମୁକାବିଲା ଓ ମୁକାବିଲା

 

ରାମମୋହନଙ୍କ ଏକେଶ୍ଵରବାଦ ଓ ପ୍ରତିମା ପୂଜା ବିରୋଧୀ ଚିନ୍ତାଧାରା ତତକାଳୀନ ସମାଜରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲା, ତାହା କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ଭିତରେ ଆବଦ୍ଧ ହୋଇ ରହି ନଥିଲା । । ଦେଶର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଯେ କେବଳ ଏକ ଅସ୍ଥିର ତରଙ୍ଗ ସୃଷ୍ଟି କରିଥିଲା ତା ନୁହଁ, କାହିଁ କେଉଁ ସୁଦୂର ବିଦେଶରେ ମଧ୍ୟ ସେ ବହୁ ଚର୍ଚ୍ଚିତ ହୋଇଥିଲେ ।

 

ମାନ୍ଦ୍ରାଜ ସରକାରୀ କଲେଜର ଜଣେ ଇଂରାଜୀ ଅଧ୍ୟାପକ ଶ୍ରୀ ଶଙ୍କର ଶାସ୍ତ୍ରୀ ଆହ୍ୱାନ ଦେଇଥିଲେ, ତାହାଙ୍କ ସହ ମୁକାବିଲା କରିବା ପାଇଁ । ହିନ୍ଦୁ ଧର୍ମରେ ଏକେଶ୍ଵରବାଦକୁ ସମର୍ଥନ କରି ଏକ ପୁସ୍ତକ ପ୍ରକାଶନ କରିଥିଲେ ରାମମୋହନ । ରକ୍ଷଣଶୀଳ ହିନ୍ଦୁ ପଣ୍ଡିତମାନେ କିପରି ଭାବରେ ଧର୍ମର ଦ୍ୱାହି ଦେଇ ଜନସାଧାରଣଙ୍କ ଅଭୂତପୂର୍ବ କ୍ଷତି ସାଧନ କରୁଥିଲେ ଓ ଦେବଦେବୀମାନଙ୍କୁ ନେଇ ରଚନା କରାଯାଇଥିବା କଳ୍ପନା ପ୍ରସୂତ ଗୁଡ଼ାଏ ଗଳ୍ପର ବିଷୟବସ୍ତୁକୁ ଗ୍ରହଣ କରାଯାଇ ବାସ୍ତବ କ୍ଷେତ୍ରରେ କିପରି ତା’ର ଅପପ୍ରୟୋଗ କରୁଥିଲେ, ତାର ନିଖୁଣ ଚିତ୍ର ବର୍ଣ୍ଣନା କରିଥିଲେ ସେଥିରେ ସେ । ରାମମୋହନ ନିଜର ମତ ସେଥିରେ ଦେଇଥିଲେ ଯେ ପ୍ରକୃତରେ ସେସବୁ ସହ ମଣିଷର ବାସ୍ତବ ଜୀବନର କୌଣସି ସମ୍ପର୍କ ନ ଥିଲା; ବରଂ ତାହା ଥିଲା କେବଳ ପ୍ରଚଳିତ ପରମ୍ପରା ଓ ଅନ୍ଧବିଶ୍ୱାସ । କଲିକତା ଫୋର୍ଟ ଉଇଲିୟମ୍ କଲେଜରେ ମୁଖ୍ୟ ପଣ୍ଡିତ ରାମମୋହନଙ୍କ ପ୍ରଗତିଶୀଳ ଚିନ୍ତାଧାରା ବିରୁଦ୍ଧରେ ଦୃଢ଼ ପଦକ୍ଷେପମାନ ଗ୍ରହଣ କରିଥିଲେ-। ତାଙ୍କ ନାମ ଥିଲା ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର । ରାମମୋହନଙ୍କ ହିନ୍ଦୁଧର୍ମ ଓ ଏକେଶ୍ୱରବାଦ ସମ୍ପର୍କରେ ପୁସ୍ତକ ଖଣ୍ଡିଏ ପ୍ରକାଶ ପାଇବା ପରେ ପରେ ସେ ମଧ୍ୟ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଥିଲେ-ବେଦାନ୍ତ ଚନ୍ଦ୍ରିକା । ସେଥିରେ ରାମମୋହନଙ୍କ ଦର୍ଶନର ବିରୋଧ କରିବା ବ୍ୟତୀତ ବ୍ୟକ୍ତିଗତ ଭାବେ ରାମମୋହନଙ୍କୁ ମଧ୍ୟ ବିରୋଧ କରି ଅନେକ କଟୁ ସମାଲୋଚନା ପ୍ରକାଶ କରିଥିଲେ । ତାହା କେବଳ ବଙ୍ଗଳା ଭାଷା ନୁହଁ, ଇଂରେଜୀ ଭାଷାରେ ମଧ୍ୟ ପ୍ରକାଶିତ ହୋଇଥିଲା ।

 

ଶ୍ରୀ ବିଦ୍ୟାଳଙ୍କାରଙ୍କ ବେଦାନ୍ତ ଚନ୍ଦ୍ରିକା ପ୍ରକାଶିତ ହେବା ପରେ ପରେ ରାମମୋହନଙ୍କ ତରଫରୁ ମଧ୍ୟ ଆଉ ଏକ ପ୍ରକାଶନ ହୋଇଥିଲା । ରାମମୋହନଙ୍କୁ ଆକ୍ଷେପ କରି ଯେଉଁସବୁ ସମାଲୋଚନା ବେଦାନ୍ତ ଚନ୍ଦ୍ରିକାରେ ପ୍ରକାଶ ପାଇଥିଲା, ତାର ଯଥାଯଥ ଉତ୍ତର ଦେଇଥିଲେ ଉକ୍ତ ପ୍ରକାଶନରେ ସେ ନିଜେ । ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର ଓ ରାମମୋହନଙ୍କ ମଧ୍ୟରେ ସେ କେତେଦିନ ହିନ୍ଦୁଧର୍ମ, ଏକେଶ୍ଵରବାଦ ଓ ସମାଜରେ ପ୍ରଚଳିତ ପରମ୍ପରା ସମ୍ପର୍କିତ ବିବଦମାନ ବିଷୟନେଇ ଏକ ପ୍ରଳୟଙ୍କରୀ ଯୁଦ୍ଧ ହୋଇଥିଲା କାଗଜ କଲମରେ ।

 

ବିଦ୍ୟାଳଙ୍କାର ମହୋଦୟ ବୋଧହୁଏ କଳ୍ପନା କରିଥିଲେ, ବେଦାନ୍ତ ଚନ୍ଦ୍ରିକା ପ୍ରକାଶ ପାଇବା ପରେ ପରେ ତାହା ଏକ ବିଷାକ୍ତ ତୀର ଭଳି ରାମମୋହନଙ୍କୁ ନିଶ୍ଚିତ ଭାବେ ବିଦ୍ଧ କରିବ । ସେ ମନେକରି ଥିଲେ ତାଙ୍କର ପ୍ରକାଶନ ଫଳରେ ସମାଜର ପ୍ରତି ସ୍ତରରେ ରାମମୋହନଙ୍କ ବିରୁଦ୍ଧରେ ଯେଉଁ ବିଷ ଉଦ୍‍ଗୀରଣ ହେବ, ସେଥିରେ ସେ ନିଶ୍ଚିତ ଭାବେ ବ୍ୟତିବ୍ୟସ୍ତ ହୋଇ ପଡ଼ିବେ ଓ ପରିଣାମ ସ୍ଵରୂପ ବିଜ୍ଞମହଲ ତାଙ୍କର କୁତ୍ସା ରଟନା କରି ତାହାଙ୍କର ସେଭଳି ଧର୍ମ ଓ ସମାଜ ବିରୋଧୀ କାର୍ଯ୍ୟକ୍ରମରେ ଆଉ ଅଧିକ ଅଗ୍ରସର ହେବାଲାଗି ରାସ୍ତା ଅବରୋଧ କରିବସିବେ । କିନ୍ତୁ ତାହା ରାମମୋହନଙ୍କ ପାଇଁ ଆଦୌ କୌଣସି ସମସ୍ୟା ସୃଷ୍ଟି କରି ନଥିଲା । କାରଣ ହିନ୍ଦୁଧର୍ମର ମୂଳ ଗ୍ରନ୍ଥଗୁଡ଼ିକୁ ସେ ଗଭୀରଭାବେ ଅଧ୍ୟୟନ କରିଥିଲେ । କିନ୍ତୁ ବେଦାନ୍ତ ଚନ୍ଦ୍ରିକାରେ ଉତ୍‍ଥାପିତ ସମସ୍ତ ସଂଶୟ ଦୂର କରିବା ପାଇଁ ଅଧିକ ଯୁକ୍ତି କରିବା ଲାଗି ସେ ଅପୂର୍ବ ସୁଯୋଗ ପାଇଥିଲେ ଏବଂ ଅଧିକ ଯୁକ୍ତିତର୍କର ପରିଣାମ ହୋଇଥିଲା ରକ୍ଷଣଶୀଳମାନଙ୍କ ସ୍ଥିତିକୁ ଅଧିକରୁ ଅଧିକ ବିପଦଜନକ ଅବସ୍ଥାରେ ପକାଇବା । କାରଣ ରାମମୋହନଙ୍କ ଯୁକ୍ତିଗୁଡ଼ିକର ସମର୍ଥନ ପାଇଁ କେବଳ ଧର୍ମଶାସ୍ତ୍ରଗୁଡ଼ିକର ଅଂଶ ବିଶେଷ ହିଁ ବହୁଳ ଭାବରେ ବ୍ୟବହୁତ ହେଉଥିଲା-। ସେଭଳି ଯୁକ୍ତିତର୍କର ପରିଣାମ ଫଳରେ ପଣ୍ଡିତ ବିଦ୍ୟାଳଙ୍କାର ମହୋଦୟ ଅତି ଉତ୍‍କ୍ଷିପ୍ତ ହୋଇ ଉଠିଥିଲେ ଓ ତେଣୁ ତାଙ୍କର ଭାଷା ଅତିମାତ୍ରାରେ ଅଂସଯତ ହୋଇ ପଡ଼ିଥିଲା ।

 

କିନ୍ତୁ ଅପର ପକ୍ଷରେ ରାମମୋହନ ତାଙ୍କର ମତରେ ଥିଲେ ଅଚଳ ଓ ଅଟଳ । ଯେତେ ପ୍ରକାର କଟୁ ସମାଲୋଚନା ଓ ଆସଞ୍ଜତ ବ୍ୟବହାର ତାଙ୍କୁ ତିଳେମାତ୍ର ବିଚଳିତ କରି ନଥିଲା । ଯଦିଓ ତାଙ୍କରି ଏକେଶ୍ୱରବାଦ ଦର୍ଶନ ରକ୍ଷଣଶୀଳ ହିନ୍ଦୁମାନଙ୍କ ମନରେ ତାଙ୍କ ପ୍ରତି ଏକପ୍ରକାର ବିତୃଷ୍ଣା ଜାତ କରାଉଥିଲା ତଥାପି ତାଙ୍କର ନ୍ୟାୟସଙ୍ଗତ ଯୁକ୍ତିଗୁଡ଼ିକ ଅନେକ ପ୍ରଗତିଶୀଳ ଚିନ୍ତାଧର୍ମୀ ଶିକ୍ଷିତ ବ୍ୟକ୍ତିଙ୍କୁ, ଯେଉଁମାନେ ଆବଶ୍ୟକ ସ୍ଥଳରେ ସମାଜରେ ପରିବର୍ତ୍ତନ ହେବା ଅନ୍ୟାୟ ନୁହେଁ ବୋଲି ଚିନ୍ତା କରିବା ପାଇଁ ଅନ୍ତତଃ ପ୍ରସ୍ତୁତ ଥିଲେ ସେଇମାନଙ୍କୁ, ନିଜ ସପକ୍ଷରେ ଆକୃଷ୍ଟ କରିପାରିଥିଲା । ସେଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଉପଯୁକ୍ତ ପରିବେଶ ଯୋଗୁଁ । ରାମମୋହନଙ୍କ ସହିତ ଦେଶର ତତକାଳୀନ ପଣ୍ଡିତ ଓ ବିଜ୍ଞ ଲୋକଙ୍କ ମୁକାବିଲା ହିଁ ସେଭଳି ପରିବେଶ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ରାମମୋହନଙ୍କୁ ନିଜର ବୁଦ୍ଧିମତ୍ତାର ପରିଚୟ ଦେବା ପାଇଁ ଅପୂର୍ବ ସୁଯୋଗ ଦେଇଥିଲେ ଓ ପରିବେଶର ସେ ଅନୁକୂଳ ପରିସ୍ଥିତି ତାହାଙ୍କ ସପକ୍ଷରେ ଅନେକ ବୁଦ୍ଧିଜୀବୀ ନିଜ ପକ୍ଷକୁ ଟାଣି ଆଣି ପାରିବା ଭଳି ସମୟ ଉପହାର ଦେଇଥିଲେ ।

 

ପଣ୍ଡିତ ଶିବନାଥ ଶାସ୍ତ୍ରୀ-ବ୍ରାହ୍ମ ସମାଜର ଇତିହାସ ।

 

ମାନ୍ଦ୍ରାଜର ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ଥରେ ସର୍ବସାଧାରଣଙ୍କ ସମ୍ମୁଖରେ ଏକ ତର୍କ ସଭାରେ ଆଲୋଚନା କରିବାପାଇଁ ଆହ୍ୱାନ ଦେଇଥିଲେ ରାମମୋହନଙ୍କୁ ଓ ସେଭଳି ଆହ୍ଵାନ ସାଗ୍ରହରେ ଗ୍ରହଣ କରିବା ଏକ ଗୌରବ ବୋଲି ମନେକରିଥିଲେ ସେ । ରାମମୋହନଙ୍କ ସହିତ ତର୍କାଭିଳାଷି ପଣ୍ଡିତଙ୍କ ନାମ ଥିଲା ସୁବ୍ରମଣ୍ୟ ଶାସ୍ତ୍ରୀ । ଉକ୍ତ ତର୍କସଭା ପାଇଁ ସ୍ଥାନ ସ୍ଥିରୀକୃତ ହୋଇଥିଲେ ଶ୍ରୀ ବିହରିଲାଲ ଛୋଟେଙ୍କ ବାସଭବନ । ଶ୍ରୀ ରାଧାକାନ୍ତ ଦେବ ନାମକ ଜଣେ ଜମିଦାର ତଥା ଖ୍ୟାତନାମା ସଂସ୍କୃତ ସାହିତ୍ୟିକଙ୍କ ଅଧିନାୟକତ୍ୱରେ ଅନେକ ବିଜ୍ଞ ଓ ଶିକ୍ଷିତ ବ୍ୟକ୍ତି ତର୍କସଭାରେ ଉପସ୍ଥିତ ଥିଲେ ।

 

ହିନ୍ଦୁ ଧର୍ମଶାସ୍ତ୍ର, ତତକାଳୀନ ସମାଜରେ ପ୍ରଚଳିତ ବିଭିନ୍ନ ପରଂପରା ଓ କୋଟି କୋଟି ପ୍ରତିମା ମାଧ୍ୟମରେ ଦେବ ପୂଜା ନେଇ ରାଜା ରାମମୋହନ ଓ ସୁବ୍ରମଣ୍ୟ ଶାସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ତଥା ବାଦାନୁବାଦ ଚାଲିଥିଲା । ନିଜ ମତରେ ଦୃଢ଼ ଆସ୍ଥାବାନ୍‍ ରାମମୋହନ, ପଣ୍ଡିତ ଶସ୍ତ୍ରୀଙ୍କ ପ୍ରଶ୍ନୋତ୍ତର ଛଳରେ ଉପସ୍ଥିତ ସଦସ୍ୟମାନଙ୍କୁ ଅନେକ ସନ୍ଦେହ ମୋଚନ କରିବାରେ ସମର୍ଥ ହୋଇଥିଲେ ଧୀରସ୍ଥିର ଭାବରେ, ନିଜକୁ ସଂଯତ କରି ଓ ଉପସ୍ଥିତ ଜନଗଣଙ୍କ ମନକୁ ଛୁଇଁ ପାରିବାଭଳି ସମସ୍ତ ପ୍ରଶ୍ନର ଉତ୍ତର ଦେଇ । ଚେଷ୍ଟା କରିଥିଲେ ନିଜ ମତ ସପକ୍ଷରେ ଅନ୍ୟମାନଙ୍କୁ ଠିକ୍ ରୂପେ ବୁଝାଇ ଦେବା ପାଇଁ । କିନ୍ତୁ ଅପର ପକ୍ଷରେ ସୁବ୍ରମଣ୍ୟ ଶାସ୍ତ୍ରୀ ବାରମ୍ବାର ଉତ୍ତେଜିତ ହୋଇ ଉଠିଲେ କେବଳ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ।

 

ଉପସ୍ଥିତ ବିଦ୍ୱାନ୍ ମଣ୍ଡଳୀ ରାମମୋହନଙ୍କ ବିଜୟ ସ୍ଵୀକାର କରି ନେଇଥିଲେ ସେଦିନ ।

 

ତର୍କସଭାର ଆୟୋଜକମାନେ ନିଜେ ନିଜେ ରକ୍ଷଣଶୀଳ ଗୋଷ୍ଠୀର ପରାଜୟ ସ୍ଵୀକାର କରିଥିଲେ । ସୁବ୍ରମଣ୍ୟ ଶାସ୍ତ୍ରୀଙ୍କୁ ରାମମୋହନଙ୍କ ଉତ୍ତର ୧୮୨୦ ମସିହା ଇଂରାଜୀ, ସଂସ୍କୃତ, ବଙ୍ଗଳା ଓ ହିନ୍ଦି ଭାଷାରେ ପ୍ରକାଶିତ ହୋଇ ବୃହତ୍ତର ଜନସମାଜ ନିକଟରେ ପହଞ୍ଚିଥିଲା ।

 

ଯେତେବଳେ ରାମମୋହନ ହିନ୍ଦୁ ରକ୍ଷଣଶୀଳ ସଂପ୍ରଦାୟ ସହିତ ସଂଗ୍ରାମରତ, ପ୍ରାୟ ସେଇ ସମୟରେ ଖ୍ରୀଷ୍ଟିୟାନ ସଂପ୍ରଦାୟରୁ ମଧ୍ୟ ମୁକାବିଲା କରିବାଲାଗି ତାହାଙ୍କୁ ଆହ୍ଵାନ ଦିଆଯାଇଥିଲା । ସେମାନଙ୍କ ସମ୍ମୁଖୀନ ହେବାପାଇଁ ରାମମୋହନ ତିଳେ ମାତ୍ର କୁଣ୍ଠିତ ନ ଥିଲେ । ମୂଳ ହିନ୍ଦୁଧର୍ମ ଗ୍ରନ୍ଥଗୁଡ଼ିକୁ ସେ ସଂପୂର୍ଣ୍ଣ ଅଧ୍ୟୟନ ପ୍ରାୟ କରି ସାରିଥିଲେ ସେତେବେଳକୁ । ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟସହ ମୁକାବିଲା କରିବାପାଇଁ ତାଙ୍କରି ମୂଳଗ୍ରନ୍ଥଗୁଡ଼ିକୁ ଅଧ୍ୟୟନ ଜନିତ ଅଧିକ ପରିଶ୍ରମ କରିବାପାଇଁ ତାହାଙ୍କୁ ହୋଇଥିଲା । ସେ ପରିଶ୍ରମକୁ ଜୀବନର ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରୁ ଏକ ଅଂଶ ରୂପେ ଗ୍ରହଣ କରିଥିଲେ, ମନେ କରି ନ ଥିଲେ କୌଣସି ଅଧିକ କାର୍ଯ୍ୟ ହିସାବରେ । କାରଣ ସେ ଚାହୁଁଥିଲେ ସମାଜରୁ ଯେ କୌଣସି ପ୍ରକାରେ ଧର୍ମର ଦ୍ୱାହି ଦେଇ ଚଳି ଆସୁଥିବା ପରମ୍ପରା ଓ ଅନ୍ଧବିଶ୍ୱାସମୂଳକ କାର୍ଯ୍ୟକଳାପ ଦୂର କରିବାକୁ ହେବ ।

 

ଖ୍ରୀଷ୍ଟିୟ ମିସନାରୀମାନଙ୍କ ସମ୍ମୁଖୀନ ହେବାପାଇଁ ରାମମୋହନଙ୍କୁ ଖ୍ରୀଷ୍ଟଧର୍ମର ମୂଳ ଧର୍ମଗ୍ରନ୍ଥସବୁ ଗଭୀର ଭାବେ ଅଧ୍ୟୟନ କରିବାକୁ ପଡ଼ିଥିଲା । ତେଣୁ ସେ ଟେଷ୍ଟାମେଣ୍ଟର ନୂତନ ଓ ପୁରାତନ ସଂସ୍କରଣକୁ ଆମୂଳଚୁଳ ପାଠ କରିଥିଲେ । କେବଳ ସେତିକି ନୁହେଁ, ସେଇ ସଂପର୍କରେ ଆଲୋଚିତ ବିଭିନ୍ନ ଗ୍ରନ୍ଥସବୁ ମଧ୍ୟ ଅଧ୍ୟୟନ କରିଥିଲେ । ଖ୍ରୀଷ୍ଟଧର୍ମର ମୂଳଗ୍ରନ୍ଥ ଓ ମୌଳିକ ଗ୍ରନ୍ଥସବୁ ଅଧ୍ୟୟନ କରିବାଲାଗି ତାହାଙ୍କୁ ହିବ୍ର, ଲାଟିନ୍ ଓ ଗ୍ରୀକ୍ ଭାଷା ପ୍ରଥମେ ଆୟତ୍ତ କରିବାକୁ ପଡ଼ିଥିଲା ଓ ସେଇଥିପାଇଁ ବୀରର ଜାତକରେ ପଛଘୁଞ୍ଚା ଦେବାର ପ୍ରଶ୍ନ ନ ଥିଲା ।

 

ଉକ୍ତ ଧର୍ମର ତତ୍ତ୍ୱସବୁ ଆୟତ୍ତ କରି ସାରିବା ପରେ ରାମମୋହନ ଖ୍ରୀଷ୍ଟଧର୍ମ ସମ୍ପର୍କରେ ଏକ ତଥ୍ୟସମ୍ବଳିତ ପୁସ୍ତିକା ପ୍ରକାଶ କରିଥିଲେ । ସେଥିରେ ସେ ଉକ୍ତ ଧର୍ମର ମୂଳଗ୍ରନ୍ଥ ବାଇବେଲର ରଚନାବଳୀ ଉପରେ ନିର୍ଭରଯୋଗ୍ୟ ବିଶ୍ୱାସ ସ୍ଥାପନ କରିପାରି ନ ଥିଲେ ଯଦିଓ ଖ୍ରୀଷ୍ଟଧର୍ମାବଲମ୍ବୀ ଜନଗଣଙ୍କ ଧର୍ମବିଶ୍ଵାସ ଉପରେ ସେ ସାମାନ୍ୟତମ ମଧ୍ୟ ଅସୂୟାଭାବ ପୋଷଣ କରି ନ ଥିଲେ କିମ୍ବା ଖ୍ରୀଷ୍ଟିୟ ସଂପ୍ରଦାୟ ପ୍ରତି ନିଜ ମନ ଭିତରେ କୌଣସି ପ୍ରକାର ଘୃଣାଭାବ ପୋଷଣ କରି ନ ଥିଲେ । ନିଜ ମତ ସ୍ଵାଧୀନ ଭାବରେ ପ୍ରକାଶ କରିଥିଲେ ଧର୍ମତତ୍ତ୍ଵ ନେଇ । ତାଙ୍କର ପ୍ରକାଶନରେ ସେ ମତ ବ୍ୟକ୍ତ କରିଥିଲେ ଯେ ବାଇବେଲର ଅନ୍ୟ କୌଣସି ଦିଗକୁ ବିଚାରକୁ ନିଆ ନ ଯାଇ ଉକ୍ତ ଗ୍ରନ୍ଥର ନୂତନ ସଂସ୍କରଣକୁ କେବଳ ନୈତିକ ଦୃଷ୍ଟିକୋଣରୁ ବିଚାର କରାଗଲେ ସମାଜରେ ତାହା ନିଶ୍ଚିତଭାବେ ପ୍ରଭାବ ପକାଇବ ପାରିବ ଏବଂ ଉକ୍ତ ଗ୍ରନ୍ଥକୁ ଯେତେ ଅଧିକ ପାଠକମାନଙ୍କ ନିକଟରେ ପହଞ୍ଚାଇ ଦିଆଯାଇ ପାରିବ, ସମାଜର ନୈତିକ ମଙ୍ଗଳ ସେତିକି ଅଧିକ ହେବ, ଜନସାଧାରଣଙ୍କ ହୃଦୟ ସେତିକି ନିର୍ମଳ ତଥା ପବିତ୍ର ହେବ ତାର ପ୍ରଭାବରେ । ରାମମୋହନ ସେଥିରେ ଲେଖିଥିଲେ-”I feel persuaded that by separating from the other matters contained in the New Testament, the motal precepts found in that book, these will be more likely to produce the desirable effect of improving the hearts and minds men of different persuartions and degree of understanding...

 

Precepts of Jesus-the Guide to peace and Happiness. Extracted from the book of New Testament Ascribed to the Four Evangelists-ରାମମୋହନଙ୍କ ପୁସ୍ତିକାର ଅଂଶବିଶେଷ ।

 

କିନ୍ତୁ ଏକ ଉଦାର ହୃଦୟର ଅନୁଶୀଳନ ପରିବର୍ତ୍ତେ ରାମମୋହନଙ୍କ ଉକ୍ତ ପ୍ରକାଶନ ଭାରତୀୟ ଖ୍ରୀଷ୍ଟିୟାନ୍ ମିସନାରୀମାନଙ୍କୁ ଅଧିକ ଉତ୍ତେଜିତ କରି ପକାଇଥିଲା । ସେମାନଙ୍କ ମତରେ ରାମମୋହନ ଖ୍ରୀଷ୍ଟଧର୍ମ ସଂପର୍କରେ ଯେଉଁ ମତ ପ୍ରଦାନ କରିଥିଲେ, ତାହା ସ୍ଵୟଂସଂମ୍ପୂର୍ଣ୍ଣ ନ ଥିଲା ଏବଂ ଜାଣିଶୁଣି କେବଳ ବଦନାମ କରିବା ଉଦ୍ଦେଶ୍ୟରେ ସେ ଉକ୍ତ ଧର୍ମର ଅନେକ ଆବଶ୍ୟକୀୟ ତତ୍ତ୍ଵକୁ ପରିହାର କରି ନିଜ ମତକୁ ସୁହାଇଲା ଭଳି ଅନେକଗୁଡ଼ିଏ ଅସଙ୍ଗତ କଥା କେବଳ ଉଦ୍ଧାର କରିଥିଲେ । ତାହାକୁ ଖ୍ରୀଷ୍ଟଧର୍ମ ବିରୁଦ୍ଧରେ ଏକ ଚକ୍ରାନ୍ତ ବୋଲି ଆକ୍ଷେପ କରିଥିଲେ ସେମାନେ । ଡ: ମାର୍ସମ୍ୟାନ୍ (Dr.J.C. Marshman)ଙ୍କ ଭଳି ଖ୍ରୀଷ୍ଟଧର୍ମ ସଂପ୍ରଦାୟର ଅନେକ ବିଜ୍ଞ ବ୍ୟକ୍ତି, ଯେଉଁମାନେ ଏକଦା ରାମମୋହନଙ୍କ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରୁଥିଲେ ସେଇମାନେ ମଧ୍ୟ ପଟପରିବର୍ତ୍ତନ କରିଥିଲେ । ଶ୍ରୀରାମପୁରସ୍ଥ ବାପ୍‍ଟିଷ୍ଟମିସନର ଦଳେ ସେମାନଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଗୋଷ୍ଠୀଗତଭାବେ । ଭାରତୀୟ ଖ୍ରୀଷ୍ଟିୟାନମାନଙ୍କ ପ୍ରତିକ୍ରିୟାର ପ୍ରତିଫଳନ ହେଉଥିଲା ସେମାନଙ୍କ ମୁଖପତ୍ରରୂପେ କାର୍ଯ୍ୟ କରୁଥିବା ଭାରତର ସଖା (The Friend of India) ମାଧ୍ୟମରେ । ରାମମୋହନଙ୍କ ପ୍ରକାଶିତ ଇସ୍ତାହାରରେ ସେମାନେ ଏତେ ପରିମାଣରେ କ୍ଷୁବ୍‍ଧ ହୋଇଥିଲେ ଯେ, ତାହାଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରିବାଲାଗି ମଧ୍ୟ ସେମାନେ ସାମାନ୍ୟତମ କୁଣ୍ଠା ପ୍ରକାଶ କରି ନ ଥିଲେ ।

 

ସହନଶୀଳତାର ସମସ୍ତ ବିଷ ଆକଣ୍ଠ ପାନ କରିଥିବା ନୀଳକଣ୍ଠ ରାମମୋହନ ତାଙ୍କ ପ୍ରତି ବ୍ୟବହୃତ ହେଉଥିବା ଭାଷାର ଏତେ ପରିମାଣରେ ଓ ଏପରି ଅସଂଯତ ବ୍ୟବହାର ହେଉଥିଲା ଯେ, ସେଥିରେ କ୍ଷୁବ୍‍ଧ ହୋଇ ଉଠିଥିଲେ । ସେଇଥିପାଇଁ ସମସ୍ତ ପ୍ରତିକ୍ରିୟାର ପ୍ରତିକ୍ରିୟା ପ୍ରକାଶ କରିବାପାଇଁ ସେ ମନସ୍ଥ କରିଥିଲେ ।

 

ଏକଥା ନିଃସନ୍ଦେହ ଥିଲା ଯେ, ରାମମୋହନ ଯୀଶୁଖ୍ରୀଷ୍ଟଙ୍କୁ ଭକ୍ତି କରୁଥିଲେ ଏବଂ ଏହା ବି ନିଃସନ୍ଦେହ ଥିଲା ଯେ, ଖ୍ରୀଷ୍ଟଧର୍ମାବଲାମ୍ବୀମାନେ ରାମମୋହନଙ୍କ ଉପରେ ଅସ୍ଥାବାନ ନ ଥିଲେ । ବରଂ ବିଶ୍ଵାସର ସାମାନ୍ୟତମ ଧାରଣା ମଧ୍ୟ ସେମାନଙ୍କ ନିକଟରେ ନ ଥିଲା । ଖ୍ରୀଷ୍ଟିୟାନ ମିସନାରୀମାନଙ୍କର ରାମମୋହନଙ୍କ ପ୍ରତି ଆକ୍ଷେପର ଭାଷା ବ୍ୟବହାରରେ ଅତିଷ୍ଠ ହୋଇ ସେ ୧୮୨୧ ମସିହାରେ ତାଙ୍କର ଦ୍ଵିତୀୟ ଇସ୍ତାହାର ପ୍ରକାଶ କରିଥିଲେ । ସେଇ ଇସ୍ତାହାରଗୁଡ଼ିକ ଶ୍ରୀରାମପୁର ମିସନାରୀ ପ୍ରେସରୁ ହିଁ ମୁଦ୍ରିତ ହେଉଥିଲା । ପ୍ରଥମ ଇସ୍ତାହାର ପ୍ରକାଶ ପାଇବା ପରେ ପରେ ଖ୍ରୀଷ୍ଟୀୟ ସଂପ୍ରଦାୟ ରାମମୋହନଙ୍କୁ ଯେଉଁ ଦୋଷରେ ଦୋଷୀ ସାବ୍ୟସ୍ତ କରୁଥିଲେ ସେ ସବୁର ଯଥାଯଥ ଉତ୍ତର ଦେବା ସଙ୍ଗେ ସଙ୍ଗେ ପ୍ରଥମ ଇସ୍ତାହାର ଭଳି ଦ୍ଵିତୀୟ ଇସ୍ତାହାରରେ ମଧ୍ୟ ଖ୍ରୀଷ୍ଟୀୟ ମିସନାରୀମାନଙ୍କ ଅବଦାନଗୁଡ଼ିକୁ ଅତି ସରଳ ଭାବରେ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଯୀଶୁଙ୍କୁ ଯଥାଯଥ ସମ୍ମାନ ପ୍ରଦର୍ଶନ କରି ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ରାଜାଙ୍କ ଦୃଷ୍ଟିରେ ଯୀଶୁ ଥିଲେ ଜଣେ ମହାନ୍ ମାନବବାଦୀ । ତେଣୁ ସେଭଳି ଜଣେ ଶ୍ରେଷ୍ଠ ମାନବବାଦୀର ଅଧ୍ୟୟନ ଓ ଦର୍ଶନ ଆଲୋଚନା ମାନସିକ ଚିନ୍ତାଧାରାର ଉନ୍ନତି କରିବା ପାଇଁ ପ୍ରକୃଷ୍ଟ ମାଧ୍ୟମ ନ ହେଲେ ମଧ୍ୟ ଯେ ସହାୟକ ହେବ, ସେଥିରେ ସେ ବିଶ୍ୱାସ ସ୍ଥାପନ କରୁଥିଲେ । ଦ୍ଵିତୀୟ ଇସ୍ତାହାରରେ ସେ ଉଲ୍ଲେଖ କରିଥିଲେ ଯେ, ଖ୍ରୀଷ୍ଟଧର୍ମର ଏକ ମୂଳଗ୍ରନ୍ଥ ନିଉ ଟେଷ୍ଟାମେଣ୍ଟ କେବଳ କାହିଁକି ଭାରତୀୟ ହିନ୍ଦୁଧର୍ମର ମୂଳଗ୍ରନ୍ଥଗୁଡ଼ିକରେ ରଚିତ ହୋଇଥିବା ଅର୍ଥହୀନ ମୂଳହୀନ ଭୌତିକ କାହାଣୀଗୁଡ଼ିକ ଉପରେ ସେ ବିଶ୍ୱାସ କରୁ ନ ଥିଲେ ।

 

ଯଦିଓ ରାମମୋହନଙ୍କର ଏଭଳି ସମସ୍ତ କାର୍ଯ୍ୟକଳାପର ଉଦ୍ଦେଶ୍ୟ ଥିଲା ଏକମାତ୍ର ସମଗ୍ର ବିଶ୍ଵର ସ୍ରଷ୍ଟା ଭଗବାନଙ୍କ ଉପରେ ଆସ୍ଥା ସ୍ଥାପନ କରିବା ଲାଗି ସମସ୍ତଙ୍କ ମନରେ ବିଶ୍ୱାସ ଜନ୍ମାଇବା; ସେ ଯେଉଁ ଧର୍ମର ହୁଅନ୍ତୁ ପଛକେ, ତଥାପି ଅନେକ ଖ୍ରୀଷ୍ଟୀୟ ବନ୍ଧୁ ତାହାଙ୍କୁ ଭୁଲ୍ ବୁଝିଥିଲେ । ରେଭରେଣ୍ଡ ଉଇଲିୟମ୍ ଇଟସ୍ ଓ ରେଭରେଣ୍ଡ ଉଇଲିୟମ୍ ଏଡ଼ମଙ୍କ ନିକଟତମ ସମ୍ପର୍କରେ ସେ ଆସିଥିଲେ ଓ ତାହାଙ୍କ ଚିନ୍ତାଧାରା ଓ ଅଧ୍ୟୟନର ପରିଚୟ ପାଇବା ପରେ ପରେ ସେମାନେ ଚକିତ ହୋଇ ପଡ଼ିଥିଲେ ।

 

ସେତେବେଳକୁ ରାମମୋହନ ତୃତୀୟ ଇସ୍ତାହାର ମଧ୍ୟ ପ୍ରସ୍ତୁତ କରିସାରିଥିଲେ ।

 

କିନ୍ତୁ ଡ. ମାର୍ସମ୍ୟାନ୍ ରାମମୋହନଙ୍କ ଉପରେ ଏତେଟା ଅତିଷ୍ଠ ହୋଇଉଠିଥିଲେ ଯେ ତାଙ୍କର ଇସ୍ତାହାର ଗୁଡ଼ିକର ବିକ୍ଷିପ୍ତ ସମାଲୋଚନା ସଂପ୍ରଦାୟର ମୁଖପତ୍ର ଭାରତର ସଖାରେ ପ୍ରକାଶ କରିଥିଲେ । ତା ସଙ୍ଗେ ସଙ୍ଗେ ରାମମୋହନଙ୍କ ପ୍ରସ୍ତୁତ ଶେଷ ଇସ୍ତାହାରଟିକୁ ସିସନାରୀ ପ୍ରେସରୁ ମୁଦ୍ରଣ କରାଇବା ଲାଗି ସମ୍ମତ ହୋଇ ନ ଥିଲେ । ରାଜାଙ୍କ ପ୍ରତି ସେ ଏତେଟା ବିତୃଷ୍ଣା ପୋଷଣ କରିଥିଲେ ଯେ, କୌଣସି ପ୍ରକାର ମତାମତକୁ ସମ୍ବେଦନଶୀଳତାର ସହିତ ବିଚାର କରିବା ଶକ୍ତି ସେ ହରାଇ ବସିଥିଲେ ଆପାତତଃ । ତାହା ହିଁ ଥିଲା ଏକମାତ୍ର କାରଣ, ଯେଉଁଥିପାଇଁ ରାଜାଙ୍କ ଶେଷ ଇସ୍ତାହାର ମିସନାରୀ ପ୍ରେସରେ ମୁଦ୍ରଣ ପାଇଁ ମନା କରି ଦେଇଥିଲେ ।

 

ତାହା କିନ୍ତୁ ପ୍ରକାଶିତ ହୋଇଥିଲା । ତାହା ପ୍ରକାଶ ପାଇଥିଲା ଗୋଟିଏ ପତ୍ରିକାରେ* । ଉକ୍ତ ଇସ୍ତାହାର ଯେଉଁ ପତ୍ରିକାରେ ପ୍ରକାଶ ପାଇଥିଲା, ସେଥିରେ ଆଉ ଗୋଟିଏ ପ୍ରବନ୍ଧ ମଧ୍ୟ ପ୍ରକାଶ ପାଇଥିଲା, “ଖ୍ରୀଷ୍ଟିୟାନ୍ ଧର୍ମକୁ ଜଣେ ହିନ୍ଦୁ ଅସ୍ଵୀକାର କରିବା କାରଣ ।” ଯଦିଓ ତାହା ମଧ୍ୟ ରାଜା ରାମମୋହନ ନିଜେ ରଚନା କରିଥିଲେ ତଥାପି ତାକୁ ଏକ ଛଦ୍ମନାମ-ଶିବପ୍ରସାଦ ଶର୍ମା ନାମରେ ପ୍ରକାଶ କରିଥିଲେ । ଶେଷ ଇସ୍ତାହାର ସହିତ ଉକ୍ତ ପ୍ରବନ୍ଧ ପ୍ରକାଶିତ ହେବା ପରେ ପରେ ଡ. ମାର୍ସମ୍ୟାନ୍ ଏତେ ଉତ୍‍କ୍ଷିପ୍ତ ହୋଇ ଉଠିଲେ ଯେ, ସେ ହିନ୍ଦୁଧର୍ମ ପ୍ରତି କଟୁ ମନ୍ତବ୍ୟ ପ୍ରକାଶ କରି କହିଥିଲେ “Hinduism owed its origin to the Father of lies”-ହିନ୍ଦୁଧର୍ମ କେବଳ ମିଥ୍ୟାର ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ।

 

ଡ. ମାର୍ସମ୍ୟାନଙ୍କର ଏଭଳି ଉତ୍‍କ୍ଷିପ୍ତ ହେବାର କାରଣ ଥିଲା ମିସନାରୀମାନେ ବେଦାନ୍ତ ଉପରେ ଯେଉଁ ସମାଲୋଚନା କରିଥିଲେ, ସେସବୁର ଯଥାଯଥ ଉତ୍ତର ରାମମୋହନ ଦେବା ସଙ୍ଗେ ସଙ୍ଗେ ତାଙ୍କର ତ୍ରେତବାଦୀ ଦର୍ଶନକୁ ଯେଭଳି ଭାବରେ ସମାଲୋଚନା କରିଥିଲେ, ତାର କୌଣସି ଯୁକ୍ତିଯୁକ୍ତ ଉତ୍ତର ପାଇ ପାରି ନ ଥିଲେ ମାର୍ସମ୍ୟାନ୍ । ତାହା ତାଙ୍କର ଗାତ୍ର ଦାହ କରିବା ସ୍ୱାଭାବିକ ଥିଲା ।

 

ଉକ୍ତ ପତ୍ରିକାର ନାମ Brahmanical Magazine

 

ଅପର ପକ୍ଷରେ ରାମମୋହନଙ୍କ ସହନଶୀଳତାର ଭୂୟସୀ ପ୍ରଶଂସା ପ୍ରକାଶ ପାଇଥିଲା, ଏପରିକି ଭାରତୀୟ ଗେଜେଟରେ ମଧ୍ୟ । କେବଳ ସେତିକି ନୁହେଁ, ଜଣେ ବାପଟିଷ୍ଟ ମିସନାରୀ ଓ୍ଵିଲିୟମ୍ ଏଡ଼ମ୍ ରାଜାଙ୍କ ଏକେଶ୍ୱରବାଦ ଦର୍ଶନରେ ପ୍ରଭାବିତ ହୋଇ ୧୮୨୧ ମସିହାରେ ଗୋଟିଏ ଏକତ୍ୱବାଦୀ ସଙ୍ଘ-ୟୁନିଟେରିଆନ୍ ଆସୋସିଏସନ୍ (Unitarian Association) ଗଠନ କରିଥିଲେ ଏବଂ ରାମମୋହନଙ୍କୁ ତାହାର ମୁଖ୍ୟ ଉପଦେଷ୍ଟା ସ୍ୱରୂପ ଗ୍ରହଣ କରିଥିଲେ । ଉକ୍ତ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଭାରତରେ ଶିକ୍ଷାର ପ୍ରସାର କରାଇ ଦେଶରୁ ଅଜ୍ଞାନ ଅନ୍ଧକାର ଦୂର କରାଇବା, କୁସଂସ୍କାର ଲୋପ କରାଇବା, ସାଧରଣ ନୈତିକ ଚରିତ୍ରର ଉନ୍ନତି କରାଇବା, ବିଶ୍ୱ ଭ୍ରାତୃତ୍ୱର ପ୍ରସାର ତଥା ପ୍ରଚାର କରାଇବା ଭଳି ଆଉ କେତେକ କାର୍ଯ୍ୟ କଳାପ ।

 

ଖ୍ରୀଷ୍ଟିୟାନ ସଂପ୍ରଦାୟ ମଧ୍ୟରେ ଏକତ୍ୱବାଦର ପ୍ରଚାର ଓ ପ୍ରସାର କରାଇବା ପାଇଁ ରାମମୋହନଙ୍କ ପ୍ରଭାବରେ ଯେତେବେଳେ ଉଇଲିୟମ୍ ଏଡ଼ମ୍ ପ୍ରକାଶ୍ୟ ଭାବରେ ଘୋଷଣା କରିଥିଲେ, ସବୁ ସଂପ୍ରଦାୟ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ମିସନାରୀମାନେ ମିଷ୍ଟ ର ଏଡ଼ମଙ୍କୁ ତାଙ୍କର ଜଣେ ସାଧାରଣ ସଦସ୍ୟ ଭାବରେ ଗ୍ରହଣ କରିବା ପାଇଁ ସତେ ଯେମିତି ହଠାତ୍ କୁଣ୍ଠିତ ହୋଇ ଯାଇଥିଲେ; କିନ୍ତୁ ସେଥିପାଇଁ ଏଡ଼ମ୍ କିମ୍ବା ତାଙ୍କ ସମର୍ଥିତ ମୁଷ୍ଟିମେୟ ଲୋକ ଚିନ୍ତିତ ନଥିଲେ ।

 

ପ୍ରାୟ ସେଇ ସମୟରେ, ସେଇ ଉଦ୍ଦେଶ୍ୟ ନେଇ କଳିକତାଠାରେ ଗଠିତ ହୋଇଥିଲା କଲିକତା ଏକତ୍ୱବାଦୀ କିମିଟି-Calcutta Unitarian Committee ଉକ୍ତ ସଂସ୍ଥାର ପ୍ରଧାନ ଉପଦେଷ୍ଟା ଭାବେ ଜଣେ ଭାରତୀୟ ଥିଲେ-ରାମମୋହନ ଓ ତାର ସଦସ୍ୟ ତଥା ଶୁଭେଚ୍ଛୁ ରୂପେ ଆଉ କେତେ ଜଣ ଭାରତୀୟଙ୍କ ସମେତ ଅନେକ ବିଦେଶୀୟ, ସରକାରୀ ଓ ବେସରକାରୀ ବ୍ୟକ୍ତି ମଧ୍ୟ ଥିଲେ । ଭାରତୀୟମାନଙ୍କ ମଧ୍ୟରେ ଦ୍ଵାରିକାନାଥ ଠାକୁର, ପ୍ରସନ୍ନ କୁମାର ଠାକୁର ଓ ରାଧାପ୍ରସାଦ ରାୟ ଥିଲେ ଅତ୍ୟନ୍ତ ସକ୍ରୀୟ ।

 

ଏକଥା ନିଶ୍ଚିତ ଯେ ଉକ୍ତ ସଂସ୍ଥା ଗଠିତ ହେବା ପରେ ପରେ ରାମମୋହନ ଆହୁରି ଅନେକ ନୂତନ ଲୋକଙ୍କ ସଂସ୍ପର୍ଶରେ ଆସିବା ସୁଯୋଗ ପାଇଥିଲେ । ବିଭିନ୍ନ ଭାଷା, ବିଭିନ୍ନ ଧର୍ମ ଓ ବିଭିନ୍ନ ସଂପ୍ରଦାୟର ଅନେକ ଲୋକ, ଯେଉଁମାନଙ୍କ ଚିନ୍ତାଧାରା ଏକ–ଯେଉଁମାନଙ୍କ ଦୃଷ୍ଟିଭଙ୍ଗୀ ଏକ–ସେମାନେ ସବୁ ଏକାଠି ହୋଇ ପାରିଥିଲେ ସେଇ ସଂସ୍ଥା ମାଧ୍ୟମରେ । ମୂଳ ଉଦ୍ଦେଶ୍ୟ ସମାଜର ସର୍ବାଙ୍ଗୀନ ଉନ୍ନତି କରିବା ।

 

ଖ୍ରୀଷ୍ଟ ଧର୍ମ ସଂପର୍କରେ ରାମମୋହନ ଯେଉଁ ଇସ୍ତାହାରଗୁଡ଼ିକ ପ୍ରକାଶ କରିଥିଲେ । ସେଗୁଡ଼ିକ ଭାରତରେ ପ୍ରାୟତଃ କଠୋର ସମାଲୋଚନାର ଶିକାର ହୋଇଥିବାବେଳେ, ବିଦେଶରେ ଲୋକଙ୍କ ପାଇଁ ଖ୍ୟାତିର ଗନ୍ତାଘର ତୟାର କରିଦେଇ ପାରିଥିଲା । ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କ ସଂଖ୍ୟା ପରିମାଣାତ୍ମକ ଦୃଷ୍ଟିରୁ ଭାରତ ଅପେକ୍ଷା ବିଦେଶରେ ଥିଲା ଅଧିକ । ତେଣୁ ସେଇମାନଙ୍କ ଲାଗି ଉଦ୍ଦିଷ୍ଟ ପୁସ୍ତିକାଗୁଡ଼ିକର ପ୍ରଚାର ଓ ପ୍ରସାର ଦୃତଗତିରେ ବିସ୍ତାରିତ ହୋଇ ପାରିଥିଲା ସମଗ୍ର ପୃଥିବୀରେ । ସେମାନଙ୍କ ମଧ୍ୟରେ ରକ୍ଷଣଶୀଳ ଗୋଷ୍ଠୀ ଥିଲେ ମଧ୍ୟ, ଜ୍ଞାନ ଆହରଣ କରିବାର ଲିପ୍‍ସା ଓ ଅନ୍ୟର ମତାମତ ଜାଣିବା ପାଇଁ ଆଗ୍ରହ ଥିଲା ଯଥେଷ୍ଟ ବେଶୀ ।

 

ଫ୍ରାନସର ଗୋଟିଏ ଚର୍ଚ୍ଚର ବିଶପ୍ ଆବେ ଗ୍ରିଗୋରୀ (Abbe Gregoire, the Bishop of Blois) ରାମମୋହନଙ୍କ ପ୍ରଶଂସାରେ ଶତମୁଖ ହୋଇ ଗୋଟିଏ ପୁସ୍ତିକା ପ୍ରକାଶ କରିଥିଲେ । ସେଥିରେ ଅନ୍ୟାନ୍ୟ ବିଷୟ ପ୍ରସଙ୍ଗରେ ସେ ଲେଖିଥିଲେ ତାଙ୍କର ସାଧାରଣ ଦର୍ଶନ ଅପେକ୍ଷା ତଥ୍ୟପୂର୍ଣ୍ଣ ଓ ଯୁକ୍ତିମୂଳକ ଦାର୍ଶନିକ ଯୁକ୍ତିଗୁଡ଼ିକ ହିଁ ପ୍ରକୃତରେ ରାମମୋହନଙ୍କ ଯଥାର୍ଥ ପରିଚାୟକ । ଲଣ୍ଡନରେ ଡ. ଟି.ରିସ୍ (Dr.T.Rees) ଯୀଶୁଖ୍ରୀଷ୍ଟଙ୍କ ପ୍ରଶଂସାରେ ମୁଖରିତ ଦୁଇଟି ଇସ୍ତାହାରର ପୁନଃ ମୁଦ୍ରଣ ସେଠାରେ କରାଇ ତାହାଙ୍କ ନିକଟକୁ କେତେଖଣ୍ଡି ସ୍ନେହୋପହାର ସ୍ୱରୂପ ପଠାଇଥିଲେ । ଦୈବାତ୍ ସେଇ ଇସ୍ତାହାରଗୁଡ଼ିକ ଆମେରିକାରେ ପହଞ୍ଚିବାପରେ ସେଠିକାର ଖିଷ୍ଟିୟାନ ସଂପ୍ରଦାୟର ବୁଦ୍ଧିଜୀବୀ ମହଲରୁ ଅନେକେ ରାମମୋହନ ନିକଟକୁ ପ୍ରଶଂସାପତ୍ରମାନ ଲେଖିଥିଲେ ।

 

ଏଣେ ଭାରତରେ ମି: ଏଡ଼ମଙ୍କ ଦ୍ଵାରା ପରିଚାଳିତ ବାପଟିଷ୍ଟ ମିସନ୍ ପ୍ରେସରେ ରାମମୋହନଙ୍କ ରଚନାବଳୀ ସବୁ ପ୍ରକାଶ ପାଉଥିଲା । ସେ ମି: ଏଡ଼ମ୍ ଓ ଇଟସଙ୍କ ସହିତ ମିଶି ଗୋଷ୍ଠୀଗତଭାବେ ବାଇବେଲର ନୀତିବାଣୀଗୁଡ଼ିକୁ ପୁଣି ନୂଆ କରି ବଙ୍ଗଳା ଭାଷାରେ ଅନୁବାଦ କରିବାଲାଗି ଉଦ୍ୟମ ଚଳାଇଥିଲେ । ରାମମୋହନ ଚାହୁଁଥିଲେ ଯୀଶୁଙ୍କ ସମ୍ପର୍କରେ ବହୁଳଭାବରେ ପ୍ରଚାରିତ ବିଧେୟ-ଜଣେ ଶ୍ରେଷ୍ଠ ମାନବବାଦୀ ହିସାବରେ । ପୂର୍ବରୁ ବାଇବେଲର ଯେଉଁ ଅନୁବାଦ ହୋଇଥିଲା ସେଥିରେ ସୁସମାଚାର ବା ନୀତିକଥା ଅପେକ୍ଷା ପୌରାଣିକ କାହାଣୀଗୁଡ଼ିକୁ ହିଁ ଗୁରୁତ୍ୱପୂର୍ଣ୍ଣ କରି ଦିଆ ଯାଇଥିଲା । କେବଳ ଗ୍ରନ୍ଥଗୁଡ଼ିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ । ଶ୍ରୀରାମପୁର ମିସନାରୀମାନଙ୍କ ଉଦ୍ଦେଶ୍ୟ ଥିଲା, ବାଇବେଲକୁ କିପରି ସାଧାରଣ ପାଠକଙ୍କ ନିକଟରେ ସହଜରେ ପହଞ୍ଚାଇ ପାରିବେ । ସେଥିପାଇଁ ପୌରାଣିକ କାହାଣୀଗୁଡ଼ିକୁ ଗଳ୍ପ ଆକାରରେ ଉପସ୍ଥାପିତ କରିବା ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି ଯଥାର୍ଥରେ ମନେ କରିଥିଲେ ସେ । କିନ୍ତୁ ରାମମୋହନ ବିଚାର କରିଥିଲେ ପୁରାତନ କାହାଣୀ ଅପେକ୍ଷା ନୀତିଗୁଡ଼ିକ ହିଁ ଜନଗଣଙ୍କ ନିକଟରେ ପହଞ୍ଚିବା ପ୍ରଥମ ଆବଶ୍ୟକ । ତେଣୁ ଏଡ଼ମଙ୍କ ସହ ମିଶି ସେଭଳି ଉଦ୍ୟମ କରିଥିଲେ ।

 

ଏଡ଼ମଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ବଢ଼ିଯାଇଥିଲା ରାମମୋହନଙ୍କ, ପୁଣି ରାମମୋହନଙ୍କ ଏକେଶ୍ୱରବାଦରେ ପ୍ରଭାବିତ ହୋଇ ଖ୍ରୀଷ୍ଟଧର୍ମରେ ଏକତ୍ଵବାଦ ପ୍ରତିଷ୍ଠା ପାଇଁ ସେ ଆଗଭର ହୋଇ ଉଠିଥିଲେ । ତେଣୁ ରାମମୋହନ ତାଙ୍କରି ଦ୍ଵାରା ପରିଚାଳିତ ୟୁନିଟେରିଆନ୍ ଚର୍ଚରେ ଯୋଗ ଦେବାପାଇଁ ସ୍ଵାଭାବିକଭାବେ ଆଗ୍ରହୀ ହୋଇ ଉଠିଥିଲେ । ଏଡ଼ମଙ୍କ ସହ ସେତେଟା ଘନିଷ୍ଠତା ଓ ଖ୍ରୀଷ୍ଟଧର୍ମ ଚର୍ଚା ତଥା ଗ୍ରନ୍ଥପ୍ରକାଶନରେ ପରିଣାମତଃ ଭାରତର ଜନସାଧାରଣ ଯେପରିଭାବରେ ଏକ ଭ୍ରମାତ୍ମକ ଧାରଣାର ବଶବର୍ତ୍ତୀ ହୋଇ ଉଠିଥିଲେ, ଠିକ୍ ସେହିପରି ଅନେକ ନେତୃସ୍ଥାନୀୟ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକ ମଧ୍ୟ ସେଇ ଏକ ଧାରଣା ପୋଷଣ କରିଥିଲେ ଯେ, ଦିନେନା ଦିନେ ରାମ-ମୋହନ ଖ୍ରୀଷ୍ଟିୟାନ ହୋଇଯିବେ । ଆଶ୍ଚର୍ଯ୍ୟର କଥା ତାଙ୍କ ପ୍ରିୟ ବନ୍ଧୁ ଏଡ଼ମ୍ ମଧ୍ୟ ସେ ପ୍ରକାର ଚିନ୍ତାଧାରାରୁ ନିଜକୁ ମୁକ୍ତ କରିପାରି ନ ଥିଲେ । ସେମାନେ ବରଂ ଆହୁରି ଅଧିକ ଆଶାୟୀ ହୋଇ ଉଠିଥିଲେ ଯେ ରାମମୋହନ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବା ପରେ ପରେ ତାହାଙ୍କ ଅନେକ ଅନୁଗାମୀ ମଧ୍ୟ ହିନ୍ଦୁ ଧର୍ମ ତ୍ୟାଗ କରିବେ ଓ ଅନ୍ୟମାନଙ୍କୁ ଧର୍ମାନ୍ତରିତ କରିବା ପାଇଁ ତାହାଙ୍କ ଅବଦାନ ନିଶ୍ଚୟ ସ୍ମରଣୀୟ ହେବ ।

 

ଦୀର୍ଘଦିନ ତାଙ୍କ ସହ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇଥିବା ଏଡ଼ମଙ୍କ ସେ ଚିନ୍ତାଧାରା ମୂଳରେ ଗୋଟିଏ ବିଶ୍ୱାସ ଥିଲା ଯେ, ରାମମୋହନ ପ୍ରଥମରୁ ହିଁ ଖ୍ରୀଷ୍ଟଧର୍ମରେ ଏକତ୍ୱବାଦ ପ୍ରଚାର କରୁଥିଲେ ଓ ତାଙ୍କର ସମସ୍ତ ରଚନାତ୍ମକ କାର୍ଯ୍ୟର ମୂଳ ଉତ୍ସ ଥିଲା ଖ୍ରୀଷ୍ଟଧର୍ମ ପ୍ରଚାର । ପୁଣି ରାମମୋହନ ଯୀଶୁଙ୍କୁ ଖୁବ୍ ଭକ୍ତି କରୁଥିଲେ ଓ ତାହାଙ୍କ ଅତ୍ୟଧିକ ପ୍ରଚାର ହେବା ଜନହିତକର ବୋଲି ଆଶା ପୋଷଣ କରୁଥିଲେ କାରଣ ଜଣେ ଶ୍ରେଷ୍ଠ ମାନବବାଦୀ ହିସାବରେ ଯୀଶୁଙ୍କୁ ଗ୍ରହଣ କରିଥିଲେ ସେ । ବାଇବେଲର ପ୍ରଚାର ପାଇଁ ମଧ୍ୟ ଗୋଟିଏ ଗୋଷ୍ଠୀ ଗଠନ କରି ବଙ୍ଗଳା ଭାଷାରେ ଅନୁବାଦ କରିବା ପାଇଁ ନିଜେ ତତ୍ପର ହୋଇଉଠିଥିଲେ ।

 

ଅନେକ ସମୟରେ ରାମମୋହନ କେବଳ ମି: ଏଡ଼ମଙ୍କ ସହିତ ନୁହନ୍ତି, ଅନ୍ୟମାନଙ୍କ ସହିତ ମଧ୍ୟ ହିନ୍ଦୁ, ଖ୍ରୀଷ୍ଟିୟାନ ମୁସଲମାନ ଧର୍ମ ତଥା ବୌଦ୍ଧଧର୍ମ ବିଷୟରେ ଆଲୋଚନା କରୁଥିଲେ ଓ ଧର୍ମ ନାମରେ ବିଶ୍ଵଭାତୃତ୍ଵ ସୃଷ୍ଟି କରିବା ଦିଗରେ କିମ୍ବା ମାନବିକତାର ପ୍ରବର୍ତ୍ତନ ଦିଗରେ କୌଣସି ପ୍ରକାରର ପ୍ରତିବନ୍ଧକ ମତ ପୋଷଣ କରୁଥିଲେ ଓ ବାରମ୍ବାର କହୁଥିଲେ ମଧ୍ୟ । ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଆଲୋଚନା ମିଷ୍ଟର ଏଡ଼ମଙ୍କୁ ସେ ପ୍ରକାର ଧାରଣାରେ ଆସ୍ଥା ସ୍ଥାପନ କରିବା ପାଇଁ ସୁଯୋଗ ଦେଇଥିଲା ।

 

କିନ୍ତୁ ରାମମୋହନଙ୍କ ବିଚାର ଥିଲା ସ୍ପଷ୍ଟ । ସେ ହିନ୍ଦୁ ଧର୍ମ ତ୍ୟାଗ କରିବା ପାଇଁ କୌଣସି ସମୟରେ ଚିନ୍ତା ହିଁ କରି ନଥିଲା । ଯେତେବେଳେ ସମସ୍ତେ ଜାଣିଥିଲେ ଯେ, ସେ କେବଳ ଏକତ୍ୱବାଦ ବା Unitarianismର ପ୍ରଚାର କରୁଥିଲେ ଏବଂ କେବଳ ହିନ୍ଦୁ ଧର୍ମ ହିଁ ସେ ପ୍ରଚାରର ମୂଳ ଉତ୍ସ, ସେଥିରେ ସମସ୍ତେ ନିରାଶ ହୋଇ ଉଠିଥିଲେ ଖ୍ରୀଷ୍ଟିୟାନ ସଂପ୍ରଦାୟରୁ । ରାମମୋହନଙ୍କ ସାବଲୀଳ ଭାଷା, ସୁନ୍ଦର ଭାବ ଓ ପ୍ରଚାର ଭଙ୍ଗୀ ଏତେ ସୂକ୍ଷ୍ମ ଥିଲା ଯେ ସେ ହିନ୍ଦୁ ଧର୍ମଗନ୍ଥ ତଥା ଅନ୍ୟାନ ଧର୍ମଗ୍ରନ୍ଥଗୁଡ଼ିକର ଆଲୋଚନା କରୁଥିଲେ, କି ଖ୍ରୀଷ୍ଟଧର୍ମ ପ୍ରଚାର କରୁଥିଲେ, ଖ୍ରୀଷ୍ଟିୟାନ ଧର୍ମର ବଡ଼ପଣ୍ଡାମାନେ ସହଜରେ ବୁଝିବା ସମ୍ଭବପର ହୋଇପାରି ନଥିଲା ଅନେକ ଦିନ ପର୍ଯ୍ୟନ୍ତ । କିନ୍ତୁ ତାଙ୍କର ମତାମତ ଯେତେବେଳେ ସ୍ପଷ୍ଟ ଜଣା ପଡ଼ିଥିଲ ମିଷ୍ଟର ଏଡ଼ମ୍ ମଧ୍ୟ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଥିଲେ । ଅନେକ ଦିନରୁ ମନ ଭିତରେ ପୋଷଣ କରିଥିବା ଏକ ଦୃଢ଼ ଧାରଣା ହଠାତ୍ ଧୂଳିସାତ୍ ହୋଇ ଯାଇଥିଲା ।

 

ରାମମୋହନଙ୍କ ପ୍ରକୃତ ଧର୍ମ-ସ୍ୱରୂପ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଉଦଘାଟିତ ହେବା ପରେ ପରେ ଠିକ୍ ହିନ୍ଦୁମାନଙ୍କ ଭଳି ସେମାନଙ୍କ ଧର୍ମଶାସ୍ତ୍ରର ସାମାନ୍ୟତମ ସମାଲୋଚନା ସହ୍ୟ କରିବା ପାଇଁ ଖ୍ରୀଷ୍ଟିୟାନମାନେ ଆଦୌ ପ୍ରସ୍ତୁତ ନଥିଲେ ।

 

ତଥାପି ମିଷ୍ଟର ଏଡ଼ମ୍ ଓ ରାମମୋହନଙ୍କ ମଧ୍ୟରେ ବ୍ୟକ୍ତିଗତ ବନ୍ଧୁତା ପୂର୍ବପରି ଅଟଳ ରହିଥିଲା ।

 

ଖ୍ରୀଷ୍ଟିୟ ମିସନାରିମାନଙ୍କ ସହିତ ସେମାନଙ୍କ ଧର୍ମରେ ପ୍ରଚଳିତ ଥିବା କୁସଂସ୍କାର ନେଇ ଯୁକ୍ତିତର୍କରେ ବୁଡ଼ି ରହିଥିବା ବେଳେ ହିନ୍ଦୁ ରକ୍ଷଣଶୀଳ ଗୋଷ୍ଠୀର ଜଣେ ପୃଷ୍ଟ ପୋଷକ ତାହାଙ୍କ ବ୍ୟକ୍ତିଗତ କୁତ୍ସା ରଚନା ଲାଗି ପଶ୍ଚାତପଦ ହୋଇ ନ ଥିଲେ । ତାହାଙ୍କ ତରଫରୁ ଏକ ପୁସ୍ତିକା ପ୍ରକାଶ ପାଇଥିଲା “ଚାରି ପ୍ରଶ୍ନ” । ତାର ଯଥାର୍ଥ ଉତ୍ତର ଦେଇଥିଲେ ରାମମୋହନ ନିଜ ତରଫରୁ ପ୍ରକାଶିତ ଆଉ ଏକ ପୁସ୍ତିକା “ପଥ୍ୟ ପ୍ରଦାନ”ରେ । ତାହା ୧୮୨୩ ମସିହାରେ ପ୍ରକାଶ ପାଇଥିଲା-

 

ଏକ ଇଶ୍ଵରରେ ବିଶ୍ୱାସ କରି ଅନ୍ୟମାନଙ୍କୁ ତାଙ୍କରି ପଥାନୁସରଣ କରିବା ପାଇଁ ସତ୍ୟନିଷ୍ଠ ରାମମୋହନଙ୍କ ଉଦ୍ୟମ ଅବିରତ ଥିଲା । ସେ ନିଷ୍ଠାପର ଭାବରେ ବିଶ୍ୱାସ କରୁଥିଲେ ଦେଶର ଶିକ୍ଷିତ ବ୍ୟକ୍ତି ଓ ନେତୃସ୍ଥାନୀୟ ବ୍ୟକ୍ତିମାନକ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆବଶ୍ୟକ; କାରଣ ପ୍ରଗତି ସେଇମାନଙ୍କ ଉପରେ ହିଁ ନିର୍ଭର କରେ ।

Image

 

ଛଅ

Unknown

ଶିକ୍ଷା ଦିଗରେ ଦିଗ୍‍ଦର୍ଶନ

 

ଭାରତରେ ଇଷ୍ଟ ଇଣ୍ଡିଆ କଂପାନୀ ସରକାରଙ୍କ ଉଦ୍ଦେଶ୍ୟ ଥିଲା କେବଳ ନିଜର ସ୍ଵାର୍ଥ ସଂରକ୍ଷଣ କରିବା । ସେଇ ଦୃଷ୍ଟିରୁ ସେମାନେ ଚାହୁଁଥିଲେ ଦେଶରେ ପ୍ରଚଳିତ ହିନ୍ଦୁ କିମ୍ବା ମୁସଲମାନମାନଙ୍କ ପରମ୍ପରାରେ କୌଣସି ପ୍ରକାର ବାଧା ସୃଷ୍ଟି ନ କରିବା ଲାଗି । କାରଣ ତାର ପରିଣାମ ହୁଏତ ହୋଇପାରେ, ପରିଣାମତଃ ଜନସାଧାରଣଙ୍କ ମନଭିତରେ ହୁଏତ ଖରାପ ଧାରଣା ହୋଇପାରେ ଯେ ସରକାର ତାଙ୍କର ମଙ୍ଗଳାକାଂକ୍ଷୀ ନୁହଁନ୍ତି ଏବଂ ଜନଗଣ ହୁଏତ କଂପାନୀ ସରକାରଙ୍କ ବିରୁଦ୍ଧରେ ମତପୋଷଣ କରିବା ଅସମ୍ଭବ ନୁହେଁ । ତା ସଙ୍ଗେ ସଙ୍ଗେ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଦେଶରେ ଶିକ୍ଷାର ପ୍ରସାର ନ ଘଟାଇବା ଓ ଜନଗଣଙ୍କ ସାଧାରଣ ଜ୍ଞାନର ପରିସର ବୁଦ୍ଧି ନ କରାଇବା । ଏ ସବୁରି ମୂଳରେ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ସେମାନେ କିପରି ନିଜର ଆସନ ଏ ଦେଶରେ ପ୍ରଚଳିତ ଥିବା ଶିକ୍ଷା ପଦ୍ଧତି, ଯାହାର କୌଣସି ଏକ ନିର୍ଦ୍ଦିଷ୍ଟ ଧାରା ନଥିଲା, ତାହାକୁ ସରକାର ପୂର୍ଣ୍ଣ ସୁରକ୍ଷା କରିଥିଲେ ।

 

ତା ସତ୍ତ୍ୱେ ଆରବୀ ଓ ପାରସୀ ଭାଷାର ପ୍ରସାର ପାଇଁ ୱାରେନ୍ ହେଷ୍ଟିଙ୍ଗସ୍ ୧୭୮୧ ମସିହାରେ କାଲକାଟା ମାଦ୍ରାସା (Calcutta Madrasah) ଆରମ୍ଭ କରିଥିଲେ । ଭାରତୀୟମାନଙ୍କ ଆଉଜଣେ ମଙ୍ଗଳକାମୀ ମି.ଜୋନାଥନ୍ ଡନକାନ୍ ବନାରସଠାରେ ବନାରସ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ୧୭୯୨ ମସିହାରେ । ବନାରସ ନଗରୀରେ ସେତେବେଳେ ଶିଶୁ କନ୍ୟାଟିଏ ଜନ୍ମ ହେବା ମାତ୍ରେ ସେଇ ଏନ୍ତୁଡ଼ି ଶାଳରେ ତାକୁ ହତ୍ୟା କରିଦେଉଥିଲେ ତାର ପିତାମାତା ଅନେକ କ୍ଷେତ୍ରରେ । ସେଭଳି ଏକ ଅମାନୁଷିକ ପ୍ରଥାର ପ୍ରବଳ ବିରୋଧ କରି ପ୍ରାୟ ବନ୍ଦ କରି ଦେଇଥିଲେ । ଡନକାନ୍‍ ମନେ କରିଥିଲେ ଯେ ଭାରତରେ ସ୍କୁଲ କଲେଜର ଅଭାବ, ପାଠ୍ୟପୁସ୍ତକର ସ୍ଵଳ୍ପତା ହିଁ ଦେଶୀୟ ଲୋକଙ୍କ ଶିକ୍ଷା ପ୍ରସାରରେ ପ୍ରତିବନ୍ଧକ ଏବଂ ଏଭଳି କୁପ୍ରଥା ସବୁ ସମାଜରେ ପ୍ରଚଳିତ । ହିନ୍ଦୁ ଓ ମୁସଲମାନମାନଙ୍କ ସାମାଜିକ କ୍ଷତିହୀନ ପ୍ରଥାଗୁଡ଼ିକୁ ସେ ସମର୍ଥନ କରୁଥିଲେ । ଭାରତର ଜଣେ ବନ୍ଧୁ ଚାହିଁଥିଲେ ଶିକ୍ଷାପ୍ରସାର ଦେଶୀୟ ଲୋକଙ୍କ ଅଜ୍ଞାନ ଦୂର କରିବା ପାଇଁ ସହାୟକ ହେବ-। ସେଇଥିପାଇଁ ନିଜ ଉଦ୍ୟମରେ ସ୍ଥାପନ କରିଥିଲେ ବନାରସ ସଂସ୍କୃତ କଲେଜ । ୧୮୦୦ ମସିହାରେ କଲିକତାରେ ଫୋର୍ଟ ଉଇଲିୟମ୍ କଲେଜ ସ୍ଥାପିତ ହୋଇଥିଲା । ସେଠାରେ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାରଙ୍କ ଭଳି ପଣ୍ଡିତ ସଂସ୍କୃତ ଅଧ୍ୟାପନା କରୁଥିଲେ ଓ ଅନ୍ୟାନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଥିଲେ ହରପ୍ରସାଦ ରାୟ, ରାମରାମ ବସୁ, ଉଇଲିୟମ୍ କେରେଙ୍କ ଭଳି ଶିକ୍ଷକମାନେ ।

 

ଲର୍ଡ଼ ମିଣ୍ଟୋ ୧୮୧୧ ମସିହାରେ ଗଭର୍ଣ୍ଣର ଜେନେରାଲ ହିସାବରେ ଭାରତରେ କିପରି ପ୍ରକୃତରେ ଶିକ୍ଷାର ପ୍ରସାର ହୋଇପାରିବ, ଏ ଦେଶର ଲୋକଙ୍କ ଅଜ୍ଞାନ ଅନ୍ଧକାର କିପରି ଦୂର ହୋଇପାରିବ, ଲୋକେ କିପରି ଶିକ୍ଷିତ ହୋଇ ପାରିବେ, ସେଥିପାଇଁ ଚେଷ୍ଟା କରିଥିଲେ ସମସ୍ତ ଆନ୍ତରିକତାର ସହିତ ।

 

ସେତେବେଳେ ପାଠ୍ୟପୁସ୍ତକର ସଂଖ୍ୟା ଅତି ମାତ୍ରାରେ କମ୍ ଥିଲା । ଯାହା ବା ଥିଲା, ସେଥିରେ ସଂସ୍କୃତ ଓ ପାର୍ଶୀ ଭାଷାର ବ୍ୟବହାର ବହୁଳ ଭାବରେ ଦେଖା ଯାଉଥିଲା । କ୍ରମେ କ୍ରମେ ସାଧାରଣ ଜନତା ସେମାନଙ୍କ ସନ୍ତାନ ସନ୍ତତିମାନଙ୍କୁ ବିଦେଶୀ ଢାଞ୍ଚାରେ ଶିକ୍ଷା ଦେବାପାଇଁ ପସନ୍ଦ କରିଥିଲେ । ତେଣୁ କ୍ରମେ କ୍ରମେ କଲିକତାର ବିଭିନ୍ନ ଅଞ୍ଚଳରେ ଇଂରେଜମାନଙ୍କ ନେତୃତ୍ୱରେ ହିଁ ବୈଦେଶିକ ଢାଞ୍ଚାରେ କେତେକେତେ ସ୍କୁଲ ଆରମ୍ଭ ହୋଇଥିଲା । ଦେଖାଶୁଣା ନୀତିରେ ଜନସାଧାରଣ ସେମାନଙ୍କ ପିଲାମାନଙ୍କୁ ଉକ୍ତ ସ୍କୁଲଗୁଡ଼ିକରେ ଶିକ୍ଷାଦେବା ପାଇଁ ଖୁବ୍ ଆଗ୍ରହୀ ହୋଇ ଉଠିଥିଲେ । ସେଗୁଡ଼ିକ ମଧ୍ୟରୁ ଅନେକେ ସମୟ କ୍ରମେ ପ୍ରାଇମେରୀ ସ୍ତରରୁ ଏପରି କି ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀ ଖୋଲିବା ଆରମ୍ଭ କରିଥିଲେ । ଇଂରେଜମାନେ ସେଭଳି କାର୍ଯ୍ୟରେ ଅଧିକ ଉତ୍ସାହ ପ୍ରକାଶ କରିବାର ଏକମାତ୍ର କାରଣ ଥିଲା ସେ ଶିକ୍ଷାନୁଷ୍ଠାନ ପ୍ରତି ଜନଗଣଙ୍କ ଆଗ୍ରହ ।

 

ଇଂରେଜ ସ୍କୁଲଗୁଡ଼ିକ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଯଥେଷ୍ଟ ସମର୍ଥ ଥିଲେ ମଧ୍ୟ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସ୍କୁଲଗୁଡ଼ିକରେ ଶିକ୍ଷାର ମାନ ଶୃଙ୍ଖଳିତ ନଥିଲା । ତାର କାରଣ ଥିଲା କୌଣସି ନିର୍ଦ୍ଦିଷ୍ଟ ଧାରା ସେମାନେ ଅନୁଶୀଳନ କରୁ ନ ଥିଲେ । ସେ ଦୃଷ୍ଟିରୁ ସେତେବେଳର ପ୍ରାଥମିକ ଶିକ୍ଷାର ସ୍ତର ଅତି ନିମ୍ନ ଧରଣର ହେବା ସ୍ୱାଭାବିକ ଥିଲା । ସେତେବେଳେ ଉକ୍ତ ସ୍କୁଲଗୁଡ଼ିକରେ କେବଳ କେତୋଟି ଇଂରେଜି ଶବ୍ଦ ଶିକ୍ଷା ଦେବାଲାଗି ଗୁରୁତ୍ୱ ଦିଆଯାଉଥିଲା, ବରଂ ସେଇ କାର୍ଯ୍ୟସୂଚୀ ହିଁ ସେମାନେ କେବଳ ପ୍ରସ୍ତୁତ କରୁଥିଲେ କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ । ଏପରି କି କୌଣସି ବାକ୍ୟ ସମ୍ପୂର୍ଣ୍ଣ କରି ଶିକ୍ଷା କରିବା ଯେମିତି ସେମାନେ ଅନାବଶ୍ୟକ ମନେକରୁଥିଲେ ଏବଂ ମନେକରୁଥିଲେ ବାକ୍ୟ ଗଠନ କଲାବେଳେ ବ୍ୟାକରଣର କୌଣସି ଆବଶ୍ୟକତା ସେତେଟା ଜରୁରୀ ନଥିଲା ।

 

ପ୍ରାଥମିକ ଶିକ୍ଷା ଶେଷ ପରେ ଯଥାରୀତି ଛାତ୍ରମାନଙ୍କୁ ପ୍ରମାଣପତ୍ର ଦିଆଯାଉଥିଲା । ପ୍ରମାଣପତ୍ରରେ ଲେଖାଯାଉଥିଲା, ଛାତ୍ରଛାତ୍ରୀ ତାର ଅଧ୍ୟୟନର ସମୟସୀମା ମଧ୍ୟରେ କେତୋଟି ଇଂରାଜୀ ଶବ୍ଦ ମନେରଖି ପାରିଛି । ଯେଉଁ ଛାତ୍ର ଯେତେ ଅଧିକ ଇଂରାଜୀ ଶବ୍ଦ ମନେରଖି ପାରୁଥିଲା, ତାର କୃତିତ୍ୱ ସେତିକି ଅଧିକ ଓ ସେ ସେତିକି ପରିମାଣରେ ଜ୍ଞାନୀ ବୋଲି ପରିଗଣିତ ହେଉଥିଲା । ଅଭିଧାନରୁ କେବଳ ଇଂରାଜୀ ଶବ୍ଦ ମୁଖସ୍ଥ କରିବା ଥିଲା ସେତେବେଳର ଛାତ୍ରଛାତ୍ରୀମାନଙ୍କର ଏକମାତ୍ର ପ୍ରଧାନ କୃତିତ୍ୱ ।

 

ସେ ପ୍ରକାର ପରିସ୍ଥିତି ଭିତରେ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ଼ ମିଣ୍ଟୋ ଅନୁଭବ କରିଥିଲେ ଯେ, ଯଦି ସରକାରୀ ହସ୍ତକ୍ଷେପ କରାନଯାଏ, ତେବେ ନିଶ୍ଚିତଭାବେ ଭାରତବାସୀଙ୍କ ଶିକ୍ଷାର ମାନ ଉନ୍ନତ ହେବନାହିଁ କି ଲୋକଙ୍କର ସାଧାରଣ ଜ୍ଞାନର ପ୍ରସାର ଘଟିବ ନାହିଁ । ପୁସ୍ତକ ପତ୍ରର ପ୍ରସାର ନ ହେବା ତ ସ୍ୱାଭାବିକ କଥା ।

 

କେବଳ ଅଧସ୍ତନ କର୍ମଚାରୀ ନିଯୁକ୍ତି କରିବା ଓ ସେମାନଙ୍କ ସାହାଯ୍ୟରେ ଭାରତ ଶାସନ କରିବା ଉଦ୍ଦେଶ୍ୟରେ ହେଲେ ମଧ୍ୟ ଭାରତରେ ଶିକ୍ଷାର ପ୍ରସାର ଲାଗି ସରକାରଙ୍କ ତରଫରୁ ଯେଉଁ ଅର୍ଥ ବରାଦ କରାଯାଉଥିଲା, ତାହା ଦେଶର ଶିକ୍ଷାର ଉନ୍ନତି ପାଇଁ ଯଥେଷ୍ଟ ନ ଥିଲା । ବଙ୍ଗଳା, ମାନ୍ଦ୍ରାଜ ଓ ବମ୍ବେ ପ୍ରେସିଡ଼େନ୍‍ସି ପାଇଁ ବାର୍ଷିକ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଉଥିଲା ୧୮୧୩ ମସିହାରୁ ୧୮୩୦ ମସିହା ପର୍ଯ୍ୟନ୍ତ । ଯଦିଓ ସେତିକି ଅର୍ଥ ବରାଦ ଶିକ୍ଷାର ପ୍ରସାର ପାଇଁ ସମୁଦ୍ରକୁ ଶଙ୍ଖେ ପଣାପରି ଥିଲା, ତଥାପି ତାହା ଉପଯୁକ୍ତଭାବେ ବିନିଯୋଗ କରାଯିବା ପାଇଁ ଯୋଜନା କରାଯାଇ ପାରୁ ନ ଥିଲା । କିପରି ଭାବରେ ଅନ୍ତତଃ ବରାଦୀ ଅର୍ଥର ଉପଯୁକ୍ତ ଖର୍ଚ୍ଚ ପାଇଁ ଯୋଜନା କରାଯିବ, ସେଥିପାଇଁ ୧୮୨୩ ମସିହାରେ କଲିକତା ସାଧାରଣ ଶିକ୍ଷା କମିଟି ଗଠନ କରାଯିବା ସଙ୍ଗେ ସଙ୍ଗେ ବମ୍ବେଠାରେ ଶିକ୍ଷା କମିଟି ଓ ୧୮୨୬ ମସିହାରେ ମାନ୍ଦ୍ରାଜରେ ସେଇଭଳି ଶିକ୍ଷା କମିଟିମାନ ଗଠନ କରାଯାଇଥିଲା । କିନ୍ତୁ ପରିଣାମ ସେମିତି କିଛି ବିଶେଷ ଆଶାପ୍ରଦ ନ ଥିଲା ।

 

ରାମମୋହନ ୧୮୧୪ ମସିହାରେ କଲିକତାରେ ସ୍ଥାୟୀ ଭାବେ ରହିବା ପରେ ପରେ ୧୮୧୫ ମସିହାରେ ସେ ଯେଉଁ ଆତ୍ମୀୟ ସଭା ସଙ୍ଗଠନ କରିଥିଲେ, ସେଥିରେ ବିଶ୍ୱ ସୃଷ୍ଟି ବିଜ୍ଞାନ-ସ୍ରଷ୍ଟା ଓ ତାଙ୍କର ସୃଷ୍ଟି ସଂପର୍କରେ ଆଲୋଚନା ହେବାବାଦ୍ ଅନେକ ସମୟରେ ଦେଶର ବିଭିନ୍ନ ସମସ୍ୟା ଆଲୋଚିତ ହେଉଥିଲା । ତା ଭିତରେ ମଧ୍ୟ ଥିଲା ଦେଶର ତତକାଳୀନ ଶିକ୍ଷା ସମସ୍ୟା । ସେ ବିଷୟର ଆଲୋଚନା ପ୍ରସଙ୍ଗରେ ଆତ୍ମୀୟ ସଭାର ଜଣେ ସଦସ୍ୟ ଡେଭିଡ୍ ହାରେଙ୍କ ସହ ରାମମୋହନ ନିକଟତର ହୋଇ ପାରିଥିଲେ । ଜୀବନଯାପନ କରିବାପାଇଁ କୌଣସି ବ୍ୟବସାୟ କରିବାକୁ ସେ ଭାରତ ଆସିଥିଲେ ଓ ଘଣ୍ଟା ମରାମତି କରିବାପାଇଁ ସ୍ଥିର କରିଥିଲେ । ଜୀବିକା ନିର୍ବାହ ପାଇଁ ଘଣ୍ଟା ମରାମତି କରୁଥିଲେ ମଧ୍ୟ ଭାରତୀୟ ଜନଗଣଙ୍କ ଚରିତ୍ର ତଥା ଭାରତର ସାମାଜିକ ଅବସ୍ଥା ଅଧ୍ୟୟନ କରିବାରେ ସେ ଅନେକଟା ସମର୍ଥ ହୋଇ ପାରିଥିଲେ ।

 

ରାମମୋହନ ଓ ଡେଭିଡ୍ ହାରେ ଉଭୟେ ସେଇ ଗୋଟିଏ ମତ ପୋଷଣ କରିଥିଲେ ଯେ ଦେଶରେ ପ୍ରଚଳିତ ଶିକ୍ଷାର ଆଭିମୁଖ୍ୟ ବଦଳାଇବା ସଙ୍ଗେ ସଙ୍ଗେ ଶିକ୍ଷା ପ୍ରସାର ଏକାନ୍ତ ଭାବେ ଆବଶ୍ୟକ । ଶିକ୍ଷା ପାଠ୍ୟକ୍ରମର ପରିବର୍ତ୍ତନ କରାଯିବା ନେଇ ଉଭୟେ ଗୁରୁତ୍ୱ ଆରୋପ କରିଥିଲେ-। ସେଇ ଉଦ୍ଦେଶ୍ୟରେ ସେମାନେ ସ୍ଥିର କରିଥିଲେ ଯେ, ଦେଶର ପ୍ରଚଳିତ ପଦ୍ଧତିରେ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ବୈଦେଶିକ ଢାଞ୍ଚାରେ ମଧ୍ୟ ଏକତ୍ର ଶିକ୍ଷା ଦେବାପାଇଁ ଏକ ମହାବିଦ୍ୟାଳୟ ସ୍ଥାପନ କରାଯିବା ଉଚିତ । କାରଣ ସେମାନେ ଯଥାର୍ଥରେ ଅନୁଭବ କରିଥିଲେ ଯେ ରାତାରାତି ସଂପୂର୍ଣ୍ଣ ଏକ ନୂତନ ପଦ୍ଧତିକୁ ଅନୁସରଣ କରିବା ସମ୍ଭବ ହେବ ନାହିଁ । ପୁଣି ଲୋକଙ୍କ ମନ ଭିତରେ ଏଭଳି ଏକ ଅନୁଷ୍ଠାନ ପ୍ରତି ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ହେଲେ ଉଭୟ ପ୍ରକାରର ଶିକ୍ଷାକୁ ସମ୍ମାନ ଦିଆଯିବା ଉଚିତ । ସୌଭାଗ୍ୟବଶତଃ ସେତେବେଳେ ବିଦେଶୀ ଢାଞ୍ଚାର ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଥିଲା ଓ ଦେଶର ଶିକ୍ଷିତ ବ୍ୟକ୍ତିମାନେ ସେମାନଙ୍କ ପିଲାମାନଙ୍କୁ ଇଂରେଜୀ ଢାଞ୍ଚାରେ ଶିକ୍ଷିତ କରାଇବା ପାଇଁ ଇଚ୍ଛୁକ ଥିଲେ ।

 

ସେ ଉଦ୍ଦେଶ୍ୟକୁ ଫଳବତୀ କରାଇବା ପାଇଁ ରାମମୋହନ ଓ ଡେଭିଡ୍ ହାରେ ସୁପ୍ରିମକୋର୍ଟର ତତକାଳୀନ : ମୁଖ୍ୟ ବିଚାରପତି ଏଡଓ୍ୱାର୍ଡ଼ ହାଇଡ଼ ଇଷ୍ଟ (Sir Edward Hyde East)ଙ୍କ ସହିତ ବିଚାର ଆଲୋଚନା କରିଥିଲେ । ବିଚାରପତି ମହୋଦୟ ଉଭୟଙ୍କ ବିଚାର ଧାରାକୁ ପସନ୍ଦ କରିଥିଲେ । ସେଇ କାରଣରୁ କଲେଜ ପ୍ରତିଷ୍ଠା କରିବା ପ୍ରସ୍ତାବର ବିଚାର ଆଲୋଚନା ପାଇଁ ପ୍ରଥମ ବୈଠକ ସାର୍ ହାଇଡଙ୍କ ବାସଗୃହରେ ୧୮୧୬ ମସିହା ମଇ ମାସ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଘରୋଇ ବୈଠକରେ ଆବାହକ ଥିଲେ ରାଜା ରାମମୋହନ ଓ ଡେଭିଡ଼୍ ହାରେ । ଆତ୍ମୀୟ ସଭାର ସଦସ୍ୟମାନଙ୍କ ସମେତ ରେଭରେଣ୍ଡ ଉଇଲିଏମ୍ ଏଡ଼ମ୍ ଓ ଦ୍ଵାରିକାନାଥ ଠାକୁରଙ୍କ ଦୃଢ଼ ସମର୍ଥନ ରହିଥିଲା ସେମାନଙ୍କ ପଛରେ । ଏତଦବ୍ୟତୀତ ଆତ୍ମୀୟ ସଭାର ଅଧିକାଂଶ ସଦସ୍ୟ ସେ ବୈଠକରେ ଯୋଗ ଦେଇଥିଲେ । ଅତି କମରେ ପ୍ରାୟ ପଚାଶ ଜଣ କଲିକତାର ଗଣ୍ୟମାନ୍ୟ ବ୍ୟକ୍ତି ତଥା ପଣ୍ଡିତ ସେଥିରେ ଯୋଗ ଦେଇଥିଲେ ।

 

ପ୍ରସ୍ତାବିତ କଲେଜ ପରିଚାଳନା କରିବାପାଇଁ ଏକ କମିଟି ଗଠନ କରାଯାଇଥିଲା । କଲେଜ ସ୍ଥାପନର ପ୍ରଥମ ପ୍ରସ୍ତାବକ ଓ ସେଇଥିପାଇଁ ଆହୂତ ପ୍ରଥମ ବୈଠକର ଆବାହକ ରାମମୋହନ କିନ୍ତୁ ଉକ୍ତ ପରିଚାଳନା କମିଟିରେ ଜଣେ ସଦସ୍ୟ ହିସାବରେ ମଧ୍ୟ ରହି ନ ଥିଲେ । ତାର କାରଣ ଥିଲା ସେ ନିଜେ ଅନୁଭବ କରିଥିଲେ ଯେ ସେ କମିଟିରେ ରହିବା ଫଳରେ ହୁଏତ କିଛିଟା ଅସୁବିଧା ଉପୁଜିପାରେ । ସେ ଆନ୍ତରିକଭାବେ ଚାହୁଁଥିଲେ କାର୍ଯ୍ୟ । ଦେଶରୁ କିପରି ଅଜ୍ଞାନାନ୍ଧକାର ଦୂର ହେବ, ତାହାହିଁ ଥିଲା ତାଙ୍କର ଚିନ୍ତା । ତେଣୁ କଲେଜ ପରିଚାଳନା କମିଟିରେ ରହିବା ନ ରହିବା ପ୍ରଶ୍ନ ତାହାଙ୍କ ଲାଗି ଥିଲା ଗୌଣ । ସେଭଳି ମହାନୁଭବତାର କାରଣ ଥିଲା, କଲେଜ ଗଠନ ନିମନ୍ତେ ପ୍ରଥମ ବୈଠକରେ ହିଁ ପଣ୍ଡିତ ରାଧାକାନ୍ତ ଦେବ ଓ କଲିକତାର ରକ୍ଷଣଶୀଳ କେତେଜଣ ପଣ୍ଡିତ ରାମମୋହନଙ୍କ ପ୍ରତି ଈର୍ଷା ପ୍ରବଣତାର ଚିହ୍ନ ପରିସ୍ଫୁଟନ କରିଥିଲେ ।

 

ରାମମୋହନ ଇଚ୍ଛା କରିଥିଲେ ସେ ସବୁକୁ ଖାତିର୍ କରି ନ ଥାନ୍ତେ । ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ବରଂ ତାଙ୍କ ନିଜ ପ୍ରତି ହୋଇଥିବା ଆକ୍ଷେପକୁ ଯଥେଷ୍ଟ ଗୁରୁତ୍ୱ ଦେଇ ନିଜକୁ ନିଜେ କଲେଜ ପରିଚାଳନା କମିଟିରୁ ଦୂରେଇ ନେଇ ଯିବାପାଇଁ ଇଚ୍ଛୁକ ଥିଲେ ।

 

ସାର୍ ଏଡ଼୍ଓ୍ଵାର୍ଡ଼ ହାଇଡ଼ ତାଙ୍କ ଗୃହରେ ହୋଇଥିବା ବୈଠକ ସଂପର୍କରେ ଖଣ୍ଡିଏ ଚିଠି ଇଂଲଣ୍ଡର ଜଣେ ବିଚାରପତି ବନ୍ଧୁ ମି. ଜେ.ହାରିଙ୍ଗଟନ୍ (Mr. J.Harrington)ଙ୍କ ନିକଟକୁ ଲେଖିଥିଲେ–

 

“About the beginning of May, A Brahmin of Calcutta (Rammohon Ray) whom I knew and who is well known for his intelligence and active interference amongst the political natives, inhabitants and also intimate with many of our own gentlemen of distinction called upon me and informed me that many of the leading Hindus were desirious of forming an establishment for the education of their children in a liberal manner as practiced by Europeans of condition; and desired that I would lend them my aid towards it by having a meeting held under my sanction...”

 

ସାର୍ ହାଇଡ଼୍ ତାଙ୍କ ବନ୍ଧୁଙ୍କ ନିକଟକୁ ପତ୍ରରେ ରାମମୋହନଙ୍କ ସଂପର୍କରେ ଯାହା ଲେଖିଥିଲେ, ସେଥିରୁ ରାମମୋହନଙ୍କ ସାମାଜିକ ସ୍ଥିତି ଅନୁମାନ କରାଯାଇପାରେ । ସେ ଯଦି ବିଜ୍ଞ ଇଂରେଜ ତଥା ଶାସକ ବର୍ଗଙ୍କ ମଧ୍ୟରେ ବିଶେଷଭାବେ ଜଣାଶୁଣା ଥିଲେ, ତାହା ସମ୍ଭବ ହୋଇଥିଲା ତାଙ୍କର ବିଜ୍ଞତା ଯୋଗୁଁ । କଲିକତାର ଧନିକ ତଥା ସଂଭ୍ରାନ୍ତ ଶ୍ରେଣୀର ସମ୍ମାନନୀୟ ବ୍ୟକ୍ତିମାନଙ୍କ ଉପସ୍ଥାନ ସଂପର୍କରେ ଲେଖି ସେଇ ପତ୍ରରେ ଆଉ ଏକ ସ୍ଥାନରେ ସେ ଲେଖିଥିଲେ-

 

“...The meeting was accordingly held at my house on 14th May, 1816 at which fifty and upwards of the most respectable Hindu inhabitants of rank or wealth attended, including also the Principal Pandits; when a sum of nearly half of a lakh of rupees were promised, I found that one of them, in particular a Brahmin of good caste, and a man of wealth and influence was mostly set against Rammohan Ray.”

 

As Produced by Jamuna Nag-Raja Rammohan Ray

 

ରାଧାକାନ୍ତ ଦେବ ଅପର ପକ୍ଷରେ କଲେଜ ପରିଚାଳନା କମିଟିରେ ରାମମୋହନଙ୍କ ରହିବା ପ୍ରସ୍ତାବକୁ ବିରୋଧ କରିବାରେ ଯଥାର୍ଥ କାରଣ ଥିଲା । ଅନେକ ରକ୍ଷଣଶୀଳ ହିନ୍ଦୁ ପ୍ରକୃତରେ ତାହାହିଁ ଚାହୁଁଥିଲେ । କଲେଜ ହେବା ପ୍ରସ୍ତାବ ସେଥିପାଇଁ ବୈଠକ ହେବାର ବହୁ ପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇଥିଲା ବିଧିବଦ୍ଧଭାବେ । ଅନେକ ରକ୍ଷଣଶୀଳ ହିନ୍ଦୁ-ପୁରାତନ ପରମ୍ପରାପ୍ରିୟ ଜନସାଧାରଣ, ରାଜା ରାମମୋହନଙ୍କ ଦ୍ଵାରା ସଙ୍ଗଠିତ କୌଣସି ସଙ୍ଗଠନ ସହିତ ସଂପୃକ୍ତ ନ ହେବା ଲାଗି ସ୍ପଷ୍ଟ ସୂଚନା ଦେଇଥିଲେ । ରାମମୋହନ ଜଣେ ହିନ୍ଦୁ ଧର୍ମବିରୋଧୀ ବୋଲି ସେମାନେ ସ୍ଥିର କରି ନେଇଥିଲେ । ତେଣୁ ତଥାକଥିତ ଜଣେ ବିଧର୍ମୀ ଲୋକ ସହିତ କୌଣସି ପ୍ରକାର କାର୍ଯ୍ୟରେ ସହଯୋଗ ନ କରିବା ପାଇଁ ଅନ୍ଧ ଭାବରେ ସେମାନେ ଠିକ୍ କରିଥିଲେ-। ଯଦିଓ କଲେଜ କରିବା ପ୍ରସ୍ତାବ ଏକ ଗଠନମୂଳକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ଥିଲା ଓ ଅଧ୍ୟାପନା ସହିତ ପରିଚାଳନା କମିଟିରେ ରାମମୋହନଙ୍କ ନାମ ଯୋଡ଼ି ହୋଇ ରହିବା ଯୋଗୁ ସତକୁ ସତ ଅନେକ ହିନ୍ଦୁ ପିତାମାତା ସେମାନଙ୍କ ସନ୍ତାନମାନଙ୍କୁ କଲେଜକୁ ପଠାଇବା ପାଇଁ ଇଚ୍ଛା କରି ନଥାନ୍ତେ । ତେଣୁ ରାମମୋହନଙ୍କୁ କଲେଜ ପରିଚାଳନା କମିଟିରେ ନ ରଖିବା ଲାଗି ରାଧାକାନ୍ତ ଦେବଙ୍କ ଦୃଢ଼ ପ୍ରତିବାଦ ଯଥାର୍ଥ ଥିଲା, ଯଦିଓ କଲେଜ ପ୍ରତିଷ୍ଠା ପାଇଁ ସେ ଦୃଢ଼ ସମର୍ଥନ କରିଥିଲେ ।

 

ରାମମୋହନ ମଧ୍ୟ ତାହାର ଗୁରୁତ୍ୱ ଯଥାର୍ଥ ଭାବେ ଅନୁଭବ କରିଥିଲେ । ନିଜକୁ ପ୍ରସ୍ତାବିତ ଅନୁଷ୍ଠାନର ପରିଚାଳନା କମିଟି ଠାରୁ ଦୂରେଇ ରଖିଥିଲେ । ତା ସତ୍ତ୍ଵେ ସେ ଚାହିଁଥିଲେ ଅନୁଷ୍ଠାନର କିପରି ଶ୍ରୀବୃଦ୍ଧି ସାଧିତ ହେବ, କିପରି ଅଧିକରୁ ଅଧିକ ଛାତ୍ର ଉକ୍ତ କଲେଜରେ ଶିକ୍ଷାଲାଭ କରିବା ପାଇଁ ଆଗ୍ରହୀ ହେବେ । କଲେଜ ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ଡେଭିଡ୍ ହାରେଙ୍କର ସେ ଥିଲେ ମୁଖ୍ୟ ଉପଦେଷ୍ଟା ।

 

୧୮୨୨ ମସିହାରେ ରାମମୋହନ ୟୁନିଟେରିଆନ୍ ସଙ୍ଘ ଆନୁକୂଲ୍ୟରେ କଲିକତାଠାରେ ଗୋଟିଏ ଆଂଗ୍ଲୋ ହିନ୍ଦୁ ସ୍କୁଲ ପ୍ରତିଷ୍ଠା କରିଥିଲେ । ସେ ନିଜେ ନିଜ ତରଫରୁ ସ୍କୁଲର ସମସ୍ତ ଅର୍ଥବ୍ୟୟ ଭାର ବହନ କରିଥିଲେ । ରେଭରେଣ୍ଡ ଉଇଲିୟମ୍ ଏଡ଼ମ୍ ଓ ଡେଭିଡ୍ ହାରେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ସ୍କୁଲ ପରିଚାଳିତ ହେଉଥିଲା । ଦେଶୀୟ ବାଳକମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଥିଲା ଉକ୍ତ ସ୍କୁଲରେ ।

 

ରାମମୋହନ ଭାରତରେ ଥିବା ପର୍ଯ୍ୟନ୍ତ ବରାବର ଠିକ୍ ଭାବରେ କାର୍ଯ୍ୟ କରୁଥିଲା ଉକ୍ତ ଅନୁଷ୍ଠାନ ।

 

ଉକ୍ତ ସ୍କୁଲରେ ଅଧ୍ୟୟନ କରି ଦେଶର ସାହିତ୍ୟ, ଶିକ୍ଷା ତଥା ବିଭିନ୍ନ କ୍ଷେତ୍ରରେ ଅନେକେ ସାମାଜିକ ପ୍ରତିଷ୍ଠା ଲାଭ କରିପାରିଥିଲେ । ସେମାନଙ୍କ ମଧ୍ୟରେ ରାମମୋହନଙ୍କ ଦ୍ଵିତୀୟ ପୁତ୍ର ରାମପ୍ରସାଦ ଓ ରବୀନ୍ଦ୍ରନାଥ ଠାକୁରଙ୍କ ପୂର୍ବ ପୁରୁଷ ଦେବେନ୍ଦ୍ରନାଥ ଠାକୁର ଥିଲେ ଅନ୍ୟତମ ।

 

ରାମମୋହନ ବଙ୍ଗଳା ସାପ୍ତାହିକ ପତ୍ରିକା ‘ସମ୍ବାଦ କୌମୁଦୀ’ ଜରିଆରେ ଅନେକଗୁଡ଼ିଏ ବୈଜ୍ଞାନିକ ପ୍ରବନ୍ଧ ତଥା ପିଲାମାନଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ଭଳି କେତେକ ଆବଶ୍ୟକୀୟ ପ୍ରବନ୍ଧ ରଚନା କରିବା ସଙ୍ଗେ ସଙ୍ଗେ ସ୍କୁଲ ଛାତ୍ରମାନଙ୍କ ଅଧ୍ୟୟନ ଉପଯୋଗୀ ହେବାଭଳି ବିଭିନ୍ନ ବିଷୟରେ ଅନେକ ପାଠ୍ୟପୁସ୍ତକ ମଧ୍ୟ ରଚନା କରିଥିଲେ । ରାଜା ରାମମୋହନଙ୍କ ପ୍ରତିଷ୍ଠିତ ଆଂଗ୍ଳୋ ହିନ୍ଦୁ ସ୍କୁଲରେ ସାଧାରଣ ବିଜ୍ଞାନ ଶିକ୍ଷା ଦିଆଯାଉଥିଲା ବଙ୍ଗଳା ଭାଷା ମାଧ୍ୟମରେ ।

 

ଓଡ଼ିଆ ଭାଷାରେ ଫକୀରମୋହନଙ୍କ ଭଳି ରାମମୋହନ ଥିଲେ ବଙ୍ଗଳା ଭାଷାରେ ଗଦ୍ୟ ସାହିତ୍ୟର ଜନକ । ପରିବେଶ ଓ ପରିସ୍ଥିତ ଭିନ୍ନ ଭିନ୍ନ ଥିଲେ ମଧ୍ୟ ଓ କେବଳ ସାହିତ୍ୟ ସୃଷ୍ଟି କରିବା ଉଦେଶ୍ୟ ନ ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକଟା ସାମଞ୍ଜସ୍ୟ ରହିଥିଲା । ସବୁଠାରୁ ବଡ଼ କଥା ହେଲା ଉଭୟେ ଆନ୍ତରିକ ଭାବେ ଇଚ୍ଛା କରିଥିଲେ ସମାଜର ସଂସ୍କାର ପାଇଁ । କିନ୍ତୁ ତଥାପି ଉଭୟଙ୍କ ଅନ୍ତରର ପ୍ରକାଶଭଙ୍ଗି ଥିଲା ଭିନ୍ନ ମାଧ୍ୟମରେ । ଫକୀରମୋହନ ଗଳ୍ପ ଓ ଉପନ୍ୟାସ ମାଧ୍ୟମରେ ସମାଜିକ କଳଙ୍କଗୁଡ଼ିକୁ ଦୂର କରିବାକୁ ଚାହିଁବାବେଳେ ରାମମୋହନ ତାଙ୍କର ଯୁକ୍ତିଗୁଡ଼ିକର ଯୁକ୍ତି ଖୋଜି ପାଇଥିଲେ ହିନ୍ଦୁଧର୍ମ ଗ୍ରନ୍ଥଗୁଡ଼ିକରୁ । ତେଣୁ ଉଭୟେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଥିଲେ ଜଣେ ଜଣେ ସଂଗ୍ରାମୀ । ସାମାଜିକ ଉନ୍ନତି ପାଇଁ ପ୍ରଚଳିତ କୁସଂସ୍କାର ଏବଂ ପ୍ରଚଳିତ ବହୁ ପ୍ରତିମା ପୂଜା ବିରୁଦ୍ଧରେ ରାମମୋହନ ସାରାଜୀବନ ସଂଗ୍ରାମ କଲାବେଳେ ଫକୀରମୋହନ ସଂଗ୍ରାମ କରିଥିଲେ ସାମାଜିକ ସଂସ୍କାର ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ । ଉଭୟେ ଉଭୟଙ୍କ ଦୃଷ୍ଟିକୋଣରୁ ପତ୍ରିକା ସମ୍ପାଦନ କରିବା ଦାୟିତ୍ଵ ମଧ୍ୟ ଗ୍ରହଣ କରିଥିଲେ ।

 

ରକ୍ଷଣଶୀଳ ସମାଜ ଗୋଷ୍ଠୀର ପ୍ରକୃତ ସ୍ୱରୂପ ପଦାରେ ପକାଇବା ପାଇଁ ପ୍ରଚଳିତ ପରମ୍ପରାଗୁଡ଼ିକ ମଧ୍ୟରୁ ସବୁଗୁଡ଼ିକ ଶାସ୍ତ୍ରସମ୍ମତ ନୁହ ବୋଲି ପ୍ରମାଣିତ କରାଇବାପାଇଁ ବହୁ ନାରୀଭୋଗ, ସତୀ ହେବା ପ୍ରଭୃତି ଅମାନୁଷିକ କାର୍ଯ୍ୟକଳାପ ସହିତ ପ୍ରତିମାପୂଜା ପ୍ରଭୃତି କାର୍ଯ୍ୟାବଳୀ ପଛରେ କୌଣସି ଧର୍ମଶାସ୍ତ୍ର ଯେ ସ୍ଵୀକୃତି ଦେଇପାରେ ନା-ତାହା ସାଧାରଣ ଜନତାଙ୍କୁ ଜଣାଇ ଦେବାପାଇଁ ରାମମୋହନ ଉପଯୁକ୍ତ ଗଣମାଧ୍ୟମ ବଙ୍ଗଳା ଭାଷାକୁ ହିଁ ଗ୍ରହଣ କରିଥିଲେ । ବଙ୍ଗଳା ଭାଷାରେ ଗଦ୍ୟ ଶୈଳୀକୁ ଆଧାର କରି ନିଜର ମତାମତ ଜନଗଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ସେଭଳି ସାମାଜିକ ବିବାଦମାନ ବିଷୟାବଳୀ ସହିତ ସଂସ୍କୃତ ଉପନିଷଦ ତଥା ଧର୍ମଗ୍ରନ୍ଥଗୁଡ଼ିକୁ ମଧ୍ୟ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ । ବିଭିନ୍ନ ସମୟରେ ହିନ୍ଦୁ ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କ ସହିତ ହେଉଥିବା ମୁକାବିଲାର ଆଲୋଚନା ଓ ଖ୍ରୀଷ୍ଟୀୟ ସଂପ୍ରଦାୟ ସହ ଯୁକ୍ତିତର୍କର ବିଷୟାବଳୀ ମଧ୍ୟ ଗଦ୍ୟାକାରରେ ପ୍ରକାଶ ପାଇଥିଲା । ଛାତ୍ରମାନଙ୍କ ଉପଯୋଗୀ ହେବାଭଳି ପାଠ୍ୟପୁସ୍ତକ, ସାଧାରଣଜ୍ଞାନ ଓ ବିଜ୍ଞାନ ବିଷୟକ ପ୍ରବନ୍ଧାବଳୀ ପତ୍ରପତ୍ରିକାରେ ଲେଖିଥିଲେ ଅନେକ ପରିମାଣରେ । ପରିମାଣତଃ ବଙ୍ଗଳାଭାଷା ରାମମୋହନଙ୍କ ହାତରେ ମାର୍ଜିତ ହୋଇଥିଲା ନିଶ୍ଚୟ । ସେଇ ସମୟ ପର୍ଯ୍ୟନ୍ତ ଉକ୍ତ ଭାଷାରେ ଏକ ଉତ୍କୃଷ୍ଟ ଗଦ୍ୟ ଶୈଳୀରେ ବ୍ୟବହାରହୋଇ ନ ଥିବା ଦୃଷ୍ଟିରୁ ରାମମୋହନ ଯଥାର୍ଥରେ ଥିଲେ ବଙ୍ଗଳା ଗଦ୍ୟ ସାହିତ୍ୟର ଜନକ ।

 

ନିଜକୁ ପ୍ରକାଶ କରିବାର ଏକ ମାଧ୍ୟମ ସମ୍ବାଦ କୌମୁଦୀ ଜରିଆରେ ରାମମୋହନ ସରକାରଙ୍କୁ ଅନୁରୋଧ କରିଥିଲେ କଲିକତାରେ କେବଳ ଗରିବ ଛାତ୍ରମାନଙ୍କ ଶିକ୍ଷାପାଇଁ ଏକ ସ୍କୁଲ ସ୍ଥାପନ କରିବା ଉଚିତ । କିନ୍ତୁ ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ଭାରତରେ ପ୍ରଚଳିତ ପନ୍ଥାରେ ସଂସ୍କୃତ ଶିକ୍ଷାର ପ୍ରସାର ପାଇଁ ବନାରସରେ ସ୍ଥାପିତ ହୋଇଥିବା ଭଳି ଆଉ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟ କଲିକତାରେ ଆରମ୍ଭ କରିବାପାଇଁ ପ୍ରସ୍ତାବ କରିଥିଲେ । କିନ୍ତୁ ରାମମୋହନ ନିଜ ବିଚାର ଦୃଷ୍ଟିରୁ ସ୍ଥିର କରିଥିଲେ ଯେ, ସେଭଳି ଉଦ୍ୟମ କଦାପି ଭାରତର ଜନଗଣଙ୍କ ପାଇଁ ମଙ୍ଗଳପଦ ନୁହେଁ । କମ୍ପାନୀ ସରକାରଙ୍କ ପ୍ରଥମ ଓ ପ୍ରଧାନ ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବ୍ୟବସାୟ କରିବା । ତେଣୁ ସେଇ ଉଦ୍ଦେଶ୍ୟରେ ସଫଳ ରୂପାୟନ ପାଇଁ ଜନସାଧାରଣଙ୍କ ସହଯୋଗ ପାଇବାର ଅନ୍ୟତମ ମାର୍ଗ ଥିଲା ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଦ୍ୱାରା ସେମାନଙ୍କୁ ସନ୍ତୁଷ୍ଟ କରିବା । ପୁଣି, ଯେତେବେଳେ ଭାରତରେ ଶିକ୍ଷାର ପ୍ରସାର ଲାଗି ବରାଦୀ ଅର୍ଥର ଉପଯୁକ୍ତ ବିନିଯୋଗ ହୋଇପାରୁ ନ ଥିଲା ସେତେବେଳେ କିଛି ଅଧିକ ଅର୍ଥ ଖର୍ଚ୍ଚ ବରାଦ କରି ଗୋଟିଏ ସଂସ୍କୃତ ମହାବିଦ୍ୟାଳୟ ଆରମ୍ଭ କରିବାର ଯଥାର୍ଥତା ରାମମୋହନ ଦେଖିପାରୁ ନ ଥିଲେ । ବାର୍ଷିକ ୨୫ ହଜାର ଟଙ୍କା ବ୍ୟୟ ବରାଦ କରି ସଂସ୍କୃତ କଲେଜ କଲିକତାର ଆରମ୍ଭ କରିବାପାଇଁ ୧୮୨୧ ମସିହା ଅଗଷ୍ଟ ୨୧ ତାରିଖରେ ସରକାରୀ ପ୍ରସ୍ତାବ ହୋଇଥିଲା । ତାର ଉଦ୍ଦେଶ୍ୟ ନେଇ ସରକାରୀ ଭାବେ ଘୋଷଣା କରାଯାଇଥିଲା “...The immediate object of the institution is the cultivation of Hindoo literature...” ଏଥିରେ ସରକାରଙ୍କ ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ ।

ସେଇ ପରିପ୍ରେକ୍ଷୀରେ ରାମମୋହନ ଭାରତୀୟ ଜନସାଧାରଣଙ୍କ ସ୍ଵାର୍ଥପ୍ରତି ଦୃଷ୍ଟିରଖି ଲର୍ଡ଼ ଆମହାର୍ଷ୍ଟ୍ (Lord Amhearst)ଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ସେଥିରେ ସେ ଲେଖିଥିଲେ ଯେ, କଲିକତାଠାରେ ଏକ ସଂସ୍କୃତ ସ୍କୁଲ ନୂତନ କରି ପ୍ରତିଷ୍ଠା କରିବା ମୂଳରେ ଭାରତବାସୀଙ୍କ ଶିକ୍ଷାର ପ୍ରସାର ପାଇଁ ସରକାରଙ୍କ ସ୍ପୃହା ତଥା ଉଦ୍ୟମ ସ୍ପଷ୍ଟ । ଯେତେବେଳେ ସେ ପ୍ରକାର ଏକ ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ପାଇଁ ପ୍ରସ୍ତାବ କରାଯାଇଛି, ଇଂଲଣ୍ଡ ସରକାର ଉକ୍ତ ଅନୁଷ୍ଠାନ ପାଇଁ ସେ ଅନେକ ବାର୍ଷିକ ଅର୍ଥ ବରାଦ କରିଥିବେ, ତାହା ମଧ୍ୟ ନିଶ୍ଚିତ । ଏ କ୍ଷେତ୍ରରେ ଆମେ ଯଥାଯଥ ଭାବେ ଆଶା କରିପାରୁ ଯେ, ଉକ୍ତ ଅର୍ଥରେ ବିଦ୍ୱାନ୍ ଓ ଶିକ୍ଷାବିତ୍ ଇଉରୋପୀୟମାନଙ୍କୁ ଭାରତରେ ଶିକ୍ଷକ ଭାବରେ ନିଯୁକ୍ତ କରାଯାଇପାରନ୍ତା । ତାର ଯଥାର୍ଥତା ଦେଖାଇ ସେ ଲେଖିଥିଲେ ଯେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ଗଣିତ, ଦର୍ଶନ, ରସାୟନ ବିଦ୍ୟା, ଶରୀର ଗଠନତ୍ତ୍ଵ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିବା ଦୃଷ୍ଟିରୁ ସେମାନେ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀମାନଙ୍କଠାରୁ ଉନ୍ନତ ଜୀବନ ଯାପନ କରୁଛନ୍ତି । ସେସବୁ ଆବଶ୍ୟକୀୟ ଶାସ୍ତ୍ର ତଥା ବିଜ୍ଞାନ, ଯାହା ପ୍ରକୃତରେ ଜନଜୀବନରେ ଆବଶ୍ୟକ, ସେସବୁ ଅଧ୍ୟୟନ ଦ୍ଵାରା ଭାରତୀୟ ଗ୍ରନ୍ଥ ତଥା ଜନଗଣଙ୍କ ପ୍ରକୃତ ମଙ୍ଗଳ ସାଧିତ ହୋଇପାରନ୍ତା । ଇଂଲଣ୍ଡର ନଜିର ଦେଇ ସେଇ ପତ୍ରରେ ସେ ଲେଖିଥିଲେ “ହିନ୍ଦୁ ପଣ୍ଡିତମାନଙ୍କ ମଧ୍ୟରେ ଭାରତରେ ତତକାଳୀନ ପ୍ରଚଳିତ ଧାରାରେ ସଂସ୍କୃତ ଭାଷାରେ ଶିକ୍ଷାଦେବା ଲାଗି ସରକାର ଆଉ ଗୋଟିଏ ସ୍କୁଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଯଦି ଭାରତୀୟ ପ୍ରଜାଗଣଙ୍କୁ ପ୍ରକୃତ ଜ୍ଞାନ ଆହରଣ କରିବାର ସୁଯୋଗ ଦିଆଯାଉଥାନ୍ତା, ତା ହେଲେ ବେକାନୀୟ ଦର୍ଶନ (Baconian Philosophy)କୁ ପାଠ୍ୟକ୍ରମର ଅଙ୍ଗୀଭୂତ କରାଯାଇ ପାରିଥାନ୍ତା ।” କିନ୍ତୁ ଯଦି ବ୍ରିଟିଶ୍ ସରକାର ଏ ଦେଶର ଜନଗଣଙ୍କୁ ଅଜ୍ଞାନର ଅନ୍ଧକାର ଭିତରେ ଡୁବାଇ ରଖିବା ଲାଗି ସୁଚିନ୍ତିତ ଯୋଜନାବଦ୍ଧ, ତା ହେଲେ ସେଇଥିପାଇଁ ସଂସ୍କୃତ ଭାଷାରେ ଶିକ୍ଷାଦାନ ଓ ଏହି ପ୍ରକାର ଅନୁଷ୍ଠାନ ହିଁ ପ୍ରକୃଷ୍ଟ ମାଧ୍ୟମ । କିନ୍ତୁ ଭାରତବାସୀଙ୍କ ମଙ୍ଗଳ ସାଧନ ହିଁ ସରକାରଙ୍କ ଉଦ୍ଦେଶ୍ୟ ହୋଇଥିବା ଦୃଷ୍ଟିରୁ ଗଣିତ, ରସାୟନ ଶାସ୍ତ୍ର, ଦର୍ଶନ, ଶରୀର ଗଠନ ତତ୍ତ୍ଵ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବିଜ୍ଞାନ ପ୍ରଭୃତି ବିଷୟରେ ଅଜ୍ଞ ଭାରତୀୟମାନେ ଅବହିତ ହେବା ଆବଶ୍ୟକ । ସେଇଥିପାଇଁ କେତେଜଣ ବିଦ୍ୱାନ୍ ଇଉରୋପୀୟ ଶିକ୍ଷାବିତ୍‍ଙ୍କୁ ଭାରତରେ ନିଯୁକ୍ତି ଦେଇ ଆବଶ୍ୟକୀୟ ବୈଜ୍ଞାନିକ ଯନ୍ତ୍ରପାତି ତଥା ପୁସ୍ତକାଦି ଉପକରଣ ସହ ଗୋଟିଏ କଲେଜ ସ୍ଥାପନ କରିବା ଶ୍ରେୟସ୍କର ହେବ ।

ରାମମୋହନଙ୍କ ଉକ୍ତ ପତ୍ର ଇଂରେଜ ସରକାରଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲା । ଇଂରେଜ ଶାସକ ବର୍ଗ ମନେ କରୁଥିଲେ ଭାରତରେ ସାଧାରଣ ପ୍ରଚଳିତ ଧାରାକୁ ବଦଳାଇବାର ଅର୍ଥ ହୁଏତ ହୋଇପାରେ ସାଧାରଣରେ ସେମାନଙ୍କ ଅପପ୍ରଚାର ଓ ସମାଲୋଚନା-। ପରିବର୍ତ୍ତିତ ପରିସ୍ଥିତିରେ ହୁଏତ ଭାରତୀୟଙ୍କ ମନୋଭାବ ବୁଝିବାରେ ସେମାନେ ସମର୍ଥ ହୋଇପାରୁ ନ ଥିଲେ କିମ୍ବା କୌଣସି ନୂତନ ଚିନ୍ତାଧାରାକୁ ଗ୍ରହଣ କରିନେବାକୁ ସାମାନ୍ୟତମ ସ୍ପୃହା ସେମାନଙ୍କର ଥାଇପାରେ ବୋଲି ଧାରଣା ମଧ୍ୟ କରିପାରୁ ନ ଥିଲେ । ସବୁ ସମାଜର ସବୁବେଳେ ଯେ ଏକାଧିକ ବିବଦମାନ ଗୋଷ୍ଟୀ ରହିବେ ଏଥିରେ ସନ୍ଦେହ ବା କ’ଣ ଥାଇପାରେ ? ତଥାପି ସୁଦୀର୍ଘ ଅତୀତରୁ ଯାହା ଯେମିତି ଚଳି ଆସୁଥିଲା, ସେସବୁକୁ ବରଂ ମାନି ନେଇଯିବା ଉଚିତ୍ ହେବ ତଥା ସହଜସାଧ୍ୟ ହେବ ବୋଲି ସେମାନେ ମନେ କରିଥିଲେ । ତେଣୁ ପରମ୍ପରାପୁଷ୍ଟ ସଂସ୍କୃତ ଭାଷା ପ୍ରଚାର କରିବାପାଇଁ ଓ ପରିଣାମତଃ ଜନସମର୍ଥନ ଲାଭ କରିବାପାଇଁ ଏକ ସଂସ୍କୃତ କଲେଜ ସ୍ଥାପନ କରିବା ପ୍ରସ୍ତାବ କମ୍ପାନୀ ସରକାର ଗ୍ରହଣ କରିବା ଥିଲା ସ୍ଵାଭାବିକ ।

ତେଣୁ ସରକାରଙ୍କ ୧୮୨୧ ମସିହାର ପ୍ରସ୍ତାବ ଅନୁଯାୟୀ ୧୮୨୪ ମସିହା ଜାନୁୟାରୀ ପହିଲାଦିନ କଲିକତାର ୬୬ ବହୁବଜାର ଅଞ୍ଚଳର ଗୋଟିଏ ଭଡ଼ାଘରେ କଲେଜ ଆରମ୍ଭ କରାଯାଇଥିଲା । ୧୮୨୬ ମସିହା ମଇ ପହିଲା ତାରିଖରେ ତାହା ନୂତନ ନିର୍ମିତ ସ୍ଵଗୃହକୁ ସ୍ଥାନାନ୍ତରିତ ହୋଇଥିଲା, ଯେଉଁଠି ବର୍ତ୍ତମାନ ସୁଦ୍ଧା ତାହା ରହିଛି ।

ପୁଣି ଠିକ୍ ତାଳଦେଇ ଆଉ ଏକ ଘଟଣା ସେତେବେଳେ ଘଟି ଯାଇଥିଲା । ପାରମ୍ପରିକ ଶିକ୍ଷାପଦ୍ଧତି ସପକ୍ଷରେ, ଯାହା ସରକାରଙ୍କୁ ଆଉ ଟିକିଏ ଇନ୍ଧନ ଯୋଗାଇଥିଲା ସେଭଳି ପଦକ୍ଷେପ ନେବାପାଇଁ । ରାମମୋହନଙ୍କ ଇଂରେଜୀ ଭାଷା ପ୍ରତି ମମତା ଦେଖି କେବଳ ବିରୋଧ ପାଇଁ ବିରୋଧ କରୁଥିବା ରାମମୋହନଙ୍କ ତଥାକଥିତ ଉଚ୍ଚ ଶିକ୍ଷିତ ବିରୋଧୀ ଗୋଷ୍ଠୀ ପାରମ୍ପରିକ ଶିକ୍ଷାପଦ୍ଧତିର କୌଣସି ପ୍ରକାର ପରିବର୍ତ୍ତନ ନ କରିବାପାଇଁ ଏକ ଗଣଆନ୍ଦୋଳନ କରିବାର ଉଦ୍ୟମ କରିଥିଲେ ନିକଟ ଭବିଷ୍ୟତରେ । ଯଦିଓ ସେତେବେଳକୁ ଦେଶର ଅନେକ ଶିକ୍ଷିତ ଲୋକ ସେମାନଙ୍କ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାଲାଗି ଇଚ୍ଛା କରୁଥିଲେ ଓ ଦିନକୁ ଦିନ ସେ ପ୍ରକାର ସ୍କୁଲଗୁଡ଼ିକର ସଂଖ୍ୟା ବଢ଼ୁଥିଲା; ତଥାପି କାଳେ ତାହା ଭାରତୀୟ ପୁରାତନ ପରମ୍ପରା ନଷ୍ଟ କରିଦେଇ ପାରେ ବୋଲି ଆଶଙ୍କା କରୁଥିଲେ ଶାସ୍ତ୍ରଜ୍ଞ ପଣ୍ଡିତମାନେ । ପୁଣି ରାମମୋହନଙ୍କୁ ଜଣେ ବିଧର୍ମୀ ତଥା ହିନ୍ଦୁଧର୍ମର ଦ୍ରୋହୀ ହିସାବରେ ଗ୍ରହଣ କରିନେଇ ତାଙ୍କର ସମସ୍ତ କାର୍ଯ୍ୟର ବିରୋଧ କରୁଥିଲେ ଦଳେ ଶିକ୍ଷିତ ଏବଂ ସମାଜର ଗଣ୍ୟମାଣ୍ୟ ବ୍ୟକ୍ତି । ସେମାନଙ୍କ ଧାରଣା ଥିଲା ବିଦେଶୀ ଭାଷା ତଥା ଶୈଳୀର ପ୍ରବର୍ତ୍ତନ ଫଳରେ ଦେଶର ଐତିହ ନଷ୍ଟ ହୋଇଯିବ । ଧର୍ମଭାବ ଉପରେ ଆଞ୍ଚ ଆସିବା ଏକପ୍ରକାର ନିଶ୍ଚିତ ବୋଲି ବଦ୍ଧମୂଳ ଧାରଣା ସେମାନଙ୍କର ଥିଲା । କେବଳ ସଂସ୍କୃତ ଭାଷା ଶିକ୍ଷା କରି କେତୋଟି କାବ୍ୟ କବିତା ପଢ଼ିବା ହିଁ ମଣିଷର ଧର୍ମ ବୋଲି ବିବେଚନା କରୁଥିଲେ ସେମାନେ ।

ତଥାପି ରାମମୋହନ ତାଙ୍କର ଚିନ୍ତାଧାରାରେ ଦୃଢ଼ ଥିଲେ । ପାରମ୍ପରିକ ସଂସ୍କୃତ ଭାଷା ଓ ସାହିତ୍ୟ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ବୈଦେଶିକ ଭାଷା ଓ ସେମାନଙ୍କ ଶୈଳୀ ସହ ଭାରତୀୟ ଛାତ୍ରମାନେ ପରିଚିତ ହେବା ଆବଶ୍ୟକ ବୋଲି ଦୃଢ଼ ଭାବରେ ବିଶ୍ଵାସ କରୁଥିଲେ ସେ । ଅଯଥା ଓ ଅଯୌକ୍ତିକ ସମାଲୋଚନାର ମୁକାବିଲା କରିବାପାଇଁ ସେ ଅଣ୍ଟାଭିଡ଼ି ପ୍ରସ୍ତୁତ ହୋଇଥିଲେ ଓ ତାହାଙ୍କୁ ସମର୍ଥନ କରୁଥିଲେ ଡେଭିଡ଼୍ ହାରେ । ଦେଶରେ ପ୍ରଚଳିତ ସାମାଜିକ ପରମ୍ପରାର ପରିବର୍ତ୍ତନ, ରାଜନୈତିକ ଚିନ୍ତାଧାରାର ପ୍ରସାର, ପାଣ୍ଡିତ୍ୟପୂର୍ଣ୍ଣ ଧର୍ମତତ୍ତ୍ୱର ପ୍ରଚାର ଓ ଅନ୍ଧବିଶ୍ଵାସଗୁଡ଼ିକରୁ ମୁକ୍ତିପାଇଁ ଦେଶବାସୀଙ୍କୁ ଅଜ୍ଞାନ ଅନ୍ଧକାର ମଧ୍ୟରୁ ଆଲୋକିତ ପଥ କିପରି ପ୍ରଦର୍ଶନ କରାଯାଇ ପାରିବ, ସେଥିପାଇଁ ବିଶେଷକରି ରାମମୋହନ ନିଜକୁ ପ୍ରସ୍ତୁତ କରିଥିଲେ । ପରିଣାମତଃ ପ୍ରକୃତରେ ଭାରତୀୟ ଜନଗଣଙ୍କ ଉନ୍ନତି କାମନା କରୁଥିବା ଅନେକ ବୈଦେଶିକ ରାମମୋହନଙ୍କୁ ସମର୍ଥନ କରିବାପାଇଁ ଆଗେଇ ଆସିବା ସ୍ୱାଭାବିକ ଥିଲା ଓ ସେମାନଙ୍କ ସହ ତାଙ୍କର ବନ୍ଧୁତା ବୃଦ୍ଧି ପାଇଥିଲା-

ପରିଶେଷରେ ରାମମୋହନ ହିଁ ହେଲେ ବିଜୟୀ ।

Image

 

ସାତ

କୁସଂସ୍କାରର କୁହେଳିକା

 

ସେ ଥିଲା ୧୮୧୧ ମସିହାରେ ଏକ ଦୁର୍ଘଟଣା ।

 

ରାମମୋହନଙ୍କ ବଡ଼ଭାଇ ଜଗମୋହନଙ୍କ ମୃତ୍ୟୁ ହୋଇଥିଲା ।

 

ସେତେବେଳେ ହିନ୍ଦୁ ସମାଜରେ ଯେତେପ୍ରକାର କୁସଂସ୍କାର ଭରି ରହିଥିଲା, ସବୁଠାରୁ ମର୍ମନ୍ତୁଦ ଥିଲା ସତୀଦାହ ପ୍ରଥା । ସ୍ୱାମୀର ଚିତାନିଆଁ ଲେଲିହାନ ଶିଖାନେଇ ଜଳୁଥିବାବେଳେ ସ୍ତ୍ରୀକୁ ସେଇ ଚିତାନିଆଁ ଭିତରେ ନିଃଶେଷ ହେବାକୁ ପଡ଼ୁଥିଲା; ବରଂ ନିଃଶେଷ କରି ଦିଆ ଯାଉଥିଲା । ଆଃ, କି ନୃଶଂସତା, କି ଭୟଙ୍କର କରୁଣ ଦୃଶ୍ୟ ।

 

ସେଥିପାଇଁ ସମାଜର ବଡ଼ପଣ୍ଡାମାନେ ହିଁ ଥିଲେ ସଂପୂର୍ଣ୍ଣ ରୂପେ ଦାୟୀ । ସ୍ୱାମୀର ମୃତ୍ୟୁ ପରେ ପରେ ସ୍ତ୍ରୀର ଇଚ୍ଛା ଥାଉ ବା ନ ଥାଉ ତାକୁ ଜବରଦସ୍ତ ଜୀଅନ୍ତା ଜାଳି ଦିଆଯାଇଥିଲା ସେଇ ଗୋଟିଏ ଚିତାନିଆଁରେ । କି ହତଭାଗ୍ୟ ଥିଲା ବିଧବା ନାରୀ ସେତେବେଳେ ।

 

ଜଗମୋହନଙ୍କ ସ୍ତ୍ରୀ ଆଲୋକମଞ୍ଜରୀ ନିଜ ସ୍ଵାମୀଙ୍କ ମୃତ୍ୟୁ ପରେ ପରେ ଭାଙ୍ଗି ପଡ଼ିବା ସ୍ଵାଭାବିକ ଥିଲା । ଅତୀତ ଜୀବନର ବହୁ ଅବିସ୍ମରଣୀୟ ସ୍ମୃତି ଜଳଜଳ ହୋଇ ଦେଖାଯାଇଥିଲା ସ୍ମୃତି ସମକ୍ଷରେ । ଦୁଇ ଆଖି କୋଣରୁ ଦୁଇଟି ଲୁହର ଧାର ଧାରାଶ୍ରାବଣ ସୃଷ୍ଟି କରିଥିଲା ।

 

ପରିଧାନ ତାଙ୍କର ଥିଲା ନାଲିଧଡ଼ି ଥିବା ଖଣ୍ଡିଏ ଧଳା ଶାଢ଼ୀ, କେଶ ମୁକୁଳିତ । ଶେଷଦିନ ପାଇଁ ସିନ୍ଥୀର ସିନ୍ଦୂର ଦାଉ ଦାଉ ହୋଇ ଜଳୁଥିଲା, ସତେ ଯେମିତି ଏକ ଅଜଣା ଆଶଙ୍କାର ଗହ୍ଵର ଭିତରେ ସନ୍ତୁଳି ହୋଇ ଯାଉଥିଲେ ସେ । ସ୍ଵାମୀଙ୍କ ମୃତ ଦେହ ଶକ୍ତ ଭାବରେ ବନ୍ଧା ହୋଇଥିବା କୋକେଇ ଦେହରେ ବାରମ୍ବାର ମୁଣ୍ଡ କଚାଡ଼ି ନିଜର ମଥାକୁ କ୍ଷତ ବିକ୍ଷତ କରିବା ଭିତରେ ସେ ଯେମିତି କିଛି ନା କିଛି ଗୋଟାଏ ପାଇ ଯାଉଥିଲେ । ସେ ଜାଣୁଥିଲେ, ତାଙ୍କ ମଥାରେ ଆଘାତ ଲାଗୁଛି ପ୍ରତିଟି ଥର, ରକ୍ତସ୍ରାବ ହେଉଛି । ତଥାପି ପୁଣି ଥରେ ସେଇ କାର୍ଯ୍ୟର ପୁନାରାବୃତ୍ତି କରୁଥିଲେ ପୂର୍ବ ମୁହୂର୍ତ୍ତର ଯନ୍ତ୍ରଣା ପାସୋରି ଦେଇ ।

 

ଜଗମୋହନଙ୍କ ମୃତ୍ୟୁ ପରେ ପରେ ସହରର ଅନେକ ଆତ୍ମୀୟ ତଥା ସାଇପଡ଼ୋଶୀ ଜମି ଯାଇଥିଲେ ତାଙ୍କ ଆତ୍ମାର ସଦଗତି ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଶେଷ ଦର୍ଶନ ପାଇଁ ।

 

ସେଇ କ୍ରନ୍ଦନରୋଳ ଭିତରେ ବେଳେବେଳେ ଆଲୋକମଞ୍ଜରୀ ନିଜର ଇଷ୍ଟଦେବୀଙ୍କ ନାମ ସ୍ମରଣ କରି ନିଜର ପରକାଳର ଦେବତା ସ୍ଵାମୀଙ୍କ ସହ ମୃତ୍ୟୁବରଣ କରିବାକୁ ପ୍ରସ୍ତୁତଥିବା କଥା ଜଣାଇ ପର ଜୀବନରେ ପୁଣ୍ୟ ପାଇଁ ପ୍ରାର୍ଥନା କରୁଥିଲେ । “ସତୀମାନେ ହିଁ ମୃତ ସ୍ୱାମୀର ପଥାନୁଗମନ କରିବା ସୁଯୋଗ ପାଆନ୍ତି ପ୍ରଭୋ । ମୁଁ ମଧ୍ୟ ସତୀ ହେବାକୁ ଚାହେଁ ।” ସେଥିରେ ପ୍ରଫୁଲ୍ଲିତ ହୋଇ ଉଠୁଥିଲେ ଉପସ୍ଥିତ ଜନଗଣ । ହିନ୍ଦୁଧର୍ମ ପରଂପରା ଅୟୁତ ବର୍ଷ ପୃଥିବୀରେ ପ୍ରତିଷ୍ଠିତ ହେବ, ସେଥିପାଇଁ ଉଲ୍ଲସିତ ହୋଇ ଧର୍ମର ଜୟଗାନ କରୁଥିଲେ ସେମାନେ । ସହମରଣ ବିବାହିତ ନାରୀର ଧର୍ମ । ଯେଉଁ ନାରୀ ସ୍ୱାମୀର ଚିତା ନିଆଁରେ ନିଜକୁ ଝାସ ଦିଏ, ସେ ହିଁ ପ୍ରକୃତରେ ମୁକ୍ତି ପାଇଯାଏ । ସେଥିପାଇଁ ସେ ଧନ୍ୟ । ସତୀନାରୀର ଜୟଗାନରେ ମୁଖରିତ ହୋଇ ଉଠୁଥିଲା ଘଟଣାସ୍ଥଳ ।

 

ଶ୍ମଶାନର ଚିତାଗ୍ନି ଜଳି ଉଠିଥିଲା ଲେଲିହାନ ଶିଖା ନେଇ । ସତେ ଯେମିତି ସେ ଶିଖା ପ୍ରସ୍ତୁତ ଥିଲା ଗୋଟାଏ ମୃତ ଦେହ କେବଳ କାହିଁକି, ଆଲୋକମଞ୍ଜରୀଙ୍କ ଜୀବନ୍ତ ଶରୀରକୁ ମଧ୍ୟ ପୋଡ଼ିଜାଳି ଧ୍ଵଂସ କରିଦେବା ପାଇଁ ।

 

ଜଗମୋହନଙ୍କ ମୃତଦେହ ଉପରେ ନିବଦ୍ଧ ଥିଲା ଆଲୋକମଞ୍ଜରୀଙ୍କ ଚକ୍ଷୁ । ସତେ ଯେମିତି ଆନ୍ତରିକତାର ସହିତ ସେ କହୁଥିଲେ, “ମୁଁ ତମର ଅନୁଗତ ପ୍ରଭୁ, କେବଳ ତୁମରି ପାଇଁ ହିଁ ମୁଁ ଏଇ ପୃଥିବୀରେ ଜନ୍ମ ହୋଇଥିଲି । ତୁମରି ମୃତ୍ୟୁ ମୋରି ମୃତ୍ୟୁ ସହିତ ମଧ୍ୟ ସମାନ । ତା ହେଲେ ଏଇ ପୃଥିବୀରେ ମୁଁ କାହିଁକି ବଞ୍ଚି ରହିବି ପ୍ରଭୁ । ଅନ୍ୟ ଏକ ପୃଥିବୀକୁ ତୁମରି ସହିତ ଯିବିନାହିଁ ? ତୁମକୁ ପୋଡ଼ିଜାଳି ପାଉଁଶ କରିଦେବା ପାଇଁ ଜଳୁଥିବା ଏଇ ସର୍ବଗ୍ରାସୀ ଚିତାନିଆଁ ଭିତରେ ମୁଁ କାହିଁକି ଝାସ ଦେବି ନାହିଁ ।

 

ମଝିରେ ମଝିରେ ଉପସ୍ଥିତ ଜନଗଣ ତଥା ଶାସ୍ତ୍ରଜ୍ଞ ବ୍ରାହ୍ମଣମାନେ ହିନ୍ଦୁଶାସ୍ତ୍ର ତଥା ପରମ୍ପରାଗୁଡ଼ିକର ଜୟଜୟକାର ଧ୍ୱନି ଦେଉଥିଲେ । ବନ୍ଧୁବାନ୍ଧବଗଣ କୃତ୍ରିମ ଦୁଃଖ ପ୍ରକାଶ କରୁଥିଲେ ଆଲୋକମଞ୍ଜରୀଙ୍କ ନିକଟାଗତ ମୁହୂର୍ତ୍ତରେ ମୃତ୍ୟୁ ପାଇଁ । ସହମରଣର ପ୍ରଶଂସା କରାଯାଉଥିଲା । “ସତୀ” ଜୟଗାନ କରାଯାଉଥିଲା । ଆଲୋକମଞ୍ଜରୀଙ୍କ ଆତ୍ମାହୁତିର ପଥ ପରିଷ୍କାର କରି ଦିଆ ଯାଉଥିଲା ।

 

ହଠାତ୍ ସମସ୍ତ କୋଳାହଳ ମୁହୂର୍ତ୍ତକ ପାଇଁ ବନ୍ଦହୋଇ ଯାଇଥିଲା ଏକ ନୂତନ ପ୍ରକଂପିତ ଶବ୍ଦର ତରଙ୍ଗରେ । ସେ ଶବ୍ଦ ଥିଲା ରାମମୋହନଙ୍କ ମୁଖ ନିଃସୃତ । ଜଗମୋହନଙ୍କ ସାନଭାଇ ରାମମୋହନ ଆକାଶ ପାତାଳ ପ୍ରକମ୍ପିତ କରିଉଠିଥିଲେ ଅଚାନକ ଭାବେ ।

 

ମୋ ଭାଇଙ୍କୁ ଶାନ୍ତିରେ ମରିବାକୁ ଦିଅନ୍ତୁ । ତାହାଙ୍କ ଆତ୍ମାକୁ ଅଯଥା କଷ୍ଟ ଦିଅନ୍ତୁ ନାହିଁ ଆପଣମାନେ । ସେ ଚାହାନ୍ତି ସେ ଏକା ମରିବେ ଏବଂ ଶାନ୍ତିରେ ମରିବେ । ତାଙ୍କ ସହିତ ଏକ ଜୀବନକୁ ଅକାଳରେ ନିର୍ବାପିତ କରିବାପାଇଁ ସେ ଚାହାନ୍ତି ନାହିଁ । ସେ ଚାହାନ୍ତି ନାହିଁ ଗୋଟିଏ ମଣିଷକୁ ହତ୍ୟା କରିବା ଅପରାଧରେ ଅପରାଧୀ ହେବା ପାଇଁ ।

 

ଯୁବକ ରାମମୋହନ ଯୁକ୍ତି କରିଥିଲେ, ଭାଉଜଙ୍କର ଅଯଥା ଆତ୍ମାହୁତି ଦେବାର କୌଣସି ଆବଶ୍ୟକତା ନଥିଲା । ସତୀ ହେବାରେ କୌଣସି ଯଥାର୍ଥତା ନଥିଲା ।

 

ଆଲୋକମଞ୍ଜରୀଙ୍କୁ ବଞ୍ଚାଇବା ଲାଗି ଓ ବ୍ରାହ୍ମଣ ପୁରହିତମାନଙ୍କୁ ସେଥିରୁ ନିବର୍ତ୍ତାଇବା ଲାଗି ସେ ତତ୍ପର ହୋଇ ଉଠିଥିଲେ । କିନ୍ତୁ ଆଲୋକମଞ୍ଜରୀ ଅନିଚ୍ଛୁକ ଥିଲେ ପ୍ରଥମେ ପ୍ରଥମେ ରାମମୋହନଙ୍କ ସେଭଳି ପ୍ରସ୍ତାବରେ । ଅପର ପକ୍ଷରେ ଉପସ୍ଥିତ ବ୍ରାହ୍ମଣ ପୁରୋହିତମାନେ ରାମମୋହନଙ୍କୁ ଅସ୍ଵୀକାର କରିଥିଲେ । ଶାସ୍ତ୍ର ସମ୍ବନ୍ଧରେ କୌଣସି ପ୍ରକାର ଧାରଣା ତାହାଙ୍କର ନାହିଁ ବୋଲି ତାହାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଓ କୌଣସି ଗୁରୁତ୍ଵ ଆରୋପ କରି ନଥିଲେ ତାଙ୍କ କଥାରେ-। ପରିବାରର ଲୋକମାନେ ମଧ୍ୟ ରାଜାଙ୍କର କୌଣସି ଆବେଦନ ଶୁଣି ନ ଥିଲେ । ନିଜେ ଆଲୋକମଞ୍ଜରୀ ମଧ୍ୟ ଯୁକ୍ତି କରିଥିଲେ ପୃଥିବୀରେ ବଞ୍ଚିରହିବାର କୌଣସି କାରଣ ନାହିଁ ବୋଲି । ବିଧବାହୋଇ ବଞ୍ଚିରହିବା ପାପ କାର୍ଯ୍ୟ ବୋଲି ଅନେକ ବିବେଚନା କରୁଥିଲେ ପୃଥିବୀରେ, ଓ ସେଭଳି ପାପ କଲେ ଭଗବାନ ବି ଦଣ୍ଡ ଦେବାର ଭୟ ଥିଲା ତାଙ୍କର ।

 

ସମାଜରେ ବ୍ରାହ୍ମଣ ପଣ୍ଡିତମାନେ ନିଜ ନିଜର ରୁଚି ଅନୁଯାୟୀ ଓ ନିଜ ନିଜର ସ୍ଵାର୍ଥ ପ୍ରତି ଲକ୍ଷ୍ୟ ରଖି ହିନ୍ଦୁଶାସ୍ତ୍ରଗୁଡ଼ିକୁ ପ୍ରଚଳନ କରାଇ ସାରିଥିଲେ ସମାଜରେ ।

 

କିନ୍ତୁ ଯେତେବେଳେ ଆଲୋକମଞ୍ଜରୀଙ୍କୁ ଜଗମୋହନଙ୍କ ପରେ ପରେ ସେଇ ଚିତାଗ୍ନିରେ ପକାଇ ଦିଆ ଯାଇଥିଲା, ସେ ଲେଲିହାନ ଶିଖାର ଦଂଶନ ଅସହ୍ୟ ମନେହୋଇଥିଲା ତାହାଙ୍କୁ ! ମୁକ୍ତି ପାଇଁ ବିକଳ ଚିତ୍କାର କରିଥିଲେ ସେଇ ଜୁଇ ଭିତରୁ । ଅସହ୍ୟ ଉତ୍ତାପରେ ଶରୀର ତାଙ୍କର ଜଳି ଯାଉଥିଲା । ସେ ଚାହୁଁଥିଲେ ମୁକ୍ତି । କିନ୍ତୁ ମୁକ୍ତି କାହିଁ ?

 

ରାମମୋହନ ଜନଗହଳି ଭିତରୁ ପୁଣି ଥରେ ଚିତ୍କାର କରି ଉଠିଥିଲେ ଆଲୋକମଞ୍ଜରୀଙ୍କ ମୁକ୍ତି ପାଇଁ ।

 

ତାଙ୍କ ନିବେଦନ ପ୍ରତି କେହି ସାମାନ୍ୟତମ କର୍ଣ୍ଣପାତ ମଧ୍ୟ କରି ନ ଥିଲେ, ବରଂ ଜଳନ୍ତା ଜୁଇ ନିକଟକୁ ଆସିବା ପାଇଁ ତାହାଙ୍କୁ ସୁଯୋଗ ମଧ୍ୟ ଦିଆଯାଇ ନଥିଲା ତାପରେ ।

 

ଆଉ ଅଧିକ କାଳ ରାମମୋହନ ଯନ୍ତ୍ରଣା ସହ୍ୟ କରି ପାରି ନଥିଲେ । ମୁହୂର୍ତ୍ତକ ମଧ୍ୟରେ ମୁହଁ ଫେରାଇ ସେଠାରୁ କ୍ଷୀପ୍ର ଗତିରେ ଚାଲି ଯାଇଥିଲେ ସେ ।

 

ସେଇ ମୁହୁର୍ତ୍ତକରେ ସେ ସ୍ଥିର କରିଥିଲେ ଏ ଦେଶରୁ ସେଭଳି ଅମାନୁଷିକ ଅନ୍ଧବିଶ୍ୱାସ ସବୁ ଦୂର କରିବାକୁ ହେବ, ଯେ କୌଣସି ଉପାୟ ଅବଲମ୍ବନ କରି ମଧ୍ୟ । ହତଭାଗ୍ୟ ନାରୀଜାତିକୁ ଉପଯୁକ୍ତ ସମ୍ମାନ ଦେବାକୁ ହେବ । ସେ ଦିନର ତାଙ୍କ ମନର ପ୍ରତିକ୍ରିୟା ଭାରତରେ ନବଜାଗରଣର ପଥକୁ ଉନ୍ମୁକ୍ତ କରିଦେଇଥିଲା ।

 

ଆଲୋକମଞ୍ଜରୀଙ୍କ ମୃତ୍ୟୁଯନ୍ତ୍ରଣା ପ୍ରକୃତରେ ରାମମୋହନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ହିନ୍ଦୁ ବିଧବା ନାରୀର ମୃତ୍ୟୁ ଯନ୍ତ୍ରଣାରେ ଅଧୀର ହୋଇ ଉଠିଥିଲା ସେ । ସେଇଥିପାଇଁ ସେ ସତୀଦାହ ପ୍ରଥାର ଉଚ୍ଛେଦ ପାଇଁ ଆନ୍ତରିକ ଉଦ୍ୟମ କରିଥିଲେ ଏକଲା ପଥର ପଥିକଭାବେ । ହିନ୍ଦୁ ଧର୍ମର ସସ୍କାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ପ୍ରତିମା ପୂଜା ଓ ସତୀଦାହ ପ୍ରଥା ବିରୁଦ୍ଧରେ ସର୍ବପ୍ରଥମେ । ରାମମୋହନଙ୍କର ଜଣେ ଜୀବନୀକାର ସୌମେନ୍ଦ୍ର ନାଥ ଠାକୁରଙ୍କ ଭାଷାରେ “Rammohan accorded priority to the task of eradicating the revolting custom of burning Hindu widows on the funeral pyre of their husbands. Shocked by the troumatic experience of seeing his sister-in-law (brother’s wife) immolated, he began his one men crusade against the custom of sutee long before he launched a systematic campaign against its removal in later years.* ତାଙ୍କ ଭାଉଜଙ୍କ ‘‘ସତୀ” ହେବା ଦୁର୍ଘଟଣା ରାଜା ରାମମୋହନଙ୍କ ଉପରେ ଏଭଳି ଦିଗନ୍ତବିସ୍ତାରୀ ପ୍ରଭାବ ପକାଇ ପାରିଥିଲା ସେ ସତୀପ୍ରଥାର ଉଚ୍ଛେଦ ପାଇଁ ବିଧିବଦ୍ଧ ଭାବରେ ସଂଗ୍ରାମ ଆରମ୍ଭ କରିବା ପୂର୍ବରୁ ଏକାକୀ ହେଲେ ମଧ୍ୟ ଉଦ୍ୟମ କରିଥିଲେ ଏପରି ପ୍ରଥା ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ।

 

Raja Rammohan Ray

 

ସତୀ !

 

ସତୀ ହେବାର ଅର୍ଥ ମୃତ ସ୍ୱାମୀକୁ ଦାହ କରାଯାଉଥିବା ଚିତାନିଆଁରେ ସଦ୍ୟ ବିଧବା ସ୍ତ୍ରୀ ଆତ୍ମାହୃତି ଦେବା ।

 

ସ୍ଵାମୀ ପ୍ରତି ଅତିଟା ଆନୁଗତ୍ୟ ଦେଖାଇବାର ତାହାଠାରୁ ବଳି ଅଧିକ ନିଦର୍ଶନ ବା କଣ ଥାଇପାରେ ?

 

ତତକାଳୀନ ଭାରତୀୟ ସମାଜରେ, ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ସତୀଦାହ ପ୍ରଥା ପ୍ରଚଳିତ ଥିଲା । ସଦ୍ୟ ବିଧବା ସ୍ତ୍ରୀମାନେ ନିଜ ମୃତ ସ୍ୱାମୀର ଚିତାନିଆଁ ଭିତରେ ହସି ହସି ଜଳାଞ୍ଜଳି ଦେବାପାଇଁ ନିଜକୁ କୃତକୃତ୍ୟ ମନେ କରୁଥିଲେ । ସତୀ ହେବାଦ୍ଵାରା ନିଜକୁ ପରମ ସୌଭାଗ୍ୟବତୀ ବୋଲି ମନେ କରୁଥିଲେ ସେମାନେ । ସେମାନଙ୍କ ବିଶ୍ଵାସ ଥିଲା ତାର ପରିଣାମତଃ ନିଶ୍ଚିତ ଭାବେ ଉଭୟଙ୍କର ବୈକୁଣ୍ଠପ୍ରାପ୍ତି ହେବ । ବୈକୁଣ୍ଠପୁରରେ ତିନିକୋଟି ପଞ୍ଚତିରିଶ ହଜାର ବର୍ଷ ସେମାନେ ସୁଖରେ ରହିବେ ।

 

ସମୟକ୍ରମେ ସତୀ ହେବା ଇଚ୍ଛାରୁ ଯାଇ ଏକପ୍ରକାର ସାମାଜିକ ଚଳଣି ବା ପ୍ରଥାର ପରିଣତ ହୋଇ ଯାଇଥିଲା ଓ ସ୍ୱାମୀର ମୃତ୍ୟୁ ପରେ ପରେ ସଦ୍ୟ ବିଧବା ସ୍ତ୍ରୀମାନେ ଆତ୍ମାହୁତି ଦେଉଥିଲେ । ବରଂ ପରମ୍ପରା ଏଭଳି ଭାବରେ ଗଡ଼ି ଆସିଥିଲା ଯେ ସେମାନେ ଏକ ପ୍ରକାର ବାଧ୍ୟ ହେଉଥିଲେ । ସେ ପ୍ରଥା ସମଗ୍ର ଭାରତର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଥିଲା । ଏପରିକି ଇଂରେଜମାନଙ୍କ ଶାସନର କେନ୍ଦ୍ରସ୍ଥଳ କଲିକତା ଓ କଲିକତାର ନିକଟତମ ଅଞ୍ଚଳଗୁଡ଼ିକରେ ମଧ୍ୟ ପୂର୍ଣ୍ଣଯୌବନା ସତ୍ୟବିଧବା ନାରୀମାନେ ସ୍ୱାମୀର ଚିତାନିଆଁରେ ମରିବାର ଦୃଷ୍ଟାନ୍ତ ଅନେକ ରହିଥିଲା ।

 

ସରକାରୀ ହିସାବ ଅନୁସାରେ ୧୮୧୫ ମସିହାଠାରୁ ୧୮୧୮ ମସିହା, ମାତ୍ର ତିନୋଟି ବର୍ଷର ବ୍ୟବଧାନ ମଧ୍ୟରେ, ଯେତେବେଳେ ରାଜା ରାମମୋହନ ସତୀଦାହ ପ୍ରଥା ବିରୁଦ୍ଧରେ ସମାଜରେ ପ୍ରବଳ ଆନ୍ଦୋଳନ କରି ଏକ ଆଲୋଡ଼ନ ସୃଷ୍ଟି କରିସାରିଥିଲେ ଓ ସରକାର ମଧ୍ୟ ସେଥିପାଇଁ ସତର୍କ ହୋଇ ସାରିଥିଲେ, ସେତେବେଳେ ଅତି କମରେ ୨୩୬୫ ଜଣେ ସତୀ ହୋଇଥିଲେ ନିଜ ନିଜକୁ ମୃତ ସ୍ୱାମୀମାନଙ୍କ ଚିତାଗ୍ନିରେ ଝାସଦେଇ । ସେମାନଙ୍କ ମଧ୍ୟରୁ କେବଳ କଲିକତା ଓ ତାର ଅତି ନିକଟବର୍ତ୍ତୀ ଅଞ୍ଚଳମାନଙ୍କରୁ ସତୀ ହୋଇଥିଲେ ୧୫୨୮ ଜଣ ।

 

ସତୀଦାହ ପ୍ରଥା ଓଡ଼ିଶାରେ ମଧ୍ୟ କିଛି କମ୍ ପ୍ରଭାବ ପକାଇ ନଥିଲା । ସତୀ ହେବାରେ ଓଡ଼ିଆ ନାରୀ ମଧ୍ୟ ନିଜକୁ ଗର୍ବିତ ଓ ଗୌରବାନ୍ୱିତ ମନେ କରୁଥିଲେ । ଦେଶପ୍ରାଣ ମଧୁସୂଦନଙ୍କ ପୂର୍ବ ପୁରୁଷଙ୍କ ମଧ୍ୟରୁ ମଧ୍ୟ ସତୀ ହେବାଭଳି କୁସଂସ୍କାରକୁ ପରିତ୍ୟାଗ କରି ପାରି ନ ଥିଲେ; ଯଦିଓ ତାଙ୍କର ସେତେବେଳର ଅବସ୍ଥା ଅନୁଯାୟୀ ଅନେକ ଧନସମ୍ପତ୍ତି ଥିଲା । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ସତୀଦାହ ପ୍ରାଥର ପ୍ରଚଳନ ଥିବାର କେତେକ ନମୁନା ସଂପୂର୍ଣ୍ଣ ବିବରଣୀ ସହ ମଧୁବାବୁଙ୍କ ଜୀବନୀରେ ସନ୍ନିବେଶିତ ହୋଇଛି ।

 

କ୍ରମଶଃ ସେଭଳି ଏକ ଅମାନୁଷିକ ପ୍ରଥା ପରମ୍ପରା କ୍ରମେ ସମଗ୍ର ଭାରତର ବିଭିନ୍ନ ଅଞ୍ଚଳରେ କାୟାବିସ୍ତାର କରି ପକାଇଥିଲା । ସେଇଥିପାଇଁ ଯଦି କେହି ଦାୟୀ ଥିଲେ, ସେମାନେ ଥିଲେ ସମାଜର ତତକାଳୀନ ବଡ଼ପଣ୍ଡାମାନେ । ତତକାଳୀନ ସମାଜରେ ବିଧବା ନାରୀର ସାମାନ୍ୟତମ ସମ୍ମାନ ନ ଥିଲା । ସମସ୍ତଙ୍କର ଘୃଣିତ ଚାହାଣୀର ଶିକାର ହେବାପାଇଁ ପଡ଼ୁଥିଲା ସେମାନଙ୍କୁ । ତେଣୁ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କୌଣସି ଉପାୟ ସେମାନଙ୍କ ପାଇଁ ନ ଥିଲା କହିଲେ ଚଳେ । ସେଇ ଆତ୍ମହତ୍ୟା ହିଁ ସତୀ ହେବାର ଅନ୍ୟ ନାମ ।

 

ନାରୀ ଜାତି ପ୍ରତି ତାହା ଚରମ ଅବହେଳା ବ୍ୟତୀତ ଆଉ କଣ ହୋଇପାରେ ? ଯଦି ଜଣେ ନାରୀ ତାର ସତୀତ୍ୱ ବଜାୟ ରଖିବାପାଇଁ ବା ସ୍ୱାମୀ ପ୍ରତି ତାହାର ପରମ ଆନୁଗତ୍ୟ ରହିଥିବାର ପ୍ରମାଣ ଦେଖାଇବା ପାଇଁ ମୃତ ସ୍ୱାମୀର ଚିତାଗ୍ନିରେ ନିଜକୁ ଝାସ ଦେଇପାରେ, ତେବେ ଜଣେ ପୁରୁଷ ତାର ସ୍ତ୍ରୀର ମୃତ୍ୟୁପରେ କିମ୍ବା ତାର ଜଣେ ଅତି ଆତ୍ମୀୟ ପୁରୁଷ, ଯଥା ପରିବାରର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି କିମ୍ବା ତାର ପିତାମାତାଙ୍କ ମୃତ୍ୟୁ ପରେ ପରେ କାହିଁକି ସେହି ଏକା ଚିତାନିଆଁରେ ଆତ୍ମୋତ୍ସର୍ଗ କରିବ ନାହିଁ ? ତା ହେଲେ ଧର୍ମ ଶାସ୍ତ୍ରସବୁ କଣ ଏକା ନାରୀଜାତି ପାଇଁ ଉଦ୍ଦିଷ୍ଟ ?

 

ଦେଶପ୍ରାଣ ମଧୁସୂଦନ-ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ

 

ପ୍ରଧାନ କଥା ଥିଲା ପ୍ରଚଳିତ ଧର୍ମଧାରଣାର ମୂଳ କେଉଁଠି, ତାର ଅନୁଧ୍ୟାନ କରିବା ପାଇଁ କେହି ଅଗ୍ରସର ହୋଇ ନ ଥିଲେ । ସେଇଥିଲାଗି ହିନ୍ଦୁ ପଣ୍ଡିତମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ନେଇଥିଲେ ରାମମୋହନ । ତାହାଙ୍କ ନିକଟରେ ଏକ ପ୍ରଧାନ ଅସ୍ତ୍ର ଥିଲା ଏବଂ ସେ ପାଶୁପତ ଅସ୍ତ୍ର ହେଲା ନୈତିକ ସାହସ ଏବଂ କେବଳ ନୈତିକ ସାହସ । ତାଙ୍କର ଦୃଢ଼ ମତ ଥିଲା ପୃଥିବୀରେ ଜନ୍ମଲାଭ କରିଥିବା ମଣିଷମାନଙ୍କର ସମାନ ଅଧିକାର ରହିବା ଉଚିତ ପ୍ରତି କ୍ଷେତ୍ରରେ । ପୁରୁଷ କିମ୍ବା ସ୍ତ୍ରୀମାନଙ୍କ ମଧ୍ୟରେ କୌଣସି ଫରକ ରହିବାର ଯଥାର୍ଥତା ନାହିଁ ।

 

ସେତେବେଳେ ସମାଜରେ ପ୍ରଚଳିତ ବିଭିନ୍ନ ସମସ୍ୟା ମଧ୍ୟରୁ ସତୀଦାହ ପ୍ରଥା ଥିଲା ସବୁଠାରୁ ନୃଶଂସ ଓ ଅମାନୁଷିକ । ତାଙ୍କରି ଦ୍ୱାରା ପ୍ରତିଷ୍ଠିତ ଆତ୍ମୀୟ ସଭାରେ ରାମମୋହନ ସେ ସମସ୍ୟାର ବିଭିନ୍ନ ଦିଗ ବାରମ୍ବାର ଆଲୋଚନା କରୁଥିଲେ ଓ ତତ୍‍କାଳୀନ ସମାଜରେ ନାରୀର ସ୍ଥାନ ନେଇ ଆଲୋଚନା କରୁଥିଲେ ।

 

ବାଲ୍ୟବିବାହ ସେତେବେଳକାର ବିଭିନ୍ନ ସାମାଜିକ ପ୍ରଚଳିତ ପରମ୍ପରା ମଧ୍ୟରୁ ଗୋଟିଏ ହୋଇଥିବା ଯୋଗୁଁ ଏହା ହିଁ ସମ୍ଭବ ହେଉଥିଲା ଯେ ପ୍ରକୃତରେ ଜଣେ ନାରୀ, ନାରୀତ୍ୱର ସ୍ୱାଦ ଉପଭୋଗ କରିବା ପୂର୍ବରୁ, ସେ ତାର ସ୍ୱାମୀସହ ସାଂସାରିକ ଜୀବନ ଯାପନ କରିବା ପୂର୍ବରୁ, ବୈଧବ୍ୟ ଯନ୍ତ୍ରଣାର ଶିକାର ହୋଇ ପଡ଼ୁଥିଲା । ପରିଣାମତଃ ସାରା ଜୀବନ ତା ପାଇଁ ହୋଇ ଉଠୁଥିଲା ଏକ ଅଭିଶାପ । ପ୍ରଚଳିତ ପରମ୍ପରାନୁକ୍ରମେ ପୁନର୍ବିବାହ ତା ଲାଗି ହୋଇପଡ଼ୁଥିଲା ଏକାନ୍ତ ଅସମ୍ଭବ ।

 

ବିଧବା ନାରୀ ସ୍ୱାମୀର ଚିତା ନିଆଁରେ ଝାସ ନ ଦେଇ ବିବାହ କରିବା ବୟସ ଥିଲେ ପୁଣି ଥରେ ବିବାହ କରିବା ଉଚିତ ବୋଲି ରାମମୋହନଙ୍କ ମତ ଥିଲା ଓ ସେ ନେଇ ଆତ୍ମୀୟ ସଭାରେ ମଧ୍ୟ ଅନେକ ବାର ଆଲୋଚିତ ହେଉଥିଲା । ତା ସହିତ ଆଲୋଚନା ହେଉଥିଲା ଏକାଧିକ ନାରୀ ସମ୍ଭୋଗ, ନିଶାସେବନ ଇତ୍ୟାଦି ବିଷୟ ପ୍ରସଙ୍ଗ । ସେଇଭଳି ଆତ୍ମୀୟ ସଭାର ଗୋଟିଏ ଅଧିବେଶନ ସମ୍ପର୍କରେ କଲିକତା ଜର୍ଣ୍ଣାଲ୍ ଲେଖିଥିଲା, “At the meeting in question, the necessity of an infant widow passing her life in a state of celibacy, the practice of poligamy and of suffering widows to burn with the corpse of their husbands were condemned”

 

ରାମମୋହନ ଯେପରି ସତୀପ୍ରଥାକୁ ବିଲୋପ କରିବାପାଇଁ ଆନ୍ତରିକ ଉଦ୍ୟମ କରି ସାମାଜିକ ସଂସ୍କାର ଆଣିଥିଲେ, ଠିକ୍ ସେହିଭଳି ସଫଳ ଉଦ୍ୟମ କରିଥିଲେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର । ଯଦିଓ ଥରକପାଇଁ ମଧ୍ୟ ସେ ଆତ୍ମୀୟ ସଭା କିମ୍ବା ବ୍ରାହ୍ମସମାଜର କୌଣସି ଆଲୋଚନା ସଭାରେ ଯୋଗ ଦେଇ ନ ଥିଲେ, ତଥାପି ସେଇ ଭାବଧାରାରେ ଅନୁପ୍ରାଣୀତ ହୋଇ ସେ ଉଦ୍ୟମ କରିଥିଲେ ସମାଜରେ ବିଧବା ବିବାହର ପ୍ରଚଳନ ଲାଗି । ସେ ଦୃଷ୍ଟିରୁ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଥିଲେ ସମାଜ ସଂସ୍କାରକ ରାଜା ରାମମୋହନଙ୍କ ଉତ୍ତରାଧିକାରୀ ।

ଯେତେବେଳେ ହିନ୍ଦୁ ନାରୀ ମର୍ମନ୍ତୁଦ ଯନ୍ତ୍ରଣା ଭୋଗ କରୁଥିଲା ମୃତ ସ୍ୱାମୀର ଚିତାନିଆଁ ଉପରେ ନିଜକୁ ଉତ୍ସର୍ଗ କରି, ଉପସ୍ଥିତ ଜନତା ତାର ଜୟଗାନ କରିବା ସଙ୍ଗେ ସଙ୍ଗେ, ତା ପ୍ରତି ସମବେଦନାରେ ବିଗଳିତ ହୋଇଗଲା ଭଳି ଛଳନା କରୁଥିଲେ । ଦୁଃଖ କରିବାର ଅଭିନୟ କରୁଥିଲେ କେବଳ । କିନ୍ତୁ ଅନେକ ସମୟରେ ସେଇମାନେ ହିଁ ବଳାତ୍କାର କରି ସତ୍ୟବିଧବା ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ତାକୁ ବାଧ୍ୟ କରୁଥିଲେ ସ୍ୱାମୀର ଚିତାନିଆଁରେ ଝାସ ଦେବାପାଇଁ । ସେମାନେ ନିଜେ ନିଜେ ଆଶ୍ରୟ ନେଉଥିଲେ ଧର୍ମର ଛତ୍ରଛାୟା ତଳେ । ସମାଜର ବ୍ରାହ୍ମଣ ଏବଂ ସଂସ୍କୃତ ପଣ୍ଡିତମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ । କିନ୍ତୁ ରାମମୋହନ ସେମାନଙ୍କ ସହିତ ଟକ୍‍କର ଦେବାପାଇଁ ଅଣ୍ଟା ଭିଡ଼ିଥିଲେ । ସେ ପ୍ରଚାର କରିଥିଲେ ଯେ ସତୀଦାହ ପ୍ରଥାକୁ ସମର୍ଥନ କରିବା ଭଳି କୌଣସି ନିୟମ ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ନଥିଲା । ତାହା କେବଳ କପୋଳକଳ୍ପିତ ଓ ତତ୍‍କାଳୀନ ହିନ୍ଦୁଧର୍ମକୁ ରକ୍ଷା କରାଯିବା ନାମରେ ବ୍ୟଭିଚାର ।

The Calcutta Journal Vol II,

ରାମମୋହନଙ୍କ ସେ ପ୍ରକାର ପ୍ରଚାରରେ ଇଷ୍ଟ ଇଣ୍ଡିଆ କଂପାନୀ ସରକାରଙ୍କ ସମେତ ସମାଜର ଉଚ୍ଚଶିକ୍ଷିତ ବ୍ୟକ୍ତିବୃନ୍ଦ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ତାର କାରଣ ଏକ ସୁସଂଗଠିତ ଓ ଶାଖା ପ୍ରଶାଖା ବିସ୍ତାରିତ କରିଥିବା ଭଳି ସୁସଂପ୍ରସାରିତ ଏକ ଅନୁଷ୍ଠାନର ବିରୋଧ କରିବାପାଇଁ ମାତ୍ର ଜଣେ ବ୍ୟକ୍ତି । ଅନେକେ ଅନୁଭବ କରିଥିଲେ ଯେତେବେଳେ ସମସ୍ତ ହିନ୍ଦୁ ପଣ୍ଡିତ ତଥା ଶାସ୍ତ୍ରଜ୍ଞଙ୍କୁ ବିରୋଧ କରିବା ପାଇଁ ହିନ୍ଦୁ ଶାସ୍ତ୍ର ସହିତ ସୁପରିଚିତ ଜଣେ ଶିକ୍ଷିତ ବ୍ୟକ୍ତି ଦୃଢ଼ପ୍ରତିଜ୍ଞ, ତାରି ଯୁକ୍ତିଗୁଡ଼ିକ ମଧ୍ୟରେ କିଛି ନା କିଛି ସତ୍ୟତା ଥିବା ହୁଏତ ଅସମ୍ଭବ ନୁହେଁ ।

ତତ୍‍କାଳୀନ ହିନ୍ଦୁ ସମାଜରେ ବ୍ରାହ୍ମଣମାନଙ୍କ ପ୍ରତିପତ୍ତି ଥିଲା ଅସାମାନ୍ୟ । ସ୍ୱୟଂ ଭଗବାନଙ୍କ ଜୀବନ୍ତ ପ୍ରତିନିଧି ରୂପେ ସେମାନେ କେବଳ ପରିଚିତ ନ ଥିଲେ, ପ୍ରତିଷ୍ଠିତ ମଧ୍ୟ ଥିଲେ-। ଭଗବାନଙ୍କ ତଥାକଥିତ ପ୍ରତିନିଧିମାନେ ସତୀ ହେବାପାଇଁ ସଦ୍ୟବିଧବା ନାରୀମାନଙ୍କୁ ବାଧ୍ୟ କରୁଥିଲେ ଏକ ପ୍ରକାର । ସେମାନଙ୍କ ଉପଦେଶ, ବରଂ ଆଦେଶ କହିଲେ ଅଧିକ ଯୁକ୍ତିଯୁକ୍ତ ହେବ, ଅମାନ୍ୟ କରିବାର କୌଣସି ପନ୍ଥା ନ ଥିଲା । ଅପର ପକ୍ଷରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କ ଉଦ୍ଦେଶ୍ୟ ଥିଲା ନିଜ ବ୍ୟବସାୟଗତ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଚେଷ୍ଟା ନ କରି ସେଭଳି ସାମାଜିକ ସମସ୍ୟାଗୁଡ଼ିକ ପ୍ରତି ଅଧିକ ନଜର ନ ଦେବା ।

ସେ ପ୍ରକାର ପରିସ୍ଥିତିରେ ସଦ୍ୟବିଧବା ନାରୀମାନେ ପ୍ରଚଳିତ ସାମାଜିକ ପରମ୍ପରାକୁ ବିନୀତ ଭାବରେ ସ୍ୱୀକାର କରିନେବା ବ୍ୟତୀତ ଅନ୍ୟ ପନ୍ଥା କିଛି ନ ଥିଲା । କୌଣସି ସାମାଜିକ ପ୍ରତିଷ୍ଠା ନ ଥାଇ କିମ୍ବା କୌଣସି ସାମାଜିକ ସ୍ଥିତି ନ ଥାଇ ଏକ ବିଧବା ନାରୀ ସମାଜରେ ବଞ୍ଚିରହି କ’ଣ ବା କରିପାରିବ ? କେବଳ ଯନ୍ତ୍ରଣା, ସାମାଜିକ ତାଡ଼ନା, ଲାଞ୍ଛନା ଓ ଅପମାନଭଳି ଗୁଡ଼ିଏ ବିଶେଷଣକୁ ଏକାନ୍ତଭାବେ ନିଜର ଭୂଷଣ କରି କେମିତି ବା ବଞ୍ଚି ରହିପାରିବ ? ତେଣୁ ନାରୀମାନେ ତତ୍‍କାଳୀନ ସମାଜରେ ମୃତ ସ୍ୱାମୀର ଚିତାରେ ନିଜକୁ ଧ୍ଵଂସ କରିବାପାଇଁ ବରଂ ଉଚିତ ମନେ କରୁଥିଲେ । ଜୀବନ୍ତ ମୃତ୍ୟୁ ଅପେକ୍ଷା ନିଜକୁ ମାଟିରେ ମିଶାଇ ଦେବାଲାଗି ଉଚିତ ମନେ କରିବା ବାସ୍ତବିକ୍ ଶ୍ରେୟସ୍କର ଥିଲା ।

ଏକ ଅମାନୁଷିକ ପ୍ରଥାକୁ ସାମାଜିକ ସ୍ଵୀକୃତି ଦେବା ମୂଳରେ ମଧ୍ୟ ଅନେକ କାରଣ ଥିଲା-। ବିଧବାନାରୀ ପରିବାର ଉପରେ ଏକ ବୋଝ ସ୍ଵରୂପ ପରିଗଣିତ ହେଉଥିଲା । ହିନ୍ଦୁଧର୍ମର ଏକ ନିୟମ ହିସାବରେ ସତୀପ୍ରଥାକୁ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା ପ୍ରକୃତରେ କୌଣସି ଶାସ୍ତ୍ରାନୁମୋଦିତ ନଥିଲା । କେବଳ ନିଜ ଉପରୁ ବୋଝ ଉତାରିବା ପାଇଁ ହିନ୍ଦୁଶାସ୍ତ୍ର, ହିନ୍ଦୁ ନିୟମର ଆବରଣ ତଳେ ସେଭଳି ପ୍ରଥାକୁ ଢାଙ୍କି ରଖାଇବା ଲାଗି ସମାଜର ରକ୍ଷଣଶୀଳ ବ୍ୟକ୍ତିବୃନ୍ଦ ଉଦ୍ୟମ କରିଥିଲେ ।

ଭାରତର ଅନେକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବିଧବା ନାରୀର ସ୍ଥାନ ଯେ ଅତି ନିମ୍ନ ସାମାଜିକ ସ୍ତରରେ ଅଛି, ଏକଥା ନିଃସନ୍ଦେହରେ କୁହାଯାଇପାରେ । ପ୍ରଥମତଃ ନାରୀସମାଜ ପୁରୁଷସମାଜ ସହ ସମାନ ସ୍ତରକୁ ଆସିପାରି ନାହିଁ । କେବଳ ଭାରତ କାହିଁକି, ପୃଥିବୀର ଅନ୍ୟ କେତେକ ଦେଶରେ ମଧ୍ୟ ବିଧବାନାରୀଙ୍କ ଅବସ୍ଥା ସେଇୟା । ତେଣୁ ବୋଧହୁଏ ୧୯୭୬ ମସିହାକୁ ନାରୀ ସମ୍ବତ୍ସର ରୂପେ ପାଳନ କରାଯିବାର ଉଦ୍ଦେଶ୍ୟ, ଭଗବାନଙ୍କ ସୃଷ୍ଟ ନାରୀ ଓ ପୁରୁଷକୁ ସମାନ ସ୍ତରକୁ ଆଣିବା ଲାଗି ବ୍ୟବସ୍ଥା କରିବା ।

ଯେତେବେଳେ ନାରୀ ଜାତିକୁ ପୁରୁଷ ଜାତିର ସମକକ୍ଷ କରାଇବା ପାଇଁ ୧୯୭୬ ମସିହାରେ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ତାର ପ୍ରାୟ ଦୁଇଶହ ବର୍ଷ ପୂର୍ବେ ସେମାନେ ଯେ କିପରି ଅବହେଳିତ ଅବସ୍ଥାରେ ଥିବେ, ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ । ସେତିକିବେଳର ସାମାଜିକ ପରିସ୍ଥିତିରେ ବିଶେଷ କରି ବିଧବା ନାରୀମାନେ ଏ ସମାଜ ପାଇଁ ଅବାଞ୍ଛିତ ମନେହେଉଥିଲେ । ଏପରି କି ଆଜି ସୁଦ୍ଧା ଭାରତର ଅନେକ ରକ୍ଷଣଶୀଳ ଜାତି ବିଧବାନାରୀମାନଙ୍କୁ ସାମାଜିକ ଶୁଭ ଉତ୍ସବମାନଙ୍କରେ ଅଂଶ ଗ୍ରହଣ କରିବା ସୁଯୋଗ ଦେଉନାହିଁ-। ବିବାହାଦି ଉତ୍ସବମାନଙ୍କରେ ସେମାନଙ୍କ ଅନୁପସ୍ଥିତ ହିଁ କାମନା କରାଯାଉଛି ।

ପ୍ରାୟ ପଚାଶ ବର୍ଷ ପୂର୍ବରେ ମଧ୍ୟ ଏପରି କି ବିଧବା ନାରୀମାନଙ୍କ ମସ୍ତକ କେଶ ବିହୀନ କରି ଲଣ୍ଡିତ କରି ଦିଆ ଯାଉଥିଲା ବଙ୍ଗଳା ଭଳି ରାଜ୍ୟରେ । ଏପରିକି ଆମ ରାଜ୍ୟରେ ମଧ୍ୟ ନାରୀ ବିଧବା ହେବା ମାତ୍ରେ ତା ଦେହରୁ ସମସ୍ତ ଅଳଙ୍କାର ଭୂଷଣ ବାହାର କରି ନିଆଯାଉଥିଲା ଓ ବର୍ତ୍ତମାନ ମଧ୍ୟ ଅନେକାଂଶରେ ତାହା ପ୍ରଚଳିତ । ରଙ୍ଗୀନ୍ ଶାଢ଼ୀ ଇତ୍ୟାଦି ସେମାନଙ୍କ ପରିଧାନ ଲାଗି ଥିଲା ଏକ ସ୍ଵପ୍ନ । ବସ୍ତ୍ରାଭରଣରେ ଆଡ଼ମ୍ବର ନ ଥିଲା । ଛୋଟ ଛୋଟ ପିଲାମାନେ ଲଣ୍ଡିତ ମୁଣ୍ଡ, ବିଚିତ୍ର ପୋଷାକ ଦେଖି ଭୟଭୀତ ହେବାର ଯଥେଷ୍ଟ କାରଣ ଥିଲା । କେବଳ ଦୁଇଓଳି ଦୁଇ ମୁଠା ଖାଇବା ପାଇଁ ତାକୁ ଆକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ୁଥିଲା ଓ ଚିର ଲାଞ୍ଛନା ସହିବାକୁ ପଡ଼ୁଥିଲା-। ନାରୀ ବିଧବା ହେବା ମାତ୍ରେ ମୃତ ସ୍ଵାମୀର ସମ୍ପତ୍ତି ଉପରେ କୌଣସି ଅଧିକାର ଜାହିର୍ କରିପାରୁ ନଥିଲା । ସେ ଥିଲା ସମାଜରେ ଅବାଞ୍ଛିତ ଏକ ବସ୍ତୁ ସ୍ୱରୂପ । ସେ ଯେତେ ଧନଶାଳୀ ହୋଇଥାଉ ପଛକେ ସ୍ୱାମୀର ମୃତ୍ୟୁ ପରେ ପରେ ସେତେବେଳର ସାମାଜିକ ନିୟମ ଅନୁଯାୟୀ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରରୁ ବଞ୍ଚିତ ରହୁଥିଲା ସେ ।

ସେ କ୍ଷେତ୍ରରେ ମୃତ୍ୟୁ ଶ୍ରେୟସ୍କର ବୋଲି ଗ୍ରହଣ କରିନେବା ବରଂ ଉଚିତ ବୋଲି ଅନେକ ସଦ୍ୟବିଧବା ମନେ କରୁଥିଲେ । ସମ୍ମାନ ଦେଉଥିଲେ ତଥାକଥିତ ହିନ୍ଦୁଶାସ୍ତ୍ରଗୁଡ଼ିକର ସତୀ ପ୍ରଥା ଭଳି ନିୟମ କାନୁନକୁ ଓ ପରମ୍ପରାକୁ ବାଧ୍ୟ ହୋଇ, ଆନ୍ତରିକଭାବେ ନୁହଁ ।

କିନ୍ତୁ ରାମମୋହନ ଥିଲେ ପରମ୍ପରା ବିରୋଧୀ । ଯେଉଁ ପରମ୍ପରା ଗୁଡ଼ିକୁ ବା ଯେଉଁ ପ୍ରଚଳିତ ସାମାଜିକ ଆଇନକାନୁନକୁ ହିନ୍ଦୁଧର୍ମ ସ୍ୱୀକୃତି ଦେଉ ନ ଥିଲା, ଯାହା ସମାଜର ମଙ୍ଗଳକର ନ ହୋଇ ହେଉଥିଲା ବରଂ କ୍ଷତିକାରକ, ଯାହା ଥିଲା ସାଧାରଣ ମାନବିକତାର ପ୍ରତିକୂଳ, ଯାହା ସମୂହ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେତେଜଣ ମୁଷ୍ଟିମେୟ ପଣ୍ଡିତ କିମ୍ବା ବ୍ରାହ୍ମଣମାନଙ୍କ ଗୁରୁତ୍ୱକୁ ଅଯଥା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ଥିଲା, ସେଗୁଡ଼ିକୁ ସ୍ୱୀକାର କରିବା ପାଇଁ ସେ ଆଦୌ ପ୍ରସ୍ତୁତ ନଥିଲେ । ସେ ଦର୍ଶାଇ ଦେବାକୁ ଚାହିଁଥିଲେ ଯେ ସତୀଦାହ ମଧ୍ୟ ହିନ୍ଦୁଧର୍ମ ବିରୋଧୀ । ତେଣୁ ସେ ନିଜେ ତଥା ତାହାଙ୍କ ସମର୍ଥକ ତଥା ଆତ୍ମୀୟ ସଭାର ସଦସ୍ୟମାନେ ଶ୍ମଶାନ ଭୂଇଁରେ ବୁଲି ବୁଲି ସଦ୍ୟବିଧବା ନାରୀମାନଙ୍କୁ ଅବାଞ୍ଛିତ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ତତ୍ପର ହୋଇ ଉଠିଥିଲେ ।

 

ସ୍ଥାୟୀ ଭାବରେ କଲିକତାରେ ବସବାସ କରି ରହିବା ପରେ ପରେ ରାମମୋହନ ପୂର୍ଣ୍ଣ ପ୍ରାଣରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ, ଜନତାର ସେବାପାଇଁ । ସେ ଆନ୍ତରିକ ଭାବେ ଉଦ୍ୟମ କରିଥିଲେ ଲୋକଙ୍କ ମନରୁ ଅଜ୍ଞାନ ଅନ୍ଧକାର ଦୂର କରି ଏକ ନୂତନ ଭାରତ ଗଠନ କରିବା ପାଇଁ-। ସେଥିଲାଗି ବିଭିନ୍ନ ମାଧ୍ୟମ ମଧ୍ୟରୁ ଗୋଟିଏ ଥିଲା ଆତ୍ମୀୟ ସଭା । ପୁଣି ସତୀଦାହ ପ୍ରଥାର ଉଚ୍ଛେଦ ଲାଗି ରାମମୋହନ ନିଜେ ପ୍ରସ୍ତୁତ ହୋଇ ସାରିଥିଲେ ପ୍ରଥମରୁ । ପରେ ପରେ ଆତ୍ମୀୟ ସଭାର ଅନେକ ସଦସ୍ୟ ପୂର୍ଣ୍ଣପ୍ରାଣରେ ତାହାଙ୍କ ଉଦ୍ୟମକୁ ଅନୁମୋଦନ କରିଥିଲେ ।

 

ଏକଲା ପଥର ପଥିକ ଥିବାବେଳେ ମଧ୍ୟ ତାଙ୍କର ସାମାନ୍ୟତମ ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ନ ଥିଲା । ଯାତ୍ରା ପଥରେ କାଳେ କେଉଁଠି ସଫଳକାମ ହୋଇ ପାରିବେ ନାହିଁ, ସେ ନେଇ ମଧ୍ୟ କୌଣସି ମାନସିକ ଦ୍ଵିଧା ନ ଥିଲା । ତାଙ୍କ ଆତ୍ମଜୀବନୀମୂଳକ ଆଲୋଚନାରେ ନିଜେ ରାମମୋହନ ଲେଖିଥିଲେ “My continued controversies with the Brahmins on the subject of their idolatory and superstitions and my interference with their custom of burning widows and other pernicious practices revived me.” ତାଙ୍କର ନିଜର ମାନସିକ ଦୃଢ଼ତା ଓ ସାମାଜିକ ସଂସ୍କାର କରିବା ପାଇଁ ସକଳ୍ପ ହିଁ ଅନେକ ଶିକ୍ଷିତ ବ୍ୟକ୍ତିଙ୍କୁ ତାଙ୍କର ନିକଟତମ କରାଇ ପାରିଥିଲା ।

 

ନିଜେ ରାମମୋହନ ଓ କେତେକ ସମର୍ଥକ ଗୋଷ୍ଠୀଗତ ଭାବେ ଶ୍ମଶାନମାନଙ୍କରେ ପ୍ରହରୀ ଭାବେ କାର୍ଯ୍ୟ କରିବାକୁ ଏକ ପ୍ରକାର ପେଷା ବୋଲି ଧରି ନେଇଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ସତୀ ହେବାଲାଗି ଅନିଚ୍ଛୁକ ଥିବା ସଦ୍ୟବିଧବା ନାରୀମାନଙ୍କୁ ଉଦ୍ଧାର କରିବା ।

 

ସେତେବେଳେ ସମାଜର ଅନ୍ଧ ଆମନୁଷିକ ପରମ୍ପରାକୁ ଗ୍ରହଣ କରି ସଦ୍ୟ ବିଧବା ସ୍ତ୍ରୀକୁ ସ୍ୱାମୀର ଚିତାଗ୍ନିରେ ଆତ୍ମାହୁତି ଦେବାକୁ ବାଧ୍ୟ କରାଯାଉଥିଲା, ଯେତେବେଳେ ସେମାନେ ଅନିଚ୍ଛୁକ ରହୁଥିଲେ । ଅଧିକାଂଶ କ୍ଷେତ୍ରରେ ବିଧବା ସ୍ତ୍ରୀକୁ ଜୁଇର ଜଳନ୍ତା କାଠ ସହିତ ଶକ୍ତ ଭାବରେ ବାନ୍ଧି ଦିଆଯାଉଥିଲା, ଯେପରିକି ସେ ସେଠାରୁ ବାହାରି ଚାଲି ନ ଆସେ ଅସହ୍ୟ ଯନ୍ତ୍ରଣାରେ ଅଧୀର ହୋଇ । ଅନେକ କ୍ଷେତ୍ରରେ ନାରୀମାନେ ଜଳନ୍ତା ଜୁଇ ଭିତରୁ ମର୍ମନ୍ତୁଦ ଯନ୍ତ୍ରଣାରେ ଅଧୀର ହୋଇ ବାହାରକୁ ଚାଲି ଆସିବାକୁ ଇଚ୍ଛା କରୁଥିଲେ ମଧ୍ୟ ଓ ଚାଲି ଆସିବାକୁ ଉଦ୍ୟମ ଆରମ୍ଭ କରିବା ମାତ୍ରେ ସେମାନଙ୍କୁ ଜବରଦସ୍ତ ଜାଳି ଦିଆଯାଉଥିଲା । ଶବଯାତ୍ରୀମାନେ ହାତରେ ଲମ୍ବା ଲମ୍ବା ବାଉଁଶ ଧରି ଜୁଇ ଚାରିପଟରେ ଯମଦୂତ ଭଳି ଛିଡ଼ା ହୋଇ ରହୁଥିଲେ ଓ ଜୁଇର ଅସହ୍ୟ ଉତ୍ତାପରୁ ମୁକ୍ତିପାଇଁ ସାମାନ୍ୟତମ ଉଦ୍ୟମକୁ ମଧ୍ୟ ସେମାନେ ପ୍ରତିହତ କରିବା ଲାଗି ଅତି ସତର୍କ ରହୁଥିଲେ ନୃଶଂସ ଭାବେ । ସେଇମାନଙ୍କ ବୁକୁଫଟା ଚିତ୍କାରରେ ଆକାଶ କମ୍ପି ଉଠୁଥିଲା ଅସ୍ଵାଭାବିକ ଭାବେ । କିନ୍ତୁ ତା ସତ୍ତ୍ୱେ ସମାଜର ଅଧିପତିମାନେ ସେମାନଙ୍କୁ ଅକାଳରେ ମରିବାକୁ ବାଧ୍ୟ କରୁଥିଲେ ଧର୍ମର ଦ୍ୱାହୀଦେଇ, ପରମ୍ପରାର ନଜିର ଦେଇ । ଏଣେ ଯନ୍ତ୍ରଣାକାଚର ନାରୀର ଅକାଳ ମୃତ୍ୟୁର କାରଣ ହୋଇ ମଧ୍ୟ ତାର ମୃତ୍ୟୁ ପାଇଁ ଦୁଃଖ କରିବାର କମ୍ ଛଳନା କରାଯାଉ ନ ଥିଲା । ଦର୍ଶକମାନେ ମନରେ ଗଭୀର କଷ୍ଟ ହେବାର ଅଭିନୟ କରୁଥିଲେ ମୃତ ନାରୀର କଷ୍ଟ ପାଇଁ ।

 

As stated by Raja Rammohan Ray Saummendranath Thakur

 

କି ଅଜବ ଥିଲା ଏ ସମାଜ !

 

ସେଇଥିପାଇଁ ହିଁ ସମାଜର ତଥାକଥିତ ମୁଖ୍ୟମାନଙ୍କ ଛଳନାର ମୁଖା ଖୋଲିଦେବାଲାଗି ଦୃଢ଼ ଆତ୍ମପ୍ରତ୍ୟୟ ନିଜ ଭିତରେ ସୃଷ୍ଟି କରିଥିଲେ ରାମମୋହନ । ଧର୍ମର ଅପବ୍ୟବହାର ସଂମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଦେବା ପାଇଁ ଆଗୁସାର ହୋଇଥିଲେ ସେ ।

 

କେବଳ କଲିକତା କାହିଁକି ସମଗ୍ର ଭାରତର ବିଦ୍ୱାନ ମଣ୍ଡଳୀଙ୍କ ବିରୁଦ୍ଧରେ ଏକାକୀ ରାମମୋହନ ଦଣ୍ଡାୟମାନ ହେବା ପରେ ପରେ ସତୀପ୍ରଥା ଉଚ୍ଛେଦ ହେବାପାଇଁ ଯେଉଁସବୁ ପଦକ୍ଷେପମାନ ନେଇଥିଲେ ଏବଂ ତା ବିରୁଦ୍ଧରେ ଯେଭଳି ଅକାଟ୍ୟ ଯୁକ୍ତିସବୁ ଉପସ୍ଥାପିତ କରିଥିଲେ, ତାର ପରିମାଣ ଅନେକଟା ଫଳପ୍ରଦ ହୋଇଥିଲା । କ୍ରମେ କ୍ରମେ ରାମମୋହନଙ୍କ ଯୁକ୍ତିର ଯୁକ୍ତିଯୁକ୍ତତାକୁ ପରଖି ଦେଖିବାଲଗି ଦେଶର କେତେଜଣ ଶିକ୍ଷିତ ବ୍ୟକ୍ତି ଆଗ୍ରହାନ୍ୱିତ ହୋଇ ଉଠିଥିଲେ । ତେଣୁ କ୍ରମଶଃ ଆତ୍ମୀୟ ସଭାର ସଭ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା ।

 

କେବଳ ସେତିକି ନୁହେଁ, ରାମମୋହନଙ୍କ ସେଭଳି ଉଦ୍ୟମ ଯୋଗୁଁ ଦେଶରେ କମ୍ପାନୀ ସରକାରଙ୍କ କର୍ମଚାରୀମାନଙ୍କ ସମତେ ଇଂରେଜମାନେ ମଧ୍ୟ ସେ ଦିଗରେ ଅନେକଟା ସଚେତନ ହୋଇ ଉଠିଥିଲେ । କମ୍ପାନୀ ସରକାର ତଥା ଇଂରେଜ ଲୋକେ ଭାରତରେ କୌଣସି ପ୍ରକାରେ ସେମାନଙ୍କର ସ୍ଥିତିକୁ ସାମାନ୍ୟତମ ହେଲେ ମଧ୍ୟ ବିଚଳିତ କରିବା ପାଇଁ ଚାହୁଁ ନ ଥିଲେ । ତଥାପି ମୁଷ୍ଟିମେୟ ହେଲେ ମଧ୍ୟ କେବଳ ରାମମୋହନ, ଆତ୍ମୀୟସଭା ଏବଂ ତାଙ୍କରି ସମର୍ଥକମାନଙ୍କ ଦୃଢ଼ତା ସେ ପ୍ରକାର ଭାବେ ସଚେତନ କରାଇଦେଇ ପାରିଥିଲେ । ଏବଂ ସବୁରି ସତ୍ତ୍ୱେ କେତେଜଣ ତୁଙ୍ଗ ଇଂରେଜ ବ୍ୟକ୍ତି, ସତୀପ୍ରଥାକୁ ବେଆଇନ କରାଯିବା ପରେ ମଧ୍ୟ ଉଚିତ ପଦକ୍ଷେପ ନିଆଗଲା ବୋଲି ବିବେଚନା କରି ନ ଥିବା ପରିତାପର ବିଷୟ ।

 

ସେଭଳି ପରିସ୍ଥିତି ଓ ସାମାଜିକ ହିଁ ରାମମୋହନଙ୍କୁ ଅଧିକ ପ୍ରେରଣା ଯୋଗାଇଥିଲା ହିନ୍ଦୁଧର୍ମ ଗ୍ରନ୍ଥଗୁଡ଼ିକୁ, ବେଦ ବେଦାନ୍ତଗୁଡ଼ିକୁ ଦେଶୀୟ ଓ ଇଂରାଜୀ ଭାଷାର, ସହଜ ଓ ସରଳ ଭାବରେ ସମଗ୍ର ଜନଗଣଙ୍କ ସମ୍ମୁଖରେ ଉପସ୍ଥାପିତ କରାଇବା ପାଇଁ । ଉଦ୍ଦେଶ୍ୟ, ହିନ୍ଦୁପଣ୍ଡିତମାନଙ୍କ ସ୍ଵାର୍ଥ ସାଧନପାଇଁ ସେମାନେ ଯେପରି ଧର୍ମର ଅପପ୍ରଚାର କରାଉଥିଲେ ଓ ବିଭିନ୍ନ କୁପ୍ରଥାଗୁଡ଼ିକୁ ଧର୍ମର ଦ୍ଵାହୀଦେଇ ଅଜ୍ଞ ସମାଜ ଉପରେ ଲଦି ଦେଉଥିଲେ, ସେ ସବୁର ସ୍ୱରୂପ ପଦାରେ ପକାଇବା ପାଇଁ ।

Image

 

ଆଠ

Unknown

ସତୀଦାହର ଶେଷଶିଖା

 

ଅତୀତ ଇତିହାସର ପୃଷ୍ଠା ଚାରଣ କଲେ ଜଣାଯାଏ, ଭାରତର ଶାସକମାନେ ମଧ୍ୟ ପ୍ରଚଳିତ ସାମାଜିକ ପରମ୍ପରା ସତୀଦାହ ପ୍ରଥାର ସମର୍ଥନ କରି ନ ଥିଲେ । ଏ ଦେଶର ମୁସଲମାନ ଶାସକ ଗୋଷ୍ଠୀ ସେ ପ୍ରଥାର ବିଲୋପ ସାଧନ ପାଇଁ ଚେଷ୍ଟିତ ଥିଲେ । ଆକବର ଯଦିଓ ସେ ପ୍ରକାର ପରମ୍ପରାର ବିରୋଧି ଥିଲେ, ତଥାପି କୌଣସି ପ୍ରକାରର ବାଧ୍ୟବାଧକତାରୁ ସେ ପସନ୍ଦ କରି ନ ଥିଲେ ଏବଂ ସେଇଥିପାଇଁ ସତୀଦାହ ବିରୁଦ୍ଧରେ କୌଣସି ପ୍ରକାର ଆଇନକାନୁନ୍ ସୃଷ୍ଟି କରି ନ ଥିଲେ । ଜାହାଙ୍ଗୀର କିନ୍ତୁ ଆଉ ପାଦେ ଅଧିକ ଆଗେଇ ଯାଇଥିଲେ । ସେ ବିବେଚନା କରିଥିଲେ ଯେଉଁମାନେ ସତୀଦାହ ପ୍ରଥାକୁ ସମର୍ଥନ କରୁଥିଲେ ସେମାନଙ୍କ ପାଇଁ କିଛି କହିବାର ନ ଥିଲା, ଯେଉଁମାନେ ନିଜ ସ୍ଵାମୀର ଚିତାଗ୍ନିରେ ମନକୁ ମନ ଝାସ ଦେଉଥିଲେ ନିଜର ମୁକ୍ତି ପାଇଁ, ସେମାନଙ୍କ ଲାଗି କିଛି କରାଯିବା ଉଚିତ ନଥିଲା, କିନ୍ତୁ ଧର୍ମକୁ ଦ୍ଵାହୀ ଦେଇ ହେଉ ବା ଅନ୍ୟ ଯେ କୌଣସି କାରଣରୁ ହେଉ ସତୀ ହେବା ପାଇଁ ଜଣକୁ ଯେଉଁମାନେ ବାଧ୍ୟ କରିବେ ସେମାନେ ମଧ୍ୟ ନିଜ ଜୀବନକୁ ବଞ୍ଚାଇ ରଖିବାର ଅଧିକାର ପାଇବେ ନାହିଁ ।

 

ମୃତ୍ୟୁଦଣ୍ଡ ହିଁ ସତୀ ହେବା ପାଇଁ ବାଧ୍ୟ କରୁଥିବା ଲୋକଙ୍କର ଉପଯୁକ୍ତ ଶାସ୍ତି ।

 

ଆଉରଙ୍ଗଜେବ୍ ଘୋଷଣା କରିଥିଲେ ତାଙ୍କରି ସାମ୍ରାଜ୍ୟ ଭିତରେ ଜୀବନ୍ତ ବ୍ୟକ୍ତି ବିଶେଷକୁ ଧର୍ମ ନାମରେ ଭସ୍ମୀଭୂତ ହେବାପାଇଁ ସେ ଦେବେ ନାହିଁ ।

 

କିନ୍ତୁ ହିନ୍ଦୁ ଧର୍ମର ଅଧିକାଂଶ ନେତୃସ୍ଥାନୀୟ ବ୍ୟକ୍ତି ସତୀଦାହ ପ୍ରଥା ଉଚ୍ଛେଦ କରିବା ବିରୁଦ୍ଧରେ ମତପ୍ରକାଶ କରିଥିଲେ ଧର୍ମର ଦ୍ଵାହୀ ଦେଇ । ଅନେକ ବିଳମ୍ବରେ ହେଲେ ମଧ୍ୟ ଜଣେ ଭାରତୀୟ ସାଧାରଣ ନାଗରିକ ସାହସ ସଞ୍ଚୟ କରିଥିଲେ ପ୍ରତ୍ୟେକ ସାମାଜିକ କାର୍ଯ୍ୟକଳାପ ସହ ଯେଉଁ ଧର୍ମର ଭଣ୍ଡ ଆବରଣଟିଏ ଦିଆଯାଇ ନିରାପଦ ରଖା ଯାଉଥିଲା, ସେ ଆବରଣଟିକୁ ନିଷ୍ଠୁର ଭାବରେ ଖୋଲିଦେବା ପାଇଁ- ସେଇ ମହାପୁରୁଷ ଜଣକ ଥିଲେ ରାଜା ରାମମୋହନ ରାୟ । ତାଙ୍କ ପୂର୍ବରୁ ସେଭଳି ଉଦ୍ୟମ କରିବାପାଇଁ କେହି ଆଗେଇ ଯାଇ ନ ଥିଲେ ବରଂ ସାହସ କରି ନ ଥିଲେ କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ ।

 

ରାମମୋହନ ଓ ତାଙ୍କର ସମର୍ଥକମାନେ ଶ୍ମଶାନରେ ଅନେକ ସମୟରେ ପ୍ରହରୀ କାର୍ଯ୍ୟ କରୁଥିଲେ ପ୍ରାୟ । ଉଦ୍ଦେଶ୍ୟ: ସତୀ ହେବାକୁ ଯାଉଥିବା ସଦ୍ୟ ବିଧବା ନାରୀମାନଙ୍କୁ, ଅଯଥା ଏକ ଜୀବନଦୀପ ନିର୍ବାପିତ ହେବା ପୂର୍ବରୁ, ରକ୍ଷା କରିବା । ସେଇଥିପାଇଁ ତାହାଙ୍କୁ ଅନେକ ପ୍ରକାର ଲାଞ୍ଛନା ସହ୍ୟ କରିବାକୁ ପଡ଼ିଥିଲା । ଏପରି ବି ଘଟିଥିଲା ଥରେ । ଏମିତି ଗୋଟାଏ ଘଟଣାରେ ଜଣେ ସଦ୍ୟ ବିଧବା ସତୀ ହେବାପାଇଁ ଅନିଚ୍ଛୁକ ଥିଲା ଏବଂ ତାହାକୁ ରକ୍ଷା କରିବା ପାଇଁ ରାମମୋହନ ଓ ତାଙ୍କ ଦଳ ତତ୍ପର ହୋଇ ଉଠିଥିଲେ । କିନ୍ତୁ ଉକ୍ତ ବିଧବାର ଆତ୍ମୀୟମାନେ ଓ ସମାଜର ତଥାକଥିତ ବଡ଼ପଣ୍ଡା-ବ୍ରାହ୍ମଣ ପୁରୋହିତମାନେ ରାମମୋହନ ଓ ତାଙ୍କ ଗୋଷ୍ଠୀକୁ ମୁସଲମାନ ସଂପ୍ରଦାୟ ବୋଲି ମିଛି ମିଛି ଅଭିଯୋଗ କରି ସେମାନଙ୍କୁ ଚିତଗ୍ନି ନିକଟକୁ ଆସିବାର ସୁଯୋଗ ଦେଇ ନ ଥିଲେ ।

 

ତତକାଳୀନ ସମାଜର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ମାନବିକତାର ଅଭାବ ହିଁ ରାମମୋହନଙ୍କୁ ସବୁଠାରୁ ବିଶେଷଭାବେ ମର୍ମାହତ କରିଥିଲା । ତା ସତ୍ତ୍ଵେ ସେ ଥିଲେ ଶାନ୍ତ ଏବଂ ଅବିଚଳିତ । ଅଧିକାଂଶ ସମୟରେ ସେ ସମାଲୋଚିତ ହେଉଥିଲେ । ତାଙ୍କ ସଙ୍ଗଠନ ନିନ୍ଦିତ ହେଉଥିଲା । ବ୍ୟକ୍ତିଗତ ଭାବେ ଅନେକ କୁତ୍ସାରଟନା ହେଉଥିଲା ତାଙ୍କ ନାମରେ । ଅଯୌକ୍ତିକ ସମାଲୋଚନାଗୁଡ଼ିକୁ ସେ ଆଦୌ ଖାତିର୍ କରୁ ନ ଥିଲେ ବା ସାମାନ୍ୟତମ ଗୁରୁତ୍ଵ ମଧ୍ୟ ଆରୋପ କରୁ ନ ଥିଲେ ।

 

ଇଂରେଜ ସରକାରୀ କର୍ମଚାରୀମାନେ ଯେ ସତୀଦାହ ସମ୍ପର୍କରେ ଜାଣୁ ନଥିଲେ ତା ନୁହେଁ, ବରଂ ସେମାନେ ମନେକରୁଥିଲେ, ସେ ନେଇ ସରକାରୀ ଭାବରେ କିଛି ପ୍ରତିକାର କରା ନ ଯାଉ । ହୁଏତ ସରକାରୀ କଳ ବିରୁଦ୍ଧରେ ସ୍ଵର ଉତ୍ତୋଳନ ହେବା ଭୟ ସେମାନଙ୍କୁ ସେଥିରୁ ନିବୃତ୍ତ କରାଉଥିଲା । ସେଭଳି ସରକାରୀ ବିବେଚନାର କାରଣ ମଧ୍ୟ ଯଥାର୍ଥ ଥିଲା । ସତୀଦାହ ବିରୁଦ୍ଧରେ ଭାରତରେ ଲୋକମତ ଆଦୌ ନ ଥିଲା ବରଂ ସପକ୍ଷରେ ଥିଲା ବହୁତ ବେଶୀ ।

 

ପୁଣି ହିନ୍ଦୁ ଆଇନର ଉପଦେଷ୍ଟା ହିସାବରେ ଯେଉଁମାନେ ସରକାରଙ୍କୁ ଆଇନ ସଂକ୍ରାନ୍ତୀୟ ପରାମର୍ଶମାନ ଦେଉଥିଲେ, ସେମାନେ ଥିଲେ ହିନ୍ଦୁ ଶାସ୍ତ୍ରଜ୍ଞ ପଣ୍ଡିତ । ତେଣୁ ଯେତେବେଳେ ସତୀପ୍ରଥା ସହ ଧର୍ମର ସମ୍ପର୍କ ନେଇ ସରକାର ପରାମର୍ଶ ଚାହୁଁଥିଲେ, ସେ ପରାମର୍ଶ ଯେ ଦେଉଥିଲେ ସେମାନେ ରକ୍ଷଣଶୀଳ ଗୋଷ୍ଠୀର । ଏହାଦ୍ଵାରା ଯେ ନିଶ୍ଚିତ ଭାବେ ତାଙ୍କ ସ୍ୱର୍ଥାହାନୀ ହେଉଥିଲା, ସେଥିରେ ଆଉ ସନ୍ଦେହ ବା କଣ କରାଯାଇପାରେ ।

 

ରାମମୋହନ କିନ୍ତୁ ଅନୁଭବ କରିଥିଲେ ଯେ, ଯଦି ସରକାରୀ ସୂତ୍ରରେ କିଛି ନିୟମ କାନୁନ୍ କରା ନ ଯାଏ, ତା ହେଲେ ସତୀଦାହ ପ୍ରଥା ଉଚ୍ଛେଦ କରିବା ପାଇଁ ତାହାଙ୍କ ସମସ୍ତ କାର୍ଯ୍ୟକଳାପ ଜନସାଧରଣଙ୍କ ଉପରେ ସେଭଳି ବିଶେଷ କିଛି ପ୍ରଭାବ ପକାଇ ପାରିବ ନାହିଁ ଏବଂ ଏହା ମଧ୍ୟ ସେ ବିବେଚନା କରିଥିଲେ ଯେ ସେ ନେଇ ଯଦି କିଛି ଜନମତ ଜନସାଧାରଣଙ୍କ ତରଫରୁ କୌଣସି ଦାବୀ ଉଠିବ ନାହିଁ, ତାହେଲେ ସରକାର ମଧ୍ୟ ସେ ଦିଗରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ ।

 

ଅନ୍ତତଃ ଶିକ୍ଷିତ ସମାଜକୁ ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକ ସମ୍ପର୍କରେ ସଚେତନ କରାଇବା ସଙ୍ଗେ ସଙ୍ଗେ ଇଂରେମାନଙ୍କୁ ଭାରତରେ ପ୍ରଚଳିତ ବିଭିନ୍ନ ସାମାଜିକ ପରମ୍ପରା ଓ ତଦଜନୀତ ସଂଶ୍ଳିଷ୍ଟ ରହିଥିବା ଅନ୍ଧବିଶ୍ୱାସଗୁଡ଼ିକ ସହିତ ହିନ୍ଦୁ ଧର୍ମର ସମ୍ପର୍କହୀନତା ନେଇ ଅବହିତ କରାଇ ଦେବାପାଇଁ ରାମମୋହନ ମୂଳ ଧର୍ମଗ୍ରନ୍ଥଗୁଡ଼ିକର ଅନୁବାଦ କରି ବିଭିନ୍ନ ତର୍ଜମା କରିଥିଲେ ବଙ୍ଗଳା ଓ ଇଂରେଜୀ ଭାଷାରେ । ତାଙ୍କର ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଥିଲା । ଇଂରେଜ ବୁଦ୍ଧିଜୀବୀ ତଥା ଶାସକବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା ତାଙ୍କ ଇଂରେଜୀ ଅନୁବାଦଗୁଡ଼ିକ । କଲିକତା ଜରନାଲ୍ ଏବଂ କଲିକତା ଗେଜେଟ୍ ରାମମୋହନଙ୍କ ଉଚ୍ଛ୍ୱସିତ ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲା ।

 

କେବଳ ରାମମୋହନ ନୁହନ୍ତି, ଆତ୍ମୀୟ ସଭାର ସଭ୍ୟମାନେ ବ୍ୟକ୍ତିଗତ ଭାବରେ ଓ ସମୂହ ଭାବରେ ଉଦ୍ୟମ କରିବାରେ ଅବହେଳିତ ନ ଥିଲେ ଦେଶରୁ ସତୀଦାହ ପ୍ରଥାର ଉଚ୍ଛେଦ ପାଇଁ । ସ୍ଵାମୀ ହରିହର ନନ୍ଦ ତୀର୍ଥସ୍ୱାମୀ ରାମମୋହନଙ୍କ ଜଣେ ବାଲ୍ୟବନ୍ଧୁ ଏବଂ ତାଙ୍କ ଚିନ୍ତାଧାରାର ସମର୍ଥକ ୧୮୧୮ ମସିହା ମାର୍ଚ୍ଚ ୨୭ ତାରିଖଦିନ ତତକାଳୀନ ଭାରତ ସରକାରଙ୍କର ମୁଖପତ୍ର ଭାରତୀୟ ଗେଜେଟକୁ ଗୋଟିଏ ପତ୍ରରେ ଲେଖିଥିଲେ ଯେ, ବିଧବା ନାରୀମାନେ ସ୍ୱାମୀର ଚିତାଗ୍ନିରେ ଆତ୍ମାହୁତି ଦେବା କିମ୍ବା ସେପ୍ରକାର କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାଭଳି କାର୍ଯ୍ୟକୁ ବେଆଇନଭାବେ ଘୋଷଣା କରାଯାଇଥିଲେ ମଧ୍ୟ, ତାହାକୁ ହତ୍ୟାସହ ସମକକ୍ଷ କରାଯାଇଥିଲେ ମଧ୍ୟ ସେ ପ୍ରଥା ବର୍ତ୍ତମାନ ମଧ୍ୟ ସମାଜରେ ବହୁ ପ୍ରଚଳିତ । “At this I cannot help astonishment, as am at a loss to conceive how persons can reconcile themselves to the stigma of being accused of woman murder...I feel also both surprise and regret that European gentlemen, who boast of the humility and morality of their religion, should conduct themselves towards persons who submit quitely to the imputation of murder with the same politeness and kindness they would show to the most respectable person” ସେଥିରେ ସେ ଲେଖିଥିଲେ, ଯେଉଁ ଇଉରୋପୀୟମାନେ ମାନବିକତା ଓ ଧର୍ମର ଜୟଗାନ କରନ୍ତି, ଯେଉଁମାନେ ନୈତିକତାକୁ ଉଚ୍ଚସ୍ଥାନ ଦିଅନ୍ତି, ଯେଉଁମାନେ ନ୍ୟାୟ ବିଚାରର ସପକ୍ଷବାଦୀ, ସେଇମାନେ ଭାରତୀୟ ସମାଜର ଜଣେ ସମ୍ମାନନୀୟ ବ୍ୟକ୍ତିକୁ ଯେଉଁ ଆସନ ଦେଉଛନ୍ତି–ନାରୀ ହତ୍ୟାକାରୀମାନଙ୍କୁ ବି ଠିକ୍ ସେହି ଆସନରେ ଆସୀନ କରାଇବା ଅତ୍ୟନ୍ତ ପରିତାପର ବିଷୟ ନିଶ୍ଚୟ ।

 

As Produced in Raja RamMohan Roy-Jamuna Nag

 

ଭାରତୀୟ ନବଜାଗରଣର ଜନକ ରାମମୋହନ ସତୀଦାହ ସମ୍ପର୍କରେ ଏପରିଭାବରେ ସୁନ୍ଦର, ସରଳ ଓ ସାବଲୀଳ ଭାଷାରେ ନିଜକୁ ଅନ୍ୟମାନଙ୍କ ନିକଟରେ ଉପସ୍ଥାପିତ କରୁଥିଲେ ଯେ, କ୍ରମେ କ୍ରମେ ସାଧାରଣ ଶିକ୍ଷିତ ଜନତା ତାହାଙ୍କ ଯୁକ୍ତିଗୁଡ଼ିକୁ ସହୃଦୟତାର ସହିତ ଅନୁଶୀଳନ କରିବାପାଇଁ ଆଗ୍ରହ ପ୍ରକାଶ କରୁଥିଲେ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ଯୁବକ ଶିକ୍ଷାବିତଙ୍କ ଉପରେ ସେ ଅଖଣ୍ଡ ନୈତିକ ପ୍ରଭାବ ପକାଇ ପାରିଥିଲେ ଓ ପରିଣାମତଃ ସେ ମଧ୍ୟ ରାଜାଙ୍କ ଭଳି ବିଭିନ୍ନ ସାମାଜିକ ସଂସ୍କାର ପାଇଁ ଭାରତବାସୀଙ୍କ ପୂଜ୍ୟ ପବିତ୍ର ଧର୍ମଗ୍ରନ୍ଥଗୁଡ଼ିକୁ ହିଁ ମାଧ୍ୟମ କରିଥିଲେ । ଉଭୟେ ଭାରତର ସୁବର୍ଣ୍ଣ ଅତୀତକୁ ଜନମାନସ ସମ୍ମୁଖରେ ଉପସ୍ଥାପିତ କରିବାପାଇଁ ଉଦ୍ୟମ କରିଥିଲେ ସାମାଜିକ ସଂସ୍କାର ପାଇଁ । ସେ ସତୀପ୍ରଥାର ବିଲୋପପାଇଁ ହେଉ ବା ହେଉ ବିଧବା ନାରୀର ପୁନର୍ବିବାହ ପାଇଁ । ସେଭଳି ଉଦ୍ୟମର ଉଦ୍ଦେଶ୍ୟ ନ ଥିଲା ଉଭୟେ ରାମମୋହନ ବା ବିଦ୍ୟାସାଗର ଜଣେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ଥିଲେ ବୋଲି ସମାଜ ଆଗରେ ନିଜକୁ ପ୍ରତିଷ୍ଠା କରାଇବା, ଅଥବା ନିଜ ନିଜର ବୁଦ୍ଧିମତ୍ତାର ଅଭାବଯୋଗୁଁ ଶାସ୍ତ୍ରଗୁଡ଼ିକର ସାହାଯ୍ୟ ନେବା କିମ୍ବା ନିଜ ମତଗୁଡ଼ିକୁ ଉପଯୁକ୍ତଭାବେ ଯୁକ୍ତିସଙ୍ଗତ କରାଇ ପାରିବା । ସେଭଳି ଉଦ୍ୟମର ପ୍ରଧାନ ଉଦ୍ଦେଶ୍ୟ ଥିଲା ଜନଗଣଙ୍କ ବିଶ୍ୱାସ ଯେଉଁ ଧର୍ମଶାସ୍ତ୍ରଗୁଡ଼ିକ ସହିତ କେଉଁ ଆବହମାନ କାଳରୁ ଓତପ୍ରୋତ ଭାବରେ ଜଡ଼ିତ ଏବଂ ଯେଉଁ ଧର୍ମଗ୍ରନ୍ଥଗୁଡ଼ିକୁ ହିନ୍ଦୁମାନେ ଅତି ପବିତ୍ର ବୋଲି ବିବେଚନା କରନ୍ତି ସେଇଗୁଡ଼ିକଦ୍ୱାରା ହିଁ ସମର୍ଥିତ ବିଷୟାବଳୀ ଜନଗଣଙ୍କ ନିକଟରେ ଉପସ୍ଥାପିତ କରିବା । ସେମାନେ ଚାହୁଁଥିଲେ, ଯେଉଁ ସାମାଜିକ ଅନ୍ଧବିଶ୍ୱାସକୁ ଓ ପରମ୍ପରାଗୁଡ଼ିକୁ ଉକ୍ତ ପବିତ୍ର ଧର୍ମଗ୍ରନ୍ଥଗୁଡ଼ିକ ଅନୁମୋଦନ କରେନାହିଁ, ସେଗୁଡ଼ିକୁହିଁ ସମାଜ ପରିହାର କରୁ ।

 

ଏ ସବୁ ସତ୍ୱେ ଯଦିଓ କସ୍ମିନ୍ କାଳେ ରାମମୋହନଙ୍କୁ ପ୍ରବଳ ଜନ ସମର୍ଥନ ମିଳିବା ବଦଳରେ କେବଳ ନିନ୍ଦା, ଅପମାନ, ଅପବାଦ, ଅଯଥା ଉତ୍ସାର୍ନା ଓ ଜନସାଧାରଣ ସମ୍ମୁଖରେ କୁତ୍ସା ରଟନାର ଭାରବାହୀ ହେବାକୁ ପଡ଼ିଥିଲା ତଥାପି ତାଙ୍କର ଅମୀୟ ସ୍ୱଭାବ ଓ ନିଜ ମତର ଅକାଟ୍ୟ ଯୁକ୍ତି ହିଁ ତାହାଙ୍କ ସମର୍ଥକ ଗୋଷ୍ଠୀ ସଂଗଠନ କରିବା ପାଇଁ ସହାୟକ ହୋଇଥିଲା ।

 

ସତୀଦାହ ପ୍ରଥାକୁ ବନ୍ଦ କରିବାପାଇଁ ରାମମୋହନ ଓ ସରକାରଙ୍କ ବିଭିନ୍ନ ଉଦ୍ୟମ ଫଳରେ ଜନଗଣ ଅନେକଟା ସଚେତନ ହୋଇ ଉଠିଥିଲେ । କେତେକ କ୍ଷେତ୍ରରେ ସରକାରୀ ଭୟ ଏବଂ “ସତୀ” ହେବାର ଅବାସ୍ତବ ଯୁକ୍ତି ଶିକ୍ଷିତ ଜନଗଣଙ୍କ ହୃଦୟରେ ଆନ୍ଦୋଳିତ ହୋଇଥିଲା । ପରିଣାମତଃ ସତୀଦାହ ପ୍ରଥା ଅଧିକ ପ୍ରସାରିତ ହୋଇ ନ ଥିଲେ ମଧ୍ୟ ଅତ୍ୟଧିକ ପରିମାଣରେ ସଙ୍କୁଚିତ ହୋଇ ନ ଥିଲା । ତେବେ ବ୍ରାହ୍ମଣମାନେ ଅବ୍ରାହ୍ମଣ ଗୋଷ୍ଠୀ ଉପରେ ପୂର୍ବଭଳି ଆଧିପତ୍ୟ ବିସ୍ତାର କରି ରହିଥିଲେ ଓ ସମାଜର ତଥାକଥିତ ନିମ୍ନସ୍ତରୀୟ ଜାତିଗୁଡ଼ିକ ଉଚ୍ଚ ଜାତୀୟ ଲୋକଙ୍କ ଉପଦେଶ ବରଂ ଆଦେଶକୁ ଅମାନ୍ୟ କରିବାଭଳି ଶକ୍ତି ସଞ୍ଚୟ କରିପାରି ନ ଥିଲେ ।

 

ସତୀ ପ୍ରଥା ଉଚ୍ଛେଦ ସପକ୍ଷରେ ପ୍ରଚାର କରିବାପାଇଁ ଓ ଜନମତକୁ ଜାଗ୍ରତ କରାଇବା ପାଇଁ ରାମମୋହନ ମନେ କରିଥିଲେ ସମ୍ବାଦପତ୍ର ହିଁ ଏକ ପ୍ରକୃଷ୍ଟ ମାଧ୍ୟମ । ସେଥିପାଇଁ ସବୁବେଳେ କର୍ମତତ୍ପର ଥିଲା ସମ୍ବାଦ କୌମୁଦୀ । ଯଦିଓ କୌଣସି ପ୍ରକାର ଦୃଢ଼ ପଦକ୍ଷେପ ହଠାତ୍ ନେବା ସପକ୍ଷରେ ରାମମୋହନ ନ ଥିଲେ, ତଥାପି ସେ ଚାହିଁଥିଲେ ତାଙ୍କ ଆନ୍ଦୋଳନର ଗତି କୌଣସିମତେ ଧିମେଇ ନ ଯାଉ ଏବଂ ଯଥାରୀତି ସମ୍ବାଦପତ୍ରଗୁଡ଼ିକରେ ସତୀପ୍ରଥା ବିରୁଦ୍ଧରେ ବିଧିବଦ୍ଧଭାବେ ସମାଲୋଚନାମୂଳକ ପ୍ରଚାର କରାଯାଉ । ସେ ମନେ କରିଥିଲେ ହଠାତ୍ କୌଣସି ପ୍ରକାର ଦୃଢ଼ ପଦକ୍ଷେପମାନ ଗ୍ରହଣ କରାଗଲେ ତାହା ଜନମାନସରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବାଞ୍ଛିତ ଉଦ୍ଦେଶ୍ୟ ସାଧିତ ହେବା ଦିଗରେ ଅନ୍ତରାୟ ସୃଷ୍ଟି କରିପାରେ । ତେଣୁ ପୂର୍ବଧାରା ବଜାୟ ରଖିବାପାଇଁ ଓ ଜନମାନସରେ ସତୀଦାହ ପ୍ରଥା ପ୍ରତି ବିତୃଷ୍ଣା ଜାତ କରାଇବା ପାଇଁ ସମ୍ବାଦପତ୍ର ମାଧ୍ୟମରେ ପ୍ରଚାର ଏବଂ ସାଧାରଣ ସଭାମାନଙ୍କର ମାଧ୍ୟମ ହିଁ ଥିଲା ପ୍ରକୃଷ୍ଟ ପନ୍ଥା-

 

ରାମମୋହନଙ୍କ ବିବେଚନା ହିଁ ସତ୍ୟ ଥିଲା ।

 

ସେଇ ସମୟରେ ପତ୍ରପତ୍ରିକାମାନଙ୍କରେ ସତୀଦାହ ପ୍ରଥାର ସପକ୍ଷରେ ଓ ବିପକ୍ଷରେ ଯେଭଳି ଯୁକ୍ତିସଙ୍ଗତ ଲେଖାମାନ ପ୍ରକାଶ ପାଇଥିଲା, ସେଗୁଡ଼ିକ ପ୍ରକୃତରେ ସାଧାରଣ ଜନମାନସରେ ପ୍ରଭୂତ ପ୍ରଭାବ ପକାଇ ପାରିଥିଲା । ପ୍ରକୃତ ପକ୍ଷରେ ତାହାହିଁ ସାମାଜିକ ପରିବର୍ତ୍ତନ ଲାଗି ଉପଯୁକ୍ତ ଜନମତ ସୃଷ୍ଟି କରି ପାରିଥିଲା କହିଲେ ଚଳେ । ସମାଜର ଶିକ୍ଷିତ ଗୋଷ୍ଠୀଙ୍କୁ ସଚେତନ କରାଇବାଲାଗି ତାହାହିଁ ଥିଲା ପ୍ରକୃଷ୍ଟ ମାଧ୍ୟମ । ସେଇ ଉଦ୍ଦେଶ୍ୟରେ ରାମମୋହନ ସମ୍ବାଦପତ୍ର ସହିତ ପ୍ରଚାର ପତ୍ରକୁ ମଧ୍ୟ ମାଧ୍ୟମ ରୂପରେ ଗ୍ରହଣ କରିଥିଲେ । ପ୍ରଚାର ପତ୍ରଗୁଡ଼ିକ ଅତି ସହଜରେ ଜନସମାଜ ନିକଟରେ ପହଞ୍ଚି ପାରୁଥିବା ହେତୁ ସେଭଳି ପଦକ୍ଷେପ ସେ ପସନ୍ଦ କରିଥିଲେ । ସେଗୁଡ଼ିକ ଲେଖୁଥିଲେ ଇଂରେଜୀ ଓ ବଙ୍ଗଳା ଭାଷାରେ ।

 

ରାମମୋହନ ସ୍ଵପ୍ନ ଦେଖିଥିଲେ, ଦିନେ ନା ଦିନେ ଦେଶରୁ ଅଜ୍ଞାନାନ୍ଧକାର ଦୂରୀଭୂତ ହେବ । ଏ ଦେଶର ନାରୀ ଦିନେ ନା ଦିନେ ସମାଜରେ ଉଚିତ ସ୍ଥାନର ଅଧିକାରିଣୀ ହେବ ।

 

ସତ କୁ ସତ ସେ ଦିନ ପାଖେଇ ଆସିଥିଲା ।

 

୧୮୨୮ ମସିହା ଜୁଲାଇ ମାସ ଚାରି ତାରିଖ ଦିନ ଲର୍ଡ଼ ୱିଲିୟମ୍ ବେଣ୍ଟିକ୍ ଭାରତର ଗଭର୍ଣ୍ଣର ଜେନେରାଲ୍ ଭାବେ ଦାୟୀତ୍ଵ ଗ୍ରହଣ କରିଥିଲେ ।

 

ଠିକ୍ ପ୍ରାୟ ସେଇ ସମୟରେ ରାମମୋହନଙ୍କ ନେତୃତ୍ୱର ଅନ୍ୟ ଏକ ପରିପ୍ରକାଶ ହୋଇଥିଲା ବ୍ରାହ୍ମସମାଜ । ବ୍ରାହ୍ମସମାଜ ଅପର ପକ୍ଷରେ ଥିଲା ଆତ୍ମୀୟ ସଭାର ନୂତନ କଳେବର ।

 

ବ୍ରହ୍ମ ସମାଜ ଗଠନ ପରେ ପରେ ତାର ବିଭିନ୍ନ ସାମାଜିକ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ଉତକ୍ଷିପ୍ତ ହୋଇ ରକ୍ଷଣଶୀଳ ପଣ୍ଡିତମାନଙ୍କ ମନର ପ୍ରତିକ୍ରିୟା ରୂପ ପାଇଥିଲା ଅସମ୍ଭବ ଧରଣର । ସେମାନେ ରାମମୋହନଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେବାର କାରଣ ଥିଲା । କ୍ରମେ କ୍ରମେ ସାଧାରଣ ଶିକ୍ଷିତ ଜନତା ରାମମୋହନଙ୍କ ଅକାଟ୍ୟ ଯୁକ୍ତି ଗୁଡ଼ିକ ପ୍ରତି ସମର୍ଥନ ଜଣାଇବା ଲାଗି କୁଣ୍ଠିତ ନ ଥିଲେ ।

 

ଭାରତକୁ ଆସି ପ୍ରାୟ ଦୀର୍ଘ ଦେଢ଼ ବର୍ଷ ପର୍ଯ୍ୟନ୍ତ ଦେଶରେ ଚାଲିଥିବା ଅତି ଅମାନୁଷିକ ସତୀଦାହ ପ୍ରଥାକୁ ଗଭୀର ଭାବରେ ଅନୁଧ୍ୟାନ କରିଥିଲେ ଭାରତର ନୂତନ ଗଭର୍ଣ୍ଣର ଜେନେରାଲ୍-। ସତୀପ୍ରଥା ପ୍ରତି ସମର୍ଥନ ତଥା ସତୀପ୍ରଥା ଉଚ୍ଛେଦ ପାଇଁ ପଦକ୍ଷେପ ସବୁର ଟିକିନିଖି ପର୍ଯ୍ୟାଲୋଚନା କରିଥିଲେ ସେ । ଶେଷରେ ନିଜର ବିବେକାନୁମୋଦିତ ନିଷ୍ପତ୍ତି କରିଥିଲେ ଯେ, ସେ ପ୍ରକାର ଅମାନୁଷିକ ହିଂସାତ୍ମକ କାର୍ଯ୍ୟକଳାପକୁ ଦେଶରେ ଅଧିକ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ।

 

ଅନେକ ଇଂରେଜ ସରକାରୀ ତଥା ବେସରକାରୀ ବ୍ୟକ୍ତି ସତୀପ୍ରଥା ଉପରେ କୌଣସି ପ୍ରକାର ସରକାରୀ ହସ୍ତକ୍ଷେପ ହେବା ଉଚିତ ନୁହେଁ ବୋଲି କେବଳ ଯେ ମନେ କରୁଥିଲେ ତା ନୁହେଁ, ଖୋଲାଖୋଲି ଭାବରେ ମଧ୍ୟ ନିଜର ମତ ବ୍ୟକ୍ତ କରୁଥିଲେ । ଏଚ୍.ଏମ୍. ୱିଲସନ୍ ଭାରତ ସଚିବଙ୍କ ମିଲିଟାରୀ ସେକ୍ରେଟାରୀଙ୍କ ନିକଟକୁ ଗୋଟିଏ ପାତ୍ରରେ ୧୮୨୬ ନଭେମ୍ବର ୨୫ ତାରିଖ ଦିନ ଲେଖିଥିଲେ ଯେ, କଲିକତାର ଜଣେ ଦୁଇଜଣ ବ୍ୟକ୍ତି ଧର୍ମ ଓ ପରଂପରାବିରୋଧୀ ହୋଇ ପାରନ୍ତି, ଭିନ୍ନ ସାମାଜିକ ମତ ପୋଷଣ କରିପାରନ୍ତି; କିନ୍ତୁ ତଥାପି ସରକାରଙ୍କ କର୍ତ୍ତବ୍ୟ, ସମାଜର ସମୂହ ସ୍ଵାର୍ଥ ସାଧନ କରିବା-କେବଳ ମୃଷ୍ଟିମେୟ ଲୋକଙ୍କ ମଙ୍ଗଳ ଦେଖିବା ନୁହଁ । “one or two individuals of Calcutta, who have signalised themselves by dissenting from many of the practices and principles of the religion, may hold a different persuation, but the vast body of the population will concure in the same impressions and the Government has to legislate not for a handful of sectaries but for the Hindus at large”

 

Judicial consultation (criminal) December-4, 1829

 

କିନ୍ତୁ ତଥାପି ଭାରତର ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଲର୍ଡ଼ ବେଣ୍ଟିକ୍ ଅନୁଭବ କରିଥିଲେ ଯେ, ସରକାରୀ କଳର ଉଦାସୀନତାର ପରିଣାମ ହିଁ ଭାରତୀୟ ଜନଜୀବନରେ ସତୀଦାହ ଓ ସେଭଳି ବିଭିନ୍ନ ସାମାଜିକ କୁସଂସ୍କାରର ପ୍ରଚଳନକୁ ପ୍ରୋତ୍ସାହିତ କରିଛି । ଦେଶର ବିଚାରପତିମାନେ ମଧ୍ୟ ତାହାଙ୍କ ସେ ମତକୁ ସମର୍ଥନ କରିଥିଲେ । କିନ୍ତୁ ସେଥିପ୍ରତି ଦେଶୀୟ ସଂଖ୍ୟାଧିକ ଜନଗଣଙ୍କ ସ୍ଵର ସେତେଟା ସ୍ପଷ୍ଟ ନଥିଲା । ତଥାପି ନିଜର ବିବେକ ଦ୍ୱାରା ପରିଚାଳିତ ହୋଇ ଏବଂ ଅଧିକ ନ ହେଲେ ମଧ୍ୟ ପ୍ରଗତିଶୀଳ ଚିନ୍ତାଧର୍ମୀ ଭାରତୀୟମାନଙ୍କ ସମର୍ଥନକୁ ସମ୍ବଳ କରି ସେ ଆଗେଇ ଯିବାପାଇଁ ମନସ୍ଥ କରିଥିଲେ । ସେଇଥିପାଇଁ ରାମମୋହନ ହିଁ ଥିଲେ ଯୋଗ୍ୟତମ ବ୍ୟକ୍ତି ।

 

ଇତିମଧ୍ୟରେ ସେ ଗଭର୍ଣ୍ଣରଙ୍କ ପ୍ରିୟପାତ୍ର ହୋଇପାରିଥିଲେ ମଧ୍ୟ ।

 

ହୁଏତ ତାହା ହିଁ ଥିଲା ଅନ୍ୟତମ କାରଣ, ଯେଉଁଥିପାଇଁ ନିଜେ ଭାରତର ଶାସନକର୍ତ୍ତା ରାମମୋହନ ଚିନ୍ତାଧାରାକୁ ଓ ବାରମ୍ବାର ଲାଂଛିତ ତଥା ଅପମାନିତ ହୋଇ ମଧ୍ୟ ଯେଉଁ ଗୋଟିଏ ଆଦର୍ଶ ପଛରେ ଦଉଡ଼ିଥିଲେ ସେ ଆଦର୍ଶକୁ ବୁଝିବାପାଇଁ ଚେଷ୍ଟା କରିଥିଲେ ନିଷ୍ଠାର ସହିତ । ରାଜାଙ୍କ ଚିନ୍ତାଧାରା ସବୁର ଯଥାର୍ଥତା ଅନୁସନ୍ଧାନ କରିବା ପାଇଁ ଇଚ୍ଛୁକ ହୋଇ ଉଠିଥିଲେ ସେ । ହୁଏତ ସେ ସମସ୍ତ ଅନୁସନ୍ଧାନ ପରେ ନିଜକୁ ବୁଝାଇ ଦେଇ ପାରିଥିଲେ ଯେ, ରାମମୋହନ ହିଁ ଯଥାର୍ଥ ପଦକ୍ଷେପ ନେଉଥିଲେ ।

 

ତତକାଳୀନ ଭାରତୀୟ ସାମାଜିକ ଅବସ୍ଥା ଓ ସମାଜରୁ ଅନ୍ଧବିଶ୍ୱାସ ତଥା କୁସଂସ୍କାରଗୁଡ଼ିକୁ ଦୂରୀଭୂତ କରିବା ଲାଗି ରାମମୋହନଙ୍କ ଉଦ୍ୟମ ତଥା ବିଭିନ୍ନ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଅବହିତ ଥିଲେ ଗଭର୍ଣ୍ଣର ଜେନେରାଲଙ୍କ ସହଧର୍ମିଣୀ ଲେଡ଼ି ବେଣ୍ଟିକ୍ । ରାଜାଙ୍କ ମୃତ୍ୟୁ ପରେ ଦ୍ୱାରିକାନାଥ ଠାକୁରଙ୍କୁ ନିକଟକୁ ଗୋଟିଏ ପତ୍ରରେ ରାମମୋହନଙ୍କ ଭୂୟସୀ ପ୍ରଶଂସା କରି ସେ ଲେଖିଥିଲେ “I have much pleasure in stating that among the native community of Calcutta the late Rammohan Ray and yourself were the persons who took the warmest interest and afforded the most important information trending to show that, although by long established custom the aweful rite had obtained the effect of law, still it was a ceremoney not really included by the Shastras of the Hindus”. ରାଜା ରାମମୋହନଙ୍କ ଜଣେ ସହକର୍ମୀ ଥିଲେ ଦେବେନ୍ଦ୍ର ନାଥ ଠାକୁର ଏବଂ ସେ ଥିଲେ ବ୍ରାହ୍ମ ସମାଜର ଜଣେ ସକ୍ରୀୟ ସଭ୍ୟ ।

 

Dwarikanath Thakurer Jivani-Khitindranath Tagore.

 

ବ୍ରାହ୍ମ ସମାଜର ସଭ୍ୟମାନଙ୍କ ସମେତ ହିନ୍ଦୁ କଲେଜ ଛାତ୍ରମାନଙ୍କର ସମାଜ ସଂସ୍କାର ପାଇଁ ବିପୁଳ ସମର୍ଥନ ରାମମୋହନଙ୍କ ଉଦ୍ୟମକୁ ଅଧିକ ଉତ୍ସାହିତ କରିବା ସ୍ୱାଭାବିକ ଥିଲା । ତାହାଙ୍କ ମତଗୁଡ଼ିକୁ ସମର୍ଥନ କରୁଥିବା ପତ୍ରପତ୍ରିକାଗୁଡ଼ିକ କମ୍ ପ୍ରେରଣା ରାଜାଙ୍କୁ ଯୋଗାଇ ଦେଇ ନ ଥିଲେ ବାଧ୍ୟତାମୂଳକ ଭାବେ ସତୀ ହେବାପାଇଁ କୌଣସି ହିନ୍ଦୁଶାସ୍ତ୍ରରେ ଯେ ଉଲ୍ଲେଖ ନ ଥିଲା ସେ କଥା ଇଂରେଜ ସରକାର ତଥା ଜନସାଧାରଣଙ୍କୁ ଜଣାଇବା ଲାଗି ରାମମୋହନ ଗୋଷ୍ଠୀ ସମସ୍ତ ସମ୍ଭବ ଉଦ୍ୟମ କରିଥିଲେ ପତ୍ରପତ୍ରିକା ମାଧ୍ୟମରେ । ସମ୍ବାଦ କୌମୁଦୀ ଭଳି ବଙ୍ଗଦୂତ ମଧ୍ୟ ପ୍ରଗତିଶୀଳ ଚିନ୍ତାଧର୍ମୀମାନଙ୍କ ମୁଖପାତ୍ର ରୂପେ କାର୍ଯ୍ୟ କରୁଥିଲା ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ଉଦ୍ୟମ କରିଥିଲା ।

 

ରକ୍ଷଣଶୀଳ ପଣ୍ଡିତମାନେ ସତୀଦାହ ପ୍ରଥା ବିରୁଦ୍ଧରେ ଜନସାଧାରଣଙ୍କ ନିକଟରୁ ୧୨୫ଟି ଦସ୍ତଖତ ସଂଗ୍ରହ କରି ସତୀଦାହ ପ୍ରଥା ହିନ୍ଦୁଧର୍ମର ଏକ ଅଂଗ ବୋଲି ଅଭିଯୋଗ କରିବା ଫଳରେ l ଲର୍ଡ଼ ବେଣ୍ଟିକଙ୍କୁ ପୁଣି ଥରେ ସତୀପ୍ରଥା ଉଚ୍ଛେଦ କରିବା ପ୍ରସ୍ତାବର ପୁନର୍ବିଚାର କରିବାପାଇଁ ଅନୁରୋଧ କରାଯାଇଥିଲା । ସେ କିନ୍ତୁ ତାଙ୍କ ବିଚାରରେ ଅଟଳ ଥିଲେ । ସେ ଦର୍ଶାଇଥିଲେ ଯେ, କୌଣସିମତେ ହିନ୍ଦୁଧର୍ମ ଓ ଧର୍ମପ୍ରଥା ଅନୁଯାୟୀ ସଦ୍ୟ ବିଧବା ନାରୀମାନେ ଅଯଥା ନିଜକୁ ଧ୍ଵଂସ କରିବାପାଇଁ, ଅମାନୁଷିକ ଭାବରେ ମୃତ ସ୍ଵାମୀ ସହିତ ମରିବାର କୌଣସି ଯଥାର୍ଥତା ନ ଥିଲା । କୌଣସି ଧର୍ମ ସେଭଳି ହିଂସାତ୍ମକ ଅମାନବିକ କାର୍ଯ୍ୟକୁ କସ୍ମିନ୍ କାଳେ ପ୍ରଶ୍ରୟ ଦେଇ ପାରେ ନା ।

 

୧୮୨୯ ମସିହା ନଭେମ୍ବର ମାସରେ ଗୋଟିଏ ସରକାରୀ ଇସ୍ତାହାରରେ ସତୀପ୍ରଥା ଉଚ୍ଛେଦ କରିବା ପୂର୍ବରୁ ସେ ନିଜର ମତାମତ ପ୍ରକାଶ କରିଥିଲେ । ଲର୍ଡ଼ବେଣ୍ଟିକ୍ ସେଥିରେ ଲେଖିଥିଲେ ଯେ, ସେ ଯେଉଁସବୁ ପଦକ୍ଷେପ ନେଉଛନ୍ତି, ସବୁଗୁଡ଼ିକ ଭାରତର ଜନଗଣ ତଥା ହିନ୍ଦୁମାନଙ୍କ ଉନ୍ନତି ପାଇଁ ହିଁ ଉଦ୍ଦିଷ୍ଟ । ଭଗବାନଙ୍କ ଇଚ୍ଛାର ଦ୍ୱାହି ଦେଇ ସମାଜରେ ଅନେକଗୁଡ଼ିଏ ଅନ୍ଧବିଶ୍ୱାସ ଚଳି ଆସିଛି । ଅନ୍ଧଭାବରେ ସେସବୁ ସମାଜର ସମୂହ କ୍ଷତିକାରକ ପରମ୍ପରା ଗୁଡ଼ିକୁ ଗ୍ରହଣ କରିଯିବା ଉଚିତ୍ ନୁହେଁ ।

 

ଗଭର୍ଣ୍ଣର ଜେନେରାଲଙ୍କ ନିଜ ଭାଷାରେ “The first and primary object of my heart is the benifit of Hindus. I know nothing so important of their, future condition as the establishment of purer morality, whatever their belief and a more just conception of the will of God .The first step to this better understanding will be dissociation of the religious belief and practice from blood and murder. I write and feel as a legislature for the Hindus, and believe as many enlightened Hindus think and feel. Descending from these higher consideration, it cannot be a dishonest ambition that the Government for which I form a part, should have the credit of an act which is to wash out a foul stain upon British Rule and to stay the sacrifice of humanity and justice to a doubtful expediency, and finally as a branch of the general administration of the empire. I may be permitted to feel deeply anxious that our own course shall be in accordance with the nobel example set to us by British Government at home.” ସେ ସେଥିରେ ଲେଖିଥିଲେ ଯେ, ଅନେକ ଶିକ୍ଷିତ ହିନ୍ଦୁଙ୍କ ଭଳି ସେ ସତୀପ୍ରଥାର ବିଭିନ୍ନ ଦିଗକୁ ବିଚାର କରି ତାକୁ ବେଆଇନ କରିବାକୁ ଚାହୁଁଛନ୍ତି । ସେଥିରେ ତାହାଙ୍କର କୌଣସି ମନ୍ଦ ଅଭିପ୍ରାୟ ନାହିଁ । ବ୍ରିଟିଶ୍ ଶାସନରେ ବ୍ରିଟିଶ୍ ସରକାରଙ୍କ ଜଣେ ଅଂଶୀଦାର ଭାବରେ ତାଙ୍କ ପ୍ରଜାମାନଙ୍କ ମଧ୍ୟରୁ ସତୀଦାହ ଭଳି ଏକ କଳଙ୍କ ଲିଭାଇବାର ଗୌରବ ଅର୍ଜନ କରିବାକୁ ସେ ଉଚିତ୍ ମନେ କରିଥିଲେ-

 

ସରକାରଙ୍କ ନିର୍ଦ୍ଦିଷ୍ଟ ମତ ସେ ଦିଗରେ ପ୍ରକାଶ ପାଇବା ପରେ ପରେ ରାମମୋହନଙ୍କୁ ଅନେକ ପ୍ରଶଂସାପତ୍ର ମିଳିଥିଲା । ଭାରତରେ ସତୀପ୍ରଥା ଉଚ୍ଛେଦ ଦିଗରେ ଯେ ତାହାଙ୍କ ଅବଦାନ ଅନବଦ୍ୟ ଥିଲା, ସେ କଥା ଇଂଲଣ୍ଡରେ ମଧ୍ୟ ଅଛପା ନ ଥିଲା ।

 

ଧର୍ମସଭାର ସଭ୍ୟମାନେ ସେ ପ୍ରକାର ଏକ ଆଇନକୁ ଗ୍ରହଣ କରିବେ ନାହିଁ ବୋଲି ଅଡ଼ି ବସିଥିଲେ । କିନ୍ତୁ ସେତେବେଳେ ସରକାରୀ ଭାବରେ ତାହା ଏକ ଆଇନରେ ପରିଣତ ହୋଇ ସାରିଥିଲା, ତାକୁ ଗ୍ରହଣ ନ କରିବାପାଇଁ ସେମାନଙ୍କ ଲାଗି ଉପାୟ ମଧ୍ୟ ନ ଥିଲା । ସେମାନଙ୍କର ସମସ୍ତ ଆବେଦନ ନିବେଦନ ଗଭର୍ଣ୍ଣର ଜେନେରାଲଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା; ବରଂ ଲର୍ଡ଼ ବେଣ୍ଟିକ୍ ମତ ଦେଇଥିଲେ ଯେ, ଉଚିତ ମନେକଲେ ସେମାନେ ଇଂଲଣ୍ଡର ରାଜଦରବାରରେ ମହାମାନ୍ୟ ସାମ୍ରାଜ୍ଞୀଙ୍କୁ ସେ ସମ୍ପର୍କରେ ଆବେଦନ କରିପାରନ୍ତି । ସେଥିରେ ସେମାନେ ସମ୍ମତ ହୋଇଥିଲେ । ସେଥିପାଇଁ ଆଉ ଏକ ଅନୁରୋଧପତ୍ରରେ ସମାଜର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୩୪୬ ଜଣଙ୍କ ଦସ୍ତଖତ ସମେତ ୨୮ ଜଣ ପଣ୍ଡିତଙ୍କ ମତାମତ ସଂଗ୍ରହ କରିଥିଲେ-

 

ସେମାନଙ୍କ କାର୍ଯ୍ୟକଳାପ କିନ୍ତୁ ସେତିକିରେ ସୀମିତ ନ ଥିଲା, ଧର୍ମସଭାର ସଭ୍ୟମାନେ ଉକ୍ତ ଆଇନ ବିରୁଦ୍ଧରେ ଆନ୍ଦୋଳନ ଧର୍ମଘଟ କରିବାପାଇଁ ପ୍ରସ୍ତୁତ ହୋଇ ସାରିଥିଲେ । ସେଥିପାଇଁ ମଧ୍ୟ ଅର୍ଥ ସଂଗ୍ରହ କରିବା ଯୋଜନା କରିଥିଲେ ରୀତିମତ ସେମାନଙ୍କ ଆନ୍ଦୋଳନକୁ ବଞ୍ଚାଇ ରଖିବାପାଇଁ । ଅପର ପକ୍ଷରେ ସତୀପ୍ରଥା ଉଚ୍ଛେଦ ଆଇନ ଜାରୀ ହେବା ପରେ ଦେଶ ଭିତରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଦମନ କରିବାପାଇଁ ଦୃଢ଼ପରିକର ହୋଇଥିଲେ ଗଭର୍ଣ୍ଣର ଜେନେରାଲ ଓ ଜାଗ୍ରତ ହୋଇଥିଲେ ସମସ୍ତ ପ୍ରକାର ଅସାମାଜିକ କାର୍ଯ୍ୟକଳାପକୁ ସାମାନ୍ୟତମ ପ୍ରଶ୍ରୟ ନ ଦେବାପାଇଁ ! ସେଥିପାଇଁ ଏକ ଆଦେଶନାମା ଜାରୀ କରିଥିଲେ, “It is hereby declared that after the promulgation of this regulation all persons convicted of aiding and abetting in the sacrifice of a Hindu widow by burning and burying her alive, whether the sacrifice be voluntary on her part or not shall be deemed guilty of culpable homicide and shall be liable to punishment by fine or imprisonment or both by fine and imprisonment.”

 

ଡିସେମ୍ବର ଚାରି ତାରିଖ ୧୮୨୯ ମସିହାରେ ସତୀଦାହ ପ୍ରଥାର ଉଚ୍ଛେଦ କରିଥିଲେ ଲର୍ଡ଼ ବେଣ୍ଟିକ୍ । ଆଇନକାନୁନ୍ ଅନୁସାରେ କେହି ତାପରେ ସତୀ ହୋଇ ପାରିବେ ନାହିଁ ବୋଲି ଘୋଷଣା କରିଥିଲେ ସରକାରୀଭାବେ । ସେଭଳି ଏକ ଦୃଢ଼ ପଦକ୍ଷେପ ନେବାପାଇଁ ଯେଉଁ ସାହସ ଦରକାର, ସେ ସାହସରେ ସାହସୀ ବୋଲି ଲର୍ଡ଼ ବେଣ୍ଟିକ୍ ନିଜକୁ ପ୍ରମାଣିତ କରି ଦେଇଥିଲେ । ତାହାଙ୍କ ପଛରେ ଭାରତର ସାଧାରଣ ଜନତାଙ୍କ ମଧ୍ୟରୁ ଯେଉଁମାନେ ପ୍ରଧାନ ସମର୍ଥକ ଥିଲେ ସେମାନଙ୍କ ମଧ୍ୟରେ ରାଜା ରାମମୋହନ ଓ ତାଙ୍କର ପ୍ରରୋଚନାରେ ଦ୍ଵାରିକାନାଥ ଠାକୁର, ପ୍ରସନ୍ନ କୁମାର ଠାକୁର, ରେଭରେଣ୍ଡ ୱିଲିୟମ୍ ଏଡ଼ମ୍ ଏବଂ ଡାଭିଡ଼୍ ହାରେଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ରାଜା ରାମମୋହନ ଲାଗି ତାହା ଥିଲା ପରମ ବିଜୟ !

 

ଏବଂ ଲର୍ଡ଼ ବେଣ୍ଟିକଙ୍କ ପାଇଁ ମଧ୍ୟ ତାହା ଥିଲା ଏକ ଦୁଃସାହସିକ ପଦକ୍ଷେପ ।

 

ସରକାରୀ ଭାବରେ ସତୀପ୍ରଥା ଉଚ୍ଛେଦ ପାଇଁ ଆଦେଶନାମା ପ୍ରଚାରିତ ହେବା ପରେ ପରେ ରକ୍ଷଣଶୀଳ ହିନ୍ଦୁମାନଙ୍କ ତରଫରୁ ପୁଣି ଏକ ଆବେଦନପତ୍ର ଦିଆଯାଇଥିଲା ଲର୍ଡ଼ ବେଣ୍ଟିକଙ୍କୁ-। ତାହା ପ୍ରକାଶ ପାଇଥିଲା ଜାନୁଆରୀ ୧୪ ତାରିଖ ୧୮୩୦ ମସିହାରେ । ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ନିଜକୁ ହିନ୍ଦୁ ବୋଲାଉଥିବା କଲିକତାର କେତେକ ଲୋକ, ହିନ୍ଦୁଧର୍ମର ପ୍ରତିନିଧି ହିସାବରେ ଅନେକଟା ଧର୍ମମତ ପ୍ରଦାନ କରୁଥିବା ସେମାନଙ୍କ ଦୃଷ୍ଟିଗୋଚର ହୋଇଛି । ଏବଂ ସେମାନଙ୍କ ମତ ଉପରେ ଆସ୍ଥା ସ୍ଥାପନ କରି ଭାରତର ମାନ୍ୟବର ଗଭର୍ଣ୍ଣର ଜେନେରାଲ ସତୀପ୍ରଥା ଭଳି ଏକ ଧାର୍ମିକ ପରମ୍ପରାକୁ ବନ୍ଦ କରିଦେବା ପାଇଁ ପଦକ୍ଷେପ ନେଉଛନ୍ତି । ଶାସ୍ତ୍ର ଅନୁଯାୟୀ ବିଧବା ନାରୀ ତା ମୃତ ସ୍ଵାମୀର ଚିତା ନିଆଁରେ ଝାସଦେଲେ ସ୍ଵର୍ଗ ପ୍ରାପ୍ତି ହୁଏ ଏବଂ ତାର ଆଚରଣ ମହାସତୀ ଅରୁନ୍ଧତୀଙ୍କ ଆଚରଣ ସହିତ ସମାନ ବିବେଚିତ ହୋଇଥାଏ । ସ୍ଵାମୀ ସହ ଗୋଟିଏ ଚିତାଗ୍ନିରେ ଝାସ ଦେବା ଫଳରେ ସ୍ଵର୍ଗରେ ନିଜ ଶରୀରର କେଶ ସଂଖ୍ୟକ ବର୍ଷ କିମ୍ବା ୩,୫୦,୦୦୦ ବର୍ଷ ଅତି ସୁଖରେ କାଳାତିପାତ କରିବାର ସୁଯୋଗ ପାଇଥାଏ । ପରିଣାମତଃ କେବଳ ତିନି ପିତୃ ପୁରୁଷର ନୁହେଁ, ତିନି ମାତୃ ପୁରୁଷର ମଧ୍ୟ ପାପ ନାଶନ ହୋଇଥାଏ ଜଣେ ସତୀ ହେବାଦ୍ଵାରା ।

 

ଉକ୍ତ ପତ୍ରରେ ରାମମୋହନଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରାଯିବା ସଙ୍ଗେ ସଙ୍ଗେ ଆଦେଶନାମାର ପୁନର୍ବିଚାର ପାଇଁ ମଧ୍ୟ ଆବେଦନ କରାଯାଇଥିଲା । ଅପର ପକ୍ଷରେ ଧର୍ମସଭା ତରଫରୁ ଇଂଲଣ୍ଡ ରାଜଦରବାରରେ ଆବେଦନ କରାଯିବା ପାଇଁ ପ୍ରତିନିଧି ରୂପେ ସ୍ଥିର କରାଯାଇଥିଲା ସୁପ୍ରିମକୋର୍ଟର ଜଣେ ଏଟର୍ଣ୍ଣି ମିଷ୍ଟର ବାଥିଙ୍କୁ । ମିଷ୍ଟର ବାଥି ମଧ୍ୟ ସେଇ ରକ୍ଷଣଶୀଳ ଗୋଷ୍ଠୀର ପ୍ରତିନିଧିତ୍ଵ କରିବା ଲାଗି ସୁଯୋଗ ମିଳୁଥିବାରୁ ନିଜକୁ ଗର୍ବିତ ମନେ କରିଥିଲେ । ସେ ପ୍ରସ୍ତୁତ ଥିଲେ ସେମାନଙ୍କ ତରଫରୁ ଇଂଲଣ୍ଡ ଯିବାପାଇଁ, ବ୍ରାହ୍ମଣ ତଥା ରକ୍ଷଣଶୀଳ ଗୋଷ୍ଠୀ ତରଫରୁ ସେମାନଙ୍କ ସ୍ଵାର୍ଥରକ୍ଷା ପାଇଁ ତଥା ପୁରାତନ ପରମ୍ପରାଗୁଡ଼ିକୁ ବଜାୟ ରଖିଇବା ପାଇଁ ।

 

ମିଷ୍ଟର ବାଥିଙ୍କ ଇଂଲଣ୍ଡ ଯାତାୟାତ ଇତ୍ୟାଦି ଖର୍ଚ୍ଚ ପାଇଁ ଚାନ୍ଦା ଆଦାୟ କରି ପଚାଶ ହଜାର ଟଙ୍କା ଦିଆଯାଇଥିଲା । ସେ ରକ୍ଷଣଶୀଳ ହିନ୍ଦୁମାନଙ୍କୁ ଆଶ୍ଵାସନା ଶୁଣାଇ କହିଥିଲେ ଯେ, ନିଶ୍ଚୟ ସେ ଇଂଲଣ୍ଡରେ ସଫଳକାମ ହେବେ । ସତୀପ୍ରଥା ଏ ଦେଶରେ ଚାଲୁ ରହିବ ।

 

କିନ୍ତୁ ଦୁଃଖର କଥା, ମିଷ୍ଟର ବାଥି ଯେଉଁ ଜାହାଜରେ ଯାତ୍ରା କରୁଥିଲେ ଯାତ୍ରା ଆରମ୍ଭରୁ ହିଁ ତାହା ବିପଦର ସମ୍ମୁଖୀନ ହୋଇଥିଲା । କିନ୍ତୁ ବ୍ୟକ୍ତିଗତ ଭାବେ ତାହାଙ୍କର କୌଣସି କ୍ଷତି ହୋଇ ନ ଥିଲା । ତଥାପି ତାହା ଧର୍ମସଭା ପାଇଁ ଆଣି ଦେଇଥିଲା ଅଶୁଭର ଏକ ସ୍ପଷ୍ଟ ସଂକେତ ।

 

ଇତିମଧ୍ୟରେ ରାମମୋହନ ମଧ୍ୟ ଯୁକ୍ତିସମ୍ବଳିତ ଏକ ଦରଖାସ୍ତ କରିଥିଲେ ଇଂଲଣ୍ଡର ରାଜଦରବାରକୁ । ଠିକ୍ ସମୟରେ ତାହା ସେଠାରେ ପହଞ୍ଚିଥିଲା ଏବଂ ଫଳପ୍ରଦ ହୋଇଥିଲା ମଧ୍ୟ-। ନିଜେ ରାମମୋହନ ତାହାକୁ ହାଉସ୍ ଅଫ ଲର୍ଡ଼ସଙ୍କ ନିକଟରେ ଉପସ୍ଥାପିତ କରିଥିଲେ ଏବଂ ତାହା ଉଚ୍ଚ ପ୍ରଶଂସିତ ହୋଇଥିଲା ମଧ୍ୟ । ସତୀପ୍ରଥା ସଂପର୍କରେ ଉଭୟ ଗୋଷ୍ଠୀର ବିଚାର ଆବେଦନ ପ୍ରିଭ୍ କାଉନସିଲ୍ ୧୮୩୨ ମସିହା ଜୁଲାଇ ମାସରେ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତ ବିଚାରପତି ସର୍ବସମ୍ମତିକ୍ରମେ ରାଜଦରବାରକୁ ପରାମର୍ଶ ଦେଇଥିଲେ ଯେ, ଧର୍ମସଭାର ଅପିଲକୁ ବିନା ବିଚାରରେ ବରଖାସ୍ତ କରିଦିଆଯିବା ଉଚିତ୍ ।

 

ତଥାପି ମିଷ୍ଟର ବାଥି ଧର୍ମସଭା ତରଫରୁ ସାମ୍ରାଜ୍ଞୀଙ୍କୁ ଗୋଟିଏ ଆବେଦନ କରିଥିଲେ । କିନ୍ତୁ ପରିଣାମ ଆଦୌ ଆଶାଜନକ ନ ଥିଲା ।

 

ତାହା ଠାରୁ ବଳି ବିଜୟ ରାମମୋହନଙ୍କ ପାଇଁ ଆଉ କଣ ବା ଥାଇପାରେ !

Image

 

ନଅ

ଭାରତରେ ବ୍ରାହ୍ମସମାଜ

 

ଭାରତରେ ପ୍ରଥମେ ବ୍ରାହ୍ମସମାଜ ବା ବ୍ରାହ୍ମସଭା ସ୍ଥାପିତ ହୋଇଥିଲା ୧୮୨୮ ମସିହା ଅଗଷ୍ଟ ମାସ ୨୦ ତାରିଖ ଦିନ । ସ୍ଥାପୟିତା ଥିଲେ ତତ୍‍କାଳୀନ ଭାରତର ପ୍ରଗତିଶୀଳ ଚିନ୍ତାଧାରାରେ ପରିପୂର୍ଣ୍ଣ ଗୋଟିଏ ବ୍ୟକ୍ତିତ୍ୱ; ରାଜା ରାମମୋହନ ରାୟ । ହିନ୍ଦୁ ପଞ୍ଜିକା ଅନୁସାରେ ଉକ୍ତ ଦିନ ଭାଦ୍ରବ ମାସରେ ପଡ଼ୁଥିବା ଯୋଗୁଁ ବ୍ରାହ୍ମସମାଜର ଆରମ୍ଭ ଦିନକୁ ଭାଦ୍ରୋତ୍ସବ ରୂପେ ପାଳନ କରାଯାଉଥିଲା ।

 

ବ୍ରାହ୍ମସମାଜ ସ୍ଥାପିତ ହେବାର ଇତିହାସ ବଡ଼ କୌତୂହଳ ପୂର୍ଣ୍ଣ ।

 

ରାଜା ରାମମୋହନ ୧୮୧୪ ମସିହାରେ କଲିକତାରେ ସ୍ଥାୟୀ ଭାବରେ ବସବାସ କରିବା ପରେ ପରେ ଏକ ଛୋଟ ଧରଣର ସଂଘ ସ୍ଥାପନ କରିଥିଲେ-ଆତ୍ମୀୟ ସଭା । ସେ ସଭାରେ ପ୍ରତ୍ୟେକ ସଭ୍ୟ ମୁକ୍ତ କଣ୍ଠରେ ନିଜ ନିଜର ମତ ବ୍ୟକ୍ତ କରିପାରୁଥିଲେ ବିନା ସଂକୋଚରେ ଓ ପରସ୍ପର ମଧ୍ୟରେ ଆତ୍ମୀୟତା ଥିଲା ସେ ସଭାର ସଭ୍ୟମାନଙ୍କର ପ୍ରଧାନ ଉଦ୍ଦେଶ୍ୟ । ଜଣେ ଅନ୍ୟ ଜଣକୁ ବୁଝିବାକୁ ଚେଷ୍ଟା କରୁଥିଲା, ଯଦିଓ ପରସ୍ପର ମତ ପାର୍ଥକ୍ୟ ରହିଥିଲା । ସେ ଅନୁଷ୍ଠାନ କିଛି ଦିନ ଠିକ୍ ଭାବରେ କାର୍ଯ୍ୟ କରିବା ପରେ ପରେ କେତେକ ପାରିବାରିକ ଅସୁବିଧା ନେଇ ଉକ୍ତ ସଭାର ଆଲୋଚନା ବୈଠକଗୁଡ଼ିକରେ ଯୋଗ ଦେଇ ପାରୁ ନ ଥିଲେ ରାମମୋହନ ।

 

ସେତେବେଳକୁ ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ଅଦ୍ଵୈତବାଦୀ ସଙ୍ଘ କଲିକତାଠାରେ ଗଠିତ ହୋଇ ସାରିଥିଲା ଏବଂ ତାର ସାଧାରଣ ବୈଠକଗୁଡ଼ିକ ହରକରା ବିଲଡ଼ିଙ୍ଗସ ସଂଲଗ୍ନ ଗୋଟିଏ କୋଠରୀରେ ଅନୁଷ୍ଠିତ ହେଉଥିଲା । ଉକ୍ତ ଅନୁଷ୍ଠାନର ଲକ୍ଷ୍ୟ ଥିଲା ସମାଜରେ ଅଦ୍ଵୈତବାଦର ପ୍ରଚାର ସଙ୍ଗେ ସଙ୍ଗେ ଅବହେଳିତମାନଙ୍କୁ ସ୍ନେହ ଓ ସହାନୁଭୂତି ସହିତ ସେବା କରିବା । ମିଷ୍ଟର ଉଇଲିୟମ୍ ଏଡ଼ମ୍ ଚର୍ଚ୍ଚର କାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉକ୍ତ ଅନୁଷ୍ଠାନର ଆବାହକ ମଧ୍ୟ ଥିଲେ । ସେ ରାଜା ରାମମୋହନଙ୍କୁ ତାଙ୍କର ପ୍ରଧାନ ପ୍ରେରଣାଦାତା ଓ ଉପଦେଷ୍ଟା ହିସାବରେ ଗ୍ରହଣ କରିଥିଲେ ଓ ତାହାଙ୍କ ଗୋଷ୍ଠୀର ସମସ୍ତଙ୍କ ସାହାଯ୍ୟ ତଥା ସହାନୁଭୂତି ଲାଭ କରିପାରିଥିଲେ-। କେବଳ ସେତିକି ନୁହେଁ, ରାଜା ତାଙ୍କର ପୁତ୍ର ଓ ସମର୍ଥକମାନଙ୍କ ସହିତ ଅନେକ ସମୟରେ ଖ୍ରୀଷ୍ଟିୟାନ୍ ଅଦ୍ଵୈତବାଦୀ ସଙ୍ଘର ଆଲୋଚନା ବୈଠକଗୁଡ଼ିକରେ ଯୋଗ ଦେଉଥିଲେ । ଯେଉଁମାନେ ସେଭଳି ବୈଠକରେ ବିଭିନ୍ନ ସମୟରେ ଯୋଗ ଦେଉଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଦ୍ଵାରିକାନାଥ ଠାକୁର, ପ୍ରସନ୍ନକୁମାର ଠାକୁର, ତାରାଚାନ୍ଦ ଚକ୍ରବର୍ତ୍ତୀ ଓ ଚନ୍ଦ୍ରଶେଖର ଦେବ । ସେଇମାନେ ରାମମୋହନଙ୍କ ପ୍ରାୟ ପ୍ରତ୍ୟେକ ସମାଜସେବାମୂଳକ କାର୍ଯ୍ୟକଳାପକୁ ଅକୁଣ୍ଠ ସମର୍ଥନ ଜଣାଉଥିଲେ ।

 

ଅନେକ ସମୟରେ ରାମମୋହନ ଖ୍ରୀଷ୍ଟିୟଚର୍ଚର ପ୍ରାର୍ଥନାସଭାମାନଙ୍କରେ ମଧ୍ୟ ଯୋଗ ଦେଉଥିଲେ । ଚର୍ଚ କିମ୍ବା ଅଦ୍ଵୈତବାଦୀ ଅନୁଷ୍ଠାନର କାର୍ଯ୍ୟକଳାପର ପରିସମାପ୍ତି ପରେ ପରେ ସାଧାରଣତଃ ତାରାଚାନ୍ଦ ଚକ୍ରବର୍ତ୍ତୀ ଓ ଚନ୍ଦ୍ରଶେଖର ଦେବଙ୍କ ସହିତ ରାମମୋହନ ଘରକୁ ଫେରୁଥିଲେ । ସେ ଦୁଇଜଣ ଥିଲେ ପ୍ରଗତିଶୀଳ ଚିନ୍ତାଧର୍ମୀ ଯୁବକ, ଯେଉଁମାନେ ରାଜାଙ୍କ ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ ।

 

ସେଇମିତି ଫେରିବା ରାସ୍ତାରେ ଥରେ ଚନ୍ଦ୍ରଶେଖର ଦେବ ରାମମୋହନଙ୍କୁ ସାଧାରଣ ଭାବେ ଏକ ପ୍ରସ୍ତାବ ଦେଇଥିଲେ । ଉକ୍ତ ପ୍ରସ୍ତାବ ଥିଲା, ଖ୍ରୀଷ୍ଟିୟାନମାନଙ୍କ ଭଳି ଅଦ୍ଵୈତବାଦୀ ହିନ୍ଦୁମାନଙ୍କ ପାଇଁ ଏକ ପ୍ରାର୍ଥନା ମନ୍ଦିର ତୟାର କଲେ କେମିତି ହୁଅନ୍ତା ? ସେଦିନ ସନ୍ଧ୍ୟାରେ ସେମାନଙ୍କ ଗୃହ ପ୍ରତ୍ୟାବର୍ତ୍ତନ ବେଳେ ସେଇ ନାତିଦୀର୍ଘରାସ୍ତା କେବଳ ସେଇ ପ୍ରସ୍ତାବ ଆଲୋଚନାରେ ହିଁ ଅତିବାହିତ ହୋଇଥିଲା । ସେମାନେ ଆଲୋଚନା କରିଥିଲେ, ବିଶ୍ଵସ୍ରଷ୍ଟାଙ୍କୁ ପ୍ରାର୍ଥନା କରିବା ପାଇଁ ସେମାନେ କାହିଁକି ଖ୍ରୀଷ୍ଟିୟମାନଙ୍କ ଏକ ଅନୁଷ୍ଠାନରେ ଯୋଗଦେବାକୁ ଯାଉଥିବେ, ବୈଦେଶିକମାନଙ୍କ ସହାୟତା ଗ୍ରହଣ କରୁଥିବେ । ଏଭଳି ଚିନ୍ତା ମୂଳରେ ଯେ ସେମାନଙ୍କ ପ୍ରତି କୌଣସି ଇର୍ଷା ଥିଲା ବା ଘୃଣା ଥିଲା ତା ନୁହେଁ, ଉଦ୍ଦେଶ୍ୟ ଥିଲା ନିଜ ଦେଶବାସୀମାନେ ହୁଏତ ଏକମାତ୍ର ବିଶ୍ଵସ୍ରଷ୍ଟାଙ୍କ ପ୍ରାର୍ଥନା ପାଇଁ ଅଧିକ ସଂଖ୍ୟାରେ ଯୋଗଦେବେ ଓ ହିନ୍ଦୁ ଧର୍ମାବଲମ୍ବୀମାନେ ସେଭଳି ଉଦ୍ୟମରେ ଉତ୍ସାହିତ ହେବେ ଅଦ୍ୱୈତବାଦର ପ୍ରସାର ପାଇଁ ସେଭଳି ଉଦ୍ୟମ ଯେ ନିଶ୍ଚିତ ଭାବେ ସହାୟତା ହେବ, ତାହା ରାମମୋହନଙ୍କ ପ୍ରଧାନ ଚିନ୍ତାର ବିଷୟ ଥିଲା ।

 

ସତକୁ ସତ ସେ ସନ୍ଧ୍ୟାବେଳର ସାଧାରଣ କଥାବାର୍ତ୍ତା ରାମମୋହନଙ୍କ ଅନ୍ତର ଭିତରେ ଏକ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲେ । ସମସ୍ତ ନିଷ୍ଠାର ସହିତ ସେ ପରିକଳ୍ପନା କରିଥିଲେ ଆଉ ଏକ ପ୍ରାର୍ଥନା ମନ୍ଦିର ସଂଗଠନ କରିବା ପାଇଁ, ଏକମାତ୍ର ବିଶ୍ଵସ୍ରଷ୍ଟାଙ୍କ ଆରାଧନା କରିବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଆଲୋଚନା କରିବା ପାଇଁ । ସେ ମନେକରିଥିଲେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଅଦ୍ୱେତବାଦର ପ୍ରସାର ନିଶ୍ଚୟ ସମ୍ଭବ ହେବ ସେଇ ମାଧ୍ୟମରେ । ଅସାମାଜିକ ବିବେଚିତ ହେବା ଭୟରେ ଯେଉଁମାନେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଅଦ୍ୱେତବାଦୀ ସଂଘର ଆଲୋଚନାଗୁଡ଼ିକରେ ଯୋଗ ଦେବାପାଇଁ ଇଚ୍ଛା ଥାଇ ମଧ୍ୟ ଯୋଗ ଦେଇ ପାରୁ ନ ଥିଲେ, ସେମାନେ ଅନ୍ତତଃ ଏଭଳି ଅନୁଷ୍ଠାନରେ ସକ୍ରିୟ ଭାବରେ ଯୋଗଦେଇ ପାରିବେ । ଏଠାରେ ଉଲ୍ଲେଖକରାଯାଇ ପାରେ ଯେ, କୌଣସି ନିର୍ଦ୍ଦିଷ୍ଟ ଧର୍ମସଂପ୍ରଦୟର ଲୋକମାନଙ୍କ ପାଇଁ ତାହା ଉଦ୍ଦିଷ୍ଟ ରହିବ ବୋଲି ରାଜା ପରିକଳ୍ପନା କରି ନଥିଲେ । ସବୁ ଧର୍ମ ସଂପ୍ରଦାୟର ଏକେଶ୍ୱରବାଦରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସେ ଅନୁଷ୍ଠାନର ଦ୍ଵାର ଉନ୍ମୁକ୍ତ ରହିବ ବୋଲି ପରିକଳ୍ପନା କରିଥିଲେ ରାମମୋହନ ।

 

ସେ ଅନୁଷ୍ଠାନ ହିଁ ବ୍ରାହ୍ମ ସମାଜ ।

 

ରାମମୋହନ ସେଦିନ ସଂଧ୍ୟାର ଗୃହଫେରନ୍ତା ଆଲୋଚନାକୁ ରୂପ ଦେବାପାଇଁ, ତା ପରେ ପରେ ନିଜର ଅନ୍ତରଙ୍ଗ ତଥା ସମର୍ଥମାନଙ୍କ ପରାମର୍ଶ ମାଗିଥିଲେ । ପୁନଶ୍ଚ ସେତେବେଳକୁ ତାଙ୍କରି ଦ୍ୱାରା ପ୍ରତିଷ୍ଠିତ ଆତ୍ମୀୟ ସଭା କ୍ରମେ କ୍ରମେ ନିଷ୍କ୍ରୀୟ ହୋଇ ପଡ଼ିଥିଲା ଓ ସେଥିପାଇଁ ଗୋଟିଏ ପ୍ରର୍ଥନା ମନ୍ଦିରର ଆବଶ୍ୟକତା ବିଶେଷଭାବେ ଅନୁଭୂତ ହୋଇଥିଲା ରାମମୋହନଙ୍କୁ । ଫିରିଙ୍ଗି କମଳ ନାମରେ ପରିଚିତ କଲିକତାର ତାଙ୍କର ଜଣେ ଘନିଷ୍ଠ ବିତ୍ତଶାଳୀ ବନ୍ଧୁଙ୍କ ଏକ ଘର ସାଧାରଣ ଭଡ଼ାନେଇ ସ୍ଥିର କରିଥିଲେ କଳ୍ପିତପ୍ରାର୍ଥନା ସଭା ସେଠାରେ ଆରମ୍ଭ କରିବାପାଇଁ । ଫିରିଙ୍ଗି କମଳଙ୍କ ପୁରାନାମ ଥିଲା ରାମକମଳ ବସୁ ଓ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଇଂରେଜମାନଙ୍କ ଅଧୀନରେ ଚାକିରି କରିଥିଲେ ବୋଲି ତାହାଙ୍କୁ ଫିରିଙ୍ଗିକମଳ ବୋଲି ଆଖ୍ୟାୟତ କରାଯାଉଥିଲା । ଇଂରେଜ ସରକାରୀ ହାକିମମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ତାଙ୍କର (ଶ୍ରୀଯୁକ୍ତ ବସୁଙ୍କ) ଘନିଷ୍ଠତା ଥିଲା ଓ ସେ ଦୃଷ୍ଟିରୁ ସେ ଥିଲେ ଜଣେ ସାମାଜିକ ପ୍ରଭାବଶାଳୀ ବ୍ୟକ୍ତି ।

 

ତାହା ହିଁ ହୋଇଥିଲା ।

 

କଲିକତାର ୪୮ ଚିତପୁର ରୋଡ଼ସ୍ଥ ରାମକମଳ ବସୁଙ୍କ ଘର ଭଡ଼ାକୁ ନିଆଯାଇ ଅଗଷ୍ଟ ୨ ତାରିଖ ୧୮୨୮ ମସିହାରେ ବ୍ରାହ୍ମ ସମାଜ ବା ବ୍ରାହ୍ମସଭା ଆରମ୍ଭ ହୋଇଥିଲା । ପାରମ୍ପରିକ ହିନ୍ଦୁ ଗଣନା ଅନୁସାରେ ସେ ଦିନ ଥିଲା ଭାଦ୍ରବ ମାସର ଛଅ ଦିନ ।

 

ପ୍ରତି ଶନିବାର ସଂଧ୍ୟା ସାତଟାଠାରୁ ପ୍ରାୟ ନଅଟା ପର୍ଯ୍ୟନ୍ତ ସଭାର ସାଧାରଣ ଆଲୋଚନା ବୈଠକମାନ ଅନୁଷ୍ଠିତ ହେଉଥିଲା । ଦୁଇଜଣ ତେଲୁଗୁ ବ୍ରାହ୍ମଣ ପଣ୍ଡିତ ବେଦ ଅଧ୍ୟୟନ କରୁଥିଲେ । ଉତ୍ସବାନନ୍ଦ ବିଦ୍ୟାବାଗୀଶ ଉପନିଷଦରୁ କିଛି ଅଂଶ ପାଠ କରୁଥିଲେ ଏବଂ ତାହାକୁ ଉପସ୍ଥିତ ଜନସାଧାରଣଙ୍କ ବୋଧଗମ୍ୟ କରାଇବା ଲାଗି ରାମଚନ୍ଦ୍ର ବିଦ୍ୟାବାଗୀଶ ଭକ୍ତ ପଠିତ ଉପନିଷଦର ଅଂଶକୁ ବଙ୍ଗଳା ଭାଷାରେ ଅନୁବାଦ କରୁଥିଲେ । ଅନୁଷ୍ଠାନର ପ୍ରଥମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀ ତାରାଚାନ୍ଦ ଚକ୍ରବର୍ତ୍ତୀ । ବ୍ରାହ୍ମ ସମାଜର ସାଧାରଣ ବୈଠକଗୁଡ଼ିକ ଧୀର ସ୍ଥିର ଓ ଶୃଙ୍ଖଳିତ ଭାବରେ ପରିଚାଳିତ ହେଉଥିଲା । ସମସ୍ତ ପ୍ରକାର ଗାମ୍ଭୀର୍ଯ୍ୟ ରକ୍ଷା କରାଯାଇ ପାରୁଥିଲା ସେଠାରେ । ଏକପ୍ରକାର ପବିତ୍ର ମନୋଭାବ ସୃଷ୍ଟି ହେଉଥିଲା ସେଇ ଶୃଙ୍ଖଳାପୂର୍ଣ୍ଣ ପରିବେଶ ଭିତରେ । ତେଣୁ ହିନ୍ଦୁ ସମାଜର ଅନେକ ନେତୃସ୍ଥାନୀୟ ବ୍ୟକ୍ତି ଉକ୍ତ ସଭାର ସାଧାରଣ ବୈଠକଗୁଡ଼ିକରେ ଯୋଗ ଦେବାପାଇଁ କ୍ରମଶଃ ଅଧିକରୁ ଅଧିକ ଆକୃଷ୍ଟ ହୋଇ ପଡ଼ିଥିଲେ ।

 

ତାହାହିଁ ଥିଲା ବ୍ରାହ୍ମସମାଜ ସଙ୍ଗଠନର ପ୍ରାଥମିକ ଅବସ୍ଥା ।

 

ସେଇ ରାମମୋହନଙ୍କ ଦ୍ୱାରା ଏକଦା ପ୍ରତିଷ୍ଠିତ ଆତ୍ମୀୟ ସଭାର ରୂପାନ୍ତର ଥିଲା ବ୍ରାହ୍ମସମାଜ ବା ବ୍ରାହ୍ମସଭା ।

 

ରାମମୋହନଙ୍କ ଅନୁଷ୍ଠାନର ନାମ ବ୍ରାହ୍ମସଭା ଦିଆଯାଇଥିବାରୁ ତତ୍‍କାଳୀନ ସମାଜର ଅନେକ ଲୋକ ଅନୁଷ୍ଠାନକୁ ଭୁଲ ବୁଝିଥିଲେ । ଅନେକ ମନେ କରିଥିଲେ ବ୍ରହ୍ମର ଅର୍ଥ ବ୍ରାହ୍ମଣ । ବ୍ରହ୍ମ ଓ ବ୍ରାହ୍ମଣ ଏକ ଓ ଅଭିନ୍ନ ବୋଲି ଅନେକ ସାଧାରଣ ଲୋକ ଧରିନେଇଥିଲେ ।

 

ସେତେବେଳେ ବ୍ରହ୍ମକୁ ବ୍ରାହ୍ମଣ ବୋଲି ଧରିନେବା କିଛି ଅସମ୍ଭବ ନ ଥିଲା ଏଇ ଅଜ୍ଞ ସମାଜର ସାଧାରଣ ଲୋକଙ୍କ ପାଇଁ । ସମାଜ ସେତେବେଳେ ଏ ପ୍ରକାର ଅନ୍ଧବିଶ୍ୱାସ ଓ କୁସଂସ୍କାରରେ ପରିପୂର୍ଣ୍ଣ ଥିଲା ଯେ ବ୍ରାହ୍ମଣମାନେ ସମାଜର ଅତି ଶୀର୍ଷ ସ୍ଥାନରେ ସ୍ଥାପିତ ହୋଇଥିଲେ । ଅନ୍ୟ ଭାଷାରେ ଦେବତାଭଳି ବ୍ରାହ୍ମଣମାନେ ମଧ୍ୟ ପୂଜିତ ହେଉଥିଲେ । ସେମାନଙ୍କୁ ଭଗବାନଙ୍କ ସାକ୍ଷାତ ଅବତାର ବୋଲି ଗ୍ରହଣ କରାଯାଉଥିଲା । ଯଥେଷ୍ଟ ସମ୍ମାନର ଅଧିକାରୀ ଥିଲେ ତତକାଳୀନ ବ୍ରାହ୍ମଣ ସମାଜ । ତେଣୁ ବ୍ରହ୍ମ ଆରାଧନା କରିବାର ସାଧାରଣ ଅର୍ଥ ବ୍ରାହ୍ମଣମାନଙ୍କୁ ପୂଜା କରିବା ବୋଲି ଚିନ୍ତା କରିବା ସାଧାରଣ ଜନତାଙ୍କ ନିକଟରେ ଅସମ୍ଭବ ନ ଥିଲା ।

 

ସେ ପ୍ରକାର ପରିବେଶ ଭିତରେ ବ୍ରାହ୍ମସମାଜ ଦୀର୍ଘ ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ରାମକମଳ ବସୁଙ୍କ ଭଡ଼ାଘରେ ହିଁ ନିଜର ପରିସରକୁ ସୀମିତ କରାଇ ରଖିଥିଲା ଭୌଗୋଳିକ ଅର୍ଥରେ । କିନ୍ତୁ ଦୁଇବର୍ଷ ଭିତରେ ସଭ୍ୟ ସଂଖ୍ୟା ଅସମ୍ଭବ ଭାବରେ ବଢ଼ିଯାଇଥିଲା । ତାର ସଭ୍ୟ ସଂଖ୍ୟା ବୃଦ୍ଧି ପାଇଥିବା ଦୃଷ୍ଟିରୁ ସମର୍ଥକମାନଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇବା ସ୍ୱାଭାବିକ ଥିଲା । ପରିଣାମତଃ ମାତ୍ର ଦୁଇଟି ବର୍ଷର ସମୟ ବ୍ୟବଧାନ ମଧ୍ୟରେ ରକ୍ଷଣଶୀଳ ହିନ୍ଦୁମାନଙ୍କ ବିଷ ଦୃଷ୍ଟିରେ ଥିବା ରାଜା ରାମମୋହନ ତାଙ୍କ ଅନୁଷ୍ଠାନର ଏକ ସ୍ଥାୟୀ ପ୍ରାର୍ଥନା ମନ୍ଦିର ନିର୍ମାଣ କରିବାଲାଗି ଆର୍ଥିକ ସମ୍ବଳ ମଧ୍ୟ ସଂଗ୍ରହ କରିପାରିଥିଲେ ।

 

ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କର ଆନ୍ତରିକ ଉଦ୍ୟମର ପରିଣାମତଃ ବ୍ରାହ୍ମସମାଜ ନିଜର ଏକ ପ୍ରାର୍ଥନା ମନ୍ଦିର ତୟାର କରିବା ପାଇଁ ସମର୍ଥ ହୋଇ ପାରିଥିଲେ । କାରଣ ଥିଲା ଆନ୍ତରିକ ଉଦ୍ୟମ କୌଣସି କାଳେ ବିଫଳ ହୁଏନା । ସେ ଉଦ୍ଦେଶ୍ୟରେ ସେମାନେ ସ୍ଥିର କରି ନେଇଥିଲେ, କଲିକତାର ଜୋରାସାଙ୍କୋ ଅଞ୍ଚଳ । ସେତେବେଳର ନାମ ଅନୁସାରେ ସେ ଅଞ୍ଚଳ ପରିଚିତ ଥିଲା ସୁତାନଟି ହିସାବରେ ।

 

ଜାନୁୟାରୀ ତେଇଶ ତାରିଖ ୧୮୩୦ ମସିହାରେ ବ୍ରାହ୍ମସମାଜ ତାର ନୂତନ ଗୃହର ଶୁଭ ଉଦଘାଟନ କରିଥିଲା । ସେଇଦିନ ଜୋରାସାଙ୍କୋ ଅଞ୍ଚଳର ବ୍ରହ୍ମସମାଜର ମନ୍ଦିର କେବଳ ଭାରତବାସୀଙ୍କୁ କାହିଁକି, ଇଉରୋପୀୟମାନଙ୍କୁ ମଧ୍ୟ ଅଦ୍ୱେତବାଦ ଦର୍ଶନ ସଂପର୍କରେ ନୂତନ ଆଲୋକ ଦେବା ପାଇଁ ଯେମିତି ନିଜକୁ ପ୍ରସ୍ତୁତ କରି ସାରିଥିଲା । ତାପରେ ପ୍ରତିବର୍ଷ ବ୍ରାହ୍ମସମାଜର ଉଦଘାଟନ ଉତ୍ସବ ମାଘୋତ୍ସବ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ପବିତ୍ର ବାତାବରଣ ଭିତରେ ପାଳନ କରାଯାଉଥିଲା ସେଠାରେ, ବେଦ, ମନ୍ତ୍ର ଉଚ୍ଚାରଣ, ଉପନିଷଦ ପାଠ ଇତ୍ୟାଦି କାର୍ଯ୍ୟକ୍ରମ ସେଥିର ଅଙ୍ଗୀଭୂତ ଥିଲା । ସମାଜର ସଦସ୍ୟଗଣ ତାତ୍ତ୍ଵିକ ଆଲୋଚନାଗୁଡ଼ିକରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ।

 

ପଂକ୍ତି ଭୋଜନ ଥିଲା ମାଘୋତ୍ସବ ପାଳିତ ହେଉଥିବା ଦିବସର ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମ । ଯେଉଁମାନେ ଉକ୍ତ ଉତ୍ସବରେ ଯୋଗ ଦେଉଥିଲେ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପଂକ୍ତି ଭୋଜନରେ ଅଂଶ ଗ୍ରହଣ କରୁଥିଲେ । ସେଠାରେ ନ ଥିଲା ଜାତି ପତିର ଭେଦଭାବ, ଉଚ୍ଚ-ନୀଚର ପ୍ରଶ୍ନ ବା କୌଣସି ଧାର୍ମିକ ବିଡ଼ମ୍ବନା । ବ୍ୟକ୍ତି ନିର୍ବିଶେଷରେ ଉକ୍ତ ଭୋଜନରେ ଅଂଶ ଗ୍ରହଣ କରୁଥିଲେ । ତତ୍‍କାଳୀନ ସମାଜରେ ଯେତେବେଳେ ଜାତିଭେଦ ପ୍ରଥା ଅତି ଉତ୍କଟ ଆକାର ଧାରଣ କରିଥିଲା, ସେତେବେଳେ ବ୍ରାହ୍ମଣସମାଜ ତରଫରୁ ପଂକ୍ତି ଭୋଜନ କାର୍ଯ୍ୟକ୍ରମ ହିନ୍ଦୁ ରକ୍ଷଣଶୀଳ ଜନଗଣଙ୍କ ପାଇଁ ଯେ ଏକ ଶିହରଣ ସୃଷ୍ଟି କରିବାରେ ସମର୍ଥ ଥିବ ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ବ୍ରାହ୍ମସମାଜ ଆରମ୍ଭ ହେବା ସମୟରେ ଖ୍ରୀଷ୍ଟିୟାନ୍ ଚର୍ଚ୍ଚମାନଙ୍କରେ ଯେଉଁସବୁ ସଂଙ୍ଗୀତ ଗାନ କରାଯାଉଥିଲା, ସେଗୁଡ଼ିକୁ ଏକ ଏକ ପ୍ରହସନ ବୋଲି ମନେ ହୋଇଥିଲା ରାମମୋହନଙ୍କର-। କାରଣ ଚର୍ଚ୍ଚଗୁଡ଼ିକର ପରିଚାଳକମାନେ ସମାଜର ବିଭିନ୍ନ ସ୍ତରର ଲୋକଙ୍କୁ ନିମନ୍ତ୍ରଣ କରୁଥିଲେ, ବିଭିନ୍ନ ସମୟରେ ସଂଙ୍ଗୀତ ଗାନ କରିବା ପାଇଁ । ସେମାନେ ସାମୟିକ-ଭାବେ ଆସି ଯେଉଁ ସଙ୍ଗୀତ ଗାନ କରୁଥିଲେ, ସେଥିରେ ଭାବପ୍ରବଣତା ହିଁ ରହୁଥିଲା ବେଶୀ I ତେଣୁ ସେଇ ସବୁ ସଙ୍ଗୀତଗୁଡ଼ିକ ପ୍ରକୃତରେ ପରିବେଶ ଉପଯୋଗୀ ହୋଇପାରୁ ନ ଥିଲା । କେବଳ ସଙ୍ଗୀତ ଉପଭୋଗ ପାଇଁ ସଙ୍ଗୀତ ଗାନ କରିବା ଓ ଏକ ଧର୍ମ ଅନୁଷ୍ଠାନରେ, ଧର୍ମଚର୍ଚ୍ଚା ଆସରରେ ସଙ୍ଗୀତ ଗାନ କରିବା ଏକ ଓ ଅଭିନ୍ନ ନ ଥିଲା ।

 

ରାମମୋହନ ଯଦିଓ ଧର୍ମତତ୍ତ୍ଵ ଆଲୋଚନା ସଭାମାନଙ୍କରେ ସଙ୍ଗୀତ ଗାନ କରିବା ରୀତିକୁ ପସନ୍ଦ କରିଥିଲେ, ସେ ପରିଷ୍କାର ରୂପେ ଘୋଷଣା କରିଥିଲେ ଯେ କେବଳ ବିଶ୍ଵସ୍ରଷ୍ଟା ଭଗବାନଙ୍କ ପ୍ରଶଂସା ମୁଖର ହେବା ଉଚିତ ସମସ୍ତ ସଙ୍ଗୀତ । ବ୍ରାହ୍ମସଭାରେ ଗାନ ହେଉଥିବା ସଙ୍ଗୀତଗୁଡ଼ିକର ସେ ନାମକରଣ କରିଥିଲେ ବ୍ରହ୍ମ ସଙ୍ଗୀତ । ପ୍ରଥମେ ପ୍ରଥମେ ବ୍ରାହ୍ମ ସମାଜର ବିଭିନ୍ନ ଅଧିବେଶନରେ ଗାନ ହେବାଲାଗି ରାମମୋହନ ଅନେକ ଗୁଡ଼ିଏ ସଙ୍ଗୀତ ସଂଗ୍ରହ କରିଥିଲେ-। ସେଗୁଡ଼ିକ ବିଶ୍ଵସ୍ରଷ୍ଟାଙ୍କ ଶ୍ରେଷ୍ଠ ଉପାସକମାନଙ୍କ ଦ୍ଵାରା ରଚିତ ହୋଇଥିଲା । ତା’ ଛଡ଼ା ଯେଉଁମାନେ ବ୍ରାହ୍ମ ସମାଜର ସଭ୍ୟ ତଥା ସଭାର ଆଲୋଚନାମାନଙ୍କରେ ରୀତିମତ ଅଂଶ ଗ୍ରହଣ କରୁଥିଲେ, ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ ବ୍ରହ୍ମ ସଙ୍ଗୀତମାନ ରଚନା କରିଥିଲେ । ଠାକୁର ପରିବାରର ଅନ୍ୟମାନଙ୍କ ସମେତ ସମୟକ୍ରମେ ବିଶ୍ୱକବି ରବୀନ୍ଦ୍ରନାଥ ମଧ୍ୟ ଅନେକଗୁଡ଼ିଏ ବ୍ରହ୍ମ ସଙ୍ଗୀତ ରଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତୁଳପ୍ରସାଦ ସେନ, ରଜନୀକାନ୍ତ ସେନ୍, ତ୍ରୈଲୋକ୍ୟ ସାନ୍ୟାଲ୍, ଦ୍ୱିଜେନ୍ଦ୍ରନାଥ, ସୀତାନାଥ ତତ୍ତ୍ୱଭୂଷଣ, ସୁକୁମାର ରାୟ ଓ ନାରୀମାନଙ୍କ ମଧ୍ୟରେ ହେମଲତା ଦେବୀ, କାମିନୀ ରାୟ ଏବଂ ନିରୁପମା ଦେବୀ ଥିଲେ ଖ୍ୟାତନାମା ।

 

ବିଶ୍ୱସ୍ରଷ୍ଟାଙ୍କୁ ମାନବଜାତିର ଜଣେ ବନ୍ଧୁ, ସାଥି ତଥା ସମାଜର ରକ୍ଷାକର୍ତ୍ତା ହିସାବରେ ସେ ସଙ୍ଗୀତଗୁଡ଼ିକ ପ୍ରଶଂସାମୁଖର ଥିଲା ପ୍ରାୟତଃ ।

 

ସମୟକ୍ରମେ ବ୍ରହ୍ମ ସଙ୍ଗୀତ ସଂକଳନ ଭିତରେ ନାନକ, କବୀର ଓ ମୀରା ବାଈଙ୍କ ଭଜନ ମଧ୍ୟ ସ୍ଥାନ ପାଇଥିଲା । ମୂଳ ବେଦ ଓ ବେଦାନ୍ତର ବିଭିନ୍ନ ଅନୁବାଦର ସ୍ଥାନ ତ ନିଶ୍ଚୟ ସ୍ଵତନ୍ତ୍ର ଥିଲା, ଆଲୋଚନାଚକ୍ରର ଅଧିବେଶନଗୁଡ଼ିକ ସାଧାରଣତଃ ଚାରି ଭାଗରେ ବିଭକ୍ତ ହେଉଥିଲା । ଆବାହନ, ପ୍ରାର୍ଥନା, ଧ୍ୟାନ ଓ ସ୍ତୁତି ପାଠ । ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବ୍ରାହ୍ମସଙ୍ଗୀତଗୁଡ଼ିକ ଗାନ କରାଯାଉଥିଲା । କ୍ରମଶଃ ଅଧିକରୁ ଅଧିକ ଲୋକ ବ୍ରାହ୍ମସମାଜ ପ୍ରତି ଆକୃଷ୍ଟ ହୋଇଥିଲେ ଓ ବ୍ରହ୍ମସଙ୍ଗୀତ ରଚନା କରିବା ଲାଗି ଅନେକ ସଭ୍ୟ ସଫଳ ପ୍ରଚେଷ୍ଟା ମଧ୍ୟ କରିଥିଲେ ।

 

ତେବେ କ୍ରମେ କ୍ରମେ ଅଧିକରୁ ଅଧିକ ଲୋକ ବ୍ରାହ୍ମସମାଜ ପ୍ରତି ଆକୃଷ୍ଟ ହେଉଥିଲେ ମଧ୍ୟ ରକ୍ଷଣଶୀଳ ଲୋକଙ୍କ ସମାଲୋଚନାର ସୁଅ ସେଇମିତି ଛୁଟି ଚାଲିଥିଲା । ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ବିଷୋଦ୍‍ଗାର ବେଳକୁ ବେଳ ପ୍ରବଳ ହେଉଥିଲା । ବିଭିନ୍ନ କୁତ୍ସାପୂର୍ଣ୍ଣ ପ୍ରଚାରପତ୍ର ସମାଜରେ ପ୍ରଚାରିତ ହେଉଥିଲା । ବ୍ରାହ୍ମସମାଜର ସଭ୍ୟମାନଙ୍କୁ ହିନ୍ଦୁଧର୍ମ ବିଦ୍ୱେଷୀ ବୈଦେଶିକ ଏବଂ ସମାଜର ପରିପନ୍ଥୀ ଗୋଷ୍ଠୀ ଭାବେ ଅଭିହିତ କରାଯାଇ ସେମାନଙ୍କୁ ବିଜାତୀୟ, ଅସାମାଜିକ ପ୍ରଭୃତି ଉପାଧିରେ ଭୂଷିତ କରାଯାଉଥିଲା ।

 

କିନ୍ତୁ କୌଣସିଥିରେ ନା ରାମମୋହନ, ନା ବ୍ରାହ୍ମସମାଜର ସଦସ୍ୟବୃନ୍ଦ କେହି ବି ବିଚଳିତ ହୋଇ ନଥିଲେ । କାରଣ ସେମାନେ ମନେ କରିଥିଲେ ଯେ ସମାଜରେ କେଉଁ ଆଦିମ କାଳରୁ ପ୍ରଚଳିତ ପରଂପରାକୁ ବଦଳାଇବା ସେତେଟା ସହଜସାଧ୍ୟ ନୁହେଁ । ସେଥିପାଇଁ ଆବଶ୍ୟକ ଅସୀମ ଧୈର୍ଯ୍ୟ, ପ୍ରଭୂତ ସାହସ, ବଳିଷ୍ଠ ନେତୃତ୍ଵ । ସେସବୁ ଗୁଡ଼ିକ ବ୍ରାହ୍ମସମାଜ ପ୍ରତ୍ୟେକ ସଭ୍ୟଙ୍କ ପାଇଁ ସଞ୍ଚୟ କରି ରଖିଥିଲେ ଓ ସମସ୍ତ ପ୍ରକାର ବାଧା ବନ୍ଧନକୁ ମୁକାବିଲା କରିବାପାଇଁ ରାମମୋହନଙ୍କ ସମେତ ସମସ୍ତ ଦୃଢ଼ ମାନସିକ ପ୍ରସ୍ତୁତି କରି ସାରିଥିଲେ ।

Image

 

ଦଶ

ବ୍ରାହ୍ମସମାଜ : ବିଶ୍ଵ ଭ୍ରାତୃତ୍ଵ

 

ସେତେବେଳେ ଶିକ୍ଷିତ ସମାଜରେ ଏକ ନୂତନ ଶିହରଣ ସୃଷ୍ଟି ହୋଇ ଯାଇଥିଲା ଆପେ ଆପେ ୧୮୨୮ ମସିହାରେ ବ୍ରାହ୍ମସମାଜ ସ୍ଥାପିତ ହେବା ପରେ ପରେ । ତାର କାରଣ ଥିଲା ଅତି ସ୍ପଷ୍ଟ । ରାମମୋହନଙ୍କ ସାମାଜିକ ପ୍ରତିଷ୍ଠା ମୁଖ୍ୟତଃ ଅନ୍ୟମାନେ ସହ୍ୟ କରିପାରୁ ନଥିଲେ । କାରଣ ତା ଫଳରେ ତାଙ୍କର ଚିନ୍ତାଧାରାର ଅଧିକ ପ୍ରସାର ସମ୍ଭବ ହେବ । ପୁଣି ସେତେବେଳେ ପାରମ୍ପରିକ ଭାବେ ସମାଜର ପ୍ରତିଷ୍ଠିତ ଗୋଷ୍ଠୀ ପାଇଁ ସେ ଥିଲେ କଳଙ୍କ ।

 

ବ୍ରାହ୍ମସମାଜର କାର୍ଯ୍ୟକାଳପକୁ ପ୍ରତିହତ କରିବା ପାଇଁ ଜନ-ମାନସ ନିକଟରେ ସେଇ ପୁରାତନ ପରମ୍ପରା ପ୍ରତି ଆସ୍ଥା ସ୍ଥାପନ କରାଇବା ପାଇଁ ରକ୍ଷଣଶୀଳ ହିନ୍ଦୁମାନଙ୍କ ପକ୍ଷରୁ ଏକ ଅନୁଷ୍ଠାନ ଗଠନ କରାଯାଇଥିଲା । ଉକ୍ତ ଅନୁଷ୍ଠାନର ନାମକରଣ କରାଯାଇଥିଲା ଧର୍ମସଭା । ଧର୍ମସଭାର ବଡ଼ ପଣ୍ଡା ଥିଲେ ଜଣେ ଖ୍ୟାତନାମା ସଂସ୍କୃତ ପଣ୍ଡିତ ରାଧାକାନ୍ତ ଦେବ ।

 

ଶ୍ରୀ ରମାକାନ୍ତ ଦେବ ଥିଲେ ଶୋଭାବଜାର ଜମିଦାର ପରିବାରର ଜଣେ ସମ୍ମାନିତ ବ୍ୟକ୍ତି-। ସେତେବେଳେ ଶୋଭାବଜାର ଜମିଦାରଙ୍କୁ ଗୋଷ୍ଠୀପତି ବୋଲି ଅଭିହିତ କରାଯାଉଥିଲା । ଉକ୍ତ ପରିବାରକୁ ଗୋଷ୍ଠୀପତି କହିବା ମୂଳରେ ଥିଲା ପ୍ରଚଳିତ ହିନ୍ଦୁ ପରମ୍ପରା ଗୁଡ଼ିକର ରକ୍ଷାକର୍ତ୍ତା; ତଥା ପରମ ପୃଷ୍ଠପୋଷାକ ଭାବେ ସେମାନେ ଗୃହୀତ ହୋଇ ସାରିଥିଲେ ସମାଜରେ ।

 

ଧର୍ମ ସଭାର ସଂଗଠକମାନେ ପ୍ରଚାର କରିଥିଲେ ଯେ, ପୁରାତନ ପରମ୍ପରାକୁ ଓ ହିନ୍ଦୁ ଧର୍ମାନୁଯାୟୀ ପୁରାତନ ଧାରାର ଚାଲିଚଳଣିକୁ ବଜାୟ ରଖିବା ଉଦ୍ଦେଶ୍ୟ ନେଇ ଉକ୍ତ ଅନୁଷ୍ଠାନର ସଂଗଠନ । ବ୍ରାହ୍ମସମାଜ ଓ ତାର ପ୍ରଗତିଧର୍ମୀ ଚିନ୍ତାଧାରା ମୂଳକ କାର୍ଯ୍ୟକଳାପଗୁଡ଼ିକୁ ପ୍ରତିହତ କରିବା ପାଇଁ ଗୋଷ୍ଠୀପତି ରାଧାକାନ୍ତ ଦେବ ନେତୃତ୍ଵ ଗ୍ରହଣ କରିଥିଲେ । ଧର୍ମ ସଭାର ପ୍ରାୟତଃ ସମସ୍ତ ସଂଗଠକ ଏବଂ ପୃଷ୍ଠପୋଷକ ଥିଲେ ହିନ୍ଦୁ ଧର୍ମର ବିତ୍ତଶାଳୀ ବ୍ୟକ୍ତି । ରକ୍ଷଣଶୀଳ ହିନ୍ଦୁ ଭାବରେ ସେମାନଙ୍କ ମଧ୍ୟରୁ ଅନେକଙ୍କର ପ୍ରତିଷ୍ଠା ଓ ପ୍ରତିପତ୍ତି ମଧ୍ୟ ଥିଲା ହିନ୍ଦୁ ସମାଜରେ । ସେମାନେ ଅନୁଷ୍ଠାନ ଗଠନ କରିବା ମୂଳରେ ଏକମାତ୍ର ଲକ୍ଷ୍ୟ ଥିଲା, ଦେଶରେ ପ୍ରଚଳିତ ଥିବା ପରମ୍ପରାଗୁଡ଼ିକୁ ସଂପୂର୍ଣ୍ଣ ରୂପେ ରକ୍ଷା କରିବା । ସେମାନେ ଚାହୁଁଥିଲେ ନାରିଜାତିର ନିର୍ଯାତନା ଶେଷ ନ ହେଉ, ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ମାତ୍ରା ଶେଷ ନ ହେଉ । ବିଧବା ନାରୀମାନଙ୍କୁ ସାମାଜିକ ସ୍ଵୀକୃତି ଦେବା ପାଇଁ ସେମାନେ ପ୍ରସ୍ତୁତ ନଥିଲେ । ସେମାନଙ୍କ ଦୃଢ଼ ମତ ଥିଲା, ଦେଶରେ ହିନ୍ଦୁ ଧର୍ମ ରକ୍ଷା ଲାଗି ସତୀଦାହ ପ୍ରଥା ପ୍ରଚଳିତ ହେବା ନିତାନ୍ତ ବିଧେୟ । ସେଥିପାଇଁ ଖୋଲାଖୋଲି ଭାବରେ ପ୍ରଚାର ଚଳାଇଥିଲେ ମଧ୍ୟ । ସେଥିପାଇଁ ହିଁ ସେମାନେ ଏକ ସଙ୍ଗଠିତ ଦଳ ତୟାର କରିଥିଲେ । ଯେଉଁମାନେ ସେ ପ୍ରକାର କାର୍ଯ୍ୟକଳାପକୁ କେବଳ ଉତ୍ସାହିତ କରୁ ନଥିଲେ, ବରଂ ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ସାହାଯ୍ୟ ଦେବାପାଇଁ ପ୍ରସ୍ତୁତ ଥିଲେ ।

 

ରାମମୋହନ ବ୍ରାହ୍ମସମାଜ ଗଠନ କରିବା ପରେ ପରେ ତାହାକୁ ହିନ୍ଦୁଧର୍ମର ଅଦ୍ଵୈତବାଦୀ ରୂପରେଖ ଦେବା ପାଇଁ ଉଦ୍ୟମ କରିଥିଲେ । କାରଣ ତାହାରି ମୂଳରେ ଏକମାତ୍ର ଭତ୍ତି ଥିଲା ହିନ୍ଦୁଧର୍ମ ଓ ରାମମୋହନଙ୍କ ଏକେଶ୍ୱରବାଦ ବିଶ୍ୱାସ । ଅଦ୍ଵୈତବାଦୀ ଚିନ୍ତାଧାରା ତତ୍‍ପୂର୍ବରୁ ଖ୍ରୀଷ୍ଟୀୟ ଜଗତରେ ଶିହରଣ ସୃଷ୍ଟି କରି ସାରିଥିଲା । ତାହା ଥିଲା ଏକାନ୍ତ ସ୍ଵାଭାବିକ ।

 

ତେବେ ୟାର ଅର୍ଥ ଏହିଭଳି ଭାବରେ କରାଯାଇ ନପାରେ ଯେ ଅନ୍ୟ ଧର୍ମବିଶ୍ଵାସ ଉପରେ ରାମମୋହନଙ୍କ ଆସ୍ଥା ନଥିଲା । ବରଂ ସେ ନିଜେଇ ଥିଲେ ସର୍ବ ଧର୍ମର ଏକ ମଧୁର ସମନ୍ଵୟ । ସବୁ ଧର୍ମର ସମାଜ ହିତକାରୀ ନୀତିଗୁଡ଼ିକୁ ଗ୍ରହଣ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥିଲେ ଏବଂ ଗ୍ରହଣ କରିଥିଲେ ମଧ୍ୟ । କୌଣସି ଧର୍ମବିଶ୍ୱାସ ତାହାଙ୍କ ନିକଟରେ କସ୍ମିନକାଳେ ଘୃଣିତ ହୋଇ ନଥିଲା ।

 

ଏ କଥା ନିଃସନ୍ଦେହ ଭାବରେ କୁହାଯାଇପାରେ ଯେ ରାମମୋହନ ଏକଦା ଖ୍ରୀଷ୍ଟୀୟ ସଂପ୍ରଦାୟ ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇ ଯାଇଥିଲେ । ତାହାର ଏକମାତ୍ର କାରଣ ହୋଇପାରେ ଭାରତରେ ଇଂରେଜମାନଙ୍କ ଶାସନ । ଅନେକ ଇଂରେଜ ଲୋକ ଓ ଇଂରେଜ ସରକାରୀ କର୍ମଚାରୀଙ୍କ ସହିତ ତାଙ୍କର ସୁସଂପର୍କ ଥିଲା । ତେଣୁ ରାମମୋହନଙ୍କ ଉପରେ କେତେକ ଦିଗରୁ ଅନ୍ତତଃ ସେମାନଙ୍କ ପ୍ରଭାବ ଯେ ପଡ଼ି ନ ଥିବ, ତାହା ଅସମ୍ଭବ ନୁହେଁ । ବିଶେଷ କରି ରାମମୋହନ ଚର୍ଚ୍ଚକୁ ଯାଉଥିଲେ ଅନେକ ସମୟରେ ପ୍ରାର୍ଥନା ସଭାରେ ଯୋଗଦେବା ପାଇଁ ।

 

ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ବାଣିଜ୍ୟ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ପ୍ରଥମେ ଭାରତରେ ପାଦ ଦେଇଥିଲେ ମଧ୍ୟ ପରେ ପରେ ଶାସନକାଳକୁ ଅକ୍ତିଆର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଧର୍ମମତ ଓ ଧର୍ମଭାବ ପ୍ରଚାର କରିବା ପାଇଁ ମନ ଭିତରେ ଆଶା ପୋଷଣ କରିଥିଲେ-। ପୂର୍ବରୁ ଶହ ଶହ ବର୍ଷଧରି ଭାରତକୁ ଶାସନ କରି ଆସୁଥିବା ମୁସଲମାନମାନଙ୍କ ଅମଳରେ ହିନ୍ଦୁଧର୍ମର ବହୁଳ ପ୍ରସାର ଘଟି ନ ଥିଲେ ମଧ୍ୟ ଜନଗଣଙ୍କ ଆସ୍ଥା ଓ ବିଶ୍ୱାସ ଧର୍ମପ୍ରତି ଅତୁଟ ରହିଥିଲା । ନିଜ ନିଜର ଧର୍ମ ଓ ସଂସ୍କୃତି ନେଇ ହିନ୍ଦୁମାନେ ଗର୍ବକରି ଆସୁଥିଲେ । କିନ୍ତୁ ବ୍ରିଟିଶ୍ ଶାସନ ଆରମ୍ଭରୁ ପ୍ରାୟ ହଠାତ୍ ବ୍ୟାଧିଗ୍ରସ୍ତ ହୋଇ ପଡ଼ିଥିଲା ହିନ୍ଦୁସମାଜ । ତେବେ ବିଦେଶୀ ଶାସକମାନେ କେବଳ ଯେ ତାର ମୂଳ କାରଣ ଥିଲେ, ତାହା ମଧ୍ୟ କୁହାଯାଇ ନ ପାରେ ।

 

ଖ୍ରୀଷ୍ଟ ଧର୍ମାବଲମ୍ବୀ ଇଂରେଜମାନଙ୍କ ତରଫରୁ ହିନ୍ଦୁ ଧର୍ମବିଶ୍ଵାସ ପ୍ରତି ଓ ପ୍ରଚଳିତ ପରମ୍ପରାଗୁଡ଼ିକର ସମାଲୋଚନା ଯାହା ଓ ଯେଭଳି ଭାବରେ ହୋଇଥିଲା, ତାହା ଉଲ୍ଲେଖନୀୟ ନୁହେ । ସେମାନଙ୍କ ପ୍ରଧାନ ଧର୍ମ ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟଧର୍ମର ପ୍ରଚାର । ସର୍ବାଧିକ ଓ କଠୋର ଭାବେ ସମାଲୋଚନା ହୋଇଥିଲା ହିନ୍ଦୁ ଧର୍ମାବଲମ୍ବୀମାନଙ୍କଠାରୁ, ଯେଉଁମାନଙ୍କ ନେତୃତ୍ଵ ନେଇଥିଲେ ରାଜା ରାମମୋହନ । ସେଇମାନଙ୍କ ସଙ୍ଗଠିତ ଅନୁଷ୍ଠାନ ଥିଲା ବ୍ରାହ୍ମସମାଜ ।

 

ଏବଂ ଏକଥା ମଧ୍ୟ ମଧ୍ୟାହ୍ନର ସୂର୍ଯ୍ୟଭଳି ତେଜୀୟାନ ଯେ ରାମମୋହନଙ୍କ ସମେତ ତାହାଙ୍କ ପଥାନୁସରଣକାରୀମାନଙ୍କ ମଧ୍ୟରୁ ଅନେକେ ପାଶ୍ଚାତ୍ୟ ସଭ୍ୟତା ତଥା ଖ୍ରୀଷ୍ଟିୟାନମାନଙ୍କ ଦ୍ୱାରା ବିଶେଷଭାବେ ପ୍ରଭାବିତ ହୋଇ ଉଠିଥିଲେ । କିନ୍ତୁ ତା ଫଳରେ ଯେ ସେମାନେ ନିଶ୍ଚିତଭାବେ କୌଣସି ଭୁଲ କରିପକାଇ ଥିଲେ ବା ହିନ୍ଦୁଧର୍ମର କିଛି କ୍ଷତି ଘଟାଇ ଥିଲେ, ତା ମଧ୍ୟ ନୁହେଁ । ବରଂ ଧର୍ମରେ ଅନେକଟା ସଂସ୍କାର ଆଣିଦେଇ ପାରିଥିଲେ ତଥାକଥିତ ଗୋଷ୍ଠୀ । ଦକ୍ଷିଣ ଭାରତର ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ଦାର୍ଶନିକ କେ. ଗୁରୁଦତ୍ତଙ୍କ ଭାଷାରେ Centuries of Muslim rule had had not weakened the faith and pride of Hindus in their own religion or culture. But with the advent of the British, things changed all of a sudden. It was no longer a question of standards imposed by foreign rulers. The attack came more from inside than the out side; from man like Rammohan Ray and his successors They were undoubtedly greatmen in their own way. But they fell a prey to the glamour of western civilisation and to a certain extent to the influence of Christianity. They had eyes only for the defects of their own civilisation. So the major stres of these reforms was on the correction of social abuses and the purification of faith”

 

ରାମମୋହନ ଓ ତାଙ୍କ ଅନୁଗାମୀମାନଙ୍କ ପ୍ରଧାନ ଉଦ୍ଦେଶ୍ୟ ସଂସ୍କାରମୂଳକ ଥିବାରୁ ସେମାନେ ହିନ୍ଦୁଧର୍ମ ଭିତରେ ପ୍ରଚଳିତ ଥିବା କୁସଂସ୍କାରଗୁଡ଼ିକ ଦୂର କରିବା ପାଇଁ ଉଦ୍ୟମ କରିଥିଲେ ମାତ୍ର ଅତ୍ୟନ୍ତ ନିଷ୍ଠାର ସହିତ ।

 

ଯଦିଓ ରାମମୋହନ ଏକଦା ଖ୍ରୀଷ୍ଟୀୟ ସଂପ୍ରଦାୟର ରୀତିନୀତି ଓ ସେମାନଙ୍କ ଧର୍ମପ୍ରତି ସାମୟିକ ଭାବେ ହେଲେ ମଧ୍ୟ ଆକୃଷ୍ଟ ହୋଇପଡ଼ିଥିଲେ, ସେଥିରେ ସନ୍ଦେହ ନ ଥିଲା । ତାହାର ଅର୍ଥ ଏହିପରି କରାଯାଇ ନପାରେ ଯେ ସେ ହିନ୍ଦୁଧର୍ମ ତ୍ୟାଗକରି ଖ୍ରୀଷ୍ଟଧର୍ମ ଗ୍ରହଣ କରିବାପାଇଁ ମନ ବଳାଇଥିଲେ । ଗୋଟିଏ ଘଟଣାର ଅବତାରଣା ଏଠାରେ କରାଯାଇପାରେ ।

 

ଅନେକ ସମୟରେ ରାମମୋହନ ତାଙ୍କର ବିଶ୍ଵସ୍ତ ଖ୍ରୀଷ୍ଟିୟାନ୍ ବନ୍ଧୁମାନଙ୍କ ନିକଟକୁ ଯାଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବିଶପ୍ ମିଡ଼ଲ୍ ଟୋନ୍ । ସେ ଯେତେବେଳେ ବିଶପ୍ ମିଡ଼ଲ୍ ଟୋନଙ୍କ ନିକଟକୁ ଯାଇଥିଲେ, ଉଭୟଙ୍କ ମଧ୍ୟରେ ଅନ୍ତରଖୋଲା କଥାବାର୍ତ୍ତା ହେଉଥିଲା । ରାମମୋହନ ତାଙ୍କର ଅଦ୍ୱୈତବାଦୀ ଦର୍ଶନ ଆଲୋଚନା କରିବା ସଙ୍ଗେ ସଙ୍ଗେ ପ୍ରତିମା ପୂଜାର ଅନାବଶ୍ୟକତା ନେଇ ଆଲୋଚନା କରୁଥିଲେ ଅନେକବାର ।

 

ସେଇଭଳି କଥାବାର୍ତ୍ତା ବେଳେ ଦିନେ ବିଶପ୍ କଥା ଛଳରେ କହିଥିଲେ, ଯଦି ରାମମୋହନ ଖ୍ରୀଷ୍ଟଧର୍ମ ଗ୍ରହଣ କରି ନିଅନ୍ତେ, ତା ହେଲେ ସେଇ ସମାଜରେ ତାଙ୍କର ଯଥେଷ୍ଟ ସମ୍ମାନ ବଢ଼ିବା ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ କ୍ଷମତାର ଅଧିକାରୀ ହେବା ସମ୍ଭବ ହୋଇ ଯାଆନ୍ତା-

 

ବିଶପଙ୍କ ମୁହଁରୁ ସେକଥା ଶୁଣି ରାମମୋହନ ସ୍ତମ୍ଭୀଭୂତ ହୋଇ ପଡ଼ିଥିଲେ । ସେ ସ୍ଵପ୍ନ ମଧ୍ୟ ଦେଖି ନ ଥିଲେ ଯେ ବିଶପଙ୍କ ଭଳି ଶିକ୍ଷିତ ଜଣେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କଠାରୁ ସେଭଳି ଭାବରେ କିଛି ଶୁଣିବେ ।

 

Bhawan’s Journal (Will Hinduism survive) 15th Aug. 1976,

 

ତା ପରେ ପରେ ମାତ୍ର କେତୋଟି ମିନିଟର ବ୍ୟବଧାନ ଭିତରେ ସେଠାରୁ ଚାଲି ଆସିଥିଲେ ଝଡ଼ଭଲି । ବିଶପଙ୍କ ସେଭଳି ବ୍ୟବହାରରେ ଅତ୍ୟନ୍ତ କ୍ଷୁବ୍‍ଧ ହୋଇଥିଲେ ସେ ଏବଂ ତାଙ୍କ ମନର ବେଦନା ବାହାରେ ପ୍ରକାଶ କରିଥିଲେ ମଧ୍ୟ ।

 

ରାଜା ରାମମୋହନ ଥିଲେ ଜଣେ ହିନ୍ଦୁ ଏବଂ ଜଣେ ପରମ ହିନ୍ଦୁ ହେଲେ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କ ପ୍ରାର୍ଥନାମନ୍ଦିର ଚର୍ଚଗୁଡ଼ିକ ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜଣାଉଥିଲେ ଏବଂ ସେଗୁଡ଼ିକର ପ୍ରଶଂସା କରିବାକୁ ମଧ୍ୟ କେବେହେଁ ପଶ୍ଚାତପଦ ହେଉ ନ ଥିଲେ । ଖ୍ରୀଷ୍ଟଧର୍ମର ନୀତିଗୁଡ଼ିକ ପ୍ରତି ଆନ୍ତରିକ ଭାବେ ପ୍ରଶଂସା କରିବାର ଉଦ୍ଦେଶ୍ୟ ଥିଲା, ସେମାନେ କୌଣସି ପ୍ରକାର ମନ୍ତ୍ର ତନ୍ତ୍ର କିମ୍ବା କୌଣସି ପ୍ରକାର ଭୌତିକ କାର୍ଯ୍ୟ କଳାପକୁ ଧର୍ମର ଦ୍ୱାହୀ ଦେଇ ପ୍ରଶୟ ଦେଉ ନ ଥିଲେ । ଏକାଗ୍ରଚିତ୍ତରେ ଯୀଶୁଖ୍ରୀଷ୍ଟଙ୍କ ପ୍ରାର୍ଥନା ରାମମୋହନଙ୍କ ମନରେ ଆନନ୍ଦ ଦେଉଥିଲା ଅନେକ ପରିମାଣରେ ।

 

କେବଳ ହିନ୍ଦୁ ନୁହଁ, ଖ୍ରୀଷ୍ଟୀୟ ସଂପ୍ରଦାୟର ମଧ୍ୟ ପରମ୍ପରାଗୁଡ଼ିକୁ ପୌରାଣିକ ଗ୍ରନ୍ଥ ଓ ଧର୍ମ ସହିତ ସଂଶ୍ଳିଷ୍ଟ କରାଯାଉଥିବା ଉଦ୍ୟମକୁ ରାମମୋହନ କୌଣସିମତେ ଗ୍ରହଣ କରିପାରୁ ନ ଥିଲେ । ଧର୍ମ ନାମରେ ଯେକୌଣସି ଗ୍ରନ୍ଥକୁ ଗୁରୁତ୍ଵ ଦେଇ ସତ୍ୟର ଅପଳାପ କରାଯିବାକୁ ସମର୍ଥନ କରିବା ଥିଲା ତାଙ୍କର ଘୋର ନୀତିବିରୁଦ୍ଧ । ସେଇ ଦୃଷ୍ଟିରୁ ହିନ୍ଦୁମାନଙ୍କ ଦ୍ଵାରା ସେ ଯେତିକି ସମାଲୋଚିତ ହେଉଥିଲେ, ତତୋଽଧିକ ହେଉଥିଲେ ଖ୍ରୀଷ୍ଟୀୟ ସଂପ୍ରଦାୟ ଦ୍ଵାରା । ପୁଣି ତିବ୍ଦତୀୟ ଲାମାମାନେ ମଧ୍ୟ ତାହାଙ୍କୁ ଭଲ ନ ପାଇବା ଓ ସମାଲୋଚନା କରିବାର କାରଣ ଥିଲା, ସେମାନଙ୍କ ଦ୍ୱାରା ପ୍ରଚଳିତ ଥିବା ଧାର୍ମିକ ପରମ୍ପରାର ସେ ଥିଲେ ତୀବ୍ର ବିରୋଧୀ ।

 

ତଥାପି ଏକ ସ୍ୱଚ୍ଛ ହୃଦୟରେ ଖ୍ରୀଷ୍ଟିୟାନମାନଙ୍କ ଚର୍ଚ୍ଚକୁ ଯାଉଥିଲେ ବିଶ୍ଵସ୍ରଷ୍ଟାଙ୍କୁ ପ୍ରାର୍ଥନା କରିବାଲାଗି । କାରଣ ସେ ଏକାନ୍ତଭାବେ ଅନୁଭବ କରୁଥିଲେ ଯେ ଏ ବିଶ୍ଵର ସ୍ରଷ୍ଟା ଜଣେ ।

 

ସେଇଥିଲାଗି, କେବଳ ସେଇଥିଲାଗି ସେ ଚାହିଁଥିଲେ ବ୍ରାହ୍ମସମାଜର ଦ୍ଵାର ସମସ୍ତଙ୍କ ଲାଗି ଉନ୍ମୁକ୍ତ ରହିବ । ବିଶ୍ଵସ୍ରଷ୍ଟାଙ୍କ ଉପାସନା ପାଇଁ ଯେ କୌଣସି ଲୋକ, ଯେ କୌଣସି ଅନୁଷ୍ଠାନ ତାର ଉପଯୁକ୍ତ ବ୍ୟବହାର କରିପାରନ୍ତି । ଯେ କୌଣସି ଲୋକ ପ୍ରାର୍ଥନାରେ ଯୋଗଦେଇ ପାରନ୍ତି । ସେଥିପାଇଁ ବ୍ରାହ୍ମସମାଜର ନ୍ୟାସପତ୍ର (Trust deed)ରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ “The trustees shall at all times, permit the same building, land and premises, to be used, occupied, enjoyed applied as and for a place of public meeting, of sorts and descriptions of people without distinction as shall behave and conduct themselves in an orderly, sober, religious and devout manner, for the worship and adoration of the Eternal Unsearchable and Immutable Being, who is the Author and preserver of the universe, but not under by any other names designation or title, peculiarly used for and applied to any particular Being or Beings by any man or set of men whatsoever...but such as have a tendency to the promotion of the contemplation of the Author and preserver of the Universe to the promotion of charity, morality, piety, benevolence, virtues and the strengthening the bonds of union between men of all religions persuation and creeds.”

 

ରାମମୋହନଙ୍କ ଆନ୍ତରିକ ଉଦ୍ଦେଶ୍ୟ ଥିଲା ବିଭିନ୍ନ ଧର୍ମ ସଂପ୍ରଦାୟ ଭିତରେ ଏକ ସୁନ୍ଦର ସମନ୍ଵୟ ସ୍ଥାପିତ ହେଉ । ମଣିଷ ମଣିଷର ଶତ୍ରୁ ନ ହୋଇ ଭ୍ରାତୃ ହେଉ; ପଶୁ ନ ହୋଇ ମଣିଷ ହେଉ-

 

ବାସ୍ତବିକ୍ ମହାନ୍ ବ୍ୟକ୍ତିମାନେ ସମାଜରେ ଯେତେବେଳେ ସେମାନଙ୍କ ବ୍ୟକ୍ତିତ୍ୱର ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥାନ୍ତି, ସେମାନଙ୍କର ବହୁ ଶତ୍ରୁ ବାହାରିଥାନ୍ତି । କିନ୍ତୁ ସତକୁ ସତ ଦିନେ ନା ଦିନେ ସେଇ ବ୍ୟକ୍ତିର ନିକଟରେ ସେହି ଶତ୍ରୁମାନଙ୍କୁ ନତମସ୍ତକ ହେବାକୁହିଁ ପଡ଼ିଥାଏ ।

 

ଯେତେବେଳେ ରାମମୋହନ ଆତ୍ମୀୟ ସଭା ସ୍ଥାପନ କରିଥିଲେ, ତାଙ୍କର ଶତ୍ରୁ ସଂଖ୍ୟା ଖୁବ୍ ବଢ଼ି ଯାଇଥିଲା । ତାଙ୍କର ଅତି ନିକଟତମ ଲୋକ ମଧ୍ୟ ରାମମୋହନଙ୍କୁ ଘୃଣିତ ଚକ୍ଷୁରେ ଦେଖିବା ପାଇଁ କୁଣ୍ଠିତ ନ ଥିଲେ । ଅନେକ ଆତ୍ମୀୟ ଏପରି କି ଦୂରେଇ ଯାଇଥିଲେ ତାହାଙ୍କ ନିକଟରୁ । ରାଜାଙ୍କ ପଥାନୁସରଣକାରୀମାନଙ୍କ ମଧ୍ୟରୁ କେତେକ ଅନ୍ୟ ପଥ ବାଛି ନେଇଥିଲେ । ତାଙ୍କର ଜଣେ ଅନ୍ତରଙ୍ଗ ଶ୍ରୀ ଜୟକୃଷ୍ଣ ସିଂହ ଆତ୍ମୀୟ ସଭାର ଜଣେ ସଭ୍ୟ, କେବଳ ଅନୁଷ୍ଠାନ ତ୍ୟାଗକରି ଚାଲିଯାଇ ନ ଥିଲେ ବରଂ ସେଇ ଅନୁଷ୍ଠାନର ପ୍ରଗତି ପଥରେ ଥିଲେ ପ୍ରଧାନ ଅନ୍ତରାୟ-। ସେ ଆତ୍ମୀୟ ସଭାରୁ ବାହାରିଯିବାର ପ୍ରଧାନ କାରଣ ଥିଲା, ହିନ୍ଦୁ ସମାଜର ପରିପନ୍ଥୀ ଅନୁଷ୍ଠାନ ରୂପେ ପ୍ରଚାରିତ ହୋଇଥିବା ରାମମୋହନଙ୍କ ସଙ୍ଗଠନ ସହିତ ସଂପୃକ୍ତ ରହିଲେ ଜନସାଧାରଣରେ ହୁଏତ ନିନ୍ଦିତ ହେବେ, ସାମାଜିକ ପ୍ରତିଷ୍ଠା ପାଇପାରିବେ ତ ନାହିଁ, ସମାଜରେ ଘୃଣିତ ହେବେ । କେବଳ ଲୋକନିନ୍ଦା ଭୟରେ ସେ ଅନୁଷ୍ଠାନ ନିକଟରୁ ଦୂରେଇ ଯାଇ ତାର ଭୀଷଣ ଅପପ୍ରଚାର ଆରମ୍ଭ କରି ଦେଇଥିଲେ । ସେ ପ୍ରଚାର କରିଥିଲେ ଯେ, ଆତ୍ମୀୟ ସଭା ତରଫରୁ ଗୋହତ୍ୟା କରାଯିବାର ମସୁଧା କରାଯାଉଛି ଓ ଗୋହତ୍ୟାର ସମର୍ଥକ ଗୋଷ୍ଠୀ ହେଉଛି ଆତ୍ମୀୟ ସଭା ।

 

ହିନ୍ଦୁମାନେ ଗୋଜାତିକୁ ମାତୃଜାତି ସ୍ଵରୂପ ପୂଜା କରୁଥିବା ବେଳେ ସେଭଳି ଆପପ୍ରଚାର କରାଯାଇ ରାମମୋହନଙ୍କୁ ଓ ତାଙ୍କର ସଙ୍ଗଠକୁ ଦୁର୍ବଳ କରାଇବା ପ୍ରଚେଷ୍ଟା ମଧ୍ୟ କମ୍ ନ ଥିଲା । କିନ୍ତୁ ରାମମୋହନ ନିର୍ବିଚାର ଭାବରେ ସେଗୁଡ଼ିକୁ ସହ୍ୟ କରି ନେଉଥିଲେ ।

 

ଜୟକୃଷ ସିଂହ ବ୍ୟକ୍ତିଗତ ଭାବେ ରାମମୋହନଙ୍କୁ ଗାଳି ଗୁଲଜ କରିବାଠାରୁ ଆରମ୍ଭ କରି କୁତ୍ସାରଟନା କରିବାଲାଗି ପଶ୍ଚାତପଦ ହୋଇ ନ ଥିଲେ । ବନ୍ଧୁ ମଧ୍ୟ ବେଳେବେଳେ ପରମ ଶତ୍ରୁରେ ପରିଣତ ହେବା ପ୍ରମାଣିତ ହୋଇ ଯାଉଥିଲା । ନିଜର ବ୍ୟକ୍ତିଗତ କୁତ୍ସା ରଟିତ ହୋଇଥିଲେ ମଧ୍ୟ ଓ ହେଉଥିଲେ ମଧ୍ୟ ରାମମୋହନ ଥିଲେ ଅବିଚଳିତ । ତାଙ୍କର ନିଜ ଚିନ୍ତାଧାରାରେ ସେ ଏତେ ଦୃଢ଼ ଥିଲେ ଯେ ଶତ ଶତ କୁତ୍ସା ତାହାଙ୍କର ତିଳେମାତ୍ର ଅନିଷ୍ଟ କରିପାରୁ ନ ଥିଲା ।

 

ତଥାପି ତାହାଙ୍କର କେତେଜଣ ବନ୍ଧୁ ରାମମୋହନଙ୍କ ପ୍ରଗତିଶୀଳ ମତ ପଛରେ ଛିଡ଼ାହେବାଲାଗି ତୟାର ହୋଇ ସାରିଥିଲେ । ଅନେକ କ୍ଷେତ୍ରରେ ପରସ୍ପର ମଧ୍ୟରେ ମନୋମାଳିନ୍ୟ ରହୁଥିଲେ ସୁଦ୍ଧା, ଅନେକ ସମୟରେ ମତପାର୍ଥକ୍ୟ ରହୁଥିଲେ ସୁଦ୍ଧା, ଜଣେ ଅନ୍ୟ ଜଣକୁ ବୁଝିବା ଲାଗି ଚେଷ୍ଟା କରୁଥିଲେ ।

 

ସେତେକିବେଳକୁ ରାମମୋହନ ଯେଉଁ ପ୍ରକାରର ସାମାଜିକ ପରିବେଶ ଭିତରେ ଚଳି ଆସୁଥିଲେ, ଟିକିଏ ଦୁର୍ବଳମନା ହୋଇଥିଲେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥାନ୍ତେ ।

 

ନିଜ ଜନ୍ମଦାତ୍ରୀ ମାତା ତାରିଣୀ ଦେବୀ ତାଙ୍କଠାରୁ ଦୂରେଇ ଯାଇଥିଲେ । ପତ୍ନୀମାନେ କେମିତି ଏକ ଖାପଛଡ଼ା ପରିବେଶ ଭିତରେ ଥିବାଭଳି ମନେ କରୁଥିଲେ । ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ସଦଭାବ ନ ଥିଲା । ପରିବାରର ଅନ୍ୟାନ୍ୟ ସଭ୍ୟମାନେ ପିତୃ ପୁରୁଷର ସମ୍ପତ୍ତି ଭାଗବଣ୍ଟନ ନେଇ କୋଟ କଚେରୀର ଆଶ୍ରୟ ନେଇଥିଲେ ତାଙ୍କ ପିତ୍ରାର୍ଜିତ ସମ୍ପତ୍ତିରୁ ରାମମୋହନଙ୍କୁ ବଞ୍ଚିତ କରିବା ପାଇଁ ।

 

ସେଥିରେ ଅଯଥା ରାମମୋହନଙ୍କ ବ୍ୟୟର ମାତ୍ରା ବଢ଼ି ଯାଉଥିଲା । ପରିବାରର ଅନ୍ୟାନ୍ୟ ସଭ୍ୟଙ୍କ କୁମନ୍ତ୍ରଣାର ସମ୍ମୁଖୀନ ହେବାପାଇଁ ତାହାଙ୍କୁ ଅନେକ ସମୟ ମଧ୍ୟ ବ୍ୟୟ କରିବାକୁ ପଡ଼ୁଥିଲା, ଯାହା ରାମମୋହନଙ୍କ ପାଇଁ ଥିଲା ଅପୂରଣୀୟ କ୍ଷତି । ପରେ ପରେ ପୁଣି ଅବସ୍ଥା ଏପରି ଜଟିଳ ହୋଇ ଉଠିଥିଲା ଯେ ରାମମୋହନଙ୍କ ବଡ଼ଭାଇ ଜଗମୋହନଙ୍କ ପୁଅ ଗୋବିନ୍ଦପ୍ରସାଦ ସେଇ ପାରିବାରିକ କନ୍ଦଳକୁ ଆହୁରି ଅଧିକ ଜଟିଳ କରିଦେଇଥିଲେ । ତଳ କୋର୍ଟରୁ ଉଠାଇ ନେଇ ସମ୍ପତ୍ତି ଭାଗ ବଣ୍ଟରା ମକଦ୍ଦମା ଦାଏର କରିଥିଲେ ସୁପ୍ରିମ କୋର୍ଟରେ ।

 

କିନ୍ତୁ ସବୁର ଉପରେ ସତ୍ୟର ଜୟ ହିଁ ଚିରନ୍ତନ । ପରିଶେଷରେ ରାମମୋହନ ହିଁ ବିଜୟ ଲାଭ କରିଥିଲେ । ଯେଉଁ ଗୋବିନ୍ଦପ୍ରସାଦ ଦିନେ ନିଜ ପିତାଙ୍କ ସନଭାଇଙ୍କୁ ତାଙ୍କ ପିତୃପୁରୁଷାର୍ଜିତ ସମ୍ପତ୍ତିରୁ ଅଂଶ ନ ଦେବାଲାଗି ମକଦ୍ଦମା ଦାଏର କରିଥିଲେ ସୁପ୍ରିମ କୋର୍ଟରେ ଅନ୍ୟ ସମୟରେ ସେ ନିଜେ ହିଁ ପତ୍ର ଲେଖି ନିଜର ଭୁଲ ମାର୍ଜନ କରିବା ପାଇଁ କକାଙ୍କ ନିକଟରେ କ୍ଷମା ପାର୍ଥନା କରିଥିଲେ ତାହା ହିଁ ଲେଖିଥିଲେ, ନିଜକୁ ସମସ୍ତଙ୍କଠାରୁ ବିଚ୍ଛିନ୍ନ କରିଦେଇ । କେବଳ ପରିବାରର ଅନ୍ୟାନ୍ୟ ସଭ୍ୟମାନଙ୍କ ସନ୍ତୋଷ ବିଧାନ କରିବା ପାଇଁ ଅଯଥା ଅନେକ ଦୂର ଚାଲିଯାଇଥିଲେ ବୋଲି ଖୁବ୍ ଅନୁତପ୍ତ ଥିଲେ ସେ ।

 

ନିଜର ଭୁଲ ପାଇଁ ଉଦାର ହୃଦୟରେ କ୍ଷମାପ୍ରାର୍ଥନା କରିଥିଲେ ସେଥିପାଇଁ, କାକା ରାମମୋହନଙ୍କ ନିକଟରୁ ।

 

ସେଭଳି ପାରିବାରିକ ଝଡ଼ଝଂଜାର ସମ୍ମୁଖୀନ ହେବାକୁ ପଡ଼ୁଥିବା ହେତୁ ଆତ୍ମୀୟ ସଭାର ବୈଠକଗୁଡ଼ିକରେ ବିଧିବଦ୍ଧ ଭାବରେ ସେ ଯୋଗଦେଇ ପାରୁ ନ ଥିଲେ । ପୁଣି ସେତେବେଳେ ଆତ୍ମୀୟ ସଭାର ସ୍ଥାୟୀ ଗୃହ ମଧ୍ୟ ନ ଥିଲା । ସାଧାରଣତଃ ତାର ବୈଠକଗୁଡ଼ିକ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ହେଉଥିଲା ଏବଂ ଆତ୍ମୀୟ ସଭାର ପ୍ରତିଷ୍ଠାତା ରାମମୋହନ ଅନେକ ସମୟରେ ସଭାର ଆଲୋଚନାମାନଙ୍କରେ ଯୋଗଦେଇ ପାରୁ ନ ଥିଲେ ।

 

ପୁଣି ପ୍ରାୟ ସେତେବେଳେ ବର୍ଦ୍ଧମାନର ମହାରାଜ ରାମମୋହନଙ୍କ ଉପରେ ଗୋଟିଏ ମକଦ୍ଦମା ଦାଏର କରିଥିଲେ । ସେ ଥିଲେ ରମାକାନ୍ତ ରାୟଙ୍କର ଜଣେ ପରମ ଶତ୍ରୁ ଓ ସେଇ ଶତ୍ରୁତାକୁ କେନ୍ଦ୍ର କରି ସେ ରାଜାଙ୍କ ଉପରେ ମକଦ୍ଦମା କରିଥିଲେ ତାଙ୍କର ମୃତ୍ୟୁ ପରେ ମଧ୍ୟ ।

 

କିନ୍ତୁ ସେ ମକଦ୍ଦମାରେ ମଧ୍ୟ ବିଜୟୀ ହୋଇଥିଲେ ରାମମୋହନ । ରାମମୋହନଙ୍କ ଧର୍ମମତ ବିରୋଧୀ ରକ୍ଷଣଶୀଳ ହିନ୍ଦୁମାନେ ତାଙ୍କର ସେପ୍ରକାର ପାରିବାରିକ କନ୍ଦଳ ତ ନୁହଁ, ବରଂ ସାମୟିକ ବିପର୍ଯ୍ୟୟ ଯୋଗୁଁ ମନେ ମନେ ଉତଫୁଲ୍ଲିତ ହୋଇ ଉଠିଥିଲେ । ସେମାନେ ମନେ କରିଥିଲେ ଯେ ରାମମୋହନଙ୍କ ସମସ୍ତ ବିପର୍ଯ୍ୟୟର କାରଣ ମାତ୍ର ଏକ ହିନ୍ଦୁଧର୍ମବିରୋଧୀ ମତବାଦ-। ବିଧର୍ମୀ ଲୋକ ଉପଯୁକ୍ତ ଶାସ୍ତି ପାଇବା ନିଶ୍ଚିତ ବୋଲି ମନେ କରୁଥିଲେ ସେମାନେ । ଆତ୍ମୀୟ ସଭାର ସାଂଗଠନିକ ଅବହେଳା ଯୋଗୁଁ ରକ୍ଷଣଶୀଳ ଗୋଷ୍ଠୀ ଉତଫୁଲ୍ଲିତ ହେବା ସ୍ଵାଭାବିକ । ସେମାନଙ୍କ ମତ ଥିଲା ହିନ୍ଦୁଧର୍ମ ବିରୋଧୀ ଅନୁଷ୍ଠାନ କେବେହେଁ ତିଷ୍ଠି ପାରେନା ।

 

କିନ୍ତୁ ସେମାନଙ୍କ ଅନୁମାନ ବ୍ୟର୍ଥ ପ୍ରମାଣିତ ହୋଇଥିଲା । ଏକ ସାଂସ୍କୃତିକ ଅନୁଷ୍ଠାନ ଭଳି କାର୍ଯ୍ୟ କରୁଥିବା ଆତ୍ମୀୟ ସଭାର ପରିବର୍ତ୍ତିତ ସଂସ୍କରଣ ଥିଲା ଭାରତୀୟ ଧର୍ମମତ ତଥା ସାଂସ୍କୃତିକ ପରମ୍ପରାରେ ଗଭୀର ଆଲୋଡ଼ନ ସୃଷ୍ଟି କରିପାରିବା ଭଳି ଏକ ଅନୁଷ୍ଠାନ, ବ୍ରାହ୍ମସମାଜ-। ବ୍ରାହ୍ମସମାଜ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସାଦର ଅଭିବାଦନ ଜଣାଇବା ଲାଗି ନିଜର ହସ୍ତ ପ୍ରସାରିତ କରିଥିଲା ।

 

ବ୍ରାହ୍ମସମାଜ ଗଠନ କରିବା ମୂଳରେ ତାଙ୍କର ଉଦ୍ଦେଶ୍ୟ ନ ଥିଲା ସମାଜରେ ଏକ ନୂତନ ଧର୍ମର ପ୍ରବର୍ତ୍ତନ କରିବା କିମ୍ବା ଏକ ନୂତନ ଗୋଷ୍ଠୀର ଉଦ୍‍ଭବ କରିବା । ସେ ସମାଜକୁ ଦେଖାଇ ଦେବାକୁ ଚାହିଁଥିଲେ ଯେ ପ୍ରତିମା ପୂଜା ସହିତ ହିନ୍ଦୁଧର୍ମର କୌଣସି ସମ୍ପର୍କ ନ ଥିଲା । ନିରାକାର ବ୍ରହ୍ମ ହିଁ ଥିଲା ହିନ୍ଦୁଧର୍ମର ମୂଳତତ୍ତ୍ଵ । ସମସ୍ତ ବିଶ୍ଵର ସ୍ରଷ୍ଟା ଥିଲେ ଅଦ୍ଵିତୀୟ । ତେଣୁ ସେ ଆନ୍ତରିକ ଭାବେ ଉଦ୍ୟମ କରିଥିଲେ ଏକମାତ୍ର ବିଶ୍ଵସ୍ରଷ୍ଟାଙ୍କ ଦ୍ଵାରା ସୃଷ୍ଟ ସମଗ୍ର ବିଶ୍ଵର ମାନବସମାଜ ଭାତୃତ୍ୱର ବନ୍ଧନରେ ବାନ୍ଧିହୋଇ ଏକ ବିଶ୍ଵ ଭ୍ରାତୃତ୍ୱର ମହତ୍ତ୍ୱ ଉପଲବଧି କରିବା ସର୍ବାନ୍ତଃକରଣରେ ଆବଶ୍ୟକ ।

 

ନିଜେ ରାମମୋହନ ତାହା ଉପଲବଧି କରିଥିଲେ ।

Image

 

ଏଗାର

ଧର୍ମ ସଭା ଓ ବ୍ରହ୍ମ ସଭା

 

ବ୍ରାହ୍ମ ସମାଜର ନ୍ୟାସପତ୍ରରେ ଯଦିଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ତାର ଦ୍ୱାର ଉନ୍ମୁକ୍ତ ରହିଥିଲା ବୋଲି ଘୋଷଣା କରାଯାଇ ସମସ୍ତଙ୍କ ଆଗମନକୁ ସ୍ୱାଗତ ଜଣାଇ ଦିଆଯାଇଥିଲା; ତଥାପି ମୁଷ୍ଟିମେୟ ଲୋକ, ପ୍ରଗତିଶୀଳ ଚିନ୍ତାଧର୍ମୀ ହିନ୍ଦୁ ହିଁ ତା ସହିତ ସହଯୋଗ କରିବା ପାଇଁ ଆଗଭର ହୋଇ ଉଠିଥିଲେ । ଯଥାପୂର୍ବ ରକ୍ଷଣଶୀଳ ହିନ୍ଦୁ ଗୋଷ୍ଠୀ ଥିଲେ ତାର ସମାଲୋଚକ । ଯେଉଁ ଉଦୀୟମାନ ତରୁଣ ଗୋଷ୍ଠୀ ଉକ୍ତ ସମାଜ ପ୍ରତି ସାମାନ୍ୟତମ ଆଗ୍ରହ ପ୍ରକାଶ କରୁଥିଲେ, ଆଲୋଚନା ସଭାଗୁଡ଼ିକରେ ଯୋଗ ଦେବା ପାଇଁ ମନ ବଳାଉଥିଲେ ସେମାନେ ନିରୁତ୍ସାହିତ ହେଉଥିଲେ ସେମାନଙ୍କ ପରିବାରବର୍ଗଙ୍କ ଦ୍ୱାରା । ସମାଜଦ୍ୱାରା ନିନ୍ଦିତ ସତୀଦାହ ପ୍ରଥା ବନ୍ଦ ଆନ୍ଦୋଳନ ବିଶେଷକରି ତଦାନିନ୍ତନ ସମାଜରେ ଆଲୋଡ଼ନ ସୃଷ୍ଟି କରିଥିଲା-। ସେଭଳି ଏକ ଚିରାଚରିତ ପ୍ରଥା ବନ୍ଦ କରାଯିବାକୁ ଧର୍ମ ପ୍ରତି ପରମ ଅତ୍ୟାଚାର ବୋଲି ଅପପ୍ରଚାର କରାଯାଇଥିଲା ରକ୍ଷଣଶୀଳ ଗୋଷ୍ଠୀ ତରଫରୁ ।

 

ରକ୍ଷଣଶୀଳ ଗୋଷ୍ଠୀ ତରଫରୁ ପ୍ରକାଶ ପାଉଥିବା ସମ୍ବାଦ ଚନ୍ଦ୍ରିକା ବିଷ ବୃଷ୍ଟି କରୁଥିଲା ରାମମୋହନଙ୍କ ସମର୍ଥକ ଗୋଷ୍ଠୀ ଉପରେ ଅସମ୍ଭବ ଭାବେ । ରାମମୋହନଙ୍କ ଦ୍ୱାରା ପ୍ରୋତ୍ସାହିତ ଓ ପ୍ରକାଶିତ ପତ୍ରିକା ତତ୍ତ୍ୱ କୌମୁଦୀ ଆରମ୍ଭ କରିବା ବେଳେ ଯେଉଁ ଭବାନୀ ଚରଣ ବାନାର୍ଜୀ ପ୍ରଭୃତ ସାହାଯ୍ୟ କରିଥିଲେ, ପ୍ରକାଶନ ଆରମ୍ଭ ହେବା ପରେ ପରେ ତାର ପ୍ରଚାର ଓ ପ୍ରସାର ହେବା ପାଇଁ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ, ସେ ରାମମୋହନଙ୍କ ନିକଟରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ କେବଳ ସତୀଦାହ ପ୍ରଥାକୁ ବିରୋଧ କରିପାରିବେ ନାହିଁ ବୋଲି । ଶେଷରେ ସମାଜର ରକ୍ଷଣଶୀଳ ହିନ୍ଦୁମାନଙ୍କ ସହ କେବଳ ହାତ ମିଳାଇ ନ ଥିଲେ, ତାଙ୍କରି ଦ୍ୱାରା ପ୍ରକାଶିତ ସମ୍ବାଦ ଚନ୍ଦ୍ରିକାର ଅନ୍ୟତମ ସଂପାଦକତ୍ୱ ଗ୍ରହଣ କରିଥିଲେ । ସେମାନଙ୍କ ଅନୁଷ୍ଠାନ ଧର୍ମ ସଭାର ଜଣେ ସମ୍ମାନନୀୟ ସଭ୍ୟଭାବେ ସେ ଗୃହୀତ ହୋଇଥିଲେ ମଧ୍ୟ ।

 

ବ୍ରାହ୍ମ ସମାଜ ବା ବ୍ରହ୍ମ ସଭା ଓ ଧର୍ମ ସଭା ଦୁଇଟି ଅନୁଷ୍ଠାନ ଥିଲା ପରସ୍ପର ବିରୋଧୀ । ଦୁଇଟି ଅନୁଷ୍ଠାନ ଦୁଇଟି ସମାନ୍ତରାଳ ଧାରାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲେ । ବ୍ରହ୍ମ ସଭା ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଉଥିଲା ସେ ସବୁର ବିରୋଧ କରିବା ପାଇଁ କର୍ମତତ୍ପର ହୋଇ ଉଠୁଥିଲେ ଧର୍ମ ସଭାର ବିତ୍ତଶାଳୀ ସଂଭ୍ରାନ୍ତ ସଭ୍ୟମାନେ ।

 

ବ୍ରାହ୍ମ ସମାଜର ସଭ୍ୟମାନେ ଏକାଦିକ୍ରମେ ଅନେକଗୁଡ଼ିଏ ସମାଜ ସଂସ୍କାର କାର୍ଯ୍ୟ କରିବାକୁ ଆଗଭର ହୋଇ ପଡ଼ିଥିଲେ ସମାଜ ମଙ୍ଗଳ ଲାଗି । ଅନ୍ୟାନ୍ୟମାନଙ୍କ ଭିତରେ ବାଲ୍ୟ ବିବାହ, ବହୁ ବିବାହ, ଜାତିଭେଦ, ବାରନାରୀ ଉପଭୋଗ ଇତ୍ୟାଦି କୁସଂସ୍କାରଗୁଡ଼ିକ ସମାଜରୁ କିପରି ଦୂର କରାଯାଇ ପାରିବ ସେଥିପାଇଁ ସେମାନେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ । ସେମାନେ ପଦକ୍ଷେପମାନ ଗ୍ରହଣ କରିଥିଲେ ନାରୀମାନଙ୍କୁ ସମାଜରେ ଯଥାର୍ଥ ସ୍ଥାନର ଅଧିକାରିଣୀ କରାଇବା ଲାଗି, ଶିକ୍ଷିତ କରାଇବା ପାଇଁ ।

 

ଯଦିଓ କେତେକ ବିତ୍ତଶାଳୀ ଓ ଉଚ୍ଚ ଶ୍ରେଣୀୟ ଲୋକ ବ୍ରାହ୍ମ ସମାଜର ସଭ୍ୟ ହୋଇଥିଲେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ତ ଆନ୍ତରିକତାର ସହିତ ସହଯୋଗ କରୁଥିଲେ, ତଥାପି ସମାଜର ଶିକ୍ଷିତ ଓ ମଧ୍ୟବିତ୍ତ ଶ୍ରେଣୀୟ ଲୋକଙ୍କ ଆନ୍ତରିକ ଇଚ୍ଛା ଥିଲା ସାମାଜିକ ପ୍ରଗତି ହେଉ । ସେଇଭଳି ପରିବାରର କେତେଜଣ ଯୁବକ ସାମାଜିକ ବାଧାବନ୍ଧନପ୍ରତି କୌଣସି ଗୁରୁତ୍ୱ ଆରୋପ କରି ନ ଥିଲେ । ସେମାନେ ଚାହିଁଥିଲେ ସଂସ୍କାର-ପ୍ରଚଳିତ ରୀତିନୀତିର ପ୍ରଚଳିତ ଅନାବଶ୍ୟକ ପରଂପରାଗୁଡ଼ିକର ଓ ପ୍ରଚଳିତ ସାମାଜିକ ଅନ୍ଧବିଶ୍ୱାସଗୁଡ଼ିକର ଲୋପ ପାଇଁ । ତେଣୁ ସେମାନେ ସାମାଜିକ ସମାଲୋଚନାକୁ ବେଖାତିର କରି ଆଗେଇ ଆସିଥିଲେ ବ୍ରାହ୍ମ ସମାଜର କାର୍ଯ୍ୟକ୍ରମଗୁଡ଼ିକ ସହିତ ହାତ ମିଳାଇବା ପାଇଁ ।

 

ଯେଉଁ ଉଦୀୟମାନ ଯୁବକ ତଥା ବ୍ୟକ୍ତିବୃନ୍ଦ ରାମମୋହନଙ୍କ କାର୍ଯ୍ୟକଳାପ ପ୍ରତି ସେମାନଙ୍କର ଅକୁଣ୍ଠ ସମର୍ଥନ ଜଣାଇଥିଲେ ସେମାନଙ୍କ ମଧ୍ୟରେ ଦକ୍ଷିଣ ରଂଜନ ମୁଖୋପାଧ୍ୟାୟ, ରାମଗୋପାଳ ଘୋଷ୍, ରସିକ କୃଷ୍ଣ ମଲ୍ଲିକ, କୃଷ୍ଣମୋହନ ବନ୍ଦୋପାଧ୍ୟାୟଙ୍କ ନାମ ବିଶେଷଭାବେ ଉଲ୍ଲେଖଯୋଗ୍ୟ । ସେମାନେ ରୀତିମତଭାବେ ଆଲୋଚନାଚକ୍ରମାନ ଗଠନ କରି ଦେଶର ସାମାଜିକ ସମସ୍ୟାବଳୀର ପୁଂଖାନୁପୁଂଖ ଆଲୋଚନାମାନ କରୁଥିଲେ ।

 

ଦେଶ ଯେତେବେଳେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସାମାଜିକ ଜୀବନର ତଥାକଥିତ ସ୍ଵଚ୍ଛନ୍ଦ ଗତିର ଧାରାକୁ ବଦଳାଇବା ପାଇଁ ଚାହୁଁଥିଲା, ସେଇ ସମୟରେ ସେମାନଙ୍କ ଭୂମିକା ଥିଲା ନିଶ୍ଚିତଭାବେ ଗୁରୁତ୍ଵପୂର୍ଣ୍ଣ । ସେମାନଙ୍କ ବିଭିନ୍ନ ବିକାଶମୂଳକ ଚିନ୍ତାର ଆଲୋଚନା ଓ ସେମାନଙ୍କ ନିର୍ଭୀକ ମତପ୍ରକାଶ ଦ୍ଵାରା ସମାଜରେ ଜନମତକୁ ସାମାଜିକ ଉନ୍ନତି ଦିଗରେ ପରିପୁଷ୍ଟ କରିବା ପାଇଁ ପ୍ରଚେଷ୍ଟା ହିଁ ସେଇମାନଙ୍କୁ ପ୍ରତିଷ୍ଠିତ କରାଇ ପାରିଥିଲା । ସେତେବେଳେ ଦେଶରେ ପ୍ରକାଶ ପାଉଥିବା ବିଭିନ୍ନ ପତ୍ର ପତ୍ରିକାମାନଙ୍କ ମଧ୍ୟରୁ ଏନକ୍ୱାଇରେର୍, ବେଙ୍ଗଲ୍ ସ୍ପେକ୍ଟାଟର, ଦିକ୍ୱିଲ୍, ଜ୍ଞାନେ ନାଶନ୍ ପ୍ରଭୃତି ପତ୍ର ପତ୍ରିକା ଉକ୍ତ ଯୁବ ଗୋଷ୍ଠୀର ଚିନ୍ତାଧାରାକୁ ପ୍ରକାଶ କରିବା ଦିଗରେ ଥିଲେ ଅଗ୍ରଣୀ । ସେମାନଙ୍କ ଉପରେ ରାମମୋହନଙ୍କ ଚିନ୍ତାଧାରାର ପ୍ରଭାବ ଥିଲା ସ୍ପଷ୍ଟ ।

 

କେବଳ ବ୍ରାହ୍ମସମାଜର ସାଧାରଣ ଅଧିବେଶନଗୁଡ଼ିକରେ ଯେଉଁମାନେ ଯୋଗ ଦେଉଥିଲେ ବା ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରୁଥିଲେ, ସେଇମାନଙ୍କ ଉପରେ ଯେ ରାମମୋହନଙ୍କ ପ୍ରଭାବ ପଡ଼ିଥିଲା ବା ବ୍ରାହ୍ମସମାଜର ପ୍ରଭାବ ପଡ଼ିଥିଲା ତା ନୁହଁ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ଏକ ମହାନ୍ ବ୍ୟକ୍ତିତ୍ଵ ରାମମୋହନଙ୍କ ଧର୍ମମତକୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିଲେ ଯେମିତି । ମାନବିକତା-ଯାହା ରାମମୋହନଙ୍କ ପାଇଁ ଥିଲା ସବୁ ସଂସ୍କାରର ମୂଳ, ବିଦ୍ୟାସାଗରଙ୍କ ପାଇଁ ମଧ୍ୟ ସେଇୟାହିଁ ଥିଲା ଧର୍ମମତ । ବ୍ରାହ୍ମସମାଜର ଧର୍ମସଂସ୍କାର ପାଇଁ ବିଭିନ୍ନ ପଦକ୍ଷେପ ଓ ଆଲୋଚନାଗୁଡ଼ିକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଥିଲେ ସେ । ତତ୍ତ୍ଵବୋଧିନୀ ସଭାର ଶେଷ ପର୍ଯ୍ୟାୟରେ ସେ ଥିଲେ ସଂପାଦକ ଏବଂ ବ୍ରାହ୍ମସମାଜ ପାଇଁ ଅନେକ ସମୟରେ ସେ ଅର୍ଥ ସାହାଯ୍ୟ ଦେଉଥିଲେ ।

 

କେଶବଚନ୍ଦ୍ର ସେନ୍, ଶିବନାଥ ଶାସ୍ତ୍ରୀ ପ୍ରମୁଖଙ୍କ ଭଳି ବ୍ରାହ୍ମସମାଜର ନେତୃବୃନ୍ଦଙ୍କ ସହ ବିଦ୍ୟାସାଗରଙ୍କର ଘନିଷ୍ଠ ବନ୍ଧୁତା ଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏସବୁ ସତ୍ତ୍ୱେ-ସ୍ନେହ, ମମତା, ସାହାଯ୍ୟ, ସହାନୁଭୂତି ସତ୍ତ୍ୱେ-ସେ ବ୍ରାହ୍ମସମାଜର ସଭ୍ୟଶ୍ରେଣୀଭୁକ୍ତ ହୋଇ ନ ଥିଲେ କିମ୍ବା ଥରକପାଇଁ ହେଲେ ଉକ୍ତ ସଂଗଠନର ସାପ୍ତାହିକ ଅଧିବେଶନରେ ମଧ୍ୟ ଯୋଗ ଦେଇ ନ ଥିଲେ ।

 

ରାଜା ରାମମୋହନଙ୍କ ଦ୍ଵାରା ବଙ୍ଗଳାରେ ବ୍ରାହ୍ମସମାଜ ଗଠିତ ହେବା ପରେ ଓ ପରବର୍ତ୍ତୀ ସମୟରେ ତାହା ଅଖଣ୍ଡ ପ୍ରଭାବ ପକାଇଥିଲା ଭାରତର ବିଭିନ୍ନ ପ୍ରାନ୍ତରେ । ଅଦ୍ଵୈତବାଦ ଓ ବିଶ୍ଵଭ୍ରାତୃତ୍ଵର ଚିନ୍ତାଧାରାରେ ବିଶ୍ଵାସ କରୁଥିବା ବ୍ୟକ୍ତିବୃନ୍ଦ ବ୍ରାହ୍ମସମାଜର ସଭ୍ୟ ହେବାପାଇଁ ମନ ବଳାଇଥିଲେ ଓ ସେଇ ଆଦର୍ଶଗତ ଦୃଷ୍ଟି ନେଇ ବିଭିନ୍ନ ପ୍ରାନ୍ତୀୟ ଶାଖା ସଂଗଠନମାନ ଗଠିତ ହୋଇଥିଲା । ବଙ୍ଗଳା ଭଳି ଦେଶର ବିଭିନ୍ନ ଅଞ୍ଚଳରେ ସେଇ ସଂସ୍କାରମୂଳକ କାର୍ଯ୍ୟକଳାପ ବିରୁଦ୍ଧରେ ଜନମତ ଖୁବ୍ ଉତ୍କଟ ଥିଲା । ହିନ୍ଦୁ ଜନସାଧାରଣ ସେଇଥିପାଇଁ ଚାହୁଁଥିଲେ ବ୍ରାହ୍ମସମାଜଠାରୁ ଦୂରରେ ରହିବାକୁ । ସେମାନଙ୍କ ସନ୍ତାନ ସନ୍ତତିମାନେ କିପରି ସେଭଳି ତଥାକଥିତ ବିଧର୍ମୀ ଅନୁଷ୍ଠାନଠାରୁ ଦୂରରେ ରହିବେ, ସେଇଥିଲାଗି ଯତ୍ନବାନ୍ ରହୁଥିଲେ ମଧ୍ୟ ।

 

ଭାରତର ବିଭିନ୍ନ ପ୍ରାନ୍ତ ଭଳି ଓଡ଼ିଶାରେ ସେଇ ଏକା ଅବସ୍ଥା ଥିଲେ ମଧ୍ୟ ସମାଜର ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ଚାହୁଁଥିଲେ ବ୍ରାହ୍ମସମାଜର ପ୍ରସାର ହେଉ, ସେଇ ଆଦର୍ଶ ପ୍ରଚାର ହେଉ । କିନ୍ତୁ ରକ୍ଷଣଶୀଳ ଲୋକେ ଚାହୁଁଥିଲେ ଠିକ୍ ଓଲଟା । ପ୍ରାଥମିକ ଅବସ୍ଥାରେ ଓଡ଼ିଶାର ପଲ୍ଲୀକବି ନନ୍ଦକିଶୋରଙ୍କୁ ମଧ୍ୟ ସେଇଭଳି ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ହୋଇଥିଲା । ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ନନ୍ଦକିଶୋରଙ୍କ ଅଭିଭାବକମାନେ ଚାହିଁଥିଲେ ତାହାଙ୍କୁ ବ୍ରାହ୍ମଚିନ୍ତାଧର୍ମୀ ଲୋକମାନଙ୍କଠାରୁ ଦୂରରେ ରଖିବା ପାଇଁ । ତେଣୁ ସ୍କୁଲ ପରିବର୍ତ୍ତନ କରି, କଟକ ସହର ଛାଡ଼ି କେନ୍ଦ୍ରାପଡ଼ା ଚାଲିଯିବାକୁ ବାଧ୍ୟ ହୋଇଥିଲେ ପଲ୍ଲୀକବି । କଟକରେ ରହିଲେ ତଥାକଥିତ ବିଧର୍ମୀ ବ୍ରାହ୍ମମାନଙ୍କ ସସ୍ପର୍ଶରେ ଆସି ସେ ମଧ୍ୟ ହିନ୍ଦୁଧର୍ମ ବିରୋଧୀ ହୋଇଉଠିବେ ।

 

“ନନ୍ଦକିଶୋର ଟାଉନ୍ ସ୍କୁଲରୁ କୃତିତ୍ୱ ସହକାରେ ମାଇନର ପାଶ୍ କରି ବୃତ୍ତି ଲାଭକଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ୍ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେତେବେଳକୁ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ କର ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମସମାଜକୁ ଯିବା ଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତର ଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସଂପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କରିଥିଲେ । ବ୍ରାହ୍ମ ପ୍ରଭାବରୁ ଦୂରରେ ରଖିବା ପାଇଁ ନନ୍ଦକିଶୋରଙ୍କୁ ଅଗତ୍ୟା କେନ୍ଦ୍ରାପଡ଼ା ହାଇସ୍କୁଲକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଅତି ଦୁଃଖର ସହିତ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ ।” *

 

ନନ୍ଦକିଶୋର ଗ୍ରନ୍ଥାବଳୀ (୧୯୬୨)

 

ରାମମୋହନଙ୍କ ଧାର୍ମିକ ଚିନ୍ତାଧାରାର ପ୍ରସାର ପାଇଁ ସଂଗଠିତ ଧର୍ମ ଓ ସାଂସ୍କୃତିକ ଅନୁଷ୍ଠାନଟିକୁ ଗୋଟିଏ ଅଲଗା ଧର୍ମରେ ପରିଣତ କରାଯାଇଥିଲା ତାଙ୍କ ପରେ ପରେ ।

 

ସେ ଯାହାହେଉ ତାହାହିଁ ଥିଲା ସେତିକିବେଳେ ବ୍ରାହ୍ମସମାଜର ଅବସ୍ଥା ଓ ତା ପ୍ରତି ସମାଜର ପ୍ରତିକ୍ରିୟା ।

 

କିନ୍ତୁ ସେସବୁ ସତ୍ତ୍ଵେ ଗୋଟିଏ ଅନୁଷ୍ଠାନ ହିସାବରେ ବ୍ରାହ୍ମ ସମାଜ ବିଶେଷ ଉଲ୍ଲେଖନୀୟ ଉନ୍ନତି କରିପାରି ନ ଥିଲା । ତାର ପ୍ରଗତିର ପଥ ସ୍ୱଚ୍ଛଳ ହେବା ପରିବର୍ତ୍ତେ ହୋଇଥିଲା ପିଚ୍ଛିଳ, କଣ୍ଟକମୟ । ନିଜକୁ ପ୍ରତିଷ୍ଠା କରିବା ତ ଦୂରର କଥା, କେବଳ ବଞ୍ଚେଇ ରଖିବା ପାଇଁ ଆବଶ୍ୟକ ପଡ଼ିଥିଲା ସଂଗ୍ରାମ, ସଂଗ୍ରାମ ଓ କେବଳ ସଂଗ୍ରାମ । କେବଳ ସଂଗଠନ କାହିଁକି ବ୍ୟକ୍ତିଗତଭାବେ ପ୍ରତ୍ୟେକ ସଭ୍ୟଙ୍କ କୁତ୍ସାରଟନା କରିବା ଲାଗି ସଂଘବଦ୍ଧ ଭାବେ ଉଦ୍ୟମ କରାଯାଇଥିଲା ଧର୍ମସଭା ତରଫରୁ । ଧର୍ମସଭା ସଂଗଠନର ପ୍ରଧାନ ଉଦ୍ଦେଶ୍ୟ ହିଁ ଥିଲା ସେଇଆ । ସେମାନେ ବଦ୍ଧପରିକର ଥିଲେ ବ୍ରାହ୍ମସମାଜର କୁତ୍ସା ରଟନା କରିବା ଲାଗି ।

 

ଧର୍ମସଭାର ମୁଖ୍ୟ ପ୍ରବକ୍ତା ଶ୍ରୀ ରାଧାକାନ୍ତ ଦେବ ସମାଜର ଜଣେ ବିତ୍ତଶାଳୀ ବ୍ୟକ୍ତି ଥିଲେ ଏବଂ ଜ୍ଞାନୀ ମଧ୍ୟ ଥିଲେ । ସଂସ୍କୃତରେ ଖୁବ୍ ପାଣ୍ଡିତ୍ୟ ଥିଲା ତାଙ୍କର । ସଂସ୍କୃତ ଭାଷାରେ ସେ ଏକ ବୃହତ୍ ଅଭିଧାନ ‘ଶବ୍ଦ କଳ୍ପଦ୍ରୁମ’ ପ୍ରଣୟନ କରିଥିଲେ । ତାହା ସାତ ଖଣ୍ଡରେ ପ୍ରକାଶ ପାଇଥିଲା-। କିନ୍ତୁ ତାଙ୍କର ଦୃଷ୍ଟିକୋଣ ଥିଲା ଅତ୍ୟନ୍ତ ସୀମିତ । ସାମାଜିକ ଜୀବନଧାରାରେ ବୈଦେଶିକ ପ୍ରଭାବକୁ ସେ ଏକ ପ୍ରକାର ଘୃଣା କରୁଥିଲେ । ପ୍ରଚଳିତ ସାମାଜିକ ପରମ୍ପରାର ଗଣ୍ଡି ମଧ୍ୟରୁ ସାମାନ୍ୟତମ ବିଚଳିତ ହେବା ପାପ ଏବଂ ଧର୍ମ ସମ୍ମତ ନୁହେଁ ବୋଲି ବିଧିବଦ୍ଧଭାବରେ ତାହାଙ୍କ ଧାରଣା ହୋଇଥିଲା । ତେଣୁ ରାମମୋହନଙ୍କ କାର୍ଯ୍ୟକଳାପକୁ ସେ ଆଦୌ ପସନ୍ଦ କରିପାରୁ ନ ଥିଲେ । ସେ ଥିଲେ ରାଜାଙ୍କର ଜଣେ କଠୋର ସମାଲୋଚକ । ନାରୀ ସ୍ଵାଧୀନତା ବା ନାରୀ ଜାଗରଣର ପ୍ରବଳ ବିରୋଧ ସେ କରୁଥିଲେ । କଲିକତାରେ ଅନୁଷ୍ଠିତ ହେଉଥିବା ହିନ୍ଦୁମାନଙ୍କ ଏକ ଧର୍ମସଭାରେ ସେ ଲର୍ଡ଼ ହେଷ୍ଟିଙ୍ଗସଙ୍କୁ ବହୁବାର ଧନ୍ୟବାଦ ଜଣାଇଥିଲେ ସେ ରକ୍ଷଣଶୀଳତାକୁ ଅନୁମୋଦନ କରୁଥିବାଯୋଗୁଁ । ସତୀପ୍ରଥା ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବଦଳରେ ତାହାକୁ ପ୍ରକାରନ୍ତରେ ସ୍ଵୀକୃତ ଦେଇଥିବା-ଯୋଗୁଁ ।

 

ଧର୍ମସଭାର ସାଧାରଣ ଅଧିବେଶନଗୁଡ଼ିକ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ଓ ସଫଳ ଭାବରେ ଅନୁଷ୍ଠିତ ହେଉଥିଲା । ସଭାସ୍ଥଳ ନିକଟରେ ଯାନବାହନ ବହୁ ସଂଖ୍ୟାରେ ରୁଣ୍ଡ ହେଉଥିବାର ଲକ୍ଷଣ ଥିଲା ଅନେକ ଗଣ୍ୟମାନ୍ୟ ଧନାଢ଼୍ୟ ବ୍ୟକ୍ତି ଅଧିବେଶନଗୁଡ଼ିକରେ ଯୋଗ ଦେଉଥିଲେ । ରାସ୍ତାରେ ଯାଉଥିବା ସାଧାରଣ ଜନତା ମଧ୍ୟ ଅନୁସନ୍ଧିତ୍ସା ପୂର୍ବକ ସଭାମାନଙ୍କରେ ଯୋଗ ଦେଉଥିଲେ ଆଲୋଚନା ଶୁଣିବା ଲାଗି । ଅନେକ ସମୟରେ ଏତେ ଲୋକ ରୁଣ୍ଡ ହେଉଥିଲେ ଯେ ରାସ୍ତାରେ ଯାନବାହାନ ଚଳାଚଳରେ ଅସମ୍ଭବ ଧରଣର ଅସୁବିଧା ହେଉଥିଲା । ସଭାର ଆୟୋଜକମାନେ ବ୍ରାହ୍ମସମାଜ ଓ ରାମମୋହନଙ୍କ ବିରୁଦ୍ଧରେ ଏଭଳି ଭାବରେ ବିଷୋଦଗୀରଣ କରୁଥିଲେ ଓ ଲୋକମତକୁ ପ୍ରଭାବିତ କରୁଥିଲେ ଓ ଉତ୍ତ୍ୟକ୍ତ କରାଇଦେଇ ପାରୁଥିଲେ ଯେ ଅନେକ ସମୟରେ ଉପସ୍ଥିତ ଜନତା ଆକାଶପାତାଳ ପ୍ରକମ୍ପିତ କରି ଉଠୁଥିଲେ, ଆମେ ବ୍ରାହ୍ମ ସମାଜକୁ ଜଳିପୋଡ଼ି ପାଉଁଶ କରିଦେବୁ । ରାମମୋହନଙ୍କୁ ମାଟିରେ ମିଶାଇ ଦେବୁ-।”

 

କିନ୍ତୁ ରାମମୋହନ ଥିଲେ ଅବିଚଳିତ । ତାଙ୍କର ଉଦ୍ଦେଶ୍ୟ ସିଦ୍ଧିପାଇଁ ସେ ଥିଲେ ସଂକଳ୍ପବଦ୍ଧ । ସେ ଚାହୁଁଥିଲେ କି ହିନ୍ଦୁ, କି ମୁସଲମାନ, କି ଖ୍ରୀଷ୍ଟିୟାନ-ସମସ୍ତଙ୍କ ମଧ୍ୟରେ ସେଇ ଗୋଟିଏ ଜାଗରଣ-ଭାତୃଭାବ । ମଣିଷ ଭିତରେ ଜାତି ଜାତି ନେଇ, ଧର୍ମ ଧର୍ମ ନେଇ ଭେଦଭାବ ସୃଷ୍ଟି କରିବା ଏକ ସାମାଜିକ ବ୍ୟାଧି; ଯାହା ଶତାବ୍ଦୀ ଶତାବ୍ଦୀ ଧରି ସମାଜରେ ଚଳି ଆସିଥିଲା ତାହାର ପରିସମାପ୍ତି କରିବାକୁ ହେବ ସର୍ବପଲ୍ଲୀ ଡଃ: ରାଧାକ୍ରିଷ୍ଣନଙ୍କ ଭାଷାରେ “Rammohan Ray (1772-1832) was the first great Indian to realise the fundamental unity of spirit in the Hindu, Muslim and Christian religions. He denounced the social thinking which defended caste and gave pseudo-scientific explanations. He campaigned against the distortions that crept into Hinduism across the centuries and declared that they were inconsistant with the teachings of Vedas and the other religious classics” *

 

ଜନମାନସର ଅଜ୍ଞତାର ଅପୂର୍ବ ସୁଯୋଗ ନେଇ ବ୍ରାହ୍ମସମାଜ ବିରୁଦ୍ଧରେ ଲୋକମତ ଜାଗ୍ରତ କରାଇବା ଧର୍ମସଭା ସଙ୍ଗଠକମାନଙ୍କ ପାଇଁ ବିଶେଷ କଷ୍ଟକର ବ୍ୟାପାର ନଥିଲା । ବ୍ରାହ୍ମସମାଜର ଉଦ୍ଦେଶ୍ୟ ଗୁଡ଼ିକ ଅନେକ ସମୟରେ ବିକୃତ କରି ସେମାନେ ପ୍ରଚାର କରୁଥିଲେ ବିଧବା ନାରୀମାନେ ସମାଜରେ ବଞ୍ଚିବା ଏବଂ ମଣିଷ ଭଳି ବଞ୍ଚିବା ଲାଗି ରାମମୋହନ ଉଦ୍ୟମ କରୁଥିବା ବିଷୟାବଳୀକୁ ଧର୍ମ ସହିତ ସଂଶ୍ଲିଷ୍ଟ କରି କିପରି ଗୁଡ଼ାଏ ପାପକାର୍ଯ୍ୟ ସମାଜରେ ପ୍ରଚଳିତ କରାଯିବା ପାଇଁ ଅପଚେଷ୍ଟା କରାଯାଉଛି, ତାହା ଟିକିନିଖି ଆଲୋଚନା କରାଯାଉଥିଲା ଧର୍ମସଭାରେ । ଲୋକେ ନିଜ ନିଜର ଅଜ୍ଞତା ବଶତଃ ସେସବୁକୁ ଅତି ସରଳ ଭାବରେ ଗ୍ରହଣ କରି ନେଉଥିଲେ । ସେ ସୁଯୋଗରେ ରାଧାକାନ୍ତ ଦେବ ଜନଗଣଙ୍କୁ ରାମମୋହନଙ୍କ ସମସ୍ତ କର୍ଯ୍ୟରେ ଅସହଯୋଗ କରିବା ଲାଗି ପ୍ରତାରିତ କରୁଥିଲେ ଓ ସତୀ ଉଚ୍ଛେଦକୁ ସର୍ବାନ୍ତଃକରଣରେ ବିରୋଧ କରିବା ଲାଗି ସେ ପ୍ରବର୍ତ୍ତାଉଥିଲେ ।

 

ସମୟ କ୍ରମେ ରାଧାକାନ୍ତ ଦେବଙ୍କ ଶତ୍ରୁତା ଏତେ ପରିମାଣରେ ବଢ଼ିଯାଇଥିଲା ସେ, ବ୍ରାହ୍ମସମାଜକୁ ଧ୍ୱଂସ କରିଦେବା ପାଇଁ ବଦ୍ଧ ପରିକର ହୋଇଥିଲେ । ଧନ ଜନ ତଥା ତାଙ୍କର ସମସ୍ତ ପ୍ରଭାବ ସତ୍ତ୍ଵେ ଲର୍ଡ଼ ବେଣ୍ଟିକଙ୍କ ମନକୁ ସେ ଜୟକରିପାରି ନ ଥିଲେ । କାରଣ ତାଙ୍କ ପ୍ରତିନିଧିଙ୍କ ଦ୍ଵାରା ଇଂଲଣ୍ଡ ରାଜଦରବାରକୁ ପଠାଯାଇଥିବା ଅନୁରୋଧ ପ୍ରତ୍ୟାକ୍ଷିତ ହେବାର କାରଣ ଥିଲା ତାଙ୍କ ପ୍ରତିନିଧି ମିଷ୍ଟର ବାଥେଙ୍କ ଆସାମର୍ଥ୍ୟ । ପରିଶେଷରେ ସେଇ ପରାଜୟ ହିଁ ଧର୍ମସଭାର ସଭ୍ୟମାନଙ୍କ ମନକୁ ଚହଲାଇ ଦେଇଥିଲା । ଯାହା ସେମାନେ ଚାହୁଁ ନଥିଲେ ସେଇୟା ହିଁ ହୋଇଥିଲା ।

 

*Radhakrishan Reader-Bharatiya Vidya Bhaban

 

ବଙ୍ଗଳାର ସାମାଜିକ ପ୍ରଗତିର ରୁଦ୍ଧ ଦ୍ୱାର ଖୋଲିଯାଇଥିଲା କ୍ରମଶଃ ।

 

ଅତୀତରେ ଦୀର୍ଘ ସମୟ ଧରି ରାଧାକାନ୍ତ ଦେବଙ୍କର ପାଶ୍ଚାତ୍ୟ ଶିକ୍ଷା ବିରୁଦ୍ଧରେ ନେତୃତ୍ଵ ଗ୍ରହଣ କରିବା ପାଇଁ ସତେ ଯେମିତି ବଙ୍ଗଳା ଆଉ ପ୍ରସ୍ତୁତ ନଥିଲା । ରାମମୋହନଙ୍କ ଦ୍ୱାରା ସମର୍ଥିତ ପାଶ୍ଚାତ୍ୟ ଢଙ୍ଗ ଓ ଦେଶୀୟ ଧାରାର ସମ୍ମିଶ୍ରଣରେ ଯେଉଁ ନୂତନ ପଦ୍ଧତି ଆରମ୍ଭ ହୋଇଥିଲା, ତାହାଥିଲା ବହୁଜନ ସମର୍ଥିତ ଓ ଦେଶର ଆଦରଣୀୟ । ସେ ପ୍ରକାର ଶିକ୍ଷା ପାଇଁ ପିଲାମାନଙ୍କର ତଥା ଅଭିଭାବକମାନଙ୍କର ସ୍ପୃହା ବଢ଼ୁଥିଲା କ୍ରମାଗତ ଭାବେ । ପ୍ରଗତିର ଚକ ଗଡ଼ିବା ସଙ୍ଗେ ସଙ୍ଗେ ଶିକ୍ଷାଦିଗରେ ନୂତନ ଦୃଷ୍ଟିଭଙ୍ଗୀ, ଚିନ୍ତା ରାଜ୍ୟରେ ସ୍ୱାଧୀନତା, ସମ୍ୱାଦ ପତ୍ରର ସ୍ୱାଧୀନତା, ସାହିତ୍ୟିକ ଚିନ୍ତାଧାରା ତଥା ସ୍ଵାଧୀନ ଭାବରେ ନିଜକୁ ପ୍ରକାଶ କରିବା ଲାଗି ଆଗ୍ରହ ଯୁବସମାଜ ଭିତରେ ଏକପ୍ରକାର ଶିହରଣ ଆଣିଦେଇଥିଲା । ତାହା ଯେ ନିଶ୍ଚିତ ଭାବରେ ବ୍ରାହ୍ମସମାଜର ଦେଶକୁ ଅବଦାନ ଓ ରାମମୋହନଙ୍କ ଦୀର୍ଘକାଳ ପାରମ୍ପରିକ ସମାଜ ସହିତ ସଂଗ୍ରାମର ପରିଣାମ, ଏକଥା ନିଃସନ୍ଦେହ । ଏପରିକି ଚିନ୍ତାରାଜ୍ୟରେ ସ୍ଵାଧୀନତାର ପ୍ରଶ୍ନ ନଥିଲା ପୂର୍ବରୁ, ସାମାଜିକ ଚଳଣି ବିରୁଦ୍ଧରେ ପ୍ରଶ୍ନ ହେବା ତ ଦୂରର କଥା ।

 

ଦେବେନ୍ଦ୍ରନାଥଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଆଦି ବ୍ରାହ୍ମ ସମାଜ, କେଶବଚନ୍ଦ୍ର ସେନଙ୍କ ଦ୍ଵାରା ପ୍ରତିଷ୍ଠିତ ନବବିଧାନ ସମାଜ, ପ୍ରଭୃତି ଅନୁଷ୍ଠାନର ପ୍ରଧାନ ସ୍ତମ୍ଭ ଥିଲା ସାଧାରଣ ବ୍ରାହ୍ମସମାଜ ଏବଂ ତାହାହିଁ ଥିଲା ଶିକ୍ଷା ତଥା ଧର୍ମକ୍ଷେତ୍ରରେ ଜନଜୀବନର ଉନ୍ନତି ପାଇଁ ଏଇ ପ୍ରଧାନ ମାଧ୍ୟମ । ବ୍ରାହ୍ମ ସମାଜର ଶାଖାମାନ ଦିଲ୍ଲୀ, କେରଳ, ମାନ୍ଦ୍ରାଜ ପ୍ରଭୃତି ଦେଶର ବିଭିନ୍ନ ସ୍ଥାନମାନଙ୍କରେ ଆରମ୍ଭ କରାଯାଇଥିଲା । କ୍ରମଶଃ ଦେଶର ସର୍ବତ୍ର ଜନସାଧାରଣ ବ୍ରାହ୍ମସମାଜର କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ ।

 

ବ୍ରାହ୍ମସମାଜ ଯେଉଁ ଉଦ୍ଦେଶ୍ୟ, ଯେଉଁ ଲକ୍ଷ୍ୟ ରଖି ପ୍ରଥମେ ଗଠନ କରାଯାଇଥିଲା, ରାମମୋହନ ଯେଉଁ ଅନୁଷ୍ଠାନକୁ ଅଦୈତବାଦ ପ୍ରଚାରର ମୁଖପତ୍ର କରିଥିଲେ ଓ ଯେଉଁ ଅନୁଷ୍ଠାନ ମାଧ୍ୟମରେ ବିଶ୍ଵଭ୍ରାତୃତ୍ଵର ନୀତି ପ୍ରଚାରିତ ହୋଇଥିଲା, କାଳକ୍ରମେ ତାହା ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରଚାର ପାଇଁ ଅନୁଷ୍ଠାନରେ ପରିଣତ ହୋଇଯାଇଥିଲା । ରାମମୋହନଙ୍କ ସ୍ଵପ୍ନ ସେଇୟା ନ ଥିଲା । କୌଣସି ନିର୍ଦ୍ଦିଷ୍ଟ ଧର୍ମମତ ପୋଷଣ କରୁଥିବା ଗୋଷ୍ଠୀ କିମ୍ଵା ନିର୍ଦ୍ଦିଷ୍ଟ ଜାତିପାଇଁ ଉକ୍ତ ଅନୁଷ୍ଠାନ ସେ ଗଠନ କରି ନ ଥିଲେ । ଯାହା ଓଡ଼ିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରାହ୍ମଧର୍ମ ନାମରେ ପରିଚିତ ହୋଇଥିଲା, ସେଭଳି ହେବ ବୋଲି ରାଜା କଳ୍ପନା ମଧ୍ୟ ହୁଏତ କରି ନ ଥିଲେ ବ୍ରାହ୍ମସମାଜ ସଙ୍ଗଠନ କରିବାବେଳେ । ବ୍ରାହ୍ମସମାଜକୁ ବ୍ରାହ୍ମଧର୍ମରେ ପରିଣତ କରିବା କଳ୍ପନା ରାମମୋହନଙ୍କ ମୃତ୍ୟୁ ପରେହିଁ ଉଦ୍ଭବ । ଭାରତରେ ରାଜା ରାମମୋହନ ଥିବା ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଓ ଧାର୍ମିକ ମିଳନ ପୀଠ ଥିଲା ବ୍ରାହ୍ମସମାଜ । ସବୁ ଶ୍ରେଣୀର, ସବୁ ଧର୍ମର, ସବୁ ଜାତିର ଲୋକଙ୍କ ପାଇଁ-ଯେଉଁମାନେ ଏକେଶ୍ୱରବାଦ ଉପରେ ବିଶ୍ୱାସ କରୁଥିଲେ, ଯେଉଁମାନେ ବିଶ୍ଵାସ କରୁଥିଲେ ସାମାଜିକ ପ୍ରଗତିପାଇଁ ପ୍ରଚଳିତ ଥିବା କୁସଂସ୍କାରଗୁଡ଼ିକ ସମାଜରୁ ଦୂର କରାଯିବା ଉଚିତ ବୋଲି । ବହୁବାଦ ପ୍ରଚାରର ଅନ୍ୟତମ ପ୍ରବକ୍ତା ଶ୍ରୀ କେଶବଚନ୍ଦ୍ର ସେନଙ୍କ ମତରେ ରାମମୋହନ “belonged to no existing sect; nor did he seek to found a new sect or originate a new creed, however refined and unexceptionable. His great ambition was to bring together men of all existing religious persuations irrespective of the distinctions of caste, colour or creed into a system of universal worship of One True God. Thus his catholic heart belonged to no sect, and to every sect; he was a member of no church and yet of all Churches. He felt it his mission to construct a Universal Church based on the principal of Unitarian worship.” ସେ ଚାହିଁଥିଲେ ସମଗ୍ର ମାନବ ଜାତିକୁ କୋଳାଗ୍ରତ କରିପାରିବା ଭଳି ଗୋଟିଏ ଚର୍ଚ ଗଢ଼ି ତୋଳିବେ । “It is not a Church of Jesus or Mohammad; but is emphatically God’s Church. It is not a Church of Hindus or Christians’ it is the Church of all menkind. It is not a Church of Bengal nor of India; it is the Church of the world.”*

 

ରାମମୋହନଙ୍କ ବିଶ୍ଵଭ୍ରାତୃତ୍ୱର ମନ୍ତ୍ର ବ୍ରାହ୍ମସମାଜର ପ୍ରଧାନ ମନ୍ତ୍ର ହୋଇ ପଡ଼ିଥିଲା ଏବଂ ସେଇ ମନ୍ତ୍ର ତାର ପ୍ରତ୍ୟେକ ସଭ୍ୟଙ୍କ କର୍ଣ୍ଣକୁହରରେ ଅପୂର୍ବ ଗୁଞ୍ଜରଣ ସୃଷ୍ଟି କରୁଥିଲା । ମହର୍ଷି ଦେବେନ୍ଦ୍ରନାଥ ରାମମୋହନଙ୍କ ମୃତ୍ୟୁ ପରେ ବ୍ରାହ୍ମ ସମାଜର ପୁନର୍ଗଠନ ପାଇଁ ଲାଗି ପଡ଼ିଥିଲେ ଓ ସମଗ୍ର ଦେଶରେ ତାର ପ୍ରସାର ପାଇଁ ମଧ୍ୟ ସଫଳ ଚେଷ୍ଟା କରିଥିଲେ । ଚେଷ୍ଟା କରିଥିଲେ ସମଗ୍ର ମାନବ ସମାଜ ଏକ ବିଶ୍ଵ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧିହୋଇ ରହୁ । ଡ: ରାଧାକ୍ରିଷ୍ଣନଙ୍କ ଭାଷାରେ “In 1828 he (Rammohan) founded the Brahma Samaj, society of believers in God, open to men of all creeds, castes and classes. He advocated a rational theism based on the Vedas and Upanishads All the developments of the Brahma Samaj emphasise the basic unity of all religions.”* ରାମମୋହନଙ୍କ ସେଇ ଅଦ୍ୱୈତବାଦୀ ଚିନ୍ତାଧାରା କେବଳ ହିନ୍ଦୁଧର୍ମରେ ଯେ ସଂସ୍କାର ଆଣିଥିଲା ବା ଭାରତୀୟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତା ନୁହେଁ, ଇଂଲଣ୍ଡ ତଥା ବିଦେଶରେ ମଧ୍ୟ ତାଙ୍କର ସେଇ ଦର୍ଶନ ଅନେକଙ୍କୁ ଦିଗଦର୍ଶନ ଦେଇଥିଲା । ଚିକାଗୋ ଓପେନ୍ କୋର୍ଟ ପତ୍ରିକାରେ କାନଓ୍ୱେ ସେଇଥିପାଇଁ ଯଥାର୍ଥରେ ୧୮୯୪ ମସିହାରେ ଲେଖିଥିଲେ, “It was Rammohan Ray who really caused the organisation of the British and foreign Unitarian Association”

 

*Indian Mirror-1865

 

* Radhakrishnan Reader–

 

ଏବଂ ରାମମୋହନଙ୍କ ଦର୍ଶନ ହିଁ ଥିଲା ବିଶ୍ୱକବି ରବୀନ୍ଦ୍ର ନାଥଙ୍କ ମନ୍ତ୍ର । ସେଇ ମନ୍ତ୍ରର ସେଇ ଦର୍ଶନର ବାସ୍ତବ ରୂପରେଖ ଶାନ୍ତିନିକେତନ-ଯେଉଁଠି ପୃଥିବୀର ସମସ୍ତ ଦେଶର, ସମସ୍ତ ଧର୍ମର ଛାତ୍ର ଓ ବୁଦ୍ଧିଜୀବୀ ହାତରେ ହାତ ମିଳାଇ ପୃଥିବୀକୁ ଦେଖାଇ ଦିଅନ୍ତି ସର୍ବଧର୍ମ ସମନ୍ଵୟ କଣ-। ସେଇ ଅନୁଷ୍ଠାନ ନୀରବକଣ୍ଠରେ ଘୋଷଣା କରେ ସମଗ୍ର ବିଶ୍ୱର ଜନଗଣ ଭ୍ରାତୃତ୍ଵର ବନ୍ଧନରେ ବାନ୍ଧିହୋଇ ରହିବା ଅସମ୍ଭବ ନୁହେଁ ।

Image

 

ବାର

ସମ୍ବାଦପତ୍ରର ସ୍ଵାଧୀନତା

 

ଭାରତରେ ବେଙ୍ଗଲ ଗେଜେଟର ଜନ୍ମ ହିଁ ସମ୍ବାଦପତ୍ରର ଅୟମାରମ୍ଭ । ଜାନୁୟାରୀ ୨୯ ତାରିଖ ୧୭୮୦ ମସିହାରେ ପ୍ରଥମେ ପ୍ରକାଶ ପାଇଥିବା ସମ୍ବାଦପତ୍ର ବେଙ୍ଗଲ ଗେଜେଟକୁ ଅନେକେ ବୁଝନ୍ତି ହିକିଙ୍କ ଗେଜେଟ୍ ଭାବରେ; କାରଣ ତାହାର ଜନ୍ମଦାତା ଥିଲେ ହିକି । ଗେଜେଟ ପ୍ରଥମେ ପ୍ରକାଶ ପାଇବା ବେଳେ ତାର ଯେଉଁ ନୀତି ନିର୍ଦ୍ଧାରଣ କରାଯାଇଥିଲା, ସେଥିରେ ଥିଲା ଉକ୍ତ ପତ୍ରିକା ରାଜନୈତିକ ସମ୍ବାଦ ତଥା ମତବାଦ ପରିବେଷଣ କରିବା ସଙ୍ଗେ ସଙ୍ଗେ ବାଣିଜ୍ୟିକ ବ୍ୟବସାୟ ସୂତ୍ରରେ ମଧ୍ୟ ବ୍ୟବହୃତ ହେବ ଏବଂ ତାହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସୀ ରୂପେ କାର୍ଯ୍ୟ ନକରି ଦଳ ମତ ନିର୍ବିଶେଷରେ ସମସ୍ତ ଦଳର ମତବାଦକୁ ସମାନ ଗୁରୁତ୍ଵ ଦେବ ।

 

ହିକିଙ୍କ ଗେଜେଟ ପ୍ରକାଶ ପାଇଥିଲା ଏକ ମହତ୍ ଉଦ୍ଦେଶ୍ୟ ନେଇ; କିନ୍ତୁ ପରେ କଲିକତାରେ ବସବାସ କରି ରହୁଥିବା ୟୁରୋପୀୟମାନଙ୍କ ସମ୍ବାଦକୁ ହିଁ ଯଥେଷ୍ଟ ଗୁରୁତ୍ଵ ଦେଇଥିଲେ ମି: ହିକି । ବରଂ କେବଳ ସେଇମାନଙ୍କ ସମ୍ବାଦ ହିଁ ଥିଲା ବେଙ୍ଗଲ ଗେଜେଟର ପ୍ରଧାନ ବିଷୟବସ୍ତୁ । ସମୟକ୍ରମେ ୟୂରୋପୀୟମାନଙ୍କ କାର୍ଯ୍ୟକଳାପର ସମାଲୋଚନାରେ ପ୍ରାୟ ସମସ୍ତ ପୃଷ୍ଠା ଶେଷ ହୋଇ ଯାଇଥିଲା ବେଙ୍ଗଲ ଗେଜେଟର । ଏପରି କି ଶେଷରେ ଭାରତର ଗଭର୍ଣ୍ଣର ଜେନେରାଲ ଓ ତାଙ୍କ ସ୍ତ୍ରୀଙ୍କ କାର୍ଯ୍ୟକଳାପର ତର୍ଜମା କରିବା ଲାଗି ପଶ୍ଚାତପଦ ହୋଇ ନଥିଲେ ସେ-

 

ହିକିଙ୍କ ଗେଜେଟ୍ ପ୍ରକାଶ ପାଇବା ପୂର୍ବରୁ ସେଭଳି ଆହୁରି କେତେକ ସମ୍ବାଦପତ୍ର ଭାରତରେ ପ୍ରକାଶ ପାଇଥିଲେ ମଧ୍ୟ ସେଥିମଧ୍ୟରୁ ଗୋଟିଏ ହେଲେ କୌଣସି ଭାରତୀୟଙ୍କ ସମ୍ପାଦନାରେ ପ୍ରକାଶିତ ହୋଇ ନଥିଲା । ସମସ୍ତ ସମ୍ପାଦକ ଥିଲେ ୟୁରୋପୀୟ । କିନ୍ତୁ ତଥାପି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ପ୍ରକାଶିତ ହୋଇ ନ ଥିଲା । ସବୁଗୁଡ଼ିକ ହୋଇଥିଲା ବାଣିଜ୍ୟିକ ବ୍ୟାବସାୟିକ ଦୃଷ୍ଟିକୋଣରୁ । ସମ୍ଵାଦପତ୍ରର ପ୍ରଧାନ ଉଦ୍ଦେଶ୍ୟ ସମ୍ବାଦ ପରିବେଷଣ କରିବା ଦୃଷ୍ଟିରୁ କୌଣସି ପତ୍ରିକା ସଚେତନ ହୋଇ ପାରି ନଥିଲେ ସେତେବେଳେ ।

ହିକି ଯଦିଓ ଜଣେ ସାମ୍ବାଦିକ ନ ଥିଲେ କିମ୍ଵା ସାହିତ୍ୟକ ନଥିଲେ; ତଥାପି ‘ସମ୍ବାଦର’ ମହତ୍ତ୍ୱ ସେ ଢେର ଉପଲବଧି କରି ପାରିଥିଲେ । ତଥାପି ତାଙ୍କରି ପ୍ରକାଶନରେ ପ୍ରକାଶ ପାଉଥିଲା, ହାସ୍ୟରସାତ୍ମକ ଖବରଠାରୁ ଆରମ୍ଭ କରି ସମ୍ବାଦ ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ଘଟଣାବଳି । ସାମାଜିକ ଜୀବନର କଳଙ୍କିତ ଘଟଣାଗୁଡ଼ିକୁ ଅତି ନଗ୍ନ ଭାବରେ ପ୍ରକାଶ କରିବା ପାଇଁ ସାମାନ୍ୟତମ କୁଣ୍ଠାବୋଧ କରୁ ନ ଥିଲେ ସେ । ପୁନଶ୍ଚ ଗଭର୍ଣ୍ଣର ଜେନେରାଲ ଗ୍ରହଣ କରି ନ ଥିବା ବିଭିନ୍ନ ନୀତିକୁ ସେ ପସନ୍ଦ କରିପାରୁ ନ ଥିଲେ ।

ସବୁଠାରୁ ଉଲ୍ଲେଖନୀୟ ଥିଲା ବ୍ୟକ୍ତି ସ୍ଵାଧୀନତା ପ୍ରତି ତାଙ୍କର ସମ୍ମାନ ଥିଲା ଯଥେଷ୍ଟ । ସେ ମନେ କରୁଥିଲେ ସମ୍ବାଦପତ୍ରଗୁଡ଼ିକ ସର୍ବଥା ସ୍ଵାଧୀନ ମତ ବ୍ୟକ୍ତ କରିବା ପାଇଁ ସମସ୍ତ ସୁଯୋଗ ଦିଆଯିବା ଉଚିତ ଏବଂ ଆବଶ୍ୟକ । ଜଣେ ସ୍ଵାଧୀନ ନାଗରିକ ହିସାବରେ ସ୍ଵାଧୀନ ଭାବେ ମତ ବ୍ୟକ୍ତ କରିବା ଅଧିକାର ତାଙ୍କର ଅଛି ବୋଲି ସେ ଭାବୁଥିଲେ । ଜଣେ ସାମ୍ବାଦିକ ତଥା ରାମମୋହନଙ୍କ ଜୀବନୀ ଲେଖିକା ଯମୁନା ନାଗଙ୍କ ଭାଷାରେ “The first man who spoke about the freedom of the press was Hicky. His style of reporting might not have been appreciated by the British officials, but he had inspired the entire realm of journalists long after he disappeared from India”*

* Raja Rammohan Ray

କିନ୍ତୁ ସେତେବେଳେ ସମୟ ଥିଲା ଭିନ୍ନ ପ୍ରକାରର । କଂପାନୀ ସରକାର ଭାବୁଥିଲେ ଠିକ୍ ଓଲଟା । ସେମାନେ କେବଳ ଚାହୁଁଥିଲେ ନିଜର ପ୍ରଶଂସା । ସରକାରୀ କର୍ମଚାରୀମାନେ ମନେକରୁଥିଲେ ସେମାନେ କସ୍ମିନ କାଳେ ଭୁଲ କରି ନ ପାରନ୍ତି । ସେମାନେ ଯେଉଁ କାର୍ଯ୍ୟ ସବୁ କରୁଥିଲେ ସବୁ ଠିକ୍ ବୋଲି ଭାବୁଥିଲେ ।

କିନ୍ତୁ ଶାସନ ଦାୟିତ୍ୱରେ ଥିବା ଉଚ୍ଚ କର୍ମକର୍ତ୍ତାଙ୍କର ଯଥେଚ୍ଛାଚାରୀ କାର୍ଯ୍ୟକଳାପ ହିକିଙ୍କ ପତ୍ରିକା ପାଇଁ ଯଥେଷ୍ଟ ଖାଦ୍ୟ ଯୋଗାଇ ଥିଲା । ଭାରତର ଗଭର୍ଣ୍ଣର ଜେନେରାଲ ହେଷ୍ଟିଙ୍ଗସଙ୍କ ମନମୁଖୀ ଶାସନର ଧାରାକୁ ରୂପ ଦେବା ସଙ୍ଗେ ସଙ୍ଗେ ତାଙ୍କର ବ୍ୟକ୍ତିଗତ ଜୀବନ ନେଇ ମଧ୍ୟ ଅନେକ ପ୍ରକାର ଆଲୋଚନା ଆରମ୍ଭ କରିଦେଇଥିଲେ ସେ । ସେଥିରେ ଭାରତର କଂପାନୀ ସରକାର କ୍ଷୁର୍ଣ୍ଣ ହୋଇ ଯାଇଥିଲେ ।

ପରିଶେଷରେ ହିକିଙ୍କୁ ଗିରଫ କରାଯାଇ ବନ୍ଦୀ କରାଯାଇଥିଲା ମଧ୍ୟ । ପରିଣାମତଃ ପତ୍ରିକା ପ୍ରକାଶ ପାଇବାର ମାତ୍ର ଦୁଇଟି ବର୍ଷ ପରେ ତାହା ବନ୍ଦ ହୋଇ ଯାଇଥିଲା ଓ ପରିଶେଷରେ ସମ୍ପାଦକଙ୍କୁ ନିଜ ଦେଶକୁ ପଠାଇ ଦିଆ ଯାଇଥିଲା ଏବଂ ତା ପରେ ପରେ ସରକାରଙ୍କ ଦୃଷ୍ଟିକୋଣ ପତ୍ରପତ୍ରିକା ଗୁଡ଼ିକର ପ୍ରକାଶନ ପ୍ରତି ବଦଳି ଯାଇଥିଲା ମଧ୍ୟ । ତାରି ପରଠାରୁ ସରକାରଙ୍କ ଏକ ପ୍ରକାର ସନ୍ଦେହାତ୍ମକ ଦୃଷ୍ଟି ରହିଥିଲା ପତ୍ର ପତ୍ରିକାର ପ୍ରକାଶକମାନଙ୍କ ପ୍ରତି । ସେମାନେ ଚାହୁଁଥିଲେ ପତ୍ରିକା ପ୍ରକାଶ ପାଉ ଏବଂ ସରକାରଙ୍କ ପ୍ରଶଂସାରେ କେବଳ ତାହା ମୁଖରିତ ହୋଇଉଠୁ । କିନ୍ତୁ ସମ୍ପାଦକମାନେ ଚାହୁଁଥିଲେ ଠିକ୍ ଓଲଟା ।

ସରକାର ଏକଥା ମଧ୍ୟ ନିଶ୍ଚିନ୍ତ ଭାବେ ଉପଲବଧି କରିଥିଲେ ଯେ ସରକାରୀ ଉଦ୍ୟମରେ ନ ହୋଇ ଯଦି ବ୍ୟକ୍ତିଗତ ଉଦ୍ୟମରେ କୌଣସି ସମ୍ବାଦ ପତ୍ର ପ୍ରକାଶ ପାଏ, ତେବେ ସରକାରୀ କଳର ବିଭିନ୍ନ କାର୍ଯ୍ୟକଳାପର ସମାଲୋଚନା ହିଁ ବାଣିଜ୍ୟିକ ଦୃଷ୍ଟିକୋଣରୁ ଉତ୍ସାହପ୍ରଦ ହେବ । ପରିଣାମତଃ ଲୋକେ ତାହାକୁ ହିଁ ପଢ଼ିବା ଲାଗି ବିଶେଷ ଭାବେ ଆଗ୍ରହାନ୍ଵିତ ହୋଇ ଉଠିବେ । ତେଣୁ ପତ୍ର ପତ୍ରିକା ପ୍ରକାଶନ ଦିଗରେ ସରକାରୀ ନିୟନ୍ତ୍ରଣ କ୍ରମଶଃ କଠୋର ହେବା ସ୍ଵାଭାବିକ ଥିଲା । ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ସୃଷ୍ଟି ହେଉଥିଲେ କମ୍ପାନୀ ସରକାରଙ୍କ ଦପ୍ତରରୁ । ସେଥିରେ ଭାରତର ସାଧାରଣ ଲୋକେ ଅତିଷ୍ଠ ହେବାର କୌଣସି କାରଣ ନଥିଲା ।

ଦେଶର ସାମାଜିକ ବ୍ୟବସ୍ଥା ସେତେବେଳେ ଯାହା ଥିଲା, ଦେଶରେ କୌଣସି ପତ୍ରିକା ପ୍ରକାଶ ପାଇବା ଓ ପ୍ରକାଶ ନ ପାଇବା ଭିତରେ ପାର୍ଥକ୍ୟର ସୀମାରେଖା ନ ଥିଲା କହିଲେ ଚଳେ । ସାଧାରଣ ଜନଜୀବନ ସହିତ ପତ୍ରିକାର ସମ୍ପର୍କ ନଥିଲା । କୌଣସି ମତବାଦର ସଙ୍ଗଠନ କିମ୍ବା ଜନଜୀବନକୁ ପ୍ରଭାବିତ କରିବା ଭଳି ସମ୍ବାଦପତ୍ର ଗୁଡ଼ିକ କାର୍ଯ୍ୟ କରିବା ଅବସ୍ଥାରେ ନଥିଲେ । ତେଣୁ ସମ୍ବାଦପତ୍ର ପ୍ରକାଶନରେ ବିଭିନ୍ନ ନିୟନ୍ତ୍ରଣ ସରକାର ଜାରୀ କରିବାର ପରିଣାମତଃ ଜନସାଧାରଙ୍କ ତରଫରୁ କୌଣସି ପ୍ରତିବାଦ ନ ହେବା ସ୍ଵାଭାବିକ କଥା ।

ତେବେ ସରକାର ବିଭିନ୍ନ ନିୟନ୍ତ୍ରଣ ଜାରୀ କରିବା ମୂଳରେ ଉଦ୍ଦେଶ୍ୟ ଥିଲା ଅଲଗା । ସେମାନଙ୍କ ନିଜର ବିଭିନ୍ନ ଦୋଷ ଦୁର୍ବଳତା ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶ ପାଇବା ଫଳରେ ସେଗୁଡ଼ିକ ଯେ ବୋର୍ଡ଼ର ଡାଇରେକ୍ଟରମାନେ ଜାଣିଯିବେ, ତାହା ହିଁ ଥିଲା ସରକାରୀ କଳର ଭୟର ପ୍ରଧାନ କାରଣ । ସେଥିପାଇଁ ସମ୍ବାଦପତ୍ରର ପ୍ରକାଶକମାନଙ୍କୁ ସରକାର ଏକ ପ୍ରକାର ନିରୁତ୍ସାହିତ କରୁଥିଲେ କହିଲେ ଚଳେ ।

ମି: ହିକଙ୍କୁ ଦେଶାନ୍ତର କରିଦେବା ପରେ କଂପାନୀ ସରକାରଙ୍କ ଦୁଶ୍ଚିନ୍ତା ଯେ ସଂପୂର୍ଣ୍ଣ ରୂପେ ଦୂରୀଭୂତ ହୋଇଯାଇଥିଲା ତା ‘ନୁହେଁ; ବରଂ ହିକି ଭାରତରେ ସାମାଜିକ ବିକାଶର ଗୋଟିଏ ଅବରୁଦ୍ଧ ପଥରେ ଦ୍ଵାର ଉନ୍ନୁକ୍ତ କରିଦେଇ ଯାଇଥିଲେ । ୧୭୯୪ ମସିହାରେ ଜଣେ ଆମେରିକୀୟ ୱିଲିୟମ ଡୁଏନେ, ‘ଦି ଇଣ୍ଡିଆନ୍ ୱାରଲ୍ଡ଼’ (The Indian World) ଆରମ୍ଭ କରିଥିଲେ । ତାର ଆୟୁଷ ଥିଲା ମାତ୍ର ଗୋଟିଏ ବର୍ଷ । ୧୭୯୫ ମସିହାରେ ସମ୍ପାଦକ ମହୋଦୟଙ୍କୁ ଗିରଫ କରାଯାଇ ମି: ହିକିଙ୍କ ପଥାନୁସରଣ କରାଇ ଦିଆ ଯାଇଥିଲା ।

ସେତେବେଳେ ପୃଥିବୀରେ ଘଟି ଯାଇଥିବା ବିଭିନ୍ନ ଘଟଣାବଳୀର ବିଶେଷ ବିବରଣୀ ଜାଣିବା ପାଇଁ ଭାରତର ଶିକ୍ଷିତ ତଥା ଯୁବସମାଜ କ୍ରମେ କ୍ରମେ ଅଧିକରୁ ଅଧିକ ଆଗ୍ରହାନ୍ୱିତ ହୋଇ ଉଠୁଥିଲା । ଭାରତୀୟଙ୍କ ଚିନ୍ତାରାଜ୍ୟର ପରିସର ବୃଦ୍ଧି ପାଉଥିଲା କ୍ରମଶଃ । ଭାରତୀୟ ଯୁବମାନସ ଜାଣିବାକୁ ଚାହୁଁଥିଲା ଆମେରିକୀୟ ସ୍ଵାଧୀନତା ସଂଗ୍ରାମର କାହାଣୀ, ଫରାସୀ ରାଷ୍ଟ୍ର ବିପ୍ଳବ ପରେ ପରେ ତାର ବିଭିନ୍ନ ପ୍ରଭାବ, ପୃଥିବୀର ବିଭିନ୍ନ ଅଙ୍ଗରେ ଏବଂ ୟୁରୋପରେ ଘଟି ଯାଇଥିବା ରାଜନୈତିକ ଘଟଣାବଳୀ–ଯାହାର ଉପରେ ଭାରତର ଭାଗ୍ୟ ବି ନିର୍ଭର କରୁଥିଲା ।

ସେ ସବୁ ଜାଣିବା ଲାଗି ଏକମାତ୍ର ମାଧ୍ୟମ ଥିଲା ସମ୍ବାଦପତ୍ର । ଏବଂ ସେ ସମ୍ବାଦପତ୍ର ଭାରତରେ ପ୍ରକାଶ କରିବାଲାଗି କମ୍ପାନୀ ସରକାରଙ୍କ ତରଫରୁ ଥିଲା ଅନେକଟା କଟକଣା । ଗୋଟିକ ପରେ ଗୋଟିଏ ପତ୍ରିକା ପ୍ରକାଶ ପାଇବା ଆରମ୍ଭ କରୁଥିଲା ସରକାରଙ୍କ ସମସ୍ତ କଟକଣା ସତ୍ତ୍ଵେ ଏବଂ ସବୁଗୁଡ଼ିକ ସେଇ ଗୋଟିଏ ଦଶା ଭୋଗ କରୁଥିଲେ–ସମ୍ପାଦକଙ୍କୁ ବାଧ୍ୟତାମୂଳକ ଦେଶାନ୍ତର ଦଣ୍ଡ ।

ସେ ପ୍ରକାର ଅନିଶ୍ଚିତ ଅନ୍ଧକାର ଭବିଷ୍ୟତର ସୂଚନା ପାଇ ମଧ୍ୟ କମ୍ପାନୀ ସରକାରଙ୍କ ଦୃଷ୍ଟିରେ ତିଷ୍ଠି ରହିବା ଏକ ଦୁରୂହ ବ୍ୟାପାର ବୋଲି ଜାଣିବା ସତ୍ତ୍ଵେ ଇଣ୍ଡିଆ ଗେଜେଟ୍, ବେଙ୍ଗଲ ଜୋର୍ନାଲ, ଓରିଏଣ୍ଟାଲ୍ ମେଗାଜିନ୍ ଏବଂ ଇଣ୍ଡିଆନ ୱାରଲ୍ଡ଼ ଭଳି କେତେକ ସମ୍ବାଦପତ୍ର ଓ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଥିଲା । ସରକାରଙ୍କ ସହ ମୁକାବିଲା କରିବାପାଇଁ ସତେ ଯେପରି ସମ୍ପାଦକମାନେ ସର୍ବାଦୌ ପ୍ରସ୍ତୁତ ଥିଲେ ।

୧୭୯୧ ଠାରୁ ୧୭୯୮ ମସିହା ମଧ୍ୟରେ ଅନେକ ସମ୍ପାଦକଙ୍କ ବିରୁଦ୍ଧରେ ସରକାର ବିଭିନ୍ନ ଅଭିଯୋଗ ଆଣି ଦଣ୍ଡିତ କରାଇଥିଲେ । ଅନେକଙ୍କୁ ସେମାନଙ୍କ କାର୍ଯ୍ୟକଳାପ ନେଇ ସତର୍କ କରାଇ ଦିଆଯାଇଥିଲା ଓ ବେଙ୍ଗଲ ହରକରାର ସମ୍ପାଦକ ଚାର୍ଲସ ମେକଲିନଙ୍କୁ ସରକାର ଗିରଫ କରି ଇଂଲଣ୍ଡ ପଠାଇ ଦେବା ଭଳି ଆହୁରି କେତେକଙ୍କୁ ଦେଶାନ୍ତର ପଠାଇ ଦିଆଯାଇଥିଲା-

ଲର୍ଡ଼ ୱେଲେସଲି ସମ୍ପାଦକମାନଙ୍କ ଉପରେ ଏକ ପ୍ରକାର ତିକ୍ତ ମନୋଭାବ ପୋଷଣ କରି ନେଇଥିଲେ ପ୍ରାରମ୍ଭରୁ । ତେଣୁ ଦେଶରେ ପ୍ରକାଶ ପାଉଥିବା ପତ୍ରିକାଗୁଡ଼ିକୁ ସେନ୍‍ସର କରିବା ପରେ ପ୍ରକାଶ କରାଇବା ଲାଗି ଏକ ଆଦେଶନାମା ୧୭୯୯ ମସିହାରେ ସେ ଜାରୀ କରିଥିଲେ । ସେ ପ୍ରକାର ଆଦେଶନାମାରେ ସେ ଉଲ୍ଲେଖ କରିଥିଲେ ଯେ, ମୁଦ୍ରକ, ସମ୍ପାଦକ ଏବଂ ପ୍ରକାଶକଙ୍କ ନାମ ପ୍ରତ୍ୟେକ ପତ୍ରିକାର ଶେଷରେ ନିଶ୍ଚିତ ଭାବେ ରହିବାକୁ ହେବ ଏବଂ ସମ୍ପାଦକ ଓ ପ୍ରକାଶକଙ୍କ ସ୍ଥାୟୀ ଠିକଣା ସରକାରଙ୍କ ସେକ୍ରେଟେରୀଙ୍କ ନିକଟରେ ଦାଖଲ କରିବାକୁ ହେବ ।

ସେଭଳି ଏକ ଆଦେଶନାମାର ଯଥାର୍ଥତା ଲର୍ଡ଼ ୱେଲେସଲିଙ୍କ ପାଇଁ ଆବଶ୍ୟକ ଥିଲା । କାରଣ ଭାରତରେ ଇଂରେଜ ଶାସକମାନଙ୍କ ପାଇଁ କେତେକ ଅଶୁଭ ସଙ୍କେତ ସେ ଦେଖିବାକୁ ପାଇଥିଲେ । କେତେବେଳେ ଯେ ହଠାତ୍ ଫରାସୀମାନଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିପାରେ; ସେଭଳି ଏକ ଆଶଙ୍କାରେ ଶଙ୍କିତ ଥିଲେ ୱେଲେସଲି । ସୁଲତାନ ଟିପୁ ଫ୍ରାନସ ସହିତ ଯୋଗସୂତ୍ର ସ୍ଥାପନ କରିବାର ସମ୍ବାଦ ଇଂରେଜ ସରକାର ପାଇଥିଲେ ଏବଂ ଜାଣିଥିଲେ ଯେ, ଭାରତରୁ ଇଂରେଜମାନଙ୍କୁ ହଟାଇବା ଲାଗି ଜୋରସୋରରେ ମନ୍ତ୍ରଣା ଚାଲିଥିଲା । ସେଭଳି ସମ୍ବାଦ ଯଦି ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଏ, ତାହାହେଲେ ଜନସମାଜ ଅଧିକ ସଚେତନ ହୋଇ ଉଠିବେ ଏବଂ ପରିଣାମ ହୁଏତ ଭୟାବହ ହେବ । ସେ ଦୃଷ୍ଟିରୁ ପତ୍ର ପତ୍ରିକାଗୁଡ଼ିକ ପାଇଁ ସେନସର ପ୍ରଥା ଲାଗୁ କରାଇଥିଲେ ସେ । ଏପରିକି କଲିକତାରେ ବାପଟିଷ୍ଟ ଖ୍ରୀଷ୍ଟିୟାନମାନେ ଯେତେବେଳେ ଗୋଟିଏ ଛାପାକଳ ପ୍ରତିଷ୍ଠା କରିବା ଲାଗି ଚାହିଁଥିଲେ, ସେ ତାହାକୁ ଅନୁମତି ଦେଇ ନ ଥିଲେ । ଫଳତଃ ଅନେକ ପରେ ସେମାନେ ଶ୍ରୀରାମପୁରଠାରେ ସେଭଳି ଏକ ପ୍ରେସ ସ୍ଥାପନ କରିଥିଲେ ।

 

ଡ: ଜେମସ୍ ବ୍ରାଇସ ୧୮୧୪ ମସିହାରେ ଏସିଆଟିକ୍ ଜୋରନାଲ ପ୍ରକାଶନ ଆରମ୍ଭ କରିଥିଲେ ଓ ହିଟିଲି ସମ୍ପାଦନା କରିଥିଲେ ମର୍ଣ୍ଣିଙ୍ଗ୍ ପୋଷ୍ଟ । ଯଦି ଓ ଲର୍ଡ଼ ହେଷ୍ଟିଙ୍ଗସଙ୍କ ସହିତ ସେମାନଙ୍କର ସମ୍ପର୍କ ଆଦୌ ସୌହାର୍ଦ୍ୟପୂର୍ଣ୍ଣ ନ ଥିଲା; ତଥାପି ଏକ ପ୍ରତିକୂଳ ବାତାବରଣ ଭିତରେ ମଧ୍ୟ ଉଭୟେ ସମ୍ବାଦପତ୍ରର ସ୍ଵାଧୀନତା ପାଇଁ ଅନେକ ଲଢ଼େଇ କରିଥିଲେ । ଶେଷରେ ହେଷ୍ଟିଙ୍ଗସ ସେନସର ପ୍ରଥାକୁ ଲୋପ କରିଦେବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ ୧୯୧୮ ମସିହାରେ ।

 

ବଙ୍ଗଳା ଭାଷାରେ ପ୍ରଥମେ ବଙ୍ଗାଳୀ ସାପ୍ତାହିକ ସମ୍ବାଦପତ୍ର ୧୮୧୬ ମସିହାରେ ପ୍ରକାଶ ପାଇଥିଲା–”ବେଙ୍ଗଲ ଗେଜେଟ” । ତାର ସମ୍ପାଦକ ଥିଲେ ଆତ୍ମୀୟ ସଭାର ଜଣେ ସକ୍ରିୟ ସଭ୍ୟ ତଥା ରାଜା ରାମମୋହନ ରାୟଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ଗଙ୍ଗାଧର ଭଟ୍ଟାଚାର୍ଯ୍ୟ । ସତୀଦାହ ପ୍ରଥା ସମ୍ପର୍କରେ ତାଙ୍କର ପ୍ରଥମ ପର୍ଯ୍ୟାୟ ଲେଖା ରାମମୋହନ ପ୍ରକାଶ କରିଥିଲେ । ଉକ୍ତ ପତ୍ରିକାଟି ଦୀର୍ଘ ଚାରିବର୍ଷ କାଳ ପ୍ରକାଶ ପାଇ ୧୮୨୦ ମସିହା ପର୍ଯ୍ୟନ୍ତ ପ୍ରକାଶ ପାଇ ଆସୁଥିଲା ।

 

ଅନେକ ଐତିହାସିକଙ୍କ ମତରେ ବଙ୍ଗଳା ଗେଜେଟ ପ୍ରକାଶ କରିବା ମୂଳରେ ରାମମୋହନଙ୍କ ଉଦ୍ୟମ ଥିଲା ସର୍ବାଧିକ; ବରଂ ସେ ହିଁ ଥିଲେ ପତ୍ରିକାର ମୂଳପିଣ୍ଡ । ସେଥିରେ ତାଙ୍କର ଚିନ୍ତାଧାରା ବହନ କରୁଥିବା ରଚନାବଳୀ ମୁଖ୍ୟସ୍ଥାନ ଅଧିକାର କରୁଥିଲେ । ରାଜନୈତିକ ତଥା ସାମାଜିକ ଦୃଷ୍ଟିକୋଣରୁ ତାହା ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରା ବହନ କରିଥିଲେ । ତଥାପି ପ୍ରତ୍ୟକ୍ଷ ଭାବେ ରାମମୋହନ ନିଜକୁ ପତ୍ରିକାଠାରୁ ଦୂରେଇ ରଖିଥିଲେ । କାରଣ ସେ ହୁଏତ ଅନୁଭବ କରିଥିଲେ ଯେ, ପତ୍ରିକାର ମଙ୍ଗଳ ଦୃଷ୍ଟିରୁ ନିଜ ନାମକୁ ତାହା ସହିତ ଯୋଡ଼ିବା ଉଚିତ ହେବ ନାହିଁ । ଯେଉଁଭଳି ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ହିନ୍ଦୁ କଲେଜ ପ୍ରତିଷ୍ଠା ପାଇଁ ଅଦମ୍ୟ ଉଦ୍ୟମ କରି ତାର ପରିଚାଳନା କମିଟିରୁ ଦୂରେଇ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ, ଠିକ୍ ସେହିଭଳି ଏ କ୍ଷେତ୍ରରେ ମଧ୍ୟ ବିବେଚନା କରିଥିଲେ । ରାମମୋହନଙ୍କ ସାହାଯ୍ୟ ସହାନୁଭୂତି ବରଂ ଉଦ୍ୟମ ନ ଥିଲେ ଜଣେ ସାଧାରଣ ସ୍କୁଲ ଶିକ୍ଷକ ଗଙ୍ଗାଧର ଭଟ୍ଟାଚାର୍ଯ୍ୟ ସେଭଳି ଏକ ଦୁଃସାହସିକ ପଦକ୍ଷେପ ନେଇ ପାରି ନ ଥାନ୍ତେ ।

 

ଯେତେବେଳେ ବଙ୍ଗଳା ଗେଜେଟ ୧୮୨୦ ମସିହାରେ, ଯେଉଁ କାରଣରୁ ହେଉନା କାହିଁକି, ପ୍ରକାଶନ ବନ୍ଦ ହୋଇଗଲା, ରାମମୋହନଙ୍କ ମତ ତଥା ସଂସ୍କାରଧର୍ମୀ ଚିନ୍ତାଧାରାଗୁଡ଼ିକ ସମାଜରେ ଅଧିକରୁ ଅଧିକ ପ୍ରଚାରିତ ହେବାଲାଗି ଏକ ପ୍ରକୃଷ୍ଟ ମାଧ୍ୟମ ସତେ ଯେମିତି ବନ୍ଦ ହୋଇଗଲା । ବିଶେଷ କରି ସେତେବେଳେ ରାମମୋହନ ଚାହୁଁଥିଲେ ନୂଆଁ କରି ଗଢ଼ି ଉଠୁଥିବା ଯୁବ ଶକ୍ତିକୁ ଓ ଶିକ୍ଷିତ ଗୋଷ୍ଠୀକୁ ହିନ୍ଦୁଧର୍ମର ପ୍ରଚଳିତ କୁସଂସ୍କାରପୂର୍ଣ୍ଣ ପ୍ରଥାଗୁଡ଼ିକ ସମ୍ପର୍କରେ ସଚେତନ କରାଇବେ ଓ ସେ ଆଶା କରିଥିଲେ ପରିଣାମ ନିଶ୍ଚୟ ଫଳପ୍ରଦ ହେବ । ତେଣୁ ତାଙ୍କ ଚିନ୍ତାଧାରାକୁ ଅଧିକରୁ ଅଧିକ ପ୍ରଚାରିତ କରାଇବା ପାଇଁ ଓ ଜନଗଣଙ୍କ ନିକଟରେ ସହଜରେ ପହଞ୍ଚାଇବା ଲାଗି ଏକ ପତ୍ରିକା ପ୍ରକାଶନର ଆବଶ୍ୟକତାକୁ ସେ ଅନୁଭବ କରିଥିଲେ ।

 

ସେ ସ୍ଥିର କରିଥିଲେ ସେଭଳି ଉଦ୍ୟମ ସେ ନିଜେ ହିଁ ହାତକୁ ନେବେ ।

 

“ସମ୍ବାଦ କୌମୁଦୀ” ନାମରେ ଏକ ସାପ୍ତାହିକ ପତ୍ରିକା ବଙ୍ଗଳା ଭାଷାରେ ଆରମ୍ଭ କରିଥିଲେ ବଙ୍ଗଳା ଗେଜେଟ ପ୍ରକାଶନ ବନ୍ଦ ହେବାର ମାତ୍ର ଗୋଟିଏ ବର୍ଷ ଭିତରେ । ସମ୍ପାଦକ ଥିଲେ ସେ ନିଜେ ।

 

ନିଜ ସମ୍ପାଦନାରେ ପ୍ରକାଶ ପାଉଥିବା ପତ୍ରିକାର ରାମମୋହନ କେବଳ ନିଜ ଚିନ୍ତାଧାରା ପ୍ରକାଶ କରୁ ନ ଥିଲେ । ଯଦିଓ କୁସଂସ୍କାରମୂଳକ ପ୍ରଥା ବିରୁଦ୍ଧରେ ଏକ ନିର୍ଦ୍ଦିଷ୍ଟ ସ୍ୱର ସେଥିରେ ପ୍ରତିଫଳିତ ହେଉଥିଲା ତଥାପି ସେଥିରେ ଦେଶର ବିଭିନ୍ନ ସମସ୍ୟାଗୁଡ଼ିକ ମଧ୍ୟ ପ୍ରକାଶ ପାଉଥିବା ଚାଉଳ କଲିକତା ଅଞ୍ଚଳର ସ୍ୱାର୍ଥ ଦୃଷ୍ଟିରୁ ବନ୍ଦ କରିବା ଲାଗି ସରକାରଙ୍କୁ ଅନୁରୋଧ; ହିନ୍ଦୁ ସନ୍ତାନମାନଙ୍କ ଉଚ୍ଚ ଶିକ୍ଷାଲାଗି ସ୍କୁଲ ସ୍ଥାପନ କରିବାର ଆବଶ୍ୟକତା; କଲିକତା ନଗରୀର ଜନବହୁଳ ରାସ୍ତାମାନଙ୍କରେ ଇଉରୋପୀୟମାନେ ଖୁବ୍ ଜୋରରେ ଏବଂ ଅତି ବେପରୁଆ ଭାବରେ ଯାନବାହାନ ଚଳାଇବା ଏବଂ ଭାରତୀୟମାନଙ୍କ ପ୍ରତି ଅବମାନନା କରିବା ଭଳି କାର୍ଯ୍ୟକଳାପର ପ୍ରତିବାଦ ।

 

ସମ୍ବାଦ କୌମୁଦୀ ପ୍ରକାଶ ଆରମ୍ଭ କରିବା ପରେ ତାହା ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲା । ତା ପରେ ପରେ ରାମମୋହନ ଅନୁଭବ କରିଥିଲେ ଯେ ଭାରତରେ, ବିଶେଷକରି କଲିକତାର ଆଖପାଖ ଅଞ୍ଚଳରେ, ଅନେକ ଭାରତୀୟ ଇଂରେଜୀ କିମ୍ବା ବଙ୍ଗଳା ଭାଷା ଜାଣି ନ ଥିବା ହେତୁ ବିଭିନ୍ନ ସମ୍ବାଦ ଠିକ୍ ସମୟରେ ଜାଣି ପାରୁ ନ ଥିଲେ । ସେତେବେଳେ ଦେଶରେ କୌମୁଦୀକୁ ବାଦ୍‍ଦେଲେ ଆଉ ଯାହା ପତ୍ରିକା ପ୍ରକାଶ ପାଉଥିଲା ସବୁ ଇଂରାଜୀରେ । ତେଣୁ ରାଜା ଠିକ୍ କରିଥିଲେ ପାରସ୍ୟ ଭାଷାରେ ଆଉ ଗୋଟିଏ ପତ୍ରିକା କୌମୁଦୀ ସହିତ ପ୍ରକାଶ କରିବେ । ତାହାହିଁ ଥିଲା “ମିରାତ୍-ଉଲ-ଅଖବାର” । ତାହାର ପ୍ରଥମ ମୁଦ୍ରଣ ହୋଇଥିଲା ୧୨ ଅପ୍ରେଲ ୧୮୨୨ ମସିହାରେ । ପାରସ୍ୟ ଭାଷାରେ “ମିରାତ୍-ଉଲ-ଅଖବାର”ର ଅର୍ଥ ସମାଚାର ଦର୍ପଣ । କାଲକାଟା ଜୋରନାଲର ସମ୍ପାଦକ ବକିଙ୍ଗହାମ ଉଭୟ ପତ୍ରିକାର ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସ୍ଵାଗତ ଜଣାଇଥିଲେ । ରାମମୋହନଙ୍କ ଚିନ୍ତାଧାରାର ଜଣେ ସମର୍ଥକ ଥିଲେ ସେ । ତେଣୁ ଉଭୟ ପତ୍ରିକାରେ ପ୍ରକାଶ ପାଉଥିବା ରାଜାଙ୍କ ମତାମତଗୁଡ଼ିକୁ ସ୍ଵାଗତ କରିବା ବକିଙ୍ଗହାମଙ୍କ ପାଇଁ ଥିଲା ସ୍ଵାଭାବିକ । ବିଶେଷତଃ ଉଭୟଙ୍କ ମଧ୍ୟରେ ସୌହାଦ୍ୟପୂର୍ଣ୍ଣ ବନ୍ଧୁତା ଥିଲା ଓ ରାମମୋହନ ତାହାଙ୍କ ପତ୍ରିକାରେ ମଧ୍ୟ ଅନେକବେଳେ ଲେଖାଲେଖି କରୁଥିଲେ । ଉଭୟ ପତ୍ରିକାରେ ରାମମୋହନ ଦୈନନ୍ଦିନ ଜୀବନର ଘଟଣା ପ୍ରବାହ ସମ୍ପର୍କରେ ଅବହିତ କରିବା ସଙ୍ଗେ ସଙ୍ଗେ ସାଧାରଣ ଜ୍ଞାନ ତଥା ସାହିତ୍ୟ ଆଲୋଚନା ମଧ୍ୟ ବେଳେବେଳେ କରୁଥିଲେ । ସମ୍ପାଦକୀୟଗୁଡ଼ିକ ପ୍ରାୟତଃ ସେ ନିଜେ ଲେଖୁଥିଲେ ଏବଂ ସେଥିରେ ରାଜନୈତିକ, ସାମାଜିକ, ଧର୍ମସମ୍ବନ୍ଧୀୟ ଓ ଜୀବନ ଦର୍ଶନ ସମ୍ବଳିତ ସମସ୍ୟାଗୁଡ଼ିକର ଆଲୋଚନା ହେଉଥିଲା । ସମୟ ସମୟରେ ଅନ୍ତର୍ଦ୍ଦେଶୀୟ ସମାଚାର ମଧ୍ୟ ଆଲୋଚନା ପରିସରଭୁକ୍ତ ହେଉଥିଲା ।

 

ଭାରତୀୟ ଅବହେଳିତ ଜନତା ପ୍ରତି ସମ୍ବେଦନଶୀଳ ଥିଲେ ରାମମୋହନଙ୍କ ଉଭୟ ପତ୍ରିକା ।

 

ଯେତେବେଳେ କୌମୁଦୀର ପ୍ରକାଶନ ଆରମ୍ଭ ହୋଇଥିଲା, ଭବାନୀଚରଣ ବାନାର୍ଜୀ ରାଜାଙ୍କୁ ଅନେକଟା ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେ ସେତେବେଳେ ଆତ୍ମୀୟ ସଭା ସହିତ ସଂପୃକ୍ତ ଥିଲେ ମଧ୍ୟ । କିନ୍ତୁ ରାଜା ଯେତେବେଳେ ସତୀଦାହ ପ୍ରଥା ବିରୁଦ୍ଧରେ ତୁମୁଳ ସଂଗ୍ରାମ କରିବା ଲାଗି ପ୍ରସ୍ତୁତ ହୋଇଉଠିଲେ ଓ କୌମୁଦୀରେ ସେ ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ-। ସେତେବେଳେ ଭବାନୀବାବୁ ତାଙ୍କ ସହ ସମମତ ହୋଇ ପାରି ନ ଥିଲେ । ପ୍ରଚଳିତ ପରମ୍ପରାଗୁଡ଼ିକ ପ୍ରତି ମମତାର ଜୁଆର ତାଙ୍କର ମନ ଭିତରେ ଲହଡ଼ା ଭାଙ୍ଗିଥିଲା । ହଠାତ୍ ମାନବିକ ଚେତନା ତାଙ୍କର ସମସାମୟିକ ସାମାଜିକ ଚେତନାର ଗଣ୍ଡି ଭିତରୁ ମୁକ୍ତି ପାଇବାପାଇଁ ସମର୍ଥ ହୋଇ ନ ଥିଲା । ବିବେକ ଅନୁମତି ଦେଇ ନ ଥିଲା ପ୍ରଗତିଶୀଳ ଚିନ୍ତାଧାରା ସହିତ ନିଜକୁ ସାମିଲ କରିବାପାଇଁ ।

 

ସେ ରାମମୋହନଙ୍କ ସହିତ ସମ୍ପର୍କ ଛିନ୍ନ କରିବାପାଇଁ କେବଳ ନିଷ୍ପତ୍ତି ନେଇ ନ ଥିଲେ, ତାଙ୍କରି ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ରହିଥିବା ଗୋଷ୍ଠୀ ସହିତ ହାତ ମିଳାଇଥିଲେ ଏବଂ ସେମାନଙ୍କ ଦ୍ଵାରା ପ୍ରକାଶିତ ପତ୍ରିକା “ସମ୍ବାଦ ଚନ୍ଦ୍ରିକା”ର ସମ୍ପାଦନା ଭାର ବି ଗ୍ରହଣ କରିଥିଲେ-। ଚନ୍ଦ୍ରିକା ଥିଲା କୌମୁଦୀର ଠିକ୍ ବିପରୀତ ଦିଗରେ ଗତି କରୁଥିବା ଏକ ପତ୍ରିକା ଯେଉଁଥିରେ ସବୁଠାରୁ ଅଧିକ ପ୍ରକାଶ ପାଉଥିଲା ରାମମୋହନ ରାୟଙ୍କ ଚିନ୍ତାଧାରାଗୁଡ଼ିକର ଅପପ୍ରଚାର ତଥା ବ୍ୟକ୍ତିଗତ ଭାବେ ରାଜାଙ୍କ କୁତ୍ସା । ସମଗ୍ର ଦେଶରେ ରାମମୋହନଙ୍କୁ ସମାଲୋଚିତ କରାଇବା ଲାଗି ଚନ୍ଦ୍ରିକା ଅପପ୍ରଚାର ଆରମ୍ଭ କରାଇ ସେଥିରେ ଅନେକଟା ସଫଳ ହୋଇଥିଲା ମଧ୍ୟ । ଦେଶର ଯୁବଶକ୍ତି, ଆଧୁନିକ ଶିକ୍ଷିତ ସମାଜ ସତେ ଯେମିତି ଦୁଇଟି ଶିବିରରେ ବିଭକ୍ତ ହୋଇ ଯାଇଥିଲେ । ଉଭୟ ଗୋଷ୍ଠୀକୁ ସମର୍ଥନ କରି ସେଇ ସମୟରେ ବଙ୍ଗଳାରେ ଅନେକଟା ସାମୟିକ ପତ୍ରପତ୍ରିକା ମଧ୍ୟ ପ୍ରକାଶ ପାଇଥିଲା ।

 

ଯଦିଓ ରାମମୋହନଙ୍କ ପ୍ରକାଶିତ ପତ୍ରିକା ଦୁଇଟିର କାଟତି କମ୍ ନ ଥିଲା, ତଥାପି ତାହାଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀ ନିଶ୍ଚିତଭାବେଥିଲା ସଂଖ୍ୟାନ୍ୟୁନ । ଜେ.ଏସ୍.ବକିଙ୍ଗହାମଙ୍କ ସହିତ ରାଜାଙ୍କ ସୁସମ୍ପର୍କ ସରକାରଙ୍କ ଚକ୍ଷୁଶୂଳ ହୋଇଥିଲା । ଯଦିଓ ଅନେକ ବିଷୟରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଥିଲା ଯଥେଷ୍ଟ; ତଥାପି ସାମ୍ବାଦିକତା କ୍ଷେତ୍ରର ଉଭୟେ ଥିଲେ ସମଚିନ୍ତାଧାରାସଂପନ୍ନ । ସମ୍ବାଦପତ୍ରଗୁଡ଼ିକର ସେନସର ବ୍ୟବସ୍ଥା ତଥା ବିଭିନ୍ନ ପ୍ରକାରର ନିୟନ୍ତ୍ରଣ ଜାରୀ ପ୍ରଭୃତିକୁ ଉଭୟେ ତୀବ୍ର ବିରୋଧ କରୁଥିଲେ । ଉଭୟଙ୍କ ମତ ଥିଲା ସମ୍ବାଦପତ୍ର ଗୁଡ଼ିକ ସ୍ଵାଧୀନ ମତ ବ୍ୟକ୍ତ କରିବାର ସୁଯୋଗ ନ ପାଇଲେ ସମାଜର କୌଣସି ଉନ୍ନତି ପ୍ରକୃତରେ ସମ୍ଭବ ନୁହଁ । ତେଣେ ମୁଖ୍ୟ ସଚେତକ ଭାବେ ଜନ୍ ବୁଲ ସରକାରଙ୍କୁ ରାମମୋହନ ରାୟଙ୍କ ବିରୁଦ୍ଧରେ ସବୁବେଳେ ପ୍ରଭାବିତ କରିବାରେ ଲାଗିଥିଲେ ।

 

ଗଭର୍ଣ୍ଣର ଜେନେରାଲଙ୍କ ଉପଦେଷ୍ଟା କମିଟି ନିକଟରେ ବକିଙ୍ଗହାମ୍ ଚକ୍ଷୁଶୂଳ ଥିଲେ । ପୁନଶ୍ଚ ପ୍ରଧାନ ସଚୀବ ତାହାଙ୍କ ସମାଲୋଚନାଗୁଡ଼ିକ ପ୍ରତି ଅସହ୍ୟ ହୋଇ ଉଠିଥିଲେ ପ୍ରଥମବସ୍ଥାରୁ-

 

ଜେମସ୍ ସିଲକ୍ ବକିଙ୍ଗହାମ୍ ୧୮୧୮ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ ଆରମ୍ଭ କରିଥିଲେ କାଲକାଟା ଜୋରନାଲ । ଜଣେ ସମ୍ବାଦକର ଦାୟିତ୍ଵ ନେଇ ସେଥିରେ ସେ ମତ ପ୍ରକାଶ କରିଥିଲେ ଯେ, ଗଭର୍ଣ୍ଣରମାନଙ୍କ ଦାୟିତ୍ଵ ସମ୍ପର୍କରେ ସଚେତନ କରାଇବା ସଙ୍ଗେ ସଙ୍ଗେ ଅପ୍ରିୟ ସତ୍ୟ ପ୍ରକାଶ କରି ନିଜ ନିଜର ଦୋଷ ଦୁର୍ବଳତା ସେମାନଙ୍କ ସମ୍ମୁଖରେ ଉପସ୍ଥାପିତ କରାଇବେ । ସେଥିରେ ସେ ଲେଖିଥିଲେ ଜଣେ ସମ୍ପାଦକର ନାର୍ଯ୍ୟ ଅଧିକାର ହେଉଛି, “to admonish Governors of their duties, to warn them furiously of their faults and to tell disagreeable truths.”

 

ଜେମସ୍ ବକିଙ୍ଗହାମ୍ ଥିଲେ ଜଣେ ନିର୍ଭୀକ ସାମ୍ବାଦିକ । କମ୍ପାନୀ କର୍ମଚାରୀମାନଙ୍କ କାର୍ଯ୍ୟକଳାପର ସଠିକ ବିବେଚନା କରିବା ଭଳି ବିଜ୍ଞତା ଥିଲା ତାଙ୍କରି ନିକଟରେ । ସରକାରଙ୍କ ବିଭିନ୍ନ ନୀତିର ତୀବ୍ର ସମାଲୋଚନା ଓ ଯେଉଁସବୁ କାର୍ଯ୍ୟ, ଯାହା ସମାଜର ସାମୂହିକ ହିତ କରିବା ବାହାନାରେ ସରକାରୀ ଅଫିସରମାନଙ୍କ ବ୍ୟକ୍ତିଗତ ସ୍ଵାର୍ଥ ହାସଲ ପାଇଁ କରାଯାଉଥିଲା, ସେସବୁ ନଗ୍ନ ସତ୍ୟକୁ ପ୍ରକାଶ କରିବାପାଇଁ କଲମ ଚାଳନା କରିଥିଲେ ସେ । କଲମ ତାଙ୍କର ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି, ମାନ୍ଦ୍ରାଜର ଗଭର୍ଣ୍ଣର, କଲିକତାର ଲର୍ଡ଼ ବିଶପ୍ ପ୍ରଭୃତିଙ୍କର କାର୍ଯ୍ୟକଳାପର ସମାଲୋଚନା କରିଥିଲେ । ଭାରତୀୟ ଚିକିତ୍ସା ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ଡ. ଜେମସନ୍ ନିଜର ପଦବୀ ବ୍ୟତୀତ ଆହୁରି ତିନୋଟି ଅନ୍ୟାନ୍ୟ ବିଭାଗ ନିଜ ଅଧୀନରେ ସରକାରୀ ନିୟମର ବିରୁଦ୍ଧାଚରଣ କରି ଓ ସରକାରଙ୍କର ଜ୍ଞାତସାରରେ ଜାବୁଡ଼ି ଧରି ରଖିଥିବା ସମ୍ବାଦ କଲିକତା ଜୋରନାଲରେ ପ୍ରକାଶ ପାଇଥିଲା । ସେଭଳି ସମ୍ବାଦର ପ୍ରତିବାଦ କରି ଡ. ଜେମସନ୍ ମାନହାନି ମକଦ୍ଦମା କରିଥିଲେ । ଉଭୟେ କିନ୍ତୁ ନିରାପଦରେ ଫେରିଥିଲେ ।

 

*As Stated by J. Nag in Raja Rammohan Ray–

 

ସରକାରଙ୍କ ତରଫରୁ ଅନେକ ପ୍ରକାର ଧମକର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବକିଙ୍ଗହାମଙ୍କୁ । ଥରେ କ୍ରିମିନାଲ ମକଦ୍ଦମା ମଧ୍ୟ ରୁଜୁ ହୋଇଗଲା । କିନ୍ତୁ ସେ ଥିଲେ ଅବିଚଳ । ବିଜୟ ତାଙ୍କରି ସପକ୍ଷରେ ଥିଲା ସେଥର ମଧ୍ୟ । ସରକାରଙ୍କ ବେନିୟମ କାର୍ଯ୍ୟକଳାପଗୁଡ଼ିକ କ୍ରମଶଃ ମୁଖ୍ୟ ସ୍ଥାନ ଅଧିକାର କରୁଥିଲା ତାଙ୍କର ପତ୍ରିକାରେ ।

 

ସେଇଥି ଲାଗି ପତ୍ରିକା ଅତି ଜନପ୍ରିୟ ହୋଇ ଉଠିଥିଲା ଓ କାଟତି ମଧ୍ୟ ବହୁତ ବଢ଼ିଥିଲା-

 

ରାମମୋହନ ଓ ବକିଙ୍ଗହାମ୍ ଉଭୟେ ସରକାରଙ୍କ ବିରୁଦ୍ଧରେ ବାରମ୍ବାର ଲେଖୁଥିଲେ ସରକାର ଦଳିତ ସମାଜର ଉନ୍ନତି ପାଇଁ ଉଦ୍ୟମ କରୁ ନ ଥିଲେ ବୋଲି । ତେଣୁ ସରକାର ଉଭୟଙ୍କ ଉପରେ ଅତିଷ୍ଠ ହୋଇଉଠିଥିଲେ ।

 

ଶେଷରେ ତତକାଳୀନ ଗଭର୍ଣ୍ଣର ଜେନେରାଲ ଦାୟିତ୍ଵରେ ଥିବା ଜନ୍ ଏଡ଼ମ୍ ୧୮୨୩ ମସିହା ଫେବୃୟାରୀ ୨୩ ତାରିଖରେ ଜେନସ୍ ବକିଙ୍ଗହାମଙ୍କ ଉପରେ ଗୋଟିଏ ନୋଟିସ ଜାରି କରିଥିଲେ ଯେ, ୧୫ ଅପ୍ରେଲ ୧୮୨୩ ମସିହାଠାରୁ ସେ ଆଉ ଭାରତରେ ରହିପାରିବେ ନାହିଁ ।

 

ତାହାହିଁ ହୋଇଥିଲା । ମି. ହିକି ଏବଂ ଡୁଏନଙ୍କ ଭଳି ଶେଷରେ ସେ ମଧ୍ୟ ଭାରତରୁ ବିଦାୟ ନେଇଥିଲେ ନିର୍ଭୀକ ସାମ୍ବାଦିକତା ପାଇଁ ।

 

ସେତିକିରେ ସେ ଚୁପ୍ ହୋଇ ରହି ନ ଥିଲେ । ଇଂଲଣ୍ଡରେ “ଓରିଏଣ୍ଟାଲ ହେରାଲଡ଼” ପ୍ରକାଶ କରି ଭାରତରେ କଂପାନୀ ସରକାରଙ୍କ କାର୍ଯ୍ୟକଳାପର ତୀବ୍ର ସମାଲୋଚନା କରିଥିଲେ ଓ ସେମାନଙ୍କ ନଗ୍ନ ସ୍ୱରୂପ ଉଦଘାଟିତ କରାଇବାରେ ଅନେକ ଉଦ୍ୟମ କରି ସଫଳ ହୋଇଥିଲେ ମଧ୍ୟ-

 

ତେବେ ଜେମସ୍ ବକିଙ୍ଗହାମଙ୍କୁ ଦେଶାନ୍ତର ଆଦେଶ ଦେବାପରେ ମଧ୍ୟ ସରକାର ତୃପ୍ତ ହୋଇ ନ ଥିଲେ । ଦେଶର କୌଣସି ପତ୍ରପତ୍ରିକା ଯେପରି ସରକାରଙ୍କର ଆଦୌ ସମାଲୋଚନା କରି ନ ପାରନ୍ତି, ସେଥିପାଇଁ ବିଭିନ୍ନ ପଦକ୍ଷେପ ପ୍ରକାରାନ୍ତରେ ଗ୍ରହଣ କରିଥିଲେ । ବିଶେଷ କରି ଭାରତରେ କ୍ରମଶଃ ସମ୍ବାଦପତ୍ର ଓ ସାମ୍ବାଦିକତାକୁ କେନ୍ଦ୍ରକରି ସେ ପ୍ରକାର ଏକ ଅସ୍ଵସ୍ତିକର ପରିବେଶ କ୍ରମଶଃ ସୃଷ୍ଟି ହେଉଥିଲା । ସେ ସମ୍ପର୍କରେ ଇଂଲଣ୍ଡ ସରକାର ମଧ୍ୟ ଅବହିତ ଥିଲେ ଏବଂ ଭାରତରେ ସେ ଅବସ୍ଥା ଅନୁଧ୍ୟାନ କରି ଏକ ରିପୋର୍ଟ ଦେବାପାଇଁ ଭାରତ ସରକାର ସାର୍ ଥୋମାସ୍ ମୁନରୋ (Sir Thomas Munro) ଙ୍କୁ ନିଯୁକ୍ତ କରିଥିଲେ । ସେ ଯଥାସମ୍ଭବ ଅବସ୍ଥା ଅନୁଧ୍ୟାନ କରି ଏକ ରିପୋର୍ଟ ସରକାରଙ୍କୁ ଦେଇଥିଲେ ଓ ତାହା ଗୃହୀତ ହୋଇଥିଲା । ତାକୁ କେନ୍ଦ୍ରକରି ଜନ୍ ଏଡ଼ମ୍ ୧୮୨୩ ମସିହା ମାର୍ଚ୍ଚ ମାସରେ ଏକ ପ୍ରେସ୍ ଅର୍ଡ଼ିନାନସ ଜାରୀ କରିଥିଲେ । ସେଥିରେ ଥିଲା କୌଣସି ପ୍ରକାର ପତ୍ରପତ୍ରିକା ତଥା ପ୍ରସ୍ତାବ ମୁଦ୍ରିତ ହେବା ପୂର୍ବରୁ ସରକାରଙ୍କଠାରୁ ଏକ ଲାଇସେନସ୍ ନେବା ଆବଶ୍ୟକ ଓ କେତେକ ସରକାରୀ ନିୟମ ରୋକଠୋକ୍ ଭାବରେ ପାଳନ କରିବା ଆବଶ୍ୟକ । ସେଥିରୁ ସାମାନ୍ୟତମ ବିଭ୍ରାନ୍ତି ହେଲେ ଉକ୍ତ ଲାଇସେନସ ସରକାର ପ୍ରତ୍ୟାହାର କରିନେବା ଲାଗି ବ୍ୟବସ୍ଥା ଥିଲା । ପୁସ୍ତକ, ଖବର କାଗଜ, ପତ୍ରିକା, ଏପରି କି ଖଣ୍ଡିଏ ପ୍ରଚାରପତ୍ର ମଧ୍ୟ ଛପାଇବାକୁ ହେଲେ ମୁଦ୍ରକ, ପ୍ରକାଶକ, ଲେଖକ କିମ୍ବା ସମ୍ପାଦକମାନଙ୍କ ସ୍ଥାୟୀ ଠିକଣା ସହ ଲାଇସେନସ ପାଇଁ ସରକାରଙ୍କ ନିକଟରେ ଦରଖାସ୍ତ କରିବାପାଇଁ ଅର୍ଡ଼ିନାନସରେ କୁହାଯାଇଥିଲା । ଉକ୍ତ ଅର୍ଡ଼ିନାନସ୍‍ଟୀ ୧୮୨୩ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ସୁପ୍ରିକୋର୍ଟରେ ଉପସ୍ଥାପିତ କରାଯାଇଥିଲା ।

 

ରାମମୋହନଙ୍କ ଭଳି ନିର୍ଭୀକ ତଥା ନିରପେକ୍ଷ ସାମ୍ବାଦିକମାନଙ୍କ ପାଇଁ ତାହା ଥିଲା ଅସହ୍ୟ । ସ୍ୱାଧୀନଚେତା ରାଜା ଖୁବ୍ ଅସ୍ଵସ୍ତି ବୋଧ କରିଥିଲେ । ସେପ୍ରକାର ପରିବେଶ ଭିତରେ ଏକ ପତ୍ରିକା ଚଳାଇବା ଅସମ୍ଭବ ବୋଲି ଅନୁଭବ କରିଥିଲେ ସେ । ସେ ଆଶଙ୍କା କରିଥିଲେ ଯେ ସରକାର ଯେକୌଣସି ସମୟରେ ଯେକୌଣସି ପତ୍ରିକାର ପ୍ରକାଶନ ବନ୍ଦ କରି ଦେଇପାରନ୍ତି ଏବଂ ଯୁକ୍ତି ଦର୍ଶାଇ ପାରନ୍ତି ଯେ ସରକାର ସେଥିରେ ପ୍ରକାଶିତ ସମ୍ବାଦଗୁଡ଼ିକ ଦ୍ଵାରା ଅପମାନିତ ହେବାର ଯଥେଷ୍ଟ କାରଣ ଅଛି ।

 

ଯେଉଁ ସାମ୍ବାଦିକମାନଙ୍କର ଅନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାର ସତସାହସ ନ ଥିଲା ସେଭଳି ସାମ୍ବାଦିକ ନ ଥିଲେ ରାମମୋହନ । ନିଜକୁ ସରକାରଙ୍କ ଦୟା ଉପରେ ନିର୍ଭର କରିବାପାଇଁ ଛାଡ଼ିଦେଇ ନ ଥିଲେ ଜଣେ ସ୍ଵାଧୀନଚେତା ସାମ୍ବାଦିକ ହିସାବରେ । ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଏକ ଆବେଦନ କରିବାପାଇଁ ପ୍ରସ୍ତୁତ ହୋଇଥିଲେ । ଉକ୍ତ ଆବେଦନରେ ସେ ଲେଖିଥିଲେ-

 

ପତ୍ରିକାଗୁଡ଼ିକର ପ୍ରକାଶନ ବନ୍ଦ ହେଲେ କିମ୍ବା ସ୍ଵାଧୀନ ମତ ପ୍ରକାଶନରେ ସଂକଟ ଉପୁଜିଲେ ବର୍ତ୍ତମାନ ଜନଗଣଙ୍କ କ୍ରମଶଃ ବୃଦ୍ଧି ପାଉଥିବା ଜ୍ଞାନର ପରିସର ନିଶ୍ଚିତ ଭାବେ ହ୍ରାସ ହେବ । କାରଣ ପାଶ୍ଚାତ୍ୟ ଜଗତରେ ପ୍ରକାଶ ପାଉଥିବା ବିଷୟାବଳୀ ତଥା ସାଂସ୍କୃତିକ ଚିନ୍ତାଗୁଡ଼ିକହିଁ ବିଶେଷକରି ଅନୂଦିତ ଅବସ୍ଥାରେ ଭାରତୀୟ ଜନଗଣଙ୍କ ନିକଟରେ ପହଞ୍ଚି ପାରିବ ନାହିଁ ।

 

ସେଥିରେ ସେ ପୁଣି ଦର୍ଶାଇଥିଲେ ଯେ, ଉପଯୁକ୍ତ ମାଧ୍ୟମ ବିନା ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସରକାରୀ କର୍ମକର୍ତ୍ତାମାନଙ୍କ ଅପାରଗତା ଓ କୁକାର୍ଯ୍ୟାବଳୀର ବିବରଣୀ ଯଥାର୍ଥ ଭାବରେ ସରକାର ପାଇ ପାରିବେ ନାହିଁ । ପୁନଶ୍ଚ ସୁଦୂର ଇଂଲଣ୍ଡରେ ଥିବା ସର୍ବମୟ କର୍ତ୍ତାଙ୍କ ନିକଟରେ ତାହାଙ୍କ ପ୍ରତିପାଳିତ ବିଶ୍ୱସ୍ତ ପ୍ରଜାମାନଙ୍କର ପ୍ରକୃତ ଅବସ୍ଥା ପହଞ୍ଚିବା କିମ୍ବା ସ୍ଥାନୀୟ ସରକାରଙ୍କ ପ୍ରତିପାଳନର ଅନୁଭୂତି ଜଣାଇବା ସମ୍ଭବ ନୁହେଁ । ଏଥି ସହିତ ସେ ମତ ବ୍ୟକ୍ତ କରିଥିଲେ–

 

“Every good ruler, who is convinced of the imperfection of human nature and reverences the eternal Governor of the World must be conscious of the great liability to error in managing the affairs of a vast empire; and, therefore, he will be anxious to afford to every individual the readiest means of bringing to his notice whatever may require his interference .To secure this important object, the unrestrained liberty of publication is the only effectual means that can be employed.

 

ସେଥିରେ ଦସ୍ତଖତ କରିଥିଲେ ରାଜାଙ୍କ ସମେତ ଚନ୍ଦ୍ରକୁମାର, ଦ୍ଵାରିକାନାଥ ଓ ପ୍ରସନ୍ନକୁମାର ଠାକୁର, ହରିଶ୍ଚନ୍ଦ୍ର ଘୋଷ ତଥା ଦୋରିଚରଣ ବାନାର୍ଜୀ ।

 

କିନ୍ତୁ ରାମମୋହନଙ୍କ ଉକ୍ତ ଆବେଦନ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା । ସୁପ୍ରିମକୋର୍ଟ ସେ ଆବେଦନକୁ ନାମଞ୍ଜୁର କରି ଦେଇଥିଲେ । ଐତିହାସିକ ଭି.ଡ଼ି.ମହାଜନଙ୍କ ଭାଷାରେ “Although men like Raja Rammohan Ray and Dwarikanath Tagore protested against those regulations, the same were registered and came into force on 15th April 1823”.*

 

* India Since 1526 (8th Edn.)

 

ସୁପ୍ରିମ କୋର୍ଟର ରାୟ ପ୍ରକାଶ ପାଇବା ଦିନ ସେ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରି ରାମମୋହନ ‘ମିରାତ’ ପତ୍ରିକାର ଶେଷ ସଂଖ୍ୟା ପ୍ରକାଶ କରିଥିଲେ ପାରସ୍ୟ ଭାଷାରେ । ସେଦିନ ଯେଉଁ ସମ୍ପାଦକୀୟ ସେ ଲେଖିଥିଲେ ତାହା ଥିଲା ଏକାନ୍ତ ହୃଦୟସ୍ପର୍ଶୀ । ସେଥିରେ ଲେଖାଥିଲା-

 

“The honour that can be purchased at the cost of 100 drops of blood of the heart, O Sire, do not sell that honour to the door keeper for hoping to get favour”

 

* Raja Rammohan Ray-Yamuna Nag

 

ରାଜା ରାମମୋହନ ବାସ୍ତବରେ ଥିଲେ ରାଜା, ନଥିଲେ ବ୍ରିଟିଶ ସରକାରଙ୍କ ଚାଟୁକାର-

 

ରାମମୋହନ ସୁପ୍ରିମକୋର୍ଟ ନିଷ୍ପତ୍ତି ବିରୁଦ୍ଧରେ ନିଜର ଯେଉଁ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ, ସେ ସ୍ୱର ପ୍ରତିଧ୍ୱନିତ ହୋଇଥିଲା ଏପରିକି ଇଂଲଣ୍ଡ ରାଜଦରବାରରେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଇଂଲଣ୍ଡରୁ ଅନେକ ଦୂରରେ ଥିବା ଓ ତା ଉପରେ ନିର୍ଭର କରୁଥିବା ଗୋଟିଏ କଲୋନୀର ଜନସାଧାରଣ ବହୁ ପୂର୍ବରୁ ଉପଭୋଗ କରି ଆସୁଥିବା ସମ୍ବାଦପତ୍ର ପ୍ରକାଶନର ସ୍ଵାଧୀନତାକୁ ଅପହରଣ କରିନେବାର ଅର୍ଥ ବ୍ରିଟିଶ ଶାସନକାଳ ଭିତରେ ସେମାନଙ୍କ ଉନ୍ନତି ସମ୍ଭବ ନୁହେଁ ବୋଲି ଗୋଟିଏ ଯୁକ୍ତି ଦର୍ଶାଯାଇ ପାରେ । ସେଥିରେ ସେ ଲେଖିଥିଲେ-

 

“If your majesty’s faithful subjects could conceive for a moment that the British nation actuated slowly by interested policy, considered India merely as a valuable property and nothing but the best means of securing its possession and turning it to advantage, even then it would be of importance to ascertain whether this property be well taken care of by their servants, therefore, the existance of a free press is equally necessary for the sake of Governors and the Governed”. *

 

* Raja Rammohan Ray-Saumendra Nath Tagore

 

କିନ୍ତୁ ପୂର୍ବ ଆବେଦନ ଭଳି ଏ ଆବେଦନର କୌଣସି ପ୍ରଭାବ ଅନୁଭୂତ ହୋଇ ନଥିଲା-। ତେବେ ଭାରତରେ ସମ୍ବାଦପତ୍ରର ସ୍ଵାଧୀନତା ପାଇଁ ରାମମୋହନଙ୍କ ଅବଦାନ ଯେ ଅବିସ୍ମରଣୀୟ ଏଥିରେ କୌଣସି ଦ୍ୱିଧା ଥାଇ ନ ପାରେ ।

Image

 

ତେର

Unknown

ଭାରତର ରାଷ୍ଟ୍ରଦୂତ

 

ଇଂଲଣ୍ଡର ସମ୍ରାଟ ଓ ପାରିଷଦମାନଙ୍କ ସହିତ ସିଧା ସଳଖ କଥାବାର୍ତ୍ତା କରିବା ପାଇଁ ରାଜା ରାମମୋହନ ଭାରତରୁ ଏକମାତ୍ର ବ୍ୟକ୍ତି ମନୋନୀତ ହୋଇଥିଲେ । ସେ ଦୃଷ୍ଟିରୁ ସେ ଥିଲେ ବିଦେଶରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ।

 

ରାଷ୍ଟ୍ରଦୂତ ରୂପେ ଏକ ଶାସନାଧୀନ ଭାରତର କମ୍ପାନୀ ସରକାର ତାହାଙ୍କୁ ମନୋନୀତ କରି ନ ଥିଲା । ସେତେବେଳେ ମୁଖ୍ୟତଃ ସମଗ୍ର ଭାରତ ଏକ ଶାସନାଧୀନ ନ ଥିଲା କହିଲେ ଚଳେ-। ତେବେ ସେ ମନୋନୀତ ହୋଇଥିଲେ ଏକଦା ପ୍ରଜ୍ଜ୍ଵଳିତ ହେଉଥିବା ଶିଖାରୁ ବିଚ୍ଛୁରିତ ହେଉଥିବା ତେଜୀୟାନ୍ ଆଲୋକର ସମସ୍ତ ଧାରା କ୍ରମଶଃ କ୍ଷୀଣରୁ କ୍ଷୀଣତର ହୋଇ ନିର୍ବାପିତ ହେବା ପୂର୍ବ ଅବସ୍ଥାରେ ଥିବା ଭାରତର ମୋଗଲ ସମ୍ରାଟଙ୍କ ଦ୍ୱାରା ।

 

ଦିଲ୍ଲୀରୁ ମୋଗଲ ବାଦଶାହା ଦ୍ୱିତୀୟ ଆକବର ରାମମୋହନଙ୍କ କାର୍ଯ୍ୟକଳାପରେ ଅତ୍ୟନ୍ତ ମୁଗ୍ଧ ହୋଇ ପଡ଼ିଥିଲେ । ସେଇଥିପାଇଁ ସେ ଚାହିଁଥିଲେ ନିଜର ଦୈନ୍ୟ ଇଂଲଣ୍ଡର ରାଜଦରବାରରେ ଜଣାଇବା ପାଇଁ । ସେମାନଙ୍କ ସହୃଦୟତା ଲାଭ କରିବା ପାଇଁ ହୁଏତ ରାମମୋହନ ହିଁ ଥିଲେ ଭାରତର ଏକମାତ୍ର ବ୍ୟକ୍ତି ।

 

ରାମମୋହନଙ୍କ ମେଧା, ବ୍ୟକ୍ତିତ୍ଵ, ସାହସିକ କାର୍ଯ୍ୟକଳାପ ଏବଂ ବିଶ୍ଵ ଭାତୃତ୍ଵମୂଳକ ଚିନ୍ତାଧାରା ଯୋଗୁଁ ମୋଗଲ ସମ୍ରାଟ ତାହାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ । ଭାରତରେ ମୋଗଲ ରାଜତ୍ଵର ଶେଷ ସମ୍ରାଟ ଥିଲେ ଆକବର ଦ୍ଵିତୀୟ । ସେ ସାହ ଆଲମ୍ ଦ୍ଵିତୀୟଙ୍କ ମୃତ୍ୟୁପରେ ଦିଲ୍ଲୀ ରାଜସିଂହାସନ ଆରୋହଣ କରିଥିଲେ । ୧୮୦୩ ମସିହାରେ ଇଂରେଜ ସୈନ୍ୟବାହିନୀ ଦ୍ଵାରା ଦିଲ୍ଲୀ ଆକ୍ରମଣ ହେବାବେଳେ ସେ ଥିଲେ ସେଠାକାର ସିଂହାସନାଧିକାରୀ, ସମ୍ରାଟ । ତା ପରେ ପରେ ଇଂରେଜମାନଙ୍କ ଅଧୀନରେ ନାମକୁ ମାତ୍ର ରାଜା ହୋଇ ରହିଥିଲେ ସେ । ସେ ଆନୁଗତ୍ୟ ସ୍ଵୀକାର କରିଥିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କର । ୧୮୦୬ ମସିହାରେ ତାହାଙ୍କ ମୃତ୍ୟୁ ପରେ ପରେ ତାଙ୍କ ପୁତ୍ର ଦ୍ୱିତୀୟ ଆକବର ବଂଶାନୁକ୍ରମେ ଦିଲ୍ଲୀ ସିଂହାସନଧିକାରୀ ହୋଇଥିଲେ ଏବଂ ସେହି କ୍ରମରେ ସେ ମଧ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କ ଆନୁଗତ୍ୟ ସ୍ଵୀକାର କରିଥିଲେ । ତେଣୁ ତାହାଙ୍କ ପିତାଙ୍କୁ ଇଂରେଜ ସରକାରଙ୍କ ତରଫରୁ ଦିଆଯାଉଥିବା ଭତ୍ତା ବାବଦକୁ ବାର୍ଷିକ ଛବିଶ ଲକ୍ଷ ଟଙ୍କା ସେ ମଧ୍ୟ ପାଇବା ଲାଗି ଦୟା କରିଥିଲେ ଇଂରେଜ ସରକାର । ପିତାଙ୍କ ଭଳି ଇଂରେଜ ସରକାରଙ୍କଠାରୁ ଭତ୍ତା ନେଇ ନାମକୁ ମାତ୍ର ସିଂହାସନାସୀନ ହୋଇଥିଲେ ଦ୍ଵିତୀୟ ଆକବର । ଦିଲ୍ଲୀ ଲାଲକିଲ୍ଲା ରାଜପାରିଷଦ ମାନଙ୍କର ଯଦିଓ ସେ ସର୍ବେସର୍ବା ଥିଲେ, ତଥାପି ତାହା ଇଂରେଜ ସରକାରଙ୍କ ଅନୁଗ୍ରହ ଯୋଗୁ ହିଁ ସମ୍ଭବ ହୋଇଥିଲା, ବରଂ ତାହା ସେମାନଙ୍କ ଦୟା ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ସେ ଥିଲେ ମୋଗଲ ବଂଶର ଶେଷ ରାଜା ।

 

ଯଦିଓ ୧୮୩୭ରେ ତାହାଙ୍କର ମୃତ୍ୟୁପରେ ବାହାଦୂର ସାହ ଦ୍ଵିତୀୟ ଇଂରେଜ ସରକାରଙ୍କର ସେ ଅନୁଗ୍ରହ ଲାଭ କରିଥିଲେ, ତଥାପି ଶେଷପର୍ଯ୍ୟନ୍ତ ସେଇ ଆସନରେ ରହିପାରି ନ ଥିଲେ । ୧୮୫୭ ମସିହାରେ ସମଗ୍ର ଭାରତରେ ସଂଗଠିତ ହୋଇଥିବା ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଥମ ସଂଗ୍ରାମ ଐତିହାସିକ ସିପାହୀ ବିଦ୍ରୋହରେ ଅଂଶ ଗ୍ରହଣ କରି ଇଂରେଜ ସରକାରଙ୍କ ବିରୁଦ୍ଧାଚରଣ କରିଥିବା ଯୋଗୁଁ କୋର୍ଟରେ ତାହାଙ୍କ ବିଚାର କରାଯାଇ ଓ ଦୋଷୀ ସାବ୍ୟସ୍ତ କରାଯାଇ ରେଙ୍ଗୁନକୁ ଦେଶାନ୍ତର ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

 

ସେହିଠାରେ ହିଁ ସେ ମୃତ୍ୟୁବରଣ କରିଥିଲେ ୧୮୬୨ ମସିହାରେ ।

 

ତେବେ ଆକବର ଦ୍ଵିତୀୟ, କମ୍ପାନୀ ସରକାରଙ୍କଠାରୁ ବାର୍ଷିକ ଭତ୍ତା ୨୬ ଲକ୍ଷ ଟଙ୍କା ପାଉଥିଲେ ମଧ୍ୟ ନିଜର ଉପଯୁକ୍ତ ସମ୍ମାନ କ୍ଷୁଣ୍ଣ ନ କରି ଚଳିବାପାଇଁ ଅଶ୍ୱସ୍ତି କର ବୋଧ କରିଥିଲେ-

 

ରାଜକୀୟ କାଇଦା କଟକଣା, ରାଜକୀୟ ଥାଟବାଟ, ସେ ସବୁ ସେତିକି ଟଙ୍କାରେ ପରିଚାଳନା କରିବା କଷ୍ଟକର ଅନୁଭବ କରିଥିଲେ ସେ । ଲାଲକିଲ୍ଲାର ସୁଉଚ୍ଚ ପାଚେରୀ ଭିତରେ ଏକପ୍ରକାର ବନ୍ଦୀ ଭାବରେ ତଥାକଥିତ ଜଣେ ସମ୍ରାଟ ରହିଥିଲେ ମଧ୍ୟ ତାହାଙ୍କୁ ତାଙ୍କର ଗୁଜରାଣ ମେଣ୍ଟାଇବା ପାଇଁ ଯେ ଅଧିକ ଅର୍ଥ ଆବଶ୍ୟକ, ସେକଥା ଇଂଲଣ୍ଡର ରାଜପ୍ରାସାଦରେ ରହୁଥିବା ଜଣେ ସମ୍ରାଟଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚାଇବାର ଆବଶ୍ୟକତା ଅନୁଭବ କରିଥିଲେ ସେ-। ସେଇଥିପାଇଁ ଉପଯୁକ୍ତ ପ୍ରତିନିଧି ଥିଲେ ରାମମୋହନ ରାୟ-

 

ସେଇ ଉଦ୍ଦେଶ୍ୟରେ, ନିଜର ଦୂତରୂପେ ଇଉରୋପକୁ ପଠାଇବା ପୂର୍ବରୁ ଆକବର ଦ୍ଵିତୀୟ-ଦିଲ୍ଲୀର ତଦାନିନ୍ତନ ସମ୍ରାଟ, ରାମମୋହନଙ୍କୁ “ରାଜା” ଉପାଧିରେ ଭୂଷିତ କରିଥିଲେ । କାରଣ ପତନଶୀଳ ମୋଗଲ ସମ୍ରାଟଙ୍କ ସହ ସଂପୃକ୍ତ ଜଟିଳ ସମସ୍ୟାଗୁଡ଼ିକ ଠିକ୍ ଭାବରେ ହୃଦୟଙ୍ଗମ କରିବା ଓ ଇଂରେଜ ସରକାରଙ୍କୁ ସେ ସଂପର୍କରେ ସଂପୂର୍ଣ୍ଣ ଅବହିତ କରାଇବା ପାଇଁ ଯେ ସେହି ଯୋଗ୍ୟତମ ବ୍ୟକ୍ତି ହେବେ ସେଥିରେ ତାଙ୍କର ସନ୍ଦେହ ନ ଥିଲା । ସମସ୍ତ ସଞ୍ଜମତା ତଥା ସଂଭ୍ରମଶୀଳତାର ସହିତ ନିଜର ଅବସ୍ଥା ଇଂଲଣ୍ଡରେ ପ୍ରତିଫଳିତ ହେବା ଚାହୁଁଥିଲେ ମୋଗଲ ସମ୍ରାଟ । ତାଙ୍କର ଦୃଢ଼ ବିଶ୍ୱାସ ଥିଲା ସେଭଳି ଏକ ବ୍ୟକ୍ତିତ୍ଵ ହିଁ ପ୍ରାଚ୍ୟ ତଥା ପାଶ୍ଚାତ୍ୟରେ ମିଳନର ସେତୁ ହୋଇପାରେ । ସେ ଉଭୟ ସାଂସ୍କୃତିକ ଗୋଷ୍ଠୀସହ ଏକ ଯୋଗସୂତ୍ର ସ୍ଥାପନ କରିବାପାଇଁ ପ୍ରୟାସ କରି ସଫଳକାମ ହୋଇପାରେ । ନିଜର ପ୍ରତିନିଧି ରୂପେ ବିଦେଶ ପଠାଇବା ଲାଗି ରାମମୋହନଙ୍କୁ ନିର୍ବାଚନ କରିବା ମୂଳରେ ସେଭଳି ଏକ କାରଣ ମଧ୍ୟ ଥିଲା ।

 

ଅପର ପକ୍ଷରେ ରାମମୋହନଙ୍କ ଦୃଢ଼ ବିଶ୍ୱାସ ଥିଲା, ଯଦି ପ୍ରକୃତ ପକ୍ଷରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଗୋଷ୍ଠୀ ଭିତରେ ପରସ୍ପର ସହଯୋଗର ରାସ୍ତା ଉନ୍ମୋଚିତ ହୋଇଥାଏ, ଯଦି ପାଶ୍ଚାତ୍ୟ ଗୋଷ୍ଠୀ ପ୍ରାଚ୍ୟର ପ୍ରକୃତ ଅବସ୍ଥା ହୃଦୟଙ୍ଗମ କରନ୍ତି, ତା’ହେଲେ ଭାରତର ସବୁକ୍ଷେତ୍ରରେ ଉନ୍ନତିର ସମ୍ଭାବ୍ୟ ରାସ୍ତା ଉନ୍ମୋଚିତ ହୋଇଯିବ । ଯଦିଓ ସେଭଳି ଏକ ଦୁଃସାଧ୍ୟ କାର୍ଯ୍ୟ ସେ ସାଧନ କରିପାରିବେ, ସେଥିରେ ସେ ବିଶ୍ୱାସ କରି ପାରୁ ନ ଥିଲେ, ତଥାପି ନିଜ ଉପରେ କିଛି କମ୍ ଭରସା ନ ଥିଲା । ସେଥିପାଇଁ ସେ ଅନେକ ପୂର୍ବରୁ ଇଚ୍ଛା କରିଥିଲେ ବିଦେଶ ଯିବାପାଇଁ ଏବଂ ପ୍ରସ୍ତୁତି ମଧ୍ୟ କରି ସାରିଥିଲେ । କିନ୍ତୁ ବିଭିନ୍ନ ପ୍ରତିବନ୍ଧକ ସେଭଳି ଏକ ମହତ୍ତର କାର୍ଯ୍ୟରୁ ତାହାଙ୍କୁ ବିରତ କରି ରଖିଥିଲା । ତେଣୁ ଯେତେବେଳେ ମୋଗଲ ସମ୍ରାଟ ତାହାଙ୍କୁ ନିଜର ଦୂତରୂପେ ଇଉରୋପ ପଠାଇବା ପ୍ରସ୍ତାବ ବାଢ଼ିଥିଲେ, ରାମମୋହନ ସାଦରେ ତାହାକୁ ଗ୍ରହଣ କରି ନିଜକୁ ପ୍ରସ୍ତୁତ କରିଥିଲେ । କେବଳ ମୋଗଲ ସମ୍ରାଟଙ୍କ ଅବସ୍ଥା ନୁହଁ, ଭାରତବାସୀଙ୍କ ଦୈନ୍ୟ ମଧ୍ୟ ସେମାନଙ୍କ ଶାସକମାନଙ୍କୁ ଠିକରୂପେ ହୃଦୟଙ୍ଗମ କରାଇବାଲାଗି ଯତପରୋନାସ୍ତି ଚେଷ୍ଟା କରିବେ ।

 

ଦିଲ୍ଲୀର ମୋଗଲ ସମ୍ରାଟଙ୍କ ଉଦ୍ଦେଶ୍ୟ ବି ଥିଲା ସେଇୟା । ଏଣେ ଭାରତରେ ଇଷ୍ଟ ଇଣ୍ଡିଆ କଂପାନୀର ସମସ୍ତ କାର୍ଯ୍ୟକଳାପ ତାହାଙ୍କ ପାଇଁ ସୁହାଉ ନ ଥିଲା । କମ୍ପାନୀର କାର୍ଯ୍ୟାବଳି ଇଂଲଣ୍ଡର ସରକାରଙ୍କ ନିକଟରେ ଉପସ୍ଥାପିତ କରିବାପାଇଁ ସେ ଥିଲେ ଶ୍ରେଷ୍ଠ ବ୍ୟକ୍ତି । ପୁଣି ମୋଗଲ ସମ୍ରାଟଙ୍କୁ ଇଂରେଜ ସରକାରଙ୍କ ତରଫରୁ ଯେଉଁ ଭତ୍ତା ଦିଆଯାଉଥିଲା ତାହା ସାଧାରଣ ଭାବରେ ଜୀବନ ନିର୍ବାହ କରିବା ପାଇଁ ମଧ୍ୟ ନିଅଣ୍ଟ ହେଉଥିଲା । ତେଣୁ ଜଣେ ସମ୍ରାଟ ଯଥୋଚିତ ଭାବରେ ଜୀବନ ନିର୍ବାହ କରିବାପାଇଁ ଯେତିକି ଆର୍ଥିକ ସମ୍ବଳ ଦରକାର ସେତିକି ଅନ୍ତତଃ ପାଇବାପାଇଁ ଇଂଲଣ୍ଡ ରାଜସିଂହାସନକୁ ପ୍ରଭାବିତ କରାଇବା ଲାଗି ରାମମୋହନଙ୍କୁ ସେଠାକୁ ପଠାଇବା ତାଙ୍କର ଏକ ପ୍ରଧାନ ଉଦ୍ଦେଶ୍ୟ ଥିଲା ।

 

ମୋଗଲ ସମ୍ରାଟଙ୍କ ଦ୍ଵାରା ରାମମୋହନଙ୍କୁ “ରାଜା” ଉପାଧି ଦେବା କିମ୍ଵା ତାହାଙ୍କୁ ଇଂଲଣ୍ଡ ପଠାଇବା ଭଳି କାର୍ଯ୍ୟକଳାପଗୁଡ଼ିକ ଭାରତର ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କୁ ଉଚିତ ମନେ ହୋଇ ନ ଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସକମାନେ ଚାହୁଁ ନ ଥିଲେ ରାମମୋହନ ଇଂଲଣ୍ଡ ଯାଆନ୍ତୁ-ସିଧାସଳଖ ରାଜା ଦରବାର ନିକଟରେ ପହଞ୍ଚନ୍ତୁ । ତେଣୁ ସେମାନେ ରାମମୋହନଙ୍କ ରାଜା ଉପାଧିକୁ ଗ୍ରହଣ ନ କରିବା ଥିଲା ଏକାନ୍ତ ସ୍ଵାଭାବିକ ।

 

କିନ୍ତୁ ସେଥିପାଇଁ ରାମମୋହନଙ୍କର ଖାତିର ନ ଥିଲା । ସେ ଚାହୁଁ ନ ଥିଲେ ଇଷ୍ଟ ଇଣ୍ଡିଆ କଂପାନୀ ସରକାର ତାହାଙ୍କୁ ରାଜା ହିସାବରେ ଗ୍ରହଣ କରୁ । ସେ ଚାହୁଁଥିଲେ ଇଂଲଣ୍ଡ ପାର୍ଲ୍ୟାମେଣ୍ଟରେ ଓ ଇଂଲଣ୍ଡ ରାଜାଙ୍କ ନିକଟରେ ଭାରତର ପ୍ରକୃତ ସାମ୍ରାଜ୍ୟବିହୀନ ସମ୍ରାଟଙ୍କ ତରଫରୁ ନିଜକଥା ପ୍ରକାଶ କରିବେ, ଭାରତର ଜନଗଣଙ୍କ ଦୁର୍ଦ୍ଦଶା ଉତ୍ଥାପନ କରିବେ ଏବଂ ସେମାନଙ୍କଠାରୁ ନ୍ୟାୟ ଆଶା କରିବେ ।

 

ଉଚିତ ପ୍ରାପ୍ୟ ଆଶା କରିବା କଦାପି ଅନ୍ୟାୟ ନୁହେଁ ।

 

ତଦଜତୀତ ରାମମୋହନ ବହୁ ପୂର୍ବରୁ ଅତ୍ୟନ୍ତ ଆଶାୟୀ ହୋଇ ଉଠିଥିଲେ ଇଉରୋପ ଯାଇ ବ୍ୟକ୍ତିଗତ ଭାବେ ସେଠାକାର ଚାଲିଚଳଣ, ରୀତିନୀତି, ରାଜନୈତିକ ଅବସ୍ଥା, ତଥା ଲୋକଙ୍କ ଧର୍ମଭାବ ପ୍ରତ୍ୟକ୍ଷଭାବେ ଅନୁଧ୍ୟାନ କରିବେ । ସେଥିପାଇଁ ତାଙ୍କ ଆତ୍ମଜୀବନୀମୂଳକ ଲେଖାରେ ସେ ଲେଖିଥିଲେ–‘‘I now felt a strong desire to visit Europe and obtain by personal observations, a more thorough insight into manners, customs, religion and political institutions”

 

ରାମମୋହନଙ୍କ ବିଦେଶ ଗସ୍ତ ସମ୍ବାଦ କେବଳ ସମଗ୍ର ଦେଶ ଭିତରେ କାହିଁକି ବିଦେଶରେ ମଧ୍ୟ କ୍ଷୀପ୍ର ଗତିରେ ପ୍ରଚାରିତ ହୋଇ ଯାଇଥିଲା । ଦେଶ ଭିତରେ ତାହାଙ୍କ ବିରୋଧୀ ଗୋଷ୍ଠୀ ସେଭଳି ଗସ୍ତକୁ ଅତି ତୁଚ୍ଛ ଓ ତାତ୍ସଲ୍ୟ ଦୃଷ୍ଟିରେ ଦେଖିଥିଲେ । ରାମମୋହନଙ୍କ ବିରୁଦ୍ଧରେ କୁତ୍ସା ପ୍ରଚାର ପାଇଁ ତାହା ସେମାନଙ୍କୁ ଆହୁରି ଅଧିକ ଉତ୍ସାହିତ କରାଇବା ଲାଗି ନୂତନ ଖୋରାକ ଯୋଗାଇଥିଲା ।

 

ସେତେବେଳେ ସାମାଜିକ ଚଳଣି ଥିଲା ଭିନ୍ନ ପ୍ରକାରର । ଲୋକେ ସମୁଦ୍ର ପାରିହୋଇ ବିଦେଶ ଯିବା ଏକ ବିଧର୍ମୀ କାର୍ଯ୍ୟ ବୋଲି ବିବେଚିତ ହେଉଥିଲା । ଧର୍ମାନ୍ଧ ଭାରତବାସୀଙ୍କ ପାଇଁ ସେଭଳି ଧାରଣା ସ୍ଵାଭାବିକ । କାରଣ ଇଉରୋପର ଦେଶଗୁଡ଼ିକରେ ଜାତି ପ୍ରଥା ନ ଥିଲା । ସମସ୍ତେ ଥିଲେ ପ୍ରାୟତଃ ଖ୍ରୀଷ୍ଟିୟାନ୍ । ସମୁଦ୍ର ପାର ହୋଇ ଜାତିପ୍ରଥା ବିହୀନ ଏକ ଦେଶକୁ ଯିବାର ଅର୍ଥ ସାମାଜବିରୋଧୀ କାର୍ଯ୍ୟ ବ୍ୟତୀତ ଆଉ କଣ ବା ହୋଇପାରେ ! ସେଭଳି ପରିପ୍ରେକ୍ଷୀରେ ରାଜା ରାମମୋହନଙ୍କ ବିଦେଶ ଯାତ୍ରା ପ୍ରସ୍ତାବ ସମଗ୍ର ଦେଶରେ ଏକ ପ୍ରକାର ଅପୂର୍ବ ଶିହରଣ ସୃଷ୍ଟି କରିଥିଲେ ।

 

ଭାରତର ଶିକ୍ଷିତ ସମାଜ ତଥା ପରିବର୍ତ୍ତନକୁ ସ୍ଵାଗତ କରିବା ଭଳି ଗୋଷ୍ଠୀ ସେ ସମ୍ବାଦରେ ଉତଫୁଲ୍ଲିତ ହୋଇ ଉଠିବା ସ୍ଵାଭାବିକ । ଯେଉଁମାନେ ରାମମୋହନଙ୍କ ଚିନ୍ତାଧାରା ସହିତ ଜଡ଼ିତ ଥିଲେ, ତାହାଙ୍କ କାର୍ଯ୍ୟକଳାପକୁ ସମର୍ଥ କରୁଥିଲେ, ସେମାନେ ଆଶାପୋଷଣ କରିଥିଲେ ଯେ ଦେଶରେ ପ୍ରଗତିର ପଥ ନିଶ୍ଚୟ ପିଚ୍ଛିଳ ହେବ ରାଜା ରାମମୋହନଙ୍କ ଇଂଲଣ୍ଡ ଯାତ୍ରାର ପରିଣାମ । ଦେଶର ପ୍ରଚଳିତ ଥିବା ସାମାଜିକ କୁସଂସ୍କାର ନିଶ୍ଚୟ ଦୂରୀଭୂତ ହେବ ।

 

ଠିକ୍ ସେହିଭଳି ସୁଦୂର ଇଂଲଣ୍ଡର ଏକ ବିଦ୍ୱାନ ଗୋଷ୍ଠୀ ପାଇଁ ରାମମୋହନଙ୍କ ବିଦେଶ ଗ୍ରସ୍ତ ସମ୍ବାଦ ଅତ୍ୟନ୍ତ ଆନନ୍ଦଦାୟକ ଥିଲା । ସେମାନେ ରାମମୋହନଙ୍କ ଧୀଶକ୍ତି, ପାଣ୍ଡିତ୍ୟ ତଥା ମୌଳିକ ଚିନ୍ତାଧାରା ସହିତ ବହୁ ପୂର୍ବରୁ ଅବହିତ ଥିଲେ । ଅନେକେ ମଧ୍ୟ ପତ୍ର ମାଧ୍ୟମରେ ତାହାଙ୍କ ସହିତ ସମ୍ପର୍କ ରକ୍ଷା କରିଥିଲେ ଓ ମତ ବିନିମୟ କରୁଥିଲେ ବହୁ ପୂର୍ବରୁ । କାରଣ ସେତେବେଳେ ଗମନାଗମନର ଅସୁବିଧା କେବଳ ପତ୍ର ମାଧ୍ୟମରେ ସଂପର୍କ ପ୍ରତିଷ୍ଠା କରାଇବା ପାଇଁ ବାଧ୍ୟ କରାଉଥିଲା । ତେଣୁ ବାଧ୍ୟହୋଇ ସେମାନେ ପରସ୍ପରର ଚିନ୍ତାଧାରା ସହିତ ପରିଚିତ ହୋଇଥିଲେ ବିଗତ ବର୍ଷବର୍ଷଧରି । ଯଦିଓ ସେମାନଙ୍କ ମଧ୍ୟରେ ଭୌଗଳିକ ଦୂରତ୍ଵ ହଜାର ହଜାର ମାଇଲ ଥିଲା, ତଥାପି ଏକ ପ୍ରକାର ଭ୍ରାତୃଭାବରେ ଆବଦ୍ଧ ଥିଲେ ସେମାନେ ସେଇ ପତ୍ର ମାଧ୍ୟମରେ । ସେମାନଙ୍କ ସହ ରୀତି ମତ ପତ୍ରାଳାପ କରିବା ଫଳରେ ଉନ୍ନତ ଦେଶମାନଙ୍କରେ ଜୀବନଯାପନର ଧାରା ପ୍ରତ୍ୟକ୍ଷଭାବେ ଦେଖିବାଲାଗି ଯେ ରାମମୋହନଙ୍କ ମନରେ ଅବଚେତନ ଭାବରେ ପ୍ରଭାବ ପକାଇଥିଲା, ତାହା ସ୍ପଷ୍ଟ ତାଙ୍କ ନିଜ ଜୀବନୀମୂଳକ ଲେଖା କିନ୍ତୁ ପ୍ରଧାନ ଥିଲା ସୁବିଧା ଓ ସୁଯୋଗ-

 

ଏକଦା ଉଭୟ ସେ ପାଇଥିଲେ ।

 

ରାମମୋହନଙ୍କ ବିଦେଶ ଭ୍ରମଣ ସମ୍ବାଦ ସମଗ୍ର ଦେଶ ତଥା ବିଦେଶରେ ଉତ୍ତାଳ ତରଙ୍ଗ ସୃଷ୍ଟି କରିଥିଲେ ସୁଦ୍ଧା, ତାହାଙ୍କ ସ୍ତ୍ରୀଙ୍କ କର୍ଣ୍ଣଗୋଚର ହୋଇ ପାରି ନ ଥିଲା । ଏପରିକି ରାମମୋହନ ଜାହାଜରେ ବସି କୂଳଛାଡ଼ି ସମୁଦ୍ର ଭିତରକୁ ଗଲାପରେହିଁ ସ୍ଵାମୀ ବିଦେଶ ଚାଲିଯିବା ସମ୍ବାଦ ପାଇଥିଲେ ରାମମୋହନଙ୍କ ସ୍ତ୍ରୀ । ସେ ସମ୍ବାଦରେ ସେ ବ୍ୟଥିତ ହୋଇ ଉଠିଥିଲେ । ଚରମ ଦୁଃଖଦାୟକ ଘଟଣା ଥିଲା, ରାମମୋହନ ସେଇ ଯେ ବିଦେଶ ଯାଇଥିଲେ ଆଉ ଫେରି ନ ଥିଲେ । ସେଇ ସୁଦୂର ବିଦେଶରେ ହିଁ ପାର୍ଥିବ ଜୀବନର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଓ ଶେଷ ଜୀବନରେ ନିଜର ସାନ୍ନିଧ୍ୟ ପ୍ରାଣପ୍ରତିମ ସ୍ତ୍ରୀଙ୍କୁ ଦେଇ ପାରି ନ ଥିଲେ ।

 

ତେବେ ନିଜର ଗସ୍ତ ସମ୍ବାଦ ରାମମୋହନ ନିଜ ସ୍ତ୍ରୀଙ୍କୁ ନ ଜଣାଇବାର କାରଣ ଥିଲା, ତାହାଙ୍କ କାର୍ଯ୍ୟକଳାପଗୁଡ଼ିକ ପ୍ରତି ପାରିବାରିକ ସହଯୋଗ ସେ ପାଇବା ତ ଦୂରର କଥା; ସମର୍ଥନ ମିଳିବା ବି ସାମାନ୍ୟତମ ଆଶାଜନକ ନ ଥିଲା । ଯେତେବେଳେ ନିଜ ପରିବାରରୁ ତୀବ୍ର ବିରୋଧର ସ୍ଵର ଶୁଣାଯାଉଥିଲା, ତାହାଙ୍କ କାର୍ଯ୍ୟକଳାପକୁ ସମାଜ ତଥା ଧର୍ମବିରୋଧୀ କାର୍ଯ୍ୟ ବୋଲି ଆକ୍ଷେପ କରାଯାଉଥିଲା, ସେତିକିବେଳେ ସମାଜର ରକ୍ଷଣଶୀଳ ଗୋଷ୍ଠୀ ସେଭଳି ଏକ ସୁବର୍ଣ୍ଣ ସୁଯୋଗକୁ ଚମତ୍କାର ଭାବେ ପ୍ରୟୋଗ କରି ନ ଥାନ୍ତେ କେମିତି ? ଘର ଭିତର ଓ ବାହାରର ଉଭୟ ଶକ୍ତି ମିଶି ରାମମୋହନଙ୍କ ପାଇଁ ପ୍ରବଳ ଝଞ୍ଜା ସୃଷ୍ଟି କରିଥିଲା । ସେଭଳି ଦାରୁଣ ଝଞ୍ଜାକୁ ସମ୍ଭାଳି ପ୍ରାୟତଃ ରାଜା ଥିଲେ ଏକଲା ପଥର ପଥିକ । ସେ ପ୍ରକାର ପରିବେଶ ଓ ପରିସ୍ଥିତିରେ ନିଜର ବିଦେଶ ଗସ୍ତ ସମ୍ବାଦ ପରିବାରର ସଭ୍ୟମାନଙ୍କୁ ଶୁଣାନ୍ତେ କାହିଁକି ? ପୁନଶ୍ଚ ସେ ସମ୍ବାଦ ତାଙ୍କ ସ୍ତ୍ରୀଙ୍କ ପାଇଁ ଦୁଃଖାନ୍ତକ ହୁଅନ୍ତା । ହିନ୍ଦୁ ରକ୍ଷଣଶୀଳ ଚିନ୍ତାସହ ଜଡ଼ିତ ସ୍ତ୍ରୀଙ୍କ ପାଇଁ ତାଙ୍କ “ଇହକାଳ ପରକାଳର ଦେବତା” ସମୁଦ୍ର ପାର ହୋଇ ବିଦେଶ ଯିବେ-କେବେ ଫେରିବେ ତାର ସ୍ଥିରତା ନାହିଁ–ତେଣୁ ହୁଏତ ସେ ସେଥିରେ ମ୍ରିୟମାଣ ହୋଇ ପଡ଼ିବେ ଏବଂ ସେ ପ୍ରକାର ଏକ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେବାପାଇଁ ରାମମୋହନ ଇଚ୍ଛା କରି ନ ଥିଲେ । ନିଜର ପ୍ରସ୍ତାବରେ ସେ ଥିଲେ ସ୍ଥିର ଅବିଚଳ । ସେ ବିଚାରିଥିଲେ, ନାରୀମାନେ କଦାପି ତାଙ୍କ ପ୍ରସ୍ତାବରେ ସମ୍ମତ ହେବ ନାହିଁ ଏବଂ ଏହା ବି ନିଶ୍ଚିତ ଥିଲେ ଯେ, ତାଙ୍କ ସ୍ତ୍ରୀ ସେଭଳି ପ୍ରସ୍ତାବ ଶୁଣି କୌଣସି ପ୍ରତିକୂଳ ମତ ଦେଇଥାନ୍ତେ, ସେ ମତକୁ ରାମମୋହନ କଦାପି ସମ୍ମାନ ଦେଇ ନ ଥାନ୍ତେ । ଏଭଳି ଗୁଡ଼ାଏ କାରଣ ଥିବାଯୋଗୁଁ ଅଯଥା କାହିଁକି ନିଜର ନିଶ୍ଚିତ ବିଦେଶ ଗସ୍ତ ସମ୍ବାଦ ଜଣାଇ ପରିବାର ଲୋକମାନଙ୍କ ମନରେ ଦୁଃଖ କେବଳ ଦେଇଥାନ୍ତେ ?

 

କିନ୍ତୁ ତଥାପି ଗୋଟିଏ ସ୍ୱାମୀର ହୃଦୟ ଅବିଚଳ ରହିଥିବା ବେଳେ ଆଉ ଗୋଟିଏ ପିତୃହୃଦୟ ପୁତ୍ର ସ୍ନେହରେ ଛଳଛଳ ହୋଇ ଉଠିଥିଲା । ଯେତେବେଳେ ରାମମୋହନଙ୍କ ପୁତ୍ର ରାମପ୍ରସାଦ ଶୁଣିଥିଲେ ପିତା ତାଙ୍କର ବିଦେଶ ଗସ୍ତରେ ଯିବାପାଇଁ ସ୍ଥିର ନିଶ୍ଚିତ ହୋଇଛନ୍ତି, ଦୁଇ ଆଖିରୁ ତାଙ୍କର ଧାର ଧାର ଲୁହ ଗଡ଼ି ଯାଇଥିଲା । କ୍ଷଧାତୁର ଛୋଟ ଶିଶୁଟିଏ ଭଳି ଖୁବ୍ ଜୋରରେ କ୍ରନ୍ଦନ କରିବାକୁ ଆରମ୍ଭ କରି ଦେଇଥିଲେ ଜୀବନର ତୃତୀୟ ପାହାଚ ଉପରେ ଦଣ୍ଡାୟମାନ ରାମପ୍ରସାଦ । ସେଥିରେ ରାମମୋହନ ଆଶ୍ଚର୍ଯ୍ୟ ହେବା ଅପେକ୍ଷା ଅଧିକ ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ନିଜର ଥର ଥର କଣ୍ଠରେ ଦୃଢ଼ତା ଆଣିବାକୁ ଚେଷ୍ଟା କରିଥିଲେ ସେ “ଜଣେ ପ୍ରାପ୍ତବୟସ୍କ ମଣିଷ ହୋଇ ଛୋଟ ଶିଶୁଙ୍କ ଭଳି ଏମିତି କାନ୍ଦୁଛୁ କାହିଁକି”-ସମସ୍ତ ଦୃଢ଼ତା ଭିତରେ ଏକଥା କହିବା ସତ୍ତ୍ଵେ ବି ତାହାଙ୍କ ପିତୃ ହୃଦୟ ପୁତ୍ରର ଉଦବେଳିତ କୋହର ଜୁଆର ଭିତରେ ଅବିଚଳିତ ରହିପାରି ନ ଥିଲା । ସମସ୍ତ ଦାମ୍ଭିକତା ସେ ହରାଇ ବସିଥିଲେ ମୁହୂର୍ତ୍ତକ ପାଇଁ । ଶକ୍ତ ଲୌହଖଣ୍ଡରେ ନିର୍ମିତ ହୃଦୟ ହଠାତ୍ ବରଫ ପରି ତରଳି ଯାଇଥିଲା । ଆଖିକୋଣରେ ବିନ୍ଦୁ ବିନ୍ଦୁ ଲୁହ ଜମି ଆସିଥିଲା ତେବେ ସେ ସମସ୍ତ ଭାବପ୍ରବଣତା, ସମସ୍ତ ଦୁର୍ବଳତାକୁ ଚାପି ରଖିବାପାଇଁ ଖୁବ୍ ସମ୍ଭବ ଚେଷ୍ଟା କରିଥିଲେ ରାମମୋହନ ।

 

ରାମମୋହନଙ୍କ ବିଦେଶ ଯାତ୍ରାର ଉଦ୍ଦେଶ୍ୟ ନିଶ୍ଚିତ ଭାବେ ମହତ୍ତର ଥିଲା । ସେଥିରେ ତାଙ୍କର ବ୍ୟକ୍ତିଗତ ସ୍ଵାର୍ଥ କିଛି ନ ଥିଲା, ବରଂ ଥିଲା ଜାତିର ଉନ୍ନତି । ଏ ଦେଶର ଲୋକଙ୍କ ଉନ୍ନତି ପାଇଁ, ସମାଜର ସାମୂହିକ ମଙ୍ଗଳ ପାଇଁ ଯେଉଁ କାର୍ଯ୍ୟାବଳୀ ସେ ଆରମ୍ଭ କରିଥିଲେ, ତାଙ୍କର ବିଦେଶ ଯାତ୍ରା ମଧ୍ୟ ସେହି କାର୍ଯ୍ୟଗୁଡ଼ିକର ସମଧିକ ବିକାଶ ପାଇଁ ହିଁ ଉଦ୍ଦିଷ୍ଟ ଥିଲା । ପ୍ରକୃତରେ ସେ ଥିଲେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ସେତୁ । ନିଜ ନିଜର ଚିନ୍ତାଧାରା ପରସ୍ପର ମଧ୍ୟରେ ବିନିମୟ କରିବାପାଇଁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ସେ ଥିଲେ ପ୍ରଥମ ସୂତ୍ରଧର ।

 

ଜଣେ ପରମ ଆଶାବାଦୀ ହିସାବରେ ରାଜା ରାମମୋହନ ଆଶା କରିଥିଲେ ତାଙ୍କର ଇଂଲଣ୍ଡ ଯାତ୍ରା ନିଶ୍ଚୟ ସଫଳ ହେବ । ଦିଲ୍ଲୀର ମୋଗଲ ସମ୍ରାଟ ଦ୍ଵିତୀୟ ଆକାବରଙ୍କ ତରଫରୁ ଏକ ସ୍ମାରକପତ୍ର ଇଂଲଣ୍ଡ ପାର୍ଲାମେଣ୍ଟରେ ସରକାରଙ୍କୁ ଦେବା ବ୍ୟତୀତ ସେ ନିଜ ତରଫରୁ ଏକ ସ୍ମାରକପତ୍ର ମଧ୍ୟ ଦେବାଲାଗି ମନସ୍ଥ କରିଥିଲେ । ଉକ୍ତ ସ୍ମାରକ ପତ୍ର ଥିଲା ଭାରତରେ ସତୀଦାହ ପ୍ରଥା ଉଚ୍ଛେଦ ବିଲ୍ ସପକ୍ଷରେ । ସରକାର ଯେଉଁ ଆଇନ ପ୍ରଣୟନ କରୁଥିଲେ, ତାହା ଯେ ନିଶ୍ଚିତ ଭାବେ ସମାଜର ମଙ୍ଗଳଦାୟକ ଓ ଯେଉଁ କେତେଜଣ ତଥାକଥିତ ପଣ୍ଡିତ ତାହାର ବିରୋଧ କରୁଛନ୍ତି ସେଥିରେ ସେମାନଙ୍କ ବ୍ୟକ୍ତିଗତ ସ୍ଵାର୍ଥ ଜଡ଼ିତ ବୋଲି ଇଂଲଣ୍ଡ ପାର୍ଲାମେଣ୍ଟରେ ସଦସ୍ୟବୃନ୍ଦ ତଥା ସରକାରଙ୍କୁ ଜଣାଇ ଦେବାପାଇଁ ବଦ୍ଧପରିକର ଥିଲେ ସେ । ସେ ଚାହୁଁଥିଲେ ଇଂଲଣ୍ଡ ପାର୍ଲାମେଣ୍ଟର ଅଧିବେଶନବେଳେ ସେ ନିଜେ ସେଠାରେ ଉପସ୍ଥିତ ରହିବେ ଏବଂ ସେ ଚାହୁଁଥିଲେ ଧର୍ମ ସଭା ତରଫରୁ ସତୀଦାହ ଉଚ୍ଛେଦ ବିଲ୍ ବିରୁଦ୍ଧରେ ଦେଶରେ ସୃଷ୍ଟି କରାଯାଉଥିବା ଉତ୍ତେଜନା ତଥା ଇଂଲଣ୍ଡ ପାର୍ଲାମେଣ୍ଟ ଓ ସରକାରଙ୍କ ନିକଟକୁ ପ୍ରତିନିଧି ପଠାଇ ଉପର ମହଲରୁ ଚାପ ପକାଇ ସେ ପ୍ରକାର ଆଇନକୁ ପ୍ରତ୍ୟହାର କରାଇ ନିଆଯିବାପାଇଁ ଯେଉଁ ଚକ୍ରାନ୍ତ ଚାଲିଥିଲା, ତାହାର ଅବସାନ ଘଟାଇବେ । ତାଙ୍କର ଉଦ୍ଦେଶ୍ୟ ଥିଲା ଭାରତର ଜନଗଣଙ୍କ ଦୁଃଖ ଦୁର୍ଦ୍ଦଶା ଇଂଲଣ୍ଡ ସରକାରଙ୍କ ନିକଟରେ ସେ ବ୍ୟକ୍ତିଗତ ଭାବେ ପେସ୍ କରିବେ ।

 

ସେଇଥିପାଇଁ ଯଦିଓ ଦ୍ଭାରତରେ ରାମମୋହନଙ୍କ ବିଦେଶ ଯାତ୍ରାକୁ ଅନେକ ଘୃଣିତ ଚକ୍ଷୁରେ ଦେଖୁଥିଲେ, ସେଥିରେ ତିଳେ ମାତ୍ର ଗ୍ଳାନି ସେ ଅନୁଭବ କରି ନ ଥିଲେ । ଯଦିଓ ଧର୍ମସଭା ଗୋଷ୍ଠୀ ଅନେକଟା କୈଫିୟତ ତଲବ କରିଥିଲେ, ବିଭିନ୍ନ ମାଧ୍ୟମରେ ସେମାନଙ୍କ କୈଣସି ପ୍ରଶ୍ନର ଉତ୍ତର ଦେବାର ଯଥାର୍ଥତା ଅନୁଭବ କରି ନ ଥିଲେ ମୋଗଲ ସମ୍ରାଟଙ୍କ ଉପାଧି-ଧାରୀ ରାଜା ।

 

ସେ ସ୍ଥିର ଥିଲେ । ନିଜେ ଉଚିତ ମନେକରୁଥିବା କାର୍ଯ୍ୟ ସମ୍ପାଦନ କରିବା ପାଇଁ ସେ ଥିଲେ ଅବିଚଳିତ ।

 

ସମସ୍ତ ସାମାଜିକ ପ୍ରତିବନ୍ଧକ ସତ୍ତ୍ଵେ ସେ ଶେଷ ନିଷ୍ପତ୍ତି କରିଥିଲେ ଇଂଲଣ୍ଡ ଯାତ୍ରା କରିବା ପାଇଁ ।

Image

 

ଚଉଦ

ଜଳ ଜାହାଜରେ ଯାତ୍ରା

 

ଭାରତର ପ୍ରଥମ ରାଷ୍ଟ୍ରଦୂତ ବିଦେଶଯାତ୍ରୀ ଜଳପଥରେ ଇଉରୋପ ଯାତ୍ରା ଅରାମ୍ଭ କରିଥିଲେ ୧୮୩୦ ମସିହା ନଭେମ୍ବର ୧୯ ତାରିଖ ଦିନ ।

 

ସେଇ ଯାତ୍ରୀ ଜଣକ ଥିଲେ ରାଜା ରାମମୋହନ ରାୟ ଓ ଯାତ୍ରା ଆରମ୍ଭ କରିଥିଲେ ଆଲବିୟାନ୍ (Albion) ଜାହାଜରେ ।

 

ଯେତେବେଳେ ଦ୍ଭାରତର ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ରାମମୋହନଙ୍କୁ ଆକବର ଦ୍ଵିତୀୟଙ୍କ ପ୍ରଦତ୍ତ “ରାଜା” ଉପାଧିକୁ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନ ଥିଲେ କିମ୍ବା ରାଜଦୂତ ସ୍ୱରୂପ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନ ଥିଲେ, ରାମମୋହନ ସେଥିରେ ସାମାନ୍ୟତମ ବିଚଳିତ ହୋଇ ନ ଥିଲେ କିମ୍ଵା ବ୍ୟଥିତ ହୋଇ ନ ଥିଲେ । ସେ ଚାହିଁଥିଲେ ତାଙ୍କ ଇଉରୋପ ଯିବା ଅଭିଳାଷ କୈଣସି ମତେ ପୂର୍ଣ୍ଣ କରିବେ-ସେ ଦୂତ ରୂପେ ହେଉ ବା ହେଉ ଜଣେ ସାଧାରଣ ଭାରତୀୟ ନାଗରିକ ହିସାବରେ ।

 

ସେ ଯେଉଁ ହିସାବରେ ଯାଇ ଥାଆନ୍ତୁ ନା କାହିଁକି, ସେ ଥିଲେ ପ୍ରକୃତରେ ଦ୍ଭାରତର ରାଷ୍ଟ୍ରଦୂତ-ଭାରତୀୟ ଜନତାର ପ୍ରତିନିଧି ।

 

ରାମମୋହନଙ୍କ ସହିତ ତାହାଙ୍କ ପାଳିତ ପୁତ୍ର ରାଜାରାମ ମଧ୍ୟ ଇଂଲଣ୍ଡ ଯାତ୍ରା କରିଥିଲେ-। ରାଜାଙ୍କୁ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବା ପାଇଁ ତାଙ୍କର ଦୁଇଜଣ ଅନୁଗତ କର୍ମଚାରୀ ରାମରତନ ମୂଖୋପାଧ୍ୟାୟ ଓ ରାମହରି ଦାସ ମଧ୍ୟ ତାଙ୍କ ସହିତ ଯାଇଥିଲେ । ପ୍ରକୃତରେ ରାମମୋହନଙ୍କ ଦୁଇଜଣ ବିଶ୍ଵସ୍ତ ଭୃତ୍ୟ ଥିଲେ ସେ ଦୁଇ ଜଣ ।

 

ଯେଉଁ ଜାହାଜରେ ସେମାନେ ଯାତ୍ରା କରୁଥିଲେ, ସେଥିରେ ଜେମସ୍ ସନ୍ଦରଲ୍ୟାଣ୍ଡ ମଧ୍ୟ ଯାଉଥିଲେ । ସଦରଲ୍ୟାଣ୍ଡଙ୍କ ସେଇ ଯାତ୍ରା ସଂପର୍କୀୟ ବିବରଣୀ, ରାଜା ରାମମୋହନଙ୍କ ଅନେକ ସୂକ୍ଷ୍ମଗୁଣାବଳୀ ସହିତ ନିବିଡ଼ ଭାବରେ ପରିଚିତ ହେବାରେ ଯେ ଅନେକଟା ସାହାଯ୍ୟ କରିପାରେ, ଏଥିରେ ସନ୍ଦେହ ନାହିଁ । ସମୁଦ୍ର ପଥରେ ଯାତ୍ରା କଲାବେଳେ ସାଧାରଣତଃ ଅନଭ୍ୟସ୍ତ ଲୋକଙ୍କୁ ଏକପ୍ରକାର ଅସ୍ଵସ୍ତିକର ପରିବେଶ ଅନୁଭୂତ ହୋଇଥାଏ ପ୍ରଥମେ ପ୍ରଥମେ । ସମୁଦ୍ରର ଲୁଣି ପାଣି ଓ ପବନ ଅନେକଙ୍କ ପକ୍ଷରେ ଅସହ୍ୟ ବୋଧହୋଇଥାଏ ଓ ସେଥି ସହିତ ଅଭ୍ୟସ୍ତ ହେବା ପର୍ଯ୍ୟନ୍ତ ବାନ୍ତି ମାଡ଼େ । ତାହାକୁ ଇଂରାଜୀରେ Sea Sickness କହନ୍ତି । ପ୍ରଥମେ ପ୍ରଥମେ ପ୍ରାୟ ସମସ୍ତେ ସେଇ ପ୍ରକାର ଅସୁସ୍ଥତା ଅନୁଭବ କରିବା ପରେ ପରେ ପୁଣି ଅଭ୍ୟସ୍ତ ହୋଇ ଉଠନ୍ତି । ରାଜାଙ୍କର ଦୁଇ ଭୃତ୍ୟ ରାମରତନ ଓ ରାମହରି ଯାତ୍ରା ଆରମ୍ଭରେ ହିଁ ବିଶେଷ ଭାବେ ଅସ୍ଵସ୍ତି ଅନୁଭବ କରିଥିଲେ ମଧ୍ୟ ରାମମୋହନ ନିଜେ ସେଭଳି କୌଣସି ଅସୁବିଧା ଅନୁଭବ କରି ନ ଥିଲେ ।

 

ସେତେବେଳେ ଜଳପଥ ବ୍ୟତୀତ ଅନ୍ୟ କୌଣସି ପ୍ରକାର ସୁବିଧା ନ ଥିବା ଯୋଗୁଁ ତାହାହିଁ ଥିଲା ଦେଶ ଦେଶ ମଧ୍ୟରେ ସଂପର୍କ ରକ୍ଷା କରିବାପାଇଁ ଏକମାତ୍ର ମାଧ୍ୟମ ଏବଂ ଜଳପଥରେ ଇଂଲଣ୍ଡ ଯିବାପାଇଁ ଦୀର୍ଘଦିନ ଲାଗୁଥିଲା । ତଥାପି ତାହା ବ୍ୟତୀତ ଆଉ ଅନ୍ୟ କୌଣସି ଉପାୟ ନ ଥିଲା । ଦୀର୍ଘ ଛଅ ମାସ ଲାଗିଥିଲା ସେ ଜାହାଜକୁ ଭାରତରୁ ଯାଉଥିବା ଯାତ୍ରୀମାନଙ୍କୁ ଇଂଲଣ୍ଡରେ ପହଞ୍ଚାଇବା ପାଇଁ । ସମୟର ସେ ଦୀର୍ଘ ବ୍ୟବଧାନକୁ ସୀମିତ କରିବା ପାଇଁ ରାମମୋହନଙ୍କୁ କୌଣସି ଅସୁବିଧା ହୋଇ ନ ଥିଲା ଜାହାଜ ଭିତରେ । ଯାତ୍ରୀମାନଙ୍କ ସହ ବନ୍ଧୁତା ବନ୍ଧନରେ ବାନ୍ଧି ହେବାପାଇଁ ଖୁବ୍ କମ୍‍ ସମୟ ଲାଗିଥିଲା ତାହାଙ୍କୁ । ଏପରି କି ଜାହାଜର କର୍ମଚାରୀମାନେ ମଧ୍ୟ ରାଜାଙ୍କ ବ୍ୟବହାରରେ ଆକୃଷ୍ଟ ହୋଇ ଉଠିଥିଲେ । ସବୁ ସମୟରେ ସେମାନେ ଚାହୁଁଥିଲେ ରାଜାଙ୍କ ସାନ୍ନିଧ୍ୟ, ରାଜାଙ୍କ ସହ ଆଳାପ ଆଲୋଚନା ।

 

ରାମମୋହନଙ୍କ ଯାତ୍ରାକାଳରେ ଗୋଟିଏ ଛୋଟ ଧରଣର ଦୁର୍ଘଟଣା ଘଟିଯାଇଥିଲା । ସେ ଗୋଟିଏ ସିଡ଼ି ଦେଇ ଉପରକୁ ଉଠିବାବେଳେ ଗୋଡ଼ ହଠାତ୍ ଖସି ଯାଇଥିଲା ଏବଂ ସେ ତଳେ କଚାଡ଼ି ହୋଇ ପଡ଼ିଥିଲେ । ପରିଣାମତଃ ତାଙ୍କର ଗୋଟିଏ ଗୋଡ଼ ଖୁବ୍ ଜୋରରେ ଜଖମ ହୋଇ ଯାଇଥିଲା । କିନ୍ତୁ ସେ ଦୁର୍ଘଟଣା ରାଜାଙ୍କ ପାଇଁ ଥିଲା ସାମାନ୍ୟ । ମନୋବଳ ତାଙ୍କର ଖୁବ୍ ଦୃଢ଼ ଥିଲା-। ସେ ମନେ କରିଥିଲେ କୌଣସି ବାଧା, କୌଣସି ଦୁର୍ଘଟଣା, କୌଣସି ପ୍ରକାର ପ୍ରତିବନ୍ଧକ ତାହାଙ୍କ ଗନ୍ତବ୍ୟ ପଥରୁ ତାହାଙ୍କୁ ବିଚଳିତ କରାଇ ପାରିବ ନାହିଁ ।

 

ସେଇ ଯାତ୍ରାକାଳରେ ହଠାତ୍ ତାଙ୍କର ଦୃଷ୍ଟିଗୋଚର ହୋଇଥିଲା ଫରାସୀ ପତାକା ଉଡ଼ୁଥିବା ଦୁଇଟି ଜାହାଜ ସମୁଦ୍ର ପାର ହେବା ଅବସରରେ ଗୋଟିଏ ସ୍ଥାନରେ ନଙ୍ଗର ପକାଇଥିଲେ-। ଫ୍ରାନସ ସରକାରଙ୍କ ସାମ୍ୟ ନୀତିକୁ ହୃଦୟର ସହିତ ରାମମୋହନ ସମର୍ଥନ କରୁଥିଲେ, ଆନ୍ତରିକତାର ସହିତ ଭଲ ପାଉଥିଲେ । ଇଂଲଣ୍ଡ ଯାତ୍ରା ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ, ୧୮୩୦ ମସିହାରେ ସଂଘଟିତ ଫରାସୀ ସ୍ଵାଧୀନତା ଆନ୍ଦୋଳନର ସାଫଲ୍ୟ ନେଇ ଅନୁଧ୍ୟାନ କରିଥିଲେ ପତ୍ରପତ୍ରିକା ମାଧ୍ୟମରୁ । ସେଇ ବିପ୍ଳବର ମାନବିକ ତଥା equilitrarian ଦୃଷ୍ଟିକୋଣ ରାଜାଙ୍କୁ ବିଶେଷ ଭାବେ ଅଭିଭୂତ କରାଇ ପାରିଥିଲା । ମାନବିକତାର ବିଜୟ ସ୍ୱରୂପ ସେ ଗ୍ରହଣ କରିନେଇଥିଲେ ସେ ବିପ୍ଳବକୁ । ତେଣୁ ସେଭଳି ବିଜୟ ପତାକା ଉଡ଼ୁଥିବା ଫ୍ରାନସର ଜାହାଜ ଦେଖିବାମାତ୍ରେ ଭାବବିହ୍ଵଳିତ ହୋଇ ଉଠିଥିଲେ ରାମମୋହନ । ଯଦିଓ ତାଙ୍କର ଗୋଟିଏ ଗୋଡ଼ ସେତେବେଳକୁ ଅକାମି ହୋଇ ପଡ଼ିଥିଲା ଓ ରୀତିମତ ଚିକିତ୍ସା ଚାଲିଥିଲା, ତଥାପି ସେ ତାଙ୍କର ଇଚ୍ଛା ପୋଷଣ କରିଥିଲେ ସେଇ ମାନବିକତାର ବିଜୟ ଗର୍ବରେ ଉଡ଼ୁଥିବା ପତାକା ନିକଟକୁ ନିମିଷକ ପାଇଁ ଯାଆନ୍ତେ ।

 

ଫ୍ରାନସ ଲୋକଙ୍କ ସହିତ ଦୁଇପଦ କଥା ହେବାର ଅଭିଳାଷକୁ ପୂର୍ଣ୍ଣ କରାଇବା ପାଇଁ ରାଜାଙ୍କୁ ସେମାନଙ୍କ ନିକଟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବାକ୍ଷଣି ଫରଫର ଉଡ଼ୁଥିବା ବିଜୟ ପତାକାକୁ ପ୍ରଣତି ଜଣାଇଥିଲେ ଓ ଫ୍ରାନସର ଜୟଗାନ କରିବା ସଙ୍ଗେ ସଙ୍ଗେ ସେଇ ଜାହାଜରେ ଥିବା ଫ୍ରାନସ ଲୋକ ତଥା ଜାହାଜ ଚାଳକଙ୍କୁ ସମ୍ବର୍ଦ୍ଧନା ଜଣାଇ ପୁଣି ଫେରି ଆସିଥିଲେ ନିଜ ଜାହାଜକୁ ।

 

ସମୁଦ୍ରର ନୀଳ ଜଳରାଶି ଉପରେ ଜାହାଜ ଚାଲିଥିଲା ପୁଣି ଥରେ ।

 

ଲିଭରପୁଲରେ ଜାହାଜ ପହଞ୍ଚିବା ପରେ ପରେ ମି.ଉଇଲିୟମ୍ ରଥବୋନ୍ (William Rathbone) ରାଜାକୁ ନିୟନ୍ତ୍ରଣ କରିଥିଲେ ତାହାଙ୍କ ନିଜ ଘର ଗ୍ରୀନବ୍ୟାଙ୍କରେ ଅତିଥି ହେବାଲାଗି-। କିନ୍ତୁ ଅପର ପକ୍ଷରେ ରାମମୋହନ ସେ ନିମନ୍ତ୍ରଣକୁ ହତାଦର କରି ନ ଥିଲେ ମଧ୍ୟ ଇଚ୍ଛା କରି ନ ଥିଲେ ତାହାଙ୍କ ଘରେ ରହିବାଲାଗି । ସ୍ଥିର କରିଥିଲେ, ହୋଟେଲରେ ରହିବେ । ରାଜା ରାମମୋହନଙ୍କ ଉପସ୍ଥିତି ସେଠିକାର ସମ୍ମାନନୀୟ ତଥା ବିଜ୍ଞ ମଣ୍ଡଳୀ ମଧ୍ୟରେ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଅନେକେ ସେହି ଜ୍ଞାନୀ ପରିଦର୍ଶକଙ୍କ ସହ ପରିଚିତ ହେବା ତଥା ଆଳାପ ଆଲୋଚନା କରିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ । ତେଣୁ ରାଜାଙ୍କ ସମଗ୍ର ରହଣିକାଳ ଏକ ପ୍ରକାର ମଧୁର ତଥା ଆରାମଦାୟକ ବ୍ୟସ୍ତତା ମଧ୍ୟରେ ହିଁ ଅତିବାହିତ ହୋଇଥିଲା । ସେ ସମସ୍ତଙ୍କ ସହ ରାମମୋହନଙ୍କ ଆଲୋଚନା କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ସୀମାବଦ୍ଧ ନଥିଲା । ଧର୍ମ ତଥା ସୃଷ୍ଟିସହ ସ୍ରଷ୍ଟାର ସମ୍ପର୍କଠାରୁ ଆରମ୍ଭ କରି ଧର୍ମ, ରାଜନୀତି ତଥା ଆଧ୍ୟାତ୍ମିକ ବିଷୟବସ୍ତୁ ପର୍ଯ୍ୟନ୍ତ ଲମ୍ବି ଯାଉଥିଲା ସେ ସବୁ ଆଲୋଚନାର ପରିସର ।

 

ପ୍ରସିଦ୍ଧ ଐତିହାସିକ ରୋସ୍କୋ (Roscoe)ଙ୍କ ସହିତ ରାଜମୋହନଙ୍କ ସାକ୍ଷାତ ଉଭୟଙ୍କ ପାଇଁ ଥିଲା ଅତ୍ୟନ୍ତ ପ୍ରୀତିପ୍ରଦ । ରାଜାଙ୍କ ରଚନାବଳୀ ରୋସ୍କୋ ଅନେକ ପୂର୍ବରୁ ପଢ଼ିସାରିଥିଲେ ଏବଂ ସେ ଲକ୍ଷ୍ୟ କରିଥିଲେ ଉଭୟଙ୍କ ଚିନ୍ତାଧାରାରେ ଅନେକଟା ସାମଞ୍ଜସ୍ୟ । ଜଣେ ବନ୍ଧୁଙ୍କ ହାତରେ ନିଜର ରଚିତ କେତେକ ଗ୍ରନ୍ଥ ଏବଂ ଖଣ୍ଡିଏ ଆବେଗପୂର୍ଣ୍ଣ ପତ୍ର ପଠାଇଥିଲେ ସେ ଭାରତୀୟ ବନ୍ଧୁ ରାମମୋହନଙ୍କ ନିକଟକୁ । ସେ ପତ୍ରରେ ସେ ପ୍ରକାଶ କରିଥିଲେ ନିଜ ଅନ୍ତରର କଥା “We have, for some time past, been flattered with hopes of seeing you in this kingdom, but I fear I am not destined to have that pleasure. At all events, it will be a great gratification to me if I should survive the attacks of the paralytic complaint, under which I am now laboured for some years, till I hear that you have received this very sincere mark of the deep respect and attachment I have so long entertained for you.” ଦୀର୍ଘଦିନରୁ ରାମମୋହନଙ୍କ ଇଂଲଣ୍ଡ ଆସିବା ଖବର ପ୍ରଚାରିତ ହେଉଥିଲେ ମଧ୍ୟ ପ୍ରକୃତରେ ସେ ଆସୁ ନଥିବା ହେତୁ ଶେଷରେ ତାହାଙ୍କୁ ବ୍ୟକ୍ତିଗତ ଭାବେ ଦେଖି ନ ପାରିବା ଆଶଙ୍କା କରି ସେ ତାଙ୍କ ଉପହାର ପଠାଇ ଦେଇଥିଲେ । ଅନ୍ତତଃ ସେଗୁଡ଼ିକ ସେ ଭାରତରେ ପାଇଲେ ବୋଲି ଜାଣିବା ଲାଗି ମଧ୍ୟ ବ୍ୟଗ୍ର ଥିଲେ ବୋଲି ଉକ୍ତ ପତ୍ର ସ୍ପଷ୍ଟ କରିଦେଇଥିଲା ।

କିନ୍ତୁ ସେତେବେଳକୁ ରାମମୋହନ ଭାରତ ଛାଡ଼ି ସାରିଥିଲେ ।

ସେ ଉପହାର ଓ ସେ ଚିଠି ଆଉ ରାମମୋହନ ଆଦୌ ପାଇ ନଥିଲେ ମଧ୍ୟ ଖୋଦ୍ ରୋସ୍କଙ୍କ ସହ ସାକ୍ଷାତ ହୋଇଯାଇଥିଲା । ରାଜା ସେଠାରେ ପହଞ୍ଚିବା ଖବର ପାଇବା ବେଳକୁ ଶ୍ରେଷ୍ଠ ଐତିହାସିକଙ୍କ ଶେଷ ସମୟ ଯେମିତି ଉପସ୍ଥିତ ହୋଇ ଯାଇଥିଲା । ପାରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇ ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ । ତଥାପି ରାମମୋହନଙ୍କ ପହଞ୍ଚିବା ଖବରରେ ସେ ଯେମିତି ପୁନର୍ଜୀବନ ପ୍ରାପ୍ତ ହୋଇଥିଲେ । ସଙ୍ଗେ ସଙ୍ଗେ ନିଜ ପୁଅଙ୍କୁ ପଠାଇଥିଲେ ରାଜାଙ୍କୁ ନିମନ୍ତ୍ରଣ କରି ଘରକୁ ଆଣିବା ପାଇଁ ।

ରାମମୋହନ ସେ ନିମନ୍ତ୍ରଣ ରକ୍ଷା କରିଥିଲେ ।

ରାଜା ଐତିହାସିକ ରୋସ୍କଙ୍କ ଘରେ ପହଞ୍ଚିବା ପରେ ତାହାଙ୍କୁ ଦେଖିବା କ୍ଷଣି ସେ ଆନନ୍ଦ ଆତିଶଯ୍ୟରେ ଅଧୀର ହୋଇଉଠିଥିଲେ । ଏତେ ଉତଫୁଲ୍ଲିତ ସେ ହୋଇ ଉଠିଥିଲେ ଯେ ସଙ୍ଗେ ସଙ୍ଗେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ ସେଇ ଶୁଭ ଦିନ ପର୍ଯ୍ୟନ୍ତ ସେ ନିଜେ ବଂଚି ରହି ପାରିଥିବା ଯୋଗୁଁ ଓ ଭଗବାନ ତାହାଙ୍କୁ ବଞ୍ଚାଇ ରଖି ପାରିଥିବା ଯୋଗୁଁ । ତାହାଙ୍କ ହୃଦୟର କଥା ପ୍ରକାଶ ପାଇଥିଲା-”I am grateful to God that I have been Permitted to Live and see this day” କେବଳ ଇଉରୋପ କାହିଁକି, ସମଗ୍ର ପୃଥିବୀରେ ପ୍ରସିଦ୍ଧିଲାଭ କରିଥିବା ଐତିହାସିକଙ୍କୁ ଯଥୋଚିତ ମାନ୍ୟ କରିଥିଲେ ରାମମୋହନ । ଉଭୟଙ୍କ ମଧ୍ୟରେ ପ୍ରଥମ ମିଳନ ଖୁବ୍ ହୃଦୟସ୍ପର୍ଶୀ ହୋଇଥିଲା । ରାଜା ରାମମୋହନ ଆନନ୍ଦରେ ଏତେ ଉତ‌ପୀଡ଼ିତ ହୋଇଥିଲେ ଯେ ତାଙ୍କ ଆଖିରୁ ଦୁଇଟି ଲବଣାକ୍ତ ସମୁଦ୍ର ସୃଷ୍ଟି ହୋଇଥିଲା ।

ରୋସ୍କଙ୍କ ଘରେ ହିଁ ସେଠାକାର ବିଜ୍ଞ ସମାଜ ସହିତ ପରିଚିତ ହୋଇଥିଲେ ରାମମୋହନ । ସେଠାରେ ରାମମୋହନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନେ ହେଲେ ଡା:ଏସିଲିନ୍ ପରିବାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଅନେକ ବ୍ୟକ୍ତି । ରାମମୋହନଙ୍କ ସହିତ ଭାବର ଆଦାନ ପ୍ରଦାନ ପାଇଁ ଓ ତାହାଙ୍କ କଥା ଶୁଣିବା ପାଇଁ ସେଠିକାର ଶିକ୍ଷିତ ଗୋଷ୍ଠୀ କିଭଳି ଭାବରେ ଉତ୍କଣ୍ଠିତ ଥିଲେ, ତାହାଙ୍କର ଜୀବନୀ ଲେଖିକା ମିସ୍ କଲେଟଙ୍କ ବର୍ଣ୍ଣନା ତାର ଯଥେଷ୍ଟ ପରିଚୟ ଦେଇଥାଏ ।

ଲଣ୍ଡନ ଯିବା ରାସ୍ତାରେ ରାସ୍ତାଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ରାମମୋହନଙ୍କୁ ମୁଗ୍ଧ କରିଥିଲା । ନିଜ ଦେଶର ଅଧିବାସୀମାନେ ଯେ ସେ ଦୃଷ୍ଟିରୁ କେତେ ପଛରେ ପଡ଼ି ରହିଛନ୍ତି, ସେ କଥା କଳ୍ପନା କରି ଦୁଃଖ ଅନୁଭବ କରିବା ଛଡ଼ା ତାହାଙ୍କ ନିକଟରେ ଆଉ କିଛି ଅଧିକ କରିବା ପାଇଁ ନଥିଲା ।

ଲଣ୍ଡନ ସହରରେ ପହଞ୍ଚିବା ବେଳକୁ ସଂଧ୍ୟା ପ୍ରାୟ ଶେଷ ହୋଇ ଯାଇଥିଲା । ବୟସର ଆଧିକ୍ୟ ନ ହେଲେ ମଧ୍ୟ ବିଗତ କିଛି ଦିନର କାର୍ଯ୍ୟବ୍ୟସ୍ତତା ନେଇ ସେ ଶାରୀରିକ କ୍ଳାନ୍ତି ଅନୁଭବ କରୁଥିଲେ । ତେଣୁ ଲଣ୍ଡନରେ ପହଞ୍ଚିବା ପରେ ପରେ ସେ ବିଶ୍ରାମର ଆବଶ୍ୟକତା ଅନୁଭବ କରିଥିଲେ ଏବଂ ବିଶ୍ରାମ ନେଉ ନେଉ ଶୋଇ ଯାଇଥିଲେ ।

ରାମମୋହନଙ୍କ ବ୍ୟକ୍ତିତ୍ୱର କଳନା ଏଇଥିରୁ କରାଯାଇପାରେ ଯେ, ସେ ଯେଉଁ ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚିଥିଲେ, ସେଇ ରାତିରେ ହିଁ ଇଂଲଣ୍ଡର ଜଣେ ଖ୍ୟାତନାମା ଦାର୍ଶନିକ ଜେରେମି ବେନ୍ଥମ୍ (Jeremy Bentham) ରାମମୋହନ ରହୁଥିବା ହୋଟେଲକୁ ଆସିଥିଲେ ତାଙ୍କ ସହିତ ସାକ୍ଷାତ୍ କରିବା ପାଇଁ । କିନ୍ତୁ ସେ ସେଠାରେ ପହଞ୍ଚିବାର ଅନେକ ପୂର୍ବରୁ କ୍ଳାନ୍ତ ଶ୍ରାନ୍ତ ରାମମୋହନ ଶୋଇ ଯାଇଥିଲେ । ତାହାଙ୍କ ନିଦ୍ରାରେ ବ୍ୟାଘାତ ନ ଘଟାଇ ତାହାଙ୍କ ନିକଟକୁ ପଦୁଟିଏ କଥା ଲେଖିଦେଇ ଚାଲି ଯାଇଥିଲେ–‘‘Jeremy Bentham to his friend Rammohan Ray.”

ଉଭୟେ ଥିଲେ ଦାର୍ଶନିକ ଏବଂ ସମ ଚିନ୍ତାଧାରାସଂପନ୍ନ । ଉଭୟଙ୍କ ମଧ୍ୟରେ ପତ୍ର ବିନିମୟ ହୋଇ ଆସିଥିଲା ଅନେକ ଅନେକ ପୂର୍ବରୁ । ରାଜା ଇଂଲଣ୍ଡ ଆସିବା ପରେ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପିତ ହୋଇଥିଲା । କେବଳ ଭାରତ କାହିଁକି, ମାନବ ସମାଜର ଜଣେ ସେବକ ହିସାବରେ ସେ ଗୃହୀତ ହୋଇଥିଲେ ବେନ୍ଥମଙ୍କ ଦ୍ୱାରା । ବ୍ରିଟିଶ ସାମ୍ୟବାଦର ଜନକ ରୂପେ ସମ୍ମାନିତ ରବର୍ଟ ଓଓ୍ଵେନଙ୍କ ସହ ଘନିଷ୍ଠ ସମ୍ପର୍କ ମଧ୍ୟ ରକ୍ଷା କରି ପାରିଥିଲେ ଓ ବିରୋଧ ହେଲେ ମଧ୍ୟ ନିଜ ମତ ତାହାଙ୍କ ସହିତ ବିନିମୟ କରିଥିଲେ । ତାହାଙ୍କ କେତେକ ମତକୁ ନିଜ ମତର ପରିପନ୍ଥୀ ମନେ କରିଥିଲେ ଓ ଆଲୋଚନା କରିଥିଲେ ମଧ୍ୟ । ତଥାପି ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା ।

ଲଣ୍ଡନରେ ପହଞ୍ଚିବା ପରେ ପରେ ରାମମୋହନଙ୍କ ସମୟ ସବୁ ହଠାତ୍ ଯେମିତି ସଙ୍କୁଚିତ ହୋଇ ଉଠିଥିଲା । ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାହାଙ୍କ ନିଜ ପାଇଁ ଆଦୌ ସମୟ ନ ଥିଲା । ସବୁବେଳେ ପ୍ରାୟ ବ୍ୟସ୍ତ ରହୁଥିଲେ ବିଭିନ୍ନ ଆଲୋଚନାରେ । ସେ ଆଲୋଚନାର ପରିସର କେବଳ ଧର୍ମ, ସ୍ରଷ୍ଟା କିମ୍ବା ସୃଷ୍ଟି ସଂପର୍କୀୟ ନଥିଲା । ବିଶେଷତଃ ଇଂଲଣ୍ଡରେ ପହଞ୍ଚିବା ପରେ ପରେ ଇଂଲଣ୍ଡ ପାର୍ଲ୍ୟାମେଣ୍ଟରେ ଅତି ନିକଟ ଭବିଷ୍ୟତରେ ଆଲୋଚନା ହେବା ପାଇଁ ଥିବା ଶାସନ ସଂସ୍କାର ବିଲ୍ ତଥା ରାଜନୈତିକ ବିଷୟବସ୍ତୁ ଆଲୋଚନାରେ ଅଧିକାଂଶ ସମୟ ଅତିବାହିତ ହେଉଥିଲା । ରାମମୋହନ ଚାହୁଁଥିଲେ ଦେଶର ପରିବର୍ତ୍ତିତ ଅବସ୍ଥାରେ ରାଜନୈତିକ ନିୟମ କାନୁନଗୁଡ଼ିକ ପରିବର୍ତ୍ତନ ହେଉ । ବିଭିନ୍ନ ବ୍ୟକ୍ତିବୃନ୍ଦଙ୍କ ସହ ବିଭିନ୍ନ ଆଲୋଚନାରେ ସେ ଏତେ ବ୍ୟସ୍ତ ରହୁଥିଲେ ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଅନେକଟା ଅବହେଳା କରିବା ତାହାଙ୍କ ପାଇଁ ସାଧାରଣ କଥା ହୋଇ ପଡ଼ିଥିଲା । ସେଇଥି ପାଇଁ ଅନ୍ତତଃ କିଛିଦିନ ପାଇଁ କୌଣସି ଆଗନ୍ତୁକଙ୍କୁ ସାକ୍ଷାତ୍ ସୁଯୋଗ ନ ଦେବାକୁ ଡାକ୍ତରମାନେ ରାଜାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ଦେଇଥିଲେ ତାହାଙ୍କ କର୍ମଚାରୀମାନଙ୍କୁ । ଏକଦା ହୁଗୁଳି କଲେଜର ଅଧ୍ୟକ୍ଷ ଥିବା ଜେମସ୍ ସଦରଲ୍ୟାଣ୍ଡଙ୍କ ଭାଷାରେ, “As soon as it was known in Londan that the Great Brahmin philosopher had arrived, the most distinguished man in the country crowded to pay their respect to him; and he had scarcely got into his lodgings in Regent street, when his door was besieged with carriages from eleven in the morning till four in the afternoon.’’

ଲଣ୍ଡନରେ ପହଞ୍ଚିବା ପରେ ପରେ ସେଣ୍ଡଫୋର୍ଡ଼ ଏରନାଟଙ୍କୁ ନିଜର ବ୍ୟକ୍ତିଗତ ସେକ୍ରେଟେରୀ ରୂପେ ନିଯୁକ୍ତ କରିଥିଲେ ରାଜା ରାମମୋହନ । କିନ୍ତୁ ଏରନାଟଙ୍କର ଆଦୌ ଆନୁଗତ୍ୟ ନଥିଲା ରାମମୋହନଙ୍କ ପ୍ରତି । ବିଦେଶାଗତ ରାମମୋହନ କିନ୍ତୁ ତାହା ଠିକ୍ ରୂପେ ଲକ୍ଷ୍ୟ କରି ପାରି ନ ଥିଲେ । ଛଳନା କଣ ଏତେ ଶୀଘ୍ର ପ୍ରସ୍ଫୁଟିତ ହୁଅନ୍ତା ? ସେକ୍ରେଟେରୀଙ୍କ ପରାମର୍ଶ କ୍ରମେ ହିଁ ରାମମୋହନ ୧୨୩, ରିଜେଣ୍ଟ ଷ୍ଟ୍ରିଟରେ ପ୍ରଥମେ ଘରଭଡ଼ା ନେଇ ରହିଥିଲେ । କିନ୍ତୁ ତାହା ଏକନ୍ତଭାବେ ବ୍ୟୟବହୁଳ ଥିଲା, ଯଦିଓ ସଭ୍ରାନ୍ତ ତଥା ରାଜକୀୟ ପରିବେଶ ମଧ୍ୟ ଥିଲା-। ରାମମୋହନ ସେଠାରେ ଅଧିକ କାଳ ରହିବା ଲାଗି ପସନ୍ଦ କରି ନ ଥିଲେ ।

ସେତିକିବେଳେ ଡାଭିଡ଼୍ ହାରେଙ୍କ ଭାଇ ତାହାଙ୍କୁ ସାଦର ନିମନ୍ତ୍ରଣ ଜଣାଇଥିଲେ, ତାହାଙ୍କୁ ନିଜ ଘର-48 Bedford Square ରେ ରହିବା ପାଇଁ । ରାଜା ରାମମୋହନ ସେ ନିମନ୍ତ୍ରଣ ଗ୍ରହଣ କରିଥିଲେ । ଲଣ୍ଡନରେ ରହିବା ସମୟତକ ସେଠାରେ ହିଁ ବିତାଇ ଥିଲେ ।

ବ୍ୟକ୍ତିଗତ ଭାବରେ ଯେପରି ରାଜା ଇଂଲଣ୍ଡରେ ସମ୍ମାନିତ ହୋଇଥିଲେ, ଆନୁଷ୍ଠାନିକ ଭାବରେ ଯେଉଁ ସମ୍ମାନ ସେ ପାଇଥିଲେ ତା ଠାରୁ ତାହା କୌଣସି ଗୁଣରେ କମ୍‍ ନଥିଲା । ଇଂଲଣ୍ଡ ପାର୍ଲାମେଣ୍ଟର ହାଉସ୍ ଅଫ୍ ଲର୍ଡ଼ସ୍ ସଭାରେ ରାମମୋହନଙ୍କୁ ପରିଚିତ କରାଇ ଦେଇଥିଲେ ଖୋଦ୍ ଇଂଲଣ୍ଡ ରାଜାଙ୍କ ଭାଇ ତଥା କମ୍ବରଲ୍ୟାଣ୍ଡର ଡିଉକ୍ । ତାହା କିଛି କମ୍ ଗୌରବର କଥା ନ ଥିଲା । ଚତୁର୍ଥ ୱଲିୟମଙ୍କ ସିଂହାସନାସୀନ ଉତ୍ସବରେ ରାମମୋହନ ଗୋଟିଏ ଶ୍ରେଷ୍ଠ ତଥା ସମ୍ମାନଜନକ ଆସନର ଅଧିକାରୀ ହୋଇ ପାରିଥିଲେ । ଇଉରୋପର ବିଭିନ୍ନ ସ୍ଵାଧୀନ ଦେଶରୁ ଯେଉଁ ପ୍ରତିନିଧିମାନେ ଉକ୍ତ ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ଆସିଥିଲେ ସେମାନଙ୍କ ସହିତ ରାମମୋହନଙ୍କୁ ମଧ୍ୟ ଏକାକାର କରି ଦିଆ ଯାଇଥିଲା । ଭାରତର କଂପାନୀ ସରକାର ତାହାଙ୍କୁ କୌଣସି ପ୍ରକାରେ ପ୍ରତିନିଧି ଭାବେ ସ୍ଵୀକାର ନ କରିଥିଲେ ମଧ୍ୟ ଇଂଲଣ୍ଡ ସରକାର ତାହାଙ୍କୁ ଭାରତର ପ୍ରତିନିଧି ହିସାବରେ ହିଁ ଗ୍ରହଣ କରି ଉପଯୁକ୍ତ ଆସନ ଦେଇଥିଲେ । ଲଣ୍ଡନର ରୟାଲ ଏସିଆଟିକ୍ ସୋସାଇଟିର ବାର୍ଷିକ ଉତ୍ସବରେ ରାମମୋହନ ଥିଲେ ଜଣେ ସମ୍ମାନିତ ଅତିଥି ।

ଇଂଲଣ୍ଡର କି ବ୍ୟକ୍ତି କି ଅନୁଷ୍ଠାନ ସମସ୍ତେ ଯେପରି ଭାବରେ ରାଜା ରାମମୋହନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଭାରତକୁ ଶାସନ କରୁଥିବା ସମ୍ରାଟଙ୍କ ପ୍ରତିନିଧି-। ଇଷ୍ଟ ଇଣ୍ଡିଆ କଂପାନୀ ଆଉ ଅବିଚଳିତ ରହିଥାନ୍ତା କିପରି ? ରାମମୋହନଙ୍କ ରାଜା ଉପାଧିକୁ ଗ୍ରହଣ ନ କରିବା ପାଇଁ ସିଦ୍ଧାନ୍ତ କରିଥିବା ଓ ଭାରତର ପ୍ରତିନିଧିତ୍ଵକୁ ଏକଦା ଅସ୍ୱୀକାର କରିଥିବା କଂପାନୀ ସରକାରଙ୍କ ତରଫରୁ ସେଇ ରାମମୋହନଙ୍କୁ ଲଣ୍ଡନରେ ସମ୍ବର୍ଦ୍ଧନା ଦେବା ଲାଗି ସ୍ଥିର କରାଯାଇଥିଲା । ସେଇ ଉଦ୍ଦେଶ୍ୟରେ ୧୮୩୧ ମସିହା ଜୁଲାଇ ୯ ତାରିଖରେ ଲଣ୍ଡନ ନଗରୀରେ ଏକ ନୈଶ ଭୋଜନର ଆୟୋଜନ କରାଯାଇଥିଲା । ଉକ୍ତ ଭୋଜୀ ସଭାରେ ସଭାପତିତ୍ଵ କରିଥିଲେ ଇଷ୍ଟ ଇଣ୍ଡିଆ କଂପାନୀର ଚେଆରମ୍ୟାନ୍ । ରାମମୋହନଙ୍କ ବିଭିନ୍ନ କାର୍ଯ୍ୟକଳାପ ତଥା ବିଭିନ୍ନ କ୍ଷେତ୍ରରେ ତାଙ୍କର ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଭାରତ-ବାସୀଙ୍କ ପାଇଁ ତାଙ୍କର ବିଭିନ୍ନ ସେବାମୂଳକ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମତ ବ୍ୟକ୍ତ କରିଥିଲେ “The Brahman collected from the boundless stores of knowledge to which from travels and study he had access, the richest intellectual traeasures”

ତାର ଉତ୍ତର ଦେଇ ରାମମୋହନ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀର କେତେଜଣ ଗଭର୍ଣ୍ଣର ଜେନେରାଲ, ଯଥା ଲର୍ଡ଼ ୱିଲିୟମ୍ ବେଣ୍ଟିକଙ୍କ କେତେକ କର୍ଯ୍ୟକଳାପର ପ୍ରଶଂସା କରିଥିଲେ ।

ଲଣ୍ଡନରେ ପହଞ୍ଚିବାର କେତେଦିନ ପରେ ରାଜା ମନବଳାଇଥିଲେ ଫ୍ରାନସ ପରିଦର୍ଶନରେ ଯିବେ । ଫରାସୀ ରାଷ୍ଟ୍ର ପ୍ରତି ତାଙ୍କର ମମତା ଥିଲା ଯଥେଷ୍ଟ ବେଶୀ । ୧୮୩୦ ମସିହାରେ ସେ ଦେଶରେ ଘଟିଯାଇଥିବା ଗଣବିପ୍ଳବ ସମ୍ପର୍କରେ ଖବରକାଗଜରୁ ସମସ୍ତ ବିଷୟ ପାଠ କରିଥିଲେ ରାମମୋହନ । ଉକ୍ତ ଗଣବିପ୍ଳବକୁ ଗୋଟିଏ ଦୃଷ୍ଟିକୋଣରୁ ସେ ବିଚାର କରିଥିଲେ ଯେ ତାର ପ୍ରକୃତରେ କେବଳ ସାମାଜିକ ବା ରାଜନୈତିକ ମୁକ୍ତି ନୁହେଁ, ମାନସିକ ଚିନ୍ତାଧାରାର ମୁକ୍ତି ପାଇଁ ଗଣବିପ୍ଳବ-ତାହା ମାନବସମାଜକୁ ତାର ନ୍ୟାଯ୍ୟ ଅଧିକାର ଦେବାପାଇଁ ବିପ୍ଳବ । ସେଇ କେତେଦିନ ସେ କେବଳ ଫ୍ରାନସର ବିପ୍ଳବ କଥାହିଁ ଚିନ୍ତା କରୁଥିଲେ, ଆଲୋଚନା କରୁଥିଲେ ଓ ଅନ୍ୟମାନଙ୍କ ସହ ବିପ୍ଳବ ସପକ୍ଷରେ ମଧ୍ୟ ଯୁକ୍ତି କରୁଥିଲେ । ସେଇ କେତେଦିନ ସବୁବେଳେ ତାଙ୍କର ଚିନ୍ତା କେନ୍ଦ୍ରୀଭୂତ ଥିଲା ସେଇ ଗୋଟିଏ ବିଷୟରେ । ଫ୍ରାନସର ଗଣତନ୍ତ୍ରବାଦୀ ସମ୍ବିଧାନହିଁ ରାମମୋହନଙ୍କୁ ସେଇ ଦେଶପ୍ରତି ଅଧିକ ଆକୃଷ୍ଟ କରିଥିଲା ।

ତେଣୁ ପ୍ରାୟ ୧୧ ମାସ ଇଂଲଣ୍ଡରେ ରହିବା ପରେ ୧୮୩୧ ମସିହା ଶେଷବେଳକୁ ସେ ସ୍ଥିର କରିଥିଲେ ସେଇ ସ୍ଵାଧୀନଚେତା ଜନଗଣଙ୍କ ରାଜ୍ୟ ପରିଦର୍ଶନରେ ଯିବେ । ସେ ସେତେବେଳେ ଜାଣିବାକୁ ପାଇଥିଲେ ଯେ, ସେ ଦେଶ ସୀମା ମଧ୍ୟରେ ପ୍ରବେଶ କରିବାକୁ ହେଲେ ସରକାରଙ୍କ ନିକଟରୁ ପ୍ରବେଶପତ୍ରଟିଏ ପାଇବାକୁ ହେବ-ସରକାରଙ୍କ ବିନାନୁମତିକ୍ରମେ କୈଣସି ବୈଦେଶିକ ଫ୍ରାନସ ଭିତରକୁ ପ୍ରବେଶ କରିବା ସମ୍ଭବ ନୁହେଁ-ସେ ଏକପ୍ରକାର ବ୍ୟଥିତ ହୋଇ ଉଠିଥିଲେ । ସେଭଳି ଏକ ନିୟନ୍ତ୍ରଣ ଥିବ ବୋଲି ରାମମୋହନ କଳ୍ପନା ସୁଦ୍ଧା କରି ନ ଥିଲେ । ଯେଉଁ ଦେଶର ଆଚରଣ ଅନ୍ୟ ସମସ୍ତ କ୍ଷେତ୍ରରେ ସୌଜନ୍ୟପୂର୍ଣ୍ଣ ଥିଲା ଏବଂ ଯେଉଁ ଦେଶ ଏକ ଗଣତନ୍ତ୍ରବାଦୀ ସମ୍ବିଧାନ ପ୍ରଣୟନ କରିଥିଲା, ସେଭଳି ଏକ ଦେଶରେ ସେ ଏକ ପ୍ରକାର ନିୟନ୍ତ୍ରଣ ଥିବ, ତାହା କଳ୍ପନା କରିବା ମଧ୍ୟ ତାଙ୍କର ପକ୍ଷରେ ସମ୍ଭବ ନ ଥିଲା । ତେଣୁ ସେ ବିଚଳିତ ହେବା ସ୍ଵାଭାବିକ ଥିଲା । ସେଭଳି ଏକ ବ୍ୟବସ୍ଥାର ପ୍ରତିବାଦ କରିବାପାଇଁ ରାଜା ସ୍ଥିର କରିଥିଲେ । ବିଦେଶାଗତ ବ୍ୟକ୍ତିମାନଙ୍କ ପାଇଁ ଏତେଟା ନିୟନ୍ତ୍ରଣ ଥିବାଯୋଗୁଁ ସାମୟିକ ଉତ୍ତେଜନା ବଶତଃ ନିଜର ପ୍ରତିକ୍ରିୟା ପ୍ରକାଶ କରି ମନସ୍ଥ କରିଥିଲେ ସେ ଦେଶକୁ ଆଦୌ ନ ଯିବାପାଇଁ । କିନ୍ତୁ ପରମୁହୂର୍ତ୍ତରେ ଏକ ପରମ ଗଣତାନ୍ତ୍ରବାଦୀ ରାଷ୍ଟ୍ରକୁ ପରିଦର୍ଶନ କରିବାର ଆକର୍ଷଣକୁ ଏଡ଼ାଇ ଦେଇ ପାରି ନ ଥିଲେ । କିନ୍ତୁ ସେ ଦେଶକୁ ଯିବାପାଇଁ ହେଲେ ଯେ ସରକାରଙ୍କଠାରୁ ପାସପୋର୍ଟ (ଅନୁମତିପତ୍ର) ଦରକାର । ତାଙ୍କର ସମସ୍ତ ଅନିଚ୍ଛା ଭିତରେ ସେ ଅନୁମତି ପତ୍ରପାଇଁ ଫ୍ରାନସର ବୈଦେଶିକ ମନ୍ତ୍ରୀଙ୍କୁ ଅନେଦନ କରିଥିଲେ ।

କେବଳ ଆବେଦନ କରି ସେ ଚୁପ୍ ରହି ଯାଇ ନ ଥିଲେ । ଫ୍ରାନସର ତତକାଳୀନ ବୈଦେଶିକ ମନ୍ତ୍ରୀଙ୍କୁ ଗୋଟିଏ ପତ୍ର ଲେଖି ସରକାରଙ୍କ ସେ ପ୍ରକାର ନିୟନ୍ତ୍ରଣ ବ୍ୟବସ୍ଥାର ପ୍ରତିବାଦ କରିଥିଲେ । ସେ ଅନୁରୋଧ କରିଥିଲେ ବିଶ୍ଵରେ ଭାତୃତ୍ଵର ବନ୍ଧନକୁ ଦୃଢ଼ୀଭୂତ କରାଇବାକୁ ହେଲେ ସେ ପ୍ରକାର ନିୟନ୍ତ୍ରଣ ନିଶ୍ଚିତ ପ୍ରତିବନ୍ଧକ ସୃଷ୍ଟି କରିବା । ତେଣୁ ସେପ୍ରକାର ବ୍ୟବସ୍ଥାକୁ ଉଠାଇ ଦିଆଯିବ ଉଚିତ୍ । ତାଙ୍କରଯୁକ୍ତି ଥିଲା ସମଗ୍ର ମାନବଜାତି ଗୋଟିଏ ବିରାଟ ପରିବାର । ପୃଥିବୀରେ ଯେଉଁସବୁ ବିଭିନ୍ନ ଜାତି ଅଛନ୍ତି ଓ ଯେଉଁସବୁ ଗୋଷ୍ଠୀ ଅଛନ୍ତି ସମସ୍ତେ ସେଇ ଗୋଟିଏ ପରିବାରର ଅଂଶ ବ୍ୟତୀତ ଅନ୍ୟ କିଛି ନୁହେଁ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ଚିନ୍ତାଶୀଳ ବ୍ୟକ୍ତିବୃନ୍ଦ ସମଗ୍ର ମାନବଜାତି ମଧ୍ୟରେ ସଦ୍ଭାବ ଆଣିବାପାଇଁ ଉଦ୍ୟମରତ ଥିବାବେଳେ, ବିଭିନ୍ନ ଗୋଷ୍ଠୀ ତଥା ଜାତି ମଧ୍ୟରେ ଭାବର ଅଦାନ ପ୍ରଦାନ ପାଇଁ, ସମସ୍ୟା ସବୁକୁ ଦୂରୀଭୂତ କରାଇବା ଲାଗି ଚେଷ୍ଟା କଲାବେଳେ ଫ୍ରାନସ ଭଳି ଏକ ଉନ୍ନତ ରାଜ୍ୟରେ ବୈଦେଶିକମାନଙ୍କ ପାଇଁ ଏତେଟା ନିୟନ୍ତ୍ରଣ ଆଦୌ ବାଞ୍ଛନୀୟ ନୁହେଁ । ବରଂ ଦେଶ ଦେଶ ମଧ୍ୟରେ ସୌହାର୍ଦ୍ୟ ରକ୍ଷା କରିବା ପାଇଁ, ଦୁଇଟି ଗଣତନ୍ତ୍ରବାଦୀ ରାଷ୍ଟ୍ରର ସାମୂହିକ ମଙ୍ଗଳ ପାଇଁ, ମାତ୍ର ଗୋଟିଏ ଅନୁଷ୍ଠାନ ପ୍ରତିଷ୍ଠା ଆବଶ୍ୟକ । ସେଥିରେ ଉଭୟ ଦେଶରୁ ସମାନସଂଖ୍ୟକ ପ୍ରତିନିଧି ରହିବା ସଙ୍ଗେ ସଙ୍ଗେ ଉଭୟ ଦେଶର ସାଧାରଣ ମଙ୍ଗଳ ପାଇଁ କେବଳ ରାଜନୈତିକ କାହିଁକି, ସାମାଜିକ, ଅର୍ଥନୈତିକ, ବାଣିଜ୍ୟିକ ତଥା ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଉପୁଜୁଥିବା ମତପାର୍ଥ୍ୟକ୍ୟଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ଓ ପରସ୍ପରର ବୁଝାମଣାକୁ ଭିତ୍ତିକରି ଉକ୍ତ ଅନୁଷ୍ଠାନ ଜରିଆରେ ସମାଧାନ କରାଯିବା ଆବଶ୍ୟକ ।

ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗପୂର୍ଣ୍ଣ ବାତାବରଣ ରଖିବା ଲାଗି ଯେ ସେଭଳି ଏକ ଅନୁଷ୍ଠାନର ଏକାନ୍ତ ଆବଶ୍ୟକତା ଥିଲା, ତାହା ଅନୁଭବ କରିଥିଲେ ରାଜା ରାମମୋହନ । ସେ ଅନୁମାନ ତାଙ୍କର ସେତେବେଳର ସେଇ ଚିନ୍ତାଧାର-ପୃଥିବୀରେ ସଂଘଟିତ ହୋଇ ଯାଇଥିବା ଦୁଇଟି ବିଶ୍ଵଯୁଦ୍ଧ ପରେ ବାସ୍ତବରେ ପରିଣତ ହୋଇଥିଲା । ମିଳିତ ଜାତିସଂଘ ହିଁ ତାର ପରିଣାମ ।

ସେତେବେଳେ କେହି ହୁଏତ ରାଜା ରାମମୋହନଙ୍କୁ ମନେ ପକାଇ ନଥିବେ ।

ରାମମୋହନଙ୍କ ସେ ପତ୍ର ଫ୍ରାନସ ସରକାରଙ୍କ ଉପରେ ହୁଏତ କିଛି ପ୍ରଭାବ ପକାଇ ନ ଥିଲା; କିନ୍ତୁ ତାଙ୍କ ଦେଶକୁ ଯିବାଲାଗି ଅନୁମତି ପତ୍ର ପାଇଥିଲେ ଯଥା ସମୟରେ ।

ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ ଯେପରି ତାଙ୍କର ଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପି ଯାଇଥିଲା, ଠିକ୍ ସେହିଭଳି ହୋଇଥିଲା ଫ୍ରାନସରେ ମଧ୍ୟ । ସେଠିକାର ଶିକ୍ଷିତ ଚିନ୍ତାଶୀଳ ବ୍ୟକ୍ତିବୃନ୍ଦ ରାମମୋହନଙ୍କ ନାମ ସହିତ ବେଶ୍ ପରିଚିତ ହୋଇ ଯାଇଥିଲେ ସେତେବେଳକୁ । ବ୍ଲଇସର୍ ବିଷପ୍‍ ଅବେ ଗ୍ରୀଗରୀଙ୍କ ନିକଟକୁ କଲିକତା ଟାଇମସ୍ ପତ୍ରିକାର ସମ୍ପାଦକ ଡିଏ କୋଷ୍ଟା ରାଜା ରାମମୋହନଙ୍କ କେତେକ ରଚନା ତଥା କାର୍ଯ୍ୟକଳାପର ଏକ ବିବରଣୀ ପଠାଇ ସାରିଥିଲେ ସେଥି ପୂର୍ବରୁ । ପରିଣାମତଃ ବିଷପ ମହୋଦୟ ରାମମୋହନଙ୍କ ହିନ୍ଦୁଧର୍ମର ବିଭିନ୍ନ ଗ୍ରନ୍ଥାବଳୀ ସମ୍ପର୍କରେ ବୈପ୍ଳବିକ ଚିନ୍ତାଧାରା ନେଇ ଏକ ପୁସ୍ତିକା ପ୍ରକାଶ କରି ସାରିଥିଲେ । ଫ୍ରାନସର ବିଶିଷ୍ଟ ଚିନ୍ତାବିତ୍ ସିସମଣ୍ଡି ରାମମୋହନଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଯେ, ରାମମୋହନ ହେଉଛନ୍ତି ଭାରତର ଚିନ୍ତାନାୟକମାନଙ୍କ ମଧ୍ୟରେ ଅନ୍ୟତମ । ହିନ୍ଦୁ ସମାଜକୁ ସମସ୍ତ କୁସଂସ୍କାରରୁ ମୁକ୍ତ କରି ପ୍ରକୃତରେ ପରମ ସ୍ରଷ୍ଟାଙ୍କ ଆରାଧନା କରିବା ପାଇଁ ଚେଷ୍ଟିତ ଥିବା ସଙ୍ଗେ ସଙ୍ଗେ ଧର୍ମ ତଥା ନୈତିକତାର ଶାଶ୍ଵତ ମିଳନ କରାଯିବା ଲାଗି ସେ ହେଉଛନ୍ତି ଅନ୍ୟତମ ।

ଫ୍ରାନସର ରାଜାଙ୍କ ସହିତ ଅକ୍ଟୋବର ୧୪ ତାରିଖ ୧୮୩୨ ମସିହାରେ ସେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେଇଥିଲେ ।

ମନସିଉର ପଉଥେଇର ରାମମୋହନଙ୍କ କାର୍ଯ୍ୟକଳାପର ବିବରଣୀ ଦେବା ସଙ୍ଗେ ସଙ୍ଗେ ତାଙ୍କ ଜୀବନୀ ମଧ୍ୟ ଆଲୋଚନା କରିଥିଲେ ଏକ ଲେଖା ମାଧ୍ୟମରେ । ଗାରସିନ୍ ଡି ଟାସେ ଫ୍ରାନସେ ରାମମୋହନଙ୍କ ଖ୍ୟାତିକୁ ବହୁ ପରିମାଣରେ ବଢ଼ାଇ ଦେଇଥିଲେ । ତତ୍ ପୂର୍ବରୁ ରାଜାଙ୍କ ସହ ତାହାଙ୍କର ପରିଚୟ ଥିଲା କେବଳ ପତ୍ର ମାଧ୍ୟମରେ ।

ଯଦିଓ ରାମମୋହନ ଅଳ୍ପକାଳ ପାଇଁ ଫ୍ରାନସରେ ରହିଥିଲେ ତଥାପି ଖୁବ୍ ବେଶି ମାନସିକ ଶାନ୍ତି ଲାଭ କରିଥିଲେ ସେ । ସେଠାରେ ରହିବା ଭିତରେ ଶାରୀରିକ କ୍ଳାନ୍ତି ବି କିଛି କମ୍‍ ହୋଇ ନଥିଲା । ଅବସନ୍ନ ଦେହ ନେଇ ସେଠାରୁ ଲେଉଟି ଆସିଥିଲେ ସେ । ଇଟାଲୀ ପରିଦର୍ଶନରେ ଯିବା ଇଚ୍ଛା ପ୍ରବଳ ହୋଇଥିଲେ ମଧ୍ୟ ଶାରୀରିକ ଅବସନ୍ନତା ତାହାଙ୍କୁ ସେ ସୁଯୋଗ ଦେଇ ନଥିଲା ।

ରାମମୋହନ ଇଂଲଣ୍ଡ ଆସିବାର ଅନ୍ୟତମ ଉଦ୍ଦେଶ୍ୟ ଥିଲା, ଇଂଲଣ୍ଡ ପାର୍ଲାମେଣ୍ଟରେ ଆଲୋଚନା ହେବାକୁ ଥିବା ୧୮୩୨ ମସିହାର ସମ୍ବିଧାନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟକ୍ଷ ଭାବେ ଶୁଣିବା ଓ ତାର ଫଳାଫଳ ଜାଣିବା । ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଯେ, ସମ୍ବିଧାନ ସଂଶୋଧନ ନ ହେଲେ, ଇଂଲଣ୍ଡର ରାଜନୈତିକ ନୀତିର ପରିବର୍ତ୍ତନ ନ ହେଲେ, ଅଧିକରୁ ଅଧିକ ଗଣତାନ୍ତ୍ରିକ ନୀତିର ପ୍ରଚଳନ ନ ହେଲେ, କେବଳ ଇଂଲଣ୍ଡ ନୁହେଁ, ଭାରତର ଉନ୍ନତି ମଧ୍ୟ ଅସମ୍ଭବ-। ଦେଶର ଶାସନ ଭାର ମୁଷ୍ଟିମେୟ ଲୋକଙ୍କ ହାତରୁ କାଢ଼ି ଆଣି ଜନଗଣଙ୍କ ପ୍ରକୃତ ପ୍ରତିନିଧିଙ୍କ ହାତରେ ଦେବାପାଇଁ ଅଧିକ ସୁଯୋଗ ଦେବା ଥିଲା ଉକ୍ତ ସମ୍ବିଧାନ ସଂଶୋଧନର ପ୍ରଧାନ ଲକ୍ଷ୍ୟ । ଜାହାଜରେ ଇଉରୋପ ଅଭିମୁଖେ ଯାତ୍ରା କଲାବେଳେ ହିଁ ୧୮୩୧ ମସିହା ମାର୍ଚ୍ଚ ମାସରେ ସମ୍ବିଧାନ ସଂଶୋଧନ ବିଲ୍ ପ୍ରଥମେ ପାର୍ଲାମେଣ୍ଟରେ ପେସ୍ କରାଯାଇଥିଲା । ତେଣୁ ଯାତ୍ରା ସମୟରେ ମଧ୍ୟ ସବୁବେଳେ ସେ ଉତ୍କଣ୍ଠିତ ରହୁଥିଲେ ତାର ପରିଣତି ଜାଣିବା ପାଇଁ । ଇଂଲଣ୍ଡରେ ଅନେକେ ଚାହୁଁ ନ ଥିଲେ ସେ ପ୍ରକାର ସମ୍ବିଧାନ ସଂଶୋଧନ କରି ନିଜର ସ୍ଵାର୍ଥ ହାନୀ କରିବାପାଇଁ-। ଯଥାର୍ଥରେ ରାମମୋହନ ବିଲ୍ ସଂପର୍କରେ ମତବ୍ୟକ୍ତ କରିଥିଲେ ଯେ, ତାହା ଥିଲା ପୃଥିବୀର ସଂସ୍କାରବାଦୀ ଓ କୁସଂସ୍କାର ମଧ୍ୟରେ ସଂଗ୍ରାମ । ସଂଗ୍ରାମ ନ୍ୟାୟ ଓ ଅନ୍ୟାୟ ଭିତରେ, ଠିକ୍ ଓ ଭୁଲ ମଧ୍ୟରେ, ମୁକ୍ତି ଓ ଶୃଙ୍ଖଳ ମଧ୍ୟରେ ।

ସଂଶୋଧନ ବିଲ୍‍ଟି ସତକୁ ସତ ପ୍ରଥମେ କମିଟି ସ୍ତରର ହିଁ କାଟ ଖାଇଥିଲା । ପୁଣି ଦ୍ଵିତୀୟ ଥର ବିଲଟି ହାଉସ୍ ଅଫ୍ କମନସରେ ପାସ୍ ହେଉଥିଲେ ମଧ୍ୟ ହାଉସ୍ ଅଫ୍ ଲର୍ଡ଼ସ୍ ତାକୁ ଗ୍ରହଣ କରି ନ ଥିଲେ । ସମଗ୍ର ଦେଶରେ ସେତେବେଳେ ଏକ ପ୍ରକାର ଶିହରଣ ସୃଷ୍ଟି ହୋଇ ସାରିଥିଲା । ପୁଣି ସେଇ ଉତ୍ତେଜନା ଭିତରେ ତୃତୀୟ ସଂଶୋଧନ ବିଲ୍ ହାଉସ୍ ଅଫ୍ କମନସରେ ପାସ୍ ହୋଇ ହାଉସ୍ ଅଫ୍ ଲର୍ଡ଼ସଙ୍କ ନିକଟରେ ଉପସ୍ଥାପିତ କରାଯାଇ ଥିଲା । ସେତେବେଳକୁ ରାମମୋହନ ଲିଭରପୁଲ୍ ଛାଡ଼ି ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ ଅନ୍ତତଃ ବିଲ୍ ସଂପର୍କର କି ପ୍ରକାର ଆଲୋଚନା ହେଉଛି ସେସବୁ ବ୍ୟକ୍ତିଗତ ଭାବେ ଦେଖିବାପାଇଁ । ଯଦିଓ ରାସ୍ତାରେ ବ୍ରିଷ୍ଟଲ ଯିବା କଥା ଥିଲା, ସେ ଯୋଜନାକୁ ସେତେବେଳେ ବାତିଲ କରି ଦେଇଥିଲେ । ସେ ଚାହୁଁଥିଲେ ବିଲଟି କୌଣସିମତେ ପାସ୍ ହୋଇଯାଉ । ତେଣୁ ଲର୍ଡ଼ ସଭାର ସଭ୍ୟମାନଙ୍କ ସମ୍ମୁଖରେ ସେମାନଙ୍କ ପଦକ୍ଷେପ ନିନ୍ଦା କରିବାପାଇଁ ଓ ବିଲ୍ ସପକ୍ଷରେ ସେମାନଙ୍କର ସାମନା ସାମନି ହେବାପାଇଁ ପଶ୍ଚାତପଦ ହୋଇ ନ ଥିଲେ ।

ଶେଷ ଯୁଦ୍ଧ ଥିଲା ବିଜୟର ଯୁଦ୍ଧ । ୧୮୩୨ ମସିହା ଜୁନ୍ ମାସରେ ଉକ୍ତ ସମ୍ବିଧାନ ସଂଶୋଧନ ବିଲଟି ପାସ୍ ହୋଇଥିଲା ଉଭୟ ସଭାରେ । ରାଜା ୱିଲିୟମ୍ ରଥବୋନସଙ୍କ ନିକଟରେ ଏକ ପତ୍ରରେ ଲେଖିଥିଲେ ଯେ ଦୀର୍ଘ ପଚାଶ ବର୍ଷ ଧରି ଯେଉଁ କେତେଜଣ ମୁଷ୍ଟିମେୟ ଲୋକ ଜନସାଧାରଣଙ୍କ ଝାଳବୁହା ଅର୍ଥ ଶୋଷଣ କରି ଚାଲିଥିଲେ, ଜାତି ଏଣିକି ଆଉ ତାର ଶିକାର ହୋଇ ରହିବ ନାହିଁ । ବିଲଟି ପରାଜୟ ଲାଭ କରିଥିଲେ ରାଜା ସେହି ଦେଶ ସହିତ ସଂପର୍କ ଚ୍ଛିନ୍ନ କରିବେ ବୋଲି ଯେଉଁ ପ୍ରତିଜ୍ଞା କରିଥିଲେ, ତାହା କାର୍ଯ୍ୟକାରୀ ହେବାକୁ ଦେଇ ନ ଥିବା ହେତୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେଥିରେ ସେ ଲେଖିଥିଲେ, “Thank Heaven, I can now feel proud of being one of your fellow subjects, and heartily rejoice that I have the infinite happiness of witnessing the salvation of the nation, nay of the whole world.”

ରାମମୋହନଙ୍କର ଐକାନ୍ତିକ କାମନା ଥିଲା, ଏକ ମୁକ୍ତ ବାତାବରଣ ଭିତରେ ସମଗ୍ର ମାନବସମାଜ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧିହୋଇ ରହିପାରିଲେ ଯାଇଁ ମାନବ ସମାଜର ଉନ୍ନତି ସମ୍ଭବ-। ମଣିଷ, ମଣିଷର ଭାଇ-ଏଇ ଭାବର ଅଧିକାରୀ ହୋଇ ପାରିଥିଲେ ସେ । ତେଣୁ ଯେତେବେଳେ ନେପଲସର ଦୁଇଜଣ ମୁକ୍ତିକାମୀ ସଂଗ୍ରାମୀ ନେତାଙ୍କୁ ସରକାର ଧରିନେଇ ଫାଶୀ ଦେବା ଖବର ପାଇଥିଲେ ୧୮୨୧ ମସିହାରେ, ସେଦିନ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଥିଲେ । ସେହିଭଳି ଯେତେବେଳେ ଶୁଣିଥିଲେ ଯେ ୧୮୨୧ ମସିହାରେ ସ୍ପେନରେ ସାମ୍ବିଧାନିକ ସରକାର ଗଠିତ ହୋଇଥିଲା, ସଙ୍ଗେ ସଙ୍ଗେ କଲିକତା ଟାଉନ୍ ହଲରେ ମଧ୍ୟାହ୍ନ ଭୋଜନରେ ଉପସ୍ଥିତ ଲୋକଙ୍କୁ ଆପ୍ୟାୟିତ କରି ସେ ବିଜୟ ଉତ୍ସବ ପାଳନ କରିଥିଲେ ।

 

ସ୍ପେନର ସମ୍ବିଧାନ ପ୍ରଣୟନ ହୋଇ ପ୍ରକାଶିତ ହେବା ପରେ ତାର ପ୍ରକାଶକ ଉକ୍ତ ସ୍ମରଣୀୟ ଗ୍ରନ୍ଥକୁ ଉତ୍ସର୍ଗ କରିଥିଲେ ରାମମୋହନଙ୍କୁ । ସେଥିରେ ରାଜାଙ୍କ ସମ୍ପର୍କରେ ଲେଖିଥିଲେ–Most liberal, noble wise and virtuous Brahmin, Rammohan Ray.

 

ରାମମୋହନଙ୍କ ଇଂଲଣ୍ଡ ଯାତ୍ରା ଇତିହାସର ବିଷୟବସ୍ତୁ ହୋଇ ରହିବାର ଏକ ପ୍ରଧାନ କାରଣ ଏହା ହୋଇପାରେ ଯେ, ସେ ଭାରତର ପ୍ରଥମ ରାଷ୍ଟ୍ରଦୂତ ଥିଲେ ଏବଂ ଭାରତବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଇଂରେଜ ତଥା ଇଂରେଜ ଜନଗଣଙ୍କ ନିକଟରେ ଉପସ୍ଥାପିତ କରି ପାରିଥିଲେ । ବିଦେଶରେ ଯେତେ ଲୋକଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ, ସମସ୍ତଙ୍କଠାରୁ ସ୍ନେହ ତଥା ଆଦର ପାଇବା ସଙ୍ଗେ ସଙ୍ଗେ ଯଥୋଚିତ ସମ୍ମାନ ମଧ୍ୟ ପାଇଥିଲେ । କେବଳ ଜନଗଣଙ୍କଠାରୁ କାହିଁକି, ସରକାରଙ୍କ ନିକଟରୁ ମଧ୍ୟ କିଛି କମ୍ ସମ୍ମାନ ପାଇ ନ ଥିଲେ ସେ । ସେ ଥିଲେ ଭାରତର ଜନଗଣଙ୍କ ସହିତ ପ୍ରାଚ୍ୟର ସମ୍ପର୍କର ଆରମ୍ଭ ତଥା ଦୃଢ଼ୀଭୂତ କରାଇବା ଦିଗରେ ପ୍ରଥମ ବ୍ୟକ୍ତି । ତେଣୁ ତାହାଙ୍କ ସମ୍ପର୍କରେ ମାକସ ମୁଲାର ଯଥାର୍ଥ ମତ ପ୍ରଦାନ କରିଥିଲେ-

 

“Rammohan Ray was the first who came from the East to the west, the first to join hands and complete that world wide circle through which henceforth, like an electric current, oriental thought could run to the west and western thought return to the East.”

Image

 

ପନ୍ଦର

ଇଂଲଣ୍ଡରେ ଶେଷ ଦିନ

 

ସଂପୂର୍ଣ୍ଣ ଏକ ଭିନ୍ନ ଦୃଷ୍ଟିକୋଣରୁ ତଥା ସାହିତ୍ୟିକ ଭାଷାରେ ଇଂଲଣ୍ଡକୁ ଆଧୁନିକ ଭାରତର ଶ୍ମଶାନ ବୋଲି ଅନେକ ମନେ କରିବାର ଏକାମାତ୍ର କାରଣ ହେଲା, ଭାରତର ରାଷ୍ଟ୍ରଦୂତ ରୂପେ ପ୍ରଥମ ଇଉରୋପ ଯାତ୍ରୀ ରାଜା ରାମମୋହନଙ୍କ ଇଂଲଣ୍ଡରେ ମୃତ୍ୟୁ ଏବଂ ସେ ଘଟଣା ବା ଦୁର୍ଘଟଣାର ପ୍ରାୟ ତେର ବର୍ଷ ପରେ ତାହାଙ୍କର ଜଣେ ପ୍ରଧାନ ସହକର୍ମୀ, ବନ୍ଧୁ ଏବଂ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଜେଜେବାପା ଶ୍ରୀ ଦ୍ଵାରିକାନାଥ ଠାକୁରଙ୍କର ସେଇ ଦେଶରେ ମୃତ୍ୟୁ ।

 

ରାମମୋହନଙ୍କ ମୃତ୍ୟୁ ହୋଇଥିଲା ୧୮୩୩ ମସିହା ସେପଟେମ୍ବର ସତେଇଶ ତାରିଖ ଦିନ । ତାଙ୍କ ପାଇଁ ଶେଷ ସୂର୍ଯ୍ୟ ବ୍ରିଷ୍ଟଲ ସହରରେ ଉଦୟ ହୋଇଥିଲା ଏବଂ ସେଇ ସହରର ଧୂଳିମାଟିରେ ହିଁ ସେ ଲୀନ ହୋଇ ଯାଇଥିଲେ । ଲୀନ ହୋଇଯାଇଥିଲା ବିଦେଶ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ ରାଷ୍ଟ୍ରଦୂତର ଦେହ ।

 

ରାଜଜୀୟ କାଇଦାରେ ଜୀବନ ନିର୍ବାହ କରୁଥିବା ଓ ରାଜପୁତ୍ର ରୂପେ ପରିଚିତ ଥିବା ଦ୍ୱାରିକାନାଥଙ୍କ ମୃତ୍ୟୁ ହୋଇଥିଲା ୧୮୪୬ ମସିହା ଅଗଷ୍ଟ ଏକ ତାରିଖରେ । ମୃତ୍ୟୁ ସ୍ଥଳ ଥିଲା ଲଣ୍ଡନ ସହର । ଲଣ୍ଡନର କେନ୍ଦ୍ରସ୍ଥଳରେ ଅବସ୍ଥିତ କେନସାଲ ଗ୍ରୀନ (Kensal Green) ଶ୍ମଶାନରେ ତାହାଙ୍କ ମର ଶରୀରକୁ ଭସ୍ମୀଭୂତ କରି ଦିଆଯାଇଥିଲା । ଏକ ଅତି ସାଧାରଣ କବରସ୍ଥଳ ହିଁ ତାହାଙ୍କ ସୃତିକୁ ବର୍ତ୍ତମାନ ସୁଦ୍ଧା ବଞ୍ଚାଇ ରଖିଛି, ଯାହା ସାଧାରଣତଃ କୌଣସି ଦର୍ଶକର ଦୃଷ୍ଟି ଆକର୍ଷଣ କରିପାରେ ନାହିଁ, ଯଦିଓ ଅନ୍ୟାନ୍ୟ ଖବରଗୁଡ଼ିକ ସେଇ ତୁଳନାରେ ଯଥେଷ୍ଟ ମର୍ଯ୍ୟାଦାସମ୍ପନ୍ନ । କବର ଉପରେ କେବଳ କେତୋଟି ଅକ୍ଷର-ତାଙ୍କ ନାମ, ଜନ୍ମସ୍ଥାନ ଓ ମୃତ୍ୟୁ ସମ୍ବତ୍ସର । ତାହା ମଧ୍ୟ ପୁରା ନୁହେଁ–“D Tagor, Calcutta,1816” ଜଣେ ଖ୍ୟାତନାମା ଭାରତୀୟର ଲଣ୍ଡନ ସହରରେ ମୃତ୍ୟୁ ପରେ ତାର ପରିଚୟ କେବଳ ସେତିକି ।

 

ସମାଧିର ଚାରିପଟେ ବୁଦୁବୁଦିକିଆ ଜଙ୍ଗଲ । ସତେ ଯେମିତି କେହି ଦର୍ଶକ ସେଠାକୁ ଯାଆନ୍ତି ନାହିଁ । ଯେଉଁ ମହାନ୍ ବ୍ୟକ୍ତି ରାମମୋହନଙ୍କ ସମାଧି ପୀଠ କେଉଁ ଏକ ଦୂର ନିକାଞ୍ଚନରେ ରହିଲେ, ଲୋକଲୋଚନ ଅଗୋଚରରେ ରହିଯିବ ବୋଲି ଆଶଙ୍କା କରି ଜନମାନସ ସମ୍ମୁଖକୁ କବରସ୍ଥଳ ଉଠାଇ ଆଣିବାର ସଫଳ ଉଦ୍ୟମ କରିଥିଲା, ସେଇଭଳି ଏକ ବ୍ୟକ୍ତିର ଖବର ହିଁ ଲୋକଲୋଚନର ଅନ୍ତଚାଳରେ ରହିଗଲା ଏ ପର୍ଯ୍ୟନ୍ତ । ଆଧୁନିକ ଭାରତର ସର୍ବଶ୍ରେଷ୍ଠ ସଂସ୍କାରକ ରାଜା ରାମମୋହନଙ୍କ ଭଳି ଦେଶର ବାଣିଜ୍ୟ ଓ ଶିଳ୍ପ ସମୃଦ୍ଧିଲାଗି ଉଦ୍ୟମ କରୁଥିବା ଅଗ୍ରଗଣ୍ୟ ଗୋଟିଏ ବ୍ୟକ୍ତିତ୍ଵ ହୁଏତ ଲୁଚକାଳି ଖେଳ ଖେଳି ଏକ ନିଭୃତ କୋଣରେ ଲୁଚିଯାଇଛି । ଧରା ପଡ଼ିବାର ଭୟ ନାହିଁ । ତାର ବନ୍ଧୁ ରାମମୋହନଙ୍କୁ କିନ୍ତୁ ଧରାପକାଇ ଦେଇଛି । ଆଉ ସେ ଲୁଚିପାରିବ ନାହିଁ ।

 

ତେବେ ଏକଥା ନିଶ୍ଚିତ ଯେ, ରାଜା ରାମମୋହନଙ୍କ ଶେଷ ଦିନଗୁଡ଼ିକ ଥିଲା ବିଷାଦଭରା ଅନ୍ଧକାର ରାତ୍ରି । ସମସ୍ତ ଶାରୀରିକ ସୁସ୍ଥତା ସତ୍ତ୍ୱେ ତାଙ୍କର ମାନସିକ ଦୁର୍ବଳତାର ମାତ୍ରା କ୍ରମଶଃ ବୃଦ୍ଧି ପାଇଥିଲା ନିଜ ସମ୍ପର୍କରେ । ତାହା କିନ୍ତୁ ଥିଲା ସଂପୂର୍ଣ୍ଣ ବ୍ୟକ୍ତିଗତ ଓ ପାରିବାରିକ । ସମସ୍ତ ଆଲୋକ ଭିତରେ ଯେମିତି ଅନ୍ଧକାରର ମାତ୍ରା କିଛି କମ୍ ନ ଥିଲା । ସମସ୍ତ ମାନସିକ ସୁସ୍ଥତା ଭିତରେ ଏକପ୍ରକାର ଗ୍ଳାନି ଯେମିତି ଶାଖା ପ୍ରଶାଖା ଖୋଲି ଦେଇଥିଲା କ୍ରମେ କ୍ରମେ । ତାର ଏକମାତ୍ର କାରଣ ଥିଲା ଶେଷ ଜୀବନରେ ନିଜ ପରିବାର, ନିଜ ଆତ୍ମୀୟ ସ୍ୱଜନ, ନିଜ ଦେଶବାସୀଙ୍କଠାରୁ ଅନେକ ଦୂରରେ ସେ ରହିଥିଲେ । ସେ ଥିଲେ ନିଜ ଜନ୍ମମାଟିର ବାହାରେ ଏକ ସୁଦୂର ବିଦେଶରେ ।

 

ଫ୍ରାନସରୁ ଫେରିବା ପରେ ପରେ ରାମମୋହନଙ୍କ ସ୍ଵାସ୍ଥ୍ୟ ଠିକ୍ ରହୁ ନ ଥିଲା । ଅନେକ ସମୟରେ ସେ ନେଇ ମାନସିକ ଭାରସାମ୍ୟ ମଧ୍ୟ ସେ ହରାଇ ବସୁଥିଲେ । ଯଦିଓ ବିଦେଶରେ ବନ୍ଧୁ ବାନ୍ଧବୀମାନଙ୍କଠାରୁ ସମସ୍ତ ପ୍ରକାର ଆନ୍ତରିକ ସେବା, ସହୃଦୟ ଶୁଶ୍ରୂଷା, ସ୍ନେହପୂର୍ଣ୍ଣ ବ୍ୟବହାର ପାଉଥିଲେ ଓ ଯଦିଓ ପ୍ରକୃତରେ ସେମାନେ ରାମମୋହନଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ; ତଥାପି ନିଜର ଇଚ୍ଛାକୁ ଜବରଦସ୍ତ ଅବଦମିତ କରାଇ ସେଇମାନଙ୍କୁ ଏକାନ୍ତ ଆପଣାର କରିବା ଚେଷ୍ଟା ଅନେକ ସମୟରେ କରୁଥିଲେ ସେ । ନିଜର ଭଗ୍ନସ୍ଵାସ୍ଥ୍ୟ ବରଂ ତାହାଙ୍କୁ ସେଥିଲାଗି ବାଧ୍ୟ କରାଇଥିଲା । କଦବା କେତେବେଳର ଯେକୌଣସି ପରିବେଶକୁ ପ୍ରୀତିପଦ ମନେ କରିବାକୁ ସେ ବାଧ୍ୟ ହୋଇଥିଲେ । ତାହାହିଁ ଥିଲା ରାଜାଙ୍କ ମାନସିକ ଦୁଶ୍ଚିନ୍ତାର ଏକମାତ୍ର କାରଣ ।

 

ସେ ସବୁରି ମୂଳରେ ଥିଲା ଆର୍ଥିକ ଅସ୍ୱଚ୍ଛଳତା । ତାହାହିଁ ତାଙ୍କର ମାନସିକ ଦୃଢ଼ତାର ସମସ୍ତ ସମ୍ବଳ ଅପହରଣ କରି ନେଇଥିଲା, ସମସ୍ତ ଅହଂକାରର ପକ୍ଷ ଚ୍ଛେଦନ କରିଥିଲା । ବ୍ୟକ୍ତିଗତ ସଂପର୍କରୁ ଓ ଉଦ୍ୟମରୁ ସମସ୍ତ ଅର୍ଥାଗମର ପନ୍ଥା ବନ୍ଦ ହେବା ସଙ୍ଗେ ସଙ୍ଗେ, ତାଙ୍କ ପୁତ୍ର ନିଜର ଆର୍ଥିକ ଅସ୍ଵଚ୍ଛଳତାକୁ କେନ୍ଦ୍ରକରି ବିଦେଶରେ ଥିବା ପିତାଜୀଙ୍କ ନିକଟକୁ ପଠାଉଥିବା ଅର୍ଥ ବାଧ୍ୟହୋଇ ବନ୍ଦ କରି ଦେଇଥିଲେ ।

 

ଅପର ପକ୍ଷରେ ଇଂଲଣ୍ଡର ଉଚ୍ଚ ଶିକ୍ଷିତ, ସଂଭ୍ରାନ୍ତ ଗୋଷ୍ଠୀ ସହିତ ରାମମୋହନ ନିଜକୁ ପ୍ରତିଷ୍ଠିତ କରାଇ ସାରିଥିଲେ ସେତେବେଳକୁ । ସେଠାକାର ବିତ୍ତଶାଳୀ ସମାଜର ଏକ ପ୍ରତିଷ୍ଠିତ ଆସନରେ ଆସୀନ ହୋଇ ସାରିଥିଲେ ସେ । ତେଣୁ ନିଜର ସାମାଜିକ ସ୍ଥିତି ଅନ୍ତତଃ ସେଠାରେ ବଜାୟ ରଖିବା ତାଙ୍କ ଲାଗି ଆବଶ୍ୟକତାରେ ପରିଣତ ହୋଇ ପଡ଼ିଥିଲା । ସେମାନଙ୍କ ସହ ସମତାଳ ଦେଇ ଗତି କରିବାପାଇଁ ନିଶ୍ଚିତ ଆବଶ୍ୟକ ଥିଲା ଅର୍ଥ । କିନ୍ତୁ ରାମମୋହନଙ୍କର ସେଇ ପରିମାଣର ଅର୍ଥ ଥିଲା କେଉଁଠି ? ତେଣୁ ସେ ବାଧ୍ୟହୋଇ କ୍ରମଶଃ ପରିବେଶକୁ ସଂକୁଚିତ କରି ଆଣିବା ଲାଗି ଉଦ୍ୟମ କରିଥିଲେ ।

 

ଅର୍ଥ ଓ ହୃଦୟ ପୃଥିବୀରେ ଦୁଇଟି ବିପରିତମୁଖୀ ରାସ୍ତା । ନିଜର ବିତ୍ତ ବିନିମୟରେ ନିଜକୁ ପ୍ରତିଷ୍ଠିତ କରାଇବା, ଅନେକ ବନ୍ଧୁ ସୃଷ୍ଟି କରିବା ଓ ନିଜ ତରଫରୁ ଅନେକ ଲୋକଙ୍କୁ ଟାଣି ଆଣିବା ସମ୍ଭବ; କିନ୍ତୁ ହୃଦୟ, ନିଜ ଆନ୍ତରିକତା ବିନିମୟରେ ପ୍ରକୃତ ବନ୍ଧୁ ସୃଷ୍ଟି କରିବା ହିଁ ସମ୍ଭବ । ଏ ଦୁଇଟି ଅଲଗା ଅଲଗା ପନ୍ଥା । ପ୍ରଥମ ବନ୍ଧୁତା କେବଳ ଅର୍ଥ ପାଇଁ-ତେଣୁ ସାମୟିକ । ଯେତେବେଳେ ନିଜର ସ୍ୱାର୍ଥ ହାନୀ ଘଟେ, ବ୍ୟକ୍ତିଗତ ଲାଭ ହୋଇପାରେ ନା, ସେଭଳି ବନ୍ଧୁତାର ପରିସମାପ୍ତି ଘଟେ ଆପେ ଆପେ । କିନ୍ତୁ ଅନ୍ୟ ଦିଗଟି ହୃଦୟର ଆହ୍ଵାନ, ତାକୁ ବେଖାତିର କରିପାରିବ ବା କିଏ ? ତେଣୁ ତାର ପରିସମାପ୍ତି ନ ଥାଏ କେତେବେଳେ ।

 

ରାମମୋହନଙ୍କ ଧନରେ ଅଭାବ ଘଟିଥିଲେ ମଧ୍ୟ ତାଙ୍କର କେତେଜଣ ଅତି ଘନିଷ୍ଠ ବନ୍ଧୁ, ସେ ଶେଷ ନିଶ୍ୱାସ ନେବା ପର୍ଯ୍ୟନ୍ତ ରାଜାଙ୍କୁ ପାଖଛଡ଼ା କରି ନ ଥିଲେ ତଥାପି । ତେବେ ରାମମୋହନଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ରୂପେ କାର୍ଯ୍ୟ କରୁଥିବା ସେଣ୍ଡଫୋର୍ଡ଼ ଏରନାଟ ଥିଲେ ଅତ୍ୟନ୍ତ ସୁବିଧାବାଦୀ । ତାହାଙ୍କ କାର୍ଯ୍ୟକଳାପରେ ପୂରି ରହିଥିଲା ଆବିଳତା । ରାମମୋହନଙ୍କ ଆର୍ଥିକ ଅସ୍ଵଚ୍ଛଳତାର ସଂପୂର୍ଣ୍ଣ ସୁଯୋଗ ସେ ହିଁ ନେଇଥିଲେ । ଏପରିକି ସେ ରାଜାଙ୍କୁ ଏକ ସମୟରେ ଧମକ ଦେବାପାଇଁ ମଧ୍ୟ କୁଣ୍ଠାବୋଧ କରି ନ ଥିଲେ । ପରିଶେଷରେ ରାମମୋହନଙ୍କ ରଚନାଗୁଡ଼ିକ ଚୋରୀକରି ନିଜର କରି ନେଇ ପାରିବା ଭଳି ହୀନକାର୍ଯ୍ୟ ତାହାଙ୍କ ନିକଟରେ ଅତି ମାମୁଲି କାର୍ଯ୍ୟ ହୋଇପାରିବ ବୋଲି ମଧ୍ୟ ସେ ଶୁଣାଇ ଦେଇଥିଲେ ।

 

ଯେଉଁ ସୃଷ୍ଟିଗୁଡ଼ିକ ରାମମୋହନଙ୍କୁ ସମାଜର ମହାରଥୀ ଆସନକୁ ଚଢ଼ି ଆସିବାରେ ଏକ ପ୍ରଧାନ ସମ୍ବଳ ଥିଲା, ସେସବୁ ଚୋରୀକରି ନେବା ଲାଗି ଧମକ, ଜଣେ ସୃଜନଶୀଳ ସ୍ରଷ୍ଟାଠାରୁ ତାର ସୃଷ୍ଟି ଚୋରାଇ ନେବାପାଇଁ ଭୀତି ପ୍ରଦର୍ଶନ-ତାହା ପୁଣି ନିଜ ସେକ୍ରେଟାରୀ ରୁପେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ବିଶେଷଙ୍କଠାରୁ-ରାଜାଙ୍କ ପାଇଁ ଥିଲା ଚରମ ଧକ୍କା ।

 

ପ୍ରକୃତରେ ରାମମୋହନଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ରୂପେ କାର୍ଯ୍ୟ କରୁଥିଲେ ମଧ୍ୟ ଏଟନଟଙ୍କ ସାମାନ୍ୟତମ ଅନୁରକ୍ତି ନ ଥିଲା ରାଜାଙ୍କ ପାଇଁ । କେବଳ କିପରି ବ୍ୟକ୍ତିଗତ ଫାଇଦା ଉଠାଇ ପାରିବେ, ତାହାହିଁ ଥିଲା ତାଙ୍କର ଏକମାତ୍ର ଧ୍ୟାନ । ସ୍ନେହ, ସଦିଚ୍ଛା, ଅନୁରକ୍ତିର ପ୍ରଶ୍ନ ନ ଥିଲା ତାଙ୍କଠାରେ । ସେ ନେଇ ରାମମୋହନ ମାନସିକ ଦ୍ଵିଧାଗ୍ରସ୍ତ ହୋଇ ପଡ଼ିବା ଅତ୍ୟନ୍ତ ସ୍ଵାଭାବିକ ଥିଲା-

 

ରାଜାଙ୍କର ସେ ମାନସିକ ବିପର୍ଯ୍ୟୟ ଓ ମାନସିକ ଅସ୍ଥିରତା ତାଙ୍କର ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା । ଅର୍ଥାଗମର ରୁଦ୍ଧପଥ, ମାନସିକ ଦ୍ଵନ୍ଦ, ଶାରୀରିକ ଅସୁସ୍ଥତା ଏସବୁକୁ ନିଜର ଏକାନ୍ତ ସମ୍ବଳ କରି ସେ ଚାହିଁଥିଲେ ସହର ଛାଡ଼ି କେଉଁ ଏକ ପଲ୍ଲୀ ଅଞ୍ଚଳକୁ ଚାଲିଯିବେ, ବିତ୍ତଶାଳୀ ସଂଭ୍ରାନ୍ତଗୋଷ୍ଠୀ ଛାଡ଼ି ଅନେକ ଦୂରକୁ ଚାଲିଯିବେ । ସେ ଚାହୁଁଥିଲେ ସ୍ଥାନ ବଦଳି କରିବେ । ତେଣୁ ଅଗଷ୍ଟ ୧୬ ତାରିଖ ୧୮୩୩ ମସିହାରେ ମିସ୍ ମେରି କାର୍ପେଣ୍ଟର୍ (Miss Mary Carpenter)ଙ୍କ ନିକଟକୁ ଗୋଟିଏ ପତ୍ର ଲେଖିଥିଲେ ଯେ, କେତେକ ସାମାଜିକ କାର୍ଯ୍ୟସାଧନ ଲାଗି ଯେଉଁସବୁ ଦୁଶ୍ଚିନ୍ତା ନେଇ ସେ ଇଉରୋପ ଆସିଥିଲେ, ସେସବୁ ଦୁଶ୍ଚିନ୍ତା ବର୍ତ୍ତମାନ ଦୂର ହୋଇ ସାରିଥିବା ଯୋଗୁଁ ଆଉ ଏକ ଅନ୍ୟ ସ୍ଥାନରେ କିଛିଦିନ ବିତାଇବା ତାଙ୍କର ଇଚ୍ଛା । ତେଣୁ ନିର୍ଦ୍ଦିଷ୍ଟ ଦିନ ଜଣାଇ ସେ ଷ୍ଟେପଲଟନ୍ ଗ୍ରୋଭକୁ ଯିବାଲାଗି ନିଜର ଇଚ୍ଛା ପ୍ରକାଶ କରି ସମ୍ବାଦ ପଠାଇଥିଲେ-”Dear Madam, I have now the pleasure of informing you that I feel relieved and will proceed to Stapelton Grove on Thursday next.” ସେଥିରେ ରାମମୋହନ ଲେଖିଥିଲେ ସେ ଖୁବ୍ ସୁସ୍ଥ ଥିଲେ ।

 

ରାମମୋହନଙ୍କ ସେ ସୁସ୍ଥତା ଶାରୀରିକ ସୁସ୍ଥତା ନ ଥିଲା-ସେ ଥିଲା ତାଙ୍କ ମାନସିକ ସ୍ତରର କଥା । ପ୍ରକୃତରେ ତାଙ୍କର ଇଂଲଣ୍ଡଯାତ୍ରାର ଉଦ୍ଦେଶ୍ୟ ଅନେକ ପରିମାଣରେ ସଫଳ ହୋଇ ସାରିଥିଲା ସେତେବେଳକୁ । ତେଣୁ ସଂପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ଓ ରାମମୋହନଙ୍କ ବ୍ୟକ୍ତିତ୍ଵକୁ କେନ୍ଦ୍ରକରି ତାଙ୍କର ଯେଉଁ ମାନସିକ ଗ୍ଲାନି କେନ୍ଦ୍ରୀଭୂତ ହୋଇଥିଲା, ସେଥି ସହିତ ସଂସ୍କାରକ ଓ ଭାରତର ଜନଗଣଙ୍କ ସମୂହ ସ୍ଵାର୍ଥ ସଂରକ୍ଷଣକାରୀ ବ୍ୟକ୍ତିତ୍ଵ ରାମମୋହନଙ୍କ ସଂପର୍କର ସୂତ୍ର ଥିଲା ଖୁବ୍ ପତଳା । ଯଦିଓ ଉଭୟ ବ୍ୟକ୍ତିତ୍ଵ ବେଳେବେଳେ ଅପରକୁ ଆକ୍ରମଣ କରି ନିଶ୍ଚିହ୍ନ କରି ଦେବାପାଇଁ ଉଦ୍ୟମ କରୁଥିଲେ, ଦୁଇଟି ବ୍ୟକ୍ତିତ୍ଵ ଏକାଧାରରେ ଗତି କରିଥିଲା ରାଜା ରାମମୋହନଙ୍କ ଭିତରେ । ଗୋଟିଏ ଥିଲା ପୁନେଇ ଆକାଶର ରୂପାଥାଳି ପରି ଜହ୍ନ ଆଲୁଅ ଆଉ ଗୋଟିଏ ଅମାବାସ୍ୟାର ନିଗଡ଼ ଅନ୍ଧକାର । ଗୋଟିଏ ଥିଲା ମହକପୂର୍ଣ୍ଣ ହଳଦୀ ଗୁରୁଗୁରୁ ସ୍ଵର୍ଣ୍ଣଚମ୍ପା, ଆଉ ଗୋଟିଏ ଥିଲା କୀଟଦଂଷ୍ଟ ପଲାଶ । ଗୋଟିଏ ଥିଲେ ସାମାଜିକ ରାମମୋହନ, ଆଉ ଅପର ଜଣକ ପାରିବାରିକ ବ୍ୟକ୍ତି ରାମମୋହନ ।

 

ଜୀବନର ଯାତ୍ରାପଥରେ ପାରିବାରିକ ବ୍ୟକ୍ତି ରାମମୋହନଙ୍କ ଶୋଚନୀୟ ପରାଜୟ ଘଟିଥିଲାବେଳେ ସାମାଜିକ ରାମମୋହନଙ୍କ ଚରମ ବିଜୟ ଘଟିଥିଲା ।

 

ଯେଉଁ ଉଦ୍ଦେଶ୍ୟ ନେଇ ରାମମୋହନ ଇଂଲଣ୍ଡ ଆସିଥିଲେ, ସେ ସମସ୍ତ କାର୍ଯ୍ୟ ପ୍ରାୟତଃ ଫଳବତୀ ହୋଇଥିଲା । ଭାରତର ମୋଗଲ ସମ୍ରାଟ ଆକବରଙ୍କ ଦୂତରୂପେ ଆସିଥିବା ରାମମୋହନଙ୍କ ଉଦ୍ଦେଶ୍ୟ ସଫଳ ହୋଇଥିଲା । ଆକବର ଦ୍ଵିତୀୟଙ୍କ ବାର୍ଷିକ ଭତ୍ତା ତିନିଲକ୍ଷ ଟଙ୍କା ବୃଦ୍ଧି ପାଇଥିଲା । ସତୀଦାହ ପ୍ରଥା ଉଚ୍ଛେଦ ବିରୁଦ୍ଧରେ କରାଯାଇଥିବା ସତୀଦାହ ଉଚ୍ଛେଦ ବିଲ୍‍କୁ ପ୍ରତ୍ୟାହାର କରି ନେବାପାଇଁ ଆବେଦନ ଇଂଲଣ୍ଡ ପାର୍ଲ୍ୟାମେଣ୍ଟରେ ସରକାର ଅଗ୍ରାହ୍ୟ କରି ଦେଇଥିଲେ ଜୁଲାଇ ୧୧ ତାରିଖ ୧୮୩୩ ମସିହାରେ । ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କଠାରୁ ଭାରତର ଶାସନ ଦକ୍ଷତା ଇଂଲଣ୍ଡ ସରକାର ହାତକୁ ନେବାକୁ ସ୍ଥିର କରିଥିଲେ । ତାହା ଏକ ବିଲ୍ ଆକାରରେ ଆଣିବା ପାଇଁ ସ୍ଥିର ହୋଇ ସାରିଥିଲା ସେତେବେଳକୁ ।

 

ଜନଗଣଙ୍କ ମଙ୍ଗଳାକାଂକ୍ଷୀ ସାମାଜିକ ବ୍ୟକ୍ତି ରାମମୋହନ ଖୁସି ହେବାପାଇଁ ସେତିକି କଣ ଯଥେଷ୍ଟ ନ ଥିଲା ! ସେସବୁ ସମସ୍ୟାର ସମାଧାନ ଲଣ୍ଡନରେ ନିଜ ଉପସ୍ଥିତିରେ ହୋଇ ସାରିବା ପରେ ଆଉ ସେଠାରେ ଅଧିକ କାଳ ରହନ୍ତେ ବା କାହିଁକି ? ତେଣୁ ସେ ଚାହିଁଥିଲେ ଲଣ୍ଡନ ସହରରୁ ବ୍ରିଷ୍ଟଲ ସହରକୁ ଚାଲିଯିବେ ।

 

୧୮୩୩ ମସିହା ସେପ୍ଟେମ୍ବର ମାସର ପ୍ରାରମ୍ଭବେଳକୁ ରାଜା ରାମମୋହନ ଷ୍ଟେପଲଟୋନ୍ ଗ୍ରୋଭରେ ପହଞ୍ଚିଥିଲେ । ତାହା ବ୍ରିଷ୍ଟଲ ସହରର ସୀମାନ୍ତରେ କହିଲେ ଚଳେ । ସେଠାରେ ଅବସ୍ଥାନ କରିଥିଲେ ମିସ୍ କଲେଟ୍ ଓ ମିସ୍ କିଡ଼ଲ (Miss Collet & Miss Kiddle)ଙ୍କ ଆତିଥ୍ୟପୂର୍ଣ୍ଣ ବାସଗୃହରେ । ସେଇଠି ରହି ତାଙ୍କ ସହ ଇଂଲଣ୍ଡ ଆସିଥିବା ତାଙ୍କର ପୋଷ୍ୟପୁତ୍ର ରାଜାରାମ ବିଦ୍ୟାଶିକ୍ଷା କରିଥିଲେ । ତାଙ୍କର ଉଭୟ ଭୃତ୍ୟ ବରଂ ଦେହରକ୍ଷୀ କହିଲେ ଅତ୍ୟୁକ୍ତି ହେବ ନାହିଁ-ରାମରତନ ଓ ରାମହରି କୌଣସି ସମୟରେ ରାଜାଙ୍କ ପାଖଛଡ଼ା ହୋଇ ରହୁ ନ ଥିଲେ । ସେଠାରେ ଡେଭିଡ଼୍ ହାରେଙ୍କ ଭଉଣୀ ମିସ୍ ହାରେ ମଧ୍ୟ ସେମାନଙ୍କ ସହଯୋଗ ଦେଇଥିଲେ ।

 

ସେଇ ସେପ୍ଟେମ୍ବର ମାସ ୧୯ ତାରିଖ ଦିନ ହଠାତ୍ ଭୀଷଣ ଭାବରେ ଜ୍ଵର ଏବଂ ମୁଣ୍ଡ ବ୍ୟଥା ଆକ୍ରମଣ କରିଥିଲା ରାଜା ରାମମୋହନଙ୍କୁ । ମି.ଏସଲିନ୍ (Mr. Estlin) ରାଜାଙ୍କର ଜଣେ ଅତ୍ୟନ୍ତ ଅନୁରକ୍ତ ତଥା ବନ୍ଧୁ ଥିଲେ ଏବଂ ଥିଲେ ତାଙ୍କର ଚିକିତ୍ସକ । ତାହାଙ୍କ ସହିତ ଅନ୍ୟ ଅନେକ ଅଭିଜ୍ଞ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା । ବ୍ୟର୍ଥ ହୋଇଥିଲା ମିସ୍ ହାରେଙ୍କ ସମେତ ଅନ୍ୟମାନଙ୍କ ସମସ୍ତ ଆନ୍ତରିକ ସେବା ଶୁଶ୍ରୁଷା ।

 

ସେପ୍ଟେମ୍ବର ୨୭ ତାରିଖ ଥିଲା ରାମମୋହନଙ୍କ ପାଇଁ ଏ ପୃଥିବୀରେ ଶେଷ ଦିନ । ଭୋର ଦୁଇ ଘଣ୍ଟା ପଚିଶ ମିନିଟ ଥିଲା ରାଜାଙ୍କ ପାଇଁ ଏ ପୃଥିବୀରେ ଶେଷ ମୁହୂର୍ତ୍ତ ।

 

ରାମମୋହନଙ୍କ ମୃତ୍ୟୁ କାଳୀନ ବିବରଣୀ ଦେଇ ଡ. ଏସଲିନ୍ ଯାହା ଲେଖିଥିଲେ, ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ । କୋଠରୀର ଖୋଲାଝରକା ଦେଇ ଗୋଟିଏ ପାଖ ଦେଖିଲେ ଦେଖା ଯାଉଥିଲା ଚମତ୍କାର ଚନ୍ଦ୍ର କିରଣରେ ଆଲୋକିତ ପୃଥିବୀ-ଶାନ୍ତ ସୁନ୍ଦର, ସୁକୋମଳ ପଲ୍ଲୀର ଦୃଶ୍ୟ-। ସେ ଦୃଶ୍ୟ ଦେଖୁଥିଲେ (ପ୍ରକୃତରେ ଉପଭୋଗ କରି ପାରୁ ନ ଥିଲେ) ସେ ନିଜେ, ମି ହରେ ଏବଂ ମିସ୍ କିଡ଼ଲ୍ । ଆଉ ଅପର ପାଖରେ-ମୃତ୍ୟୁ ଶଯ୍ୟାରେ ଶାୟିତ ଜଣେ ମହାପୁରୁଷ ଓ ତାଙ୍କ ଶୁଶ୍ରୂଷାରତ ମିସ୍ ହାରେ । ନିରାଶାରେ ଆଚ୍ଛାଦିତ ମିସ୍ ହାରେଙ୍କ ମୁଖମଣ୍ଡଳ । ସତେ ଯେମିତି ସମସ୍ତ ଧୈର୍ଯ୍ୟ, ସମସ୍ତ ସାହସ ତାଙ୍କ ନିକଟରୁ ଚାଲିଯାଇଛି ମୁକ୍ତ ଆକାଶର କେଉଁ ଏକ ଉଡ଼ନ୍ତା ପକ୍ଷୀ ହୋଇ । ସ୍ଥାଣୁଭଳି ଗୋଟିଏ ଚଉକି ଉପରେ ବସିଛନ୍ତି ସେ ନିଜେ । ରାଜାରାମ ପିତାଜୀଙ୍କ ଶଯ୍ୟା ନିକଟରେ । ତାଙ୍କର ଗୋଟିଏ ହାତ ନିଜ ହାତମୁଠା ଭିତରେ । ଏସ୍ଲିନ୍ କି ଆବେଗମୟ ଭାଷା–‘‘it was a beautiful moonlit night, on one side of the window, as Mr.Hare, Miss. Kiddle, and I looked out of it, was the calm rural midnight scene, on the other, this extra ordinary man dying I shall never forget the moment. Miss Hare, now hopeless and overcome, couldnot summon courage to hang over the dying Raja as she did while soothing or feeding him, hope had left her, and she remained sobbing in the chair near by; the young Raja (rajaram) was generally holding his hand. At half past two Mr Hare came into my room and told me it was all over. His last breath was drawn at 2.25 T@”his was on 27th September 1833”

 

ରାମମୋହନଙ୍କ ମୃତ୍ୟୁ ପରେ ପରେ ମିସ୍ କେଷଲଙ୍କ ବ୍ୟକ୍ତିଗତ ଉଦ୍ୟାନରେ ରାମମୋହନଙ୍କ ଶଵ ସତ୍କାର କରାଯାଇଥିଲା । ରାମମୋହନ ହିନ୍ଦୁ ଥଲେ ଏବଂ ସେତେବେଳର ଖ୍ରୀଷ୍ଟିୟାନ୍ ପ୍ରଥା ଅନୁଯାୟୀ ସେମାନଙ୍କ ଲାଗି ଉଦ୍ଦିଷ୍ଟ କବଳ ସ୍ଥଳରେ ତାହାଙ୍କ ଶବ ସତ୍କାର କରିବା ଅସମ୍ଭବ ଥିଲା । ତେଣୁ ରାମମୋହନଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ତଥା ବିତ୍ତଶାଳୀ ମିସ୍ କେଷଲଙ୍କ ଗୃହରେ ରାଜାଙ୍କ ମୃତ୍ୟ ପରେ ପରେ ତାଙ୍କର ନିଜ ବଗିଚାରେ ହିଁ ହିନ୍ଦୁପ୍ରଥା ଅନୁଯାୟୀ ରାଜାଙ୍କ ଶବ ସତ୍କାର କରାଯାଇଥିଲା ।

 

ଯେଉଁ ସ୍ଥାନରେ ରାମମୋହନଙ୍କ ମରଶରୀରକୁ ଧ୍ଵଂସ କରି ଦିଆଯାଇଥିଲା, ସେଠାରେ ଵର୍ତ୍ତମାନ ଦଣ୍ଡାୟମାନ ପ୍ରସ୍ତରର ଗୋଟିଏ ସ୍ମୃତି ସ୍ତମ୍ଭ । ଚାରିପାଖରେ ଲୁହାର ରେଲିଂ । ସେହି ସ୍ମୃତି ସ୍ତମ୍ଭ ଉପରେ ଲେଖା ହୋଇଛି “The body of Rajah Rammohan Roy was buried here in 1833 and was removed for interment at Arno’s vale cementary in 1843.”

 

ରାମମୋହନଙ୍କ ମୃତ୍ୟୁର ପ୍ରାୟ ଦଶବର୍ଷ ପରେ ତାଙ୍କର ଅନୁରକ୍ତ ବରଂ ପ୍ରଧାନ ଶିଷ୍ୟ ଦ୍ୱାରିକାନାଥ ଠାକୁର ଯେତେବେଳେ ପ୍ରଥମେ ଇଂଲଣ୍ଡ ଯାତ୍ରା କରିଥିଲେ, ସେ ଚାହିଁଥିଲେ ରାମମୋହନଙ୍କ ପାଇଁ ସେତିକି ସ୍ମୃତି ଯଥେଷ୍ଟ ନୁହେଁ । ସେତିକିରେ ପ୍ରତିଭାର ଉପଯୁକ୍ତ ସମ୍ମାନ ହୋଇ ପାରିବ ନାହିଁ । ସେ ବିବେଚନା କରିଥିଲେ ଗୋଟିଏ ଵ୍ୟକ୍ତିଗତ ଉଦ୍ୟାନ ଭିତରେ ରାଜାଙ୍କ ସ୍ମୃତିକୁ ସୀମାଵଦ୍ଧ କରି ରଖାଯିବା ଉଚିତ ନୁହେଁ । ହୁଏତ ଏହା ବି ହୋଇପାରେ ଯେ, ବ୍ୟକ୍ତିଗତ ଜମି, ଉଦ୍ୟାନ, ଗୃହ, ହସ୍ତାନ୍ତରିତ ହୋଇପାରେ ଏବଂ ସମସ୍ତେ ଏ ପ୍ରକାର ସ୍ମୃତି ପାଇଁ ସମାନ ଆଗ୍ରହ ଦେଖାଇ ନ ପାରନ୍ତି । ତେଣୁ ରାମମୋହନଙ୍କ ଧ୍ଵଂସାବଶେଷ ସେଠାରୁ ଆଣି ବ୍ରିଷ୍ଟଲର ଆରନୋଭେଲ୍ (Arno’s vale) ଶ୍ମଶାନରେ ହିନ୍ଦୁ ପ୍ରଥା ଅନୁଯାୟୀ ପୁନଶ୍ଚ ଦାହ ଇତ୍ୟାଦି କର୍ମ କରି ଏକ ସ୍ମୃତି ମନ୍ଦିର ନିର୍ମାଣ କରାଇଥିଲେ । ସେ ସ୍ମୃତି ମନ୍ଦିର ଠିକ୍ ଭାରତୀୟ ରୀତିରେ ଓ ଶୈଳୀରେ ନିର୍ମାଣ କରାଇଥିଲେ । ଭାରତୀୟ ଶୈଳୀରେ ନିର୍ମିତ ସେ ସ୍ମୃତି ମନ୍ଦିର ନିଶ୍ଚିତ ଭାବେ ଆକର୍ଷଣୀୟ ଥିଲା ।

 

ବ୍ରିଷ୍ଟଲ ସହରର ଶ୍ମଶାନରେ ଥିବା ରାମମୋହନଙ୍କ ସ୍ମୃତି ମନ୍ଦିର ଦର୍ଶନ ଉଦ୍ଦେଶ୍ୟରେ ଯାଇଥିବା କ୍ରିଷ୍ଣା କୃପlଳିନୀ ନିଜର ଅନୁଭୂତି ନେଇ ଲେଖିଥିଲେ–“As soon we entered the main gate of arno’s vale cementery, the very first sight that caught the eye was the monument, Indian temple Style, built over Rammohan’s grave. It stands out, through architecturally it has special merit.”

 

*A Pilgrimage to England-Illustrated Weekly Sept. 26, 1976

 

ବିଦେଶରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ରାଜା ରାମମୋହନଙ୍କ ଧ୍ୱଂସାବଶେଷତକ ମଧ୍ୟ ବିଦେଶରେ ହିଁ ରହିଗଲା । ନିଜ ଜନ୍ମଭୂମିରେ ରହିଗଲା କେବଳ ତାଙ୍କର ସ୍ମୃତି ।

Image